ତୁଳସୀ ମୁଣ୍ଡା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଏହି ଲେଖାଟି 'ତୁଳସୀ ମୁଣ୍ଡା'ଙ୍କ ବାବଦରେ । ବାକିସବୁ ପାଇଁ, ତୁଳସୀ ପ୍ରସଙ୍ଗଟି ଦେଖନ୍ତୁ ।
ତୁଳସୀ ମୁଣ୍ଡା
Tulasi Munda-4.tiff
ଜନ୍ମ ଓ ଜନ୍ମସ୍ଥାନ ୧୫ ଜୁଲାଇ ୧୯୪୭ (1947-07-15) (୭୦ ବର୍ଷ)
କଇଁଶି, କେନ୍ଦୁଝର ଜିଲ୍ଲା
ଜୀବିକା ସମାଜ ସେବୀ

ତୁଳସୀ ମୁଣ୍ଡା ଓଡ଼ିଶାରେ ଜନ୍ମିତା ଜଣେ ସମାଜସେବୀ । ସେ ବିନୋବା ଭାବେଙ୍କଦ୍ୱାରା ଆରମ୍ଭ ହୋଇଥିବା ଭୂଦାନ ଆନ୍ଦୋଳନରେ ୧୪ ବର୍ଷ ବୟସରେ ସାମିଲ ହୋଇଥିଲେ । ଆଦିବାସୀ ପିଲାଙ୍କ ଶିକ୍ଷା ଓ ଅଧିକାର ପାଇଁଁ ସେ ଆଦିବାସୀ ପିଲାଙ୍କ ପାଇଁ ୨୦ରୁ ଉର୍ଦ୍ଧ୍ୱ ଆବାସିକ ବିଦ୍ୟାଳୟର ପରିଚାଳନା କରନ୍ତି ।[୧] ଏହି ସ୍କୁଲମାନଙ୍କରେ ୨୦୦୦୦ରୁ ଅଧିକ ଛାତ୍ର ଶିକ୍ଷାଲାଭ କରିଛନ୍ତି ।[୨]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଓଡ଼ିଶାର କେନ୍ଦୁଝର ଜିଲ୍ଲା ବଡ଼ବିଲ ନିକଟସ୍ଥ ସେରେଣ୍ଡା ଗ୍ରାମରେ ସେ ଜନ୍ମିତା । ତାଙ୍କ ବାପାଙ୍କ ନାମ ଚରଣ ମୁଣ୍ଡା ଓ ମାଙ୍କ ନାମ ଘାସ ମୁଣ୍ଡା । ବାପା ଗାଁର ଚଉକିଆ ଥିଲେ । ପିଲାଟି ଦିନରୁ ବାପା ଚାଲିଯାଇଥିଲେ । ସାତ ଭାଇ ଉଭଣୀଙ୍କ ମଧ୍ୟରେ ସେ ସବୁଠାରୁ ସାନ । ବଡ଼ ଭାଇ ଭଉଣୀମାନେ ଖଣି ଖାଦାନରେ କାମ କରୁଥିଲେ । ପେଟ ପୋଷିବା ପାଇଁଁ ତାଙ୍କୁ ମଧ୍ୟ ଏକ ଖାଦାନରେ କାମ କରିବାକୁ ପଡ଼ିଥିଲା । ତାଙ୍କ ବୟସର ଅନ୍ୟପିଲାମାନେ ଛେଳି ଚରାଉଥିଲାବେଳେ ତୁଳସୀ ପାଠ ପଢ଼ିବାକୁ ଚାହୁଁଥିଲେ । ଏଥିପାଇଁଁ ତାଙ୍କୁ ବହୁ ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିଥିଲା । ସମସ୍ତେ ଚାହୁଁ ଥିଲେ ସେ ଘର ସଂସାର କରନ୍ତୁ । ତେବେ ଗ୍ରାମରେ କୌଣସି ବିଦ୍ୟାଳୟ ନଥିବା ହେତୁ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା । ପାଠ ପଢ଼ିବାର ଆଗ୍ରହ ଦେଖି ଖଣି ଖାଦାନର ମ୍ୟାନେଜର ତାଙ୍କୁ ଇଂରାଜୀ ଶିଖାଇଥିଲେ ।

ସମାଜସେବା[ସମ୍ପାଦନା]

୧୯୬୩ ମସିହାରେ ସନ୍ଥ ବିନୋବା ଭାବେ ଓଡ଼ିଶା ଆସିଥିଲେ । ଅସହାୟ ଗରିବଙ୍କ ପାଇଁ ବିନୋବା ତାଙ୍କର ଜମି ଦାନ କରିଦେଇଥିଲେ । ତାଙ୍କଦ୍ୱାରା ତୁଳସୀ ଅନୁପ୍ରେରିତ ହୋଇଥିଲେ । ଭୂଦାନ ଆନ୍ଦୋଳନ ପାଇଁ ଆୟୋଜିତ ଶାନ୍ତି ସୈନିକ ତାଲିମ ପାଇଁଁ ତୁଳସୀ ମଧ୍ୟ ପ୍ରଦେଶ ଚାଲିଯାଇଥିଲେ । ସେହିଠାରୁ ତାଙ୍କ ସମାଜସେବା ଆରମ୍ଭ ହେଲା। ସେଠାରେ ଓଡ଼ିଶାର ଅଣ୍ଣପୂର୍ଣ୍ଣା ଦାଶ, ନିର୍ମଳା ଦେଶପାଣ୍ଡେଙ୍କ ସହ କାମ କରିଥିଲେ । ତାଲିମ ନେଇ ନିଜ ଗ୍ରାମକୁ ଫେରିବା ପରେ ଅଞ୍ଚଳର ଖଣି ଖାଦାନରେ କାମ କରୁଥିବା ଶ୍ରମିକମାନଙ୍କ ପିଲା ଶିକ୍ଷାର ଆଲୋକରୁ କୋଷେ ଦୂରରେ ଥିବା ସେ ଦେଖିଥିଲେ। ଓଡ଼ିଶା ଫେରିବା ପରେ ସମାଜସେବୀ ମାଳତୀ ଚୌଧୁରୀ, ରମାଦେବୀ, ନିର୍ମଳା ଦେଶପାଣ୍ଡେଙ୍କ ସଂଶ୍ପର୍ଷରେ ଆସିବା ପରେ ତାଙ୍କ ଜୀବନର ଦିଗରେ ପରିବର୍ତ୍ତନ ହୋଇଥିଲା। ଯୋଡ଼ା, ବଡ଼ବିଲ ଅଞ୍ଚଳର ଖଣିରେ କରୁଥିବା ଶ୍ରମିକମାନଙ୍କ ପିଲାମାନେ ଅର୍ଥାଭାବରୁ ପାଠପଢ଼ି ପାରୁନଥିଲେ। ଏହି ପିଲାମାନଙ୍କୁ ନିଃଶୁଳ୍କ ପାଠ ପଢ଼ାଇବା ପାଇଁଁ ସେ ସ୍ଥିର କରିଥିଲେ । ୧୯୬୪ ମସିହୋର ସ୍କୁଲ ଆରମ୍ଭ ହୋଇଥିଲା । ଉତ୍କଳ ନବଜୀବନ ମଣ୍ଡଳ, ଉତ୍କଳ ସବୋଦୟ ମଣ୍ଡଳ, ଗାନ୍ଧୀ ସ୍ମାରକ ନିଧି, ବନବାସୀ ସେବା ସମିତି, ଜନସଚେତନା ମଣ୍ଡଳ, ମା' ରମାଦେବୀ ଗ୍ରାମ ସଂଗଠନରେଡକ୍ରସ ସହ ତୁଳସୀ କାମ କରଛନ୍ ତି। ଆନ୍ତର୍ଜାତୀୟ ସ୍ତରରେ ଆମେରିକାର ଇଣ୍ଡିଆ ଲିଟେରାସି ପ୍ରୋଜେକ୍ଟ୍, ଜର୍ମାନୀ ଇ.ଜେଡ୍‌.ଇ ସଂସ୍ଥା ଓ ସୁଇଡେନ୍‌ ଆଲବମ୍‌ ସଂସ୍ଥା ସହ ସେ କାମ କରିଛନ୍ତି ।[୩]

ଆଦିବାସୀ ବିକାଶ ମଞ୍ଚ[ସମ୍ପାଦନା]

ତୁଳସୀ ମୁଣ୍ଡା ଏକ ମହୁଲ ଗଛ ମୂଳରେ ମୁକ୍ତ ଶିକ୍ଷା ଦାନ ଆରମ୍ଭ କରିଥିଲେ । ଦିନ ବେଳା ପିଲାମାନେ ଖଣି ଖାଦାନରେ କାମ କରୁଥିବାରୁ ସଂଧ୍ୟାରେ ସେ ପାଠ ପଢ଼ାଉଥିଲେ । ପ୍ରଥମେ ୨୨ ଜଣ ତାଙ୍କ ପାଖକୁ ପାଠ ପଢ଼ିବା ପାଇଁଁ ଆସିଥିଲେ । ଧୀରେ ଧୀରେ ପିଲାଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । ଏହାପରେ ସେ ଏକ ସ୍କୁଲ ଗଠନ କରିବା ପାଇଁଁ ସ୍ଥିର କରିଥିଲେ । ଏଥିପାଇଁ ଅର୍ଥ ଦାଉ ସାଜିଥିଲା। ଦିନକୁ ୨ ଟଙ୍କା ମଜୁରିରେ ଏକ ଖାଦାନରେ ସେ କାମ କରିଥିଲେ । ଏଥିରେ ପିଲାମାନଙ୍କ ପାଠପଢ଼ା ପ୍ରତି ଖର୍ଚ୍ଚ କରୁଥିଲେ। ତାଙ୍କ ଉତ୍ସାହ ଦେଖି ଗ୍ରାମବାସୀମାନେ ତାଙ୍କୁ ସହଯୋଗ କରିଥିଲେ । ଏହି ପିଲମାନଙ୍କ ପାଇଁଁ ସେ ଆଦିବାସୀ ବିକାଶ ମଞ୍ଚ ନାମକ ଏ ସଂଗଠନ ଗଠନ କରିଥିଲେ । ଏହି ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଆଦିବାସୀ ପିଲାମାନେ ମାଗଣାରେ ପାଠ ପଢ଼ୁଛନ୍ତି । ଆଜି ଓଡ଼ିଶାର ପ୍ରାୟ ୪ ହଜାରରୁ ୫ ହଜାର ଆଦିବାସୀ ପିଲା ଏହି ସ୍କୁଲରେ ପାଠ ପଢ଼ୁଛନ୍ତି ।

ପୁରସ୍କାର[ସମ୍ପାଦନା]

"ରଙ୍ଗମଞ୍ଚ" ତରଫରୁ ସମ୍ବର୍ଦ୍ଧିତ ହେଉଥିବା ବେଳେ ତୁଳସୀ ମୁଣ୍ଡା ।
  • ୧୯୮୧ ମସିହାରେ ସମାଜ ସେବା ପାଇଁଁ ବରପାଲି ମ୍ୟୁନିସିପାଲଟିଦ୍ୱାରା ସମ୍ମାନିତ।
  • ୧୯୯୭ ମସିହାରେ ସାହିତ୍ୟ ସଂସ୍କୃତି ପରିଷଦ, ଯୋଡ଼ାଦ୍ୱାରା ସମ୍ମାନିତ।
  • ୧୯୯୮ ମସିହାରେ ଭାରତୀୟ ଆଦିମଜାତି ସେବା ସଂଘଦ୍ୱାରା ସମ୍ମାନିତା
  • ୧୯୯୯ ମସିହାରେ ତତ୍କାଳୀନ ଓଡ଼ିଶା ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କଦ୍ୱାରା ସ୍ୱାଭିମାନ ସମ୍ମାନ
  • ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ସାହାସୀ ମହିଳା ସମ୍ମାନ-୨୦୦୦
  • ୨୦୦୧ ମସିହାରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ସମ୍ମାନ
  • ୨୦୦୮ ମସିହାରରେ କାଦମ୍ବିନୀ ସମ୍ମାନ
  • ୨୦୦୯ ମସିହାରେ ନୂଆଦିଲ୍ଲୀରେ ଲକ୍ଷ୍ମୀପାଟ ସିଘାଂଣିଆ ନ୍ୟାସନାଲ ଲିଡରସିପ୍ ସମ୍ମାନ
  • ୨୦୧୧ ମସିହାରେ ସମାଜସେବା ଉତ୍କୃଷ୍ଟତା ପାଇଁ ଓଡ଼ିଶା ସରକାରଙ୍କଦ୍ୱାରା ଓଡ଼ିଶା ଲିଭିଂ ଲେଜେଣ୍ଡ୍ ସମ୍ମାନ
  • ୨୦୧୪ ମସିହାରେ ସିଏନ୍‌ଏନ୍‌ ଆଇବିଏନ୍‌ଠାରୁ ସିନିୟର ସିଟିଜେନ୍‌ ଆଓ୍ବାର୍ଡ

[୪]

ପ୍ରାମାଣିକ ଚଳଚ୍ଚିତ୍ର[ସମ୍ପାଦନା]

ତୁଳସୀ ମୁଣ୍ଡାଙ୍କ ଜୀବନୀ ଉପରେ ଅମୀୟ ପଟ୍ଟନାୟକ ତୁଳସୀ ଅପା ନାମରେ ଓଡ଼ିଶାର ପ୍ରଥମ ଜୀବନୀ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଏହା ୨୦୧୭ ମସିହା ମଇ ୧୯ ତାରିଖ ଦିନ ମୁକ୍ତିଲାଭ କରିଥିଲା । ତୁଳସୀ ମୁଣ୍ଡାଙ୍କ ଜୀବନୀ ଉପରେ ଏହା ପର୍ଯବସିତ । ଅନୁପମ ପଟ୍ଟନାୟକଙ୍କ ପ୍ରଯୋଜିତ ଏହି ସିନେମାର ମୁଖ୍ୟ ଚରିତ୍ର ତୁଳସୀ ମୁଣ୍ଡାଙ୍କ ଭୂମିକାରେ ବର୍ଷା ନାୟକ ଅଭିନୟ କରିଛନ୍ତି । ଅନ୍ୟ ଭୂମିକାରେ ମଧୁସ୍ମିତା, ଲୋଛନୀ ବାଗ, ପ୍ରେମାଞ୍ଜନ ପରିଡ଼ା, ମମତା ପଣ୍ଡା ଅଭିନୟ କରିଛନ୍ତି । କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଚଳଚ୍ଚିତ୍ରର ସୁଟିଂ ହୋଇଛି ।[୫] ୨୦୧୬ ମସିହା ଅକ୍ଟୋବର ୩୦ ତାରିଖରେ ଇରାନ୍‌ ରାମସରଠୋର ତେହରାନ ଜସ୍ମିନ୍‌ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ ତୁଳସୀ ଅପା ପ୍ରର୍ଦଶିତ ହୋଇଥିଲା। ଓଡ଼ିଶାର ଏକମାତ୍ର ଚଳଚ୍ଚିତ୍ର ଭାବେ ତୁଳସୀ ଅପା ଏହି ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇଥିଲା । ୨୦୧୬ ମସିହା ଅକ୍ଟୋବରରେ ଅନୁଷ୍ଠିତ ସିମଲା ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ ତୁଳସୀ ଅପାକୁ ଶ୍ରେଷ୍ଠ ଫିଚର‌‌‌‌ ଫିଲ୍ମର ସମ୍ମାନ ମିଳିଥିଲା । ହରିଆଣାରେ ଅନୁଷ୍ଠିତ ହରିଆଣା ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ ତୁଳସୀ ଅପା ଗୌରବ ଅର୍ଜନ କରିଥିଲା । ଏହି ଚଳଚ୍ଚିତ୍ରର ତୁଳସୀ ଅପା ମୁଖ୍ୟ ଭୂମିକାରେ ନବାଗତା ଅଭିନେତ୍ରୀ ବର୍ଷା ନାୟକ ଅଭିନୟ କରିଥଲେ । ଏହି ଚଳଚ୍ଚିତ୍ର ପାଇଁ ବର୍ଷାଙ୍କୁ ହରିଆନା ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସମ୍ମାନିତ ହୋଇଥିଲେ। ଏହା ପୂର୍ବରୁ କୋଲକାତା, ବେଙ୍ଗାଲୁରୁ ଓ ନାସିକଠାରେ ଏହି ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇ ବେଶ ପ୍ରଶଂସିତ ହୋଇଛି । ଅମୀୟ ପଟ୍ଟନାୟକ ପ୍ରଡକ୍ସନ‌ ବ୍ୟାନରେର ଏହି ଚଳଚ୍ଚିତ୍ର ନିର୍ମିତ ହୋଇଛି ।[୬]

ଆଧାର[ସମ୍ପାଦନା]

  1. Rai, Arbinda (୨୦୧୬). Turning point. cuttack: Friend's publishers. p. ୨୪୭ Extra &#୧୨୪;pages= or &#୧୨୪;at= (help). ISBN ୮୧୭୪୦୧୮୬୩୮. 
  2. S, Lekshmi Priya. "12 Interesting Facts About Tulasi Apa, the Odisha Woman Who Has Taught 20,000+ Children in 50 Years". thebetterindia.com. Retrieved 19 May 2017. 
  3. . http://jewelsofindia.blogspot.in/2012/08/tulasi-munda-orissa.html. 
  4. . http://www.kendujhar.nic.in/tulasif.htm. 
  5. http://odishasuntimes.com/2016/10/04/biopic-odisha-activist-tulasi-munda-bags-top-honours-iffs/
  6. "Padma Awards" (PDF). Ministry of Home Affairs, Government of India. 2015. Retrieved 21 July 2015. 

ଅଧିକ ତଥ୍ୟ[ସମ୍ପାଦନା]