ଅଚ୍ୟୁତାନନ୍ଦ ଦାସ
ମହାପୁରୁଷ ଅଚ୍ୟୁତାନନ୍ଦ ଦାସ | |
---|---|
![]() | |
ଜନ୍ମ ଓ ଜନ୍ମସ୍ଥାନ | ୧୦ ଜାନୁଆରୀ ୧୫୧୦[୧] (ମାଘ ଶୁକ୍ଳ ଏକାଦଶୀ)[୨] |
ମୃତ୍ୟୁ | ଜ୍ୟୈଷ୍ଠ ଶୁକ୍ଳ ଏକାଦଶୀ |
ଜାତୀୟତା | ଭାରତୀୟ |
ଜୀବିକା | ପୌରାଣିକ କବି |
ଜଣାଶୁଣା କାମ | ହରିବଂଶ |
ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ୧୬ଶ ଖ୍ରୀ.ର ପ୍ରାରମ୍ଭ ବେଳକୁ ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ଜଣେ ଯୋଗକଳ୍ପା ଓ ତ୍ରିକାଳଦର୍ଶୀ ବୈଷ୍ଣବ କବି । ଓଡ଼ିଆ ଭାଷାରେ ଯୋଗ, ପୁରାଣ ଓ ଆଗତ ଭବିଷ୍ୟ ଉପରେ ଆଧାରିତ ୩୬ଟି ସଂହିତା, ୭୮ଟି ଗୀତା, ୧୦୦ଟି ମାଳିକା, ଅନେକ ଭଜନ, ଚଉପଦୀ, ଜଣାଣ ଏହିପରି ପାଖାପାଖି ୧୬୦୦୦୦ ପଦ୍ୟପଦ୍ୟାବଳି ସେ ରଚନା କରିଯାଇଛନ୍ତି ।[୪]। ଯୋଗ, ଜ୍ୟୋତିଷ, ଦର୍ଶନ, ବାସ୍ତୁ, ମନ୍ତ୍ର, ଯନ୍ତ୍ର, ତନ୍ତ୍ର, ଅୟୁର୍ବେଦ ତଥା ଏହିପରି ଅନେକ ବିଷୟ ଏବଂ ବିଦ୍ୟାରେ ତାଙ୍କର ପାରଦର୍ଶିତା ଥିବାରୁ ସେ ମହାପୁରୁଷ ନାମରେ ପରିଚିତ ।
ଅଚ୍ୟୁତାନନ୍ଦ ଓଡ଼ିଆ ସାହିତ୍ୟର ପଞ୍ଚସଖା (ଜଗନ୍ନାଥ ଦାସ, ବଳରାମ ଦାସ, ଅଚ୍ୟୁତାନନ୍ଦ ଦାସ, ଅନନ୍ତ ଦାସ, ଯଶୋବନ୍ତ ଦାସ)ଙ୍କ ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ ।
ବିଷୟସୂଚୀ
ଜୀବନ[ସମ୍ପାଦନା]
ଜନ୍ମ ଓ ବଂଶ[ସମ୍ପାଦନା]
ଅଚ୍ୟୁତାନନ୍ଦ ଗୋପାଳ ବଂଶରେ ଜନ୍ମଲାଭ କରିଥିଲେ ।[୫] ଅଚ୍ୟୁତ ନିଜ ଆତ୍ମପରିଚୟ ଏହି ଭାବେ ଦେଇଛନ୍ତି-
ତିଳକଣାରେ ମୁଁ ଜନମ ହୋଇଲି କେହି ନ ଚିହ୍ନିଲେ ମୋରେ ।
ଅଗଣି ତ ବୋଲି ମାତା ଡାକୁଥାନ୍ତି ଅନ୍ନ ନ ମିଳଇ ଘରେ ।।
ବେନି ଭ୍ରାତ ମୋର ଏକ ଯେ ଭଗିନୀ ତ୍ରିପୁର ଗ୍ରାମରେ ବାସ ।
ଏମନ୍ତ ମୋ ମାତା ପିଅର ବଞ୍ଚନ୍ତି ଗ୍ରାମରେ କରି ନିବାସ ।।
ନାମ ମୋ ଅଚ୍ୟୁତ ଦାସ ଯେ ବିଖ୍ୟାତ ନେମାଳ ଗ୍ରାମରେ ଥାଇ ।
ଏବେ ଶୂଦ୍ରକୁଳେ ଜନମ ଲଭିଛି ପ୍ରଭୁଙ୍କ ଆଜ୍ଞାରୁ ମୁହିଁ ।।
ଏହି ଉଦ୍ଧୃତି ଅନୁସାରେ ସେ ତିଳକଣା ଗ୍ରାମରେ ଜନ୍ମ ହୋଇଥିଲେ । ତାଙ୍କ ମାତା ତାଙ୍କୁ 'ଅଗଣି' ବୋଲି ଡାକୁଥିଲେ । ତାଙ୍କର ଦୁଇ ଭାଇ ଓ ଗୋଟିଏ ଭଉଣୀ ଥିଲେ ଓ ସେ ଶୂଦ୍ରକୁଳରେ ଜନ୍ମିତ । ପୁନଃ ସେ ନିଜ ମାତା ପିତାଙ୍କ ନାମ ମଧ୍ୟ ଉଲ୍ଲେଖ କରିଛନ୍ତି-
ଦୀନବନ୍ଧୁ ନାମ ଖୁଣ୍ଟିଆ ଶୂଦ୍ରର କୁଳରେ ହୋଇବୁ ଜାତ ।
ବାଞ୍ଛିଲାର ଫଳ ନୋହିବ ବିଫଳ ପ୍ରି ଅଂଶେ ଲାଭ ପୁତ୍ର ।।
ଖୁଣ୍ଟିଆ ଦୀନବନ୍ଧୁ ନାମେ ବୋଲିଣ ପଦ୍ମାବତୀ ନାମେ ନାରୀ ।
ପ୍ରଭୁ ଆଜ୍ଞା ଘେନି ପ୍ରବେଶ ହୋଇଲି ଗର୍ଭେଣ ମୁହିଁ ତାହାରି ।।
ଦଶମାସ ଦଶ ଦିବସ ମଧ୍ୟରେ ଶୁକ୍ଳ ମାଘ ଏକାଦଶୀ ।
ଜନମ ଲଭନ୍ତେ ପିତା ମୋ ଦେଖନ୍ତେ ଅପୁତ୍ରିକ ଦୋଷଧ୍ୱଂସୀ ।।
କେ ବୋଲେ ଅନାମ ଅଗଣି ତ ନାମ କେ ବୋଲେ ଅନନ୍ତ ହରି ।
ମାତା ପିତା ମୋତେ ଡାକିଲେ ନିଶ୍ଚୟ ଅଚ୍ୟୁତ ଯେ ନାମ ଧରି ।
ଶୂଦ୍ରକୁଳର ଦୀନବନ୍ଧୁ ଖୁଣ୍ଟିଆ ଓ ପଦ୍ମାବତୀ ମୋ ମାତା ପିତା । ପ୍ରଭୁଙ୍କ ଆଜ୍ଞାରୁ ମୁଁ ତାହାଙ୍କ (ପଦ୍ମାବତୀଙ୍କ) ଗର୍ଭରେ ପ୍ରବେଶ କରି ଦଶମାସ ଦଶଦିନରେ ଜନ୍ମଗ୍ରହଣ କଲି ଓ ତାଙ୍କ ଅପୁତ୍ରିକ ଦୋଷ ନାଶ କଲି । କେହି ମୋତେ ଅଗଣି ଡାକିଲେ, ଆଉ କେହି ଅନନ୍ତ, ହରି ଡାକିଲେ କିନ୍ତୁ ମୋ ନାମ ଅଚ୍ୟୁତ ବୋଲି ନିଶ୍ଚୟ କରାଗଲା ।
ଏଣୁ କବିଙ୍କ ନିଜ ଲେଖାରୁ ତାଙ୍କ ଜନ୍ମସ୍ଥାନ, ମାତା ପିତାଙ୍କ ବିଷୟରେ ଯଥେଷ୍ଟ ପ୍ରମାଣ ମିଳୁଛି ।
ପୂର୍ବଜନ୍ମ[ସମ୍ପାଦନା]
'ଶୂନ୍ୟସଂହିତା'ରେ କବି ନିଜ ପରିଚୟ ଦେଇ ଲେଖିଛନ୍ତି ଯେ ସେ ପୂର୍ବ ଜନ୍ମରେ ସୁଦାମ ଥିଲେ ।
ଚୈତନ୍ୟଙ୍କ ସହ ଭେଟ[ସମ୍ପାଦନା]
ପୁନଃ ଅଚ୍ୟୁତଙ୍କ ନିଜ ଲେଖାରୁ ତାଙ୍କର ଚୈତନ୍ୟଙ୍କ ସହ କିପରି ଭେଟ ହୋଇଥିଲା ତାହାର ବର୍ଣ୍ଣନ ରହିଛି ।
ଚୈତନ୍ୟ ଗୋସାଇଁ ବିଜେ କରିଛନ୍ତି ବଡ଼ଦାଣ୍ଡରେ ଯେ ଆସି ।
ପିତାଙ୍କ ସଙ୍ଗରେ ଦର୍ଶନ କଲି ମୁଁ ଚରଣେ ପଡ଼ିଲି ଝାସି ।।
ଚୈତନ୍ୟ ଗୋସାଇଁ ବଡ଼ଦାଣ୍ଡରେ ବିଜେ କରିଥିବା ବେଳେ ପିତାଙ୍କ ସଙ୍ଗେ ମୁଁ ତାଙ୍କ ଦର୍ଶନ କଲି ଓ ତାଙ୍କ ଚରଣରେ ପଡ଼ିଲି ।
ଶିଷ୍ୟ[ସମ୍ପାଦନା]
ଅଚ୍ୟୁତ ଦାସଙ୍କ ୩୦୦୦ ଭକ୍ତ ବା ଶିଷ୍ୟ ଥିଲେ । ଏହି ଭିତରୁ ଉତ୍ତମ ଶିଷ୍ୟ ୫୦୦ । ପ୍ରାଚୀକୂଳରେ ଅଚ୍ୟୁତଙ୍କ ୧୦୦୦ ଭକ୍ତ ଥିଲେ । ଅନନ୍ତପୁର ଶାସନର ଶର୍ମ୍ମା ଦ୍ୱିଜବର, ପ୍ରାଚୀ କୂଳର ଦାସ ମହାପାତ୍ର, ଗଣେଶ ପତି, ଗଣକକୁଳ କାହ୍ନୁଙ୍କ ପୁତ ପରୀକ୍ଷିତ, ଯାଜପୁର ବନ୍ଧୁ ମହାନ୍ତି - ଏମାନେ ଦାସଙ୍କ ପ୍ରମୁଖ ଶିଷ୍ୟ ଥିଲେ ।
ପ୍ରତାପରୁଦ୍ରଙ୍କ ପରୀକ୍ଷା[ସମ୍ପାଦନା]
ସେତେବେଳେ ପ୍ରତାପରୁଦ୍ର ଦେବ ଓଡ଼ିଶାର ରାଜା ଥିଲେ । ଦାସଙ୍କ ଶୂନ୍ୟଭଜନ କଥା ରାଜା ଶୁଣିପାରିଲେ ଓ ଶୂନ୍ୟଭଜନ କି ପ୍ରକାର ତାହା ଜାଣିବା ଲାଗି ଅଚ୍ୟୁତଙ୍କ ସହ ଅନେକ କଟାଳ କଲେ । ବ୍ରାହ୍ମଣମାନେ ଏହା ଶୁଣି ଉପହାସ କଲେ । ଦାସଙ୍କର ଉପହାସ ପ୍ରତି ଭ୍ରୂକ୍ଷେପ ନ ଥିଲା । ଦାସେ ରାଜାଙ୍କ ଆଜ୍ଞା ପାଇ ସଙ୍କଟରେ ପଡ଼ିଲେ ମାତ୍ର ଶେଷକୁ ପରୀକ୍ଷା ହେବା ସ୍ଥିର କରାଗଲା । ପୁରୀ ସହରର ବାଙ୍କି ମୁହାଁଣ ନିକଟସ୍ଥ ଶୂନ୍ୟ ବାମ୍ଫିଠାରେ ପରୀକ୍ଷା ହେଲା । ପରୀକ୍ଷା ପରେ ରାଜା ସନ୍ତୁଷ୍ଟ ହୋଇ ଓ ସେହି ସ୍ଥାନରେ ବାସ କରିବା ଲାଗି ଅଚ୍ୟୁତଙ୍କୁ ଆଜ୍ଞା ଦେଲେ । ଅଦ୍ୟାବଧି ଏହି ସ୍ଥାନରେ ଗୋଟିଏ ମଠ ରହିଛି ଯାହାର ନାମ ଗୋପାଳ ମଠ ।[୫]
ଧର୍ମତତ୍ତ୍ୱ[ସମ୍ପାଦନା]
ଅଚ୍ୟୁତାନନ୍ଦ ଶରୀରତତ୍ତ୍ୱ ଭଳି କଠିଣ ଦାର୍ଶନିକ ବିଷୟଗୁଡ଼ିକୁ ସରଳ ଓଡ଼ିଆ ଭାଷାରେ ଲେଖିଛନ୍ତି ।
ଅଚ୍ୟୁତ ଚୈତନ୍ୟଙ୍କ ଶିଷ୍ୟ ଥିବା ସ୍ପଷ୍ଟଭାବରେ ଲେଖିଥିବାରୁ ସେ ବୈଷ୍ଣବ ଥିଲେ ବୋଲି କୁହାଯାଇପାରିବ । କେତେକଙ୍କ ମତରେ ସେ ବୌଦ୍ଧ ଥିଲେ କାରଣ ଶୂନ୍ୟସଂହିତାରେ ସେ ନିରାକାର ଉପାସନାକୁ ଶ୍ରେଷ୍ଠ ବୋଲି କହିଛନ୍ତି । ହିନ୍ଦୁଧର୍ମରେ ମଧ୍ୟ ନିରାକାର ଉପାସନାର ଶାଖା ଥିବାରୁ ଏହା ଠିକ ବୋଲି କୁହାଯାଇପାରିବନି ।[୫]
ଶୂନ୍ୟସଂହିତାର ପଞ୍ଚମ ଅଧ୍ୟାୟରୁ ଅଚ୍ୟୁତ ଏକଦେଶଦର୍ଶୀ ନ ଥିଲେ ବୋଲି ଜଣାଯାଏ ।[୫]
ହିନ୍ଦୁ ଭଜେ ଅଲେଖ, ତୁଚୁକ ଅଲେଫ ଯେ
ଏଣୁ ଅଲେଫ ତେଜ, ଅଲେଖ ହିନ୍ଦୁ ଭଜେ ।—ପଞ୍ଚମ ଅଧ୍ୟାୟ, ଶୂନ୍ୟସଂହିତା
ଭଜନ[ସମ୍ପାଦନା]
ଅଚ୍ୟୁତାନନ୍ଦ ନିରାକାର ଭଜନର ମହତ୍ତ୍ୱ ବିଷୟରେ ବାରମ୍ବାର ଲେଖିଛନ୍ତି ।
ମୋହ ଶପଥ ତୋତେ ଆହୋ ବାବୁ । ଏ ଭଜନ ସୂତ୍ର ସୂତ୍ରେ ଭଜିବୁ ।।
କିଏ କାହାର ମିଥ୍ଯା ଯେ ସଂସାର । ଆପେ ତରିଲେ ଆଉ କେ କାହାର ।।
ଆପକୁ ଆପେ ଚିହ୍ନିଲେରେ ବାବୁ । କାଳେ କାଳେ ଅଜାମର ହୋଇବୁ ।।
ସୁଖେ ପାରିହେବୁ ଭବସାଗର । ବୁଲିଗଲା ପ୍ରାୟେ ଯିବ ଶରୀର ।।
ଜାତିଭେଦ[ସମ୍ପାଦନା]
ଅଚ୍ୟୁତାନନ୍ଦ ଜାତିଭେଦରେ ବିଶ୍ୱାସ ରଖୁନଥିଲେ ।
ହେଲେ ଜାତି ହୀନ ନାହିଁ ତହିଁ ମାନ ଶ୍ରୀକୃଷ୍ଣ ବାସନା ଥାଏ ।
କଲିକତରା ଯେ ପଙ୍କରେ ବୁଡ଼ିଲେ ପଙ୍କ ନ ଲାଗଇ ଦେହେ ।।
ସାହିତ୍ୟିକ କୃତି[ସମ୍ପାଦନା]
ଶୂନ୍ୟସଂହିତା[ସମ୍ପାଦନା]
ରାମଦାସଙ୍କ ପ୍ରଶ୍ନ ଶୁଣି ଅଚ୍ୟୁତ ଯେଉଁ ଉପଦେଶ ଦେଇଥିଲେ ତାହା ହିଁ ଶୂନ୍ୟସଂହିତାର ବିଷୟ ।
ମହାପୁରୁଷଙ୍କ ସଂଖ୍ୟାଧିକ ରଚନାବଳୀ ମଧ୍ୟରୁ କେତକ ପ୍ରାପ୍ତ ତଥା ପ୍ରକାଶିତ ଗ୍ରନ୍ଥର ବିବରଣୀ ନିମ୍ନରେ ପ୍ରଦତ୍ତ । ସେ ୩୬ଟି ସଂହିତା, ୭୮ଟି ଗୀତା, ୨୭ଟି ହରିବଂଶାଦି ଚରିତ, ୧୨ଟି ଉପବଂଶ ଚରିତ, ୧୦୦ଟି ପୁରାଣ ବା ମାଳିକା ଲେଖିଛନ୍ତି । ଏହା ସହିତ ସେ ଅନେକ ଭଜନ ଚୌପଦୀ ଲେଖିଛନ୍ତି ।[୫]
ପୁରାଣ[ସମ୍ପାଦନା]
ମାଳିକା[ସମ୍ପାଦନା]
ଗୀତା[ସମ୍ପାଦନା]
କୋଇଲି[ସମ୍ପାଦନା]
|
ସଂହିତା[ସମ୍ପାଦନା]
ରାହାସ[ସମ୍ପାଦନା]
|
ଟୀକା[ସମ୍ପାଦନା]
ପଟଳ[ସମ୍ପାଦନା]
ଅନ୍ୟାନ ପଦ୍ୟାବଳୀ ଓ ଗ୍ରନ୍ଥସମୁହ[ସମ୍ପାଦନା]
|
ଆଧାର[ସମ୍ପାଦନା]
- ↑ "Astrology Lineage « VedaVyasaCenter". vedavyasacenter.org. Retrieved 21 February 2013.
Orissa in 1510 on Magha Sukla Ekadasi (January 10, 1510)
- ↑ "Birth of Shri Achyuta". garoiashram.org. 2011. Retrieved 21 February 2013.
1510 AD on a 'Magha Sukla Ekadasi'
- ↑ "Welcome to Trahi Achyuta Ashram". trahiachyuta.com. Retrieved 21 February 2013.
He was born in Tilakana near Nemala, Cuttack, in 1485
- ↑ ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ. ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ. ପୃ. ୧୧୪-୧୧୭
- ↑ ୫.୦ ୫.୧ ୫.୨ ୫.୩ ୫.୪ ପ୍ରାଚୀନ ଉତ୍କଳ (ପ୍ରଥମ ଭାଗ), ଜଗବନ୍ଧୁ ସିଂହ । ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର । ତୃତୀୟ ସଂସ୍କରଣ, ୧୯୮୨ ।
ଅଧିକ ତଥ୍ୟ[ସମ୍ପାଦନା]
- http://www.sriachyuta.org/
- The Mystical Pothi Oracle of Achyutananda Das
- https://tagmeme.com/orissa/pothis.html
- http://www.trahiachyuta.com/
- http://shunyavada.com/
- http://www.garoiashram.org/english/places/shunyabhajanapitha.html (ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ଶୂନ୍ୟ ଭଜନ ପୀଠ ଓ ଶୂନ୍ୟ ଭଜନ)