ବିନୋଦ କାନୁନଗୋ
This article includes a list of references, but its sources remain unclear because it has insufficient inline citations. (ଅପ୍ରେଲ ୨୦୧୮) |
ପଦ୍ମଶ୍ରୀ ବିନୋଦ କାନୁନଗୋ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ମଲୀପୁର, କିଶନନଗର, କଟକ | ୬ ଜୁନ ୧୯୧୨
ମୃତ୍ୟୁ | ୨୨ ଜୁନ ୧୯୯୦ କଟକ | (ବୟସ ୭୮)
ସମାଧି ସ୍ଥଳ | କଟକ |
ବୃତ୍ତି | ମହାତ୍ମା ଗାନ୍ଧୀଙ୍କ ପଟ୍ଟଶିଷ୍ୟ, ସ୍ୱାଧୀନତା ସଂଗ୍ରାମୀ, ଜ୍ଞାନଯୋଗୀ |
ଭାଷା | ଓଡ଼ିଆ |
ଶିକ୍ଷା | ଦଶମ ଆରମ୍ଭରୁ ପାଠ ଛାଡ଼ିଥିଲେ |
ଶିକ୍ଷାନୁଷ୍ଠାନ | ରେଭେନ୍ସା କଲେଜିଏଟ ସ୍କୁଲ |
ସାହିତ୍ୟ କୃତି | ଜ୍ଞାନମଣ୍ଡଳ, ଋଣ ପରିଶୋଧ, ଛାତିକି ପଥର କରି |
ପୁରସ୍କାର | ପଦ୍ମଶ୍ରୀ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ଜୀବନସାଥୀ | ସ୍ୱାଧୀନତା ସଂଗ୍ରାମୀ ଶଶିବାଳା |
ସନ୍ତାନ | ଗୋଟିଏ ଝିଅ ଦୀପ୍ତି; ତିନି ପୁଅ ପାବକ, ଦୀପକ ଓ ଆଲୋକ |
ସମ୍ପର୍କୀୟ | ପ୍ରଫେସର ଆର୍ତ୍ତବଲ୍ଲଭ ମହାନ୍ତି (ମାମୁଁ) |
ବିନୋଦ କାନୁନଗୋ (୬ ଜୁନ ୧୯୧୨ - ୨୨ ଜୁନ ୧୯୯୦) କଟକ ଜିଲ୍ଲାର କିଶନନଗର ଥାନାର ମଲୀପୁର ଗ୍ରାମରେ ଜନ୍ମିତ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଆ ଜ୍ଞାନକୋଷ ଜ୍ଞାନମଣ୍ଡଳର ସେ ହେଉଛନ୍ତି ମୂଳ ପ୍ରଣେତା। ଶିଶୁ ଓ କିଶୋରମାନଙ୍କ ପାଇଁ ବିନୋଦ କାନୁନଗୋଙ୍କ ଲିଖିତ ଶତାଧିକ ପୁସ୍ତକ ରହିଛି । ତାଙ୍କ ସ୍ମୃତିରେ ପ୍ରତିଷ୍ଠିତ ବିନୋଦ କାନୁନଗୋ ଓଡ଼ିଆ-ଭାଷା ଉତ୍କର୍ଷ କେନ୍ଦ୍ର ତୃଣମୂଳ ସ୍ତରରେ ଓଡ଼ିଆ ଭାଷାର ବୃଦ୍ଧି ଓ ବିକାଶର ବାର୍ତ୍ତାକୁ ନେଇ ପହଞ୍ଚାଇବାରେ ଆଜି ଚେଷ୍ଟିତ।
ଜୀବନୀ
[ସମ୍ପାଦନା]ପିତା କେଶବ ଚନ୍ଦ୍ର କାନୁନଗୋ ଓ ମାତା ପୀର ଦେବୀଙ୍କ ସନ୍ତାନ ବିନୋଦ ପ୍ରଥମେ ଗାଆଁ ଅବଧାନଙ୍କ ନିକଟରେ ପାଠ ପଢ଼ିବା ପରେ ମାମୁଁଙ୍କ ଗାଆଁ ପାଟକୁରା (କେନ୍ଦ୍ରାପଡ଼ା)କୁ ଚାଲିଯାଇଥିଲେ । ଓଡ଼ିଆ ଓ ସଂସ୍କୃତ ସାହିତ୍ୟର ପଣ୍ଡିତ ଓ ଗବେଷକ ପ୍ରଫେସର ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ବିନୋଦ ହେଉଛନ୍ତି ଏକମାତ୍ର ଭଣଜା । ୧୯୨୨ରେ ସେ କଟକ ଆସି ରେଭେନ୍ସା ଇଷ୍ଟ ହଷ୍ଟେଲରେ ମାମୁଁଙ୍କ ପାଖରେ ରହିଲେ । ୧୯୨୭ରେ ସେ ରାଣୀହାଟ ମାଇନର ସ୍କୁଲରୁ ବୃତ୍ତି ପାଇ ପ୍ରସିଦ୍ଧ ରେଭେନ୍ସା କଲେଜିଏଟ ସ୍କୁଲରେ ପାଇ ପଢ଼ା ଆରମ୍ଭ କଲେ ।
କାଳାନୁକ୍ରମିକ ଜୀବନୀ
[ସମ୍ପାଦନା]- ୧୯୧୨ : ଜନ୍ମ, ଜୁନ ୬ ତାରିଖ - ଗ୍ରାମ-ମଲୀପୁର, ଥାନା/ପୋ-କିଶନନଗର, ଜିଲ୍ଲା-କଟକ ।
- ୧୯୧୭ : ମଲୀପୁରରୁ ମାମୁ ଘର ଗ୍ରାମ ପାଟକୁରା ଥାନା (କେନ୍ଦ୍ରାପଡ଼ା ଜିଲ୍ଲା)ର ନାଗଣପୁରକୁ ଗଲେ । ଓଡ଼ିଆ ଓ ସଂସ୍କୃତ ସାହିତ୍ୟର ମହାନ ପଣ୍ଡିତ ପ୍ରଫେସର ଆର୍ତ୍ତବଲ୍ଲଭ ମହାନ୍ତିଙ୍କର ଏକମାତ୍ର ଭଣଜା |
- ୧୯୨୨ : ପ୍ରଥମ କଟକ ଦେଖା ।
- ୧୯୨୩-୨୪ :ରେଭେନସା କଲେଜ (ବର୍ତ୍ତମାନ ବିଶ୍ୱବିଦ୍ୟାଳୟ)ର ପ୍ରସିଦ୍ଧ ପ୍ରଫେସରମାନଙ୍କ ସହ ସଂପର୍କ । ଇଷ୍ଟ ହଷ୍ଟେଲରେ ମାମୁଙ୍କ ପାଖରେ ରହଣି ।
- ୧୯୨୬ : ରାଣୀହାଟ ମାଇନର ସ୍କୁଲର ପ୍ରଥମ ଛାତ୍ର ଭାବରେ ନାମ ଲେଖା ।
- ୧୯୨୭: ବୃତ୍ତି ସହିତ ମାଇନର ପାସ । ଗୋପବନ୍ଧୁ ଦାସ ଓ ଗୋପବନ୍ଧୁ ଚୌଧୁରୀଙ୍କୁ ପ୍ରଥମେ ଦେଖିଲେ ।
- ୧୯୨୮: ରେଭେନସା କଲେଜିଏଟ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ନାମ ଲେଖା ।
- ୧୯୩୦: ଲବଣ ସତ୍ୟାଗ୍ରହରେ ଯୋଗଦାନ । କଲେଜିଏଟ ସ୍କୁଲରୁ ନାମ କଟିଲା । ପ୍ରଥମ ଜେଲ ବରଣ - ନଭେମ୍ବର ୧୬ ତାରିଖ ।
- ୧୯୩୧ : ପାଟଣା କ୍ୟାମ୍ପ ଜେଲରୁ ଗାନ୍ଧୀ-ଇରଉଇନ ଚୁକ୍ତି ଫଳରେ ଖଲାସ । ସେବାଦଳ କ୍ୟାମ୍ପ (କଟକ ଓ ପୁରୀ)ରେ ଯୋଗଦାନ ।
- ୧୯୩୨ : ପୁଣି ଜେଲବରଣ ।
- ୧୯୩୩: ବ୍ୟକ୍ତିଗତ ସତ୍ୟାଗ୍ରହରେ ଯୋଗଦାନ
- ୧୯୩୪ : ଚମ୍ପାପୁର ଗାନ୍ଧୀ ଆଶ୍ରମରେ (ପଣ୍ଡିତ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କଦ୍ୱାରା ସ୍ଥାପିତ) ଲୁଗାବୁଣା ଶିଖା ଓ ଖଦୀକାମ ଆରମ୍ଭ । ମହାତ୍ମା ଗାନ୍ଧୀଙ୍କ ହରିଜନ ପଦଯାତ୍ରାରେ ଯୋଗଦାନ ଓ "ସମାଜର ବିଶେଷ ସମ୍ବାଦଦାତା ଭାବରେ କାର୍ଯ୍ୟ । ଅନୁଗୁଳଠାରୁ ପୁରୀ ଓ ପୁରୀରୁ ଭଦ୍ରଖ ପର୍ଯ୍ୟନ୍ତ ବାପୁଜୀଙ୍କ ପାଖେ ପାଖେ ରହି "ସମାଜକୁ ବିସ୍ତୃତ ବିବରଣୀ ପଠାଇବା । ବାପୁଜୀ ସେତିକିବେଳେ ବିନୋଦଙ୍କୁ ଅତି ନିକଟରୁ ଦେଖିଥିଲେ । ଗାନ୍ଧୀଜୀଙ୍କ ନିର୍ଦ୍ଦେଶରେ ଗୋପବନ୍ଧୁ ଚୌଧୁରୀ ଓ ରମାଦେବୀଙ୍କ ସହିତ ବରୀ ଆଶ୍ରମରେ ରହି (ବର୍ତ୍ତମାନ ଯାଜପୁର ଜିଲା) ନାନାପ୍ର କାର ସଙ୍ଗ ଠନ କାର୍ଯ୍ୟ କରିବା ।
- ୧୯୪୨: ମାର୍ଚ୍ଚ ମାସରେ "ସମାଜ' ଛାଡ଼ିଦେଇ ଶେଷ ସ୍ୱାଧୀନତା ସଂଗ୍ରାମର ପ୍ରସ୍ତୁତିରେ ଅଂଶଗ୍ରହଣ । ଅଗଷ୍ଟ ୨୯ ତାରିଖରେ ଗିରଫ ଓ ଅଟକବନ୍ଦୀ ଭାବରେ ପ୍ରଥମେ କଟକ ଓ ଅଳ୍ପଦିନ ପରେ ବ୍ରହ୍ମପୁର ଜେଲରେ ଅଟକ । ପତ୍ନୀ ଶଶିବାଳା ମଧ୍ୟ କଟକ ଜେଲରେ ବନ୍ଦୀ । ଅକ୍ଟୋବରରୁ ଓଡ଼ିଆ ଭାଷାରେ ୫୦୦ ପୁସ୍ତକ ଲେଖିବା ପାଇଁ ଯୋଜନା ଓ ଜେଲ ଭିତରେ ଉପା ଦାନ ସଂଗ୍ରହ (କାଗଜ ନ ମିଳିବାରୁ ବଜେଟ ପେପରରେ ଅତି ଛୋଟଛୋଟ ଅକ୍ଷରରେ ଲେଖିଲେ)
- ୧୯୪୪: ଅଗଷ୍ଟରେ ଜେଲଖାନାରୁ ମୁକ୍ତି ।
- ୧୯୪୫:ମହାତ୍ମା ଗାନ୍ଧୀଙ୍କଦ୍ୱାରା ଆହୂତ "ସମଗ୍ରଗ୍ରାମ ସେବାସଂଘ'ରେ ଯୋଗଦାନ ଓ ଗାନ୍ଧୀଜୀଙ୍କଦ୍ୱାରା ବ୍ୟକ୍ତିଗତ ଭାବରେ ବଛାଯାଇ "ସମଗ୍ର ଗ୍ରାମସେବକ' ଭାବରେ ଦାୟିତ୍ୱ ଗ୍ରହଣ ।
- ୧୯୪୬:ନିଜ ଗ୍ରାମ ମଲୀପୁରରେ ନିଖିଳ ଉତ୍କଳ ହରିଜନ ସେବକ ସମ୍ମିଳନୀର ଆୟୋଜନ । ଭାରତ ଓ ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଯୋଗଦାନ । ମଲୀପୁରରେ ସ୍ଥାପିତ "ଖଦୀ ଘର'କୁ ଗାନ୍ଧୀଜୀଙ୍କ ରଚନାତ୍ମକ କାର୍ଯ୍ୟର କେନ୍ଦ୍ରବିନ୍ଦୁ ଭାବରେ ଗଢ଼ି ତୋଳିଲେ ।
- ୧୯୪୭: ହରିଜନ ଆନ୍ଦୋଳନ - ବ୍ୟାପକତର ହେଲା ।
- ୧୯୪୮ : ଭାଗଚାଷୀ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କଲେ ।
- ୧୯୪୯ : କୃଷକ ଆନ୍ଦୋଳନରେ ଯୋଗଦାନ ଓ ସାଧାରଣ ଲୋକଙ୍କ ପାଇଁ ଲଢ଼ି ବହୁ ମକୋଦ୍ଦମାରେ ଜଡ଼ିତ ।
- ୧୯୫୧ : ପ୍ରଥମ ବିଜ୍ଞାନ ବହି "ପବନ' ପ୍ରକାଶିତ । "ସମଗ୍ର ଗ୍ରାମସେବା କାର୍ଯ୍ୟ' ଅବ୍ୟାହତ ।
- ୧୯୫୨ : ପ୍ରଥମ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ।
- ୧୯୫୨-୫୩: 'କୃଷକ ' ପତ୍ରିକାର ସଂପାଦକତ୍ୱ ଗ୍ରହଣ-ନିର୍ବାଚନ ମକୋଦ୍ଦମା ।
- ୧୯୫୪ : ଜାନୁୟାରୀ ପହିଲା ଦିନ ମାତ୍ର ଗୋଟିଏ ଟଙ୍କ। ଧରି ଗାଁରୁ କଟକ ଚାଲିଆସିଲେ ଓ ସେହି ଦିନ ହିଁ ଜ୍ଞାନମଣ୍ଡଳ ପ୍ରଣୟନ ଲାଗି ଦୀର୍ଘ ତପସ୍ୟା ଓ ସାଧନାର ଅୟମାରମ୍ଭ ହେଲା । : "ଶିଶୁ ସଂପଦ' ଶିଶୁ ପତ୍ରିକା ଆରମ୍ଭ । ଚଳନ୍ତା ରାଇଜର ଅମୁହାଁ ନଈ ପୁସ୍ତକ ପ୍ରକାଶ ।
- ୧୯୫୫ : ଉତ୍କଳ ଦର୍ପଣ, ଶିଶୁ ସାହିତ୍ୟର ବିକାଶ ପାଇଁ ସମବାୟ ସଂସ୍ଥା ଗଠନ । ଓଡ଼ିଆ ଭାଷାରେ ବିଜ୍ଞାନର ଯେ କୌଣସି ଜଟିଳ ତତ୍ତ୍ୱକୁ ଯେ ସରଳ ଓ ସାବଲୀଳ ଢଙ୍ଗରେ ପ୍ରକାଶ କରାଯାଇପାରେ - ଏ' ଦିଗରେ ସଫ ଳତା ହାସଲ ।
- ୧୯୫୬-୫୯ : ବଞ୍ଚିବତ ଟିକିଏ ହସ, ନୂଆ ପଇସା କାହିଁକି, ନୂଆମାପ ଓଜନ, ନୀରୋଗଦେହ , ଲୋକଶିକ୍ଷା, ମାଛ ଚାଷ, ଅଜବ ଦୁନିଆ ବିଚିତ୍ର ମାଛ ଭଳି ପୁସ୍ତକ ପ୍ରକାଶ ।
- ୧୯୬୦ : ଡିସେମ୍ବର ୨ ତାରିଖ ଦିନ ଜ୍ଞାନମଣ୍ଡଳର ପ୍ରଥମ ଭାଗ ତତ୍କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଦ୍ୱାରା ଜାତି ଉଦ୍ଦେଶ୍ୟରେ ଅର୍ପିତ । ଓଡ଼ିଶା ଓ ଓଡ଼ିଶା ବାହାରେ ଏଭଳି ଉଦ୍ୟମର ପ୍ରଶଂସା ।
- ୧୯୬୨-୬୮ : ଜ୍ଞାନମଣ୍ଡଳର ଆଠ ଖଣ୍ଡ ପ୍ରକାଶିତ ।
- ୧୯୬୮-୮୮: ଜ୍ଞାନମଣ୍ଡଳର ଅବଶିଷ୍ଟ ଖଣ୍ଡ ପ୍ରକାଶିତ ।
- ୧୯୭୨-୭୩ : ସ୍ୱାଧୀନତା ସଂଗ୍ରାମର ଇତିହାସ "ମୁଠାଏ ଲୁଣ ଗୋଟାଏ ସାମ୍ରାଜ୍ୟ' ପ୍ରସ୍ତୁତି ପାଇଁ ସାରା ଓଡ଼ିଶା ଗସ୍ତ କରି ମୁକ୍ତି ସଂଗ୍ରାମୀଙ୍କ ବିବରଣୀ ଓ ଫଟୋ ସଂଗ୍ରହ ।
- ୧୯୭୫ : ଜୟ ପ୍ରକାଶ ନାରାୟଣଙ୍କ ଜୀବନୀ ପ୍ରକାଶ ।
- ୧୯୭୭ : ଉତ୍କଳମଣିଙ୍କ ଜନ୍ମ ଶତବାର୍ଷିକୀରେ ତାଙ୍କର ଜୀବନୀ ପ୍ରକାଶ ।
- ୧୯୮୦: "ଛାତିକି ପଥର କରି" ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ।
- ୧୯୮୨-୮୩ : ପିଲାଙ୍କ ପାଇଁ ଲିଖିତ ବିଜ୍ଞାନ ପୁସ୍ତକର ଦୁରଦର୍ଶନରେ ପ୍ରଚାର । ମାନ୍ଦ୍ରାଜରେ ଅନୁଷ୍ଠିତ ଜାତୀୟ ବିଶ୍ୱକୋଷ ସମ୍ମିଳନୀରେ ଯୋଗଦାନ ଓ ଏ ଦିଗରେ ଅବଦାନ ପାଇଁ ମୁଖ୍ୟମନ୍ତ୍ରୀ ଏମ. ଜି. ରାମଚନ୍ଦ୍ରନଙ୍କଦ୍ୱାରା ସମ୍ବର୍ଦ୍ଧିତ । ଆତ୍ମଜୀବନୀ ମୂଳକ ପୁସ୍ତକ "ଋଣ ପରିଶୋଧ' ପ୍ରକାଶ ପାଇଲା ।
- ୧୯୮୪ : ବିଶ୍ୱକୋଷ ପ୍ରଣୟନର ପଦ୍ଧତି ସଂପର୍କରେ ଜାଣିବା ପାଇଁ ବିଭିନ୍ନ ପ୍ରାନ୍ତୀୟ ଭାଷାରେ ରଚିତ ବିଶ୍ୱକୋଷ ସଂପାଦକମାନଙ୍କର ଜ୍ଞାନମଣ୍ଡଳ କାର୍ଯ୍ୟାଳୟକୁ ଆଗମନ । : ଭାରତ ସରକାରଙ୍କ ଫିଲ୍ମ ଡିଭିଜନଦ୍ୱାରା "ବିନୋଦ କାନୁନଗୋ' ବୃତ୍ତ ଚିତ୍ର ଓଡ଼ିଆ, ଇଂରାଜୀ ଓ ୧୪ଟି ଭାରତୀୟ ଭାଷାରେ ପ୍ରସ୍ତୁତ । "ଋଣ ପରିଶୋଧ' ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ।
- ୧୯୮୬: ଭାରତ ସରକାରଙ୍କଦ୍ୱାରା "ପଦ୍ମଶ୍ରୀ' ଉପାଧିରେ ସମ୍ମାନିତ ।
- ୧୯୮୭ : ଲୋକଶିକ୍ଷାର ପ୍ରସାର ପାଇଁ ଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ସମ୍ମିଳନୀରେ ଯୋଗଦାନ । ଭୁବନେଶ୍ୱରଠାର ଜାତୀୟ ବିଶ୍ୱକୋଷ କେନ୍ଦ୍ର (ନେସନାଲ ଏନସାଇକ୍ଲୋପିଡ଼ିଆ ସେଣ୍ଟର)ର ଉଦଘାଟନ ଉତ୍ସବ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲବ ପଟ୍ଟନାୟକଙ୍କଦ୍ୱାରା ସଂପନ୍ନ ।
- ୧୯୮୮ : ପିଲାଙ୍କ ବିଶ୍ୱକୋଷ "ଶିଶୁଜ୍ଞାନମଣ୍ଡଳ'ରସଂପାଦନ । : ଭୁବନେଶ୍ୱରରେ ପ୍ରଥମ ଜାତୀୟ ବିଶ୍ୱକୋଷ ସମ୍ମିଳନୀରେ ଅଧ୍ୟକ୍ଷତା କଲେ ।
- ୧୯୯୦: ଜୁନ ୨୨ ତାରିଖ ଦିନ ମହାପ୍ରୟାଣ ।[୧]
ସ୍ୱାଧୀନତାରେ ଯୋଗଦାନ
[ସମ୍ପାଦନା]୧୯୩୦ ଏପ୍ରିଲ ୧୦ ତାରିଖରେ ଗାନ୍ଧୀଜୀଙ୍କ ଡାକରା ନବମରୁ ଦଶମ ଶ୍ରେଣୀକୁ ଯିବା ଆଗରୁ ପାଠ ଛାଡ଼ିଦେଇ ସେ ଲବଣ ସତ୍ୟାଗ୍ରହରେ ଯୋଗଦେଲେ ଓ ନଭେମ୍ବର ୧୫ରେ ଜେଲ ବରଣ କରିଥିଲେ । ୧୯୩୧ରେ ପାଟଣା କ୍ୟାମ୍ପ ଜେଲରୁ ଖଲାସ ହେବା ପରେ ପୁଣି ୧୯୩୨ରେ କାରାରୁଦ୍ଧ ହେଲେ । ୧୯୩୩ରେ ବ୍ୟକ୍ତିଗତ ସତ୍ୟାଗ୍ରହରେ ମଧ୍ୟ ସେ ଯୋଗ ଦେଇଥିଲେ । ୧୯୩୪ରେ ସେ ଗାନ୍ଧିଜୀଙ୍କ ଛୁଆଁ ଅଛୁଆଁ ଭେଦଭାବ ବିରୋଧରେ ପଦଯାତ୍ରାରେ ଭାଗନେଇ "ସମାଜ"ର ବିଶେଷ ସମ୍ବାଦଦାତା ଭାବରେ ବିସ୍ତୃତ ବିବରଣୀ ପଠାଉଥିଲେ ।
ସାହିତ୍ୟ ସୃଷ୍ଟି
[ସମ୍ପାଦନା]ବିନୋଦ କାନୁନଗୋ ନିଜର କର୍ମମୟ ଜୀବନ ଭିତରେ ୧୧୦ ଗୋଟି ବହି ଲେଖିଯାଇଛନ୍ତି ।
- ଜ୍ଞାନମଣ୍ଡଳ: ୧୯୫୪ ମସିହା ଜାନୁଆରୀ ମାସରେ ତଥ୍ୟ ସଂଗ୍ରହ କାମ ଆରମ୍ଭ ହୋଇ ୧୯୬୦ ମସିହା ଡିସେମ୍ବର ମାସ ୨ ତାରିଖରେ ପ୍ରଥମ ଖଣ୍ଡଟି ପ୍ରକାଶିତ ହେଲା । ୧୯୬୧ରୁ ବିନୋଦଙ୍କ ପରଲୋକ ଅର୍ଥାତ୍ ୧୯୯୦ ଭିତରେ (ଶେଷ ଖଣ୍ଡ ୧୯୮୮) ଜ୍ଞାନମଣ୍ଡଳର ସମୁଦାୟ ୪୦ଟି ଭାଗ ପ୍ରକାଶିତ ହୋଇଥିଲା । ପରେ ଜ୍ଞାନମଣ୍ଡଳର ଏକ ସର୍ବାଧୁନିକ, ସଂକ୍ଷିପ୍ତ, ପୂର୍ଣ୍ଣାଙ୍ଗ ସଂସ୍କରଣ ପ୍ରକାଶିତ ହୋଇଛି। [୨]
- ଶିଶୁ ଜ୍ଞାନମଣ୍ଡଳ - ପ୍ରଥମ, ଦ୍ୱିତୀୟ (୨ ଖଣ୍ଡ)(୧୯୮୮)(ପ୍ରଥମ ଓଡ଼ିଆ ଶିଶୁ ବିଶ୍ୱକୋଷ)[୧]
- ସପ୍ତାସ୍ତ୍ର (ପ୍ରକାଶିତ ପ୍ରଥମ ବହି)
- ପବନ (ବିଜ୍ଞାନର ପ୍ରଥମ ବହି, ୧୯୫୧)
- ଚଳନ୍ତା ରାଇଜର ଅମୁହାଁ ନଈ (ରକ୍ତ ସଞ୍ଚାଳନ)
- ନୀରୋଗ ଦେହ (ସ୍ୱାସ୍ଥ୍ୟ ବିଜ୍ଞାନ)
- ମାଛଚାଷ
- ମାପ ଓଜନ (ମୌଳିକ ଭୌତିକୀ)
- ତିନି ଖଣ୍ଡି କାଉଁରୀ ହାଡ଼ (ଇଲେକଟ୍ରନ, ପେ୍ରାଟନ, ନିଉଟ୍ରନ)
- ଜୀବନ ତିଆରି କାରଖାନା (ପରିପାକ ତନ୍ତ୍ର)
- ଡାକିଲେ ଜବାବ ଦିଅନ୍ତା କି ! (ଜୀବକୋଷ ବିଜ୍ଞାନ)
- ମା' ଭଳି ମଶେିନଟିଏ (ଯକୃତ)
- ନିକିତି ତଉଲ ସାନ ବଡ଼କୁ (ସାମାଜିକ ବିଜ୍ଞାନ)
- ଚକ ବୁଲୁଥାଏ ଚକ ବୁଲୁଥାଏ (ଜଳଚକ୍ର)
- ଅଳ୍ପକେ କଳି ତୁଟିଗଲା (ଆଲୋକ ସଂଶେ୍ଳଷଣ)
- ଏଣିକି ତୁ ଦୁନିଆ ଜିତିବୁ ! (ଜୈବିକ ବିବର୍ତ୍ତନ)
- ମିଠେଇ ଦେହରେ ଲାଗିଲା ଡେଣା (ମଧୁପର୍କ)
- ଛାତିକି ପଥର କରି (ପ୍ରସ୍ତର ଯୁଗ) (୧୯୮୭)
- ଦୁଇଶହ ଗାଡ଼ିକୁ ଛ'ଶହ ଇଞ୍ଜି ନ (ମାଂସପେଶୀ ଓ ଅସ୍ଥି ବିଭାଗ)
- ମା' ବୋଲ ସିଏ ମାନିଲା ନାହିଁ (ମହାକାଶ ଯାତ୍ରା)
- ମୋ ଭଳି ସିନା ମୁଁ (ବିଭିନ୍ନ ବୃହତ ପ୍ରାଣୀ ସଂପର୍କିତ)
- ପେଟେ ଖାଇଲେ ବି ଉପାସ (କାହାଣୀ ଛଳରେ ପୁଷ୍ଟିବିଜ୍ଞାନ ଚର୍ଚ୍ଚା)
- ଟଙ୍କ।ଟା କେବେ ଟଙ୍କ।ଏ ନୁହେଁ (ଅର୍ଥନୀତି ବିଜ୍ଞାନ)
- ସେ ଚୁଲି କେବେ ଲିଭିବି ନାହିଁ (ସୂର୍ଯ୍ୟ ଓ ସୌରଶକ୍ତି)
- ସବୁତକ ଚାବି ଧରାଇ ଦେଲି (ମସ୍ତିସ୍କ)
- ଗୋଟିକ କେମିତି କୋଟିଏ ହେଲା (କୃଷି ବିଜ୍ଞାନ)
- ମୋ ବର୍ଣ୍ଣବୋଧରେ ୫୦୦ ଅକ୍ଷର (୫୦୦ପ୍ରକାର ଜ୍ଞାନରଅବଧାରଣା)
- ଏଣିକି ମୁଁ ମଣିଷ ଗଢ଼ିବି (ପ୍ରକୃତି ଓ ବିବର୍ତ୍ତନ)
- ଟିକିଏକେ ଶିରୀ ତୁଟିଗଲା (ପୁଷ୍ଟିବିଜ୍ଞାନ)
- ଗୋପାଳନ
- ବାଡ଼ି ବଗିଚାର ଔଷଧ ଗଛ
- ସ୍ୱାସ୍ଥ୍ୟ ଦୁର୍ଗର ବତିଶ ପ୍ରହରୀ (ଦାନ୍ତ ସଂପର୍କରେ)[୧]
- ନୂଆ ମାପ ଓ ଓଜନ
- ମହୁଚାଷ
- ନୂଆ ପଇସା କାହିଁକି
- ଗାଂଧୀ କଥା
- ବାପୁଜୀଙ୍କ ଉତ୍କଳରେ ପଦଯାତ୍ରା
- ମହାତ୍ମା ଗାନ୍ଧୀ
- ସର୍ଦ୍ଦାର ପଟେଲ
- ଶହୀଦ ନିରଞ୍ଜନ
- ଆଚାର୍ଯ୍ୟ ହରିହର
- ଜୟପ୍ରକାଶ
- ଉତ୍କଳମଣି ଗୋପବନ୍ଧୁ
- ଜାତୀୟକବି ବୀରକିଶୋର
- ରମାଦେବୀ
- କସ୍ତୁରବା
- ପିଲାଙ୍କ ଜୟପ୍ରକାଶ
- ପିଲାଙ୍କ ଗୋପବନ୍ଧୁ
- ପିଲାଙ୍କ ଜବାହରଲାଲ
- ଲୋକଶିକ୍ଷା
- ଉତ୍କଳ ଦର୍ପଣ
- ଜାପାନରେ କୃଷି ଓ କୁଟୀର ଶିଳ୍ପ (ମର୍ମାନୁବାଦ)
- ଗଣତନ୍ତ୍ରର ଆଦର୍ଶ ସୁଇଜରଲ୍ୟାଣ୍ଡ (ମର୍ମାନୁବାଦ)
- ମଣିଷ କ'ଣ ଅଛୁଆଁ ?
- ଅଜବ ଦୁନିଆ
- ବଞ୍ଚିବା ତ ଟିକିଏ ହସ
- ନାଁ ଦେବାଟା କେତେ କଷ୍ଟ ! (ବ୍ୟାକରଣ)
- ଋଣ ପରିଶୋଧ (ଆତ୍ମ ଚରିତ,୧୯୮୪))
- ପାଠ ପଛେ ପଛେ ଅପାଠୁଆ (ଆତ୍ମ ଚରିତ)
- ଦରିଆ ଦଖଲ
- ବାନ୍ଧ ତୁମ ପୁଡ଼ା ପୁଟୁଳା
- ସୂତା ଖିଅକରେ ସ୍ୱରାଜ୍ୟ ଝୁଲୁଛି
- କାହା ମୁଣ୍ଡରେ ସୁନା କଳସ
- ମନ୍ତ୍ର ଫୁଙ୍କି ବାକୁ ଭୁଲିଗଲା
- ଘରେ ଘରେ ସୁନାଖଣି
- ବଡ଼ଙ୍କ ବଡେ଼ଇ ରହିଲା ନାହିଁ
- ମୁଠାଏ ଲୁଣ ଗୋଟିଏ ସାମ୍ରାଜ୍ୟ
- ଆମେ ଭୋଟ ଦେବା କାହିଁକି
- ସୂତା କଟା
- ଶିଶୁ ସମ୍ପଦ (ସମ୍ପାଦକ ଭାବରେ)
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ୧୯୧୮ ସାଲରେ "ସତ୍ୟବାଦୀ"ରେ ଅଭିମାନ ଓ କ୍ଷୋଭର ସହ ଲେଖିଥିଲେ, ଓଡ଼ିଶାରେ ଧନ ସଙ୍ଗେ ବିଦ୍ୟାର ଯୋଗ ନାହିଁ। ପୁଣି ଧନୀ ଓ ଜ୍ଞାନୀମାନଙ୍କର ସହଯୋଗିତା ନାହିଁ ... ନିକଟ ଭବିଷ୍ୟତରେ ଇନସାଇକ୍ଲୋପିଡ଼ିଆ ଭଳିଆ ଗୋଟିଏ କାର୍ଯ୍ୟ ସ୍ୱପ୍ନରେ ମଧ୍ୟ ଓଡ଼ିଆ ଭାଷାରେ ଆଶା କରାଯାଇପାରେ କି ? ଏହି ଆହ୍ୱାନ ଗ୍ରହଣ କରିଥିଲେ ବିନୋଦ କାନୁନଗୋ, ଯେତେବେଳେ ସେ ବକ୍ତବ୍ୟ ଦେଲେ, ମୁଁ ନିଜେ ଜଣେ ଡ୍ରପ ଆଉଟ ବା ଦଶମ ଶ୍ରେଣୀ ଆରମ୍ଭରୁ ପାଠ ଛାଡ଼ିବା ଲୋକ । ଯେଉଁଦିନ ସ୍କୁଲ ଛାଡ଼ି ଗାନ୍ଧୀ ଆନ୍ଦୋଳନରେ ଯୋଗ ଦେଲି ସେଦିନ ହିଁ ଶପଥ ନେଇଥିଲି ଯେ, ସ୍କୁଲ ଛାଡ଼ିବି ସିନା, ପାଠ ଛାଡ଼ିବି ନାହିଁ । ଗୋଟିଏ ଜାତି ପାଇଁ ସେ ଯେଉଁ ଅପୂର୍ବ କର୍ମ ସଂପାଦନ କରିଛନ୍ତି ଏବଂ ଓଡ଼ିଶାକୁ ଜ୍ଞାନ-ଯୁଗ ଆଡ଼କୁ ଅଗ୍ରସର କରାଇଛନ୍ତି, ତାର ପଟାନ୍ତର ନାହିଁ ।
ତେବେ ଏଥିପାଇଁ ଦରକାର ଜଣକ ନିକଟରେ ନିଜ ଅନ୍ତରରେ ଅହରହ ପ୍ରଜ୍ୱଳିତ ହେଉଥିବା ଉତ୍ସାହ, ନିଷ୍ଠାପରତା ଏବଂ ଲକ୍ଷ୍ୟ ହାସଲ ପାଇଁ ପ୍ରତିଶ୍ରୁତି ବଦ୍ଧତା । ଏହାର ପ୍ରମାଣ ରହିଛି ଉକ୍ତ ପ୍ରଣେତାଙ୍କ ଏଇ ବାକ୍ୟମାନଙ୍କରେ, ମୁଁ ମନୁଷ୍ୟ । ଅନ୍ୟ ପ୍ରାଣୀମାନଙ୍କ ତୁଳନାରେ ମୋର ଗୋଟିଏ ଉନ୍ନତ ମସ୍ତିଷ୍କ ଅଛି । ତେଣୁ ଜଗତର ଯେ କୌଣସି କଥା ଜାଣିବା ପାଇଁ ଆଗ୍ରହ ହେବ । ମୁଁ ସହଜରେ ଜାଣିବି-ଜାଣିବାର ସୁଯୋଗ ପାଇବି । ମୁଁ ମନୁଷ୍ୟ ହୋଇଥିବାରୁ ଜ୍ଞାନ ହାସଲ କରିବାଟା ମୋର ଜନ୍ମଗତ ଅଧିକାର । ସେହି ଅଧିକାରରୁ କେହି ମୋତେ ବଞ୍ଚିତ କରିପାରିବେ ନାହିଁ । ଗୋଟିଏ ଅଭିଧାନରୁ ଗୋଟିଏ ଭାଷାର ପ୍ରତ୍ୟେକ ଶବ୍ଦର ଅର୍ଥ ମିଳିଗଲା ଭଳି ଗୋଟିଏ ପୁସ୍ତକରୁ ମାନବ ଜ୍ଞାନର ପ୍ରତ୍ୟେକ ବିଭାଗର ସଂକ୍ଷିପ୍ତ ପରିଚୟ ମିଳୁଥିବା ପୁସ୍ତକଟିର ଆବଶ୍ୟକତା ଅନୁଭବ କରାଗଲା ... ଆମେ ଓଡ଼ିଆ । ଆମର ଗୋଟିଏ ଉନ୍ନତ ଭାଷା ଅଛି । ଦୁନିଆର ଚାରିଆଡେ଼ ଏହି ଭଳି ପୁସ୍ତକ ପ୍ରକାଶ ପାଉଥିଲା ବେଳେ ଆମେ କଣ ସେଭଳି କରି ପାରିବା ନାହିଁ ? ଏହି ପ୍ରଶ୍ନ ଯେତେବେଳେ ମୋ ମନ ଭିତରେ ଉଠିଛି, ମୁଁ ବ୍ୟଥିତ ହୋଇ ପଡ଼ିଛି... ନିଶ୍ଚୟ ପ୍ରକାଶ ପାଇବା ଉଚିତ ବୋଲି ବିଚାରି ୧୯୫୪ରେ ଗୋଟିଏ ଯୋଜନା କଲି ଓ ଆଜିର ଏହି ପ୍ରଥମ ଖଣ୍ଡିକ ସେଇ ଯୋଜନାର ଫ ଳ । (ମୁଖବନ୍ଧ - ନିଜ କଥା - ଜ୍ଞାନ ମଣ୍ଡଳ-୧ମ ଭାଗ-୨୦.୧୧.୧୯୬୦) ।
ତେବେ ବିନୋଦ କାନୁନଗୋ ମାତ୍ର ଟଙ୍କ।ଟିଏ ଖର୍ଚ୍ଚ ମୂଳଧନ କରି ପ୍ରଣୟନ କଲେ ଓଡ଼ିଆ ଜ୍ଞାନକୋଷ - ଜ୍ଞାନମଣ୍ଡଳ। (ସମାଜ - ୨୧ .୦୪ .୨ ୦୧ ୨) ତେଣୁ ଧନୀର ବିନା ସହଯୋଗରେ ଜଣେ ଅଧାପାଠୁଆ ଜ୍ଞାନୀ ଏଇ ବିରାଟ ଯୋଜନାର ମୂଳଦୁଆ ପ୍ରାରମ୍ଭ କଲାପରେ ଏହା ବିନୋଦ କାନୁନଗୋଙ୍କୁ ଜଣେ ଜ୍ଞାନ-ତପସ୍ୱୀ, ଜ୍ଞାନ ମଣ୍ଡଳର ଏକକ ରଚୟିତା, ଗବେଷକ ଓ ଚଳମାନ ବିଶ୍ୱକୋଷ ଭାବେ ପରିଚୟ ପ୍ରଦାନ କଲା। ଏଥିପାଇଁ ସେ କମ ଅଧ୍ୟବସାୟ କରିନାହାନ୍ତି । କନିକା ପାଠାଗାରରେ ଘଣ୍ଟା ଘଣ୍ଟା ରହି ବିଭିନ୍ନ ପୁସ୍ତକ ଅଧ୍ୟୟନ ଓ ପତ୍ର ପତ୍ରିକାରୁ ଅସଂଖ୍ୟ କଟିଂ ରଖିବା ପରେ ୪୦ରୁ ୫୦ ହଜାର ଯାଏ ଫ।ଇଲ ସୃଷ୍ଟି କଲେ । ୬୦ ଖଣ୍ଡରେ ପ୍ରକାଶ ପାଇବାକୁ ଥି ଲା ଏଇ ତଥ୍ୟାବଳୀ । ୨୨ ଜୁନ ୧୯୯୦ରେ ତାଙ୍କ ମୃତ୍ୟୁବେଳକୁ ଏହାର ୪୦ ଖଣ୍ଡ ଉନ୍ମୋଚିତ ହୋଇଥିଲା, ଯାହାର ପ୍ରଥମ ଖଣ୍ଡ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡକଟର ହରେକୃଷ୍ଣ ମହାତାବ ୨.୧୨.୧୯୬୦ରେ ଉନ୍ମୋଚନ କରିଥିଲେ ।
କଥିତ ଅଛି ଯେ ତ୍ରୟୋଦଶ ଶତାବ୍ଦୀରେ ମଧ୍ୟଯୁଗର ପ୍ରଖ୍ୟାତ ଇଂରେଜ ବୈଜ୍ଞାନିକ ରୋଜର ବେକନ ବିଶ୍ୱର ସର୍ବ ପ୍ରଥମ ଜ୍ଞାନକୋଷ ରଚନା କରିଥିଲେ । କିନ୍ତୁ ତାହା ଲୋକଲୋଚନକୁ ଆସିବା ଆଗରୁ କୁଆଡେ଼ ଅନ୍ତର୍ହିତ ହୋଇଗଲା । ଏହାର ପ୍ରାୟ ପାଞ୍ଚ ଶହ ବର୍ଷ ପରେ ଏନସାଇକ୍ଲୋପିଡ଼ିଆ ବ୍ରିଟାନିକାର ଆବିର୍ଭାବ ହେଲା । ତେଣୁ ଜ୍ଞାନକୋଷ ପ୍ରଣୟନ କରିବା କେତେ ଦୁଃସାଧ୍ୟ -ଏଥିରୁ ଅନୁମୟେ । ଡକ୍ଟର ଗୋକୁଳାନନ୍ଦ ମହାପାତ୍ରଙ୍କ ବୈଜ୍ଞାନିକ ଜ୍ଞାନକୋଷ (୨୦୦୫)ରେ ପ୍ରକାଶକ ବିଦ୍ୟାପୁରୀ (କଟକ)ଙ୍କଦ୍ୱାରା ପ୍ରକାଶିତ ହେଇଥିଲା ।
ବିନୋଦ କାନୁନଗୋ ଏନସାଇକ୍ଲୋପିଡ଼ିଆକୁ ତିନି ଶ୍ରେଣୀରେ ବିଭକ୍ତ କରିଛନ୍ତି । ଯଥା :
- ବିଶେଷଜ୍ଞଙ୍କ ପାଇଁ ରିଫେରେନସ ଏନସାଇକ୍ଲୋପିଡ଼ିଆ
- କିଶୋର କିଶୋରୀଙ୍କ ପାଇଁ ଚିତ୍ରବହୁଳ ଓ ସରଳ ଭାଷାରେ ଲିଖିତ ଚିଲ୍ଡରେନ୍ସ ଏନସାଇକ୍ଲୋପିଡ଼ିଆ
- ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଜନପ୍ରିୟ, ସୁଖପାଠ୍ୟ, ସହଜବୋଧ୍ୟ ପପୁଲାର ଏନସାକ୍ଲୋପିଡ଼ିଆ ।
ସେ ତାଙ୍କ ଜ୍ଞାନମଣ୍ଡଳକୁ "ପପୁଲାର ଏନସାଇକ୍ଲୋପିଡ଼ିଆ" (ସୁଖପାଠ୍ୟ ଓଡ଼ିଆ ଏନସାଇକ୍ଲୋପିଡ଼ିଆ) ଶ୍ରେଣୀଭୁକ୍ତ କରିଛନ୍ତି । କିନ୍ତୁ ସେଥିରେ ଯେତେ ସଂଖ୍ୟକ ଚିତ୍ର ରହିଛି ଏବଂ ବିଷୟବସ୍ତୁର ବର୍ଣ୍ଣନା ଯେମିତି ହୋଇଛି, ତାହା ଅଳ୍ପ ପାଠ ପଢ଼ିଥିବା ଆଗ୍ରହୀ ପିଲାମାନେ ମଧ୍ୟ ସହଜରେ ଧରିପାରିବେ । ତେଣୁ ଉପରୋକ୍ତ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ଏହା ଏକ ସ୍ୱାଗତଯୋଗ୍ୟ ସମାହାର ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ।
ଉଲ୍ଲେଖନୀୟ ଯେ ବିନୋଦ କାନୁନଗୋ ଜଣେ ଶିଶୁ ସାହିତ୍ୟିକ । ପ୍ରସ୍ତରଯୁଗୀୟ ମାନବ ସମ୍ବନ୍ଧରେ ରଚିତ "ପିଲାମାନଙ୍କ ପାଇଁ ୩୬୫ ଦିନ "ସିରିଜ ସକାଶେ ୧୯୮୦ଙ୍କ ବର୍ଷର ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପୁରସ୍କାର ତାଙ୍କୁ ପ୍ରଦତ୍ତ କରାଯାଇଥିଲା । ୧୯୮୪ର ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପୁରସ୍କାରପ୍ରାପ୍ତ ତାଙ୍କର ଆତ୍ମଚରିତ "ଋଣ ପରିଶୋଧ", "ଆଉରି ବରକୋଳି ନିଅ" ଅଧ୍ୟାୟରେ ସେ ନିଜର ପିଲାଦିନର ସ୍ମୃତିକୁ ଯେମିତି ଉପସ୍ଥାପନ କରିଛନ୍ତି, ତାହା ଯେ କୌଣସି ବୟସର ପାଠକକୁ ମୁଗ୍ଧ କରିବ । ସେଥିରେ ବର୍ଣ୍ଣିତ ହୋଇଛି ଶତପଥୀ ନାମକ ଜଣେ ପଣ୍ଡିତଙ୍କ ବିଷୟ, ଯିଏକି ଜମିଦାର ବିହାରୀଲାଲଙ୍କ ଘରକୁ ପ୍ରତିଦିନ ଯାଆନ୍ତି ଗୀତାର ଅନୁବାଦ ସହ ଟୀକା ରଚନା କରିବାକୁ । ପଣ୍ଡିତ ଶତପଥୀ ରାତିରେ ଘରକୁ ଫେରିବା ବେଳେ ଗୋଟିଏ ଥାଳିରେ ବିହାରୀଲାଲଙ୍କଠାରୁ ସିଦା ନେଉଥିଲେ, ଯେଉଁଥିରେ ପର୍ଯ୍ୟାପ୍ତ ଚାଉଳ, ଡାଲି, ପରିବାଦି ଥାଏ । ଥରେ ସେଇ ସଞ୍ଚାରେ ବିହାରୀଲାଲ ଚାରୋଟି ଗୋଲ ଆଳୁ ଦେଇଥିଲେ । ଏହାର ବର୍ଣ୍ଣନା କାନୁନଗୋଙ୍କ ଭାଷାରେ, "ପଣ୍ଡିତ ଶତପଥୀ" ସେଠାରେ କିଛି କହି ନ ପାରି ଗାମୁଚ୍ଛାରେ ପୂରାଇ ନେଇଗଲେ । ଘରେ ଯାଇ ସେତକ ସବୁ ବାରିଆଡେ଼ ଫେ।ପାଡ଼ି ଦେଇ ଘରେ ଆସି ଗାଧୋଇଲେ । ପଇତା ବଦଳାଇଲେ ... ତା' ପରଦିନ ଜମିଦାର ତାଙ୍କୁ ପଚାରିଲେ, "କାଲି ଯେଉଁ ନୂଆ ଚିଜ ଦେଇଥିଲି ତାକୁ କେମିତି ରନ୍ଧିଲ ?" ଶତପଥୀ ଟିକିଏ ଶଙ୍କି ଯାଇ କହିଲେ, "ଜୀବନରେ ମୁଁ କେବେ ପକ୍ଷ୍ୟଣ୍ଡ (ପକ୍ଷୀର ଅଣ୍ଡା) ଛୁଇଁ ନାହିଁ । ତେଣୁ ତାକୁ ଫେ।ପାଡ଼ି ଦେଲି । ସିଦା ମାରା ହୋଇ ଯାଇଥିଲା ବୋଲି ତାକୁ ମଧ୍ୟ ଫେ।ପାଡ଼ି ଦେଲି ।" ବିହାରୀ ହସିଲେ - "ଆଳୁକୁ ଯେ ଅଣ୍ଡା ବୋଲି ଧରିନେଲେ - ସେଥିପାଇଁ ହସ ।"
- ଏଇ ଘଟଣାଟିର ଛାପ ଜ୍ଞାନମଣ୍ଡଳର ପ୍ରଥମ ଭାଗରେ ୮୬ ପୃଷ୍ଠାରେ ପଡ଼ିଲା ପରି ମନେହୁଏ, ଯେତେବେଳେ "ଅଣ୍ଡା" ବିଷୟରେ କାନୁନଗୋ ଲେଖିଛନ୍ତି, କେଉଁଟି ସବୁଠୁ ବଳି "ଆଶ୍ଚର୍ଯ୍ୟ ଖାଦ୍ୟ"ବୋଲି ଯଦି ପଚରାଯାଏ, ତେବେ ଗୋଟିଏ ମାତ୍ର ଉତ୍ତର ମିଳିବ; ସେ ଉତ୍ତରଟି ହେଲା "ଅଣ୍ଡା"। ଏହା ହେଉଛି ଗୋଟିଏ କଠିନ ବିଷୟବସ୍ତୁର ସରସ ଆରମ୍ଭ ।
ସମ୍ମାନ
[ସମ୍ପାଦନା]- ପଦ୍ମଶ୍ରୀ, ୧୯୮୬
- ଋଣ ପରିଶୋଧ (ଆତ୍ମଜୀବନୀ, ୧୯୮୪) ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର [୩]
- ଛାତିକି ପଥର କରି ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୦[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ http://www.orissabigyanacademy.nic.in/pdf/June-2012-SH.pdf Archived 2016-03-11 at the Wayback Machine. Monthly Odia magazine "Bigyan Diganta"(June,2012 )
- ↑ The Encyclopaedia Of Indian Literature (volume Two) (devraj To Jyoti), Amaresh Datta, Sahitya Akademi Publications, 2006 ISBN 978-81-260-1194-0
- ↑ http://orissa.gov.in/e-magazine/orissaannualreference/OR-Annual-2009/pdf/94-101.pdf
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 27 March 2019. Retrieved 15 January 2017.
ଅଧିକ ତଥ୍ୟ
[ସମ୍ପାଦନା]- I & PR govt of Odisha, OGP-MP-PTS-U4 (I & P.R.) 13-500-3-6-2011
- Binod Kanungo, Sahitya Akademi Publications , 1999 ISBN 978-81-260-0754-7
- ପଦ୍ମଶ୍ରୀ ବିନୋଦ କାନୁନଗୋ ଜନ୍ମ ଶତବାର୍ଷିକୀ ବିଶେଷାଙ୍କ "ବିଜ୍ଞାନ ଦିଗନ୍ତ" Archived 2016-03-11 at the Wayback Machine.