ଯଶୋବନ୍ତ ଦାସ

ଉଇକିପିଡ଼ିଆ‌ରୁ
ମହାପୁରୁଷ

ଯଶୋବନ୍ତ ଦାସ
ରୂପ ଗୋସାଇଁ : ଯଶୋବନ୍ତଙ୍କ ଚିତ୍ରିତ ପ୍ରତିମୂର୍ତ୍ତି
ରୂପ ଗୋସାଇଁ : ଯଶୋବନ୍ତଙ୍କ ଚିତ୍ରିତ ପ୍ରତିମୂର୍ତ୍ତି
ଜନ୍ମ ଓ ଜନ୍ମସ୍ଥାନ୧୪୮୭[୧]
ନନ୍ଦିଗ୍ରାମ, ଅଢ଼ଙ୍ଗଗଡ଼, ଜଗତସିଂହପୁର, ଓଡ଼ିଶା [୨]
ମୃତ୍ୟୁମାଘ ଶୁକ୍ଳ ଷଷ୍ଠୀ
ବୃତ୍ତିକବି
ଭାଷାଓଡ଼ିଆ
ସମୟପଞ୍ଚସଖା ଯୁଗ
ସାହିତ୍ୟ କୃତିଗୋବିନ୍ଦଚନ୍ଦ୍ର [୩]
ଜୀବନସାଥୀଅଞ୍ଜନା ଦେବୀ
ସନ୍ତାନକହ୍ନେଇ ଦାସ
ସମ୍ପର୍କୀୟବଳଭଦ୍ର ମଲ୍ଲ (ଅନ୍ୟମତେ ଜଗନ୍ନାଥ 'ଜଗୁ' ମଲ୍ଲିକ) (ପିତା)
ରେଖା ଦେବୀ (ମାତା)

ଯଶୋବନ୍ତ ଦାସ ଓଡ଼ିଶାରେ ଜନ୍ମିତ ଜଣେ ସାଧକ ଓ ଭକ୍ତକବି ଥିଲେ । ଯଶୋବନ୍ତ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ ଭିତରୁ ଜଣେ । ସେ ଅନେକ ଗ୍ରନ୍ଥ, ଭଜନ, ମାଳିକା ଓ ପଦ୍ୟ ରଚନା କରିଥିଲେ । ତାଙ୍କ ରଚନାମାନଙ୍କ ଭିତରୁ ଅଧିକାଂଶ ମୁଦ୍ରିତ ହୋଇନାହିଁ ।[୪]

ଜୀବନ[ସମ୍ପାଦନା]

ଯଶୋବନ୍ତ ଚୈତନ୍ୟଙ୍କ ସମସାମୟିକ ଥିଲେ ।

ବଂଶାବଳୀ[୫][ସମ୍ପାଦନା]

ଭଗବାନ ମଲ୍ଲ
ଦୁର୍ଲ୍ଲଭ ମଲ୍ଲ
ନିରଞ୍ଜନ ମଲ୍ଲ
ପୁରୁଷୋତ୍ତମ ମଲ୍ଲ
ନନ୍ଦ ମଲ୍ଲ
ବଳଭଦ୍ର ମଲ୍ଲରେଖାଦେବୀ
ଯଶୋବନ୍ତ ଦାସଅଞ୍ଜନା
କହ୍ନେଇ ଦାସ
ଦଣ୍ଡପାଣି ଦାସ
ବକ୍ଷପାଣି ଦାସ
ନିର୍ମଳ ଦାସ
ପୁରୁଷୋତ୍ତମ ଦାସ
ଭରତ ଦାସ
ଲକ୍ଷ୍ମଣ ଦାସ
ମଧୁସୂଦନ ଦାସ
ଜୟରାମ ଦାସ
ହରେକୃଷ୍ଣ ଦାସ
ଜୟକୃଷ୍ଣ ଦାସ
ରଘୁନାଥ ଦାସ
ରାଧାବଲ୍ଲଭ ଦାସ
ସୁକାନ୍ତ ବଲ୍ଲଭ ଦାସ
ପ୍ରଶାନ୍ତ ବଲ୍ଲଭ ଦାସ

ଯଶୋବନ୍ତଙ୍କ ବଂଶର ପ୍ରଶାନ୍ତ ବଲ୍ଲଭ ଦାସ ବର୍ତ୍ତମାନ ପୀଠର ମହନ୍ତ ଅଟନ୍ତି ।[୫]

ଜନ୍ମ[ସମ୍ପାଦନା]

ଅଚ୍ୟୁତାନନ୍ଦଙ୍କ 'ଉଦୟ କାହାଣୀ' ଅନୁସାରେ ଜଗନ୍ନାଥ ଦାସ ଓ ଯଶୋବନ୍ତ ଦାସ ଏକା ବର୍ଷରେ ଜନ୍ମଗ୍ରହଣ କରିଥିଲେ । ବଳରାମ ଦାସ ଏହି ଉଭୟଙ୍କଠୁଁ ଚାରିବର୍ଷ ବଡ଼ । ଏଣୁ 'ଉଦୟ କାହାଣୀ' ଅନୁସାରେ ଯଶୋବନ୍ତ ଖ୍ରୀଷ୍ଟାବ୍ଦ ୧୪୮୭ରେ ଜନ୍ମଗ୍ରହଣ କରିଥିଲେ ବୋଲି ଧରାଯାଏ ।[୪]

କଟକ ଜିଲ୍ଲା ଅନ୍ତର୍ଗତ ଜଗତସିଂହପୁର ନିକଟସ୍ଥ ଅଢ଼ଙ୍ଗଗଡ଼ ଅନ୍ତର୍ଗତ ନନ୍ଦୀଗ୍ରାମରେ ଯଶୋବନ୍ତ ଜନ୍ମଲାଭ କରିଥିଲେ । ତାଙ୍କ ପିତାଙ୍କ ନାମ ଜଗୁ ମଲ୍ଲିକ ଓ ମାତାଙ୍କ ନାମ ରେଖାଦେବୀ । ଯଶୋବନ୍ତ ଦାସ ନିଜ ବା ନିଜ ପରିବାର ବିଷୟରେ କୌଣସି ସନ୍ତୋଷଜନକ ପରିଚୟ ନିଜ ଗ୍ରନ୍ଥମାନଙ୍କରେ ଦେଇନାହାନ୍ତି ।

ଚନ୍ଦ୍ର ବଂଶରେ ଜାତ ଯଶୋବନ୍ତ । କ୍ଷତ୍ରିୟ କୁଳ ସେ କଲେ ପବିତ୍ର ।।

— ଅବତାର ମାଳିକା

ସେ ମହାନାୟକ ବା କ୍ଷତ୍ରିୟ ଥିଲେ ବୋଲି କେତେକଙ୍କ ମତ ରହିଛି ।[୪][୬] ଅନ୍ୟମତେ ସେ କୃଷକ ପରିବାରରେ ଜନ୍ମଲାଭ କରିଥିଲେ ।[୧]

ବାଲ୍ୟ ଜୀବନ[ସମ୍ପାଦନା]

ଯଶୋବନ୍ତଙ୍କ ପିତା ମାତା ବହୁତ ଧର୍ମ ପରାୟଣ ଥିଲେ । ଯଶୋବନ୍ତଙ୍କ ଉପରେ ସେମାନଙ୍କ ଗଭୀର ପ୍ରଭାବ ପଡ଼ିଥିଲା । ଏଣୁ ସେ ଧର୍ମ ପ୍ରତି ଆକୃଷ୍ଟ ହୋଇଥିଲେ ।[୭]

ସୁଦର୍ଶନ ଦାସଙ୍କ ଲିଖିତ 'ଯଶୋବନ୍ତ ଦାସଙ୍କ ଚଉରାଶି ଆଜ୍ଞା' ନାମକ ଗ୍ରନ୍ଥରେ ଯଶୋବନ୍ତଙ୍କ ବାଲ୍ୟ ଜୀବନର ବର୍ଣ୍ଣନା ରହିଛି । ସୁଦର୍ଶନ ଦାସ ଯଶୋବନ୍ତଙ୍କ ନିଜ ଶିଷ୍ୟ ଥିଲେ । ଏହି ଗ୍ରନ୍ଥରେ ଯଶୋବନ୍ତଙ୍କ ବିଷୟରେ ବହୁ ବିସ୍ମୟକାରୀ କିମ୍ବଦନ୍ତୀ ରହିଛି ।[୬]

ଯଶୋବନ୍ତଙ୍କ ପିତା ଜଣେ ଦରିଦ୍ର ବ୍ୟକ୍ତି ଥିଲେ । ଦାରିଦ୍ର୍ୟ ଯୋଗୁଁ ସେ ବାଧ୍ୟ ହୋଇ ଥରେ ଧାନ ଚୋରି କରିଥିଲେ । ଚୋରି କଲାବେଳେ ଅଢ଼ଙ୍ଗଗଡ଼ର ସାମନ୍ତରାଜା ରଘୁରାମ ଚ଼ମ୍ପପତି ରାୟ ତାଙ୍କୁ ଦେଖିଦେଇଥିଲେ । ରଘୁରାମ ଚୋରକୁ ଦଣ୍ଡ ଦିଆଯାଉ ବୋଲି ଆଜ୍ଞା କରିବାରୁ ଯଶୋବନ୍ତ ଜଗନ୍ନାଥଙ୍କୁ ଆକୁଳ ହୋଇ ବିନତି କଲେ । ଜଗନ୍ନାଥ ତାଙ୍କ ଡାକ ଶୁଣି ଯଶୋବନ୍ତଙ୍କ ଶରୀରରେ ପ୍ରକାଶିତ ହେଲେ । ଏହି ଦୃଶ୍ୟକୁ ରଘୁରାମ ହିଁ ଦେଖିପାରିଥିଲେ । ଏହା ଦେଖିଲାପରେ ରଘୁରାମ ଓ ତାଙ୍କ ସ୍ତ୍ରୀ ତିଳୋତ୍ତମା ଯଶୋବନ୍ତଙ୍କ ଶିଷ୍ୟ ହୋଇଗଲେ ।[୬] ଏହି କିମ୍ବଦନ୍ତୀ ଭଳି ଅନ୍ୟ ଏକ କଥା ମଧ୍ୟ ଶୁଣାଯାଏ । ତାହା ତଳେ ଦିଆଯାଇଛି ।

ସନ୍ନ୍ୟାସ[ସମ୍ପାଦନା]

ବାରବର୍ଷ ବୟସରୁ ଯଶୋବନ୍ତ ସଂସାର ପ୍ରତି ଉଦାସୀନ ହୋଇପଡ଼ିଥିଲେ । ଏହା ପରେ ସେ ବହୁତ ବର୍ଷ ତୀର୍ଥ ପର୍ଯ୍ୟଟନରେ ଅତିବାହିତ କରିଥିଲେ । ସେ ବୈଷ୍ଣବ ଧର୍ମରେ ଦୀକ୍ଷିତ ହେବା ପରେ 'ଦାସ' ଉପାଧି ଗ୍ରହଣ କରିଥିଲେ ।[୭]

ଚୈତନ୍ୟଙ୍କ ସହ ଭେଟ[ସମ୍ପାଦନା]

ଯଶୋବନ୍ତ ଚୈତନ୍ୟ ଦେବଙ୍କ ସଂକୀର୍ତ୍ତନ ମଣ୍ଡଳୀଦ୍ୱାରା ପ୍ରଭାବିତ ହୋଇ ଖ୍ରୀଷ୍ଟାବ୍ଦ ୧୫୦୯ରେ ପୁରୀ ଆସିଥିଲେ ।[୧] ଓଡ଼ିଶାରେ ଚୈତନ୍ୟ ଦେବଙ୍କ ଅବସ୍ଥାନ ସମୟରେ ଯଶୋବନ୍ତ ତାଙ୍କ ସଂସ୍ପର୍ଶରେ ଆସିଥିଲେ । ପୁରୀରେ ସେ ଦୀକ୍ଷା ନେଇଥିଲେ । ଦୀକ୍ଷା ନେଇ ନିଜ ଗ୍ରାମ ଅଢ଼ଙ୍ଗକୁ ଫେରିଆସିଥିଲେ ।[୪]

ବିବାହ[ସମ୍ପାଦନା]

ସେତେବେଳେ ଅଢ଼ଙ୍ଗଗଡ଼ର ସାମନ୍ତ ରାଜା ଥିଲେ ରଘୁରାମ ଚମ୍ପପତି ରାୟ । ରଘୁରାମଙ୍କ ଭଗିନୀ ଅଞ୍ଜନା ଦେବୀଙ୍କ ସହ ଯଶୋବନ୍ତଙ୍କ ବିବାହ ହୋଇଥିଲା । କେତେକଙ୍କ ମତରେ ସଂସାର ପ୍ରତି ଯଶୋବନ୍ତଙ୍କ ବୀତସ୍ପୃହତା ଦେଖି ତାଙ୍କ ବାପା ମା ତାଙ୍କୁ ବିବାହିତ କରିଥିଲେ ।[୧] ରଘୁରାମ ଯଶୋବନ୍ତଙ୍କ ପାଇଁ ଗୋଟିଏ ସୁନ୍ଦର ମଠ ନିର୍ମାଣ କରି ମଠର ପରିଚାଳନା ନିମନ୍ତେ ବହୁ ସମ୍ପତ୍ତି ଖଞ୍ଜିଥିଲେ । ଏ ମଠ ବର୍ତ୍ତମାନ ସୁଦ୍ଧା ଯଶୋବନ୍ତ ଦାସଙ୍କ ଉତ୍ତରାଧିକାରୀମାନଙ୍କଦ୍ୱାରା ପରିଚାଳିତ ହୋଇ ଆସୁଛି ।[୪]

କିମ୍ବଦନ୍ତୀ[ସମ୍ପାଦନା]

ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଯଶୋବନ୍ତ ଦାସଙ୍କର ୭୫୦ ଶିଷ୍ୟ ଥିଲେ ବୋଲି ଶୁଣାଯାଏ । ଯଶୋବନ୍ତ ଜଣେ ସିଦ୍ଧ ବୈଷ୍ଣବ ଥିଲେ । ଏଣୁ ଯଶୋବନ୍ତଙ୍କ ଜୀବନ ସମ୍ବନ୍ଧରେ ବହୁ କିମ୍ବଦନ୍ତୀ ଶୁଣାଯାଏ ।[୮]

ବ୍ରହ୍ମରାକ୍ଷସ ଓ ବାବନାଭୂତ[ସମ୍ପାଦନା]

ଜନଶ୍ରୁତିରୁ ଶୁଣାଯାଏ ଯେ ଥରେ ଯଶୋବନ୍ତ କେତେକ ଶିଷ୍ୟଙ୍କ ସହିତ ପୁରୀ ଅଭିମୁଖରେ ଯାତ୍ରା କରୁଥିଲେ । ପଥ ମଧ୍ୟରେ ଏକ ବ୍ରହ୍ମରାକ୍ଷସ ସହ ସେମାନଙ୍କ ଭେଟ ହେଲା । ବ୍ରହ୍ମରାକ୍ଷସ ତାହାର ପୈଶାଚିକୀ ଲୀଳା ସାଧନା କରିବାକୁ ଗଲାବେଳେ ଯଶୋବନ୍ତ ନିଜ ଯୋଗ ପ୍ରଭାବରେ ଆଶାବାଡ଼ିରେ ତାହାକୁ ପଥ ଦେଖାଇ ଆଗେ ଆଗେ ଚାଲିବାକୁ ଉପଦେଶ ଦେଲେ । ଏହା ପରେ ରାକ୍ଷସ ଆଉ କୌଣସି ଅତ୍ୟାଚାରର ପ୍ରଚେଷ୍ଟା ନ କରି ଶାନ୍ତ ଶିଷ୍ଟ ଭାବରେ ଚାଲିଲା । ବ୍ରହ୍ମରାକ୍ଷସ ଆସୁଥିବାର ଜାଣି ଜନସାଧାରଣ ଘର ଛାଡ଼ି ଚାରିଆଡ଼େ ଧାଇଁବାକୁ ଲାଗିଲେ । ଅଳ୍ପକାଳ ମଧ୍ୟରେ ଏ ଖବର ତତ୍କାଳୀନ ରାଜା ପ୍ରତାପରୁଦ୍ର ଦେବଙ୍କ ପାଖକୁ ପହଞ୍ଚିଲା । ରାଜା ଯଶୋବନ୍ତଙ୍କ ଦେଖି ବିସ୍ମିତ ହେଲେ ଓ ତାଙ୍କ ଅଭ୍ୟର୍ଥନା ଲାଗି ଅଠରନଳା ପାଖରେ ଆସିକି ନିଜେ ଘଟଣାଟିକୁ ଦେଖିଲେ । ଅଭର୍ଥନା ଶେଷରେ ଯଶୋବନ୍ତଙ୍କ ଅନୁରୋଧ କ୍ରମେ ରାଜା ରାକ୍ଷସଟିକୁ ଜଗନ୍ନାଥଙ୍କ ଗୁଣ୍ଡିଚା ବାଡ଼ିର ରକ୍ଷଣାବେକ୍ଷଣ ଭାର ପ୍ରଦାନ କଲେ । ସେହିଦିନଠାରୁ ସେ ରାକ୍ଷସଟି ସେଠାରେ ବାବନାଭୂତ ନାମ ଧାରଣ କରି ପୂଜା ପାଇ ଆସୁଅଛି ।

ଧାନଶିଁଷାରୁ 'ରାମ ରାମ' ଶବ୍ଦ[ସମ୍ପାଦନା]

ଅନ୍ୟ ଏକ କିମ୍ବଦନ୍ତୀ ରହିଛି ଯେ ଯଶୋବନ୍ତ କେତେକ କାଳ ରଘୁରାମଙ୍କ ଅଧୀନରେ ଗ୍ରମ କଟୁଆଳ କାର୍ଯ୍ୟ ଗ୍ରହଣ କରିଥିଲେ । ସେହି ସମୟରେ ଥରେ ଦେଶରେ ଶସ୍ୟହାନି ଘଟି ଭୀଷଣ ଦୁର୍ଭିକ୍ଷ ହୋଇଥିଲା । ଏକଦା ତାଙ୍କର ସ୍ତ୍ରୀ ପାୟସାନ୍ନ ଭୋଜନ କରିବାକୁ ଇଚ୍ଛା କରିବାରୁ ଯଶୋବନ୍ତ ଗ୍ରାମବାସୀ ଜନୈକ କୃଷକର ଧାନ କିଆରୀରେ ପଶି ଧାନ ଚୋରି କଲେ । ପାଚିଲା ଧାନ ଛିଣ୍ଡାଇଲା ବେଳେ ସେ ଶୁଣିଲେ ଯେ ପ୍ରତ୍ୟେକ ଧାନଶିଁଷା ସତେ ଯେପରି ବିକଳରେ 'ରାମ ରାମ' ଡାକୁଅଛି । ସେହି ଶବ୍ଦରେ କୃଷକ ଜାଗ୍ରତ ହୋଇ ଯଶୋବନ୍ତଙ୍କୁ ଧରିଲା ଓ ରାଜକୀୟ ବିଚାରାଳୟକୁ ନେଲା । ସେଠାରେ ରାଜା ସମସ୍ତ ବୃତ୍ତାନ୍ତ ଶୁଣି ଯଶୋବନ୍ତଙ୍କୁ ଦୋଷୀ ବୋଲି ଗ୍ରହଣ କରି ଦୋଷ ଅନୁସାରେ ଦଣ୍ଡବିଧାନ କରିଥିଲେ ।

ସାଲବେଗଙ୍କ ସହ ଭେଟ[ସମ୍ପାଦନା]

ସୁଦର୍ଶନ ଦାସଙ୍କ ରଚିତ ଗ୍ରନ୍ଥ 'ଯଶୋବନ୍ତ ଦାସଙ୍କ ଚଉରାଶି ଆଜ୍ଞା'ରେ ଲିଖିତ ଅଛି ଯେ ଥରେ ଯବନ କବି ସାଲବେଗ ବୈଷ୍ଣବ ଦୀକ୍ଷିତ ହୋଇସାରିବା ପରେ ଯଶୋବନ୍ତଙ୍କ ଶକ୍ତି ବିଷୟରେ ଶୁଣିଲେ ଓ ତାଙ୍କୁ ପରୀକ୍ଷା କରିବା ପାଇଁ ଚାହିଁଲେ । ତାଙ୍କ ପରୀକ୍ଷାରେ ଯଶୋବନ୍ତ ଉତ୍ତୀର୍ଣ୍ଣ ହେବାରୁ ସେ ତାଙ୍କ ପାଦଧୂଳି ଗ୍ରହଣ କରିଥିଲେ । ଏହି ସାଲବେଗ ଗୌଡ଼ୀୟ ସାଲବେଗଙ୍କଠାରୁ ଅଲଗା ବୋଲି ପ୍ରତୀୟମାନ ହୁଏ, ଯେହେତୁ ଗୌଡ଼ୀୟ ସାଲବେଗ ସପ୍ତଦଶ ଶତାବ୍ଦୀର ଲୋକ ଥିଲେ ଓ ତାଙ୍କ ଗୁରୁଙ୍କ ନାମ ଶ୍ୟାମାନନ୍ଦ ଥିଲା ।[୬]

ଦେହାବସାନ[ସମ୍ପାଦନା]

ଯଶୋବନ୍ତଙ୍କ ଦେହାବସାନ କେଉଁ ବର୍ଷରେ ହୋଇଥିଲେ ଏହା ଜାଣିବା ପାଇଁ କିଛି ଉପାଦାନ ମିଳୁନାହିଁ । ସେ ମାଘ ମାସ ଶୁକ୍ଳ ଷଷ୍ଠୀରେ ଇହଧାମ ତ୍ୟାଗ କରିଥିଲେ ବୋଲି ଜନଶ୍ରୁତିରେ ରହିଛି । ତାଙ୍କର ତିରୋଧାନ ଦିବସରେ ଅଢ଼ଙ୍ଗରେ ଗୋଟିଏ ବଡ଼ ମେଳା ଅନୁଷ୍ଠିତ ହୁଏ ।[୪]

ସାହିତ୍ୟିକ କୃତି[ସମ୍ପାଦନା]

ଯଶୋବନ୍ତଙ୍କ ରଚିତ ଭଜନଗୁଡ଼ିକ ବ୍ରହ୍ମଜ୍ଞାନମୂଳକ । ଏଗୁଡ଼ିକର ଭାଷା ସରଳ ହୋଇଥିବାରୁ ଏଗୁଡ଼ିକ ଓଡ଼ିଶାରେ ଗ୍ରାମେ ଗ୍ରାମେ ପ୍ରସିଦ୍ଧ ।

ଗୋବିନ୍ଦଚନ୍ଦ୍ର (ଉପାଖ୍ୟାନ)[ସମ୍ପାଦନା]

ଓଡ଼ିଆ ସାହିତ୍ୟରେ ଗାଥା କବିତା ଗୋଟିଏ ପ୍ରକାର କବିତା ଯେଉଁଥିରେ କୌଣସି ପୌରାଣିକ ଗାଥାକୁ ଗୀତିକବିତା ମାଧ୍ୟମରେ କୁହାଯାଏ । ଯଶୋବନ୍ତ ଦାସଙ୍କ 'ଗୋବିନ୍ଦଚନ୍ଦ୍ର' ଏହି ଶ୍ରେଣୀର ପ୍ରଥମ ରଚନା ବୋଲି କେତେଜଣଙ୍କ ମତ ରହିଛି । ଏହା ବଙ୍ଗଦେଶର ରାଜା ଗୋବିନ୍ଦଚନ୍ଦ୍ରଙ୍କ ଉପରେ ଆଧାରିତ । ଗୋବିନ୍ଦଚନ୍ଦ୍ରଙ୍କ ମାତା ମୁକୁତା ଦେଈ ହାଡ଼ିପାଙ୍କୁ ନିଜ ପୁତ୍ରର ଗୁରୁ କରାଇ ତାଙ୍କୁ ବ୍ରହ୍ମଜ୍ଞାନ ପ୍ରାପ୍ତି କରିବାକୁ ଉପଦେଶ ଦିଅନ୍ତି ଯଦ୍ୱାରା ତାଙ୍କ ଅକାଳମୃତ୍ୟୁ ଟଳିଯାଏ । ଯଶୋବନ୍ତଙ୍କ ପରେ ଏହି ବିଷୟରେ ଦୁଇଜଣ ଅଷ୍ଟାଦଶ ଶତାବ୍ଦୀର କବି ମଧ୍ୟ ରଚନା କରିଛନ୍ତି ।ସାହିତ୍ୟିକ ଦୃଷ୍ଟିକୋଣରୁ ଖୁବ ମୂଲ୍ୟବାନ ।ଏହା ଅନୁସରଣରେ ଟୀକାଗୋବିନ୍ଦ ଚନ୍ଦ୍ର ରଚିତ ।[୩]

ଶିବସ୍ୱରୋଦୟ[ସମ୍ପାଦନା]

ଏହା ଏକ ଶୈବ ତାନ୍ତ୍ରିକ ଗ୍ରନ୍ଥର "ସ୍ୱରୋଦୟଲେଶ"ର ଅନୁବାଦ ଅଟେ ।ଶିବ ପାର୍ବତୀଙ୍କ କଥୋପକଥନ ଶୈଳୀରେ ରଚିତ । ମୂଳଗ୍ରନ୍ଥ ପରି ଏହା ମଧ୍ୟ 21 ଅଧ୍ୟାୟ ବିଶିଷ୍ଟ ।ସମଗ୍ର ଗ୍ରନ୍ଥର ପଦସଂଖ୍ୟା 475 । ସ୍ୱରର ପ୍ରଶଂସା ,ନାଡିଜ୍ଞାନ,ନାଡିଚାଳନାର ଫଳାଫଳ ,ପ୍ରାଣାଦି ବାୟୁର ତତ୍ତ୍ୱ ନିରୂପଣ ,ସ୍ତ୍ରୀବଶୀକରଣ ଆଦି ଯୋଗସାଧନ ପ୍ରଣାଳୀ,ସ୍ୱରଜ୍ଞାନ ଆଦି ରଚିତ ।

ପ୍ରେମଭକ୍ତି ବ୍ରହ୍ମଗୀତା[ସମ୍ପାଦନା]

ଏଥିରେ ଶ୍ରୀକୃଷ୍ଣ ରାଧା ଓ ଅର୍ଜ୍ଜୁନଙ୍କୁ ଯୋଗମାର୍ଗ ବିଷୟରେ କହନ୍ତି । ପ୍ରେମ ଓ ଭକ୍ତିର ଏକ ସମନ୍ୱୟ । ବିଷୟବସ୍ତୁ ଆରମ୍ଭରେ ସୃଷ୍ଟିକ୍ରିୟା ବିବରଣୀ ପ୍ରଦତ୍ତ । ରାଧାକୃଷ୍ନଙ୍କ ଜନ୍ମ, ଯୁଗଳରୂପ, ନିତ୍ୟରାସ, ଜୀବ-ପରମ ବିହାର, ଶରୀର ମଧ୍ୟସ୍ଥ ସପ୍ତାବରଣତତ୍ତ୍ୱ, ଶ୍ରୀକ୍ଷେତ୍ର ମହିମା ଆଦି ବର୍ଣ୍ଣନା କରଯାଉଛି। ପାଞ୍ଚଟି ଅଧ୍ୟାୟରେ ସମାପ୍ତ ଓ ନବାକ୍ଷରୀ ବା ଗୁଜ୍ଜରୀ ବୃତ୍ତରେ ରଚିତ ।

  • ଅଢ଼ଙ୍ଗ ଗଡ଼ମାଳିକା,[୯]
  • ଆତ୍ମପରତେ ଗୀତା
  • ଚଉରାଅଶି ଆଜ୍ଞା
  • ପ୍ରେମଭକ୍ତି ବ୍ରହ୍ମଗୀତା [୧୦]
  • ବଣଭୋଜି
  • ମନ୍ତ୍ରବୋଲି
  • ଯନ୍ତ୍ରବୋଲି
  • ଦିବ୍ୟଦେହୀ
  • ଲୋହି ଗୀତା
  • ଭବିଷ୍ୟ ମାଳିକା
  • ଶିବ ସ୍ୱରୋଦୟ (ସଂସ୍କୃତ 'ସ୍ୱରୋଦ୍ୱୟଲେଶ' ଶୀର୍ଷକ ଗ୍ରନ୍ଥର ବିଷୟବସ୍ତୁ ଅବଲମ୍ବନରେ)
  • ହେତୁ ଉଦୟ ଭାଗବତ
  • ଆଗତ ଭବିଷ୍ୟ
  • ଧାନଚୋରି
  • ବାଘଲୀଳା
  • ଭଜନସାର [୧୧]

ଧାର୍ମିକ ମତ[ସମ୍ପାଦନା]

ଯଶୋବନ୍ତ ଅନେକ ବ୍ରହ୍ମଜ୍ଞାନମୂଳକ ଭଜନ ରଚନା କରିଛନ୍ତି । ତାଙ୍କ ରଚନା ଭିତରୁ ଶିବସ୍ୱରୋଦୟ, ପ୍ରେମଭକ୍ତି ବ୍ରହ୍ମଗୀତା, ଦିବ୍ୟଦେହୀ, ଲୋହୀ ଗୀତା, ଗୋବିନ୍ଦଚନ୍ଦ୍ର ଓ ଯନ୍ତ୍ରବୋଲି ବିଶେଷ ଜନାଦୃତ । ଏହି ରଚନାଗୁଡ଼ିକରେ ସେ ପିଣ୍ଡବ୍ରହ୍ମାଣ୍ଡ ତତ୍ତ୍ୱ ଓ ଶୂନ୍ୟବ୍ରହ୍ମଙ୍କ ବିଷୟରେ ଲେଖିଛନ୍ତି । 'ଭବିଷ୍ୟ ମାଳିକା' ନାମକ ରଚନାରେ ସେ ଭବିଷ୍ୟ କାଳରେ କିପରି ଅଘଟଣ ହେବ ତାହା ବିଷୟରେ ଲେଖିଛନ୍ତି । 'ଯନ୍ତ୍ରବୋଲି'ରେ ସେ ଯନ୍ତ୍ର ଓ ଅକ୍ଷର ମାଧ୍ୟମରେ କିପରି ବ୍ରହ୍ମଙ୍କୁ ପ୍ରାପ୍ତ କରିହେବ ଲେଖିଛନ୍ତି । ଯଶୋବନ୍ତ ଶୂନ୍ୟବ୍ରହ୍ମଙ୍କ ଉପାସକ ହେଲେ ମଧ୍ୟ ଜଗନ୍ନାଥଙ୍କୁ ନିଜ ଇଷ୍ଟଦେବତା ଭାବେ ମାନୁଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ Mohan Lal (1992). Encyclopaedia of Indian Literature: sasay to zorgot. Sahitya Akademi. pp. 4628–. ISBN 978-81-260-1221-3. Retrieved 19 December 2012.
  2. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ପୃଷ୍ଠା: ୬୭୮୨
  3. ୩.୦ ୩.୧ Ayyappappanikkar. Medieval Indian Literature: An Anthology. Sahitya Akademi. pp. 409–. ISBN 978-81-260-0365-5. Retrieved 19 December 2012.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ଓଡ଼ିଆ ସାହିତ୍ୟର ଇତିହାସ, ପ୍ରଥମ ଭାଗ - ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ । ଏପ୍ରିଲ, ୧୯୬୮, ଦ୍ୱିତୀୟ ମୁଦ୍ରଣ । ପ୍ରକାଶକ- ଶ୍ରୀ ଅଭିରାମ ମହାପାତ୍ର, ଗ୍ରନ୍ଥ ମନ୍ଦିର, କଟକ, ବ୍ରହ୍ମପୁର ।
  5. ୫.୦ ୫.୧ ମହାପୁରୁଷ ଯଶୋବନ୍ତ ଦାସଙ୍କ ଚୌରାଅଶୀ ଆଜ୍ଞା, ସୁଦର୍ଶନ ଦାସ, ରାଜକିଶୋର କରଣ (ଗଦ୍ୟାନୁବାଦ), ଚିତ୍ତରଞ୍ଜନ ଦାସ ଓ ଆଶିଷ ରଞ୍ଜନ ମହାପାତ୍ର (ସମ୍ପାଦନା) । ଶ୍ରୀ ଯଶୋବନ୍ତ ଗୋସ୍ୱାମୀ ଗାଦିପୀଠ ଟ୍ରଷ୍ଟ ବୋର୍ଡ, ନାଇଲୋ, ଅଢ଼ଙ୍ଗଗଡ଼, ଅଣଖିଆ, ଜଗତସିଂହପୁର, ଓଡ଼ିଶା ।
  6. ୬.୦ ୬.୧ ୬.୨ ୬.୩ ''The History of Medieval Vaishnavism in Orissa'', Prabhat Mukherjee. Asian Educational Services, 1981.  
  7. ୭.୦ ୭.୧ ପଞ୍ଚସଖା ଓଡ଼ିଆ ସାହିତ୍ୟ - ଅଧ୍ୟାପକ ଦେବେନ୍ଦ୍ର ମହାନ୍ତି । ଫ୍ରେଣ୍ଡସ୍ ପବ୍ଲିଶର୍ସ, ଜୁଲାଇ ୧୯୬୫, ଶ୍ୟାମସୁନ୍ଦର ପ୍ରେସ, କଟକ-୨ ।
  8. ଶିବସ୍ୱରୋଦୟ - ଯଶୋବନ୍ତ ଦାସ । ପ୍ରାଚୀ ସମିତି ।
  9. ସମାଜ, ୧୮ ଡିସେମ୍ବର ୨୦୧୨, ପୃଷ୍ଠା: ୨
  10. "Odia Poets & their creations | Destination Odisha". destinationodisha.com. Archived from the original on 23 November 2015. Retrieved 19 December 2012. Yasobanta Das: Govinda Chandra, Premabhakti, Brahma Gita, Shiva Swarodaya.
  11. ଡ. ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ, ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ,ପୃଷ୍ଠା: ୧୧୭