Jump to content

ଓଡ଼ିଶୀ

ଉଇକିପିଡ଼ିଆ‌ରୁ
ଓଡ଼ିଶୀ ନୃତ୍ୟ
ଓଡ଼ିଶୀ ନୃତ୍ୟ ପରିବେଷଣ
ମାଧ୍ୟମଗୀତ-ନୃତ୍ୟ
ପ୍ରକାରମଙ୍ଗଳାଚରଣ
ପୁରାତନ କଳାମାହାରୀ, ଗୋଟିପୁଅ
ସଂସ୍କୃତିଓଡ଼ିଆ ଚଳଣି
ସୃଷ୍ଟିଓଡ଼ିଶା,  ଭାରତ
ସମୟ କାଳମଧ୍ୟଯୁଗ
ଗୀତ-ସଙ୍ଗୀତଓଡ଼ିଶୀ ସଙ୍ଗୀତ
କଳାକାରଏକକ ବା ବହୁ

ଓଡ଼ିଶୀ ଭାରତରେ ପ୍ରଚଳିତ ଓ ଓଡ଼ିଶାରୁ ଆରମ୍ଭ ହୋଇଥିବା ଏକ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ ପରମ୍ପରା । ଏଥିରେ ଅନ୍ତର୍ଭୁକ୍ତ ଓଡ଼ିଶୀ ନୃତ୍ୟକୁ ଭାରତ ସରକାର ଶାସ୍ତ୍ରୀୟ ନୃତ୍ୟ ଓ ଓଡ଼ିଶୀ ସଙ୍ଗୀତକୁ ଓଡ଼ିଶା ସରକାର ଶାସ୍ତ୍ରୀୟ ସଙ୍ଗୀତ ତାଲିକାଭୁକ୍ତ କରିଛନ୍ତି । ଓଡ଼ିଶା ତତ୍କାଳୀନ କଳିଙ୍ଗର ଅଂଶ ଥିଲା ଓ ଖାରବେଳଙ୍କ ସମୟରେ ଖୋଦିତ ରାଣୀଗୁମ୍ଫା, ସ୍ୱର୍ଗପୁରୀ ଓ ମଞ୍ଚପୁରୀ ଗୁମ୍ଫାର ଗାତ୍ରରେ ଦେଖିବାକୁ ମିଳୁଥିବା ନର୍ତ୍ତକୀମାନଙ୍କର ପ୍ରତିମା ତଥା ହାତୀଗୁମ୍ଫା ଅଭିଲେଖରେ ବର୍ଣ୍ଣିତ ନୃତ୍ୟ ବର୍ତ୍ତମାନର ଓଡ଼ିଶୀ ନୃତ୍ୟର ସହ ସମ୍ବନ୍ଧ ଦର୍ଶାଇଥାଏ । ପ୍ରଥମ ଖ୍ରୀଷ୍ଟପୂର୍ବ କାଳରେ ଆଧୁନିକ ଭୁବନେଶ୍ୱରସ୍ଥିତ ଖଣ୍ଡଗିରିଉଦୟଗିରିଠାରେ ଓଡ଼ିଶୀ ଏକ ଉନ୍ନତ ନୃତ୍ୟକଳାରେ ପରିଣତ ହୋଇସାରିଥିଲା । ଭରତ ତାଙ୍କ ରଚିତ ନାଟ୍ୟ ଶାସ୍ତ୍ରରେ କଳିଙ୍ଗ ନୃତ୍ୟ ଶୈଳୀରେ ଓଡ଼ିଶୀ ନୃତ୍ୟ ବାବଦରେ ବର୍ଣ୍ଣନା କରି ଏହାର ନାମ ଓଡ୍ର-ମାଗଧି ବୋଲି ଉଲ୍ଲେଖ କରିଥିଲେ । ଭୁବନେଶ୍ୱରର ପର୍ଶୁରାମେଶ୍ୱର ମନ୍ଦିର, ବୈତାଳ ମନ୍ଦିର, ଶିଶିରେଶ୍ୱର ମନ୍ଦିର, ମାର୍କଣ୍ଡେଶ୍ୱର ମନ୍ଦିର, ମୁକ୍ତେଶ୍ୱର ମନ୍ଦିର, ରାଜରାଣୀ ମନ୍ଦିର, ଲିଙ୍ଗରାଜ ମନ୍ଦିର, ମେଘେଶ୍ୱର ମନ୍ଦିର, ପୁରୀର ଜଗନ୍ନାଥ ମନ୍ଦିର ଏବଂ କୋଣାର୍କର ସୂର୍ଯ୍ୟମନ୍ଦିରର ବର୍ହିଭାଗରେ ଖୋଦିତ ନର୍ତ୍ତକୀ ଓ ନାୟିକାମାନଙ୍କର ଅଙ୍ଗଭଙ୍ଗୀ ଓ ମୁଦ୍ରାରୁ ଓଡ଼ିଶୀ ନୃତ୍ୟର ପରମ୍ପରା ସମୃଦ୍ଧ ହୋଇଥିବା ଜଣାଯାଏ । ପରବର୍ତ୍ତୀ କାଳରେ ଏହି ନୃତ୍ୟ ଦେବଦାସୀ ନୃତ୍ୟ (ମାହାରୀ) ଓ ଗୋଟିପୁଅ ଆଦି ନୃତ୍ୟ ପରମ୍ପରାଦ୍ୱାରା ପରିବେଷିତ ହୋଇଆସୁଛି । ଭାରତ ସ୍ୱାଧୀନ ହେବା ପରେ ଏହି ନୃତ୍ୟ ପରମ୍ପରାର ପୁନରୁଦ୍ଧାର କରାଯାଇ ଓଡ଼ିଶୀ ନାମରେ ନାମକରଣ କରାଗଲା ଓ ୧୯୬୪ ମସିହାରେ ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟ ମାନ୍ୟତା ପାଇଲା ।[୧] ଏହି ପଦଃକ୍ଷେପ ପଛରେ ମୁଖ୍ୟତଃ ନୃତ୍ୟଗୁରୁ କାଳୀଚରଣ ପଟ୍ଟନାୟକ, ପଙ୍କଜ ଚରଣ ଦାସ, ଦେବ ପ୍ରସାଦ ଦାସକେଳୁଚରଣ ମହାପାତ୍ରଙ୍କ ଭୂମିକା ଅନ୍ୟତମ । ଏହି ନୃତ୍ୟରେ ପଖଉଜ, ବେହେଲା, ଗିନି, ଝାଞ୍ଜବଂଶୀ ଆଦି ବାଦ୍ୟଯନ୍ତ୍ର ବ୍ୟବହାର କରାଯାଏ ।

ଓଡ଼ିଶୀ ଭାରତର ଆଠଟି ଶାସ୍ତ୍ରୀୟ ନୃତ୍ୟ ଭିତରୁ ଏକ । ପୁରାତନ ତତ୍ତ୍ୱ ଅନୁସାରେ ଏହା ଭାରତର ଜୀବନ୍ତ ନୃତ୍ୟକଳା ଭିତରୁ ଗୋଟିଏ ।[୨][୩] ଏହାର ତ୍ରିଭଙ୍ଗୀ ଠାଣି ବା ଦେହର ତିନୋଟି ଅଙ୍ଗ ମୁଣ୍ଡ, ଛାତି ଓ ଅଣ୍ଟାର ସ୍ୱାଧୀନ ଗତି ହେତୁ ଏହାକୁ ବାକି ଭାରତୀୟ ନୃତ୍ୟ ପରମ୍ପରାରୁ ଭିନ୍ନ ।[୪][୫]

ବୈଶିଷ୍ଟ୍ୟ[ସମ୍ପାଦନା]

ଓଡ଼ିଶୀ ନୃତ୍ୟର ବୈଶିଷ୍ଟ୍ୟ ମଧ୍ୟରେ ଅଙ୍ଗଭଙ୍ଗୀ ଓ ଲାଳିତ୍ୟ ତଥା ଏହାର ପାଞ୍ଚଗୋଟି ପର୍ଯ୍ୟାୟ ଯଥା: ମଙ୍ଗଳାଚରଣ, ବଟୁ, ପଲ୍ଲବୀ, ଅଭିନୟ ଓ ମୋକ୍ଷ ଅନ୍ୟତମ । ନୃତ୍ୟ ଆରମ୍ଭରେ ନର୍ତ୍ତକୀ ଶ୍ରୀଜଗନ୍ନାଥଙ୍କୁ ପୁଷ୍ପାଞ୍ଜଳୀଦ୍ୱାରା ପ୍ରଣାମ ନିବେଦନ କରି ଶେଷରେ ମୋକ୍ଷ ଲାଭ କାମନା କରି ପ୍ରଣତି ଜଣାଇଥାନ୍ତି । ଏହି ନୃତ୍ୟରେ ପଖଉଜ, ବେହେଲା, ଗିନି, ଝାଞ୍ଜବଂଶୀ ଆଦି ବାଦ୍ୟଯନ୍ତ୍ର ବ୍ୟବହାର କରାଯାଏ । ଓଡ଼ିଶୀର ମୌଳିକ ଚଉକୋଣ ନାଚକୁ ଚଉକା କୁହାଯାଏ ।

ଆରମ୍ଭ ଓ ଇତିହାସ[ସମ୍ପାଦନା]

ଜଗନ୍ନାଥ ମନ୍ଦିର ନୀତିରେ ଓଡ଼ିଶୀ

ଖାରବେଳଙ୍କ ସମୟରେ ଅଙ୍କାଯାଇଥିବା ଉଦୟଗିରିର ମଞ୍ଚପୁରୀ ଗୁମ୍ଫାରେ ସବୁଠୁ ପୁରୁଣା ଓଡ଼ିଶୀ ନାଚର ଖୋଦିତ ହୋଇଥିବା ଦେଖିବାକୁ ମିଳିଥାଏ । ନାରୀମାନଙ୍କ ବାଦ୍ୟଯନ୍ତ୍ର ବାଜଣା ସହ ଓଡ଼ିଶୀ ନର୍ତ୍ତକୀମାନଙ୍କର ନାଚକୁ ଖାରବେଳ ଉପଭୋଗ କରୁଥିଲେ । ପରେ ଏହା ମନ୍ଦିର ଚଳଣିରେ ଯୋଡ଼ା ହେଲା । ଜଗନ୍ନାଥ ମନ୍ଦିରରୁ ପ୍ରଥମେ ଆରମ୍ଭ କରି ତା'ପରେ ବାକି ଶିବ ଓ ବିଷ୍ଣୁ ମନ୍ଦିରମାନଙ୍କରେ ଏହା ପ୍ରଚଳିତ ହୋଇଥିଲା । ମାହାରୀମାନେ ନିଜ ଜୀବନ ଭଗବାନଙ୍କ ପାଖରେ ଅର୍ପଣ କରି ମନ୍ଦିର ଭିତରେ ନୃତ୍ୟ ପ୍ରଦର୍ଶନ କରିବା ଆରମ୍ଭ କରିଥିବାର ଓଡ଼ିଶାର ମନ୍ଦିର ଗାତ୍ରରେ ଥିବା ମୂର୍ତ୍ତିରୁ ଜଣାପଡ଼େ ।[୬] ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରେ ଓଡ଼ିଶୀର ଇତିହାସ ଉଦୟଗିରିର ରାଣୀଗୁମ୍ଫାରୁ ମିଳିଥିବା ପୋଥିରୁ ଜଣାଯାଏ । ଐତିହାସିକ ପରମ୍ପରା ଓ ରୀତିନୀତିକୁ ଆଖିରେ ରଖି ଓଡ଼ିଶୀକୁ ସର୍ବପୁରାତନ ଶାସ୍ତ୍ରୀୟ ନୃତ୍ୟର ମାନ୍ୟତା ଦିଆଯାଇଥାଏ ।[୭]

ମନ୍ଦିର ଇତିହାସ[ସମ୍ପାଦନା]

ନୃତ୍ୟଭଙ୍ଗୀରେ ଆଦିଗୁରୁ ପଙ୍କଜ ଚରଣ ଦାସ

ଖ୍ରୀଷ୍ଟପୂର୍ବ ୨ୟ ଶତାବ୍ଦୀରେ ତିଆରି ଭୁବନେଶ୍ୱରରେ ଥିବା ଖଣ୍ଡଗିରି ଓ ଉଦୟଗିରି ସେତେବେଳର ସମ୍ରାଟ ଖାରବେଳଙ୍କଦ୍ୱାରା ତିଆରି କରାଯାଇଥିଲା । ଏହାର ଗୁମ୍ଫାରେ ଖୋଦିତ ମୂର୍ତ୍ତିରୁ ମିଳୁଥିବା ପ୍ରମାଣ ଭିତ୍ତିରେ ଓଡ଼ିଶୀକୁ ଏକ ପୁରାତନ ନୃତ୍ୟକଳା ବୋଲି ଗଣାଯାଇଥାଏ । କୋଣାର୍କବ୍ରହ୍ମେଶ୍ୱର ମନ୍ଦିର କାନ୍ଥରେ ଖୋଦିତ ଚିତ୍ରରେ ବି ନାଚୁଥିବା ନର୍ତ୍ତକ ଓ ନର୍ତ୍ତକୀଙ୍କ ଅଙ୍ଗଭଙ୍ଗୀ ଓଡ଼ିଶୀ ସହ ସମ୍ବନ୍ଧିତ ।[୮] ଷଷ୍ଠ-ନବମ ଶତାବ୍ଦୀରେ ତିଆରି ହୋଇଥିବା ବୌଦ୍ଧ କୀର୍ତ୍ତି, ଯାଜପୁରର ରତ୍ନଗିରିରେ ଥିବା ପାହାଡ଼ରେ ଏବେକାର ଓଡ଼ିଶୀ ସହ ସମାନତା ଥିବା ଦେଖିବାକୁ ମିଳେ । ସେହିପରି ହୀରାପୁରର ଚଉଷଠି ଯୋଗିନୀ ମନ୍ଦିର ଭଳି ତନ୍ତ୍ର ମନ୍ଦିରମାନଙ୍କରେ ଥିବା ଯୋଗିନୀମାନଙ୍କ ମୁଦ୍ରାରେ ଓଡ଼ିଶୀ ସହ ସମାନତା ପରିଲକ୍ଷିତ ହୋଇଥାଏ । ଓଡ଼ିଶୀ, ଓଡ଼ିଶାର ଶିବ, ବିଷ୍ଣୁ ଓ ବାକି ମନ୍ଦିର (କୋଣାର୍କର ସୁର୍ଯ୍ୟ ମନ୍ଦିର)ରେ ଥିବା ମୂର୍ତ୍ତିରେ ମଧ୍ୟ ଦେଖିବାକୁ ମିଳେ ।

ଗୁରୁ କେଳୁଚରଣ ମହାପାତ୍ର

ଶିକ୍ଷାରେ[ସମ୍ପାଦନା]

୨୦୧୫ଠାରୁ ଭୁବନେଶ୍ୱରର ଭାରତୀୟ ବୈଷୟିକ ଅନୁଷ୍ଠାନର ଇଞ୍ଜିନିୟରିଂରେ ସ୍ନାତକ ପାଠ୍ୟକ୍ରମରେ ଓଡ଼ିଶୀ ଅନ୍ତର୍ଭୁକ୍ତ ହୋଇଛି । ଏହା କୌଣସି ଶାସ୍ତ୍ରୀୟ ନୃତ୍ୟକୁ ପାଠ୍ୟକ୍ରମରେ ଯୋଡ଼ିବାରେ ପ୍ରଥମ ବୈଷୟିକ ଅନୁଷ୍ଠାନ ।[୯][୧୦][୧୧]

ଆଧାର[ସମ୍ପାଦନା]

  1. "ଓଡ଼ିଶୀ ସଙ୍ଗୀତ ପାଇଁ ବାଟ ଖୋଲିଲା". No. ଧରିତ୍ରୀ ୦୩/୦୯/୨୦୨୦ ପୃଷ୍ଠା ୫. ଧରିତ୍ରୀ. 3 September 2020. p. ୫. Archived from the original on 3 September 2020. Retrieved 3 September 2020.
  2. "ଆର୍କାଇଭ୍ କପି". Archived from the original on 2018-12-25. Retrieved 2011-03-29. {{cite web}}: Cite has empty unknown parameter: |1= (help)
  3. http://odissi.itgo.com/
  4. "୨୦୦୮ର୍ଡେଏ ଭିଡି କଟିନିଙ୍କ ଏକ ଲେଖା". Archived from the original on 2016-01-21. Retrieved 2011-03-29.
  5. ସେହେଗାଲ, ସୁନିଳ (1999). ହିନ୍ଦୁଧର୍ମର ଭାଷାକୋଷ: (H - Q). Sarup & Sons. p. 868. ISBN 8176250643.
  6. "ଓଡ଼ିଶୀ". Archived from the original on 2010-03-18. Retrieved 2011-03-29.
  7. "ଆର୍କାଇଭ୍ କପି". Archived from the original on 2010-03-23. Retrieved 2011-03-29. {{cite web}}: Cite has empty unknown parameter: |1= (help)
  8. "ଆର୍କାଇଭ୍ କପି". Archived from the original on 2008-05-17. Retrieved 2011-03-29. {{cite web}}: Cite has empty unknown parameter: |1= (help)
  9. Pradhan, Ashok (11 September 2015). "IIT Bhubaneswar becomes first IIT in country to introduce dance as BTech subject". Times of India. Retrieved 13 September 2015.
  10. Barik, Satyasundar (12 September 2015). "IIT-Bhubaneswar to train students in Odissi too". The Hindu. Retrieved 13 September 2015.
  11. "IIT-Bhubaneswar Becomes First IIT to Introduce Odissi as a Course". New Indian Express. 12 September 2015. Archived from the original on 12 September 2015. Retrieved 13 September 2015.

ବାହାର ଆଧାର[ସମ୍ପାଦନା]