ଢୁମ୍ପା ସଙ୍ଗୀତ

ଉଇକିପିଡ଼ିଆ ରୁ
Jump to navigation Jump to search
ଢୁମ୍ପା ସଙ୍ଗୀତ
ମାଧ୍ୟମସଙ୍ଗୀତ
ସଂସ୍କୃତିଓଡ଼ିଆ ଚଳଣି
ସୃଷ୍ଟିଆଠଗଡ଼, ଓଡ଼ିଶା
 ଭାରତ
ସମୟ କାଳଅଷ୍ଟାଦଶ ଶତାବ୍ଦୀ
କଳାକାରଗାୟକ, ଢୁମ୍ପାବାଦକ, ଗୋଟିପୁଅ

ଢୁମ୍ପା ସଙ୍ଗୀତ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଏକ ପ୍ରକାର ଲୋକସଙ୍ଗୀତ । ଏହା ସର୍ବପ୍ରଥମେ ଅଷ୍ଟାଦଶ ଶତାବ୍ଦୀରେ କବିସୂର୍ଯ୍ୟ ବଳଦେବ ରଥଙ୍କଦ୍ୱାରା ଆରମ୍ଭ କରାଯାଇଥିଲା । ଏଥିରେ ବ୍ୟବହୃତ ପ୍ରମୁଖ ବାଦ୍ୟଯନ୍ତ୍ର 'ଢୁମ୍ପା' ଅନୁସାରେ ଏହାକୁ ଢୁମ୍ପା ସଙ୍ଗୀତ ବୋଲାଯାଏ ।

ଇତିହାସ[ସମ୍ପାଦନା]

ଢୁମ୍ପା ସଙ୍ଗୀତରେ ବାଳୀ
ହର୍ମ୍ୟ ସରୋବରେ ରମ୍ୟ କେଳି କରେ
ସେ କି ସୁବର୍ଣ୍ଣ ମରାଳୀ

—ଗଦାଧର ସିଂହସାମନ୍ତ

ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ଢୁମ୍ପା ସଙ୍ଗୀତକୁ ସର୍ବପ୍ରଥମେ କବିସୂର୍ଯ୍ୟ ବଳଦେବ ରଥ ଆରମ୍ଭ କରି ଏହାକୁ ଆଠଗଡ଼ରେ ପ୍ରଚାର କରିଥିଲେ । ଢୁମ୍ପା ସଙ୍ଗୀତରେ ବୋଲାଯାଉଥିବା ପ୍ରଥମ ଗୀତଗୁଡ଼ିକୁ ମଧ୍ୟ ସେ ହିଁ ରଚନା କରିଥିଲେ । ବଳଦେବ ରଥ ରଚିତ ସବୁ ଢୁମ୍ପା ଏବେ ନ ମିଳୁଥିଲେ ମଧ୍ୟ କୁଳମଣି ଦାଶଙ୍କଦ୍ୱାରା ସମ୍ପାଦିତ 'କବିସୂର୍ଯ୍ୟ ଗ୍ରନ୍ଥାବଳୀ'ରେ ତିନି ଗୋଟି ଢୁମ୍ପା ଶ୍ରେଣୀୟ ରଚନା ମିଳିଥାଏ । ଏଗୁଡ଼ିକ ହେଲା- ଛୋଟ ଢୁମ୍ପା, ନିଆଳୀଗଭା ଢୁମ୍ପା ଓ ଜାଈଫୁଲ ଢୁମ୍ପା ।

ବିଂଶ ଶତାବ୍ଦୀରେ ବଳଦେବ ରଥଙ୍କ ଦେହାବସାନ ପରେ ପୁରୀ ଜିଲ୍ଲା ଖଣ୍ଡପଡ଼ାର ପଠାଣି ସାମନ୍ତଙ୍କ ମଝିଆ ପୁତ୍ର ଗଦାଧର ସିଂହସାମନ୍ତ ଢୁମ୍ପା ସଙ୍ଗୀତର ପରମ୍ପରାକୁ ରକ୍ଷା କରିବା ପାଇଁ ନିଜେ କେତେଗୋଟି ଗୀତ ରଚନା କରିଥିଲେ ।

ଢୁମ୍ପା[ସମ୍ପାଦନା]

ଢୁମ୍ପା ମଇ ବା ଭେଣ୍ଡିଆ ମର୍ଦ୍ଦନ ଗଛରେ ନିର୍ମିତ ଏକ ବାଦ୍ୟଯନ୍ତ୍ର ଅଟେ । ଏହା ଯୋଗୁଁ ଏହାକୁ ବ୍ୟବହାର କରି ବୋଲାଯାଉଥିଅବ ସଙ୍ଗୀତକୁ ଢୁମ୍ପା ସଙ୍ଗୀତ ବୋଲାଯାଏ ।

ନିର୍ମାଣ[ସମ୍ପାଦନା]

ଯେଉଁଦିନ ଢୁମ୍ପା ସଙ୍ଗୀତର ଆସର ଜମିବା ଠିକ ହୁଏ, ସେଦିନ ସକାଳେ ଆଠ ଦଶ ଜଣ ଯୁବକ ଆଠ ଦଶ ହାତ ଲମ୍ବର ଦଉଡ଼ା ଓ ଠେଙ୍ଗା ଧରି ଜଙ୍ଗଲକୁ ବାହାରି ଯାଆନ୍ତି । ଦିନସାରା ଜଙ୍ଗଲରେ ବୁଲି ଶାଖା ଓ ଗଣ୍ଠିହୀନ ଆଠଶହ ହାତର ମଇ କିମ୍ବା ଭେଣ୍ଡିଆ ମର୍ଦ୍ଦନ ଗଛଟିଏ ଯୋଗାଡ଼ କରାଯାଏ । ଗଛର ଯେଉଁଠାରୁ ଶାଖା ବାହାରିଥାଏ ସେଠାରୁ ଉପରକୁ ହାଣିଦିଆଯାଏ । ତା ପରେ ଗଛର ଛେଲିକୁ ଚାରିପଟୁ ଘେରିଘେରି କଟାଯାଏ । ଗଛର ମଞ୍ଜ ସେହିପରିଥାଏ । ଦଉଡ଼ାରେ ବାନ୍ଧି ଠେଙ୍ଗାଦ୍ୱାରା ଯୁବକମାନେ ଗଛର ଛେଲିକୁ ମୋଡ଼ନ୍ତି । ଏପରି ଭାବରେ ତଳୁ ଉପରକୁ ମୋଡ଼ି ଶେଷରେ ଗଛର ଛାଲିକୁ ହାତଦ୍ୱାରା ଦହିଖୁଆ ମନ୍ଥିଲା ପରି ମନ୍ଥିଲେ ଗଛରୁ ଖୋଳାପାଟି ଗଛର ମଞ୍ଜ ଗଣ୍ଠିରୁ ବାହାରି ଆସେ । ସଙ୍ଗେ ସଙ୍ଗେ ବଣର ବିଭିନ୍ନ ପତ୍ର ତାର ଖୋଳ ଭିତରେ ଭର୍ତ୍ତି କରାଯାଏ ।[୧]

ଋତୁ[ସମ୍ପାଦନା]

ବର୍ଷାଦିନେ ଗଛର ଛାଲି ତଳେ ଲାଳ ଅଂଶ ଥିବାରୁ ଛାଲି ସହଜରେ ବାହାରିଯାଏ । ଏଣୁ ସବୁ ସମୟ ଅପେକ୍ଷା ବର୍ଷାଋତୁ ଢୁମ୍ପା ସଙ୍ଗୀତ ପାଇଁ ଉପଯୁକ୍ତ ସମୟ । ଅନ୍ୟ ଋତୁରେ ଢୁମ୍ପା ତିଆରି କରିବା ପାଇଁ ଗଛର ଗଣ୍ଡିକୁ ବଣରୁ କାଟି ଆଣି ପାଣିରେ କଷାଯାଏ । ଗଣ୍ଡି ମଝିର କାଠଟିକୁ ଦଉଡ଼ି ଓ ଠେଙ୍ଗାଦ୍ୱାରା ମନ୍ଥି ମନ୍ଥି ବାହାର କରାଯାଏ । ପୂର୍ବ କାଳରେ ରାଜା ମହାରାଜାମାନେ ବଣଭୋଜି କରିବାକୁ ଗଲେ ଢୁମ୍ପା ସଙ୍ଗୀତରେ ଆସର ଜମାଉଥିଲେ ।[୧]

ବାଜଣା[ସମ୍ପାଦନା]

ଯେଉଁଠାରେ ସଙ୍ଗୀତ ଆସର ହେବା ସ୍ଥିର ହୁଏ, ବୃକ୍ଷତଳ ହେଉ ବା ସଙ୍ଗୀତ ମଣ୍ଡପ ଉପରେ ହେଉ, ଢୁମ୍ପାଟିକୁ ଦଉଡ଼ିରେ ଓହଳାଯାଏ । ଜଣେ ଅପେକ୍ଷାକୃତ ଥନ୍ତଲାପେଟ ଲୋକ ଢୁମ୍ପାର ଗୋଟିଏ ପାଖରେ ଠିଆ ହୁଏ । ସଙ୍ଗୀତ ମଝିରେ ଢୁମ୍ପାଟିକୁ ନିଜ ପେଟ ଆଡ଼କୁ ସାମାନ୍ୟ ଟାଣି ଆଣିଲେ ବିଚିତ୍ର ସ୍ୱର ଉତ୍ପନ୍ନ ହୁଏ । ଆଠ ଦଶଜଣ ଲୋକ କ୍ଷୁଦ୍ର କ୍ଷୁଦ୍ର କାଠଖଣ୍ଡର ଶେଷ ଭାଗରେ ପିତ୍ତଳ ଘାଗୁଡ଼ି ସଂଯୋଗ ଥିବା ବାଡ଼ିଧରି ଢୁମ୍ପା ଯନ୍ତ୍ର ଉପରେ ଆଘାତ କରନ୍ତି । ଜଣେ କିମ୍ବା ଦୁଇଜଣ ସଙ୍ଗୀତ ଗାନ କରନ୍ତି । ଏହି ଆସରରେ ହେବା ସଙ୍ଗୀତର ମାଦକତା ଏତେ ଯେ ଲୋକ ଦିନରାତି ନ ଜାଣି ଶୁଣୁଥାନ୍ତି ।[୧]

ପରବର୍ତ୍ତୀ କାଳରେ ଢୁମ୍ପା ସଙ୍ଗୀତ ଦଳଗୁଡ଼ିକରେ ହାରମୋନିଅମ, ତବଲା, ବଂଶୀ, ଥାଳି, ବୀଣା, ନାଗରା ଓ ମର୍ଦ୍ଦଳ ବାଦକମାନେ ମଧ୍ୟ ଅଂଶଗ୍ରହଣ କରିଲେ । କେବେ କେବେ ଗୋଟିପୁଅମାନେ ମଧ୍ୟ ଭାଗ ନେଇଥାନ୍ତି ।[୨]

ରକ୍ଷଣାବେକ୍ଷଣ[ସମ୍ପାଦନା]

ଧୀରେ ଧୀରେ ଢୁମ୍ପା ସଙ୍ଗୀତ ଶ୍ରୋତାଙ୍କ ଅଭାବ ଯୋଗୁଁ ବିରଳ ହୋଇଗଲାଣି । ଅଧୁନ କେବଳ ୩୦-୪୦ ଜଣ ଢୁମ୍ପା ସଙ୍ଗୀତକାର କବିସୂର୍ଯ୍ୟଙ୍କ ଜନ୍ମସ୍ଥାନ ଦିଗପହଣ୍ଡିଠାରେ ରହୁଛନ୍ତି । ତେଣୁ ଏହି ସଙ୍ଗୀତର ରକ୍ଷଣାବେକ୍ଷଣ ଲାଗି ଭାରତ ସରକାର ଓ ଓଡ଼ିଶା ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । କଲିକତାର ଇଷ୍ଟର୍ଣ୍ଣ ଜୋନ କଲଚରାଲ ସେଣ୍ଟର (ଏଜିସିସି) ନିଜ ଗୁରୁ-ଶିଷ୍ୟ ପରମ୍ପରା ପ୍ରକଳ୍ପ ଅନ୍ତର୍ଗତରେ ଢୁମ୍ପା ସଙ୍ଗୀତର ପ୍ରଚାର ପ୍ରସାର କରୁଛି ।[୩] ଦିଗପହଣ୍ଡିର ରାଜବଂଶୀୟଙ୍କଦ୍ୱାରା ମଧ୍ୟ ଆର୍ଥିକ ସହାୟତା କରାଯାଉଛି ।[୪] ଏହାର ପ୍ରମୁଖ ଗୁରୁମାନଙ୍କ ମଧ୍ୟରେ ଗୁରୁ ପ୍ରଦୀପ ରଥ, କାଳିନ୍ଦୀ ଚରଣ ରଥ ଓ ଗଙ୍ଗାଧର ଦାଶ ଅନ୍ୟତମ ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ କବିସୂର୍ଯ୍ୟ ଗ୍ରନ୍ଥାବଳୀ, ସମ୍ପାଦକ- ଡଃ ତ୍ରିନାଥ ପଟ୍ଟନାୟକ । ଧର୍ମଗ୍ରନ୍ଥ ଷ୍ଟୋର, କଟକ । ନୂତନ ମୁଦ୍ରଣ, ୨୦୧୦ ।
  2. "Rare music show performed at Berhampur". The Hindu. Chennai, India. ଡିସେମ୍ବର ୨, ୨୦୦୯ ।
  3. ୩.୦ ୩.୧ "Revival of Dhumpa on the cards". The Hindu. Chennai, India. August 4, 2008. Retrieved 17 March 2013.
  4. "Dhumpa dance gets a lease of life - Unique folk dance forms of the state get recognition from audience on the third day of Ganjam Mahotsav". The Telegraph. Calcutta, India. January 8, 2011. Retrieved 17 March 2013.