ଉତ୍କଳ ସାହିତ୍ୟ ସମାଜ
ଉତ୍କଳ ସାହିତ୍ୟ ସମାଜ ଏକ ସାହିତ୍ୟ ଅନୁଷ୍ଠାନ । ୧୮୯୪ ମସିହାରେ କଟକର ନର୍ମାଲ ସ୍କୁଲ ହେଉଛି ଉତ୍କଳ ସାହିତ୍ୟ ସମାଜର ଅୟମାରମ୍ଭ । ବିଦ୍ୟାଳୟର ଶିକ୍ଷା ବ୍ୟତିତ ଛାତ୍ରମାନଙ୍କ ମଧ୍ୟରେ ସାହିତ୍ୟ ଆଲୋଚନାର ବିକାଶ ଘଟାଇବା ପାଇଁ ତତ୍କାଳୀନ କଟକ ନର୍ମାଲ ସ୍କୁଲର ଅଧ୍ୟକ୍ଷ ଭକ୍ତକବି ମଧୁସୂଦନ ରାଓ ଗୋଟିଏ ଆଲୋଚନା ସଭା ଗଠନ କରିଥିଲେ ।[୧] ଉତ୍କଳ ସାହିତ୍ୟର ବିକାଶ ଘଟାଇବା ହେଲା ଏହି ଆଲୋଚନା ସଭାର ମୂଳ ଉଦ୍ଦେଶ୍ୟ । ପ୍ରତି ଶନିବାରରେ ଏହି ସଭାର ବୈଠକ ବସିବାରେ ଲାଗିଲା । ଟ୍ରେନିଂ ସ୍କୁଲର ସମସ୍ତ ଛାତ୍ର ଓ ଶିକ୍ଷକ ଏହି ସଭାର ସଭ୍ୟ ହେଲେ । ଚନ୍ଦ୍ରମୋହନ ମହାରଣା ହେଲେ ପ୍ରଥମ ସଂପାଦକ । ଅନ୍ୟ ସ୍କୁଲର ଯେଉଁମାନେ ସଭାର ସଦସ୍ୟ ରହିଲେ ସେମାନେ ହେଲେ ବିଶ୍ୱନାଥ କର, ରାଜମୋହନ ବସୁ , ମିଛୁ ନନ୍ଦ, ନନ୍ଦ କିଶୋର ବଳ - ଟାଉନସ୍କୁଲ ଏବଂ କୃଷ୍ଣପ୍ରସାଦ ଚୌଧୁରୀ ବାଳିକା ସ୍କୁଲର ଶିକ୍ଷକ ବୃନ୍ଦ । ଏହି ସଭାର ପ୍ରତିଷ୍ଠା ଦିବସଠାରୁ ଦୀର୍ଘ ନ’ବର୍ଷ ଯାଏଁ ମଧୁବାବୁ ଏହାର ସଭାପତି ଥିଲେ ।[୨]
ଉତ୍କଳ ସାହିତ୍ୟ ସମାଜ ୧୯୦୩ ମସିହା ମଇ ମାସ ୭ ତାରିଖରେ ବିଧିବଦ୍ଧ ଭାବେ ଗଠିତ ହୋଥିଲା ।[୩] ଏହାର ସଭାଗୃହ ଶ୍ରୀରାମଚନ୍ଦ୍ର ଭବନ ହେବା ପୂର୍ବରୁ ଏହାର ସଭାଗୁଡ଼ିକ ଟାଉନ ହଲ ଓ ନର୍ମାଲ ସ୍କୁଲରେ ଆୟୋଜିତ ହେଉଥିଲା । ୧୯୧୯ ମସିହା ଜୁଲାଇ ୧୯ ତାରିଖରେ କଟକ ମ୍ୟୁନିସିପାଲିଟି ପ୍ରଦତ୍ତ ଭୂମିରେ ଶ୍ରୀରାମ ଚନ୍ଦ୍ର ଭବନର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଥିଲା ।[୪] ଉକ୍ତ ସଭାରେ ଆଳି ରାଜା ସାହେବ ସଭାପତିତ୍ୱ କରିଥିଲେ। ଶ୍ରୀରାମ ଚନ୍ଦ୍ର ଭବନର ନିର୍ମାଣ ନିମନ୍ତେ ଆଳି ରାଜା ସାହେବ ବ୍ରଜ ସୁନ୍ଦର ଦେବ, ସୁକିନ୍ଦା ରାଜା ସାହେବ, ମୟୂରଭଞ୍ଜ ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ ବହୁ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ମୟୂରଭଞ୍ଜ ରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଙ୍କ ନାମାନୁସାରେ ନାମିତ ଉକ୍ତ ସଭାଗୃହକୁ ମୟୂରଭଞ୍ଜ ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ ଉଦଘାଟନ କରିଥିଲେ । ରାୟ ବାହାଦୁର ଯୋଗେଶ ଚନ୍ଦ୍ର ରାଏ ଓ ଉତ୍କଳ ଗୌରବ ମଧୁସୂଦନ ଦାସ ଉତ୍କଳ ସାହିତ୍ୟ ସମାଜର ଅଭିଭାବକ ସଭ୍ୟ ଭାବେ ପରିଚିତ ଥିଲେ । ଏହାର ପ୍ରଥମ ସଭାପତି ଭକ୍ତ କବି ମଧୁସୂଦନ ରାଓ ଓ ସମ୍ପାଦକ ଭାବେ ବିଶ୍ୱନାଥ କର କାର୍ଯ୍ୟ କରିଥିଲେ ।[୫] ରାମଶଙ୍କର ରାୟ ଉତ୍କଳ ସାହିତ୍ୟ ସମାଜର ପ୍ରଥମ ଉପ-ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । [୬]
ଆଧାର[ସମ୍ପାଦନା]
- ↑ ଦେବୀ, ମୀନାକ୍ଷୀ. "ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର କିର୍ତ୍ତୀସ୍ତମ୍ଭ". ଧରିତ୍ରୀ. Retrieved 9 May 2017.
- ↑ various. Eng Mahabharata Revisited 1. Sahitya Akademi. pp. 13–. ISBN 978-81-260-2123-9. Retrieved 26 September 2012.
- ↑ "Encyclopaedia of Indian Literature: devraj to jyoti - Amaresh Datta - Google Books". books.google.co.in. 2012. Retrieved 11 May 2012.
- ↑ "bhub1". orissa.gov.in. 2002. Retrieved 11 May 2012.
Utkal Sahitya Samaj, is located at Sri Ram Chandra Bhavan
- ↑ "Eminent Persons -123orissa.com". 123orissa.com. 2002. Retrieved 11 May 2012.
He was the first President of 'Utkal Sahitya Samaj'
- ↑ Jaẏanta Kumāra Dāsa (1 January 1998). Ramshankar Ray. Sahitya Akademi. pp. 58–. ISBN 978-81-260-0548-2. Retrieved 27 September 2012.
Utkal Sahitya Samaj was established with Ramshankar as its Vice-President