କାଶୀନାଥ ପୂଜାପଣ୍ଡା

ଉଇକିପିଡ଼ିଆ‌ରୁ
କାଶୀନାଥ ପୂଜାପଣ୍ଡା
Born(1921-03-15)୧୫ ମାର୍ଚ୍ଚ ୧୯୨୧
ମାଟିମଣ୍ଡପ ସାହି, ପୁରୀ
Died୨୮ ମାର୍ଚ୍ଚ ୨୦୦୯(2009-03-28) (ବୟସ ୮୮)
Occupationଓଡ଼ିଶୀ ସଙ୍ଗୀତ ଗୁରୁ
Styleଓଡ଼ିଶୀ ସଙ୍ଗୀତ

କାଶୀନାଥ ପୂଜାପଣ୍ଡା(୧୫ ମାର୍ଚ୍ଚ ୧୯୨୧- ୨୮ ମାର୍ଚ୍ଚ ୨୦୦୯) ଜଣେ ଓଡ଼ିଶୀ ସଙ୍ଗୀତଜ୍ଞ ଓ ଗୁରୁ ଥିଲେ ।[୧] ଓଡ଼ିଶୀ ସଙ୍ଗୀତରେ ଉତ୍କର୍ଷତା ପାଇଁ ସେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସମେତ ବହୁ ପୁରସ୍କାର ଓ ସମ୍ମାନରେ ସମ୍ମାନୀତ ହୋଇଥିଲେ ।[୨]

ଜୀବନୀ[ସମ୍ପାଦନା]

କାଶୀନାଥ, ୧୯୨୧ ମସିହାରେ ପୁରୀର ମାଟିମଣ୍ଡପ ସାହିର[୩] ଏକ ସେବାୟତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଅଜା ନୀଳକଣ୍ଠ ଖୁଣ୍ଟିଆ ଥିଲେ, ଚାଖି ଖୁଣ୍ଟିଆଙ୍କ ନାତି । ମାମୁଁ ବଳଭଦ୍ର ହଜୁରୀ, ପୁରୀରେ ହଜୁରୀ ଥିଏଟର୍ସ୍ ପ୍ରତିଷ୍ଠା କରିଥିଲେ । ଏହି ଥିଏଟରର ଆଖଡାଶାଳରେ କାଶୀନାଥଙ୍କ ଶୈଶବ ବିତିଥିଲା । ମାମୁଁ ପୁଅ ଭାଇ ରଘୁନାଥ ହାରମୋନିୟମ ଓ ବଂଶୀ ବଜଉଥିଲେ । ତାଙ୍କରି ପ୍ରଭାବ ପଡିଥିଲା କାଶୀନାଥଙ୍କ ଉପରେ । ନବମ ଶ୍ରେଣୀରେ ପାଠପଢ଼ା ଛାଡି ସଙ୍ଗୀତରେ ମାତିଥିଲେ କାଶୀନାଥ । ପିତାଙ୍କର ପୁତ୍ରର ସଙ୍ଗୀତ ଆସକ୍ତି ପ୍ରତି ସହମତି ନଥିଲା । କିନ୍ତୁ ମା ଓ ଭିଣୋଇଙ୍କ ସମର୍ଥନ ମିଳିଥିଲା କାଶୀନାଥଙ୍କୁ । ଭିଣୋଇ ପଦ୍ମତୋଳାଚନ୍ଦ୍ର ତାଙ୍କୁ ସିଂହାରୀ ଶ୍ୟାମସୁନ୍ଦର କରଙ୍କ ସହିତ ପରିଚିତ କରାଇଦେଇଥିଲେ । ପୁରୀର କାଳିକା କୋଟଠାରେ କାଶୀନାଥ, ସିଂହାରୀ ଶ୍ୟାମସୁନ୍ଦର କରଙ୍କଠାରୁ ସଙ୍ଗୀତ ଶିକ୍ଷା କରୁଥିଲେ । ପିତା ତାଙ୍କର ସଙ୍ଗୀତ ଶିକ୍ଷା ପ୍ରତି ବିରକ୍ତ ହେବାରୁ, କାଶୀନାଥ ଘର ଛାଡି କଲିକତା ପଳେଇ ଯାଇଥିଲେ । କଲିକତାରେ ଏକ ଓଡ଼ିଆ ଭୋଜନାଳୟରେ ଚା ଦେବାନେବା କରି ପେଟ ପୋଷୁଥିଲେ କାଶୀନାଥ । ଭୋଜନାଳୟରେ ମାଲିକ ତାଙ୍କ ସଙ୍ଗୀତ ପ୍ରତି ଅନୁରକ୍ତି ଦେଖି, ତାଙ୍କ ପାଇଁ ସଙ୍ଗୀତ ଶିକ୍ଷାର ବ୍ୟବସ୍ଥା କରିଦେଇଥିଲେ । କଲିକତାରୁ କିଛି ସମୟ ପରେ ଫେରି ଆସି, ସେ କଟକର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଯୋଗ ଦେଇଥିଲେ । ଆଜୀବନ ସଙ୍ଗୀତ ସାଧନାରେ ବ୍ରତି ହୋଇ କାଶୀନାଥ ୨୦୦୯ ମସିହାରେ ହୃଦ୍‌ଘାତରେ ଶିକାର ହୋଇ ପ୍ରାଣତ୍ୟାଗ କରିଥିଲେ । ସ୍ତ୍ରୀ, ତିନି ପୁଅ ଓ ଦୁଇ ଝିଅଙ୍କୁ ନେଇ କାଶୀନାଥଙ୍କ ପରିବାର ଥିଲା ।[୪]

କାଶୀନାଥ, ଗୁରୁ ସିଂହାରୀ ଶ୍ୟାମସୁନ୍ଦର କର ଓ ହରିହର ରାଜଗୁରୁଙ୍କଠାରୁ ଓଡ଼ିଶୀ ସଙ୍ଗୀତ ଓ ମର୍ଦଳ ବାଦନ ତଥା କାଳିପଦ ମୁଖାର୍ଜୀ, ସୁଧୀର ମିତ୍ରଙ୍କଠାରୁ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତ ଶିକ୍ଷା କରିଥିଲେ । ପରେ ସେ ପ୍ରୟାଗ ସଙ୍ଗୀତ ସମିତି, ଆହ୍ଲାବାଦରୁ ସଙ୍ଗୀତ ଶିକ୍ଷାକରି ସଙ୍ଗୀତ ପ୍ରଭାକର ଉପାଧୀ ଲାଭ କରିଥିଲେ ।[୫] ସେ ଆକାଶବାଣୀ ଓ ଦୂରଦର୍ଶନର ସ୍ୱୀକୃତିପ୍ରାପ୍ତ କଳାକାର ଥିଲେ ଓ ୧୯୪୧ମସିହାରୁ ଆକାଶବାଣୀରେ ସଙ୍ଗୀତ ପରିବେଷଣ କରୁଥିଲେ । ସେ କଟକର ଉତ୍କଳ ସଙ୍ଗୀତ ସମାଜ, ଭୁବନେଶ୍ୱରର ଲଳିତ କଳାପିଠରାଗନ ଆଦି ଅନୁଷ୍ଠାନ ସହିତ ଜଡ଼ିତ ରହିଥିଲେ ।[୬]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର
  • କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ
  • ଆଦିଗୁରୁ ପଙ୍କଜ ଚରଣ ଦାସ ସମ୍ମାନ[୭]

ଆଧାର[ସମ୍ପାଦନା]

  1. Orissa Review. February 2008.
  2. Sruti. P.N. Sundaresan. 2006.
  3. B. D. Panda (1992). Development of Public Libraries in Orissa: Analytical Aspects. Pratibha Prakashan. ISBN 978-81-85268-17-0.
  4. "ଓଡ଼ିଶୀ ସଙ୍ଗୀତ ଗୁରୁ କାଶୀନାଥ ପୂଜାପଣ୍ଡା". ସମ୍ବାଦ ୧୫/୦୩/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୮. Archived from the original on 19 March 2017. Retrieved 15 March 2017.
  5. "ଆର୍କାଇଭ୍ କପି". Archived from the original on 2015-04-06. Retrieved 2017-03-15. {{cite web}}: Cite has empty unknown parameter: |1= (help)
  6. http://www.hindustantimes.com/india/odissi-guru-pandit-kashinath-pujapanda-dead/story-87UaQkkjz9wyjkpkZNUuPP.html
  7. http://timesofindia.indiatimes.com/city/bhubaneswar/Kashinath-Pujapanda-passes-away/articleshow/4328464.cms