ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନ

ଉଇକିପିଡ଼ିଆ ରୁ
Jump to navigation Jump to search
ଗୁରୁ

ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନ
Gokul Srichandan.jpg
ଜନ୍ମ ଓ ଜନ୍ମସ୍ଥାନ୧୮୭୦
ମୃତ୍ୟୁ୧୯୪୭
ଜୀବିକାଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତଜ୍ଞ, ଗୁରୁ, କଣ୍ଠଶିଳ୍ପୀ
ଶୈଳୀଓଡ଼ିଶୀ ସଙ୍ଗୀତ
ସନ୍ତାନ
  • ବଂଶୀଧର ଶ୍ରୀଚନ୍ଦନ
  • ବନବିହାରୀ ଶ୍ରୀଚନ୍ଦନ
  • ବିନୋଦ ବିହାରୀ ଶ୍ରୀଚନ୍ଦନ
  • ବସନ୍ତ ବିହାରୀ ଶ୍ରୀଚନ୍ଦନ
  • ବାଙ୍କ ବିହାରୀ ଶ୍ରୀଚନ୍ଦନ
ବାପା ବୋଉ
  • ଜଗନ୍ନାଥ ଭ୍ରମରବର ରାୟ
  • ବିଷ୍ଣୁପ୍ରିୟା ଦେବୀ
ସମ୍ପର୍କୀୟ
ପରିବାରରାଧାଶ୍ୟାମ ନରେନ୍ଦ୍ରଙ୍କ ବଂଶ

ଗୁରୁ ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନ ଊନବିଂଶ ଓ ବିଂଶ ଶତାବ୍ଦୀର ଅଗ୍ରଗଣ୍ୟ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଗୁରୁ, କଣ୍ଠଶିଳ୍ପୀ ଓ ଗବେଷକ ଥିଲେ । ଓଡ଼ିଶୀ ସଙ୍ଗୀତର ବିଭିନ୍ନ ପାରମ୍ପରିକ ବିଭାଗ ଯଥା : ଚଉପଦୀ, ଛାନ୍ଦ, ଚମ୍ପୂ, ଭଜନ, ଜଣାଣ, ସରିମାନ ଇତ୍ୟାଦିରେ ସେ ପ୍ରବୀଣ ଥିଲେ ଓ ଅନେକ ଶିଷ୍ୟଙ୍କୁ ଏହା ଶିକ୍ଷା ଦେଇଥିଲେ । ଏହା ସଙ୍ଗେ ସଙ୍ଗେ ସେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତର ବିଭିନ୍ନ ବିଭାଗ : ଯଥା ଖେୟାଲ, ଠୁମୁରୀ ଆଦିରେ ମଧ୍ୟ ପାଣ୍ଡିତ୍ୟ ଅର୍ଜ୍ଜନ କରିଥିଲେ । ସେ ସୀତାର ବାଦନରେ ମଧ୍ୟ ଅଦ୍ଭୁତ ଦକ୍ଷତା ଅର୍ଜ୍ଜନ କରିଥିଲେ ।[୧][୨]

ଓଡ଼ିଆ ଭାଷାର ଗୀତ, ଅର୍ଥାତ୍ ଓଡ଼ିଶୀ ସଙ୍ଗୀତକୁ ରେକର୍ଡ଼ କରି ପ୍ରସାର କରାଇବା ନିମନ୍ତେ ସର୍ବପ୍ରଥମେ ବଳିଷ୍ଠ ଉଦ୍ୟମ କରିଥିଲେ ଗୋକୁଳ ଶ୍ରୀଚନ୍ଦନ । ତାଙ୍କର ପ୍ରଚେଷ୍ଟାଦ୍ୱାରା ଓ ହିଜ୍ ମାଷ୍ଟର୍ସ ଭଏସ୍ କମ୍ପାନୀର ଅନୁରୋଧ କ୍ରମେ[୩] ୧୯୦୬ ମସିହାରେ ପ୍ରଥମ ଥର ପାଇଁ ଗ୍ରାମ୍ଫୋନରେ ରେକର୍ଡ଼ ହୋଇଥିଲା ଓଡ଼ିଶୀ ସଙ୍ଗୀତ । ଏହା ୱିଲିଆମ ଗାଇସବର୍ଗ ନାମକ ରେକର୍ଡିଂ ଯନ୍ତ୍ରୀଙ୍କଦ୍ୱାରା କଲିକତାରେ ହୋଇଥିଲା । ପ୍ରଥମ ରେକର୍ଡିଂ ସେସନରେ କଟକର ଗୁରୁ ଶେଖ ଖାନ ମୋହମ୍ମଦ ଏବଂ କେନ୍ଦ୍ରାପଡ଼ାର ଗୁରୁ ଗୋକୁଳ ଶ୍ରୀଚନ୍ଦନ ଏହି ଉଭୟଙ୍କ କଣ୍ଠରେ ରେକର୍ଡ଼ିଂ ହୋଇଥିଲା ।

ତାଙ୍କର ଶିଷ୍ୟମାନଙ୍କ ମଧ୍ୟରୁ ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ, ମୋହନ ସୁନ୍ଦର ଦେବ ଗୋସ୍ୱାମୀ, ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ, କାଳୀପଦ ଦାସ ଅନ୍ୟତମ ।

ଜୀବନୀ[ସମ୍ପାଦନା]

୧୮୭୦ ମସିହାରେ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଜମିଦାର ରାଧାଶ୍ୟାମ ନରେନ୍ଦ୍ରଙ୍କ ବଂଶରେ ଗୋକୁଳ ଶ୍ରୀଚନ୍ଦନ ଜନ୍ମଲାଭ କରିଥିଲେ । ସେ ଥିଲେ ସ୍ୱର୍ଗତ ରାଧାଶ୍ୟାମ ନରେନ୍ଦ୍ରଙ୍କ ନାତି । ପିତାଙ୍କ ନାମ ଜଗନ୍ନାଥ ଭ୍ରମରବର ରାୟ ଓ ମାତାଙ୍କ ନାମ ବିଷ୍ଣୁପ୍ରିୟା ଦେବୀ ।[୩] ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ ମଧ୍ୟ ଏହି ବଂଶଜ ; ସେ ଗୋକୁଳ ଶ୍ରୀଚନ୍ଦନଙ୍କ ପୁତୁରା । ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର ଏହି ବଂଶର ବିମଳା ଦେବୀଙ୍କୁ ବିବାହ କରିଥିଲେ । ପ୍ରଖ୍ୟାତ ରାସଲୀଳା ପ୍ରବର୍ତ୍ତକ ଗୋବିନ୍ଦ ଚନ୍ଦ୍ର ଶୂରଦେଓ ଗୋକୁଳଙ୍କ ଭ୍ରାତା ଶ୍ୟାମସୁନ୍ଦର ନରେନ୍ଦ୍ରଙ୍କ ଜେମାଙ୍କୁ ବିବାହ କରିଥିଲେ ।

ରାଜପରିବାରରେ ଜନ୍ମ ହୋଇ ମଧ୍ୟ ତାଙ୍କର ପିଲାଟି ଦିନରୁ ବିଳାସବ୍ୟସନ ପ୍ରତି ଜମାରୁ ଆଗ୍ରହୀ ନ ଥିଲେ । ବରଂ ବାଲ୍ୟକାଳରୁ ସଙ୍ଗୀତରେ ମନୋନିବେଶ କରି ଏକାନ୍ତ ହୋଇ ରହୁଥିଲେ । ପିତାମାତାଙ୍କ ବାରଣ ସତ୍ତ୍ୱେ ସେ ସଙ୍ଗୀତ ଶିକ୍ଷାରେ ହିଁ ବ୍ରତୀ ଥିଲେ । କେନ୍ଦ୍ରାପଡ଼ା ରାଜପରିବାରର ଇଷ୍ଟଦେବ ଶ୍ରୀ ରାଧାଗୋବିନ୍ଦ ଜୀଉଙ୍କ ପାଖରେ ବର୍ଷା ଚାରିମାସ ସମଗ୍ର ଭାରତବର୍ଷରୁ ଆସୁଥିବା ସାଧୁମାନେ ରହିବା ଏକ ପାରମ୍ପରିକ ପ୍ରଥା ଥିଲା । ଏହି ସାଧୁମାନଙ୍କ ସାନ୍ନିଧ୍ୟ ଲାଭ କରି ଗୋକୁଳଚନ୍ଦ୍ର ସେହିମାନଙ୍କଠାରୁ ସଙ୍ଗୀତ ଶିକ୍ଷା କରୁଥିଲେ । କୀର୍ତ୍ତନ ଗାଇବା ଓ ବାଦ୍ୟଯନ୍ତ୍ର ବଜାଇବାରୁ ତାଙ୍କର ପ୍ରାରମ୍ଭିକ ଶିକ୍ଷା ଆରମ୍ଭ କରିଥିଲେ । ଏହି ଉଦ୍ଦେଶ୍ୟରେ ସେ କାଉଁରୀକାମାକ୍ଷା ନଗରରେ (ଆସାମ) ଅନେକ ଦିନ ଅତିବାହିତ କରିଥିଲେ ।[୩]

ଗୋକୁଳ ଶ୍ରୀଚନ୍ଦନ ସର୍ବଭାରତୀୟ ସ୍ତରରେ ଜଳତରଙ୍ଗ ବାଦ୍ୟର ଉଦ୍ଭାବକ । ଭାରତବର୍ଷରେ ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ସଙ୍ଗୀତ କାର୍ଯ୍ୟକ୍ରମରେ ସେ ଯୋଗଦାନ କରୁଥିଲେ ।[୪] ସେ ନିଜ ଖର୍ଚ୍ଚରେ କାଶ୍ମୀର, ଲକ୍ଷ୍ନୌ, ବନାରସ ଓ କଲିକତା ଆଲବର୍ଟ ହଲରେ ସଙ୍ଗୀତ ସଭା ଅନୁଷ୍ଠିତ କରିଥିଲେ । ପୂର୍ବ ଭାରତୀୟ, ବିଶେଷ କରି ଉତ୍କଳୀୟ ବା ଓଡ଼ିଶୀ ସଙ୍ଗୀତ ପଦ୍ଧତିର ଶିକ୍ଷା, ଗବେଷଣା ଓ ପରିବେଷଣ ନିମନ୍ତେ ଲକ୍ଷ୍ମୀକାନ୍ତ ଚୌଧୁରୀଙ୍କ ସହ ମିଶି ୧୯୩୨ ମସିହାରେ ଉତ୍କଳ ସଙ୍ଗୀତ ସମାଜ ପ୍ରତିଷ୍ଠା କରିଥିଲେ । ଲକ୍ଷ୍ମୀକାନ୍ତ ସଙ୍ଗୀତ ବିଦ୍ୟାଳୟର ଅଧ୍ୟକ୍ଷ ଥିଲେ ।[୧]

କୌଣସି ଅର୍ଥ ନ ନେଇ ଅନେକ ଛାତ୍ରଙ୍କୁ ସଙ୍ଗୀତ ଶିକ୍ଷା ଦେଇଥିଲେ । ତାଙ୍କର ଲକ୍ଷ୍ୟ ଥିଲା ଓଡ଼ିଶାରେ ସଙ୍ଗୀତର କିପରି ଉନ୍ନତି ଓ ପ୍ରଚାର ପ୍ରସାର ହେବ ।[୨] ବଡ଼କୋଠା ମଧ୍ୟସ୍ଥ ରଙ୍ଗମହଲରେ ସେ ସଙ୍ଗୀତ ଆସର ଅନୁଷ୍ଠିତ କରୁଥିଲେ । ଏଠାରେ ଭାରତର ଶ୍ରେଷ୍ଠ ଶିଳ୍ପୀମାନେ ସମ୍ମିଳିତ ହେଉଥିଲେ, ଯଥା : ବଡ଼େ ଗୁଲାମ ଅଲୀ, ରୋଶ୍ନାରା ବେଗମ, ହାଫିଜ ଅଲୀ ଖାଁ, ରାୟଚାନ୍ଦ ବରାଳ ଆଦି ।

୧୯୪୭ ମସିହାରେ ତାଙ୍କର ତିରୋଧାନ । ଉତ୍କଳ ସାହିତ୍ୟ ସମାଜ ଶ୍ରୀରାମଚନ୍ଦ୍ର ଭବନରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାନିତ ।

ରେକର୍ଡ଼ ତାଲିକା[ସମ୍ପାଦନା]

୧୯୦୬ ମସିହାରେ ରେକର୍ଡ଼ ହୋଇଥିବା ଗୀତଗୁଡ଼ିକର ତାଲିକା ଡିସ୍କୋଗ୍ରାଫର ମାଇକେଲ କିନ୍ନିଅର ସଙ୍ଗ୍ରହ କରି ପ୍ରକାଶିତ କରିଛନ୍ତି । ଏଥିରେ ଗୋକୁଳ ଶ୍ରୀଚନ୍ଦନଙ୍କର ୭ ଗୋଟି ରେକର୍ଡ଼ ଉଲ୍ଲିଖିତ । ଗୀତ ନାମ ସହିତ ରେକର୍ଡ଼ ଉପରେ ଓଡ଼ିଶୀ ସଙ୍ଗୀତର ବିଶିଷ୍ଟ ପାରମ୍ପରିକ ରାଗ ଏବଂ ତାଳ ନାମ ଉଲ୍ଲିଖିତ ରହିଛି । ଏହି ପ୍ରଥମ ୭ ଗୋଟି ରେକର୍ଡ଼ ମଧ୍ୟରୁ ଗୋଟିଏ ହିନ୍ଦୁସ୍ଥାନୀ ଏବଂ ଗୋଟିଏ ବଙ୍ଗାଳୀ ଗୀତ ; ବାକି ସମସ୍ତ ପାରମ୍ପରିକ ଓଡ଼ିଶୀ ସଙ୍ଗୀତ ।[୪]

କ୍ରମ ଗୀତ କବି ରାଗ ତାଳ
ଭୁବନାନନ୍ଦ ବ୍ରଜନିଭ ବନେ (ଓଡ଼ିଶୀ) କାମୋଦୀ ଆଠତାଳି
ରାମା ରମଣୀ ତୁରେ ଗୁମାନ ନ କର ମୋରେ (ଓଡ଼ିଶୀ) ପରଜ ଏକତାଳ
ନିନ୍ଦେ ଶରଦ ଇନ୍ଦୁ ଲପନାରେ ମ୍ଳାନ ନ କର ରସସିନ୍ଧୁ (ଓଡ଼ିଶୀ) ମୋହନା ସରିମାନ
ବାନ୍ଧବୀକି ଶୁଭିଲା ଆଜ ସେ ବନମାଳୀ (ଓଡ଼ିଶୀ) ଖମ୍ବାଜ ଆଠତାଳି
'Saro Sikh Nela Chatulare' ଝିଂଝଟ ଦାଦରା
'Mo Nahi Lege Bol Bihe Chite' (ହିନ୍ଦୁସ୍ଥାନୀ ଠୁମୁରୀ) ଜଙ୍ଗଲା
'Oi Bujhi Bansi Baje' (ବଙ୍ଗାଳୀ) ସିନ୍ଧୁଖମ୍ବାଜ ଏକତାଳ

ଏହା ଛଡ଼ା କଲମ୍ବିଆ ରେକର୍ଡ଼ରେ ସେ କବିସୂର୍ଯ୍ୟଙ୍କ କିଶୋରଚନ୍ଦ୍ରାନନ୍ଦ ଚମ୍ପୂର ଖ-ଗୀତ 'ଖେଳଲୋଳଖଞ୍ଜନାକ୍ଷି କି ସାହସ କଲୁରେ, ଖରାପ ତୁ ହେଲୁରେ' (ରାଗ କେଦାର - ତ୍ରିପଟା) ରେକର୍ଡ଼ କରାଇଥିବା କାଳୀପଦ ଦାସ ଉଲ୍ଲେଖ କରିଛନ୍ତି ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ଓଡ଼ିଆ ଚରିତ କୋଷ, ପ୍ରଥମ ଭାଗ । ସଂକଳକ : ନଗେନ୍ଦ୍ରନାଥ ମହାନ୍ତି । ପ୍ରତିମା ନାଥ ଟ୍ରଷ୍ଟ, ଦିଲ୍ଲୀ, ୨୦୦୫ ।
  2. ୨.୦ ୨.୧ ୨.୨ ସଙ୍ଗୀତାଚାର୍ଯ୍ୟ ଗୋକୁଳଚନ୍ଦ୍ର ଶ୍ରୀଚନ୍ଦନ । ପ୍ରଫେସର କାଳୀପଦ ଦାସ, ମଙ୍ଗଳାବାଗ, କଟକ । ପ୍ରଜାତନ୍ତ୍ର ପ୍ରତିଭା (ପତ୍ରିକା), ୭ମ ବର୍ଷ, ୩ୟ ସଂଖ୍ୟା, ସେପ୍ଟେମ୍ବର ୧୯୯୪ ।
  3. ୩.୦ ୩.୧ ୩.୨ ଗୋକୁଳଚନ୍ଦ୍ର— ଏକ ଅମ୍ଳାନ ପ୍ରତିଭା । ରବୀନ୍ଦ୍ରକିଶୋର ଶ୍ରୀଚନ୍ଦନ । ଉତ୍କଳ ସଙ୍ଗୀତ ସମାଜ ସ୍ମରଣିକା, ୨୦୧୨ ।
  4. ୪.୦ ୪.୧ The Gramophone Company's First Indian Recordings, 1899-1908. Michael S. Kinnear. Popular Prakashan, 1994.