ଭବାନୀ ଚରଣ ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
ଭବାନୀ ଚରଣ ପଟ୍ଟନାୟକ
ସଭ୍ୟ: ରାଜ୍ୟ ସଭା
କାର୍ଯ୍ୟକାଳ
୧୯୬୧-୧୯୭୨
କାର୍ଯ୍ୟକାଳ
୧୯୭୮-୧୯୮୪
ନିର୍ବାଚନ ମଣ୍ଡଳୀଓଡ଼ିଶା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1922-05-11)୧୧ ମଇ ୧୯୨୨
ଅଣ୍ଢିଆ, ନିମାପଡ଼ା
ମୃତ୍ୟୁ୧୪ ମଇ ୨୦୨୦(2020-05-14) (ବୟସ ୯୮)
ଭୁବନେଶ୍ୱର
ଜୀବନ ସାଥୀବସନ୍ତ ମଞ୍ଜରୀ ପଟ୍ଟନାୟକ
ସନ୍ତାନ୨ ପୁଅ ଓ ୩ ଝିଅ
ବାପା/ବୋଉନାରାୟଣ ପଟ୍ଟନାୟକ (ବାପା)
କୁମୁଦିନୀ ଦେବୀ (ମାଆ)
ପୁରସ୍କାରପଦ୍ମଶ୍ରୀ

ଭବାନୀ ଚରଣ ପଟ୍ଟନାୟକ( ୧୧ ମଇ ୧୯୨୨ - ୧୪ ମଇ ୨୦୨୦) ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ତିନିଥର ଓଡ଼ିଶାରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ ମଧ୍ୟ କରିଥିଲେ ।[୧][୨][୩] ୨୦୧୮ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରିଥିଲେ ।[୪] ଅଠାନବେ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ କାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିଲାବେଳେ ତାଙ୍କ ପରଲୋକ ହୋଇଥିଲା ।[୫][୬][୭]

ବାଲ୍ୟଜୀବନ[ସମ୍ପାଦନା]

ଭବାନୀ ଚରଣ ୧୯୨୨ ମସିହା ବୈଶାଖ ମାସ ବୁଦ୍ଧ ପୂର୍ଣ୍ଣିମା ତିଥୀରେ ପିତା ନାରାୟଣ ପଟ୍ଟନାୟକ ଓ ମାତା କୁମୁଦିନୀ ଦେବୀଙ୍କ ଅଷ୍ଟମ ସନ୍ତାନ ଭାବେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଗ୍ରାମ ଥିଲା ନିମାପଡ଼ା ଅନ୍ତର୍ଗତ ଅଣ୍ଢେଇ ଗ୍ରାମ । ପିତା ନାରାୟଣ ଥିଲେ ଜଣେ ମୋହରିର । ପିତାଙ୍କ ଆଦର୍ଶ ଓ ପରପୋକାର ଏବଂ ମାତାଙ୍କ ଧର୍ମପରାୟଣାତାର ପ୍ରଭାବ ଭବାନୀଙ୍କୁ ବାଲ୍ୟକାଳରୁ ପ୍ରଭାବିତ କରିଥିଲା । ସେ ଜଣେ ଆଦର୍ଶ ଛାତ୍ର ଥିଲେ । ପାଠ, ଖେଳ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସେ ସବୁବେଳେ ଆଗଭର ଥିଲେ । ୧୯୩୮ମସିହାରେ ସେ ନିଜ ପିତାଙ୍କୁ ହରେଇଥିଲେ । ୧୯୪୮ ଜାନୁଆରୀ ୩୦ରେ ସେ କୁଷିକଣା ଗ୍ରାମର ଅଚ୍ୟୁତାନନ୍ଦ ମହାନ୍ତିଙ୍କ କନ୍ୟା ବସନ୍ତ ମଞ୍ଜରୀଙ୍କୁ ବିବାହ କରିଥିଲେ ।

ସ୍ୱାଧୀନତା ସଂଗ୍ରାମରେ ଝାସ[ସମ୍ପାଦନା]

ପିଲାଦିନରୁ ଭବାନୀ ଚରଣ ଦେଶସେବାପ୍ରତି ଆକୃଷ୍ଟ ଥିଲେ ଓ ଅନ୍ୟାନ୍ୟ ଅନୀତିର ବିରୋଧୀ ଥିଲେ । ୧୯୩୨ମସିହାରେ ନିମାପଡ଼ା ପ୍ରାକ୍ଟିସିଙ୍ଗ ପ୍ରାଥମିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ପଢୁଥିବାବେଳେ, ତାଙ୍କ ବିଦ୍ୟାଳୟକୁ ଇଂଲଣ୍ଡ ସମ୍ରାଟ ପଞ୍ଚମ ଜଜ୍ ପରିଦର୍ଶନରେ ଆସିଥିଲେ । ସେଥିପାଇଁ ବିଦ୍ୟାଳୟର ଛାତ୍ରମାନଙ୍କୁ ନେଇ ଏକ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଏହି ଶୋଭାଯାତ୍ରାରେ ପଞ୍ଚମ ଜଜଙ୍କ ଜୟଧ୍ୱନୀ ପରିବର୍ତ୍ତେ ଭବାନୀ ଚରଣଙ୍କ ସହ ୨/୩ଜଣ ଛାତ୍ର ଗାନ୍ଧିଜୀଙ୍କ ଜୟଧ୍ୱନୀ ଦେଇ ସ୍କୁଲ ଶିକ୍ଷକଙ୍କଠାରୁ ଛାଟ ପ୍ରହାର ପାଇଥିଲେ । ୧୯୩୮ମସିହାରେ ଅନ୍ୟ ଏକ ଘଟଣାରେ, ସ୍କୁଲ ଖେଳ ପଡିଆକୁ ଜମିଦାରଙ୍କ ଜବରଦଖଲରୁ ମୁକୁଳାଇବାରେ ଭବାନୀ ଚରଣ ସଫଳ ହୋଇଥିଲେ । ଗାନ୍ଧୀ, ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭବାନୀ ଚରଣ ୨୦ବର୍ଷ ବୟସରେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ୧୯୪୨ମସିହାରେ ଭବାନୀ ଚରଣଙ୍କ ନେତୃତ୍ୱରେ ନିମାପଡ଼ା ଥାନା ଦଖଲ କରାଯାଇଥିଲା । ସେଠାରେ ପୁଲିସ ଗୁଳିଚାଳନାରେ ୨୭ଜଣ କର୍ମୀ ରକ୍ତାକ୍ତ ଆହାତ ହୋଇଥିଲେ ଓ ୫୫ ବର୍ଷ ବୟସ୍କ ଉଚ୍ଛବ ମଲିକ ସହିଦ ହୋଇଥିଲେ । ଭବାନୀ ଚରଣଙ୍କୁ ସମେତ ୪୩ଜଣ କର୍ମୀ ଗିରଫ ହୋଇଥିଲେ । ତାଙ୍କୁ ୩ବର୍ଷ ୮ମାସ କାଳ ପୁରୀ ଓ କଟକ ଜେଲରେ ବନ୍ଦୀ କରି ରଖାଯାଇଥିଲା । ୧୯୪୨ ସେପ୍ଟେମ୍ବର ୨୦ତାରିଖରୁ, ୧୯୪୬ ମେ ୧ତାରିଖ ପର୍ଯ୍ୟନ୍ତ ସେ କାରାବରଣ କରିଥିଲେ ।[୮]

ସମାଜସେବା[ସମ୍ପାଦନା]

୧୯୪୮ ଜାନୁଆରୀ ୩୦ତାରିଖରେ ତାଙ୍କ ବିବାହ ଦିନରେ ହିଁ ଗାନ୍ଧିଜୀଙ୍କୁ ହତ୍ୟା କରାଯାଇଥିଲା । ସେହିଦିନଠାରୁ ହିଁ ଭବାନୀ ଚରଣ ପୁରୀ ଜିଲ୍ଲାର ବହୁ ମୁସଲମାନ ବସ୍ତି ବୁଲି ବୁଲି ସାମାଜିକ ସୌହାର୍ଦ୍ୟ ଓ ହିନ୍ଦୁ-ମୁସଲିମ ଭାତ୍ରୁଭାବ ବଜାୟ ରଖିବା ପାଇଁ ସଚେତନତା ସୃଷ୍ଟି କରିଥିଲେ । ତାଙ୍କ ପ୍ରଚେଷ୍ଟାରେ ନିଜ ଚାଷଜମି ହରେଇଥିବା ବହୁ ଚାଷୀ ମୂଲିଆ ନିଜ ଜମି ଫେରି ପାଇଥିଲେ । ବନ୍ୟା ବାତ୍ୟା, ଦୁର୍ଭିକ୍ଷ ସମୟରେ ସେ ପ୍ରପୀଡିତ ଅଞ୍ଚଳରେ ସାହାଯ୍ୟ ଧରି ପହଞ୍ଚୁଥିଲେ । ଭବାନୀ ଚରଣ କେବଳ ନିମାପଡ଼ା ଅଞ୍ଚଳରେ ନିଜକୁ ସୀମିତ ନରଖି, ସମଗ୍ର ଓଡ଼ିଶାର ଜଣେ ସମାଜସେବକ ଭାବରେ ଉଭା ହୋଇଥିଲେ । ବିଜୁବାବୁଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ସେ ୩ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୧୯୬୧ରୁ ୧୯୭୨ ଓ ୧୯୭୮ରୁ ୧୯୮୪ ପର୍ଯ୍ୟନ୍ତ ସେ ରାଜ୍ୟସଭାର ଏମପି ଭାବରେ କାର୍ଯ୍ୟ କରିଛନ୍ତି । ବହୁ ସାମାଜିକ ଅନୁଷ୍ଠାନ ଯଥା, ଓଡ଼ିଶା ସେବାଦଳର ମୁଖ୍ୟ ସଂଗଠକ, ଭାରତ ସେବକ ସମାଜର ପ୍ରଥମ ଛାତ୍ର ସଂଗଠକ, ସେଣ୍ଟ ଜୋନ୍ ଆମ୍ବୁଲାନ୍ସର ସଭାପତି, ଜୁନିୟର ରେଡକ୍ରସର ସଭାପତି, ଓଡ଼ିଶା ରେଡକ୍ରସ ସଂଗଠନର ସଂଗଠକ ଭାବରେ କାର୍ଯ୍ୟ କରିଛନ୍ତି । ଏହା ବ୍ୟତିତ ସେ ଉଚ୍ଛବ ମଲ୍ଲିକ ଶହୀଦ ସ୍ମୃତି ସଂସଦର ସଭାପତି, ରାଜ୍ୟ ସରକାରଙ୍କ ସଂଗ୍ରାମୀ ପେନସନ ବୋର୍ଡ଼ର ସଭାପତି, କଳିଙ୍ଗ ଫାଉଣ୍ଡେସନର ଅଧ୍ୟକ୍ଷ[୯], ଗୋପବନ୍ଧୁ ଦରିଦ୍ର ନାରାୟଣ ଖଦୀ ଗ୍ରାମୋଦୟ ସଂଗଠନର କର୍ମକର୍ତ୍ତା ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି ।[୧୦]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ପଦ୍ମଶ୍ରୀ - ୨୦୧୮[୧୧]
  • ସାମନ୍ତ ଗୌରବ ସମ୍ମାନ (ସାମନ୍ତ ପରିଷଦଦ୍ୱାରା ପ୍ରଦତ୍ତ) - ୨୦୧୪[୧୨]

ଆଧାର[ସମ୍ପାଦନା]

  1. "Brief Bio-Data 1952 - 2003" (PDF). Rajya Sabha. Retrieved 14 October 2015.
  2. "Freedom fighter Patnaik honoured". The Pioneer. 16 June 2014. Retrieved 14 October 2015.
  3. "August Kranti sites lie neglected". Minati Singha. The Times of India. 10 August 2015. Retrieved 14 October 2015.
  4. "Padma awards 2018 announced, MS Dhoni, Sharda Sinha among 85 recipients: Here's complete list". India TV. 25 January 2018. Retrieved 26 January 2018.
  5. "ଆଖି ବୁଜିଲେ ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ପଟ୍ଟନାୟକ" । ରଣଜିତ ମହାନ୍ତି, ସମାଜ, ୧୪ ମେ ୨୦୨୦ ।
  6. "Freedom Fighter Padma Shri Bhabani Charan Patnaik dies" ପ୍ରମେୟ, ମେ ୧୫ ୨୦୨୦ ।
  7. "Eminent freedom fighter Bhabani Charan Patnaik passes away" ଓଡ଼ିଶା ଡାଏରୀ (Orissadiary.com), ମେ ୧୫ ୨୦୨୦ ।
  8. "'Sense of patriotism and nationalism has been on the wane'". The Telegraph. Retrieved 13 August 2018.
  9. http://www.kalingafoundationtrust.com/website/about-trust.htm
  10. "ବର୍ଷୀୟାନ ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ" (PDF). ଉତ୍କଳ ପ୍ରସଙ୍ଗ (ଜାନୁଆରୀ ୨୦୦୮): ୪୫. Retrieved 13 August 2018.
  11. "Four from Odisha get Padma Shri". Minati Singha. The Times of India. 26 January 2018. Retrieved 11 February 2018.
  12. https://www.dailypioneer.com/state-editions/bhubaneswar/freedom-fighter-patnaik-honoured.html