Jump to content

କୁରତୁଲ ଏନ ହୈଦର

ଉଇକିପିଡ଼ିଆ‌ରୁ
କୁରତୁଲ ଏନ ହୈଦର
ଜନ୍ମ ଓ ଜନ୍ମସ୍ଥାନ(1927-01-20)୨୦ ଜାନୁଆରୀ ୧୯୨୭
ଆଲିଗଡ଼, ଉତ୍ତର ପ୍ରଦେଶ
ମୃତ୍ୟୁ୨୧ ଅଗଷ୍ଟ ୨୦୦୭(2007-08-21) (ବୟସ ୮୦)
ନୋଏଡ଼ା
ଛଦ୍ମନାମଐନି ଆପା
ବୃତ୍ତିଲେଖିକା
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନଲକ୍ଷ୍ନୌ ବିଶ୍ୱ ବିଦ୍ୟାଳୟ, ଇନ୍ଦ୍ରପ୍ରସ୍ଥ ମହାବିଦ୍ୟାଳୟ
ଶୈଳୀଔପନ୍ୟାସିକା ଓ ଗାଳ୍ପିକା
ସାହିତ୍ୟ କୃତିଆଗ କା ଦରିଆ ( ୧୯୫୯ )

ଦସ୍ତଖତ

କୁରତୁଲ ଏନ ହୈଦର (୨୦ ଜାନୁଆରୀ ୧୯୨୭ - ୨୧ ଅଗଷ୍ଟ ୨୦୦୭) ଉର୍ଦ୍ଦୁ ଭାଷାର ଜଣେ ଗାଳ୍ପିକା, ଔପନ୍ୟାସିକା, ଶିକ୍ଷାବିତ ଓ ସାମ୍ବାଦିକ ଥିଲେ । ଉର୍ଦ୍ଦୁ ଭାଷାର ଏହି ସାହିତ୍ୟିକ ୧୯୫୯ ମସିହାର ରଚନା ଆଗ କା ଦରିଆ ପାଇଁ ପରିଚିତ । ଏହି ଉପନ୍ୟାସର କଥାବସ୍ତୁ ୪ର୍ଥ ଶତାବ୍ଦୀର ଅବିଭାଜିତ ଭାରତ ଇତିହାସରୁ ଆରମ୍ଭ ହୋଇ ଭାରତ ବିଭାଜନ ପର୍ଯ୍ୟନ୍ତ ବ୍ୟାପ୍ତ । ଐନୀ ୧୯୬୭ ମସିହାରେ "ପତଝର କି ଆୱାଜ" ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୯ରେ "ଆଖରୀ ଶବ କେ ହମସଫର" ପାଇଁ ଜ୍ଞାନପୀଠ ପୁରସ୍କାର ଓ ୧୯୯୪ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ୨୦୦୫ ମସିହାରେ ତାଙ୍କ ପଦ୍ମ ଭୂଷଣ ପୁରସ୍କାର ମିଳିଥିଲା ।[୧]

ଜୀବନୀ

[ସମ୍ପାଦନା]

ଐନୀ ୧୯୨୭ ମସିହା ଜାନୁଆରୀ ୨୦ ତାରିଖରେ ଉତ୍ତର ପ୍ରଦେଶର ଆଲିଗଡ଼ଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପୈତୃକ ଘର ଉତ୍ତର ପ୍ରଦେଶର ନେହତୌର । ଇରାନର କବି କୁରତ-ଉଲ-ଐନ ତାହିରାଙ୍କ ନାମ ଅନୁସାର ଐନୀଙ୍କ ନାମ କୁରତୁଲ ଐନ ରଖା ଯାଇଥିଲା । "କୁରତୁଲ ଐନ"ର ଅର୍ଥ ଆଖିର ସାନ୍ତ୍ୱନା । ଐନୀ ଲେଖାଲେଖି ଆରମ୍ଭ କରିବା ବେଳକୁ କବିତା ପ୍ରଧାନ ଉର୍ଦ୍ଦୁ ସାହିତ୍ୟରେ ଉପନ୍ୟାସ ଏକ ପ୍ରମୁଖ ବିଭାଗ ଭାବରେ ସ୍ୱୀକୃତ ହୋଇ ନଥିଲା । ଉର୍ଦ୍ଦୁ ଉପନ୍ୟାସରେ ନୂତନତ୍ୱ ଆଣି ଐନୀ ଏହାକୁ ଗ୍ରହଣୀୟ କରିଥିଲେ । ଐନୀଙ୍କୁ ଉର୍ଦ୍ଦୁ ସାହିତ୍ୟର "ଗ୍ରାଣ୍ଡ ଡେମ" ବୋଲି ଉଲ୍ଲେଖ କରାଯାଏ ।[୧]

କୁରତୁଲ "ଐନୀ ଆପା" ଭାବରେ ପରିଚିତ ଥିଲେ । ଐନିଙ୍କର ପିତାମାତା ଉଭୟ ସାହିତ୍ୟିକ ଥିଲେ । ପିତା ସଜ୍ଜାଦ ହୈଦର ଇଲଦାରିମ(୧୮୮୦-୧୯୪୩) ଜଣେ ପ୍ରମୁଖ ଉର୍ଦ୍ଦୁ ଗାଳ୍ପିକ ଥିଲେ । ମାତା ନଜର ଜାହାରା (୧୮୯୪ - ୧୯୪୩) ଜଣେ ଔପନ୍ୟାସିକା ଥିଲେ । ନଜର ଜାହାରା ବିବାହ ପୂର୍ବରୁ ବିନ୍ତ-ଇ-ନଜରୁଲ ବକର ନାମରେ ଲେଖୁଥିଲେ ।

ଐନୀ ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ କଲେଜ[୨] ଓ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର "ଇସାବେଲା ଥୋବର୍ଣ୍ଣ ମହାବିଦ୍ୟାଳୟ"ରେ ପାଠ ପଢ଼ିଥିଲେ । ସେ ୧୯୪୭ରେ ପାକିସ୍ତାନ ଚାଲିଯାଇଥିଲେ । ପରେ କିଛି ସମୟ ଇଂଲଣ୍ଡରେ ରହିବା ପରେ ୧୯୬୦ ମସିହାରେ ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଭାରତ ଫେରି ସେ ପ୍ରାୟ ୨୦ ବର୍ଷ ମୁମ୍ବାଇରେ ରହିଥିଲେ । ପରେ ଦିଲ୍ଲୀ ନିକଟସ୍ଥ ନୋଏଡ଼ାରେ ରହିଥିଲେ । ସେ ଆଜୀବନ ଅବିବାହିତ ଥିଲେ ।

ଭାରତ ବିଭାଜନ ସମୟରେ ଐନୀ ପାକିସ୍ତାନ ଚାଲି ଯାଇଥିଲେ ।[୩]. ୧୯୫୯ ମସିହାରେ ପ୍ରକାଶିତ ଉପନ୍ୟାସ "ଆଗ କା ଦରିଆ" ପାକିସ୍ତାନରେ ବିବାଦିତ ହୋଇଥିଲା । ପୁସ୍ତକଟି ପ୍ରକାଶ ହେବା ପରେ ପରେ ଐନୀ ଭାରତକୁ ଚାଲି ଆସିଥିଲେ । ସାମ୍ବାଦିକତାକୁ ନିଜ ବୃତି ଭାବରେ ଆବୋରୀ ଥିଲେ ମଧ୍ୟ ଐନୀ ନିୟମିତ ଭାବରେ ଉପନ୍ୟାସ, ଗଳ୍ପ ଓ ଅନୁବାଦ ପ୍ରକାଶ କରୁଥିଲେ । ତାଙ୍କର ୩୦ଟି ପୁସ୍ତକ ପ୍ରକାଶିତ ହୋଇସାରିଛି । ୧୯୬୪ରୁ ୧୯୬୮ ପର୍ଯ୍ୟନ୍ତ ସେ ଇମ୍ପ୍ରିଣ୍ଟ ପତ୍ରିକାର ସମ୍ପାଦନା କରିଥିଲେ । ୧୯୬୮ରୁ ୧୯୭୫ ପର୍ଯ୍ୟନ୍ତ ସେ "ଇଲୁଷ୍ଟ୍ରେଟଡ଼ ଉଇକ୍ଲି" ପତ୍ରିକାର ସମ୍ପାଦନା ମଣ୍ଡଳୀରେ ଥିଲେ । ତାଙ୍କ ଲିଖିତ ପୁସ୍ତକଗୁଡ଼ିକ ଇଂରାଜୀ ଓ ଅନ୍ୟ ଭାଷାକୁ ଅନୁବାଦିତ ହୋଇଛି ।

ଐନୀ ଭାରତରେ ଆଲିଗଡ଼ ବିଶ୍ୱବିଦ୍ୟାଳୟ ଏବଂ ବିଦେଶରେ କାଲିଫର୍ଣ୍ଣିଆ, ଚିକାଗୋ, ଉସକନସିନ ଓ ଆରିଜୋନା ବିଶ୍ୱବିଦ୍ୟାଳୟରେ ଅତିଥି ଅଧ୍ୟାପକ ଭାବରେ ଶିକ୍ଷାଦାନ କରିଥିଲେ । ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟରେ ସେ "ପ୍ରଫେସର ଅଫ ଏମିରିଟସ" ଓ ଆଇଓ ବିଶ୍ୱବିଦ୍ୟାଳୟର ଆନ୍ତର୍ଜାତୀୟ ଲେଖା କାର୍ଯ୍ୟକ୍ରମର "ଇନ ରେସିଡେନ୍ସି"(୧୯୭୯) ଥିଲେ ।

ରଚନାବଳୀ

[ସମ୍ପାଦନା]

୧୧ବର୍ଷ ବୟସରୁ ଐନୀ ସାହିତ୍ୟ ସର୍ଜନା ଆରମ୍ଭ କରିଥିଲେ । ସେ ୧୨ଟି ଉପନ୍ୟାସ ଓ ୪ଟି ଗଳ୍ପ ସଂକଳନ ରଚନା କରିଥିଲେ । ବହୁ କ୍ଲାସିକ ପୁସ୍ତକର ସେ ଅନୁବାଦ କରିଥିଲେ । ତାଙ୍କ ନିଜ ପୁସ୍ତକ ଇଂରାଜୀ ଓ ଅନ୍ୟ ଭାଷାକୁ ମଧ୍ୟ ଅନୁବାଦିତ ହୋଇଥିଲା ।[୪]

"ଆଗ କା ଦୂନିଆ" ଉପନ୍ୟାସ ଐତିହାସିକ ପୃଷ୍ଠଭୂମୀରେ ଲେଖା ଯାଇଥିଲା । ଏହା ୪ର୍ଥ ଶତାବ୍ଦୀରୁ ସ୍ୱାଧୀନତା ପରବର୍ତ୍ତୀ ସମୟ ପର୍ଯ୍ୟନ୍ତ ଅବିଭକ୍ତ ଭାରତର ଇତିହାସ ଉପରେ ପର୍ଯ୍ୟବସିତ । ଏଥିରେ ପାକିସ୍ତାନ ସପକ୍ଷବାଦୀଙ୍କ ଦୃଷ୍ଟିକୋଣରୁ ଲେଖା ଯାଇଥିଲା । "ରିଭର ଅଫ ଫାୟାର" ପୁସ୍ତକ ବିଷୟରେ ଦ ଟାଇମସ ଲିଟରାରୀ ପତ୍ରିକାରେ ଆମେର ହୁସେନ ଲେଖିଥିଲେ ଯେ, ଏହି ଉପନ୍ୟାସ ସ୍ପାନୀସ ଉପନ୍ୟାସ "ୱାନ ହଣ୍ଡ୍ରେଡ଼ ଇୟରସ୍ ଅଫ ସଲିଚୁଡ଼" ସହିତ ତୁଳନୀୟ । ୨୦୧୯ରେ ନ୍ୟୁୟର୍କ ଟାଇମସ ଆଦିତି ଶ୍ରୀରାମ ଲେଖିଥିଲେ ଯେ ୧୯୫୯ର ଏହି ଉପନ୍ୟାସ ୨୦୧୯ରେ ମଧ୍ୟ ଉପଯୋଗୀ ।[୫] କମିଲ ଏହସାନ "ଦ ନେସନ"ରେ ଲେଖିଥିଲେ ଯେ ରିଭର ଅଫ ଫାୟାର ୨୫୦୦ ବର୍ଷର ଆଧୁନିକ ଭାରତ, ପାକିସ୍ତାନ ଓ ବଙ୍ଗଳାଦେଶର ଏକ ପୂର୍ଣ୍ଣ ଓ ସମନ୍ୱିତ ଇତିହାସ ପରିବେଷଣ କରେ ।[୩]

ନଅ ବର୍ଷ ବୟସରେ ଐନୀଙ୍କର ପ୍ରଥମ କ୍ଷୁଦ୍ର ଗଳ୍ପ "ବି-ଚୁହିଆ" ଶିଶୁପତ୍ରିକା "ଫୁଲ"ରେ ପ୍ରକାଶିତ ହୋଇଥିଲା । ୧୯ ବର୍ଷ ବୟସରେ ସେ ପ୍ରଥମ ଉପନ୍ୟାସ "ମେରେ ଭି ସନମ ଖାନେ" ଲେଖିଥିଲେ ।

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ଜ୍ଞାନପୀଠ ପୁରସ୍କାର - ୧୯୮୯ (ଆଖିର-ଏ-ଶବ କେ ହମସଫର)
  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୬୭(ପତଝଡ଼ କି ଆୱାଜ)
  • ସୋଭିଏତ ଲ୍ୟାଣ୍ଡ ନେହେରୁ ପୁରସ୍କାର - ୧୯୬୯
  • ଗାଲିବ ସମ୍ମାନ - ୧୯୮୫
  • ବାହାଦୂର ଶାହା ଜଫର ପୁରସ୍କାର - ୨୦୦୦(ଉର୍ଦ୍ଦୁ ଏକାଡେମୀଦ୍ୱାରା ପ୍ରଦତ୍ତ)
  • ପଦ୍ମଶ୍ରୀ - ୧୯୮୪
  • ପଦ୍ମ ଭୂଷଣ - ୨୦୦୫[୧][୪]

ମୃତ୍ୟୁ

[ସମ୍ପାଦନା]

ଐନୀ ନୋଏଡ଼ାର ଏକ ଡାକ୍ତରଖାନାରେ ୨୦୦୭ ଅଗଷ୍ଟ ୨୧ରେ ମୃତ୍ୟୁବରଣ କରିଥିଲେ । ଜାମିଆ ମିଲିଆ ଇସଲାମିଆ ଶ୍ମଶାନରେ ତାଙ୍କର ଶେଷ କର୍ମ ସମ୍ପାଦିତ ହୋଇଥିଲା ।

ସମାଲୋଚନା

[ସମ୍ପାଦନା]

ଏହା ବିଶ୍ୱାସ କରାଯାଉଥିଲା ଯେ, ଐନୀଙ୍କର ରଚନାରେ ଅନେକ ଭୁଲ ରହିଥିଲେ ମଧ୍ୟ ତାଙ୍କ ସାମାଜିକ ପ୍ରତିଷ୍ଠା ଯୋଗୁ, ସେ ବେଶୀ ଆଲୋଚନାର ସମ୍ମୁଖିନ ହୋଇ ନଥିଲେ । ଉର୍ଦ୍ଦୁ ଔପନ୍ୟାସିକ ପୈଗମ ଅଫକି ନିଜ ପ୍ରସଙ୍ଗ "ଆଗ କା ଦରିଆ - ଚନ୍ଦ ସୱାଲାତ"ରେ ଲେଖିଥିଲେ ଯେ, ଯେହେତୁ "ଐନୀ ଆଗ କା ଦରିଆ" ଖୁବ କମ ବୟସରେ ଲେଖିଥିଲେ ଓ ତାଙ୍କ ଆଖପାଖର ସମସ୍ତ ଲୋକ ଭାରତ ଛାଡ଼ି ପାକିସ୍ତାନ ଚାଲି ଯାଇଥିଲେ ସେ ଭାରତରେ ରହି ଯାଇଥିବା ଲୋକଙ୍କ ଦୃଷ୍ଟିକୋଣ ତାଙ୍କ ପୁସ୍ତକରେ ପ୍ରତିଲକ୍ଷିତ ହୋଇ ନଥିଲା । ପୈଗାମଙ୍କର ଏହି ମନ୍ତବ୍ୟ ପରେ ଐନୀ ପୁସ୍ତକର ଇଂରାଜୀ ଅନୁବାଦରେ କିଛି ପରିବର୍ତ୍ତନ କରିଥିଲେ ।

ରଚନାବଳୀ

[ସମ୍ପାଦନା]
  • ମେରେ ଭି ସନମ ଖାନେ - ୧୯୪୯
  • ସଫିନା-ଏ-ଗମ-ଏ-ଦିଲ - ୧୯୫୨
  • ପତଝଡ଼ କି ଆୱାଜ - ୧୯୬୫
  • ରୋଶନୀ କା ରଫତାର - ୧୯୮୨
  • ଚାୟ କା ବାଗ - ୧୯୬୫
  • କର କେ ଜାହାନ ଦରାଜ ହୈ
  • ଗରଦୀଶ-ଏ-ରଙ୍ଗ-ଏ-ଚମନ
  • ଆଖିର-ଏ-ଶବ କେ ହମସଫର
  • ଚାନ୍ଦନୀ ବେଗମ

ଅନୁବାଦ

[ସମ୍ପାଦନା]
  • Sound of the Falling Leaves. Asia Publishing House, 1996. ISBN 0-948724-44-7.
  • A Season of Betrayals: A Short Story and Two Novellas. Oxford University Press, 2000. ISBN 0-19-579417-6.
  • River of Fire. Translated by Qurratulain Hyder. New Directions Pub., 2003. ISBN 0-8112-1533-4.
  • Fireflies in the Mist. New Directions Publishing, 2010. ISBN 0-8112-1865-1
  • The Exiles. tr. by Nadeem Aslam. Hesperus Press, 2010. ISBN 1-84391-854-4.
  1. 1 2 3 "Qurratulain Hyder". Encyclopædia Britannica. 18 January 2013. Retrieved 7 July 2014.
  2. ↑ "Vital statistics of colleges that figure among India's top rankers". India Today. 21 May 2001. Retrieved 7 July 2014.
  3. 1 2 Ahsan, Kamil (22 July 2019). "The Alternate India". The Nation. Archived from the original on 26 July 2019. Retrieved 26 July 2019.
  4. 1 2 "Famous Indian Urdu writer is dead". BBC. 21 August 2007. Retrieved 7 July 2014.
  5. ↑ Sriram, Aditi (8 April 2019). "An Urdu Epic Puts India's Partition Into Historical Perspective". The New York Times. Retrieved 26 July 2019.

ବାହାର ଆଧାର

[ସମ୍ପାଦନା]