ବିବୁଧେନ୍ଦ୍ର ମିଶ୍ର

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ବିବୁଧେନ୍ଦ୍ର ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ ୩୦ ନଭେମ୍ବର ୧୯୨୦(1920-11-30)
ସାକ୍ଷୀଗୋପାଳ, ପୁରୀ ଜିଲ୍ଲା
ମୃତ୍ୟୁ ୧୫ ଫେବୃଆରୀ, ୨୦୧୨ (୯୧ ବର୍ଷ)
କଟକ
ଜାତୀୟତା ଭାରତୀୟ
ଆଞ୍ଚଳିକତା ଓଡ଼ିଆ
ଶିକ୍ଷା ସ୍ନାତକ (ଆଇନ)
ଶିକ୍ଷାନୁଷ୍ଠାନ ରେଭେନ୍ସା ମହାବିଦ୍ୟାଳୟ
ଜୀବିକା ଆଇନଜୀବୀ, ଲେଖକ ତଥା ସାମ୍ବାଦିକ
ଜୀବନସାଥି ଉମା ରାୟ
ବାପା ମା ଗୋପିନାଥ ମିଶ୍ର ଓ ମୁକ୍ତାବାଳା ଦେବୀ
ପୁରସ୍କାର ଉତ୍କଳ ରତ୍ନ
ୱେବସାଇଟ http://bibudhendramisra.com/aboutus.html

ବିବୁଧେନ୍ଦ୍ର ମିଶ୍ର (କୁନି ଭାଇନା ଭାବେ ପରିଚିତ, ୩୦ ନଭେମ୍ବର ୧୯୨୦ - ୧୫ ଫେବୃଆରୀ, ୨୦୧୨) ଜଣେ ସ୍ଵାଧୀନତା ସଂଗ୍ରାମୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ବିଶିଷ୍ଟ ଆଇନଜୀବୀ, କ୍ରିଡ଼ା ସଂଗଠକ, ଲେଖକ ତଥା ସାମ୍ବାଦିକ । ବିବୁଧେନ୍ଦ୍ର ୧୯୨୦ ମସିହା ନଭେମ୍ବର ୩୦ ତାରିଖରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳର କୁଣ୍ଢେଇବେଣ୍ଟ ସାହିରେ ଗୋପିନାଥ ମିଶ୍ର ଓ ମୁକ୍ତାବାଳା ଦେବୀଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ପୁରୀ ଜିଲ୍ଲା ସ୍କୁଲରୁ ୧୯୩୬ ମସିହାରେ ମାଟ୍ରିକ ପଢ଼ିସାରିବା ପରେ ରେଭେନ୍ସା କଲେଜରୁ ୧୯୪୧ମସିହାରେ ସ୍ନାତକ ଓ ପାଟନା ଲ କଲେଜରୁ ୧୯୪୯ମସିହାରେ ଆଇନରେ ସ୍ନାତକ ଉପାଧି ହାସଲ କରିଥିଲେ ।

ତତ୍କାଳୀନ ପାର୍ଲାମେଣ୍ଟାରୀ ସେକ୍ରେଟାରୀ ପ୍ୟାରୀଶଙ୍କର ରାୟଙ୍କ ଭଉଣୀ ଉମା ରାୟ (କର୍ମବୀର ଗୌରୀଶଙ୍କର ରାୟଙ୍କ ଅଣନାତୁଣୀ)ଙ୍କୁ ପ୍ରେମ କରି ବିବାହ କରିଥିଲେ । ପତ୍ନୀ ଉମା ରାୟଙ୍କର ୨୦୦୦ମସିହାରେ ପରଲୋକ ଘଟିଥିଲା ।

ସଂଗ୍ରାମୀ ଜୀବନ[ସମ୍ପାଦନା]

୧୯୩୭ ମସିହାରେ ସେ ଅଲ ଇଣ୍ଡିଆ ଷ୍ଟୁଡେଣ୍ଟ ଫେଡେରେସନର ଓଡ଼ିଶା ଶାଖାର ପ୍ରତିଷ୍ଠାତା ସଦସ୍ୟ ଥିଲେ । ୧୯୪୦ ମସିହାରେ ଜାନୁଆରୀ ୨୬ ତାରିଖ ଦିନ ରେଭେନ୍ସା ମହାବିଦ୍ୟାଳୟ ପରିସରରେ ବ୍ରିଟିଶ ପତାକା ୟୁନିଅନ ଜ୍ୟାକକୁ ବାହାର କରି କଂଗ୍ରେସର ତ୍ରିରଙ୍ଗା ପତାକା ଉଡ଼ାଇବା ଯୋଗୁଁ ମହାବିଦ୍ୟାଳୟରୁ ନିଲମ୍ବିତ ଓ ପୁଲିସଦ୍ଵାରା ଗିରଫ ହୋଇ କାରାବରଣ କରି ଥିଲେ । [୧] ୧୯୪୨ ଭାରତ ଛାଡ଼ ଆନ୍ଦୋଳନରେ ଯୋଗଦେଇ ବ୍ରହ୍ମପୁର ଜେଲରେ ବନ୍ଦୀଜୀବନ ଅତିବାହିତ କରିଥିଲେ । [୨] ସ୍ଵାଧୀନତା ପରବର୍ତ୍ତୀ ସମୟରେ ସେ ସୀମା ଆନ୍ଦୋଳନ, ଏଆଇଏସଏଫ, ଏବଂ ବିଭିନ୍ନ ଶ୍ରମିକ ସଂଗଠନ କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।

ସେ କଂଗ୍ରେସରେ ଥିଲେ ମଧ୍ୟ ଗାନ୍ଧୀଜୀଙ୍କ ଅପେକ୍ଷା ସୁଭାଷ ବୋଷ ତାଙ୍କୁ ବେଶି ଆକର୍ଷିତ କରିଥିଲେ । ବୋଷଙ୍କ ପରି ସେ ମଧ୍ୟ ବିଶ୍ଵାସ କରୁଥିଲେ ଯେ କେବଳ ଅହିଂସା ଉପାୟରେ ସ୍ଵାଧୀନତା ମିଳିବନି । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆହ୍ଵାନରେ ସେ ଫରୱାର୍ଡ଼ ବ୍ଳକରେ ଯୋଗଦେଇ ଓଡ଼ିଶା ଶାଖାର ସଭାପତି ହୋଇଥିଲେ । ପରବର୍ତ୍ତୀ ସମୟରେ ଆଜାଦ ହୀନ୍ଦ ଫୌଜର ପୁନର୍ବସନ ଓ ଥଇଥାନ କମିଟି, ଓଡ଼ିଶା ଶାଖାର ସାଧାରଣ ସମ୍ପାଦକ ଥିଲେ ।

ରାଜନୀତି[ସମ୍ପାଦନା]

୧୯୫୮ରୁ ୧୦୬୨ ପର୍ଯ୍ୟନ୍ତ କଂଗ୍ରେସ ଦଳ ପ୍ରାର୍ଥୀ ଭାବେ ରାଜ୍ୟସଭାକୁ [୩] ଓ ୧୯୬୨ରୁ ୧୯୬୬ ପର୍ଯ୍ୟନ୍ତ ପୁରୀରୁ ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ୧୯୬୮ରୁ ୧୯୬୯ ଇଣ୍ଡିଆନ ଟେଲିଫୋନ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ଦାୟିତ୍ଵ ନିର୍ବାହ କରିଥିଲେ । ଜବାହରଲାଲ ନେହେରୁଙ୍କ ମନ୍ତ୍ରୀମଣ୍ଡଳରେ ଆଇନ ବିଭାଗର ଉପମନ୍ତ୍ରୀ, ଗୁଲଜାରିଲାଲ ନନ୍ଦାଙ୍କ ଲାଲ ବାହାଦୁର ଶାସ୍ତ୍ରୀଙ୍କ ମନ୍ତ୍ରୀମଣ୍ଡଳରେ ଶିଳ୍ପ ବିଭାଗର ଉପମନ୍ତ୍ରୀ ଓ ଇନ୍ଦିରା ଗାନ୍ଧୀଙ୍କ ମନ୍ତ୍ରୀମଣ୍ଡଳରେ ଶିଳ୍ପ ବିଭାଗର ରାଷ୍ଟ୍ର ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ । ସେ ୧୯୬୭ ଓ ୧୯୭୧ ସାଧାରଣ ନିର୍ବାଚନରେ ପରାଜିତ ହୋଇଥିଲେ । ୧୯୭୧ ମସିହାରେ ସେ ବିଜୁ ପଟ୍ଟନାୟକଙ୍କ ସହ ଉତ୍କଳ କଂଗ୍ରେସରେ ସାମିଲ ହୋଇଥିଲେ ।

ଲେଖକ, ସାମ୍ବାଦିକ, ଶିକ୍ଷାବିତ[ସମ୍ପାଦନା]

ସେ ନିଜ ଆତ୍ମଜୀବନୀ ‘ଜୀବନ ଯାତ୍ରା ପଥରେ’, ମଣିଷ ପରି ମଣିଷ’, ‘ଜେଲ-୧୯୪୨’, ସ୍ଵାଧୀନତା ସଂଗ୍ରାମର କେତେକ ତୁଙ୍ଗ ନେତାଙ୍କ ଜୀବନୀ (ଆମ ନେତା ସିରିଜ), ‘ଖିଆଲି’, ‘ଅସମାପ୍ତ’, ‘ମାଟ୍ରିକୁଲେସନର ଇତିହାସ’, ‘ଭାରତର ଇତିହାସ’ ଆଦି ଅନେକ ପୁସ୍ତକ ରଚନା କରିଯାଇଛନ୍ତି । ସେ ସୁଭାଷ ବୋଷଙ୍କ ଭାଇ ଶରତ ଚନ୍ଦ୍ର ବୋଷଙ୍କ ଇଂରାଜୀ ପତ୍ରିକା ନେସନର ଓଡ଼ିଶା ଆଞ୍ଚଳିକ ସାମ୍ବାଦିକ ଭାବେ ଓ ହିନ୍ଦୁସ୍ତାନ ଷ୍ଟାଣ୍ଡାର୍ଡ଼ର ଓଡ଼ିଶା ପ୍ରତିନିଧି ଭାବେ କାର୍ଯ୍ୟ କରିଥିଲେ । ବିବୁଧେନ୍ଦ୍ର ବିଭିନ୍ନ ସମୟରେ ସମାଜର ସହ-ସମ୍ପାଦନା ସହ ଦିନଲିପି ଓ ମାତୃଭୂମିର ସମ୍ପାଦନା ଦାୟିତ୍ଵ ମଧ୍ୟ ତୁଲାଇଥିଲେ । ୧୯୫୪ରୁ ୧୯୬୩ ଯାଏଁ ଉତ୍କଳ ବିଶ୍ଵବିଦ୍ୟାଳୟର ସିନେଟ, ସିଣ୍ଡିକେଟ ଓ ଏକାଡେମିକ କାଉନ୍ସିଲର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ । ୧୯୫୮ରେ ଟ୍ରେଡ଼ ୟୁନିଅନ କଂଗ୍ରେସ ଓଡ଼ିଶା ଶାଖାର ଉପସଭାପତି ଭାବେ ଦାୟିତ୍ଵ ନିର୍ବାହ କରିଥିଲେ । ୧୯୮୭ରେ ଭିଏନାଠାରେ ଅନୁଷ୍ଠିତ ବିଶ୍ଵ ଶାନ୍ତି ସମାବେଶରେ ଭାରତ ପକ୍ଷରୁ ୯ଜଣିଆ ପ୍ରତିନିଧି ମଣ୍ଡଳର ସଦସ୍ୟ ଭାବେ ଯୋଗ ଦେଇଥିଲେ ।

ଆଇନଜୀବୀ[ସମ୍ପାଦନା]

୧୯୪୯ରେ ତତ୍କାଳୀନ ବିଶିଷ୍ଟ ଆଇନଜ୍ଞ ହରିହର ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଜୁନିଅର କାଉନ୍ସେଲର ଭାବେ ଓକିଲାତି ଆରମ୍ଭ କରିଥିଲେ । ନିର୍ବାଚନ ଓ ସମ୍ବିଧାନ ସଂକ୍ରାନ୍ତ ମକଦ୍ଦମା ପରିଚାଳନାରେ ସେ ଦକ୍ଷ ଥିଲେ । ଦଳମତ ନିର୍ବିଶେଷରେ ସେ ବିଭିନ୍ନ ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡ.ହରେକୃଷ୍ଣ ମହତାବଙ୍କ ବିରୋଧରେ ବସିଥିବା ସରଜୁ ପ୍ରସାଦ କମିସନ ମାମଲା, ବୀରେନ ମିତ୍ରଙ୍କ ନିର୍ବାଚନ ମାମଲା, ଜାନକୀ ବଲ୍ଲଭ ପଟ୍ଟନାୟକ ଓ ବିଜୁ ପଟ୍ଟନାୟକଙ୍କ ନିର୍ବାଚନ ମାମଲା ପରିଚାଳନା କରିଥିଲେ । ସେ ବୁର୍ଲା ଗୁଳିକାଣ୍ଡ ଓ ଛାତ୍ର ଆନ୍ଦୋଳନ ମାମଲା ତଥା ସରକାରଙ୍କ ପକ୍ଷରୁ କଟକ ମଦମୃତ୍ୟୁ ମାମଲା ଭଳି ଅନେକ ବହୁଚର୍ଚ୍ଚିତ ମାମଲାର ପରିଚାଳନା କରିଥିଲେ । ହାଇକୋର୍ଟ ବାର ଆସୋସିଏସନର ତିନିଥର ଅଧ୍ୟକ୍ଷ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ ।

କ୍ରିଡ଼ା ସଙ୍ଗଠକ[ସମ୍ପାଦନା]

  • ଓଡ଼ିଶା ଆଥଲେଟିକ ଆସୋସିଏସନର ସଭାପତି
  • ସନସାଇନ ଫୁଟବଲ କ୍ଳବର ସଭାପତି
  • ଓଡ଼ିଶା କ୍ରିକେଟ ଆସୋସିଏସନର ପ୍ରତିଷ୍ଠାତା ସଦସ୍ୟ
  • କଟକ ଫୁଟବଲ କ୍ଳବର ପ୍ରତିଷ୍ଠାତା ସଦସ୍ୟ
  • ଉତ୍କଳ ସଙ୍ଗୀତ ସମାଜର ସଭାପତି

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ମୃତ୍ୟୁ[ସମ୍ପାଦନା]

ବିବୁଧେନ୍ଦ୍ର ମିଶ୍ର ୨୦୧୨ ମସିହା ଫେବୃଆରୀ ୧୫ତାରିଖ ଦିନ କଟକର ଏକ ଘରୋଇ ନର୍ସିଂହୋମରେ ଦେହତ୍ୟାଗ କରିଥିଲେ । ଖାନନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।[୪]

ଆଧାର[ସମ୍ପାଦନା]