ଯତୀନ ଦାସ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଯତୀନ ଦାସ
ଜନ୍ମ ୨ ଡିସେମ୍ବର ୧୯୪୧(1941-12-02)
ଦେଉଳସାହି, ବାରିପଦା ମୟୂରଭଞ୍ଜ, ଓଡ଼ିଶା
ଜାତୀୟତା ଭାରତୀୟ
ବିଭାଗ ଚିତ୍ରଶିଳ୍ପୀ
ପ୍ରଶିକ୍ଷଣ ସାର ଜେ. ଜେ. ସ୍କୁଲ ଅଫ ଆର୍ଟ, ମୁମ୍ବାଇ
ପୁରସ୍କାର ପଦ୍ମଭୂଷଣ

ଯତୀନ ଦାସ(ଜନ୍ମ - ୦୨ ଡିସେମ୍ବର ୧୯୪୧)[୧] ମୟୂରଭଞ୍ଜ ଜିଲ୍ଲାର ବାରିପଦାସ୍ଥିତ ଦେଉଳସାହିଠାରେ ଜନ୍ମିତ ଜଣେ ଚିତ୍ରଶିଳ୍ପୀ ।[୨] ୨୦୧୨ମସିହାରେ ଚିତ୍ରକଳା ପାଇଁ ସେ ପଦ୍ମଭୂଷଣ ପୁରସ୍କାର ଲାଭ କରିଛନ୍ତି ।[୩]

ଜୀବନୀ[ସମ୍ପାଦନା]

ଯତୀନ, ପିତା ଗୋପୀନାଥ ଦାସ ଓ ମାତା ଭବାନୀଙ୍କର ଚତୁର୍ଥ ସନ୍ତାନ ଭାବରେ ଜନ୍ମଗ୍ରହଣ କରିଥିଲେ । ଡାକନାମ ଥିଲା 'ଯଚା', ଶ୍ରଦ୍ଧାରେ 'ପାଗଳା' ମଧ୍ୟ ଡକା ଯାଉଥିଲା । ସେ ଶ୍ରୀରାମଚନ୍ଦ୍ର ଉପ୍ରା ବିଦ୍ୟଳୟ ଓ ଶରତ ଚନ୍ଦ୍ର ବିଦ୍ୟାପୀଠରୁ ସ୍କୁଲ ଶିକ୍ଷା ଲାଭ କରିଥିଲେ । ସ୍କୁଲ ବେଳୁ, ଚିତ୍ର ଆଙ୍କିବାରେ ତାଙ୍କର ସଉକ ଥିଲା । ମାଟ୍ରିକ ପାସ କଲା ପରେ, ବାରିପଦାର ଏମ୍.ପି.ସି କଲେଜରୁ ଆଇ.ଏସ.ସି ପାସ କରି, ସେ ପିତାଙ୍କ ଇଚ୍ଚାନୁଯାୟୀ ଜେ.ଜେ.କଲେଜ ଅଫ ଆର୍ଟସରେ ଆର୍କିଟେକ୍ଚର ପଢିଥିଲେ । ବର୍ଷେ ପରେ ମଡ଼ର୍ଣ୍ଣ ଆର୍ଟ ପଢିବାକୁ ଯିଦ ଧରିବାରୁ, ବାପା ପଢା ଖର୍ଚ୍ଚ ଦେବା ବନ୍ଦ କରିଦେଇଥିଲେ । ତତକାଳୀନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କୁ ସାକ୍ଷାତ କରି, ଅର୍ଥ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ ଓ ବିଜୁବାବୁ ଅର୍ଥ ମଧ୍ୟ ମଞ୍ଜୁର କରିଥିଲେ । ମଡ଼ର୍ଣ୍ଣ ଆର୍ଟ ପାଠରେ ସେ ପ୍ରଫେସର ଏସ.ବି.ପାଲିକରଙ୍କ ସାନିଦ୍ଧ ଲାଭ କରିଥିଲେ ।[୪] ତାଙ୍କ ଚିତ୍ରକଳା ପାଇଁ ସେ ବହୁସ୍ଥାନରେ ପ୍ରଶଂସିତ ହୋଇଥିଲେ । ମହାରାଷ୍ଟ୍ର ରାଜ୍ୟପାଳଙ୍କଦ୍ଵାରା ପୁରସ୍କୃତ ହୋଇ ଫିନଲ୍ୟାଣ୍ଡର ହେଲେସିଙ୍କିଠାରେ ଅନୁଷ୍ଠିତ ହେଉଥିବା ଯୁବ ମହୋତ୍ସବରେ ଯୋଗଦେବାର ସୁଯୋଗ ମିଳିଥିଲା । ଦିଲ୍ଲୀରୁ ମସ୍କୋ ଗସ୍ତଖର୍ଚ୍ଚ ପାଇଁ ଅର୍ଥାଭାବ ଯୋଗୁଁ, ସେଥିରୁ ତାଙ୍କ ନାଁ କଟି ଯାଇଥିଲା । ପୁଣି ବିଜୁବାବୁଙ୍କ ହସ୍ତକ୍ଷେପ ଓ ଅର୍ଥ ସାହାଯ୍ୟ ବଳରେ ସେ ହେଲେସିଙ୍କି ଯାଇ ପାରିଥିଲେ । ୧୯୬୨ମସିହାରେ ସେ ଆର୍ଟସ୍କୁଲରୁ ପ୍ରଥମ ଶ୍ରେଣୀରେ ପାସ କରିଥିଲେ । ପାସ କରିବା ପରେ, ମୁମ୍ବାଇର ଭୁଲାଭାଇ ବାଟଲିୱଲା ତାଙ୍କୁ ଷ୍ଟୁଡିଓ କରିବାକୁ ଘରଟିଏ ଯୋଗାଇଦେଲେ । ଏଥି ମଧ୍ୟରେ 'ରାଣ୍ଡମ ସ୍କେଚ' ଚିତ୍ର ପଦ୍ଧତିରେ ସେ ପାରଙ୍ଗମ ହୋଇ ପାରିଥିଲେ । ତାଙ୍କ ଚିତ୍ର ଗୁଡିକ ଭାରତ ତଥା ବିଦେଶରେ ପ୍ରଦର୍ଶିତ ହେବାକୁ ହୋଇଥିଲା ।[୫] ସେ ଭାଗ ନେଇ ଥିବା କିଛି ଉଲ୍ଲେଖନୀୟ ପ୍ରଦର୍ଶନୀ ହେଲା ପ୍ୟାରିସ (୧୯୭୧), କେସେଲ(୧୯୭୫) ଓ ଭେନିସ (୧୯୭୮) । ବିଭିନ୍ନ ଶିକ୍ଷାନୁଷ୍ଠାନ ତରଫରୁ ତାଙ୍କୁ ଅଭିଭାଷଣ ଦେବାକୁ ନିମନ୍ତ୍ରଣ ଆସିଥିଲା । କ୍ରମେ ସେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ସମୁହର ହସ୍ତଶିଳ୍ପ ବୋର୍ଡ଼, ରୁଷିଆରେ ଅନୁଷ୍ଠିତ ହୋଇଥିବା ଭାରତ ମହୋତ୍ସବର ପରାମର୍ଶଦାତା ଓ ବିଭିନ୍ନ ଚଳଚ୍ଚିତ୍ର ଉତ୍ସବର ଜୁରୀ ଭାବରେ ମନୋନୀତ ହୋଇଥିଲେ ।

ଦେଶବିଦେଶରେ ପରିଚିତ ଯତୀନ ନିଜ ଜନ୍ମମାଟି ଓଡ଼ିଶା ସହ ସବୁବେଳେ ଜଡିତ ରହି ଆସିଛନ୍ତି । ତାଙ୍କରି ନେତୃତ୍ଵରେ ବାରିପଦାରେ 'ମୟୁରଭଞ୍ଜ କଲଚରାଲ ଡେଭେଲପମେଣ୍ଟ ଫାଉଣ୍ଡେସନ' ଓ ଭୁବନେଶ୍ଵରରେ 'ଯତୀନ ଦାସ ସେଣ୍ଟର ଫର ଆର୍ଟସ' ସ୍ଥାପିତ ହୋଇଛି । ଯତୀନ ଦାସ ସେଣ୍ଟର ଫର ଆର୍ଟସରେ ପ୍ରତିବର୍ଷ 'ମିଟ ଦ ଆର୍ଟିଷ୍ଟ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଚିତ୍ର ଆଙ୍କିବା ବ୍ୟତିତ ରୋଷେଇ କରିବାରେ ଓ ପରିବେଶ ସଫାରଖିବାରେ ତାଙ୍କର ରୁଚି ରହିଛି ।

ପରିବାର[ସମ୍ପାଦନା]

ଯତୀଙ୍କ ପତ୍ନୀ ବର୍ଷା ଦାସ ଜଣେ ଲେଖିକା ଓ କନ୍ୟା ଜଣେ ଅଭିନେତ୍ରୀ ।

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ପଦ୍ମଭୂଷଣ - ୨୦୧୨
  • ଡି.ଲିଟ(ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ‌ - ୨୦୦୮
  • ଭାରତ ନିର୍ମାଣ ପୁରସ୍କାର - ୨୦୦୭[୬]

ଆଧାର[ସମ୍ପାଦନା]

  1. India Who's who. INFA Publications. ୨୦୦୦. 
  2. Jatin Das; Shobita Punja (୨୦୦୩). The Art of Jatin Das. Lustre Press. ISBN ୯୭୮-୮୧-୭୪୩୬-୨୦୨-୫. 
  3. Hachette India (୩୦ June ୨୦୧୩). Hachette Children's Infopedia & Yearbook ୨୦୧୩. Hachette India. pp. ୫୮–. ISBN ୯୭୮-୯୩-୫୦୦୯-୫୫୫-୩. 
  4. Rakesh Kumar (୧ January ୨୦୦୭). Encyclopaedia of Indian paintings. Anmol Publications Pvt. Ltd. ISBN ୯୭୮-୮୧-୨୬୧-୩୧୨୨-୮. 
  5. Indian Contemporary Art: Post Independence. Vadehra Art Gallery. April ୨୦୧୦. ISBN ୯୭୮-୮୧-୮୭୭୩୭-୦୦-୧. 
  6. "ମୁକ୍ତ ଆଳାପ". ପ୍ରମେୟ ୧୯/୦୨/୨୦୧୭ ପୃଷ୍ଠା ୧୦ମୁକ୍ତ ଆଳାପ. http://epaper.prameyanews.com/80040-54052625-1-article.html. Retrieved 24 February 2017. 

ବାହାର ଆଧାର[ସମ୍ପାଦନା]