ଅପର୍ଣ୍ଣା ପାଣିଗ୍ରାହୀ

ଉଇକିପିଡ଼ିଆ ରୁ
(ଆପନ୍ନା ପାଣିଗ୍ରାହୀ ରୁ ଲେଉଟି ଆସିଛି)
Jump to navigation Jump to search
ଗାୟକ ଶିରୋମଣି

ଆପନ୍ନା ପାଣିଗ୍ରାହୀ

'ଉତ୍କଳର ସୁରଦାସ'
ଜନ୍ମ ଓ ଜନ୍ମସ୍ଥାନ
ଆପନ୍ନା ପାଣିଗ୍ରାହୀ

୧୮୯୩ ମାର୍ଗଶିର ଶୁକ୍ଳ ଗୁରୁବାର
ନାଡ଼ସାଦ୍ରା, ବର୍ତ୍ତମାନ ଆନ୍ଧ୍ର ପ୍ରଦେଶ
ପାରଳାଖେମୁଣ୍ଡିଠୁଁ ୮ କିଲୋମିଟର ଦୂରତାରେ ସ୍ଥିତ
ମୃତ୍ୟୁ୧୯୩୬
ପାରଳାଖେମୁଣ୍ଡି
ଘରକରଣ ସାହି, ପାରଳାଖେମୁଣ୍ଡି
ଜାତୀୟତା ଭାରତୀୟ
ଅଲଗା ନାଆଁଅପନ୍ନା ପାଣିଗ୍ରାହୀ, ଆପନ୍ନା ପାଣିଗ୍ରାହୀ ,ଅନ୍ଧ ଆପନ୍ନା
ଜୀବିକାକଣ୍ଠଶିଳ୍ପୀ ଓ ସଙ୍ଗୀତବିଦ
ପ୍ରସିଦ୍ଧିଓଡ଼ିଶୀ ସଙ୍ଗୀତ
ଜଣାଶୁଣା କାମ
  • ମୋ ନିଦ କେଣେ ଦେଲୁ ଭାଙ୍ଗି
  • ମନୁ ଯାଉ ନାହିଁ ମା
  • ରାଧାଧର ସୁମଧୁରା
  • ବ୍ରଜରାଜ ତନୟ ଗୁଣ ଗାଆରେ
ପୈତୃକ ବାସସ୍ଥାନପାରଳାଖେମୁଣ୍ଡି
ଶୀର୍ଷକଉତ୍କଳର ସୁରଦାସ, ଅନ୍ଧ ଆପନ୍ନା
ବାପା ବୋଉଗୋପାଳ କୃଷ୍ଣ ପାଣିଗ୍ରାହୀ (ପିତା)
ରୂପମଞ୍ଜରୀ (ମାତା)
Notes
ପାରଳାଖେମୁଣ୍ଡିରେ ଅପର୍ଣ୍ଣା/ଆପନ୍ନା ଏକ ପୁରୁଷ ନାମ

ଅପର୍ଣ୍ଣା ପାଣିଗ୍ରାହୀ (୧୮୯୩-୧୯୩୬) ଓଡ଼ିଶାର ଜଣେ ସୁପ୍ରସିଦ୍ଧ ପୁରାତନ ଗାୟକ ଓ ବୀଣାକାର । ସେ ଜଣେ ବିଶିଷ୍ଟ ଗ୍ରାମ୍ଫୋନ କଳାକାର ଥିଲେ । ଅଳ୍ପ ବୟସରୁ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ସେ ଅନ୍ଧ ହୋଇଯାଇଥିଲେ । ଏଥିପାଇଁ ଲୋକେ ତାଙ୍କୁ 'ଅନ୍ଧ ଆପନ୍ନା' ଓ 'ଉତ୍କଳର ସୁରଦାସ' ବୋଲି ଡାକୁଥିଲେ । ସମଗ୍ର ଓଡ଼ିଶାର ସର୍ବଶ୍ରେଷ୍ଠ ବୀଣାକାର ଭାବେ ତାଙ୍କର ଖ୍ୟାତି ଥିଲା ।[୧] ଓଡ଼ିଶୀ ସଙ୍ଗୀତର ଅଳ୍ପପ୍ରସିଦ୍ଧ ଦକ୍ଷିଣୀ ଶୈଳୀର ଜଣେ ପ୍ରମୁଖ କଳାକାର ଥିଲେ ଅପର୍ଣ୍ଣା ।

ଜୀବନ[ସମ୍ପାଦନା]

ଅପର୍ଣ୍ଣାଙ୍କ ଘର ପାରଳାଖେମୁଣ୍ଡିର କରଣ ସାହିରେ । ସେ ଜଣେ ନୈଷ୍ଠିକ ବୈଷ୍ଣବ କରଣ ଥିଲେ । ନଅ-ଦଶ ବର୍ଷ ବେଳକୁ ଅପର୍ଣ୍ଣାଙ୍କ ଚକ୍ଷୁ ଯିବାକୁ ବସିଲାଣି । ବସନ୍ତ ରୋଗ ଯୋଗୁଁ ତାଙ୍କର ଆଖି ଫୁଟିଯାଇଥିଲା । ଅପର୍ଣ୍ଣା ପାରଳାଖେମୁଣ୍ଡି ରାଜଦରବାରର ସଙ୍ଗୀତଜ୍ଞ, ଗାୟକ ଓ ବାଦକ ଭାବେ ରହିଥିଲେ । ବିଜୟନଗରର ସୂର୍ଯ୍ୟନାରାୟଣ ଓସ୍ତାଦଙ୍କ ଛଅ ସାତ ବର୍ଷ ପାରଳାଖେମୁଣ୍ଡି ରହଣି କାଳରେ ଅପର୍ଣ୍ଣା ତାଙ୍କଠାରୁ ବୀଣାବାଦନ ଶିକ୍ଷା କରିଥିଲେ ।[୧]

ସେ ନିଜ ବୁଢ଼ୀମା, ଧର୍ମପତ୍ନୀ ଓ ଦୁଇଗୋଟି ଝିଅଙ୍କ ସଙ୍ଗେ ରହୁଥିଲେ ।

ସଙ୍ଗୀତ[ସମ୍ପାଦନା]

ତାଙ୍କ କଣ୍ଠ ଅତି ମଧୁର ଥିବା ସଙ୍ଗେ ସଙ୍ଗେ ଅତ୍ୟନ୍ତ ସୂକ୍ଷ୍ମ କାମ କରିବାରେ ନିପୁଣ ଥିଲା । ଏହା ସଙ୍ଗେ ତାଙ୍କ ବୀଣାବାଦନ ଅତି ଉଚ୍ଚକୋଟିର ଥିବାରୁ ସେ ଜଣେ ଅତିପ୍ରସିଦ୍ଧ କଳାକାର ହୋଇପାରିଥିଲେ ।

ଗ୍ରାମ୍ଫୋନ ରେକର୍ଡ଼[ସମ୍ପାଦନା]

ଅପର୍ଣ୍ଣା ପାଖାପାଖି ଆଠଗୋଟି ଗୀତ କଲିକତାର ଗ୍ରାମ୍ଫୋନ କମ୍ପାନୀ ପାଇଁ ରେକର୍ଡ଼ କରିଥିବା ଜଣାଯାଏ । ଏହି ମଧ୍ୟରୁ ତାଙ୍କର 'ରାଧାଧର ସୁମଧୁରା' ଗୀତଟି ସେହି ସମୟର ଓଡ଼ିଶାର ପୁରପଲ୍ଲୀରେ ପ୍ରସିଦ୍ଧ ଥିଲା । ଅପର୍ଣ୍ଣା ପାରଳାଖେମୁଣ୍ଡିର ତତ୍କାଳୀନ ଓ ପୂର୍ବବର୍ତ୍ତୀ ଗଜପତି ରାଜାମାନଙ୍କ ରଚିତ ଅନେକ ଓଡ଼ିଶୀ ଗୀତ ଗାଇଛନ୍ତି । ପୂର୍ବୋକ୍ତ ଗ୍ରାମ୍ଫୋନ ରେକର୍ଡ଼ ମଧ୍ୟରୁ ଉପଲବ୍ଧ ଗୀତର ସୂଚୀ ତଳେ ଦିଆଗଲା ।

କ୍ରମଗୀତକବିସମୟ
1."ମୋ ନିଦ କେଣେ ଦେଲୁ ଭାଙ୍ଗି"ଗୋପାଳକୃଷ୍ଣ ପଟ୍ଟନାୟକ୨:୫୬
2."ବ୍ରଜରାଜ ତନୟ ଗୁଣ ଗାଆରେ"ଗୌରଚନ୍ଦ୍ର ଗଜପତି ନାରାୟଣ ଦେବ୨:୫୭
3."ରାଧାଧର ସୁମଧୁରା"ବୃନ୍ଦାବନ ଚନ୍ଦ୍ର ପାଣିଗ୍ରାହୀ
କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ନାମରେ ଭଣିତ
୨:୫୬
4."ମନୁ ଯାଉ ନାହିଁ ମା"କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ୨:୫୫
5."କୁଞ୍ଜକୁ ଯିବୁ ପରା"ଗୌରହରି ପରିଚ୍ଛା୨:୫୫
6."ରାଧା ଧରି ସଖୀ କର"ଅଭିମନ୍ୟୁ ସାମନ୍ତସିଂହାର୨:୫୫
7."ମୋହନ ମାଧୁରୀ ଦେଖିଥିଲା ନାରୀ"ଗୋପାଳକୃଷ୍ଣ ପଟ୍ଟନାୟକ୨:୫୮
8."ପ୍ରଣୟରେ ଦୁଃଖୀ ହୋଇ ପକ୍ଷ୍ମଳାକ୍ଷୀ"ଅଭିମନ୍ୟୁ ସାମନ୍ତସିଂହାର୨:୪୭

କିମ୍ବଦନ୍ତୀ[ସମ୍ପାଦନା]

ଅପର୍ଣ୍ଣାଙ୍କ ସମ୍ପର୍କିତ ଏକ ରୋଚକ କିମ୍ବଦନ୍ତୀ ଏଯାବତ୍ ରହିଛି । ପୂର୍ବକାଳରେ ଏକ ଭ୍ରାନ୍ତ ଧାରଣା ଥିଲା ଯେ ଗ୍ରାମ୍ଫୋନରେ କଣ୍ଠ ରେକର୍ଡ଼ କରାଗଲେ ଗାୟକଙ୍କ କଣ୍ଠସ୍ୱର ଆଉ ରହିବ ନାହିଁ । ଦେଶରେ ନୂଆ ନୂଆ ଗ୍ରାମ୍ଫୋନ ଆସିଥିବାରୁ ଲୋକଙ୍କ ମଧ୍ୟରେ ଏହି ଅମୂଳକ ଭୟ ସୃଷ୍ଟି ହୋଇଥିଲା । ଅପର୍ଣ୍ଣାଙ୍କ ବିଷୟରେ କୁହାଯାଏ ଯେ ସେ ଏହି କାରଣରୁ ଗ୍ରାମ୍ଫୋନ ରେକର୍ଡ଼ କରିବାରୁ ବିମୁଖ ଥିଲେ । ସେ ଅନ୍ଧ ଥିବାରୁ ଥରେ ରାଜଦରବାରରେ ତାଙ୍କ ଗାୟନ ବେଳେ ଜଣେ ଭବିଷ୍ୟତ ସଂରକ୍ଷଣ ଦୃଷ୍ଟିରୁ ତାଙ୍କର ଆଠଗୋଟି ଗୀତ ରେକର୍ଡ଼ କରିଦେଇଥିଲେ । ନିଜ କଣ୍ଠକୁ ଗ୍ରାମ୍ଫୋନରେ ଶୁଣି ଅତିଦୁଃଖିତ ହୋଇ ଅପର୍ଣ୍ଣାଙ୍କ ସ୍ୱର୍ଗବାସ ହୋଇଥିଲା ବୋଲି କୁହାଯାଏ ।[ଆଧାର ଲୋଡ଼ା]

ଏହି କିମ୍ବଦନ୍ତୀ ସମ୍ପୂର୍ଣ୍ଣ ଅମୂଳକ ମନେ ହୁଏ ଓ ଏହାର କୌଣସି ଆଧାର ଥିବା ଜଣାଯାଏ ନାହିଁ । ଅପର୍ଣ୍ଣାଙ୍କ ଇଚ୍ଛା ବିରୁଦ୍ଧରେ ରେକର୍ଡ଼ କରାଯାଇଥିଲେ ସମସ୍ତ ଗୀତ ଗ୍ରାମ୍ଫୋନର ସମୟ ସୀମା ଯାଏଁ ରେକର୍ଡ଼ ହୋଇଥିବା ଅତ୍ୟନ୍ତ ଅସମ୍ଭବ । ପୁଣି ରେକର୍ଡ଼ ନିମନ୍ତେ କଲିକତା ଯିବା ଆବଶ୍ୟକ ଥିଲା । ପାରଳାଖେମୁଣ୍ଡିର ରାଜଦରବାରରେ ରେକର୍ଡ଼ିଂ ପାଇଁ ଆବଶ୍ୟକ ଯନ୍ତ୍ରପାତି ଆସିବା କଥା ମଧ୍ୟ ଅସମ୍ଭବ ମନେ ହୁଏ ।

ଗୋପାଳକୃଷ୍ଣଙ୍କ ରଚନା[ସମ୍ପାଦନା]

କବିକଳହଂସ ଗୋପାଳକୃଷ୍ଣ ପଟ୍ଟନାୟକ ପାରଳାଖେମୁଣ୍ଡିର ଜଣେ ପୁରାତନ କବି । ସେ ସହସ୍ରାଧିକ ଓଡ଼ିଶୀ ଚଉପଦୀ, ଛାନ୍ଦ, ଜଣାଣ ଆଦି ରଚନା କରିଥିଲେ । ଅପର୍ଣ୍ଣା ଗୋପାଳକୃଷ୍ଣ ଅନେକ ଗୀତକୁ ଗାୟନ କରି ପ୍ରସିଦ୍ଧି ଲାଭ କରିଥିଲେ । ଅପର୍ଣ୍ଣା ଆକାଶବାଣୀ କଟକ କେନ୍ଦ୍ରରେ ଗୋପାଳକୃଷ୍ଣଙ୍କ ଅନେକ ଗୀତ ରେକର୍ଡ଼ କରିଥିଲେ । ୧୯୧୯ ମସିହାରେ ଅପର୍ଣ୍ଣାଙ୍କ କଣ୍ଠରେ ଗୋପାଳକୃଷ୍ଣଙ୍କ ଏକ ଓଡ଼ିଶୀ ଗୀତ ଶୁଣି ଉତ୍କଳମଣି ଗୋପବନ୍ଧୁ ଦାସ ଅପର୍ଣ୍ଣାଙ୍କୁ ପାରଳାଖେମୁଣ୍ଡିରୁ ସାକ୍ଷୀଗୋପାଳକୁ ଆଣିଥିଲେ । ଅପର୍ଣ୍ଣା ତିନି ମାସ ଧରି ସାକ୍ଷୀଗୋପାଳର ବନବିଦ୍ୟାଳୟଠାରେ ଛାତ୍ରମାନଙ୍କୁ ଓଡ଼ିଶୀ ସଙ୍ଗୀତ ଶିକ୍ଷା ପ୍ରଦାନ କରିଥିଲେ । ଗୋପାଳକୃଷ୍ଣଙ୍କ ରଚନା ମାଧ୍ୟମରେ ଅପର୍ଣ୍ଣା ଗାୟନ, ବୀଣା ବାଦନ, ବୋଲିଭଙ୍ଗୀ କବିତାର ଶୈଳୀ ଦର୍ଶାଇ ଓଡ଼ିଶୀ ସଙ୍ଗୀତ ଶିଖାଇଥିଲେ ।[୨]

ନିଖିଳ ଭାରତୀୟ ସଙ୍ଗୀତ ସମ୍ମିଳନୀ[ସମ୍ପାଦନା]

କଟକର ଉତ୍କଳ ସଙ୍ଗୀତ ସମାଜ ଲକ୍ଷ୍ମୀକାନ୍ତ ଚୌଧୁରୀଙ୍କ ପ୍ରଚେଷ୍ଟାରେ ସ୍ଥାପିତ ହୋଇଥିଲା । ଏହି ସଂସ୍ଥା ତରଫରୁ ଅପର୍ଣ୍ଣା ନିଖିଳ ଭାରତୀୟ ସଙ୍ଗୀତ ସମ୍ମିଳନୀକୁ ଯାଇଥିଲେ । ଏଠାରେ ଅପର୍ଣ୍ଣାଙ୍କ ବୀଣାବାଦନ ଓ ଗାୟନ ଶୁଣି ସମସ୍ତେ ତଟସ୍ଥ ହୋଇ ତାଙ୍କର ଅନେକ ପ୍ରଶଂସା କରିଥିଲେ ।[୧]

କବିଚନ୍ଦ୍ର[ସମ୍ପାଦନା]

କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଅପର୍ଣ୍ଣାଙ୍କ ଶୈଳୀକୁ କର୍ଣ୍ଣାଟକୀ ଅବଲମ୍ବନର ଓଡ଼ିଶୀ ସଙ୍ଗୀତ କହି ଅଣଦେଖା କରିଛନ୍ତି । ଅପର୍ଣ୍ଣାଙ୍କ ଅବଦାନକୁ ପରିହାର କରିଥିବାରୁ କବିଚନ୍ଦ୍ରଙ୍କ ଏହି ମନ୍ତବ୍ୟକୁ ବହୁ ବରିଷ୍ଠ କଳାକାର ନିନ୍ଦା କରିଛନ୍ତି ।

ପୁରୀ ଓ କଟକ[ସମ୍ପାଦନା]

ଅପର୍ଣ୍ଣା ଅନେକ ଥର ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ପୁରୀ ଯାଇ ସେଠାରେ ମାସମାସ ଧରି ରହୁଥିଲେ । ଏହି ରହଣିଗୁଡ଼ିକ ସମୟରେ ଆଦିଗୁରୁ ସିଂହାରୀ ଶ୍ୟାମସୁନ୍ଦର କର ଅପର୍ଣ୍ଣାଙ୍କଠାରୁ ଅଳ୍ପକାଳ ଧରି ସଙ୍ଗୀତ ଶିକ୍ଷା କରିଥିଲେ । କଟକର ସନ୍ଧ୍ୟାବେଳ ସଙ୍ଗୀତ ଆସରଗୁଡ଼ିକରେ ମଧ୍ୟ ଅପର୍ଣ୍ଣା ଭାଗ ନେଉଥିଲେ ।

ଓଡ଼ିଶାରେ ଅପର୍ଣ୍ଣାଙ୍କ ଗୁଣଗ୍ରାହୀଙ୍କ ସଂଖ୍ୟା ଯଥୋଚିତ ନଥିଲା ବୋଲି ଅପର୍ଣ୍ଣାଙ୍କ ଜୀବନୀ ଆଲେଖ୍ୟର ରଚକ ପଣ୍ଡିତ ଲକ୍ଷ୍ମୀନାରାୟଣ ସାହୁ ମତ ସ୍ଥାପନ କରିଛନ୍ତି ।[୧]

ଅପର୍ଣ୍ଣାଙ୍କ ଏପରି ଗୁଣ ଥିଲା ସତ୍ୟ; କିନ୍ତୁ ଓଡ଼ିଶାରେ ଅପର୍ଣ୍ଣାଙ୍କ ଗୁଣଗ୍ରାହୀ ଲୋକ ଖୁବ୍ କମ୍ ଥିଲେ ।

ପରଲୋକ[ସମ୍ପାଦନା]

କଲିକତାରେ ଗ୍ରାମ୍ଫୋନ ରେକର୍ଡ଼ ଦେଇ ଫେରୁଥିବାବେଳେ ଗାଡ଼ିରେ ତାଙ୍କୁ ଜ୍ୱର ହେଲା । ଘରେ ପହଞ୍ଚିଲା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ କୌଣସି ପ୍ରକାର ଭୂସମ୍ପତ୍ତି ରଖିନଥିବାରୁ ତାଙ୍କ ବୁଢ଼ୀମା ଓ ଧର୍ମପତ୍ନୀ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଜୀବନଯାପନ କରିଥିଲେ ।[୧]

ସଂରକ୍ଷଣ[ସମ୍ପାଦନା]

କଟକର ପ୍ରସିଦ୍ଧ ଗ୍ରାମ୍ଫୋନ ରେକର୍ଡ଼ ସଙ୍ଗ୍ରାହକ ଇନ୍ଦ୍ରମଣି ସାହୁ ୧୯୪୯ରେ ଅପର୍ଣ୍ଣାଙ୍କ ଗୀତ ଶୁଣିବା ପରେ ରେକର୍ଡ଼ ସଙ୍ଗ୍ରହ କରିବା କଥା ବିଚାରିଥିଲେ । ସେତେବେଳକୁ ଅପର୍ଣ୍ଣାଙ୍କ ପରଲୋକ ହୋଇସାରି ତେର ବର୍ଷ ଗଲାଣି । ଗ୍ରାମ୍ଫୋନ ଯୋଗୁଁ ଅପର୍ଣ୍ଣାଙ୍କ ଭଳି କଣ୍ଠସ୍ୱର ଭବିଷ୍ୟତ ପାଇଁ ସୁରକ୍ଷିତ ହୋଇ ରହିବା ସେ ଅନୁଭବ କଲେ । ଏହି ଭାବନାଦ୍ୱାରା ଅଭିଭୂତ ହୋଇ ଇନ୍ଦ୍ରମଣି ରେକର୍ଡ଼ ସଙ୍ଗ୍ରହ କରିଚାଲିଲେ । ଇନ୍ଦ୍ରମଣିଙ୍କ ସଙ୍ଗ୍ରହରେ ଅଧୁନା ୪୫୦୦ରୁ ଅଧିକ ରେକର୍ଡ଼ ଅଛି ।[୩]

ପୂର୍ବକଥିତ ଅପର୍ଣ୍ଣାଙ୍କ ଆଠଗୋଟି ରେକର୍ଡ଼ ମଧ୍ୟରୁ ଚାରିଗୋଟି ଅଧୁନା ପୁନରୁଦ୍ଧାର ହୋଇ ୟୁଟ୍ୟୁବରେ ଉପଲବ୍ଧ ଅଛି । ଏହା ଓଡ଼ିଆମେଲୋଡ଼ି ନାମକ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ କରାଯାଇଛି ।

ଅଧିକ ପଠନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ଅପର୍ଣ୍ଣା ପାଣିଗ୍ରାହୀ । ପୃଷ୍ଠା ୧୭୦, ଲକ୍ଷ୍ମୀନାରାୟଣ ଗ୍ରନ୍ଥାବଳୀ, ପ୍ରଥମ ଭାଗ । ଲକ୍ଷ୍ମୀନାରାୟଣ ସାହୁ (ଲେଖକ), ସୁରେନ୍ଦ୍ର ମହାନ୍ତି ଓ ଗୋପୀନାଥ ଦାଶ (ସମ୍ପାଦନା) । ୧୯୭୧, ଜାନୁୟାରୀ ୧୮, ଲକ୍ଷ୍ମୀନାରାୟଣ ସାହୁ ସ୍ମୃତିରକ୍ଷା ସମିତି, କଟକ ।
  2. ମେକର୍ସ ଅଫ ଇଣ୍ଡିଆନ ଲିଟରେଚର : ଭକ୍ତକବି ଗୋପାଳକୃଷ୍ଣ, ଫକୀରମୋହନ ଦାସ, ପୃଷ୍ଠା ୧୭ । ସାହିତ୍ୟ ଏକାଡେମୀ, ରବୀନ୍ଦ୍ର ଭବନ, ନୂଆ ଦିଲ୍ଲୀ ୧୧୦୦୦୧ । ପ୍ରକାଶନ ବର୍ଷ - ୨୦୦୨, ପ୍ରଥମ ସଂସ୍କରଣ । ISBN 81-260-1201-3
  3. INDRAMANI SAHU,THE RECORD-MAN OF ODISHA– କଟକ, ତରଣୀସେନ ପଟ୍ଟନାୟକ । ଅକ୍ଟୋବର ୨୧ ୨୦୧୩, ଇଓଡ଼ିଶା ।

ବାହ୍ୟ ଲିଙ୍କ[ସମ୍ପାଦନା]