ଯଦୁମଣି ମହାପାତ୍ର
ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ର | |
---|---|
![]() | |
ଜନ୍ମ | ଆଠଗଡ଼, ଗଞ୍ଜାମ ଜିଲ୍ଲା | ୮ ଜାନୁଆରୀ ୧୭୮୧
ମୃତ୍ୟୁ | ୨ ଜୁଲାଇ ୧୮୬୬ ଇଟାମାଟି, ନୟାଗଡ଼ ଜିଲ୍ଲା | (ବୟସ ୮୫)
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ଚିତ୍ରକର, କବି |
ଉଲ୍ଲେଖନୀୟ କୃତି | ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର, ରାଘବ ବିଳାସ |
ବୈବାହିକ-ସାଥୀ | ଖଞ୍ଜନା |
ସନ୍ତାନ | ରମା (ଝିଅ), କପିଧ୍ୱଜ (ପୁତ୍ର) |
ପିତାମାତା | ମୁକୁନ୍ଦ ମହାପାତ୍ର (ପିତା) ଶୋଭା ଦେଇ (ମାତା) |
ଯଦୁମଣି ମହାପାତ୍ର (୮ ଜାନୁଆରୀ ୧୭୮୧[୧] - ୨ ଜୁଲାଇ ୧୮୬୬)[୨] ଗଞ୍ଜାମ ଜିଲ୍ଲାର ଆଠଗଡ଼ରେ ୧୭୮୧ ମସିହାରେ ଜନ୍ମିତ ଜଣେ କବି ଥିଲେ । ଯେତେବେଳେ ଯଦୁମଣି ଛୋଟ ଥିଲେ, ତାଙ୍କ ପରିବାର ବର୍ତ୍ତମାନ ଓଡ଼ିଶାର ନୟାଗଡ଼ ଜିଲ୍ଲାର ଇଟାମାଟିକୁ ସ୍ଥାନାନ୍ତରିତ ହୋଇଥିଲେ | ପରବର୍ତ୍ତୀ ସମୟରେ ଇଟାମାଟି ଗ୍ରାମ ଯଦୁମଣିଙ୍କର କର୍ମସ୍ଥଳୀ ହୋଇଥିଲା | [୩]ସେ ଉତ୍କଳଘଣ୍ଟ ଭାବରେ ଖ୍ୟାତ ।[୪] ସେ ରାଘବ ବିଳାସ ଓ ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ନାମକ ଦୁଇଗୋଟି ବୃହତ୍ କାବ୍ୟ, ଅନେକ ଚଉପଦୀ ଓ କ୍ଷୁଦ୍ରଗୀତ ରଚନା କରିଛନ୍ତି । ଯଦୁମଣିଙ୍କ ରଚନା ରୀତିଯୁଗୀୟ ଶୈଳୀରେ ଲିଖିତ ଓ ଅତ୍ୟନ୍ତ ପାଣ୍ଡିତ୍ୟପୂର୍ଣ୍ଣ । ଏହା ଛଡ଼ା ନିଜର ହାସ୍ୟୋଦ୍ଦୀପକ ଛୋଟ ଛୋଟ ଗୀତ ଓ ଆଶୁକବିତ୍ୱ ଲାଗି ଯଦୁମଣି ଓଡ଼ିଶାର ପୁରପଲ୍ଲୀରେ ଭାରି ପ୍ରସିଦ୍ଧ ।
ଜୀବନ
[ସମ୍ପାଦନା]ଜନ୍ମ
[ସମ୍ପାଦନା]ଆଠଗଡ଼ ରାଜସଭାରେ ମୁକୁନ୍ଦ ମହାପାତ୍ର ନାମକ ଜଣେ କୁଶଳୀ ଚିତ୍ରକାର ଓ ସ୍ଥପତି ବାସ କରୁଥିଲେ । ସେ ରଣପୁରଗଡ଼ର ଯୋଶୀ ରତ୍ନାକରଙ୍କ କନ୍ୟା ଶୋଭାଙ୍କୁ ବିବାହ କରିଥିଲେ । ବିବାହର ପାଞ୍ଚ ବର୍ଷ ପରେ ମଧ୍ୟ ଶୋଭାଙ୍କର ସନ୍ତାନ କେହି ନ ହେବାରୁ ଉଭୟେ ଯଦୁକୃଷ୍ଣ ନାମକ ବିଗ୍ରହଙ୍କୁ ଆରାଧନା କରୁଥିଲେ । ପରେ ୧୭୮୧ ମସିହା ଜାନୁଆରୀ ଆଠତାରିଖରେ ତାଙ୍କର ପୁତ୍ର ଜନ୍ମ ହେଲା । ଯଦୁକୃଷ୍ଣଙ୍କ ଅନୁକମ୍ପାରୁ ପୁତ୍ର ହୋଇଥିବାରୁ ମୁକୁନ୍ଦ ନିଜ ପୁଅର ନାଆଁ 'ଯଦୁମଣି' ରଖିଲେ ।[୫] ସ୍ଥପତି ବଂଶରେ ଜନ୍ମଲାଭ କରିଥିବାରୁ ଯଦୁମଣି ପ୍ରତିମା ନିର୍ମାଣ ଓ ଚିତ୍ରାଙ୍କନ ଇତ୍ୟାଦିରେ ଦକ୍ଷ ଥିଲେ ।[୬]
ବଢ଼ାଇ ଜାତିରେ ଜନ୍ମିତ ହୋଇଥିବାରୁ ସେ ଆରମ୍ଭରେ ଅନେକ ନିର୍ଯ୍ୟାତିତ ହୋଇଥିଲେ ମଧ୍ୟ ପରେ ପରେ ତାଙ୍କ ପାଣ୍ଡିତ୍ୟ ହେତୁ ସେ ରାଜଦରବାରମାନଙ୍କରେ ଆଦର ଲାଭ କଲେ ।[୭] ଏହି କଥାକୁ ସେ ନିଜ କାବ୍ୟର ପ୍ରଥମାଂଶରେ ଲେଖିଛନ୍ତି :
ଶୂଦ୍ରମୁଖୁ ଏ ହୋଇଛି ବାହାର
ରୌଦ୍ରତା ବହି କେହି ନ ବିଚାର
ବିଧୁ ବିଧୁନ୍ତୁଦ ଉଚ୍ଛିଷ୍ଟ ଜଣା
ଶିବେ ବାଜେ ଚନ୍ଦ୍ରଚୂଡ଼ ବାଜଣା ସେ
ପଦ୍ମାପତିଙ୍କର ପଦ ଯେ
ସମ୍ଭବ ସମ୍ପଦ ପଦାର୍ଥରେ ବ୍ୟର୍ଥ ଖଣ୍ଡିବାର ଅପବାଦ ଯେ ।— ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର
ଶ୍ରୀ ଚକ୍ରଧର ମହାପାତ୍ର ଏହାକୁ ଅର୍ଥ କରିଛନ୍ତି : "ଏହି ଗ୍ରନ୍ଥ ଜଣେ ଶୂଦ୍ର ବ୍ୟକ୍ତିର ମୁଖରୁ ପ୍ରକାଶ ହୋଇଛି ବୋଲି କେହି ରୌଦ୍ର ଭାବରେ ବିଚାର କର ନାହିଁ । ଚନ୍ଦ୍ର ରାହୁର ଉଚ୍ଛିଷ୍ଟ ହେଲେ ସୁଦ୍ଧା ମହାଦେବ ଶିବଙ୍କ ମସ୍ତକରେ ଶୋଭିତ; ସେହିପରି ଏହି କାବ୍ୟ କୃଷ୍ଣ-ବିଷ୍ଣୁଙ୍କ ଚରିତ ବିଷୟରେ ହୋଇଥିବାରୁ ସବୁ ଅପବାଦରୁ ଊର୍ଦ୍ଧ୍ୱରେ ।"[୮]
ଶିକ୍ଷା
[ସମ୍ପାଦନା]ଯଦୁମଣିଙ୍କ ମାତା ଶୋଭା ଛାନ୍ଦ ଓ ପୁରାତନ ସାହିତ୍ୟରେ ନିପୁଣ ଥିବାରୁ ବାଲ୍ୟକାଳରୁ ସେ ଏସବୁ ଶୁଣିବାକୁ ପାଉଥିଲେ । ବାର ବର୍ଷ ବୟସରେ ଇଟାମାଟି ନିକଟସ୍ଥ ମାନ୍ଧାତାପୁରରେ ଜଣେ ସଂସ୍କୃତ ପଣ୍ଡିତଙ୍କଠାରୁ ଯଦୁମଣି ସଂସ୍କୃତ ଶିକ୍ଷା ଆରମ୍ଭ କରିଥିଲେ । ଚାରି ବର୍ଷ ଅଧ୍ୟୟନ ପରେ ସେ ପଣ୍ଡିତ ବିଦ୍ୟାଧର ମହାପାତ୍ରଙ୍କ ଉପଦେଶ ଅନୁଯାୟୀ ଘୁମୁସର ଯାତ୍ରା କରିଥିଲେ ।
ହୟଗ୍ରୀବ ମନ୍ତ୍ର
[ସମ୍ପାଦନା]ଘୁମୁସରର ପଞ୍ଚମୁଖ ଭଗବାନ କବିରାଜ ବାହିନୀପତି ଓଡ଼ିଶାର ବିଖ୍ୟାତ ପଣ୍ଡିତ ଥିଲେ । ଶିଷ୍ୟର ଏକାଗ୍ରତା ପରୀକ୍ଷା କରିବା ପାଇଁ ବାହିନୀପତି ଯଦୁମଣିଙ୍କୁ ହୟଗ୍ରୀବ ମନ୍ତ୍ର ସାଧନ କରିବା ପାଇଁ ନିର୍ଦ୍ଦେଶ ଦେଲେ । ଶହେ ଦଶଦିନ ଏହି ମନ୍ତ୍ରଜପ କରିବା ପରେ ଯଦୁମଣି ଜ୍ୱରପୀଡ଼ିତ ହୋଇ ଅବଶିଷ୍ଟ ଦଶଲକ୍ଷ ଥର ମନ୍ତ୍ରଜପ କରିପାରିନଥିଲେ । ଏଣୁ ସେ ଆରାଧ୍ୟ ଦେବତାଙ୍କ ଅନୁକମ୍ପା ଲାଭ କରିପାରିନଥିଲେ ଓ ଜୀବନସାରା ଦରିଦ୍ର ହୋଇ ରହିଥିଲେ ବୋଲି ଜନଶ୍ରୁତିରେ ରହିଛି । ଅଠର ବର୍ଷ ବୟସରେ ଯଦୁମଣି ଘୁମୁସରରୁ ଫେରିଲା ବେଳକୁ ଦଶପଲ୍ଲା କୁଞ୍ଜଗଡ଼କୁ ଯାଇଥିଲେ । ସେଠାରେ ତାଙ୍କ ଅଜା ରହୁଥିଲେ । କୁଞ୍ଜଗଡ଼ରେ ପିଣ୍ଡିକ ରାୟଗୁରୁ ନାମକ ବିଖ୍ୟାତ ଶାସ୍ତ୍ରବିତ୍ଙ୍କ ସହ ଯଦୁମଣିଙ୍କ ପରିଚୟ ହୋଇଥିଲା । ଏହାଙ୍କ ସଂସ୍ପର୍ଶରେ ଆସି ଶାସ୍ତ୍ର, ପୁରାଣ, କାବ୍ୟଚର୍ଚ୍ଚା ଇତ୍ୟାଦିରେ ଯଦୁମଣି ଯୋଗ ଦେଇଥିଲେ ।[୫]

ଖଞ୍ଜନା
[ସମ୍ପାଦନା]ଯଦୁମଣି ପ୍ରତିଦିନ ଯାଇ ରାୟଗୁରୁଙ୍କ ଘରେ ପୁରାଣ ଗାନ କରୁଥିଲେ । ତାଙ୍କୁ ଶୁଣିବା ପାଇଁ ସେଠାକୁ ଅନେକ ଲୋକ ଆସନ୍ତି । ଏମାନଙ୍କ ମଧ୍ୟରୁ ରଘୁନାଥ ସୂତ୍ରଧାରଙ୍କ ଝିଅ ଖଞ୍ଜନା ଅନ୍ୟତମ । ରାୟଗୁରୁ ଓ ସୂତ୍ରଧାରଙ୍କ ଆଶୀର୍ବାଦ ସହ ଯଦୁମଣି ଓ ଖଞ୍ଜନାଙ୍କ ବିବାହ ଅନୁଷ୍ଠିତ ହେଲା । ଖଞ୍ଜନା ନିଜେ ନୃତ୍ୟରେ ନିପୁଣ ଓ ଭଲ ଗାୟିକା ଥିଲେ । ପରବର୍ତ୍ତୀ ଜୀବନରେ ଯଦୁମଣିଙ୍କ ରଚିତ ଅନେକ ଚଉପଦୀ ଗୀତ ଏହି ଖଞ୍ଜନାଙ୍କ ଲାଗି ଉଦ୍ଦିଷ୍ଟ ।[୫]
ଯଦୁମଣି ନୟାଗଡ଼ର ରାଜା ବିନାୟକ ସିଂହ ମାନଧାତାଙ୍କ ଦରବାରରେ ସେ ସଭା ଓ ରାଜକବି ଥିଲେ । ଆଠଗଡ଼ର କବିସୂର୍ଯ୍ୟ ବଳଦେବ ରଥଙ୍କର ସମକାଳୀନ ଥିଲେ । ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତା ମଧ୍ୟ ଥିଲା । ୧୮୬୬ରେ ତାଙ୍କର ଦେହାନ୍ତ ହୋଇଥିଲା ।[୯]

ରଚନାବଳୀ
[ସମ୍ପାଦନା]ସାହିତ୍ୟିକ କୃତି
[ସମ୍ପାଦନା]ଯଦୁମଣି ଦୁଇଗୋଟି ପାଣ୍ଡିତ୍ୟପୂର୍ଣ୍ଣ କାବ୍ୟ ରଚନା କରିଥିବା ଜଣାଯାଏ ।
ରାଘବ ବିଳାସ
[ସମ୍ପାଦନା]ରାଘବ ବିଳାସ ରାମାୟଣ ଆଧାରିତ କାବ୍ୟ । ଏହା ୪୧ଟି ଛାନ୍ଦରେ ଲିଖିତ ।
ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର
[ସମ୍ପାଦନା]ଏହା ଆଠଗୋଟି କଳାରେ ରଚିତ । କୃଷ୍ଣଲୀଳା ଆଧାରିତ ।
ଅନ୍ୟାନ୍ୟ ରଚନା
[ସମ୍ପାଦନା]ଏହା ଛଡ଼ା ଯଦୁମଣି କେତେକ ଭଜନ, ଚଉପଦୀ ଇତ୍ୟାଦି ରଚନା କରିଛନ୍ତି । ସେ ଖଣ୍ଡପଡ଼ା ଓ ନୟାଗଡ଼ (ନବଦୁର୍ଗ) ରାଜାଙ୍କ ଭଣତିରେ କେତେକ ଗୀତ ରଚନା କରିଥିବା ଜଣାଯାଏ ।
ସଙ୍ଗୀତ
[ସମ୍ପାଦନା]ଯଦୁମଣିଙ୍କ ରଚନାବଳୀର ବର୍ତ୍ତମାନ ପ୍ରକାଶିତ ସଂସ୍କରଣଗୁଡ଼ିକରେ ପାରମ୍ପରିକ ଓଡ଼ିଶୀ ସଙ୍ଗୀତର ରାଗତାଳ ନିର୍ଦ୍ଦେଶ ଦେଖାଯାଏ, ଯଥା ରାଗ ମଧ୍ୟରେ : ତୋଡ଼ି ପରଜ, ପୂରବୀ, ରସକେଦାର, ମୁଖାବରୀ, ଆହାରି, କଲ୍ୟାଣ, ପରଜ, କାଫି, ସାରଙ୍ଗ, ସୁରଠ, ଆଶାବରୀ, ଯମକରାଜ, ଆଷାଢ଼ ଶୁକ୍ଳ, ମଙ୍ଗଳ ଗୁଜ୍ଜରୀ, ରେଗୁପ୍ତ, ଭାଟିଆରି ଓ ତାଳରେ : ସରିମାନ, ଝୁଲା, ଆଠତାଳୀ, ଏକତାଳୀ, ଆଡ଼ଖେମଟା, ନାତି । ତାଙ୍କ କାବ୍ୟଗୁଡ଼ିକ ଛାନ୍ଦ ରୀତିରେ ପାରମ୍ପରିକ ଓଡ଼ିଆ ଛନ୍ଦ-ବୃତ୍ତରେ ରଚିତ ।
ସଂକଳନ ଓ ପ୍ରକାଶନ
[ସମ୍ପାଦନା]ଯଦୁମଣିଙ୍କ ରଚନାସବୁକୁ ଚକ୍ରଧର ମହାପାତ୍ର ସଂକଳିତ କରି ଯଦୁମଣି ଗ୍ରନ୍ଥାବଳୀ ନାମରେ ୧୯୬୪ ମସିହାରେ ପ୍ରକାଶିତ କରିଛନ୍ତି । ଏହି ବହିରେ ଯଦୁମଣିଙ୍କ ଜୀବନୀ, କିମ୍ବଦନ୍ତୀ, ହାସ୍ୟଗୀତ, ଭଜନ, ଚଉପଦୀ, ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ଓ ରାଘବ ବିଳାସ ରହିଛି ।[୮]
ଯଦୁମଣି ଏବଂ ତାଙ୍କ ସାହିତ୍ୟ ବିଷୟରେ ଅନେକ ପୁସ୍ତକ ଲେଖାଯାଇଛି | ତାଙ୍କର ଶୀଘ୍ର, ମଜାଳିଆ ଏବଂ ଭାବପ୍ରବଣ ଉତ୍ତର ବିଷୟରେ ଅନେକ ପୁସ୍ତକ ଲେଖାଯାଇଛି | ଏହିପରି ପୁସ୍ତକ ମଧ୍ୟରୁ ଗୋଟିଏ ହେଉଛି ଉତ୍କଳ ଘଣ୍ଟ ଯଦୁମଣିକୃତ ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ରର ଚନ୍ଦ୍ରକାନ୍ତ ଟିକା, ଯାହାକି ନୟାଗଡ଼ ଜିଲ୍ଲା ଇଟାମାଟିର ବାସିନ୍ଦା ୰ପଣ୍ଡିତ ଚନ୍ଦ୍ରମଣି ପ୍ରଧାନ ଏବଂ ସୁକାନ୍ତି ମହାନ୍ତିଙ୍କଦ୍ୱାରା ଲିଖିତ। [୧୦]
ଆଧାର
[ସମ୍ପାଦନା]- ↑ "ଯଦୁମଣିଙ୍କୁ ଭୁଲିଗଲେ କି ସରକାର?". ସମ୍ବାଦ. ୮ ଜାନୁଆରୀ ୨୦୨୧. Archived from the original on ୧୬/୦୧/୨୦୨୧. Retrieved 16 January 2021.
{{cite news}}
: Check date values in:|date=
and|archivedate=
(help) - ↑ "ଉତ୍କଳଘଣ୍ଟ କବି ଯଦୁମଣି". No. ୮ ଜାନୁଆରୀ ୨୦୨୧. ପ୍ରଗତିବାଦୀ. Archived from the original on ୧୯/୦୧/୨୦୨୧. Retrieved 19 January 2021.
{{cite news}}
: Check date values in:|archivedate=
(help) - ↑ "Jadumani Mahapatra", Wikipedia (in ଇଂରାଜୀ), 2024-11-25, retrieved 2025-01-01
- ↑ "Of art and artists". The Telegraph. Retrieved 23 August 2015.
- ↑ ୫.୦ ୫.୧ ୫.୨ ଯଦୁମଣି ମହାପାତ୍ର, ଡକ୍ଟର କୁଳମଣି ରାଉତ । ଓଡ଼ିଶା ସାହିତ୍ୟ ଏକାଡେମୀ, ୧୯୯୬ ।
- ↑ ଯଦୁମଣି ଗ୍ରନ୍ଥାବଳୀ, ପଣ୍ଡିତ ବିନାୟକ ମିଶ୍ର ।
- ↑ ପ୍ରାଚୀନ ଉତ୍କଳ, ଜଗବନ୍ଧୁ ସିଂହ । ଓଡ଼ିଶା ସାହିତ୍ୟ ଏକାଡେମୀ, ୧୯୬୪ ।
- ↑ ୮.୦ ୮.୧ ଯଦୁମଣି ଗ୍ରନ୍ଥାବଳୀ, ଚକ୍ରଧର ମହାପାତ୍ରଙ୍କଦ୍ୱାରା ସଂଗୃହୀତ ଓ ଟୀକାକୃତ । ଦାସ ବ୍ରଦର୍ସ, ବ୍ରହ୍ମପୁର-କଟକ, ୧୯୬୫ ।
- ↑ Eminent Personalities: Kabi Jadumani Mohapatra. Nayagarh district portal
- ↑ "Jadumani Mahapatra", Wikipedia (in ଇଂରାଜୀ), 2024-11-25, retrieved 2025-01-01