ଅନ୍ନପୂର୍ଣ୍ଣା ମହାରଣା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଅନ୍ନପୂର୍ଣ୍ଣା ମହାରଣା
ଜନ୍ମ ଓ ଜନ୍ମସ୍ଥାନ ଅନ୍ନପୂର୍ଣ୍ଣା ଚୌଧୁରୀ
ନଭେମ୍ବର ୩, ୧୯୧୭(1917-11-03)
କଟକ, ଭାରତ
ମୃତ୍ୟୁ ୩୧ ଡିସେମ୍ବର, ୨୦୧୨ (୯୫ ବର୍ଷ)
ଜାତୀୟତା ଭାରତୀୟ
ପ୍ରସିଦ୍ଧି ସ୍ଵାଧୀନତା ସଂଗ୍ରାମ, ଲବଣ ସତ୍ୟାଗ୍ରହ
ହିନ୍ଦୁ
ଜୀବନସାଥି ଶରତ ଚନ୍ଦ୍ର ମହାରଣା
ବାପା ମା ଗୋପବନ୍ଧୁ ଚୌଧୁରୀ
ରମାଦେବୀ ଚୌଧୁରୀ
ପୁରସ୍କାର ଶାରଳା ପୁରସ୍କାର, ଉତ୍କଳ ରତ୍ନ

ଅନ୍ନପୂର୍ଣ୍ଣା ମହାରଣା (୧୯୧୭-୨୦୧୨) ଜଣେ ଓଡ଼ିଆ ସ୍ଵାଧୀନତା ସଂଗ୍ରାମୀ ଥିଲେ । ସେ ୧୯୧୭ ମସିହା ନଭେମ୍ବର ୩ ତାରିଖରେ କଟକର ବାଖରାବାଦଠାରେ ଜନ୍ମଗ୍ରହଣ କରିଥିଲେ । ସ୍ଵାଧୀନତା ସଂଗ୍ରାମୀ ବାପା ଗୋପବନ୍ଧୁ ଚୌଧୁରୀ ଓ ମା' ରମାଦେବୀ ଚୌଧୁରୀଙ୍କ ସଂଗ୍ରାମମୟ ଜୀବନର ଛିଟାପଡିଥିଲା ତାଙ୍କ ଉପରେ ।[୧] ତାଙ୍କର ଶ୍ରଦ୍ଧାନାମ ଥିଲା "ଚୁନୁ" । ତେଣୁ ପରବର୍ତ୍ତୀ ସମୟରେ ସେ "ଚୁନୁଅପା" ନାମରେ ବେଶୀ ପରିଚିତ ହେଲେ । ଗୋପବନ୍ଧୁଙ୍କ ସପରିବାର ଗାନ୍ଧୀ-ନୀତି ଗ୍ରହଣ କରିଥିବାରୁ, ଅନ୍ନପୂର୍ଣ୍ଣାଙ୍କ ଉପରେ ପିଲାଦିନରୁ ଏହାର ପ୍ରଭାବ ପଡ଼ିଥିଲା ଓ ଏହି ଆଦର୍ଶରେ ସେ ଆଜୀବନ ବଞ୍ଚିଥିଲେ । ଗୋପବନ୍ଧୁ ନିଜର ସନ୍ତାନଙ୍କୁ ସରକାରୀ ସ୍କୁଲରେ ପଢାଇବାକୁ ଇଚ୍ଛୁକ ନଥିବାରୁ, ଅନ୍ନପୂର୍ଣ୍ଣାଙ୍କ ଶିକ୍ଷା ଘର ମଧ୍ୟରେ ହୋଇଥିଲା ।


ସ୍ଵାଧୀନତା ସଂଗ୍ରାମରେ ଭୂମିକା[ସମ୍ପାଦନା]

ମାତ୍ର ୧୩ ବର୍ଷ ବୟସରେ ଅନ୍ନପୂର୍ଣ୍ଣା ସ୍ଵାଧିନତା ସଂଗ୍ରାମରେ ଯୋଗଦାନ ଦେଇଥିଲେ ।ହେଲେ ୧୯୩୨ ମସିହାରେ ମାତ୍ର ୧୫ ବର୍ଷ ବୟସରେ ସେ କାରାବରଣ କରିଥିଲେ । ୧୯୩୪ ମସିହାରେ ଅନ୍ନପୂର୍ଣ୍ଣା ମହାତ୍ମା ଗାନ୍ଧୀଙ୍କ ସହ ପୁରୀରୁ-ଭଦ୍ରକ ହରିଜନ ପଦଯାତ୍ରାରେ ଯୋଗ ଦେଇଥିଲେ । ବରୀରେ ହରିଜନ ସେବା, ନିଶା ନିବାରଣ, ମୌଳିକ ଶିକ୍ଷା, ଖଦି, ଗ୍ରାମ ସଫେଇ ଭଳି ରଚନାତ୍ମକ କାର୍ଯ୍ୟରେ ସେ ନିଜକୁ ନିୟୋଜିତ କରିଥିଲେ ।ତାଙ୍କର ଭାଇଙ୍କ ନାମ ଥିଲା ମନମୋହନ ଚୌଧୁରୀ । ହରିଜନ ସେବାକୁ ଜୀବନର ବ୍ରତ ମାନିନେଇଥିବା ଅନ୍ନପୂର୍ଣ୍ଣା, ୧୯୪୨ ମସିହାରେ ପିତା ଗୋପବନ୍ଧୁଙ୍କ ଇଚ୍ଛା ଅନୁଯାୟୀ ଅସବର୍ଣ୍ଣ ବିବାହ କରିଥିଲେ । ତାଙ୍କ ପତିଙ୍କ ନାମ ଥିଲା ଶରତ ଚନ୍ଦ୍ର ମହାରଣା ଓ ସେ ଜାତିରେ ବୈଶ୍ୟ ଥିଲେ । ଅନ୍ନପୂର୍ଣ୍ଣା ଦୁଇଟି ପୁତ୍ର ସନ୍ତାନର ଜନନୀ ହୋଇଥିଲେ ।ହେଲେ ଅନ୍ନପୂର୍ଣ୍ଣାଙ୍କର ବାର୍ଦ୍ଧକ୍ୟ ଅବସ୍ଥାଟି ତାଙ୍କର ଦୁଇ ପୁତ୍ରଙ୍କ ପାଇଁ ଖୁବ୍‌ ଯନ୍ତ୍ରଣାର ସହ କଟିଥିଲା । ଅନ୍ନପୂର୍ଣ୍ଣା ୧୯୪୨ରେ ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହେବା ସହିତ ମା' ରମାଦେବୀ ଓ ଖୁଡ଼ୀ ମାଳତୀ ଦେବୀଙ୍କ ସହିତ କୁଜଙ୍ଗରେ ଲବଣ ସତ୍ୟାଗ୍ରହର ନେତୃତ୍ଵ ନେଇଥିଲେ । ଏହି ସମୟରେ କଟକ ଓ ଯାଜପୁର ଜେଲରେ ତାଙ୍କର ଦୁଇବର୍ଷ ତିନିମାସ କଟିଥିଲା । ୧୯୫୮ରେ ସେ ସନ୍ଥ ବିନୋବାଙ୍କ ଭୂଦାନ ଆନ୍ଦୋଳନରେ ଯୋଗଦାନ କରିଥିଲେ ଅନ୍ନପୂର୍ଣ୍ଣା । ଜୟପ୍ରକାଶ ନାରାୟଣଙ୍କ ଆହ୍ଵାନରେ ତେଜିଥିବା, ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଅନ୍ନପୂର୍ଣ୍ଣା ମହାରଣା ମାତା ରମାଦେବୀଙ୍କ ସହଯୋଗରେ ଏକ ଗ୍ରାମସେବକ ପ୍ରେସ୍‌ ନିର୍ମାଣ କରିଥିେଲ ;ଯାହାକୁକି ପର ମୂହୁର୍ତ୍ତରେ ଇଂରେଜ ସରକାର ବନ୍ଦ କରିଦେଇଥିଲେ । ତେବେ ଜୟପ୍ରକାଶଙ୍କ ନେତୃତ୍ଵରେ ଚମ୍ବଲର ଡକାୟତମାନଙ୍କ ଆତ୍ମସମର୍ପଣ କାର୍ଯ୍ୟକ୍ରମର ଅନ୍ନପୂର୍ଣ୍ଣା ଅଂଶଗ୍ରହଣ କରି,ଜାତୀୟ ସ୍ଥରରେ ଖୁବ ଚର୍ଚ୍ଚିତ ହୋଇଥିଲେ । ଏଥିସହିତ ଅନ୍ନପୂର୍ଣ୍ଣା ରଚିତ "ଦସ୍ୟୁ ହୃଦୟର ଦେବତା", ଏହି ବିଷୟ ଉପରେ ପର୍ଯ୍ୟବେଷିତ ଅେଟ । ଏଥିସହିତ ସେ ଗାନ୍ଧିଜୀଙ୍କ ଡାକରାରେ ପୁରୀ ଜିିଲ୍ଲାର ବୀରନରସିଂହପୁର ଓ କଟକରେ ଖଦିକାମ ଓ ଅସ୍ପୃଶ୍ୟତା ନିବାରଣ କାର୍ଯ୍ୟ କରିଥିଲେ । ବରୀ ଓ କଳାମାଟିଆ ଇଂରେଜବିରୋଧୀ ସଭାରେ ପୋଲିସ୍‌ର ଆଖିବୁଜା ଗୁଳିରେ ଶିକାର ହୋଇଥିବା ଆହତମାନଙ୍କର ସେବା କରିଥିଲେ ଅନ୍ନପୂର୍ଣ୍ଣା । ୧୯୬୬ ମସିହାରେ କଳାହାଣ୍ଡି ଦୁର୍ଭିକ୍ଷ, ୧୯୬୯ ମସିହାରେ ପ୍ରଳୟଙ୍କରୀ ବନ୍ୟା, ୧୯୯୯ ମସିହାରେ ମହାବାତ୍ୟାରେ ସର୍ବୋଦୟ ରିଲିଫ୍ କମିଟି ମାଧ୍ୟମରେ ନିଜକୁ ସଂପୂର୍ଣ୍ଣ ନିୟୋଜିତ କରିଥିଲେ । ୧୯୬୪ ମସିହାରେ ରାଉରକେଲାଠାରେ ହୋଇଥିବା ସାଂପ୍ରଦାୟିକ ଦଙ୍ଗା ପ୍ରଶମନରେ ଅନ୍ନପୂର୍ଣ୍ଣା ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେହିପରି ୧୯୬୪ ମସିହାର ଛାତ୍ର ଆନ୍ଦୋଳନ ଓ ଡାକ୍ତରୀ ଛାତ୍ର ଆନ୍ଦୋଳନର ସମାଧାନ କ୍ଷେତ୍ରରେ ସେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନେଇଥିଲେ । ୧୯୭୧ ମସିହାରେ ବାଂଲାଦେଶ ମୁକ୍ତି ଆନ୍ଦୋଳନ ସମୟରେ ଅନ୍ନପୂର୍ଣ୍ଣା ବାଂଲାଦେଶ ସୀମାରେ କାର୍ଯ୍ୟ କରିଥିଲେ । ଚମ୍ବଲ ଦସ୍ୟୁମାନଙ୍କ ସହିତ ରହି ୧୯୭୨ ମସିହାରେ ସେମାନଙ୍କୁ ଆତ୍ମସମପର୍ଣ ପାଇଁ ପ୍ରବର୍ତ୍ତାଇ ଥିଲେ । ସେ ରାୟଗଡା ନିକଟସ୍ଥ ଗୋ ପାଳବାଡିଠାରେ ଆଦିବାସୀ ଛାତ୍ରୀନିବାସ ଆରମ୍ଭ କରି ତାହାର ପରିଚାଳନା ଦାୟିତ୍ଵ ମଧ୍ୟ ନେଇଥିଲେ । ଏହି ବିଦ୍ୟାଳୟ ଏବେ ବିରାଟ ଅନୁଷ୍ଠାନ ଭାବେ ଉଭା ହୋଇଛି । ସର୍ବୋଦୟ, ଭୂଦାନ ଓ ସମାଜ ସେବାରେ ନିଜକୁ ସମର୍ପିତ କରି ୧୯୫୦ ମସିହାରେ ଅନୁଗୁଳ, ୧୯୫୫ ମସିହାରେ ପୁରୀ ଓ ୨୦୦୩ ମସିହାରେ କଟକରେ ଅନୁଷ୍ଠିତ ଅଖିଳ ଭାରତୀୟ ସର୍ବୋଦୟ ସମ୍ମିଳନୀର ମୁଖ୍ୟ ଭୂମିକାରେ ରହିଥିଲେ ଅନ୍ନପୂର୍ଣ୍ଣା । [୨]

୩୧ ଡିସେମ୍ବର୨୦୧୨ ଦିନ ଅନ୍ନପୂର୍ଣ୍ଣା ୯୫ ବର୍ଷ ବୟସରେ ତାଙ୍କର କଟକସ୍ଥିତ ଖବରବାଦ ବାସଭବନରେ ଇହଲିଳା ସମ୍ବରଣ କରିଥିଲେ ।ତେବେ ତାହାଙ୍କ ମୃତ୍ୟୁ ପରେ ୨୦୧୨ ଅଗଷ୍ଟ ୧୯ ତାରିଖ ଦିନ ତାଙ୍କୁ କଟକର ଖାନ୍‌ନଗର ସ୍ଥିତ ଶ୍ମଶାନରେ ସମ୍ମାନଜନକ ଉପାଧିରେ ସମ୍ମାନିତ କରାଯାଇଥିଲା ।ତେବେ ଅନ୍ନପୂର୍ଣ୍ଣାଙ୍କ ମୃତ୍ୟୁ ଓଡ଼ିଶା ପାଇଁ ଏକ "ଅପୂରଣୀୟ କ୍ଷତି "ବୋଲି ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପୂର୍ବତନ ରାଜ୍ୟପାଳ ଚନ୍ଦ୍ରକାନ୍ତ ଭଣ୍ଡରେ କହିଥିଲେ । [୩]

ରଚନାବଳୀ[ସମ୍ପାଦନା]

କୌଣସି ନିର୍ଦ୍ଦିଷ୍ଟ ଶିକ୍ଷାଗତ ଯୋଗ୍ୟତା ନଥିଲେ ବି ନିଜ ଅନୁଭବରୁ 'ଦସ୍ୟୁ ହୃଦୟରେ ଦେବତା', ଆତ୍ମ ଜିବନୀ 'ଅମୃତ ଅନୁଭବ', ଗୀତାପ୍ରବଚନ, ଭାଗବତ ଧର୍ମସାର, ସ୍ଥିତପ୍ରଜ୍ଞ ଦର୍ଶନ, ନାରୀଶକ୍ତି, ସପ୍ତ ଶକ୍ତି, ଶିକ୍ଷାତତ୍ତ୍ଵ, ଆଚାର୍ଯ୍ୟକୁଳ, ରାଷ୍ଟ୍ରୀୟ ଯୋଜନାର ମୂଳକଥା, ଶାନ୍ତି ସେନା, କାରାଗାର କାହାଣୀ, ଦକ୍ଷିଣ ଆଫ୍ରିକା ସତ୍ୟାଗ୍ରହ, ହିନ୍ଦ ସ୍ଵରାଜ, ଅନାସକ୍ତି ଯୋଗ ଭଳି ବହୁ ପୁସ୍ତକ ରଚନା କରିଛନ୍ତି ଅନ୍ନପୂର୍ଣ୍ଣ ମହାରଣା ।

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଉତ୍କଳ ବିଶ୍ଵବିଦ୍ୟାଳୟ ଓ କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ଅନ୍ନପୂର୍ଣ୍ଣାଙ୍କୁ ପ୍ରଦାନ କରାଯାଇଥିଲା । ସେହିପରି ନିଜର ଆତ୍ମ ଜୀବନୀ "ଅମୃତ ଅନୁଭବ' ପାଇଁ ଅନ୍ନପୂର୍ଣ୍ଣାଙ୍କୁ ଶାରଳା ପୁରସ୍କାର ଦିଆଯାଇଥିଲା । ଏଥିସହିତ ତାଙ୍କୁ ପ୍ରାଣନାଥ ସମ୍ମାନ, ହେମଲତା ସମ୍ମାନ, ଅନ୍ତର୍ଜାତୀୟ ରୋଟାରୀ ସମ୍ମାନ, ଦିୱାଲି ବେନ ଚାରିଟେବୁଲ ଟ୍ରଷ୍ଟଦ୍ଵାରା ଆଜୀବନ ସେବିକା ସମ୍ମାନ, ରାଧାନାଥ ରଥ ଫାଉଣ୍ଡେସନ୍ ସମ୍ମାନ ଭଳି ଅନେକ ସମ୍ମାନ ମିଳିଥିଲା । ସ୍ଵାଧୀନତା ସଂଗ୍ରାମୀ ଭାବେ ସେ ରାଷ୍ଟ୍ରପତିଙ୍କଦ୍ଵାରା ମଧ୍ୟ ସମ୍ବର୍ଦ୍ଧିତ ହୋଇଥିଲେ ।

ଆଧାର[ସମ୍ପାଦନା]

  1. "Noted freedom fighter Annapurna Maharana passes away | Deccan Chronicle". deccanchronicle.com. 2013. Retrieved 1 January 2013. Maharana was born to Odisha's noted freedom fighter Rama Devi and Gopabandhu Choudhury. 
  2. ଆଚାର୍ଯ୍ୟ, ହିମାଂଶୁ. "ଆଜି ବି ଝୁରୁଛି ଏ ମାଟି ଅନ୍ନପୂର୍ଣ୍ଣାଙ୍କୁ". ଓଡ଼ିଶା ଏକ୍ସପ୍ରେସ: p. ୪. http://odishaexpress.in/archives/31_12.pdf. Retrieved 31 December 2014. 
  3. ସମ୍ବାଦ ୦୩/୧୧/୨୦୧୪ ପୃଷ୍ଠା ୨
  4. "IMFA". imfa.in. Retrieved 1 January 2013. 2006 - Smt Annapurna Maharana 
  5. "Central University of Orissa, Koraput conferred honorary degree on noted freedom fighter Annapurna Maharana". indiatimes.com. 2013. Retrieved 1 January 2013. Central University of Orissa, Koraput conferred honorary degree on noted freedom fighter Annapurna Maharana