ବୈକୁଣ୍ଠନାଥ ପଟ୍ଟନାୟକ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ବୈକୁଣ୍ଠନାଥ ପଟ୍ଟନାୟକ
Baikunthanath Patnaik.jpg
ଜନ୍ମ ୧୪ ସେପ୍ଟେମ୍ବର ୧୯୦୪(1904-09-14)
ବଡ଼ମ୍ବା
ମୃତ୍ୟୁ ୨୬ ଜାନୁଆରୀ, ୧୯୭୯ (୭୪ ବର୍ଷ)
ବୃତ୍ତି ଶିକ୍ଷକ[୧]
ଭାଷା ଓଡ଼ିଆ
ଆଞ୍ଚଳିକତା ଓଡ଼ିଆ
ଶିକ୍ଷା ସ୍ନାତକ (ଓଡ଼ିଆ)
ଶିକ୍ଷାନୁଷ୍ଠାନ ସତ୍ୟବାଦୀ ବନ ବିଦ୍ୟାଳୟ,
ରେଭେନ୍ସା ମହାବିଦ୍ୟାଳୟ,
କଲିକତା ବିଶ୍ଵବିଦ୍ୟାଳୟ
ସମୟ ସବୁଜ ଯୁଗ
ସାହିତ୍ୟ କୃତିs ଉତ୍ତରାୟଣ
ପୁରସ୍କାର କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର, ୧୯୬୫
ଜୀବନ ସାଥି ଆଦରମଣି ଦେବୀ
ସନ୍ତାନ ସୁନନ୍ଦା ପଟ୍ଟନାୟକ

ଦସ୍ତଖତ

କବି ବୈକୁଣ୍ଠନାଥ ପଟ୍ଟନାୟକ ସବୁଜଗୋଷ୍ଠୀର (ସବୁଜ ଯୁଗ)ର ଜଣେ କବି ଥିଲେ ।[୨] ସେ ୧୯୦୪ ମସିହା ସେପ୍ଟେମ୍ବର ୧୪ ତାରିଖରେ ବଡ଼ମ୍ବାର କୃଷିପ୍ରେମୀ, ସ୍ୱାଧୀନଚେତା ସୁମନ୍ତ ପଟ୍ଟନାୟକଙ୍କ ପୁତ୍ରଭାବେ ଜନ୍ମ ଗ୍ରହଣ କରିଥିଲେ। ସେହି ବଡ଼ମ୍ବାରେ ରହୁଥିବା ତାଙ୍କ ପିଉସା ଦୀନବନ୍ଧୁ ପଟ୍ଟନାୟକ ନିଃସନ୍ତାନ ଥିବାରୁ ସେ ତାଙ୍କର ପୋଷ୍ୟପୁତ୍ର ଭାବେ ତାଙ୍କ ଗୃହରେ ସାରାଜୀବନ ଅତିବାହିତ କରିଥିଲେ ।

ଶିକ୍ଷା[ସମ୍ପାଦନା]

ତାଙ୍କର ଶିକ୍ଷା ଆରମ୍ଭ ହୋଇଥିଲା ବଡ଼ମ୍ବାଗଡ଼ ନିବାସୀ ମାଟିବଂଶର ଅବଧାନଙ୍କ ପାଖରେ। ବାଲ୍ୟଶିକ୍ଷା ଶେଷ କରି ବଡ଼ମ୍ବାରେ ନବସ୍ଥାପିତ ନିମ୍ନ ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷାଗ୍ରହଣ କଲାପରେ ସେ କଟକ କଲେଜିଏଟ ବିଦ୍ୟାଳୟରେ ଶିକ୍ଷାଲାଭ କଲେ। ସେ ସମୟର ସ୍ୱାଧିନତା ଆନ୍ଦୋଳନ ଡ଼ାକରାରେ ସେ କଲେଜିଏଟ ସ୍କୁଲ ପରିତ୍ୟାଗ କରି ସତ୍ୟବାଦୀ ବନ ବିଦ୍ୟାଳୟରେ ଯୋଗଦାନ କରିଥିଲେ। ଏଠାରେ ପଣ୍ଡିତ ଗୋପବନ୍ଧୁ ଦାସ ଓ ପଣ୍ଡିତ ଗୋଦାବରୀଶଙ୍କ ସାହଚର୍ଯ୍ୟ ଓ ବଳିଷ୍ଠ ଶିକ୍ଷାଦାନର ଲାଭ ପାଇଥିଲେ । ଏଠାକାର ଜଳବାୟୁ ତାଙ୍କ ଦେହସୁହା ନ ହେବାରୁ ସେ ଢେଙ୍କାନାଳ ଉଚ୍ଚବିଦ୍ୟାଳୟରେ ନାମ ଲେଖାଇଲେ। ସେଠାରୁ ଶିକ୍ଷା ସମାପନ କରି ସେ ରେଭେନ୍ସା ମହାବିଦ୍ୟାଳୟରେ ନାମ ଲେଖାଇଲେ । ସେଠାରେ ଅଧ୍ୟୟନ କାଳରେ ସେ ସହପାଠୀ ଅନ୍ନଦା ଶଙ୍କର ରାୟ, କାଳିନ୍ଦୀ ଚରଣ ପାଣିଗ୍ରାହୀ, ହରିହର ଓ ଶରତଚନ୍ଦ୍ରଙ୍କ ସହିତ ମିଶି ସେ ‘ନନସେନ୍ସ କ୍ଲବ’ ନାମକ ସବୁଜ ସାହିତ୍ୟ ସମିତି ଗଠନ କରିଥିଲେ ଓ ‘ଅବକାଶ’ ନାମକ ପତ୍ରିକା ଥିଲା ଏହି ସମିତିର ମୁଖପତ୍ର । ସବୁଜଯୁଗର ଏହି ପଞ୍ଚସଖାଙ୍କର ଅବଦାନ ଓଡ଼ିଆ ସାହିତ୍ୟ ପ୍ରତି ଅତୁଳନୀୟ।[୩] ୧୯୨୬ରେ ସେ ବି.ଏ. ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ କଟକସ୍ଥିତ ପ୍ରଶିକ୍ଷଣ ମହାବିଦ୍ୟାଳୟରେ ଯୋଗଦାନ କରିଥିଲେ। ୧୯୩୧ ମସିହାରେ ସେ କଲିକତା ବିଶ୍ୱବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକ କରିଥିଲେ।

କର୍ମ ଜୀବନ[ସମ୍ପାଦନା]

ଉଚ୍ଚତର ଶିକ୍ଷା ସମାପନ କରି ସାରିବାପରେ ସେ ତତ୍କାଳିନ ବିହାର-ଓଡ଼ିଶା ପ୍ରଦେଶ ଅନ୍ତର୍ଗତ ପୁରୁଲିଆ ସରକାରୀ ବିଦ୍ୟାଳୟ ଓ ପାଟନା କଲେଜିଏଟ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ। ଏହାପରେ ସେ ରେଭେନ୍ସା କଲେଜିଏଟ୍ ବିଦ୍ୟାଳୟରେ ଯୋଗ ଦେଇଥିଲେ। କର୍ମମୟ ଜୀବନର ଶେଷ ପର୍ଯ୍ୟାୟରେ ସେ ଥିଲେ ବିଦ୍ୟାଳୟ ପରିଦର୍ଶକ ଓ ପ୍ରୌଢ଼ଶିକ୍ଷା ବିଭାଗର ଉଚ୍ଚ ପଦାଧିକାରୀ । ୧୯୫୯ ମସିହାରେ ସେ ସେବାନିବୃତ୍ତ ହୋଇଥିଲେ । ଶିକ୍ଷକ ଭାବରେ ସେ ଟିଉସନ ପ୍ରଥାକୁ ବିରୋଧ କରୁଥିଲେ । ବ୍ୟବସ୍ଥାସହ ସାଲିସ କରୁନଥିବାରୁ ବଡ ହାକିମଙ୍କ ଦାଉ ସହିବାକୁ ପଡିଥିଲା । ଅବସରକାଳୀନ ଭତ୍ତା ଅଟକି ଯିବାରୁ, ଶେଷଜୀବନରେ ଆର୍ଥିକ ସ୍ଥିତି ଶୋଚନୀୟ ଥିଲା ।

ପରିବାର[ସମ୍ପାଦନା]

ତାଙ୍କର ପତ୍ନୀ ଆଦରମଣି ଦେବୀଥିଲେ ଜଣେ ଭକ୍ତିପ୍ରାଣା ମହିଳା । ତାଙ୍କର ଦଶଟି ସନ୍ତାନ ସନ୍ତତି ଥିଲେ। ତାଙ୍କ ପୁତ୍ରୀ ସୁନନ୍ଦା ପଟ୍ଟନାୟକ ହେଉଛନ୍ତି ଜଣେ ହିନ୍ଦୁସ୍ତାନୀ ଗାୟିକା।

ସାହିତ୍ୟ ସର୍ଜନା[ସମ୍ପାଦନା]

ସେ ଲେଖିଥିବା ବହି ସବୁ ହେଲା: [୪]

କବିତା[ସମ୍ପାଦନା]

  • ଉତ୍ତରାୟଣ (୧୯୫୪)
  • ବିଲ୍ଵମଙ୍ଗଲ (୧୯୫୩)
  • କାବ୍ୟସଞ୍ଚୟନ (୧୯୪୩)
  • ଉପେକ୍ଷିତା
  • କାବ୍ୟ ସଂଚୟନ
  • ମୁକ୍ତିପଥେ
  • ଅରୁଣଶ୍ରୀ
  • ମୃତ୍ତିକା ଦର୍ଶନ [୫]

ନାଟକ[ସମ୍ପାଦନା]

  • କାବ୍ୟନ୍ତିକା

ପୁରସ୍କାର[ସମ୍ପାଦନା]

ମୃତ୍ୟୁ[ସମ୍ପାଦନା]

୧୯୭୯ ମସିହା ଜାନୁଆରୀ ୨୬ ତାରିଖରେ ସେ ତାଙ୍କର ବଡ଼ମ୍ବାସ୍ଥିତ ବାସଭବନରେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ । ପରଲୋକ ଦିନ ମଧ୍ୟ ସେ ନେତା ସାବଧାନ ନାମରେ କବିତାଟିଏ ଲେଖିଥିଲେ ।[୭]

ଆଧାର[ସମ୍ପାଦନା]

  1. "Married to music". The Telegraph. Retrieved 26 August 2015. 
  2. K. M. George (୧୯୯୨). Modern Indian Literature, an Anthology: Surveys and poems. Sahitya Akademi. pp. ୯୦୧–. ISBN ୯୭୮-୮୧-୭୨୦୧-୩୨୪-୦. 
  3. [ସଚିତ୍ର ବିଜୟା, ଡିସେମ୍ବର ୨୦୦୨]
  4. orissadiary.com: BAIKUNTHA NATH PATNAIK
  5. Mohan Lal (୧୯୯୨). Encyclopaedia of Indian Literature: Sasay to Zorgot. Sahitya Akademi. pp. ୪୧୪୫–. ISBN ୯୭୮-୮୧-୨୬୦-୧୨୨୧-୩. 
  6. AKADEMI AWARDS (1955-2014) 1965 Uttarayana (Poetry) Baikunthanath Patnaik, accessdate: August 26, 2015
  7. "ରହସ୍ୟବାଦୀ ଚେତନାର କବି". ସମ୍ବାଦ ୧୪/୦୯/୨୦୧୫ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୨. 14 September 2015. http://sambadepaper.com/Details.aspx?id=193299&boxid=22633377. Retrieved 14 September 2015.