ମର୍ଦ୍ଦଳ

ଉଇକିପିଡ଼ିଆ‌ରୁ
ମର୍ଦ୍ଦଳ
ମାଧ୍ୟମବାଦ୍ୟ ସଙ୍ଗୀତ
ସଂସ୍କୃତିଓଡ଼ିଆ ଚଳଣି
ଗୀତ-ସଙ୍ଗୀତଓଡ଼ିଶୀ ସଙ୍ଗୀତ

ମର୍ଦ୍ଦଳ ଏକ ପ୍ରକାର ଆନଦ୍ଧ ବାଦ୍ୟବିଶେଷ । ଏହା ସମସ୍ତ ଆନଦ୍ଧବାଦ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠ ବୋଲି କଥିତ । ଏହାକୁ ମାଦଳ ବୋଲି ମଧ୍ୟ କୁହାଯାଏ । ଓଡ଼ିଶୀ ସଙ୍ଗୀତରେ ମର୍ଦ୍ଦଳ ପ୍ରଧାନ ଆନଦ୍ଧ ବାଦ୍ୟ ରୂପେ ପରମ୍ପରା କ୍ରମେ ବ୍ୟବହୃତ ହୁଏ । ମର୍ଦ୍ଦଳକୁ ଓଡ଼ିଶୀ ସଙ୍ଗୀତ ସହ ଓ ଏକକ କିମ୍ପା ଦଳଗତ ଭାବେ ବାଦନ କରାଯାଏ ।

କେହି କେହି ଏହାକୁ 'ପଖଜ' ବୋଲି ମଧ୍ୟ କହିବାର ଦେଖାଯାଏ, କିନ୍ତୁ ପରମ୍ପରା କ୍ରମେ ମର୍ଦ୍ଦଳ ଶବ୍ଦଟି ଗୁରୁମାନଙ୍କଦ୍ୱାରା ଶୁଦ୍ଧ ବୋଲି କୁହାଯାଇ ଅଛି । ଓଡ଼ିଶାର ପ୍ରାଚୀନ ଶାସ୍ତ୍ର ଏବଂ ଶ୍ରୀ ଜଗନ୍ନାଥ ମନ୍ଦିର ପରମ୍ପରାରେ ମଧ୍ୟ 'ମର୍ଦ୍ଦଳ' ଏବଂ 'ମାଦେଳି' ସେବକ ଏହି ଶବ୍ଦଗୁଡ଼ିକ ପ୍ରଯୁକ୍ତ । ଦକ୍ଷିଣ ଭାରତରେ 'ମଦ୍ଦଲମ୍' ଏବଂ ଉତ୍ତର ଭାରତରେ 'ପଖାୱଜ୍' ନାମକ ବାଦ୍ୟ ଥିଲେହେଁ ଓଡ଼ିଶାର ମର୍ଦ୍ଦଳ ଗଠନ ଓ ବାଦନରେ ଏ ଉଭୟଠାରୁ ସମ୍ପୂର୍ଣ୍ଣ ପୃଥକ୍ ଅଟେ ।

ଇତିହାସ[ସମ୍ପାଦନା]

ରଘୁନାଥ ରଥଙ୍କ ବିରଚିତ ନାଟ୍ୟ ମନୋରମାରେ ମର୍ଦ୍ଦଳର ମାହାତ୍ମ୍ୟ ବିଷୟରେ ନିମ୍ନଭାବରେ କୁହାଯାଇଛି ।

ଆନଦ୍ଧେ ମର୍ଦ୍ଦଳଃ ଶ୍ରେଷ୍ଠୋ ଯତସ୍ତଲ୍ଲକ୍ଷଣଂବ୍ରୁବେ ।
ଆନଦ୍ଧମାନଙ୍କ ମଧ୍ୟରେ ମର୍ଦ୍ଦଳ ଶ୍ରେଷ୍ଠ ଅଟେ ।

— ନାଟ୍ୟ ମନୋରମା, ରଘୁନାଥ ରଥ

ଶ୍ରୀମନ୍ଦିରରେ ମର୍ଦ୍ଦଳ ବାଦନ ଲାଗି ବିଶିଷ୍ଟ ମାଦେଳି ସେବା ରହିଥିଲା ।[୧] କୋଣାର୍କ ଓ ଅନ୍ୟାନ୍ୟ ଉତ୍କଳୀୟ ଦେଉଳରେ ମର୍ଦ୍ଦଳ ବାଦନ କରୁଥିବା ଦୃଶ୍ୟ ପଥର ଗାତ୍ରରେ ଖୋଦିତ ହୋଇଛି ।

ଏହାର ବାଦନଦ୍ୱାରା ଭକ୍ତିରସ ସୃଷ୍ଟ ହୁଏ ବୋଲି କୁହାଯାଏ ।[୨]

ନିର୍ମାଣ[ସମ୍ପାଦନା]

ଗୁରୁ ସଚ୍ଚିଦାନନ୍ଦ ଦାସ

କାଠ[ସମ୍ପାଦନା]

ମର୍ଦ୍ଦଳ ନିର୍ମାଣ ଲାଗି ସମସ୍ତ କାଠ ଉପଯୁକ୍ତ ନୁହେଁ । ନାଟ୍ୟ ମନୋରମା ମତରେ ଖଇର କାଠରେ ତିଆରି ମର୍ଦ୍ଦଳ ଶ୍ରେଷ୍ଠ । ଅନ୍ୟ କାଠରେ ତିଆରି ହେଲେ ତାହା ହୀନ ଅଟେ । ରକ୍ତଚନ୍ଦନ କାଠରେ ତିଆରି ହେଲେ ମର୍ଦ୍ଦଳରୁ ଗମ୍ଭୀର ଓ ମନୋହର ଧ୍ୱନି ବାହାରେ ।[୩]

ଦୈର୍ଘ୍ୟ[ସମ୍ପାଦନା]

ନାଟ୍ୟ ମନୋରମା ମତରେ ମର୍ଦ୍ଦଳ ଲମ୍ବରେ ଦେଢ଼ହାତ ହେବ । ବାମପାଖ ବାର ଆଙ୍ଗୁଳି କିମ୍ବା ତେର ଆଙ୍ଗୁଳି ହେବ ଓ ଦକ୍ଷିଣପଟ ବାମପଟଠାରୁ ଅଧ ଅଙ୍ଗୁଳ ବା ଅଙ୍ଗୁଳେ ଊଣା ହେବ ।[୩]

ନିର୍ମାଣ ବିଧି[ସମ୍ପାଦନା]

ନାଟ୍ୟ ମନୋରମାରେ ମର୍ଦ୍ଦଳ ନିର୍ମାଣ ବିଧି ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି । ମର୍ଦ୍ଦଳର ମୁଖରେ କରଣ ବାନ୍ଧିବ । ଦୁଇ ମୁହଁଠାରୁ ଏହାର ମଧ୍ୟଭାଗ ମୋଟା ହେବ । ଛ'ମାସର ମଡ଼ା ଚମକୁ କରଣ କୁହାଯାଏ । ଏହି ଛମାସର ଅର୍ଥ ଗର୍ଭସ୍ଥ ଛମାସ ନୁହେଁ ବରଂ ଜନ୍ମହେବା ପରେ ଛମାସ । ଏହା ପରେ ମର୍ଦ୍ଦଳ ମୁହଁରେ ଖରଳି ଲେପ କରାଯାଏ । ମର୍ଦ୍ଦଳ ମୁହଁରେ ବୋଳାଯାଉଥିବା ଲେପକୁ କିରଣ ବା ଖରଳି କୁହାଯାଏ । ପାଉଁଶ, ଗେରୁ, ଭାତ (ଅଭାବରେ ଚୂଡ଼ା) ହରିଡ଼ା ଏକାଠି କରି ଯେଉଁ ଲେପ ଦିଆଯାଏ ତାର ନାମ ଖରଳୀ । ଏହି ଖରଳି ଲେପ ମର୍ଦ୍ଦଳର ଦକ୍ଷିଣ ପଟରେ ଦିଆଯାଏ । ଏହା ପରେ ମର୍ଦ୍ଦଳର ବାମ ପାଖରେ ପୂରିକା ଦିଆଯାଏ । ଏହା ମର୍ଦ୍ଦଳର ସୁନାଦ ଲାଗି ବ୍ୟବହୃତ ହୁଏ । ଭାତ, ଲିଆ ବା ଚୂଡ଼ା ଏହି ତିନୋଟି ମଧ୍ୟରୁ କୌଣସି ଗୋଟିଏ ପଦାର୍ଥ ସହିତ ପାଣି ଓ ପାଉଁଶ ମିଶାଇ ଚକଟିଲେ ତାହା ପୂରିକା ହୁଏ । ପୂରିକା ଲେପସାରି ଖରାରେ ଶୁଖାଯାଏ । ଥରକୁ ଥର ବାର ଥର ଲେପି ବାର ଥର ଶୁଖାଇଲା ପରେ ଶ୍ରୁତିର ଭଲମନ୍ଦ ବାରିବା ଆବଶ୍ୟକ ହୁଏ । ତା ପରେ ପାଟସୂତା ବା ଚମଡ଼ାର ଦଉଡ଼ି ଦିଗୁଣ କରି ବଳି ମର୍ଦ୍ଦଳର ବାମ ଡାହାଣ ଦୁଇପାଖରେ ଦୃଢ଼କରି ବାନ୍ଧି କାନ୍ଧରେ ପକାଇ ଦେବତାଙ୍କୁ ସ୍ମରଣ କରି ମର୍ଦ୍ଦଳ ବଜାଇବା ବିଧେୟ ।[୩]

ବାଦକ[ସମ୍ପାଦନା]

ଗୁରୁ ଜଗନ୍ନାଥ କୁଅଁର

ମର୍ଦ୍ଦଳ ବାଦନ ପରମ୍ପରା ଓଡ଼ିଶାର ବହୁ ପ୍ରଚଳିତ । ବିଶେଷରୂପେ ଓଡ଼ିଶୀ ସଙ୍ଗୀତର ଆଦିଗୁରୁ ସିଂହାରୀ ଶ୍ୟାମସୁନ୍ଦର କର, ଗୁରୁ କେଳୁଚରଣ ମହାପାତ୍ରବନମାଳୀ ମହାରଣାଙ୍କ ନାମ ମର୍ଦ୍ଦଳର ଶ୍ରେଷ୍ଠ ବାଦକମାନଙ୍କ ମଧ୍ୟରେ ଉଲ୍ଲେଖଯୋଗ୍ୟ । ଗୁରୁ ମଣି ମହାପାତ୍ର, ଗୁରୁ କାଶୀନାଥ ମୁଦୁଲି, ଗୁରୁ ଚକ୍ରଧର ସାହୁ ଓ ଗୁରୁ ପଦ୍ମନାଭ ପଣ୍ଡା ଆଦି ପ୍ରମୁଖ ମର୍ଦ୍ଦଳ ବିଶାରଦ ଥିଲେ । ନିକଟ ଅତୀତରେ ଗୁରୁ ଧନେଶ୍ୱର ସ୍ୱାଇଁ ଓ ଗୁରୁ ସଚ୍ଚିଦାନନ୍ଦ ଦାସଙ୍କ ଉଦ୍ୟମ ଯୋଗୁଁ ମର୍ଦ୍ଦଳର ଓଡ଼ିଶା ବାହାରେ ବହୁଳ ପ୍ରଚାର ଓ ପ୍ରସାର ହେବା ସଙ୍ଗେ ସଙ୍ଗେ ମର୍ଦ୍ଦଳର ଏକକ ବାଦନ ମଧ୍ୟ କରାଯାଉଛି । ଆଧୁନିକ ସମୟରେ ମର୍ଦ୍ଦଳ ପ୍ରତି ତାଙ୍କ ଅବଦାନ ଲାଗି ଗୁରୁ ବନମାଳୀ ମହାରଣାଙ୍କୁ "ମର୍ଦ୍ଦଳର ଜନକ" ଭାବେ ସମ୍ମାନିତ କରାଯାଇଛି । ବର୍ତ୍ତମାନ ସମୟର ପ୍ରଧାନ ମର୍ଦ୍ଦଳ ବାଦକଙ୍କ ମଧ୍ୟରେ ଗୁରୁ ବାସୁଦେବ ଖୁଣ୍ଟିଆ, ଗୁରୁ ଧନେଶ୍ୱର ସ୍ୱାଇଁ, ଗୁରୁ ସଚ୍ଚିଦାନନ୍ଦ ଦାସ, ଗୁରୁ ନିରଞ୍ଜନ ପାତ୍ର, ଗୁରୁ ପାଗଳ ସ୍ୱାଇଁ, ଗୁରୁ ରବିନାରାୟଣ ପଣ୍ଡା, ଗୁରୁ ଜଗନ୍ନାଥ କୁଅଁର, ଗୁରୁ ବିଜୟ ବାରିକ, ଗୁରୁ ନିରଞ୍ଜନ ସାହୁ, ଗୁରୁ ଜନାର୍ଦ୍ଦନ ଦାଶ, ଗୁରୁ ଦିବାକର ପରିଡ଼ା, ଗୌରାଙ୍ଗ ଚରଣ ମାହାଲା, ସୌଭାଗ୍ୟ ଛୋଟରାୟ, ବୁଦ୍ଧନାଥ ସ୍ୱାଇଁ, ସୌମ୍ୟ ରଞ୍ଜନ ନାୟକ, ରୋହିତ ପ୍ରଧାନ, ମୁରଲୀଧର ସ୍ୱାଇଁ, ସୀତାକାନ୍ତ ଜେନା, ଅରୂପ କୁମାର ଦାସ, ବିଭୂତି ଭୂଷଣ ଚମ୍ପତ୍ତି ଇତ୍ୟାଦି ଅନ୍ୟତମ ।


ଆଧାର[ସମ୍ପାଦନା]

  1. ଗୁରୁ ରାମହରି ଦାଶ ଓଡ଼ିଶୀ ଗୁରୁକୁଳ, http://odissigurukul.org/about-mardal.html
  2. "For creating ‘Bhakti-rasa’, the musical instruments like ‘Manjira’, ‘Mardal’, ‘Kartala’, ‘Chimta’ etc. Need to be played." - The Tradition of Tal-Vadya and Role of Mardal in Odissi Music, PROF.(Dr.) JAGANNATH KUANR https://www.worldwidejournals.com/indian-journal-of-applied-research-(IJAR)/file.php?val=November_2014_1492772152__06.pdf
  3. ୩.୦ ୩.୧ ୩.୨ ନାଟ୍ୟ ମନୋରମା, ରଘୁନାଥ ରଥ । ଡକ୍ଟର କାଳୀଚରଣ ପଟ୍ଟନାୟକଙ୍କଦ୍ୱାରା ଅନୁବାଦିତ । ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଭୁବନେଶ୍ୱର । ପ୍ରଥମ ପ୍ରକାଶ - ୧୯୭୬ ।