Jump to content

ପ୍ରାଣକୃଷ୍ଣ ପରିଜା

ଉଇକିପିଡ଼ିଆ‌ରୁ
ପ୍ରାଣକୃଷ୍ଣ ପରିଜା
ଭୁବନେଶ୍ୱରରେ ଥିବା ପ୍ରାଣକୃଷ୍ଣ ପରିଜାଙ୍କ ପ୍ରତିମୂର୍ତ୍ତି
ଭୁବନେଶ୍ୱରରେ ଥିବା ପ୍ରାଣକୃଷ୍ଣ ପରିଜାଙ୍କ ପ୍ରତିମୂର୍ତ୍ତି
ଜନ୍ମ(1891-04-01)୧ ଅପ୍ରେଲ ୧୮୯୧
ମୃତ୍ୟୁ୨ ଜୁନ ୧୯୭୮(1978-06-02) (ବୟସ ୮୭)
ପାରିଜାତ, କାଣ୍ଟନମେଣ୍ଟ ରୋଡ଼, କଟକ
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନରେଭେନ୍‌ସା କଲିଜିଏଟ ସ୍କୁଲ,ରେଭେନ୍ସା ମହାବିଦ୍ୟାଳୟ,
କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ
ପୁରସ୍କାରପଦ୍ମ ଭୂଷଣ
ବିଜ୍ଞାନୀ ଜୀବନ
କ୍ଷେତ୍ରଉଦ୍ଭିଦ ବିଜ୍ଞାନ
ଆଦର୍ଶଜନ ହାଲଡେନ
ବିଧାୟକ, ପ୍ରଥମ ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ପର ଅଧିକାରୀବୈକୁଣ୍ଠ ନାଥ ମହାନ୍ତି
ନିର୍ବାଚନ ମଣ୍ଡଳୀବାଲିକୁଦା
ବ୍ୟକ୍ତିଗତ ସବିଶେଷ
ରାଜନୀତିକ ଦଳସ୍ୱାଧୀନ

ପ୍ରାଣକୃଷ୍ଣ ପରିଜା (୧ ଅପ୍ରେଲ ୧୮୯୧ - ୨ ଜୁନ ୧୯୭୮ ) ଜଗତସିଂହପୁର ଜିଲ୍ଲାର ବାଲିକୁଦାଠାରେ ଜନ୍ମିତ ଜଣେ ଉଦ୍ଭିଦ ବିଜ୍ଞାନି ଓ ଅଧ୍ୟାପକ ଥିଲେ । [୨]

ବାଲ୍ୟଜୀବନ ଓ ଶିକ୍ଷା[ସମ୍ପାଦନା]

ପ୍ରାଣକୃଷ୍ଣଙ୍କ ଜନ୍ମ ଜଗତସିଂହପୁର ଜିଲ୍ଲାର, ବାଲିକୁଦା ଅନ୍ତର୍ଗତ ଇଚ୍ଛାପୁରଠାରେ ହୋଇଥିଲା । ପିତା ବିଶ୍ୱନାଥ ପରିଜା ଓ ମାତା ଜୟନ୍ତୀ ଦେବୀଙ୍କ ପୁତ୍ର, ପ୍ରାଣକୃଷ୍ଣଙ୍କ ବାଲ୍ୟଜୀବନ ସେହି ବାଲିକୁଦାରେ ଅତିବାହିତ ହୋଇଥିଲା । ବାଲିକୁଦା ମଧ୍ୟଇଂରାଜୀ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା ଶେଷକରି, ସେ ୧୯୦୪ ମସିହାରେ କଟକରେଭେନ୍‌ସା କଲିଜିଏଟ ସ୍କୁଲରେ ନାମ ଲେଖାଇଥିଲେ । ସ୍କୁଲ ଯିବା ପାଇଁ,ବହୁ ସମୟରେ ତାଙ୍କୁ ବାଲିକୁଦାରୁ କଟକ, ୩୬ ମାଇଲ ବାଟ, ଚାଲି ଚାଲି ଯିବାକୁ ପଡୁଥିଲା । ସେ ରେଭେନ୍‌ସା କଲିଜିଏଟ ସ୍କୁଲରୁ ମାଟ୍ରିକ ଓ ରେଭେନ୍ସା ମହାବିଦ୍ୟାଳୟରୁ କୃତିତ୍ୱର ସହ ଆଇ.ଏସ୍. ସି. ପାସକରିଥିଲେ । ୧୯୧୩ ମସିହାରେ ସେ କଲିକତାର ପ୍ରେସିଡେନ୍ସି ମହାବିଦ୍ୟାଳୟରୁ ଗଣିତରେ ଅନର୍ସ ସହ ବି.ଏସ୍. ସି. ପାସ କରିଥିଲେ ଓ ଛାତ୍ରବୃତ୍ତି ପାଇ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିବା ପାଇଁ ୧୯୧୪ ମସିହାରେ ଇଂଲଣ୍ଡ ଯାତ୍ରା କରିଥିଲେ । କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିବା ସମୟରେ, ସେ ପ୍ରଥମ ଭାରତୀୟ ଭାବରେ ଫ୍ରାଙ୍କସ୍ମାର୍ଟ ଛାତ୍ରବୃତ୍ତି ପାଇବାର ଗୌରବ ଅର୍ଜ୍ଜନ କରିଥିଲେ । କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ସମୟରେ, ସେ ବୀରବଲ ସାହାଣୀ, ଚିନ୍ତାମନ ଦ୍ୱାରକାନାଥ ଦେଶମୁଖ, ଅଫଜଲ ହୁସେନ, ହନୁମନ୍ତରାଇ, ରାମାନୁଜମ, ଜନ ମଥାଇ ଆଦି ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ସହପାଠୀଭାବରେ ପାଇଥିଲେ । ପ୍ରାଣକୃଷ୍ଣ ଓ ସୁଭାଷ ଚନ୍ଦ୍ର ବୋଷଙ୍କ ମଧ୍ୟରେ ଘନିଷ୍ଟ ବନ୍ଧୁତା ଥିଲା । ସୁଭାଷ ଚନ୍ଦ୍ର ବୋଷ ଲଣ୍ଡନରେ ଅଧ୍ୟୟନ କରିବା ସମୟରେ, କିଛି ଦିନ, ପ୍ରାଣକୃଷ୍ଣଙ୍କ ସହ ରହୁଥିଲେ ।

କର୍ମଜୀବନ[ସମ୍ପାଦନା]

୧୯୨୦ ମସିହାରେ, କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ସମାପ୍ତ କରିବା ପରେ, ପରିଜା ଗ୍ରେଟବ୍ରିଟେନସ୍ଥିତ ଫୁଡ ଇନଭେଷ୍ଟିଗେସନ ବୋର୍ଡ଼ରେ ଫଳ ସଂରକ୍ଷଣ ବିଭାଗର ଗବେଷକ ଭାବରେ ନିଯୁକ୍ତି ପାଇଥିଲେ । କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ସମୟରେ ଆତର ଶ୍ୱାସପ୍ରକ୍ରିୟା ସମ୍ବନ୍ଧରେ ତାଙ୍କର ଗବେଷିତ ପ୍ରବନ୍ଧ, ଲଣ୍ଡନସ୍ଥିତ ପ୍ରସିଦ୍ଧ ପ୍ରୋସିଡିଙ୍ଗସ୍ ଅଫ୍ ଦି ରୟାଲ ସୋସାଇଟିରେ ପ୍ରକାଶିତ ହେବା ପରେ, ଅନ୍ତର୍ଜାତୀୟ ସ୍ତରରେ ଡଃ ପ୍ରାଣକୃଷ୍ଣ ପରିଜା ଜଣେ ଶ୍ରେଷ୍ଠ ଉଦ୍ଭୀଦ ବିଜ୍ଞାନୀ ଭାବରେ ପରିଚିତ ହୋଇପାରିଥିଲେ । ୧୯୨୧ ଅଗଷ୍ଟ ମାସ ୪ ତାରିଖରେ, ଇଣ୍ଡିଆନ ଏଜୁକେସନାଲ ସର୍ଭିସରେ ନିଯୁକ୍ତି ପାଇ, ସେ ରେଭେନ୍ସା ମହାବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନର ପ୍ରଫେସର ରୂପେ ଯୋଗ ଦେଇଥିଲେ । ତାଙ୍କରି ଉଦ୍ୟମରେ ୧୯୨୪ ମସିହାରେ ରେଭେନ୍ସାରେ ଉଦ୍ଭିଦ ବିଜ୍ଞାନରେ ସ୍ନାତକ ଶ୍ରେଣୀ ଖୋଲିଥିଲା । ୧୯୩୦ରେ ଅନର୍ସ ଆରମ୍ଭ ହୋଇଥିଲା । ୧୯୩୮ ଫେବୃୟାରୀ ୭ ତାରିଖରେ, ସେ ରେଭେନ୍ସା ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ନିଯୁକ୍ତି ପାଇଲେ । ୧୯୪୫ ପର୍ଯ୍ୟନ୍ତ ସେ ଅଧ୍ୟକ୍ଷ ଭାବେ କାର୍ଯ୍ୟନିର୍ବାହ କରିଥିଲେ । ତାଙ୍କ ଅଧ୍ୟକ୍ଷତା ସମୟରେ ରେଭେନ୍ସା ମହାବିଦ୍ୟାଳୟ ଛାତ୍ରାବାସରେ ଛାତ୍ରମାନଙ୍କୁ ସ୍ୱଳ୍ପମୂଲ୍ୟରେ ଶୁଦ୍ଧ ଗୋଦୁଗ୍ଧ ଦେବା ନିମନ୍ତେ ଗୋପାଳନ ବ୍ୟବସ୍ଥା ଆରମ୍ଭ କରିଥିଲେ । ସମୟାନୁବର୍ତ୍ତିତା ପରିଜାଙ୍କ ପ୍ରବୃତ୍ତି ଥିଲା । ଗୋଟିଏ ମିନିଟ ବିଳମ୍ବରେ ଆସୁଥିବା ଛାତ୍ରଛାତ୍ରୀଙ୍କୁ ସେ ଶ୍ରେଣୀରେ ବସିବାକୁ ଦେଉନଥିଲେ । ୧୯୪୩ ମସିହାରେ ରେଭେନ୍ସା ମହାବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟ କାର୍ଯ୍ୟାରମ୍ଭ କରିଥିଲା । ସେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଥମ କୂଳପତି ଭାବରେ ୧୯୪୩ରୁ ୧୯୪୮ ଯାଏଁ କାର୍ଯ୍ୟ କରିଥିଲେ । ୧୯୪୯ ମସିହାରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରୋ-ଭାଇସଚାନ୍ସଲର ଓ ୧୯୫୧ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରୋ-ଚାନ୍ସଲର ଭାବରେ ନିଯୁକ୍ତି ପାଇଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟରେ ସେ, ଅନେକ କାଳ ଅଧ୍ୟାପନ କରିଥିଲେ ଓ ତାଙ୍କରି ନାମରେ ସେଠାକାର ପରିଜା ପାଠାଗାର[୩] ନାମିତ ।[୪] ୧୯୫୨ ମସିହାରେ, ସେ ବାଲିକୁଦା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ (୧୯୫୨-୧୯୫୭) ହୋଇଥିଲେ । [୫] ୧୯୫୫ ମସିହାରେ ସେ ପୁଣି ଥରେ, ଉତ୍କଳ ବିଶ୍ୱବିଦ୍ୟାଳୟର କୂଳପତି ଦାୟିତ୍ୱ ଗ୍ରହଣ କରି, ପ୍ରାୟ ଦଶବର୍ଷ ପର୍ଯ୍ୟନ୍ତ ସେହି ଦାୟିତ୍ୱ ନିର୍ବାହ କରିଥିଲେ । ତାଙ୍କରି କାର୍ଯ୍ୟକାଳ ମଧ୍ୟରେ, ୧୯୫୮ ଜାନୁୟାରୀ ପହିଲା ଦିନ ତତ୍କାଳୀନ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ, ଉତ୍କଳ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଓ ୧୯୬୩ ଜାନୁୟାରୀ ୨ ତାରିଖ ଦିନ, ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ, ଉତ୍କଳ ବିଶ୍ୱବିଦ୍ୟାଳୟର ନୂତନ ଗୃହକୁ ଉଦଘାଟନ କରିଥିଲେ । ୧୯୬୦ ମସିହା ଜାନୁୟାରୀ ପ୍ରଥମ ସପ୍ତାହରେ ଭାରତୀୟ ବିଜ୍ଞାନ କଂଗ୍ରେସର ୪୭ତମ ଅଧିବେଶନ, ଡଃ ପରିଜାଙ୍କ ସଭାପତିତ୍ୱରେ ବମ୍ବେଠାରେ ଅନୁଷ୍ଠିତ ହୋଇଥିଲା । ତାଙ୍କରି ଉଦ୍ୟମକ୍ରମେ ୧୯୬୨ ମସିହାରେ ଭାରତୀୟ ବିଜ୍ଞାନ କଂଗ୍ରେସର ଐତିହାସିକ ଅଧିବେଶନ କଟକଠାରେ ଅନୁଷ୍ଠିତ ହୋଇଥିଲା ।

ପ୍ରାଣକୃଷ୍ଣ ବିଜ୍ଞାନର ଛାତ୍ର ହେଲେ ମଧ୍ୟ, ସାହିତ୍ୟ, ସଂସ୍କୃତି ପ୍ରତି ଥିଲା ତାଙ୍କର ଅନୁରାଗ । ଉଦ୍ଭିଦ ବିଜ୍ଞାନ ପଢାଉଥିବାବେଳେ, ସେ ଢଗ ଢମାଳି ପ୍ରୟୋଗ କରୁଥିଲେ । "ଅକିଞ୍ଚନର ଜୀବନ ସ୍ମୃତି" ନାମରେ ସେ ନିଜର ଆତ୍ମ-ଚରିତ ଲେଖିଯାଇଛନ୍ତି ।[୬]

ପୁରସ୍କାର[ସମ୍ପାଦନା]

  • ପଦ୍ମ ଭୂଷଣ [୭]
  • ଫ୍ରାଙ୍କସ୍ମାର୍ଟ ଛାତ୍ରବୃତ୍ତି[୮]

ଆଧାର[ସମ୍ପାଦନା]

  1. Balikuda locals remember son of the soil Dr Parija
  2. http://orissa.gov.in/e-magazine/Orissareview/2012/Jan/engpdf/22-24.pdf
  3. "ଆର୍କାଇଭ୍ କପି". Archived from the original on 2014-03-28. Retrieved 2014-04-02. {{cite web}}: Cite has empty unknown parameter: |1= (help)
  4. P.G. Rama Rao. "Among celebrities". The Telegraph. Retrieved 06 December 2010. {{cite news}}: Check date values in: |accessdate= (help)
  5. List of members of OLA, 1951-2004
  6. "ବିଜ୍ଞାନ୍ନୀ-ଶିକ୍ଷାବିତ ଡ଼. ପରିଜା". ସମ୍ବାଦ ୦୨/୦୬/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୬. Retrieved 2 June 2016.[permanent dead link]
  7. "Padma Awards Directory (1954-2011)" (PDF). Ministry of Home Affairs (India). Archived from the original (PDF) on 2013-05-10. Retrieved 2013-03-12. Dr. Pran Krishna Parija PB OR Litt. & Edu.
  8. ସମାଜ ୦୨/୦୪/୨୦୧୪ ପୃଷ୍ଠା ୧୪, ଗିରିଜାଶଙ୍କର ତରାସିଆଙ୍କ ଦ୍ୱାର ଲିଖିତ ପ୍ରବନ୍ଧ 'ମହାନ ପ୍ରାଜ୍ଞ ପରିଜା ସାହେବ'