ସଚ୍ଚିଦାନନ୍ଦ ରାଉତରାୟ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ସଚ୍ଚିଦାନନ୍ଦ ରାଉତରାୟ
ଜନ୍ମ ୧୩ ମଇ ୧୯୧୬(1916-05-13)
ଗୁରୁଜଙ୍ଗ, ଖୋର୍ଦ୍ଧା ଜିଲ୍ଲା,
ମୃତ୍ୟୁ ୨୧ ଅଗଷ୍ଟ, ୨୦୦୪ (୮୮ ବର୍ଷ)
ଭାଷା ଓଡ଼ିଆ ଭାଷା
ଆଞ୍ଚଳିକତା ଓଡ଼ିଆ
ନାଗରିକତା ଭାରତୀୟ
ଶିକ୍ଷାନୁଷ୍ଠାନ ଖୋର୍ଦ୍ଧା ଉଚ୍ଚ ବିଦ୍ୟାଳୟ
ପୁରସ୍କାର ପଦ୍ମଶ୍ରୀ, ଜ୍ଞାନପୀଠ ପୁରସ୍କାର
ଜୀବନ ସାଥି ଭୂଦେବୀ
ସନ୍ତାନ ମଞ୍ଜୁଶ୍ରୀ, ଚିତ୍ରା, ଶ୍ରୀହର୍ଷ, ଉଦୟନ
ଜ୍ଞାତି କୁଟୁମ୍ବ ପିତା - ସଦାନନ୍ଦ ରାଉତରାୟ, ମାତା - ହେମବତୀ ଦେବୀ

ସଚ୍ଚିଦାନନ୍ଦ ରାଉତରାୟ (୧୩ ମଇ ୧୯୧୬ - ୨୧ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । 'ମାଟିର ଦ୍ରୋଣ', 'କବିଗୁରୁ', 'ମାଟିର ମହାକବି', 'ସମୟର ସଭାକବି' ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ସେ ପ୍ରାୟ ୭୫ବର୍ଷ ଧରି ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ଵଯୁଦ୍ଧ ବିରୋଧରେ । ଓଡ଼ିଆ ସାହିତ୍ୟରେ "ଅତ୍ୟାଧୁନିକତା"ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ । [୧]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ରାଉତରାୟ ଖୋର୍ଦ୍ଧା ଜିଲ୍ଲାର ଗୁରୁଜଙ୍ଗଠାରେ ୧୩ ମଇ ୧୯୧୬ରେ ଜନ୍ମଗ୍ରହଣ କରିଥିଲେ ।[୨] ଚାଟଶାଳୀରେ ପଢିବା କାଳରେ ସେ ସ୍ଵାଧୀନତା ଆନ୍ଦୋଳନରେ ବି ଝାସ ଦେଇଥିଲେ । ଫିରିଙ୍ଗି ସରକାର ବିରୋଧରେ ଲଢି, ସେ ଖୋର୍ଦ୍ଧା ଉଚ୍ଚ ବିଦ୍ୟାଳୟରୁ ବିତାଡିତ ହୋଇଥିଲେ ଓ ତାପରେ ତାଙ୍କର ପିଲାବେଳ କଟିଥିଲା ବଙ୍ଗପ୍ରଦେଶରେ ।[୩] ଏଗାର ବର୍ଷ ବୟସରୁ ରାଉତରାଏ କବିତା ଲେଖା ଆରମ୍ଭ କରିଥିଲେ । [୧] ସ୍ୱାଧୀନଚେତା ଲେଖା ପାଇଁ ତାଙ୍କର ଦୁଇଟି କବିତା ୧୯୩୯ରେ 'ରକ୍ତଶିଖା'ଓ ୧୯୪୩ରେ 'ଉଠ ଜାଗ ଭୋକବନ୍ଦୀ'କୁ ଫିରିଙ୍ଗି ମାନେ ଲୋକଙ୍କ ପାଖରେ ପହଞ୍ଚିବାରୁ ରୋକି ଦେଇଥିଲେ ।'[୪] '୧୯୩୮ରେ ତାଙ୍କର କାବ୍ୟ 'ବାଜି ରାଉତ'କୁ ୧୯୪୨ରେ କବି ହରୀନ୍ଦ୍ରନାଥ ଚାଟାର୍ଜୀ ଇଂରାଜୀରେ 'ନାଉରିଆ ପିଲା ଓ ଅନ୍ୟାନ୍ୟ କବିତା' ମର୍ମରେ ଅନୁବାଦ କରିଥିଲେ । ଏହାର ପ୍ରକାଶନ ପରେ ସଚ୍ଚି ରାଉତରାୟ ଭାରତର ଜଣେ ଜଣାଶୁଣା କବି ଭାବେ ପ୍ରତିଷ୍ଠିତ ହୋଇଥିଲେ । ରାଜନୈତିକ ଚରମପନ୍ଥୀ ଥିବାରୁ ରେଭେନ୍ସା ମହାବିଦ୍ୟାଳୟର ତତକାଳୀନ ଅଧ୍ୟକ୍ଷ ପ୍ରାଣକୃଷ୍ଣ ପରିଜା, ରାଉତରାୟଙ୍କୁ ରେଭେନ୍ସା ମହାବିଦ୍ୟାଳୟରେ ସ୍ନାତକୋତ୍ତର ଶିକ୍ଷାଲାଭରୁ ବଞ୍ଚିତ କରିଥିଲେ । ଗୋଳାପଲିର ଜଣେ ତେଲୁଗୁ ରାଜଜେମାଙ୍କୁ ସେ ବିଭା ହୋଇଥିଲେ । [୫] ସ୍ଵାଧିନତା ଆନ୍ଦୋଳନ, ଛାତ୍ର ଓ କୃଷକ ଆନ୍ଦୋଳନରେ ଭାଗନେଇ ସେ ଦୁଇଥର କାରାବରଣ କରିଥିଲେ ।

ସେ କଟକଠାରେ ୨୧ ଅଗଷ୍ଟ ୨୦୦୪ରେ ଦେହତ୍ୟାଗ କରିଥିଲେ । [୬]

ରଚନାବଳୀ[ସମ୍ପାଦନା]

୧୯୨୮ ମସିହାରେ ୧୫ ବୟସରୁ ସଚ୍ଚି ରାଉତରାୟଙ୍କ କବିତା ରଚନାର ଆରମ୍ଭ କରିଥିଲେ । ମାତ୍ର ୧୭ ବର୍ଷ ବୟସରେ 'ନବୀନ' ପତ୍ରିକାରେ 'ଭଗବାନ ଅଛ କାହିଁ' ପ୍ରଥମ ପ୍ରକାଶିତ କବିତାରେ ସାମ୍ୟବାଦୀ ବୈପ୍ଲବିକ ମାର୍କ୍ସୀୟ ଚେତନା ରହିଥିଲା । ଏହି କବିତାଟି ପରେ ଅଭିଯାନ କବିତା ଗ୍ରନ୍ଥରେ ସଂକଳିତ ହୋଇଛି । କବିତାର ଏକ ନୂତନ ଛନ୍ଦର ଐତିହାସିକ ପ୍ରୟୋଗ ସମ୍ପର୍କରେ 'ପାଂଡୁଲିପି (ପାଣ୍ଡୁଲିପି) କବିତା ଗ୍ରନ୍ଥର 'ନାନ୍ଦୀମୂଖୀ'ରେ ସେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । [୭] ୧୯୪୩ରେ କବିଙ୍କ "ବାଜି ରାଉତ" କବିତା ମାଟି ମା ପାଇଁ ଜୀବନ ଦେବାକୁ ଅନେକ ଲୋକଙ୍କୁ ସ୍ଵାଧୀନତା ଆନ୍ଦୋଳନକୁ ଠେଲି ଦେଇଥିଲା । "ବାଜି ରାଉତ" ଏକ ନାଉରିଆ ପିଲାର ମାଟି ମା ପାଇଁ ବଳିଦାନର କଥା କହେ, ଯିଏ ନିଜ ଜୀବନକୁ ପଛରେ ପକାଇ ଫିରିଙ୍ଗିସେନାକୁ ମହାନଦୀ ପାରି ହେବାକୁ ଦେଇନଥିଲା । 'ପାଣ୍ଡୁଲିପି' ଓ 'ବାଜି ରାଉତ'ରେ ତାଙ୍କର ବିଦ୍ରୋହୀ ସ୍ଵର ଆହୁରି ଶାଣିତ କରିଛନ୍ତି । ପ୍ରତୀକ ଓ ଚିତ୍ରକଳ୍ପ ପ୍ରୟୋଗରେ କବି ପ୍ରୟୋଗିକ ନୂତନତା ଓ ଅପାରମ୍ପରିକ କଳାତ୍ମକ ବୌଦ୍ଧକତା ଓଡ଼ିଆ କବିତାକୁ ଏକ ଭିନ୍ନ ବ୍ୟଞ୍ଜନାତ୍ମକତାର ସ୍ଵାଦରେ ସମୃଦ୍ଧ କରିଛି । କବିଙ୍କର କୋଡ଼ିଏ ସରିକି କବିତା ସଙ୍କଳନ ବାହାରିସାରିଛି । 'ଛୋଟ ମୋର ଗାଁଟି'ର ଭଙ୍ଗା ଡିହଠୁ ଦଙ୍ଗାବିଧ୍ବସ୍ତ ନୂଆଖାଲିର ନକ୍ସା ବେଶ୍ ନିଖୁଣ ଭାବରେ ଫୁଟି ଉଠିଛି ତାଙ୍କ କବିତା ନଖଦର୍ପଣରେ - ଫୁଟି ଉଠିଛି ସମୟର ମୁହଁ - ରୂପ ରୂପାନ୍ତର ରଙ୍ଗବଦଳ । ଯେଉଁଠି 'ଅଳକା ସାନ୍ୟାଲ'ର ଶେଷ ପଂକ୍ତି ସରିଛି ସେଇଠୁ ଆରମ୍ଭ ହୋଇଛି - 'ପ୍ରତିମା ନାୟକ'ର ବାସ୍ତବ ଜୀବନ ଯୁଦ୍ଧ । ତାଙ୍କର ପଲ୍ଲୀଶ୍ରୀ, ଗାଉଁଲି ଜୀବନର କଥା କହେ । ପ୍ରତିମା ନାୟକ ଏକ ସହରିଆ ଝିଅର ବେଦନାଭରା ଜୀବନର ଗଳ୍ପ କହେ । ଲୋକଙ୍କର ଲେଖାଳି ଭାବେ ଜଣାଶୁଣା ଓଡ଼ିଆ ଲେଖାଳିମାନଙ୍କ ଭିତରୁ ସଚ୍ଚି ରାଉତରାଏ ହେଉଛନ୍ତି ଜଣେ । ଧର୍ମକୁ ନେଇ ବି ସଚ୍ଚି ରାଉତରାୟ କେତୋଟି କବିତା ଲେଖିଛନ୍ତି । ବହୁ କାବ୍ୟ କବିତା ଇଂରାଜୀ, ହିନ୍ଦୀ, ତେଲୁଗୁ, ଓ ପଞ୍ଜାବୀ ଭାଷାରେ ଅନୁବାଦ ହୋଇ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛି । ଏକଦା ଛାତ୍ର ଆନ୍ଦୋଳନ ସମରେ ରେଭେନ୍ସା କଲେଜର ଛାତ୍ର ପ୍ରଦୀପ୍ତ ମିଶ୍ରଙ୍କ ନିଧନଜନିତ ସେ ଯେପରି ଲେଖିଥିଲେ 'ଚିରପ୍ରଦୀପ୍ତ', ସେହିପରି ଏକ ନୂତନ ଦେଶର ଗର୍ଭଯନ୍ତ୍ରଣାକୁ ନେଇ ୧୯୭୧ରେ ଆରମ୍ଭ ହୋଇଥିବା ବାଂଲାଦେଶ ମୁକ୍ତି ସଂଗ୍ରାମରେ ଆତ୍ମାହୁତି ଦେଇଥିବା ଛାତ୍ରୀ ରୋଶନାରା ପାଇଁ ରଚନା କରିଥିଲେ ତାଙ୍କର ଚିରଅମର ପଂକ୍ତିମାଳା - 'ମୁଁ ତା'ର ଶବକୁ ଧରି କାନ୍ଧେ ମୋର, କରୁଅଛି ବିଶ୍ଵ ପ୍ରଦକ୍ଷଣ !' ଜୀବଦ୍ଦଶାରେ କବି ରାଉତରାୟ ବାଂଲାଦେଶକୁ ଜଣେ ସାରସ୍ବତ ରାଷ୍ଟ୍ରଦୂତ ଭାବରେ ଯାଇ ରୋଶନରା ସମ୍ପର୍କିତ ଏ କବିତାକୁ ପାଠ କରୁଥିବା ବେଳେ ପାଇଥିଲେ ପ୍ରଚୁର ଖ୍ୟାତି ।[୮]

ସଚ୍ଚି ରାଉତରାୟଙ୍କ ରଚିତ "ଭାତ" କବିତାରୁ ପଦେ :

ବଡ଼ ଭୋକ ବାବୁ!
ବଡ଼ ଭୋକ ଆଜି ଖାଇବାକୁ ଦିଅ ଭାତ;
ହକ ପାଉଣା ଗଣ୍ଡାକ ପାଇଁ କେତେବି ପାତିବୁ ହାତ ?
ଯେଉଁ ଧାନ ଆମେ ବୁଣିଲୁ କାଟିଲୁ ସେହି ଧାନ ଦିଅ ଆଣି;
ପୀଡିତ ଆତ୍ମା ଗର୍ଜି ଉଠଇ ଶୁଣ ତା' ବିପୁଳ ବାଣୀ ।

[୯]

ସଚ୍ଚି ରାଉତରାୟଙ୍କଦ୍ଵାରା ପ୍ରକାଶିତ ୩୧ ଖଣ୍ଡ ପୁସ୍ତକ ଯଥା ଖଣ୍ଡକାବ୍ୟ, କବିତା, ଗଳ୍ପ, ଉପନ୍ୟାସ, ସମାଲୋଚନା, ଆଲୋଚନା, ଏବଂ ଆତ୍ମଚରିତ ଦେଶବାସୀଙ୍କୁଭେଟି ଦେଇଛନ୍ତି ସେଗୁଡ଼ିକ ହେଲା[୮]  :

କବିତା ଗ୍ରନ୍ଥ[ସମ୍ପାଦନା]

  • ପଥେୟ - ୧୯୩୧ (ପ୍ରଥମ କବିତା ଗ୍ରନ୍ଥ)
  • ଛୋଟ ମୋର ଗାଁଟି
  • ପୂର୍ଣିମା -୧୯୩୩
  • ଅଭିଯାନ - ୧୯୩୮ (୧୯୪୮[୮] )
  • ପଲ୍ଲୀଶ୍ରୀ - ୧୯୪୧ (୧୯୪୦[୮] )
  • ବାଜି ରାଉତ - ୧୯୪୧ (ହରିନ୍ଦ୍ର ନାଥ ଚଟ୍ଟୋପାଧ୍ୟାୟଙ୍କଦ୍ଵାରା The Boatman Boy and Forty other poems ନାମରେ ଇଂରାଜୀରେ ଅନୁବାଦିତ)
  • ପାଣ୍ଡୁଲିପି - ୧୯୪୭
  • ଅଭିଜ୍ଞାନ -
  • ହସନ୍ତ - ୧୯୪୮
  • ଭାନୁମତୀର ଦେଶ - ୧୯୪୯
  • ରକ୍ତଶିଖା - ୧୯୪୯
  • ସ୍ଵାଗତ - ୧୯୫୮
  • କବିତା ୧୯୬୨ - ୧୯୬୨
  • କବିତା ୧୯୬୯- ୧୯୬୯
  • କବିତା ୧୯୭୧ - ୧୯୭୧
  • କବିତା ୧୯୭୪ -୧୯୭୪
  • କବିତା ୧୯୮୩ -୧୯୮୩
  • କବିତା ୧୯୮୫ -୧୯୮୫
  • କବିତା ୧୯୮୭ -୧୯୮୭
  • କବିତା ୧୯୯୦ -୧୯୯୦

କ୍ଷୁଦ୍ର ଗଳ୍ପ[ସମ୍ପାଦନା]

  • ମଶାଣିର ଫୁଲ
  • ମଲା କଈଁ
  • ଆଙ୍ଗୁଠି
  • ମାଟିର ତେଜ
  • ହାଟର କାହାଣୀ
  • ମାଙ୍କଡ ଓ ଅନ୍ୟାନ୍ୟ ଗଳ୍ପ
  • ରାଜା ପୁଅ
  • ଛାଇ -୧୯୪୮
  • ନୂତନ ଗଳ୍ପ -୧୯୯୦

ଉପନ୍ୟାସ[ସମ୍ପାଦନା]

  • ଚିତ୍ରଗ୍ରୀବ - ୧୯୩୫ (ଏକ ନାୟିକାବିହୀନ ଉପନ୍ୟାସ ଏବଂ ଏଥିରେ ବିଶେଷ କରି ମାର୍କ୍ସବାଦର ସେ ବିଶ୍ଲେଷଣ କରିଛନ୍ତି)[୧୦]
  • ତଳେ ମାଟି ଉପରେ ଆକାଶ
  • ସାଗର ତଳର ଢେଉ

ସମାଲୋଚନା[ସମ୍ପାଦନା]

  • ସାହିତ୍ୟରେ ମୂଲ୍ୟବୋଧ -୧୯୭୪
  • ସାହିତ୍ୟ ବିଚାର ଓ ମୂଲ୍ୟବୋଧ -୧୯୮୩
  • ଆଧୁନିକ ସାହିତ୍ୟର କେତୋଟି ଦିଗ -୧୯୮୩

ଆଲୋଚନା[ସମ୍ପାଦନା]

  • ଜୟଦେବ ଓ ରାମାୟଣ ବନାମ ମହାଭାରତ

ଆତ୍ମଚରିତ[ସମ୍ପାଦନା]

  • ଉତ୍ତରକକ୍ଷ (ପ୍ରଥମ ଭାଗ) ଆତ୍ମଚରିତ -୧୯୯୮
  • ଉତ୍ତରକକ୍ଷ (ଦ୍ୱିତୀୟ ଭାଗ) ଆତ୍ମଚରିତ - ୨୦୦୦ [୮]

ସମ୍ପାଦନା[ସମ୍ପାଦନା]

  • ଦିଗନ୍ତ ପତ୍ରିକା

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Sachidananda Routray passes away". The Hindu. 2004-08-22. Retrieved 2008-11-06. 
  2. "SACHI ROUTRAY". orissadiary.com. 2012. Retrieved 23 May 2012. Sachi Routray was born in Gurujang near Khurda on May 13, 1916 
  3. "Sachidananda Routray passes away". The Hindu. Retrieved 26 April 2014. 
  4. "Announcements". orissasociety.org. Retrieved 6 November 2012. The British banned two of his patriotic poems between 1939-43. 
  5. "Sachi Routray". odisha.360.batoi.com. Retrieved 6 November 2012. educated and grew up in Bengal and married to a Telugu princess of Golapalli 
  6. "Eminent poet passes away | news.outlookindia.com". news.outlookindia.com. Retrieved 6 November 2012. Jnanpeeth award winner and revolutionary poet Sachidananda Routray passed away 
  7. ମହାନ୍ତି, ପ୍ରସନ୍ନ କୁମାର (୧୩ ମଇ ୨୦୧୫). "ଶତାବ୍ଦୀର ଦ୍ରୋଣାଚାର୍ଯ୍ୟ: କବି ସଚ୍ଚି ରାଉତରାୟ". ସର୍ବସାଧାରଣ. http://sarbasadharana.com. Retrieved 13 May 2015. 
  8. ୮.୦ ୮.୧ ୮.୨ ୮.୩ ୮.୪ ନାୟକ, ମାୟାଧର (୧୩ ମଇ ୨୦୧୫). "ସମୟର ସଭାକବି ସଚ୍ଚି ରାଉତରାୟ". ସର୍ବସାଧାରଣ. http://sarbasadharana.com. Retrieved 13 May 2015. 
  9. ସମ୍ବାଦ ୧୩/୦୫/୨୦୧୫ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୪ରେ ପ୍ରକାଶିତ ଲେଖା "ଜନତାର କବି ସଚ୍ଚି ରାଉତରାୟ"
  10. http://www.orissadiary.com/personality/poet/SACHI_ROUTRAY_.asp
  11. "Doyen of ultra modern Oriya poetry Sachi Routray is no more". Retrieved 29 July 2016. 
  12. "A People’s POET (Satchidananda Routray: 1916-2004)". Just In Print. Retrieved 29 July 2016. 
  13. "ଜ୍ଞାନପୀଠ ପୁରସ୍କାର". Bharatiya Jnanpith. Retrieved 2008-11-06. 
  14. http://odisha.gov.in/e-magazine/orissaannualreference/ORA-2011/pdf/87-89.pdf

ଅଧିକ ତଥ୍ୟ[ସମ୍ପାଦନା]