ଶ୍ୟାମାମଣି ପଟ୍ଟନାୟକ

ଉଇକିପିଡ଼ିଆ ରୁ
Jump to navigation Jump to search
କୋକିଳକଣ୍ଠୀ

ଶ୍ୟାମାମଣି ଦେବୀ
Shyamamani Devi (Patnaik) performs Odissi music.jpg
ଜନ୍ମ ଓ ଜନ୍ମସ୍ଥାନ
ଶ୍ୟାମାମଣି ପଟ୍ଟନାୟକ

(1938-12-21) ୨୧ ଡିସେମ୍ବର ୧୯୩୮ (ବୟସ ୮୧)
ଜୀବିକାଓଡ଼ିଶୀ କଣ୍ଠଶିଳ୍ପୀ
ଶୈଳୀଓଡ଼ିଶୀ ସଙ୍ଗୀତ
ଜୀବନସାଥିମାୟାଧର ବେହେରା
ବାପା ବୋଉରାଜେନ୍ଦ୍ର ମୋହନ ପଟ୍ଟନାୟକ
ନିଶାମଣି ପଟ୍ଟନାୟକ
ସମ୍ପର୍କୀୟକାଳୀଚରଣ ପଟ୍ଟନାୟକ
ପୁରସ୍କାରଓଡ଼ିଶା ସଂଗୀତ ନାଟକ ଏକୋଡମୀ ପୁରସ୍କାର
ୱେବସାଇଟshyamamanidevi.com
ଦସ୍ତଖତ
ଶ୍ୟାମାମଣି ଦେବୀ

ଶ୍ୟାମାମଣି ଦେବୀ (ଜନ୍ମ : ୨୧ ଡିସେମ୍ବର ୧୯୩୮, ଶ୍ୟାମାମଣି ପଟ୍ଟନାୟକ) ପାରମ୍ପରିକ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତର ଜଣେ ସୁନାମଧନ୍ୟା କଣ୍ଠଶିଳ୍ପୀ । ଓଡ଼ିଶୀ ସଙ୍ଗୀତର ବିଭିନ୍ନ ବିଭାଗ ଯଥା ଚଉପଦୀ, ଛାନ୍ଦ, ଚମ୍ପୂ, ଚଉତିଶା, ଭଜନ, ଜଣାଣ, ଇତ୍ୟାଦି ସଙ୍ଗେ ସଙ୍ଗେ ସେ ପଲ୍ଲୀ ସଙ୍ଗୀତ ଏବଂ ଆଧୁନିକ ଓଡ଼ିଆ ସଙ୍ଗୀତ ଗାୟନ କରିଛନ୍ତି । ଓଡ଼ିଶୀ ସଙ୍ଗୀତର ଦୁଇଜଣ ପ୍ରମୁଖ ଗୁରୁ - ସିଂହାରୀ ଶ୍ୟାମସୁନ୍ଦର କର ଏବଂ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସଙ୍କଠୁ ସେ ସଙ୍ଗୀତ ଶିକ୍ଷାଗ୍ରହଣ କରିଥିବାରୁ ତାଙ୍କ ଗାୟନ ଶୈଳୀରେ ଉଭୟଙ୍କ ଛାପ ରହିଅଛି । ଶ୍ୟାମାମଣି ଦେବୀ ଅନେକ ପାରମ୍ପରିକ ଓଡ଼ିଶୀ ଗୀତକୁ ରେକର୍ଡ଼ କରିଛନ୍ତି ଓ ତଦ୍ଦ୍ୱାରା ବେଶ ଜନାଦୃତ ହୋଇପାରିଛନ୍ତି ।

ପ୍ରାରମ୍ଭୀକ ଜୀବନ[ସମ୍ପାଦନା]

ଶ୍ୟାମାମଣି ଦେବୀ ୧୯୩୮ ମସିହା ଡିସେମ୍ବର ମାସ ୨୧ ତାରିଖ ଦିନ କଟକ ଜିଲ୍ଲା ସ୍ଥିତ ବାଙ୍କୀ ସବଡିଭିଜନ ଅନ୍ତର୍ଗତ ସୁବର୍ଣ୍ଣପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଦିବଂଗତ ପିତା ଶ୍ରୀ ରାଜେନ୍ଦ୍ର ମୋହନ ପଟ୍ଟନାୟକ ଏବଂ ମାତା ନିଶାମଣି ପଟ୍ଟନାୟକଙ୍କ ଝିଅ ଥିଲେ ଶ୍ୟାମାମଣି ପଟ୍ଟନାୟକ । ସେ ଏକ ସଂଗୀତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ତାଙ୍କର କ‌କା ଅଟନ୍ତି । ପାଞ୍ଚ ଜଣ ଭାଇଭଉଣୀଙ୍କ ମଧ୍ୟରେ ସେ ଥିଲେ ସର୍ବକନିଷ୍ଠା । ଏକ ରକ୍ଷଣଶୀଳ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିବାରୁ ପିଲାବେଳେ ସଙ୍ଗୀତରେ ତାଙ୍କ ଆଗ୍ରହ ଯୋଗୁଁ ସେ ଅନେକ ନିନ୍ଦା ସହ୍ଯ କରିଥିଲେ । ତାଙ୍କର ସଂଗୀତ ପ୍ରତି ଆଗ୍ରହ ଥିିଲା ତଥାପି ତତଳକାଳୀନ ରକ୍ଷଣଶୀଳ ସମାଜ ତାଙ୍କୁ ତାହା କରିବା ପାଇଁ ନିରୁତ୍ସାହିତ କଲା । ପିତା ରାଜେନ୍ଦ୍ର ପଟ୍ଟନାୟକ ଏବଂ କକା କାଳୀଚରଣ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ସଂଗୀତ ଶିକ୍ଷାକୁ ଆଗକୁ ନେଇ ଏକ ଉଚିତ ସ୍ଥାନ ଦେଇପାରିଥିଲେ । ସବୁ ସମୟରେ କକା ଏବଂ ପିତାଙ୍କ ପ୍ରେରଣା ତାଙ୍କୁ ଆଗକୁ ନେଇଯିବାରେ ସହାୟକ ସାବ୍ୟସ୍ତ ହୋଇଥିଲା । ଜଣେ ଶିଶୁ ସଙ୍ଗୀତଜ୍ଞ ହିସାବରେ ସେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ ।

କର୍ମ ଜୀବନ[ସମ୍ପାଦନା]

ଶ୍ୟାମାମଣି ପଟ୍ଟନାୟକ ମାତ୍ର ୧୨ ବର୍ଷ ବୟସରେ ଆକାଶବାଣୀ କଟକରେ ୧୯୫୦ ମସିହାରେ ସ୍ଥାନ ପାଇଥିଲେ । ସେତେବେଳକୁ ପାରିଶ୍ରମିକ ବାବଦକୁ କେବଳ ନାରଙ୍ଗ ଚକୋଲେଟ୍‌ ଦିଆଯାଉଥିଲା । ପାଠ ସାଙ୍ଗକୁ ସଂଗୀତ ତାଙ୍କର ଜୀବନର ସାଥୀ ଭାବରେ ପ୍ରତିୟମାନ । ପିଲାଟିଦିନରୁ ସଂଗୀତ ପ୍ରତି ସେ ଉତ୍ସାହିତ ଥିଲେ । ସେ ଲତା ମଙ୍ଗେସକର, ନୁର୍ ଜାହାନ୍, ରାଜକୁମାରୀ ଏବଂ ସିଦ୍ଧେଶ୍ୱରୀ ଦେବୀଙ୍କର ଗୀତ ଶୁଣି ସଙ୍ଗୀତ ଗାନର ମୂଳ ପଦ୍ଧତିକୁ ଶିକ୍ଷା କରିଥିଲେ । ୧୯୪୩ରୁ ୧୯୪୪ ମସିହାରେ ତାଙ୍କ ବାପା ଗ୍ରାମଫୋନଟିଏ ଘରକୁ ଆଣିବା ପରେ ତାଙ୍କ ମନରେ ସଂଗୀତ ପ୍ରତି ଉତ୍ସାହ ଯାଗୃତ ହେଇଥିଲା ଏବଂ ସେହି ଦିନଠୁ ସଂଗୀତ ପ୍ରତି ଅନୁପ୍ରାଣିତ ହେଇଥିଲେ । ସେ ଓଡିଶୀ ସଂଗୀତଜ୍ଞ ଆଦିଗୁରୁ ସିଂହାରୀ ଶ୍ୟାମସୁନ୍ଦର କର ଏବଂ ସଂଗୀତ ସୁଧାକର ବାଳକୃଷ୍ଣ ଦାସଙ୍କ ଠାରୁ ସଂଗୀତ ଶିକ୍ଷା କରିଥିଲେ । ସେ ଗୁରୁ କୁଣ୍ଡଳ ଆଦିନାରାୟଣ ରାଓଙ୍କ ଠାରୁ ହିନ୍ଦୁସ୍ଥାନୀ ସଂଗୀତ ଶିକ୍ଷା ଲାଭ କରିଥିଲେ । ସେ ସବୁବେଳେ ନିଜ ସ୍ୱର ସମସ୍ତଙ୍କ ନିକଟକୁ ପହଞ୍ଚେଇବା ପାଇଁ ପ୍ରୟାସ କରୁଥିଲେ ।[୧]

ଶିକ୍ଷାଗତ ଯୋଗ୍ୟତା[ସମ୍ପାଦନା]

ଶ୍ୟାମାମଣି ପଟ୍ଟନାୟକ କଟକସ୍ଥିତ ଶୈଳବାଳା ମହାବିଦ୍ୟାଳୟରୁ ସ୍ନାତକ ଉପାଧୀ ଲାଭ କରିଥିଲେ । ସେ ସଂଗୀତ ବିଶାରଦ ଶିକ୍ଷା କଟକ ସ୍ଥିତ ସଂଗୀତ ନାଟକ ଏକାଡେମୀରୁ ଶିକ୍ଷାଲାଭ କରିଥିଲେ । ଗୁରୁ ସିଂଘାରୀ ଶ୍ୟାମସୁନ୍ଦର କର ଏବଂ ସଂଗୀତ ସୁଧାକର ବାଳକୃଷ୍ଣ ଦାସଙ୍କଠାରୁ ଜାତୀୟ ସଂଗୀତ ସମାଜ, କଟକରୁ ଶିକ୍ଷା ଲାଭକରିଥିଲେ। ପରବର୍ତ୍ତୀ ସମୟରେ ହିନ୍ଦୁସ୍ତାନୀ ଭୋକାଲ ସଂଗୀତରେ ସଂଗୀତ ଅଳଙ୍କାର ଉପାଧୀ ଗନ୍ଧର୍ବ ମହାବିଦ୍ୟାଳୟ ପୁନେରୁ ୧୯୮୫ ମସିହାରେ ଲାଭକରିଥିଲେ । ଦିବଗଂତ ପ୍ରେଫସର ବି. ଆର. ନବରଙ୍ଗଙ୍କ ତ‌ତ୍ୱାବଧାନରେ ମୁମ୍ବାଇରେ ସମ୍ପୁର୍ଣ୍ଣ କରିଥିଲେ । ସେ ଭଏସ କଲଚର ଉପରେ ମଧ୍ୟ ସଂଗୀତ ଶିକ୍ଷା ଲାଭ କରିଥିଲେ । ଦିବଂଗତ ପ୍ରଫେସର ବି। ଆର. ଦେଓଧରଙ୍କ ତତ୍ତ୍ୱାବଧାନରେ ସେ ଏହି ଶିକ୍ଷା ଲାଭ କରିଥିଲେ ।

ବୈବାହିକ ଜୀବନ[ସମ୍ପାଦନା]

ଶ୍ୟାମାମଣି ଦେବୀ ୰ ମାୟାଧର ବେହେରାଙ୍କୁ ବିବାହ କରିଥିଲେ । ତାଙ୍କ ସ୍ୱାମୀ ଜଣେ ମେଡ଼ିସିନ ପ୍ରାକଟିସନର ଥିଲେ । ଶ୍ୟାମାମଣିଙ୍କର ଗୋଟିଏ ପୁତ୍ର ଏବଂ ଦୁଇଟି କନ୍ୟା ଅଛନ୍ତି । ତାଙ୍କ ପରିବାରରୁ ଆଉ କେହି ମଧ୍ୟ ସଂଗୀତ ଜଗତରେ ପ୍ରବେଶ କରିନାହାନ୍ତି । ତାଙ୍କ ସଂଗୀତ ଜୀବନ କେବେହେଲେ ପାରିବାରିକ ଜୀବନ ଉପରେ କୌଣସି ଖରାପ ପ୍ରଭାବ ପକାଇନଥିଲା । ସେ ସଂଗୀତ ଏବଂ ପରିବାର ମଧ୍ୟରେ ଅତି ଚତୁରତାର ସହିତ ସମାନତା ରକ୍ଷା କରିପାରିଥିଲେ ।

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଶ୍ୟାମାମଣି ଦେବି ୧୩୩ ଥର ପୁରସ୍କୃତ ହେଇଛନ୍ତି । ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ତରଫରୁ ଶ୍ୟାମାମଣି ଦେବୀଙ୍କୁ ୨୦୧୨ ମସିହାରେ ଡକ୍ଟେରଟ ଉପାଧି ପ୍ରଦାନ କରାଯାଇଥିଲା ।[୨] ସେ ବିଭିନ୍ନ ସରକାରୀ ଏବଂ ବେସରକାରୀ ସଂସ୍ଥା ମାନଙ୍କ ଠାରୁ ସମ୍ମାନ୍ନିତ ହେଇଛନ୍ତି ।

  • ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ, ୨୦୧୭ [୩]
  • ଗୁରୁ ସହଦେବ ପାଢ଼ୀ ମେମୋରିଆଲ ସମ୍ମାନ, ୨୦୧୬[୪][୫]
  • ଓଡ଼ିଶା ସଂଗୀତ ନାଟକ ଏକୋଡମୀ ଆୱାର୍ଡ଼ , ୧୯୯୪
  • ଲାଇଫ ଟାଇମ ଏଚିଭମେଣ୍ଟ ଆୱାର୍ଡ଼, ଚଣ୍ଡିଗଡ ବିଶ୍ୱବିଦ୍ୟାଳୟ, ୨୦୦୪
  • ଲାଇଫ ଟାଇମ ଏଚିଭମେଣ୍ଟ ଆୱାର୍ଡ଼, କଟକ ନୃତ୍ୟଉତ୍ସଭ, ୨୦୧୫

ଆଧାର[ସମ୍ପାଦନା]

  1. "ସମ୍ବାଦ". ୩ ଅଗଷ୍ଟ ୨୦୧୫.
  2. "AWARDS, SAMMANS, TITLES". Shyamamanidebi.com. Retrieved 20 March 2017.
  3. "Guru Kelucharan Mohapatra Award 2017 announced". newindianexpress.com. Retrieved 5 September 2017.
  4. "ଶ୍ୟାମାମଣି ଦେବୀଙ୍କୁ ଗୁରୁ ସହଦେବ ପାଢ଼ୀ ମେମୋରିଆଲ ସମ୍ମାନ". ଧରିତ୍ରୀ. Retrieved 14 October 2016.
  5. "TITLES". Shyamamanidebi.com. Retrieved 20 March 2017.