କେଳୁଚରଣ ମହାପାତ୍ର

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
କେଳୁଚରଣ ମହାପାତ୍ର
Closeup of the temple at Nrityagram Dance Community.jpg
ନୃତ୍ୟଗ୍ରାମରେ ଅଙ୍କିତ ନାଟମୁଦ୍ରାରେ କେଳୁଚରଣ ମହାପାତ୍ର
ଜନ୍ମ ଓ ଜନ୍ମସ୍ଥାନ ଜାନୁଆରୀ ୮, ୧୯୨୬(1926-01-08)
ରଘୂରାଜପୁର, ପୁରୀ, ଓଡ଼ିଶା
ମୃତ୍ୟୁ ୭ ଅପ୍ରେଲ, ୨୦୦୪ (୭୮ ବର୍ଷ)
ଭୁବନେଶ୍ଵର, ଓଡ଼ିଶା
ଜୀବିକା ଓଡ଼ିଶୀନୃତ୍ୟଶିଳ୍ପୀ, ନୃତ୍ୟ ନିର୍ଦ୍ଦେଶକ
କାର୍ଯ୍ୟକାଳ ୧୯୩୫-୨୦୦୪
ଜୀବନସାଥି ଲକ୍ଷ୍ମୀପ୍ରିୟା ମହାପାତ୍ର [୧]
ସନ୍ତାନ ରତିକାନ୍ତ ମହାପାତ୍ର
ପୁରସ୍କାର ପଦ୍ମ ବିଭୂଷଣ

କେଳୁଚରଣ ମହାପାତ୍ର (୮ ଜାନୁଆରୀ ୧୯୨୬ - ୭ ଅପ୍ରେଲ ୨୦୦୪) ଜଣେ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଓ ଗୁରୁ । ବିଂଶ ଶତାବ୍ଦୀରେ ଓଡ଼ିଶୀର ପୁନରୁତ୍ଥାନ ଓ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଇବାରେ କେଳୁଚରଣଙ୍କର ପ୍ରମୂଖ ଭୂମିକା ରହିଥିଲା ।[୨] ପଦ୍ମ ବିଭୂଷଣ ପୁରସ୍କାର ପାଇବାରେ ସେ ପ୍ରଥମ ଓଡ଼ିଆ[୩] ସେ ପ୍ରାୟ ୨୦୦ ଏକକ ପ୍ରଦର୍ଶନ ଓ ୫୦ଟି ନୃତ୍ୟ ନାଟିକା ସଂଯୋଜନ କରିଛନ୍ତି ।

ଜୀବନୀ[ସମ୍ପାଦନା]

କେଳୁଚରଣ ପୁରୀରେ ଥିବା ଶିଳ୍ପୀଗ୍ରାମ ରଘୂରାଜପୁରର ଏକ ଶିଳ୍ପୀ ପରିବାରରେ ୧୯୨୬ ମସିହା ଜାନୁଆରୀ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ପିତା ଚିନ୍ତାମଣୀ ମହାପାତ୍ର ଜଣେ ଚିତ୍ରକର ଓ ମର୍ଦଳ ବାଦକ ଥିଲେ । ଯାତ୍ରା ଓ ସଂକୀର୍ତ୍ତନ ତାଙ୍କ ଗ୍ରାମରେ ସବୁବେଳେ ପରିବେଷଣ କରାଯାଉଥିଲା । ଏ ସବୁର ରଭାବ ପଡିଥିଲା ବାଳକ କେଳୁଚରଣଙ୍କ ଉପରେ । ଗ୍ରାମରେ ଥିବା ବଳଭଦ୍ର ସାହୁଙ୍କ ଆଖଡାକୁ କେଳୁଚରଣ ବରାବର ଯାଉଥିଲେ ଓ ସେଠାରେ ଶିଖା ଯାଉଥିବା ଗୋଟିପୁଅ ନାଚ ପ୍ରତି ଆକର୍ଷିତ ଥିଲେ । ପିତାଙ୍କୁ, କେଳୁଚରଣଙ୍କ ଗୋଟିପୁଅ ନାଚ କରିବା ପସନ୍ଦ ନଥିଲା । ସେ କେଳୁଚରଣଙ୍କୁ ଏଥିରୁ ନିବୃତ କରି, ପୁରୀରେ ମୋହନ ସୁନ୍ଦର ଦେବ ଗୋସ୍ଵାମୀଙ୍କ "କୁଞ୍ଜ ବିହାରୀ ରାସ ଲିଳା" ଦଳରେ ଛାଡିଥିଲେ । ଏଠାରେ କେଳୁଚରଣ ନୃତ୍ୟ ସଙ୍ଗୀତ ଅଭିନୟ ସହିତ ମଞ୍ଚ ସଜ୍ୟା, ମେକ୍ ଅପ୍, ନୃତ୍ୟ ସଂଯୋଜନା ଆଦି ଶିକ୍ଷା କରିଥିଲେ । ଏହି ଦଳ ବର୍ଷର ୬/୭ ମାସ ଗାଁ ଗାଁ ବୁଲି କୃଷ୍ଣ ଲିଳା ଓ ପୁରାଣର ଅନ୍ୟ ଉପାଖ୍ୟାନ ନୃତ୍ୟ ସଙ୍ଗୀତ ମାଧ୍ୟମରେ ପରିବେଷଣ କରୁଥିଲେ । ଉପେନ୍ଦ୍ର ଭଞ୍ଜ, ବନମାଳୀ, ଗୋପାଳକୃଷ୍ଣଜୟଦେବ ଆଦିଙ୍କ ରଚନାରୁ "ବାଲ୍ୟଲୀଳା", "ମାନଭଞ୍ଜନ", "ରାଧା ପ୍ରେମାମୃତ", "ବିଦଗ୍ଧ ମାଧବ" ଆଦି ବିଷୟ ନୃତ୍ୟ ମାଧ୍ୟମରେ ପରିବେଷଣ କରାଯାଉଥିଲା । ନୃତ୍ୟ ସଂଯୋଜନା, ସଙ୍ଗୀତ, ମଞ୍ଚସଜ୍ୟା ଆଦୁ ସବୁ ମୋହନ ସୁନ୍ଦର ଦେବ ଗୋସ୍ଵାମୀଙ୍କଦ୍ଵାରା କରାଯାଉଥିଲା । କେଳୁଚରଣ ଏହି ଦଳରେ ଦଶ ବର୍ଷ ରହିଥିଲେ । ଏଠାରେ ସେ ଗୁରୁ ଅଗାଧୁ ମହାରଣାଙ୍କଠାରୁ ମୃଦଙ୍ଗ ଓ କ୍ଷେତ୍ରମୋହନ କରଙ୍କଠାରୁ ତବଲା ବଜେଇବା ଶିଖିଥିଲେ । ଗୁରୁ-ଶିଷ୍ୟ ପରମ୍ପରାରେ ସମୃଦ୍ଧ ଏହି ଦଳରେ ଶିକ୍ଷାଗ୍ରହଣ ସହିତ କେଳୁଚରଣ, ଗୁରୁଙ୍କ ପାଇଁ ରୋଷେଇ, ବାସନ ମଜା ଭଳି ସେବା ମଧ୍ୟ କରୁଥିଲେ । ମୋହନ ସୁନ୍ଦର ଦେବଙ୍କ ପ୍ରଭାବ କେଳୁଚରଣଙ୍କ ଗଭୀର ଭାବରେ ପଡିଥିଲା । ପରବର୍ତ୍ତୀ ସମୟରେ ଯେତେବେଳେ କେଳୁଚରଣ ନିଜେ ଗୁରୁ ସାଜିଥିଲେ, ସେହି ଗୁରୁ-ଶିଷ୍ୟ ପରମ୍ପରାକୁ ଆବୋରୀ ଥିଲେ ଓ ଶିଷ୍ୟମାନଙ୍କୁ ନିଜ ସନ୍ତାନ ଭାବରେ ମନେ କରୁଥିଲେ ।

ପିତାଙ୍କ ଦେହନ ପରେ କେଳୁଚରଣଙ୍କୁ ରାସ ଲିଳା ଦଳ ଛାଡି ଗାଁକୁ ଫେରିବାକୁ ପଡିଥିଲା । ଜୀବିକା ନିର୍ବାହ ପାଇଁ ଏକ ପାନ ବରଜରେ ମୂଲିଆ ଭାବରେ କାର୍ଯ୍ୟ କରିବାକୁ ପଡିଥିଲା । ତାଙ୍କ କଳାକାର ମନ ବିଦ୍ରୋହ କରିଥିଲା ଓ କିଛିଦିନ ପରେ ଗାଁ ଛାଡି କଟକ ଚାଲି ଆସିଥିଲେ । କଟକ ଆସି, ସେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଓଡ଼ିଶା ଥିଏଟର୍ସରେ ଯୋଗ ଦେଇଥିଲେ । ଏଠାରେ ସେ ମଞ୍ଚ ସଜ୍ୟା ଓ ମର୍ଦଳ ବାଦନ ଆଦି କରୁଥିଲେ । ଦରମା ଥିଲା ମାସକୁ ୭ ଟଙ୍କା । କଟକରେ ସେ ହରିହର ରାଓଙ୍କଠାରୁ ତବଲାରେ ଅଧିକ ଶିକ୍ଷାଗ୍ରହଣ କରିଥିଲେ । ତାପରେ ସେ "ଅନ୍ନପୂର୍ଣ୍ଣା ବି" ଦଳରେ ଯୋଗ ଦେଇଥିଲେ । ଏଠାରେ ଗୁରୁ ପଙ୍କଜ ଚରଣ ଦାସଙ୍କ ସଂସ୍ପର୍ଶରେ ଆସି ତାଙ୍କ ନୃତ୍ୟ ପ୍ରତିଭାର ବିକାଶ ଘଟିଥିଲା ।[୪] ପଙ୍କଜ ଚରଣଙ୍କ ସଂଯୋଜନାରେ ନୃତ୍ୟ ନାଟିକା "ଦେବୀ ଭସ୍ମାସୁର"ରେ "ନଟରାଜ" ଭୂମିକାରେ କେଳୁଚରଣ ଲୋକଲୋଚନକୁ ଆସିଲେ । ଏଥିରେ "ମୋହିନୀ" ଭୂମିକାରେ ଅଭିନୟ କରିଥିଲେ "ଲକ୍ଷ୍ମୀପ୍ରିୟା" । ଏଠାରୁ ଆରମ୍ଭ ହୋଇଥିଲା କେଳୁଚରଣ-ଲକ୍ଷ୍ମୀପ୍ରିୟାଙ୍କର ଯୁଗଳବନ୍ଦୀ ଏବଂ ତାଙ୍କ ବିବାହ ପର୍ଯ୍ୟନ୍ତ ଏହି ଜୋଡି ପ୍ରାୟ ସବୁ ପରିବେଷଣରେ ଏକାଠି ନୃତ୍ୟାଭିନୟ କରୁଥିଲେ । ଅନ୍ନପୂର୍ଣ୍ଣା ବି ଦଳରେ ଥାଇ, କେଳୁଚରଣ ଗୁରୁ ଦୁର୍ଲଭ ଚନ୍ଦ୍ର ସିଂ, ଗୁରୁ ଦୟାଳ ଶରଣ ଆଦିଙ୍କ ଠାରୁ ଅଭିନୟ ନୃତ୍ୟ ଓ ବ୍ୟାକରଣରେ ଅଧିକ ଜ୍ଞାନ ଆହରଣ କରିଥିଲେ । କ୍ରମେ ସେ ନିଜକୁ ଜଣେ ନର୍ତ୍ତକ, ବାଦକ ଓ ନୃତ୍ୟ ସଂଯୋଜକ ଭାବରେ ପ୍ରତିଷ୍ଠା କରିଥିଲେ । ଅନ୍ନପୂର୍ଣ୍ଣା ବି ଦଳରେ ସେ ପ୍ରାୟ ୫/୬ ବର୍ଷ ରହିଥିଲେ ।

କେଳୁଚରଣଙ୍କୁ ୨୮ବର୍ଷ ହେଲା ବେଳକୁ ସେ ଲକ୍ଷ୍ମୀପ୍ରିୟାଙ୍କୁ ବିବାହ କରିଥିଲେ । ଅନ୍ନପୂର୍ଣ୍ଣା ବି ଦଳ ଛାଡି, ଉଭୟ ପୁରୀ ଚାଲି ଯାଇଥିଲେ । ପୁରୀରେ ସେମାନେ ମାହାରୀ ଓ ଗୋଟିପୁଅ ନୃତ୍ୟ ଉପରେ ଗବେଷଣା କରି, ସେ ସବୁକୁ ଆୟତ୍ତ କରି ନିଜସ୍ଵ ଏକ ପରିଚୟ ସୃଷ୍ଟି କରି ପାରିଥିଲେ । କେଳୁଚରଣଙ୍କ ଭାଷାରେ "ଓଡ଼ିଶୀ ନୃତ୍ୟ ମାହାରୀର ଭାବ ଓ ଗୋଟିପୁଅର ଅଙ୍ଗଭଙ୍ଗୀକୁ ନିଜର କରିଛି" । ପୁରୀରେ ସେମାନେ "ଅନ୍ନପୂର୍ଣ୍ଣା ଏ" ଆନୁକୁଲ୍ୟରେ ନୃତ୍ୟ ପରିବେଷଣ କରୁଥିଲେ । କ୍ରମେ କେଳୁଚରଣ ଆକାଶବାଣୀ କଟକର ବିଭିନ୍ନ କାର୍ଯ୍ୟକ୍ରମରେ ତବଲା ଓ ମର୍ଦଳ ବାଦନ କରିବା ଆରମ୍ଭ କରିଥିଲେ । ୧୯୫୩ ମସିହାରେ, ସେ କଟକର କଳା ବିକାଶ କେନ୍ଦ୍ରରେ ଯୋଗ ଦେଇଥିଲେ । ସେତେବେଳ ଯାଏଁ କଳା ବିକାଶ କେନ୍ଦ୍ରର ପାଠ୍ୟକ୍ରମରେ ଓଡ଼ିଶୀ ନୃତ୍ୟର ସ୍ଥାନ ନଥାଏ । କେଳୁଚରଣ ସେ କାମଟି କରି ପାରିଥିଲେ । କଳା ବିକାଶ କେନ୍ଦ୍ରରେ ସେ ୧୫ ବର୍ଷ କାଳ ଓଡ଼ିଶୀ ଶିକ୍ଷାଦାନ କରି ବହୁ ସଂଖ୍ୟକ ଛାତ୍ର ଛାତ୍ରୀ ସୃଷ୍ଟି କରି ପାରିଥିଲେ । ଏ ସମୟରେ ସେ ସଂଯୁକ୍ତା ପାଣିଗ୍ରାହୀ, ମିନତି ମିଶ୍ର, ପ୍ରିୟମ୍ବଦା ମହାନ୍ତି ହେଜମାଦି ଆଦି ଛାତ୍ରୀମାନଙ୍କୁ ବ୍ୟକ୍ତିଗତ ଭାବରେ ଓଡ଼ିଶୀ ନୃତ୍ୟ ଶିକ୍ଷାଦାନ କରୁଥିଲେ । ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ମଧ୍ୟ ଓଡ଼ିଶୀ ନୃତ୍ୟ ଶିକ୍ଷାଦାନ କରୁଥିଲେ । "ପଞ୍ଚପୁଷ୍ପା", "କୃଷ୍ଣ ଗାଥା", "ଗୀତ ଗୋବିନ୍ଦ", "ଉର୍ବଶୀ", "କୃଷ୍ଣ ଲୀଳା", "ସାକ୍ଷୀଗୋପାଳ", "କୋଣାର୍କ" ଆଦି କେଳୁଚରଣଙ୍କ ସେହି ସମୟରେ ନୃତ୍ୟ ସଂଯୋଜନା । କଳା ବିକାଶ କେନ୍ଦ୍ର ସହଯୋଗରେ ସେ ଓଡ଼ିଶାର ବିଭିନ୍ନ ମନ୍ଦିରରେ ଖୋଦେଇ ହୋଇଥିବା ନର୍ତ୍ତକ/ନର୍ତ୍ତକୀ ମାନଙ୍କର ମୁଦ୍ରା ଉପରେ ଗବେଷଣା କରି, ସେଗୁଡିକୁ ନିଜ ନୃତ୍ୟ ମଧ୍ୟରେ ଆୟତ୍ତ କରିଥିଲେ । ସେତେବେଳକୁ କେଳୁଚରଣଙ୍କ ନିଜସ୍ଵ ନୃତ୍ୟ ଶୈଳୀ ସମୃଦ୍ଧ ହୋଇ ଆସୁଥିଲା ।[୫]

ଅଶି ଦଶକ ବେଳକୁ, କେଳୁଚରଣ କଳା ବିକାଶ କେନ୍ଦ୍ର ଛାଡି, ଭାରତର ବିଭିନ୍ନ ସ୍ଥାନରେ ଓଡ଼ିଶୀ ନୃତ୍ୟ ଶିକ୍ଷା ଦେବା ଆରମ୍ଭ କରିଥିଲେ । ସେଗୁଡିକ ମଧ୍ୟରେ ଦିଲ୍ଲୀର ଗାନ୍ଧର୍ବ ମହାବିଦ୍ୟାଳୟ, ମୁମ୍ବାଇର ନେସନାଲ ସେଣ୍ଟର ଫର ପରଫର୍ମିଙ୍ଗ ଆର୍ଟ୍ସ, କଲିକତାର ପଦାତିକ ନୃତ୍ୟ କେନ୍ଦ୍ର ଅନ୍ୟତମ ଥିଲା । କେଳୁଚରଣଙ୍କର ଲୋକପ୍ରିୟତା ଓ ଶିଷ୍ୟମାନଙ୍କ ସଂଖ୍ୟା ବଢି ଚାଲିଥିଲା । ବହୁ ବିଦେଶୀ ଶିଷ୍ୟ କଟକ ଆସି, କେଳୁଚରଣଙ୍କ ଘରେ ରହି ତାଙ୍କଠାରୁ ନୃତ୍ୟ ଶିକ୍ଷା କରୁଥିଲେ । ନିଜସ୍ଵ ନୃତ୍ୟ ପରିବେଷଣ ମଧ୍ୟ ଚାଲିଥିଲା । ଭାରତର ବିଭିନ୍ନ ସ୍ଥାନ ସହ ଜାପାନ, ଜର୍ମାନୀ, ଋଷିଆ, ଫ୍ରାନ୍ସ, ଯୁକ୍ତରାଜ୍ୟଯୁକ୍ତରାଷ୍ଟ୍ର ଆମେରିକା ଆଦି ସ୍ଥାନରେ ସେ ନୃତ୍ୟ ପରିବେଷଣ କରୁଥିଲେ । ସେ ଭୁବନେଶ୍ଵରସ୍ଥିତ "ଓଡ଼ିଶୀ ଗବେଷଣା କେନ୍ଦ୍ର ସହିତ ପ୍ରାୟ ୧୦ ବର୍ଷ ଧରି ଜଡିତ ରହିଥିଲେ । ଏହି ସମୟରେ ଓଡ଼ିଶୀ ନୃତ୍ୟ ବାବଦରେ ବହୁ ପ୍ରଲେଖନ ଆଦି କରି ଓଡ଼ିଶୀକୁ ପରପିଢି ପାଇଁ ସଂରକ୍ଷିତ କରିବା କାର୍ଯ୍ୟ କରିଥିଲେ । ଓଡ଼ିଶୀ ଗବେଷଣା କେନ୍ଦ୍ରକୁ ତାଙ୍କରି ନାମରେ ନାମିତ କରାଯାଇଛି ।[୬] ୧୯୯୫ ମସିହାରେ ଓଡ଼ିଶୀ ଗବେଷଣା କେନ୍ଦ୍ର ଛାଡିବା ପରେ, ସେ ନିଜସ୍ଵ ଅନୁଷ୍ଠାନ "ସୃଜନ"ର ନିର୍ମାଣ କରିଥିଲେ ।

୨୦୦୪ ମସିହା ଅପ୍ରେଲ ୭ ତାରିଖରେ କେଳୁଚରଣ ଇହଧାମ ତ୍ୟାଗ କରିଥିଲେ ।[୭]

ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. Remembering the maestro Leela Venkatraman, The Hindu, April 15, 2005.
  2. DANCE REVIEW; Sculptural And Sensual, It's Odissi by Anna Kisselgoff, New York Times, October 19, 2000.
  3. Sampad, Shilpi (2013). "Sun dreamer gets Padma". telegraphindia.com. Retrieved 5 February 2013. after late Odissi dancer Guru Kelucharan Mohapatra 
  4. "ଓଡ଼ିଶୀ ନୃତ୍ୟ-ଗୁରୁ କେଳୁଚରଣ". ସମ୍ବାଦ ୦୮/୦୧/୨୦୧୬ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୨. http://sambadepaper.com/Details.aspx?id=222566&boxid=21111345. Retrieved 8 January 2016. 
  5. http://www.srjan.com/GuruKelucharanMohapatra.php
  6. http://www.odissiresearchcentre.org/about_us.html
  7. http://www.rediff.com/news/2004/apr/07gkm.htm
  8. http://orissa.gov.in/e-magazine/orissaannualreference/ORA-2011/pdf/104-108.pdf
  9. http://www.narthaki.com/info/profiles/profl111.html

ଅଧିକ ତଥ୍ୟ[ସମ୍ପାଦନା]

Video links