ବ୍ରଜନାଥ ବଡ଼ଜେନା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ବ୍ରଜନାଥ ବଡ଼ଜେନା
ବୃତ୍ତି କବି, ପ୍ରାବନ୍ଧିକ
ଭାଷା ଓଡ଼ିଆ, ହିନ୍ଦୀ, ସଂସ୍କୃତ
ଜାତୀୟତା  ଭାରତୀୟ
ସମୟ ୮ମ ଶତକ
ସାହିତ୍ୟର ଆନ୍ଦୋଳନ ରୀତିଯୁଗ

ବ୍ରଜନାଥ ବଡ଼ଜେନା (୧୭୩୦-୧୮୦୦) ଢେଙ୍କାନାଳର କବରାଠାରେ ଜନ୍ମିତ ଜଣେ ପୁରାତନ ଓଡ଼ିଆ କବି । ପିତା ବାଲୁକେଶ୍ଵର ପଟ୍ଟନାୟକଙ୍କ ତୃତୀୟ ସନ୍ତାନ ବ୍ରଜନାଥଙ୍କୁ ଢେଙ୍କାନାଳ ରାଜାଙ୍କଦ୍ଵାରା ବଡ଼ଜେନା ଉପାଧି ପ୍ରଦାନ କରାଯାଇଥିବାରୁ, ସେ ବ୍ରଜନାଥ ବଡ଼ଜେନା ଭାବରେ ପରିଚିତ ହୋଇଥିଲେ । [୧]

ଜୀବନୀ[ସମ୍ପାଦନା]

ବ୍ରଜନାଥ ବଡ଼ଜେନା (୧୭୩୦-୧୭୯୯)[୨] ଙ୍କର ପୂର୍ବ ପୁରୁଷ ରଘୁ ପଟ୍ଟନାୟକ (ରଘୁ ଅରକ୍ଷିତ) ମୂଳତଃ ପୁରୀର ବାସିନ୍ଦା ଥିଲେ । ସେ ଗଜପତି ମହାରାଜା ପ୍ରତାପରୁଦ୍ର ଦେବଙ୍କ ସମୟର (୧୪୯୭-୧୫୪୦) ଲୋକ । ବ୍ରଜନାଥ, ରଘୁ ଅରକ୍ଷିତଙ୍କର ଷଷ୍ଠ ପିଢିର ଦାୟାଦ । ୧୫୬୮ ମସିହା ପରେ ଓଡ଼ିଶାରେ ଆରମ୍ଭ ହୋଇଗଲା ଆଫଗାନ ଓ ମରହଟ୍ଟା ଆକ୍ରମଣ ଓ ଶାସନ । ରଘୁ ଅରକ୍ଷିତଙ୍କର ଦାୟାଦମାନେ ଏହି ସମୟରେ ପୁରୀ ସହର ଛାଡ଼ି ଖୋର୍ଦ୍ଧା ଏବଂ ପରେ ଢେଙ୍କାନାଳଗଡ଼କୁ ପଳାଇ ଆସି ବସବାସ କରି ରହିଲେ । ବ୍ରଜନାଥ ପଟ୍ଟନାୟକ ଢେଙ୍କାନାଳର ରାଜା ତ୍ରିଲୋଚନ ମହୀନ୍ଦ୍ର ବାହାଦୁରଙ୍କ (୧୭୬୪-୧୭୯୭) ରାଜ ଦରବାରର ରାଜକବି ହେଲେ । ରାଜାଙ୍କଦ୍ୱାରା ‘ବଡ଼ଜେନା’ ଉପାଧିରେ ଭୂଷିତ ହୋଇ ବ୍ରଜନାଥ ବଡ଼ଜେନା ବୋଲାଇଲେ । କବି ବଡଜେନା ରୀତିଯୁଗୀୟ (କବି ସମ୍ରାଟ) ଉପେନ୍ଦ୍ର ଭଞ୍ଜଙ୍କ ଅନୁଗାମୀ ହେଲେ ମଧ୍ୟ ସେ ନିଜର ମୌଳିକତା ପ୍ରଦର୍ଶନ କରିଛନ୍ତି ବିଭିନ୍ନ ଭାବରେ । ସେ ରାଜ ଦରବାରର ଦରବାରୀ କବି ହେଲେ ମଧ୍ୟ ରାଜତନ୍ତ୍ରକୁ ବିରୋଧ କରି ନିର୍ଭୟରେ ଲେଖିଛନ୍ତି ‘ରାଜନଙ୍କୁ ଛଳୋକ୍ତି’ । ସେଥିପାଇଁ କବିଙ୍କୁ ଢେଙ୍କାନାଳ ଛାଡ଼ି କେନ୍ଦୁଝର, ନୟାଗଡ଼ ଏବଂ ସୁଦୂର ଆନ୍ଧ୍ର ଅଞ୍ଚଳରେ ଘୂରି ବୁଲିବାକୁ ପଡ଼ିଛି ।

ରଚନାବଳୀ[ସମ୍ପାଦନା]

ତାଙ୍କର ଏକ ଚିତ୍ରପୋଥି ସମ୍ବଲପୁର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ଡଃ ପ୍ରବୋଧ କୁମାର ମିଶ୍ରଙ୍କଦ୍ୱାରା ସମ୍ପାଦିତ ଓ ଏକ ପୁସ୍ତକଭାବରେ ପ୍ରକାଶିତ । ଡଃ ମିଶ୍ର ଓଡ଼ିଶାର ଇତିହାସ, କଳା ଓ ସାହିତ୍ୟ ଦିଗରେ ଅନେକ ମୌଳିକ ଗବେଷଣାମୂଳକ ପୁସ୍ତକ ରଚନା କରିଛନ୍ତି । ସେଥି ମଧ୍ୟରୁ ଚିତ୍ରପୋଥି-ଭାଗବତ ପୁରାଣର ସମ୍ପାଦନା ଅନ୍ୟତମ । ସେ ଜଣେ ବହୁ ଭାଷୀ କବି ଭାବେ ଓଡ଼ିଆ, ବଙ୍ଗଳା, ହିନ୍ଦୀ, ତେଲୁଗୁ ଏବଂ ପ୍ରାକୃତ ଭାଷାରେ ଲେଖି ପଢ଼ି ପାରୁଥିଲେ । ସେ ରୀତିଯୁଗୀୟ ସାହିତ୍ୟ ଆକାଶର ଉଜ୍ଜ୍ୱଳ ନକ୍ଷତ୍ର ଥିଲେ । ଅମ୍ବିକା ବିଳାସ, ଅନୁଚିନ୍ତା, ଦଶପୋଇ, ଗୋପୀ ବିଳାସ, କେଳି କଳାନିଧି, ରାଜନଙ୍କୁ ଛଳୋକ୍ତି, ରାଜସଭା ଏବଂ ସମର ତରଙ୍ଗ ଇତ୍ୟାଦି ରଚନା କବିଙ୍କର କାବ୍ୟକୃତିର ଅନ୍ତର୍ଭୁକ୍ତ । ସମର ତରଙ୍ଗ ଏକ ଇତିହାସଭିତ୍ତିକ ସମର କାବ୍ୟ ଅଟେ । ବ୍ରଜନାଥ କେବଳ ପଦ୍ୟକାବ୍ୟର ସ୍ରଷ୍ଟା ନୁହଁନ୍ତି, ଚତୁର ବିନୋଦ କବିଙ୍କର ଏକ ଅନବଦ୍ୟ ଗଦ୍ୟସାହିତ୍ୟ, ଯେଉଁ ଗଦ୍ୟସାହିତ୍ୟ ଯୁଗସ୍ରଷ୍ଟା ଫକିରମୋହନଙ୍କ କଲମରେ ପରବର୍ତ୍ତୀ ସମୟରେ ଉକ୍ରର୍ଷତା ଲାଭ କରିଛି । ବ୍ରଜନାଥ ଲେଖିଥିବା ‘ଗୁଣ୍ଡିଚା ବିଜେ’ ଓଡ଼ିଆ ଅକ୍ଷରରେ ହିନ୍ଦୀ ଭାଷାରେ ରଚିତ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ରୀତିଯୁଗୀୟ ଶବ୍ଦାଡମ୍ବର, ଅଳଙ୍କାର-ସର୍ବସ୍ୱ, କ୍ଳିଷ୍ଟ ଶୈଳୀରେ ତ ସେ ଲେଖିଛନ୍ତି ଅନେକ କାବ୍ୟ କବିତା; ମାତ୍ର ରୀତିଯୁଗୀୟ ଶୈଳୀ ପରିହାର କରି ଅତ୍ୟନ୍ତ ସରଳ ଓ ସାବଲୀଳ ଭାଷାରେ ମଧ୍ୟ ଅନେକ କବିତା ରଚନା କରିଛନ୍ତି । ଫକିରମୋହନ ସେନାପତିଙ୍କ ବ୍ୟଙ୍ଗ-କଟାକ୍ଷ ଶୈଳୀର ସ୍ପଷ୍ଟ ସ୍ପର୍ଶ ବ୍ରଜନାଥଙ୍କ ରଚନାରେ ଅଙ୍କିତ ।

ଚିତ୍ରପୋଥି ଭାଗବତ ପୁରାଣ[ସମ୍ପାଦନା]

ଭାଗବତ ପୁରାଣର ଅଷ୍ଟମ ଓ ନବମ ସ୍କନ୍ଦକୁ କବି ବ୍ରଜନାଥ ତାଙ୍କ ପୁତ୍ର ଘନଶ୍ୟାମ ସହିତ ଭାଗବତ ପୁରାଣ କଥାକୁ ତାଳପତ୍ର ପୋଥିରେ ଭାଗବତର କଥାବସ୍ତୁ ସହିତ ସେ କଥାବସ୍ତୁକୁ ଚିତ୍ରରେ ବ୍ୟକ୍ତ କରିଛନ୍ତି । କାଗଜ, କାଳି ଓ କଲମରେ ଲେଖିବା ପୂର୍ବରୁ ମଣିଷ ଆଗ ପ୍ରସ୍ତରଗାତ୍ରରେ, ତାମ୍ରପତ୍ରରେ ଏବଂ ଶିଳାଲିପିରେ ମନୋଭାବ ବ୍ୟକ୍ତ କରୁଥିଲା । ଆମ ଓଡ଼ିଶାର କଳାହାଣ୍ଡି ଜିଲାର ଯୋଗୀମଠ ଏବଂ ଗୁଡ଼ହାଣ୍ଡି, ସମ୍ବଲପୁର ଜିଲାର ବିକ୍ରମଖୋଲ, ସୁନ୍ଦରଗଡ଼ ଜିଲାର ଉଷାକୋଠି ଏବଂ ମାଣିକମୋଡ଼ା ଇତ୍ୟାଦି ଅଞ୍ଚଳରେ ପର୍ବତ ଗାତ୍ରରେ ଭିତ୍ତିଚିତ୍ର ଥିବାର ଦେଖାଯାଏ । ପଞ୍ଚଦଶ-ଷୋଡ଼ଶ ଶତାବ୍ଦୀବେଳକୁ ତାଳପତ୍ର ଓ ଲେଖନୀର ବ୍ୟବହାର ହେଲା ଓ ସେଥିରେ ଚିତ୍ରକଳା ସମନ୍ୱିତ ହେଲା । ତାଳପତ୍ରରେ ଲେଖାହୋଇ ତାହା ହେଲା ଚିତ୍ରପୋଥି । ଏହି ଚିତ୍ରପୋଥି କବି ବ୍ରଜନାଥ ବଡ଼ଜେନାଙ୍କ ଚିତ୍ରପୋଥି 'ଭାଗବତ ପୁରାଣ' ମାଧ୍ୟମରେ ଭାରତୀୟ ଚିତ୍ରକଳାରେ ଓଡ଼ିଶୀ ଚିତ୍ରକଳାର ଉଚ୍ଚସ୍ଥାନ ରହିଛି । (ଗ୍ଲିମ୍ପସେସ ଅଫ ଓରିଶାନ ଆର୍ଟ ଆଣ୍ଡ କଲଚର, ହରେକୃଷ୍ଣ ମହତାବ, ଭୁବନେଶ୍ୱର, ୧୯୮୪, ପୃ.୧୬୩) । ଓଡ଼ିଶାର ମ୍ୟୁଜିୟମରେ ପ୍ରାୟ ୨୦୦ ତାଳପତ୍ର ଚିତ୍ରପୋଥିର ଥିବାର ଜଣାଯାଏ । (ଇଲଷ୍ଟ୍ରେଟେଡ଼ ପାମ ଲିଫ ମାନୁସ୍କ୍ରିପ୍ଟ ଅଫ ଓରିଶା, ଏସ.ପାଣି, ଭୁବନେଶ୍ୱର, ୧୯୮୪, ପୃ.୮୧-୮୬) । ତାଳପତ୍ରରେ ଏକ ଶହ ପୃଷ୍ଠାରେ ବ୍ରଜନାଥ ବଡ଼ଜେନା ଓ ତାଙ୍କ ଜ୍ୟେଷ୍ଠପୁତ୍ର ଘନଶ୍ୟାମ ଏହି ଚିତ୍ରପୋଥି ଭାଗବତ ପୁରାଣ ରଚନା କରିଥିଲେ । ବ୍ରଜନାଥ ଓ ତାଙ୍କ ପୁତ୍ର ଘନଶ୍ୟାମ ତାଳପତ୍ର ପୋଥିରେ ଲେଖିବା ସହିତ ଚିତ୍ର ଅଙ୍କନ କରି ପାରୁଥିଲେ । ସମୟ ନିର୍ଣ୍ଣିତ ଏହି ଚିତ୍ରପୋଥି ଓଡ଼ିଆ ସାହିତ୍ୟର ଭାଷା ଏବଂ ଲିପିର ଅଭୁ୍ୟଦୟ ଦିଗରେ ବିଶେଷ ସହାୟକ ବୋଲି କୁହାଯାଏ । ଚିତ୍ରପୋଥି-ଭାଗବତ ପୁରାଣ ବ୍ରଜନାଥଙ୍କ କବି ପ୍ରତିଭାର ଏକ ନୂତନ ଦିଗ ଉନ୍ମୋଚନ କରେ । [୩]

କାବ୍ୟକବିତା[ସମ୍ପାଦନା]

  • କେଳି କଳାନିଧି
  • ବିଦେଶ ଅନୁଚିନ୍ତା
  • ଦଶପୋଇ
  • ଗୋପୀ ବିଳାପ
  • ଶ୍ୟାମରାସୋସ୍ତବ
  • ବିଚକ୍ଷଣା
  • ଅମ୍ବିକା ବିଳାସ
  • ସମରତରଙ୍ଗ[୪]


ପ୍ରବନ୍ଧ[ସମ୍ପାଦନା]

  • ଚତୁର ବିନୋଦ[୫]
  • ଚୋଟ କବିତା
  • ଚଣ୍ଡୀ ମାଳାଶ୍ରୀ
  • ରାଜନଙ୍କୁ ଛଳ ଭକ୍ତି
  • ରାଜା ସଭା
  • କେତୋଟି ଜଣାଣ ଓ ସଙ୍ଗୀତ

ହିନ୍ଦୀ[ସମ୍ପାଦନା]

  • ଗୁଣ୍ଡିଚାବିଜେ

ସଂସ୍କୃତ[ସମ୍ପାଦନା]

  • ମନୋଦୁତ



ଆଧାର[ସମ୍ପାଦନା]

  1. Indian History Congress (୧୯୭୬). Proceedings. 
  2. ମିଶ୍ର, ନିତ୍ୟାନନ୍ଦ (୨୪ ମେ ୨୦୧୫). "କବି ଚକ୍ରବର୍ତ୍ତୀ ବ୍ରଜନାଥ ବଡ଼ଜେନାଙ୍କ ଚିତ୍ରପୋଥି - ଭାଗବତ ପୁରାଣ". ସମାଜ. http://samajaepaper.com/epaper/svww_index1.php. Retrieved 30 May 2015. 
  3. ମିଶ୍ର, ନିତ୍ୟାନନ୍ଦ (୨୪ ମେ ୨୦୧୫). "କବି ଚକ୍ରବର୍ତ୍ତୀ ବ୍ରଜନାଥ ବଡ଼ଜେନାଙ୍କ ଚିତ୍ରପୋଥି - ଭାଗବତ ପୁରାଣ". ସମାଜ. http://samajaepaper.com/epaper/svww_index1.php. Retrieved 30 May 2015. 
  4. Binod Sankar Das (୧୯୮୪). Changing Profile of the Frontier Bengal, ୧୭୫୧-୧୮୩୩. Mittal Publications. pp. ୩୧୧–. GGKEY:୧E୬BAQHLYLN. 
  5. Mohan Lal (୧୯୯୨). Encyclopaedia of Indian Literature: sasay to zorgot. Sahitya Akademi. pp. ୪୦୬୧–. ISBN ୯୭୮-୮୧-୨୬୦-୧୨୨୧-୩. 

ବାହାର ଲିଙ୍କ[ସମ୍ପାଦନା]