ରଘୁନାଥ ପରିଚ୍ଛା

ଉଇକିପିଡ଼ିଆ ରୁ
Jump to navigation Jump to search
କବିଚନ୍ଦ୍ର

ରଘୁନାଥ ପରିଚ୍ଛା
ଜନ୍ମ ଓ ଜନ୍ମସ୍ଥାନ୧୮୦୨
କଟକିଆ ସାହି,ବର୍ତ୍ତମାନର କବିଚନ୍ଦ୍ର ସାହି ପାରଳାଖେମୁଣ୍ଡି, ଗଞ୍ଜାମ ଜିଲ୍ଲା,ବର୍ତ୍ତମାନର ଗଜପତି ଜିଲ୍ଲା ଓଡ଼ିଶା
ମୃତ୍ୟୁ୧୮୭୨
ପାରଳାଖେମୁଣ୍ଡି
ଜାତୀୟତାଭାରତୀୟ
ଅଲଗା ନାଆଁରଘୁନାଥ ପରୀକ୍ଷା
ଜୀବିକାକବି, ନାଟ୍ୟକାର,ଜ୍ୟୋତିଷ ବିଶାରଦ
ଜଣାଶୁଣା କାମ
ପୈତୃକ ବାସସ୍ଥାନପାରଳାଖେମୁଣ୍ଡି
ସନ୍ତାନପଦ୍ମନାଭ ପରିଚ୍ଛା
ବାପା ବୋଉଚନ୍ଦ୍ରଶେଖର ପରିଚ୍ଛା, ହାରାମଣି
ପରିବାରପରିଚ୍ଛା ବଂଶ

କବିଚନ୍ଦ୍ର ରଘୁନାଥ ପରିଚ୍ଛା (୧୮୦୨-୭୨) ଓଡ଼ିଶାର ଜଣେ ପୁରାତନ କବି । ସେ ପାରଳାଖେମୁଣ୍ଡିରେ ଜନ୍ମିତ । ସେ ଗୋପୀନାଥ ମହାପ୍ରଭୁଙ୍କ ସମ୍ବନ୍ଧିତ ଅନେକ ଛାନ୍ଦ, କାବ୍ୟ ଲେଖି ଓଡ଼ିଶୀ ସଙ୍ଗୀତ, ନାଟକ ଓ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ରଘୁନାଥ ପରିଚ୍ଛା ପାରଳାଖେମୁଣ୍ଡିର ଅନ୍ୟତମ ପ୍ରସିଦ୍ଧ କବି ଗୌରହରି ପରିଚ୍ଛାଙ୍କ ସମସାମୟିକ ଥିଲେ । ନିଜ କବିତ୍ୱ ଛଡ଼ା ଜ୍ୟୋତିଷ ଓ ଗାୟକ ଭାବେ ସେ ଖ୍ୟାତି ଲାଭ କରିଥିଲେ ।[୧]

ଜୀବନ[ସମ୍ପାଦନା]

ରଘୁନାଥ ପରିଚ୍ଛା ପାରଳାଖେମୁଣ୍ଡିର କଟକିଆ ସାହିରେ ପିତା ଚନ୍ଦ୍ରଶେଖର ପରିଚ୍ଛା ଓ ମାତା ହାରାମଣୀଙ୍କ ଔରସରୁ ପାରଳାଖେମୁଣ୍ଡିର ପ୍ରସିଦ୍ଧ 'ପରିଚ୍ଛା' ବଂଶରେ ଜନ୍ମଗ୍ରହଣ କରିଥିଲେ । ରଘୁନାଥ ୧୮୬୮ ମସିହାରେ ଶ୍ରୀ ଗୋପୀନାଥ ବଲ୍ଲଭ ନାଟକ ରଚନା କରିଥିଲେ । ଏହା ଏକ ଉଚ୍ଚାଙ୍ଗ ନାଟକ ହେବା ସଙ୍ଗେ ସଙ୍ଗେ ଓଡ଼ିଆ ଭାଷାର ପ୍ରଥମ ନାଟକ । ଏହି ଶ୍ରୀ ଗୋପୀନାଥ ବଲ୍ଲଭ ନାଟକର ପ୍ରଭାବ ଗୌରହରିଙ୍କ ରଚିତ ପ୍ରହ୍ଲାଦ ନାଟକରେ ଲକ୍ଷ୍ୟ କରାଯାଏ । ତାଙ୍କ ପୂର୍ବ ପୁରୁଷ ଲିହୁରି ଗୋପୀନାଥ ମନ୍ଦିରରେ ରାଜ ନିଯୋଗରେ ଯୋଗ୍ୟତା ହାସଲ କରି ପରିକ୍ଷା ଶାଢି ପାଇଥିବା ଶୁଣାଯାଏ । ସେଥି ନିମନ୍ତେ ସେମାନେ ପଣ୍ଡାରୁ ପରିଚ୍ଛା ବୋଲାଇଲେ । ପରିଚ୍ଛା ଶବ୍ଦଟି ପରୀକ୍ଷା ଶବ୍ଦର ଅପଭ୍ରଂଶ ମାତ୍ର । ମହାରାଜଙ୍କ ଠାରୁ ବ୍ରାହ୍ମଣ କୁଳର ସଭାପତି ରୁପେ ନିଯୁକ୍ତି ପାଇଥିଲେ ।

ପରଳା ଗୁଣ୍ଡିଚା ଯାତ୍ରାରେ ସେ ଶାସନୀ ବ୍ରାହ୍ମଣମାନଙ୍କୁ ଘିଅ ପରଷୁଥିଲେ । ଏହା ପାରଳାର ରଜାରାଜୁଡ଼ା ଅମଳର ପ୍ରଚଳିତ ପ୍ରଥା ଥିଲା । ରଘୁନାଥଙ୍କ ପୂର୍ବଜ ବକ୍ରେଶ୍ୱର ପଣ୍ଡିତ ପାରଳାର ଏକ ଜଣାଶୁଣା କବି ଥିଲେ । ଲିହୁରି ଗୋପୀନାଥ ଜୀଉ ତାଙ୍କର କୁଳଦେବତା ଥିଲେ ଓ ସେ ସେଠାରେ ନୀଳସରସ୍ୱତୀ ମନ୍ତ୍ର ସାଧନା କରିଥିଲେ । ଏହି ତଥ୍ୟ ତାଙ୍କଦ୍ୱାରା ଲିଖିତ 'ରାଧାମାଧାବ ବିଳାସ'ର ସପ୍ତମ ପୃଷ୍ଠାରେ ଲିଖିତ ।

ଉପାଧି[ସମ୍ପାଦନା]

ପୁରୀ ମୁକ୍ତିମଣ୍ଡପରେ ରଘୁନାଥ କବିଚନ୍ଦ୍ର ଉପାଧି ପାଇଥିଲେ । ସେ ସେଠାରେ ନିଜା ପ୍ରଗାଢ଼ ଜ୍ଞାନର ପରିଚୟ ଦେଇ କିଛି ଗୀତ ଗାଇଥିଲେ । ଏଥି ମଧ୍ୟରୁ ଗୋଟିଏ ଗୀତ ପ୍ରଭାତ ଅବକାଶରେ ବୋଲାଯାଏ । ଉପାଧି ପ୍ରାପ୍ତ ହେବା ୧୮୩୮ ଦିନ ସେ ଗୌରୀଶଙ୍କର ରାୟଙ୍କ ସହ ଦେଖା ହୋଇଥିଲେ, ଯେ ତାଙ୍କୁ କଟକ ଡାକି ଅଭ୍ୟର୍ଥନା ଜଣାଇଥିଲେ ।

ରଚନା[ସମ୍ପାଦନା]

କବିଚନ୍ଦ୍ରଙ୍କ ଅଧିକାଂଶ ଗ୍ରନ୍ଥ ଓଡ଼ିଆ ଭାଷାରେ ରଚିତ । ଏହି ପ୍ରକାଶିତ ଗ୍ରନ୍ଥଗୁଡ଼ିକ ହେଲା- ଲକ୍ଷଣଚନ୍ଦ୍ରୋଦୟ, ରାଧାମାଧବ ବିଳାସ, ସଙ୍ଗୀତ ରାମାୟଣ, ରାଧାକୃଷ୍ଣ ଲୀଳା,ତାଳ ସର୍ବସାର ଓ ଗ୍ରନ୍ଥୋଦୟ ।[୪] ଏହାଙ୍କ ଅଧିକାଂଶ ରଚନା ଅପ୍ରକାଶିତ ଯଥା: ସଙ୍ଗୀତ ରାମଲୀଳା, ସଙ୍ଗୀତ କୃଷ୍ଣଲୀଳା, ସଙ୍ଗୀତ ରତ୍ନାକର, ବାସୁଦେବ ନାଟକ, କୃଷ୍ଣ ଛାନ୍ଦ, ରାମ ଓ ମୁକ୍ତା ନାଟିକା ।

ଲକ୍ଷଣ ଚନ୍ଦ୍ରୋଦୟ[ସମ୍ପାଦନା]

ରଘୁନାଥଙ୍କର ପ୍ରମୁଖ ଏକ କୃତି ହେଲା ଲକ୍ଷଣ ଚନ୍ଦ୍ରୋଦୟ ଗ୍ରନ୍ଥ । ଏହି ଗ୍ରନ୍ଥରେ କାବ୍ୟ ଓ ସଙ୍ଗୀତର ସୂକ୍ଷ୍ମ ଲକ୍ଷଣଗୁଡ଼ିକ ବର୍ଣ୍ଣିତ । ଯାହା ଲିପି, ପ୍ରାସାନୁପ୍ରାସ, ବିଶ୍ରାମ ଯତି, ଗଦ୍ୟପଦ୍ୟ, ଛାନ୍ଦ, ନାଦ, ଶ୍ରୁତି, ରାଗ, ଅଳଙ୍କାର ଇତ୍ୟାଦି ଅନେକ ବିଷୟରେ ଗଠିତ । ଏହା ୧୯୫୭ରେ ଓଡ଼ିଶା ସାହିତ୍ୟା ଏକାଡେମୀ ପକ୍ଷରୁ ପ୍ରକାଶିତ ହୋଇଥିଲା ।

ଶ୍ରୀ ଗୋପୀନାଥ ବଲ୍ଲଭ[ସମ୍ପାଦନା]

୧୮୬୮ ମସିହାରେ କବି ଏହି ନାଟକ ଲେଖିଥିଲେ । ଏହାକୁ ପ୍ରମାଣ କରି ଆପନ୍ନା ପଣ୍ଡାଙ୍କ 'କବି ଜୀବନି'ରେ ପ୍ରଥମ ନାଟକର ପ୍ରଶଂସା କରିଛନ୍ତି । ଏହା ପରେ କଟକର ଜଗମୋହନ ଲାଲ ବାବାଜୀ ନାଟକ ୧୮୭୭ରେ ଲେଖିଥିଲେ । ଗୋପୀନାଥ ବଲ୍ଲଭ ନାଟକ ଲିହୁରି ଗୋପୀନାଥଙ୍କୁ ସମର୍ପିତ ଥିଲା । ଗୋପୀନାଥ ବଲ୍ଲଭ ନାଟକରେ ରାଧାକୃଷ୍ଣଙ୍କ ପ୍ରେମଲୀଳା ବର୍ଣ୍ଣିତ । ଏହି ଗ୍ରନ୍ଥର ପ୍ରଥମ ପ୍ରକାଶକ ଗୌରୀଶଙ୍କର ରାୟ ଗ୍ରନ୍ଥର ବିଜ୍ଞାପନରେ ଏହାକୁ 'ଶ୍ରୀରାଧାକୃଷ୍ଣଙ୍କର ରାସଲୀଳା ଚରିତ୍ର' ବୋଲି ଉଲ୍ଲେଖ କରିଛନ୍ତି । ସମଗ୍ର ଗ୍ରନ୍ଥରେ ବିଭିନ୍ନ ଓଡ଼ିଶୀ ରାଗ ଓ ତାଳ ବ୍ୟବହାର କରାଯାଇଛି । ରାଧା, କୃଷ୍ଣ, ଲଳିତା, ବିଶାଖା, ମଧୁମଙ୍ଗଳ ଆଦି ଚରିତ୍ରଙ୍କ ମୁଖରେ କବି କ୍ଳିଷ୍ଟ ଶବ୍ଦମାନଙ୍କର ଦୀର୍ଘ ସଂଳାପ ବ୍ୟବହାର କରିଛନ୍ତି । ଏହାର ଭାଷା ସାଧାରଣ ଲୋକଙ୍କ ପକ୍ଷରେ ଅତ୍ୟନ୍ତ ଦୁର୍ବୋଧ୍ୟ । ସଙ୍ଗୀତମାନଙ୍କରେ ମଧ୍ୟ କ୍ଳିଷ୍ଟ ଭାବେ ସଂଯୋଜିତ ହୋଇଥିବାରୁ ସାଧାରଣ ଗାୟକମାନଙ୍କ ପକ୍ଷରେ ଗାନ କରିବା କଷ୍ଟସାଧ୍ୟ । ଦୃଷ୍ଟାନ୍ତ ସ୍ୱରୂପ ମଧୁମଙ୍ଗଳ ଓ ଶ୍ରୀକୃଷ୍ଣଙ୍କ ବାର୍ତ୍ତାଳାପରୁ କିୟଦଂଶ :

ଅଥ ଶାନ୍ତ ଦାନ୍ତ ଧୀମନ୍ତ ନିତାନ୍ତ ବିହାରି ମଧୁହାରି । କଳିକା କାନ୍ତ କଳିକା କାନ୍ତ ପର ଦୁରନ୍ତ ବୃତ୍ତାନ୍ତ କୁନ୍ତସମ କେତକୀ ବସନ୍ତ ବାସ ବନ ବିଲୋକି ଅତ୍ୟନ୍ତରେ ସନ୍ତାପରେ । ଚିନ୍ତାମଣି ଚିନ୍ତାମଣି କାନ୍ତାମଣି । କୁମୁଦ ବନ୍ଧୁ କରବିନ୍ଦ କୁନ୍ଦଗନ୍ଧ ଫଳ ମନ୍ଦାର ସିନ୍ଧୁ ବଦନ ଚନ୍ଦନ ଗନ୍ଧବହ ସମ ହାସ ଅଧର ମୁଖ ଦଶନ ନାସାବଦନ ଗମନ ଗଭୀର ଶୀତଳ ଅଙ୍ଗିରେ ।

—୧୪୯, ଗୋପୀନାଥ ବଲ୍ଲଭ ନାଟକ

ସେହିପରି ସ୍ରଗ୍ଧାରା, ମନ୍ଦାକ୍ରାନ୍ତା, ମାଳିନୀ, ବସନ୍ତତିଳକ, ପୃଥ୍ୱୀ, ଶାର୍ଦ୍ଦୂଳବିକ୍ରୀଡ଼ିତ, ରଥୋଦ୍ଧତା, ଶିଖରିଣୀ ଆଦି ସଂସ୍କୃତ ବୃତ୍ତର ବ୍ୟବହାର କରି ଓଡ଼ିଆରେ ଅନେକ ବଚନିକା ରଚନା କରିଛନ୍ତି । ଏଗୁଡ଼ିକ ମଧ୍ୟ ଗାନ ନିମନ୍ତେ କ୍ଳେଶପ୍ରଦ ହୋଇଯାଇଛି । ଉଦାହରଣ ସ୍ୱରୂପ ସ୍ରଗ୍ଧାରା ବୃତ୍ତରେ କବି ଲେଖିଛନ୍ତି :

କେ ବା ରେବାଦି ତୀର୍ଥେ ତପକରି ଜପରେ ତୋଷିବାରେ ଶିବାରେ

ଯେବା ତା କାମ ପୂର୍ଣ୍ଣେ ରଖିଅଛି ସହିଗୋ ଭାବହା ବାଦିରଙ୍ଗେ
ସଂକଳ୍ପେ କଳ୍ପନାକୁ ଦୃଢ଼କରି ମଣି ସେ ଧୃଷ୍ଟ ସଂଜଳ୍ପନାକୁ
କଳ୍ପପ୍ରାୟ କ୍ଷଣାର୍ଦ୍ଧେ ବିରହରୁ ନସରେ ତଳ୍ପରେ ନାଳ୍ପଦୁଃଖେ ।

—୧୫୦, ଗୋପୀନାଥ ବଲ୍ଲଭ ନାଟକ

କବି ନିଜେ ଜଣେ ବୈଷ୍ଣବ ଥିବାରୁ ରାଧାକୃଷ୍ଣଙ୍କ ବର୍ଣ୍ଣନା କରୁ କରୁ ଭକ୍ତିଭାବରେ ତଲ୍ଲୀନ ହୋଇପଡ଼ିଛନ୍ତି । ନାଟକୀୟତା, ଉପସ୍ଥାପନା ଶୈଳରେ ନୂତନତ୍ୱ ଇତ୍ୟାଦି ଦୃଷ୍ଟିରୁ ଗୋପୀନାଥ ବଲ୍ଲଭ ନାଟକ ଆଧୁନିକ ଓଡ଼ିଆ ରାସ ଓ ନାଟକ ପରମ୍ପରାରେ ଏକ ଅନବଦ୍ୟ ଗ୍ରନ୍ଥ ।[୨]

ମୁକ୍ତା ନାଟିକା[ସମ୍ପାଦନା]

୪୩ ଛାନ୍ଦରେ ରଚିତ ଗ୍ରନ୍ଥ । ଅପ୍ରକାଶିତ ।

ରାଧା ମାଧବ ବିଳାସ[ସମ୍ପାଦନା]

ରାଧାକୃଷ୍ଣ ଯୁଗଳ ରାସଲୀଳା ଆଧାରିତ କାବ୍ୟ । ୧୯୫୭ରେ ପ୍ରକାଶିତ ।

ଆଧାର[ସମ୍ପାଦନା]

  1. A Dictionary of Indian Literature: Beginnings-1850. Orient Longman. 1999. pp. https://books.google.co.in/books?id=YCJrUfVtZxoC&lpg=PA118&ots=Kwnvi4BITG&dq=gaurahari%20parichha&pg=PA118#v=onepage&q=raghunath%20parichha&f=false.
  2. ଓଡ଼ିଆ ରାସ ପରମ୍ପରା, ଡଃ ପ୍ରଦୀପ୍ତ କୁମାର ପଣ୍ଡା । ବୁକ୍ସ ଏଣ୍ଡ୍ ବୁକ୍ସ, ବିନୋଦବିହାରୀ, କଟକ । ୧୯୯୦ ସଂସ୍କରଣ ।