ଅମୃତା ପ୍ରୀତମ

ଉଇକିପିଡ଼ିଆ ରୁ
Jump to navigation Jump to search
ଅମୃତା ପ୍ରୀତମ
Amrita Pritam (1919 – 2005) , in 1948.jpg
ଜନ୍ମଅମୃତା କୌର
୩୧ ଅଗଷ୍ଟ ୧୯୧୯(1919-08-31)
ଗୁଜରାଁୱାଲା, ପଞ୍ଜାବ, ଅବିଭକ୍ତ ଭାରତ(ବର୍ତ୍ତମାନ ପାକିସ୍ତାନ)
ମୃତ୍ୟୁ୩୧ ଅକ୍ଟୋବର ୨୦୦୫ (୮୬ ବର୍ଷ)
ଦିଲ୍ଲୀ, ଭାରତ
ବୃତ୍ତିଔପନାସିକା, କବି, ପ୍ରାବନ୍ଧିକା
ଜାତୀୟତାଭାରତୀୟ
ସମୟ୧୯୩୬-୨୦୦୬
ଶୈଳୀକବିତା, ଗଳ୍ପ, ଆତ୍ମଜୀବନୀ
ବିଷୟଭାରତ ବିଭାଜନ, ନାରୀ
ସାହିତ୍ୟ କୃତିପିଞ୍ଜର (ଉପନ୍ୟାସ)
ଆଜ ଆଖାଁ ୱାରିସ ଶାହା ନୁ(କବିତା)
ସୁନେରେ(କବିତା)
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ(୧୯୫୬)
ପଦ୍ମଶ୍ରୀ (୧୯୬୯)
ଜ୍ଞାନପୀଠ ସମ୍ମାନ(୧୯୮୨)
ଶତାବ୍ଦୀ ସମ୍ମାନ(୨୦୦୦)
ପଦ୍ମ ବିଭୂଷଣ(୨୦୦୪)
ଜୀବନ ସାଥିପ୍ରୀତମ ସିଂହ
ସଙ୍ଗୀଇମରୋଜ
ସନ୍ତାନ

ଅମୃତା ପ୍ରୀତମ(ଶବଦ ବିଷୟରେ listen ; ୩୧ ଅଗଷ୍ଟ ୧୯୧୯ - ୩୧ ଅକ୍ଟୋବର ୨୦୦୫) ପଞ୍ଜାବୀହିନ୍ଦୀ ଭାଷାର ଜଣେ କବି, ପ୍ରାବନ୍ଧିକ ଓ ଔପନ୍ୟାସିକା ଥିଲେ । ଉଭୟ ଭାରତ ଓ ପାକିସ୍ତାନରେ ସେ ଲୋକପ୍ରିୟ । ୬୦ ବର୍ଷର ସାହିତ୍ୟିକ ଜୀବନ ମଧ୍ୟରେ ସେ ୧୦୦ରୁ ଅଧିକ ପୁସ୍ତକ ରଚନା କରିଥିଲେ । ତାହା ମଧ୍ୟରେ ତାଙ୍କର ଅନେକ କବିତା, ଗଳ୍ପ, ଜୀବନୀ, ପ୍ରବନ୍ଧ ଆଦି ରହିଥିଲା ଓ ବହୁ ଭାରତୀୟ ତଥା ବିଦେଶୀ ଭାଷାକୁ ଅନୁବାଦିତ ହୋଇଥିଲା ।[୧]

ଅମୃତା ନିଜ କବିତା "ଆଜ ଆଖାଁ ୱାରିସ ଶାହା ନୁ" ପାଇଁ ଚର୍ଚ୍ଚିତ ଥିଲେ । ଏହି କବିତା ସେ ଭାରତ ବିଭାଜନ ସମୟରେ ନିଜ ଦୁଃଖ ଓ କ୍ରୋଧକୁ ଦର୍ଶାଇ ଓ ୧୮୦୦ ଶତାବ୍ଦୀର କବି ୱାରିସ ଶାହାଙ୍କୁ ମନେ ପକାଇ ଲେଖିଥିଲେ । ତାଙ୍କର ଉପନ୍ୟାସ "ପିଞ୍ଜର"(୧୯୫୦) ମାଧ୍ୟମରେ ସେ ନାରୀମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ଅମାନବୀୟତାକୁ ଦର୍ଶାଇଥିଲେ । ଏହି ଉପନ୍ୟାସର ମୁଖ୍ୟ ଚରିତ୍ର ଥିଲା "ପୁରୋ" । ୨୦୦୩ରେ ଏହି ଉପନ୍ୟାସକୁ ନେଇ ଏକ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରାଯାଇଥିଲା ।[୨]

ଭାରତ ବିଭାଜନ ସମୟରେ ସେ ଲାହୋରରୁ ଭାରତକୁ ଚାଲି ଆସିଥିଲେ ମଧ୍ୟ ସେ ଆଜୀବନ ଭାରତ ଓ ପାକିସ୍ତାନ ଉଭୟ ଦେଶର ପାଠକଙ୍କଦ୍ୱାରା ଆଦୃତ ହୋଇଥିଲେ ।

ସେ ପ୍ରଥମ ମହିଳା ସାହିତ୍ୟିକ ଭାବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ୧୯୫୬ ମସିହାରେ ନିଜ କବିତା ଗ୍ରନ୍ଥ ''ସୁନହୁଡେ'' ପାଇଁ ସେ ଏହି ପୁରସ୍କାର ପାଇଥିଲେ । ୧୯୮୨ ମସିହାରେ ସେ "କାଗଜ କେ କାନଭାସ" ପାଇଁ ଜ୍ଞାନପୀଠ ପୁରସ୍କାର ପାଇଥିଲେ । ୧୯୬୯ ମସିହାରେ ସେ ପଦ୍ମଶ୍ରୀ ଓ ୨୦୦୪ ମସିହାରେ ପଦ୍ମ ବିଭୂଷଣ ପୁରସ୍କାର ପାଇଥିଲେ । ୨୦୦୪ ମସିହାରେ ଜୀବନବ୍ୟାପୀ ସାହିତ୍ୟ ସାଧନା ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ ପ୍ରଦାନ କରାଯାଇଥିଲା । ତାଙ୍କ କବିତାରେ ଭାରତ ବିଭାଜନ ଏକ ମୁଖ୍ୟ ବିଷୟବସ୍ତୁ ଭାବରେ ସ୍ଥାନ ପାଇଥିଲା ।

ଜୀବନୀ[ସମ୍ପାଦନା]

୧୯୧୯ ମସିହାରେ ଅବିଭକ୍ତ ପଞ୍ଜାବର ମଣ୍ତି ବାହାଉଦ୍ଦିନ(ବର୍ତ୍ତମାନର ପାକିସ୍ଥାନ)ଠାରେ ଅମୃତା କୌର ଜନ୍ମଗ୍ରହଣ କରିଥିଲେ ।[୩] ତାଙ୍କ ପିତା କର୍ତାର ସିଂହ ହିତକାରୀ ଜଣେ କବି ଓ ବ୍ରଜ ଭାଷାର ପଣ୍ଡିତ ଥିଲେ । ସେ ଏକ ସାହିତ୍ୟିକ ପତ୍ରିକାର ସମ୍ପାଦନା କରୁଥିଲେ ଓ ଶିଖ ଧର୍ମର ପ୍ରଚାରକ ମଧ୍ୟ ଥିଲେ ।[୪] ମାତା ରାଜ ବିବି ଜଣେ ଶିକ୍ଷୟତ୍ରୀ ଥିଲେ ।[୫][୬] ଅମୃତା ୧୧ବର୍ଷ ବୟସରେ ନିଜ ମାତାଙ୍କୁ ହରେଇଥିଲେ । ସେ ତାଙ୍କ ବାପାଙ୍କ ସ‌ହ ଲାହୋରକୁ ଚାଲିଆସି ଭାରତ ବିଭାଜନ ପର୍ଯ୍ୟନ୍ତ ସେଠାରେ ରହିଥିଲେ । ମାତାଙ୍କ ବିୟୋଗର ଦୁଃଖରୁ ସେ କମ ବୟସରୁ ଲେଖାଲେଖି ଆରମ୍ଭ କରିଥିଲେ ଓ ୧୯୩୬ରେ, ୧୬ବର୍ଷ ବୟସରେ ନିଜ ପ୍ରଥମ କବିତା ସଂକଳନ "ଅମୃତ ଲହରେଁ" ପ୍ରକାଶିତ କରିଥିଲେ । ସେହି ବର୍ଷ ସେ ପ୍ରୀତମ ସିଂହଙ୍କୁ ବିବାହ କରିଥିଲେ ଓ ନିଜ ନାମ ଅମୃତା ପ୍ରୀତମକୁ ବଦଳାଇଥିଲେ ।[୭] ୧୯୩୬ରୁ ୧୯୪୩ ମଧ୍ୟରେ ସେ ୬ଟି କବିତା ସଂକଳନ ଲେଖି ସାରିଥିଲେ ।

ଅମୃତା ପ୍ରେମ କବିତାରୁ ନିଜ ଲେଖାଲେଖି ଆରମ୍ଭ କରିଥିଲେ ମଧ୍ୟ ସେ ପରେ ପ୍ରଗତିଶୀଳ ଲେଖକମାନଙ୍କ ସଂଘରେ ମିଶିଥିଲେ ଓ ତାଙ୍କ ଲେଖାରେ ମଧ୍ୟ ପରିବର୍ତ୍ତନ ପରିଲକ୍ଷିତ ହୋଇଥିଲା । ୧୯୪୪ର କବିତା ସଂକଳନ "ଲୋକ ପୀଡ଼"ରେ ସେ ଯୁଦ୍ଧ ବ୍ୟଥିତ ଅର୍ଥନୀତି ଉପରେ କଟାକ୍ଷ କରିଥିଲେ । ସମାଜସେବାରେ ମଧ୍ୟ ସେ ରୁଚି ରଖିଥିଲେ । ସ୍ୱାଧିନତା ପରବର୍ତ୍ତୀ ସମୟରେ ଗୁରୁ ରାଧା କ୍ରୀଷ୍ଣ ଦିଲ୍ଲୀରେ ଜନତା ପାଠାଗାର ପ୍ରତିଷ୍ଠା କରିଥିଲେ । ଅମୃତା ଏହି ପାଠାଗାର ପ୍ରତିଷ୍ଠାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ପାଠାଗାରଟି ଏବେ ମଧ୍ୟ ଦିଲ୍ଲୀରେ କାର୍ଯ୍ୟକ୍ଷମ ଅଛି । ଭାରତ ବିଭାଜନ ପୂର୍ବରୁ ସେ ଲାହୋରର ଏକ ରେଡିଓ ଷ୍ଟେସନରେ ମଧ୍ୟ କାର୍ଯ୍ୟ କରିଥିଲେ ।[୮]

ଏମ.ଏସ. ସଥ୍ୟୁ, ଅମୃତାଙ୍କ ଜୀବନୀ ଉପରେ ପର୍ଯ୍ୟବେସିତ ଏକ ନାଟକ "ଏକ ଥି ଅମୃତା" ପରିବେଷଣ କରିଥିଲେ । ଏହି ନାଟକଟି ସମଗ୍ର ଭାରତରେ ଲୋକାଦୃତ ହୋଇଥିଲା ।

ଭାରତ ବିଭାଜନ[ସମ୍ପାଦନା]

୧୯୪୭ରେ ଭାରତ ବିଭାଜନପରେ ହୋଇଥିବା ଧାର୍ମିକ ହିଂସାରେ ପ୍ରାୟ ଏକ ଲକ୍ଷ ହିନ୍ଦୁ, ମୁସଲିମ ଓ ଶିଖ ସମ୍ପ୍ରଦାୟର ଲୋକ ମୃତ୍ୟୁବରଣ କରିଥିଲେ । ଅମୃତା ଲାହୋରରୁ ଭାରତକୁ ଆସି ଜଣେ ଶରଣାର୍ଥୀରେ ଜୀବନ ବ୍ୟତିତ କରିଥିଲେ । ଡେରାଡୁନରୁ ଦିଲ୍ଲୀ ଯାତ୍ରା ସମୟରେ ବିଭାଜନ ଓ ନିଜ ଶରଣାର୍ଥୀ ଜୀବନକୁ ନେଇ ଅମୃତା "ଆଜ ଆଖାଁ ୱାରିସ ଶାହା ନୁ" କବିତା ରଚନା କରିଥିଲେ । ଏହି କବିତାଟି ତାଙ୍କୁ ପରିଚିତି ଆଣି ଦେଇଥିଲା । ଏହି କବିତାଟି ୧୮୦୦ ଶତାବ୍ଦୀର ସୁଫି କବି ତଥା "ହୀର ରାଞ୍ଜା"ର ରଚୟିତା ୱାରିସ ଶାହାଙ୍କ ଉଦ୍ଦେଶ୍ୟରେ ଲେଖା ଯାଇଥିଲା ।

ଅମୃତା ଆକାଶବାଣୀ ଦିଲ୍ଲୀର ପଞ୍ଜାବୀ ପ୍ରସାରଣ ବିଭାଗରେ ୧୯୬୧ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ୧୯୬୦ରେ ନିଜ ବିବାହ ବିଚ୍ଛେଦ ପରେ ଅମୃତାଙ୍କ ଲେଖନୀ ଅଧିକରୁ ଅଧିକ ନାରୀ କେନ୍ଦ୍ରୀକ ହୋଇ ଯାଇଥିଲା ଓ ତାଙ୍କ ବିବାହ ବିଚ୍ଚେଦର ଦୁଃଖ ତାଙ୍କ କବିତା ଓ ଗଳ୍ପରେ ଦେଖିବାକୁ ମିଳିଥିଲା । ତାଙ୍କର ବହୁ ରଚନା ପ୍ରେଞ୍ଚ, ଡାନିଷ, ଜାପାନିଜ, ମାଣ୍ଡାରିନ ଭାଷାକୁ ମଧ୍ୟ ଅନୁବାଦିତ ହୋଇଥିଲା । ଏଥି ମଧ୍ୟରୁ ତାଙ୍କ ଆତ୍ମଜୀବନୀ ମୂଳକ ଲେଖା "ବ୍ଲାକ ରୋଜ" ଓ "ରସିଦ ଟିକେଟ" ଅନ୍ୟତମ ଥିଲା ।

ଅମୃତାଙ୍କ ବହୁ ରଚନାକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି । ପ୍ରଥମ ଚଳଚ୍ଚିତ୍ର ଥିଲା ୧୯୬୫ ମସିହାର "କାଦମ୍ବରୀ" । ଏହା ତାଙ୍କ ପୁସ୍ତକ "ଧରତୀ ସାଗର ତେ ସିପ୍ପିୟାଁ" ଉପରେ ପର୍ଯ୍ୟବେସିତ ଥିଲା । ଏହା ପରେ "ଉନ୍ନା ଦି କାହାନୀ"କୁ ନେଇ ୧୯୭୬ ମସିହାରେ ବାସୁ ଭଟ୍ଟାଚାର୍ଯ୍ୟଙ୍କ ନିର୍ଦ୍ଦେଶନାରେ "ଡାକୁ" ଓ ୨୦୦୩ ମସିହାରେ "ପିଞ୍ଜର" ନିର୍ମାଣ କରାଯାଇଥିଲା ।

ଅମୃତା ନିଜ ବନ୍ଧୁ ଇମରୋଜଙ୍କ ସହ-ସମ୍ପାଦନାରେ "ନାଗମଣୀ" ନାମକ ପଞ୍ଜାବୀ ପତ୍ରିକା ୩୩ବର୍ଷ ଧରି ସମ୍ପାଦନା କରିଥିଲେ । ଭାରତ ବିଭାଜନ ପରେ ସେ ହିନ୍ଦୀରେ ଅଧିକରୁ ଅଧିକ ଲେଖିବା ଆରମ୍ଭ କରିଥିଲେ । ସେ "ଓଶୋ"ଙ୍କ ଅନୁଗାମୀ ଥିଲେ ଓ ଓଶୋଙ୍କର ବହୁ ପୁସ୍ତକର ମୁଖବନ୍ଧ ରଚନା କରିଥିଲେ । ସେହିପରି ଏକ ପୁସ୍ତକ ଥିଲା "ଏକ ଓମକାର ସତନାମ" ।[୯] ସେ "କାଳ ଚେତନା" ଓ "ଅଜ୍ଞାତ କା ନିମନ୍ତ୍ରଣ" ଆଦି ଆଧ୍ୟାତ୍ମିକ ପୁସ୍ତକ ମଧ୍ୟ ରଚନା କରିଥିଲେ ।[୧୦] "କାଳା ଗୁଲାବ"(୧୯୬୮) ଓ "ରସିଦ ଟିକେଟ"(୧୯୭୬) ଭଳି ଆତ୍ମଜୀବନୀମୂଳକ ପୁସ୍ତକ ମଧ୍ୟ ସେ ରଚନା କରିଥିଲେ ।[୫][୧୧]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ପଞ୍ଜାବ ରତ୍ନ ସମ୍ମାନ
  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୫୬( "ସୁନହଦେ" ପାଇଁ)
  • ଜ୍ଞାନପୀଠ ପୁରସ୍କାର - ୧୯୮୨(କାଗଜ ତେ କାନଭାସ).
  • ପଦ୍ମଶ୍ରୀ - ୧୯୬୯
  • ପଦ୍ମ ବିଭୂଷଣ
  • କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ - ୨୦୦୪
  • ଡିଲିଟ - ୧୯୭୩(ଦିଲ୍ଲୀ ବିଶ୍ୱବିଦ୍ୟାଳୟ)
  • ଡିଲିଟ - ୧୯୭୩(ଜବଲପୁର ବିଶ୍ୱବିଦ୍ୟାଳୟ)
  • ଡିଲିଟ - ୧୯୮୭(ବିଶ୍ୱଭାରତୀ)
  • ବ୍ୟାପ୍ତାସ୍ରୋଭ ସମ୍ମାନ - ୧୯୭୯(ବୁଲଗେରିଆ)
  • ଡିଗ୍ରୀ ଅଫ ଅଫିସର ଡେନ୍ସ - ୧୯୮୭(ଫ୍ରାନ୍ସ ସରକାର)
  • ରାଜ୍ୟସଭାକୁ ମନୋନୀତ - ୧୯୮୬-୧୯୯୨

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

୧୯୩୫ ମସିହାରେ ଅମୃତା ପ୍ରୀତମ ସିଂଙ୍କୁ ବିବାହ କରିଥିଲେ । ପ୍ରୀତମଙ୍କର ଲାହୋରର ଅନାରକଲୀ ବଜାରରରେ ଏକ ହୋସିଆରୀ ଦୋକାନ ଥିଲା । ପ୍ରୀତମ ଓ ଅମୃତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିଲେ । ୧୯୬୦ ମସିହାରେ ଅମୃତା, ପ୍ରୀତମ ସିଂଙ୍କ ଠାରୁ ଅଲଗା ହୋଇ ଯାଇଥିଲେ । ଅମୃତାଙ୍କର କବି ସାହିର୍ ଲୁଧିଆନଭିଙ୍କ ସହିତ ମଧ୍ୟ ସମ୍ପର୍କ ଥିଲା ବୋଲି କୁହାଯାଉଥିଲା । "ରସିଦ ଟିକେଟ" ପୁସ୍ତକରେ ଅମୃତା ଏହି ସମ୍ପର୍କ ବାବଦରେ ଲେଖିଥିଲେ । ଗାୟିକା ସୁଧା ମାଲହୋତ୍ରା ସାହିରଙ୍କ ଜୀବନରେ ଆସିବା ପରେ ଅମୃତା ତାଙ୍କଠାରୁ ଦୁରେଇ ଯାଇଥିଲେ । ପରେ "ଇମରୋଜ"ଙ୍କ ସହିତ ଅମୃତା ରହିବା ଆରମ୍ଭ କରିଥିଲେ ଓ ଜୀବନର ଶେଷ ୪୦ବର୍ଷ ଏହି ସମ୍ପର୍କ ବଳବତ୍ତର ରହିଥିଲା । "ଅମୃତା ଇମରୋଜ" ପୁସ୍ତକରେ ଏହି ସମ୍ପର୍କ ବାବଦରେ ଲେଖା ଯାଇଛି [୧୨]

୨୦୦୫ ଅକ୍ଟୋବର ୩୧ ତାରିଖରେ ଶୋଇଥିବା ଅବସ୍ଥାରେ ଅମୃତା ଦେହତ୍ୟାଗ କରିଥିଲେ । [୧୩] ଅମୃତାଙ୍କ ପରିବାରରେ ପୁଅ ନବରାଜ, ଝିଅ କନ୍ଦଳା, ବୋହୁ ଅଳକା ଓ ତୌରସ, ନୁର, ଅମନ ଓ ଶିଳ୍ପୀ ଆଦି ନାତିନାତୁଣୀ ରହିଛନ୍ତି । ନବରାଜଙ୍କର ୨୦୧୨ ମସିହାରେ ହତ୍ୟା କରାଯାଇଥିଲା ।

ଅମୃତାଙ୍କ ରଚନାକୁ ନେଇ ୨୦୦୭ ମସିହାରେ ଗୁଲଜାରଙ୍କଦ୍ୱାରା ଆବୃତ୍ତ ଏକ ଅଡିଓ ଆଲବମ ପ୍ରସ୍ତୁତ କରାଯାଇଥିଲା ।[୧୪] ତାଙ୍କ ଜୀବନ ଉପରେ ପର୍ଯ୍ୟବେସିତ ଏକ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରାଯାଇଛି ।[୧୫]୨୦୧୯ ମସିହା ଅଗଷ୍ଟ ୩୧ରେ ଗୁଗଲ ନିଜ ଭାରତୀୟ ପୃଷ୍ଠାରେ ଏକ ଡୁଡୁଲ ପ୍ରକାଶ କରିଥିଲା ଓ ସେଥିରେ ପ୍ରକାଶ କରିଥିଲା ଯେ : ଅମୃତା ନିଜ ପ୍ରଥମ କବିତା ସଂକଳନ ମାତ୍ର ୧୬ ବର୍ଷ ବୟସରେ ପ୍ରକାଶ କରିପାରିଥିଲେ ।[୧୬]

ରଚନାବଳୀ[ସମ୍ପାଦନା]

୬ ଦଶନ୍ଧୀର ସାହିତ୍ୟିକ ଜୀବନୀ ମଧ୍ୟରେ ଅମୃତାଙ୍କ ରଚନା ଗୁଡ଼ିକରେ ୨୮ଟି ଉପନ୍ୟାସ, ୫ଟି କ୍ଷୁଦ୍ର ଗଳ୍ପ ସଂକଳନ ଅନ୍ତର୍ଭୁକ୍ତ ।

ଉପନ୍ୟାସ[ସମ୍ପାଦନା]

  • ପିଞ୍ଜର
  • ଡକ୍ଟର ଦେବ
  • କୋରେ କାଗଜ, ଉନଚାଶ ଦିନ
  • ଧରତୀ, ସାଗର ଔର ସିପିୟାଁ
  • ରଙ୍ଗ କା ପଟ୍ଟା
  • ଦିଲ୍ଲୀ କି ଗଲିୟାଁ
  • ତେରୱା ସୂରଜ
  • ଯାତ୍ରୀ
  • ଜିଲାୱତନ (୧୯୬୮)
  • ହରଦତ୍ତ କା ଜୀନ୍ଦେଗୀନାମା

ଆତ୍ମଜୀବନୀ[ସମ୍ପାଦନା]

  • ବ୍ଲାକ ରୋଜ (୧୯୬୮)
  • ରସିଦ ଟିକେଟ (୧୯୭୬)
  • Shadows of Words (୨୦୦୪)

କ୍ଷୁଦ୍ର ଗଳ୍ପ[ସମ୍ପାଦନା]

  • କାହାଣୀୟାଁ ଯୋ କାହାଣୀୟାଁ ନେହିଁ
  • କାହାଣୀୟାଁ କେ ଆଙ୍ଗନ ମେଁ
  • Stench of Kerosene

କବିତା ସଂଗ୍ରହ[ସମ୍ପାଦନା]

  • ଅମ୍ରିତ ଲେହରେଁ (୧୯୩୬)
  • ଜିଉନ୍ଦା ଜୀବନ (୧୯୩୯)
  • ତ୍ରେଲ ଧୋତେ ଫୁଲ (୧୯୪୨)
  • ଓ ଗିତନ ୱାଲିଏ (୧୯୪୨)
  • ବଦଲାମ ଦେ ଲ୍ଲାଲୀ (୧୯୪୩)
  • ସାଂଝ ଦେ ଲ୍ଲାଲୀ (୧୯୪୩)
  • ଲୋକ ପୀଡା (୧୯୪୪)
  • ପଥର ଗୀତେ (୧୯୪୬)
  • ପଞ୍ଜାବ ଦି ଆୱାଜ (୧୯୫୨)
  • ସୁନେହାଦେ (୧୯୫୫) – ସାହିତ୍ୟ ଆକାଡ଼େମୀ ପୁରସ୍କାର
  • ଅଶୋକା ଛେତି (୧୯୫୭)
  • କସ୍ତୁରୀ (୧୯୫୭)
  • ନାଗମଣୀ (୧୯୬୪)
  • ଇକ ସି ଅନୀତା (୧୯୬୪)
  • ଚାକ ନାମ୍ବାର ଛାତ୍ତି (୧୯୬୪)
  • ଉନିଞ୍ଜା ଦିନ (୧୯୭୯)
  • କାଗଜ କେ କାନଭାସ (୧୯୮୧)- ଜ୍ଞାନପୀଠ ପୁରସ୍କାର
  • ଚୁନି ହୁଇ କବିତାୟେଁ
  • ଏକ ବାତ

ପତ୍ରିକା[ସମ୍ପାଦନା]

  • ନାଗମଣୀ, ମାସିକ କବିତା ପତ୍ରିକା

ଆଧାର[ସମ୍ପାଦନା]

  1. Amrita Pritam: A great wordsmith in Punjab’s literary history Archived 19 June 2006 at the Wayback Machine. Daily Times (Pakistan), 14 November 2005.
  2. Pinjar ଇଣ୍ଟରନେଟ ମୁଭି ଡାଟାବେସରେ
  3. Amrita Pritam – Obituary The Guardian, 4 November 2005.
  4. "The Sikh Times - Biographies - Amrita Pritam: Queen of Punjabi Literature". Sikhtimes.com.
  5. ୫.୦ ୫.୧ Amrita Pritam Women Writing in India: 600 B.C. to the Present, by Susie J. Tharu, Ke Lalita, published by Feminist Press, 1991. ISBN 1-55861-029-4. Page 160-163.
  6. New Panjabi Poetry ( 1935–47) Handbook of Twentieth-century Literatures of India, by Nalini Natarajan, Emmanuel Sampath Nelson, Greenwood Publishing Group, 1996. ISBN 0-313-28778-3.Page 253-254.
  7. Amrita Pritam – Obituary The Independent, 2 November 2005.
  8. Editorial Archived 13 November 2006 at the Wayback Machine. Daily Times (Pakistan), 2 November 2005.
  9. A tribute to Amrita Pritam by Osho lovers Archived 16 July 2011 at the Wayback Machine. Sw. Chaitanya Keerti, sannyasworld.com.
  10. Visions of Divinity – Amrita Pritam Archived 27 September 2008 at the Wayback Machine. Life Positive, April 1996.
  11. Amrita Pritam Biography Archived 5 December 2008 at the Wayback Machine. Chowk, 15 May 2005.
  12. Amrita Preetam Imroz : A love Story of a Poet and a Painter Archived 8 January 2010 at the Wayback Machine. Passionforcinema.com, 8 August 2008.
  13. "Indian writer Amrita Pritam dies". BBC News. 31 October 2005. Retrieved 1 August 2012.
  14. 'Amrita recited by Gulzar' Archived 5 July 2008 at the Wayback Machine., Gulzaronline.com.
  15. Movie on Amrita Pritam to be shot in Himachal Archived 9 July 2008 at the Wayback Machine. Realbollywood.com.
  16. "Google celebrates 100th birth anniversary of Punjabi poet, author Amrita Pritam with a doodle". The Times of India. 31 August 2019. Retrieved 31 August 2019.