ପ୍ରହ୍ଲାଦ ନାଟକ

ଉଇକିପିଡ଼ିଆ‌ରୁ
Jump to navigation Jump to search
ପ୍ରହ୍ଲାଦ ନାଟକ
Archival photo of Prahallada Nataka.jpg
ହିରଣ୍ୟକଶ୍ୟପ 'ରଜା' ଓ ପ୍ରହଲ୍ଲାଦ
ମାଧ୍ୟମଗୀତ-ନାଟ
ପ୍ରକାରଜଳନ୍ତର, ପାରଳାଖେମୁଣ୍ଡି, ତରଳା
ସଂସ୍କୃତିଓଡ଼ିଆ ଚଳଣି
ସୃଷ୍ଟିଗଞ୍ଜାମ, ଓଡ଼ିଶା,  ଭାରତ
ସମୟ କାଳ୧୮୭୦-୧୮୮୦ (ପ୍ରଥମ ରଚନା)
ଗୀତ-ସଙ୍ଗୀତଓଡ଼ିଶୀ ସଙ୍ଗୀତ

ପ୍ରହ୍ଲାଦ ନାଟକ ବା ପ୍ରହଲ୍ଲାଦ ନାଟକ (ରଜା ନାଟ, ରଜା ନାଟକ ଭାବେ ମଧ୍ୟ ପରିଚିତ)[୧] ଗଞ୍ଜାମ ଜିଲ୍ଲାରେ ଅଭିନୀତ ଏକ ପାରମ୍ପରିକ ସଙ୍ଗୀତପ୍ରଧାନ ନାଟକ ଅଟେ । ଏଥିରେ ଉଭୟ ଶାସ୍ତ୍ରୀୟ ଓ ଲୌକିକ ଅଙ୍ଗ ପୂର୍ଣ୍ଣ ଭାବେ ରହିଛି । ଏହି ନାଟକରେ ନୃସିଂହ ଅବତାର ଚରିତ ଓଡ଼ିଶୀ ସଙ୍ଗୀତର ପ୍ରାୟ ୩୦ ଗୋଟି ପାରମ୍ପରିକ ରାଗ ରାଗିଣୀ ଆଧାରିତ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଗୀତ ମାଧ୍ୟମରେ ପରିବେଷିତ ହୁଏ । ଏହାର ଲେଖା ରାଜା ରାମକୃଷ୍ଣ ଛୋଟରାୟଙ୍କ ନାମରେ ଭଣିତ ହେଲେହେଁ ଏହାକୁ ପାରଳାଖେମୁଣ୍ଡିର ସଙ୍ଗୀତକାର କବି ଗୌରହରି ପରିଚ୍ଛା ଲେଖିଛନ୍ତି ବୋଲି ଗବେଷକଙ୍କଦ୍ୱାରା ଗୃହୀତ[୧][୨]। ପରେ ଏହାଙ୍କ ଅନୁକରଣରେ ଗଞ୍ଜାମର ଅନ୍ୟାନ୍ୟ ରାଜା ଯଥା ସୁରଙ୍ଗୀ ରଜା କିଶୋର ଚନ୍ଦ୍ର ହରିଚନ୍ଦନ ଜଗଦ୍ଦେବ ରାୟ, ତରଳା ରଜା ରାମଚନ୍ଦ୍ର ଶୂରଦେଓ, ଧରାକୋଟ ରଜା ମଦନମୋହନ ସିଂହଦେବ ଓ ପାରଳାଖେମୁଣ୍ଡିର ପଦ୍ମନାଭ ନାରୟଣ ଦେବ ପ୍ରହ୍ଲାଦନାଟକ ରଚନା କରିଥିଲେ ।

ପ୍ରହ୍ଲାଦ ନାଟକରେ କୋଡ଼ିଏଟି ପୁରୁଷ ଚରିତ୍ର ଓ ପାଞ୍ଚଟି ନାରୀ ଚରିତ୍ର ସଂଯୋଜିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଗାହାକ ନାମକ ଚରିତ୍ର ଚରିତ୍ରଙ୍କୁ ମଞ୍ଚପ୍ରବେଶ କରାଏ ଓ ଘଟଣାକୁ ବ୍ୟାଖ୍ୟା କରେ । ଏହି ଚରିତ୍ର ସଂସ୍କୃତ ଓ ଗ୍ରୀକ ନାଟ୍ୟରେ ଉପସ୍ଥିତ ସୂତ୍ରଧାର ସହ ତୁଳନୀୟ ।[୨] ଚରିତ୍ରମାନଙ୍କ ମଧ୍ୟରୁ ପ୍ରହଲ୍ଲାଦ (ପ୍ରହ୍ଲାଦ), ହିରଣ୍ୟକଶିପୁ (ହିରଣ୍ୟକଶ୍ୟପ), ଲୀଳାବତୀ, ଶୁକ୍ରାଚାର୍ଯ୍ୟ, ମନ୍ତ୍ରୀ, ଗାହାକ, ଚଣ୍ଡମାର୍କ (ଚଣ୍ଡ ଅମାର୍କ), ଗଣେଶ, ସରସ୍ୱତୀ, ବ୍ରହ୍ମା, ଇନ୍ଦ୍ର, ଦ୍ୱାରୀ (ଦ୍ୱାରକ), ଚାରଗଣ, ଅସୁରଗଣ, ବାଳକଗଣ, ନାରଦ, ଗଜକର୍ଣ୍ଣ, ସାପୁଆ, ମାହୁନ୍ତ, କପଟ ରାକ୍ଷସ ଆଦି ପ୍ରଧାନ ।

ଉପସ୍ଥାପନା[ସମ୍ପାଦନା]

ମଞ୍ଚ[ସମ୍ପାଦନା]

ପ୍ରହ୍ଲାଦ ନାଟକରେ ବ୍ୟବହୃତ ବିଶେଷ ମଞ୍ଚସ୍ଥାପତ୍ୟ ଯୋଗୁଁ ଏହା ଲୋକଙ୍କ ମଧ୍ୟରେ ପ୍ରସିଦ୍ଧ । ଅଭିନୟ ଲାଗି କୌଣସି ପ୍ରେକ୍ଷାଗାର ଆବଶ୍ୟକ ନ ଥାଏ । ସାଧାରଣତଃ ଗ୍ରାମ ଉପକଣ୍ଠ ବା କୌଣସି ଖୋଲା ସ୍ଥାନରେ ଏହି ନାଟକ ଅଭିନୀତ ହୁଏ । ସମ୍ମୁଖରେ ଏକ ସୋପାନ ଥିବା ମଞ୍ଚ ସ୍ଥାପିତ ହୁଏ । ଏଥିରେ ପ୍ରାୟତଃ ୭ ଗୋଟି ପାହାଚ ଥାଏ । ଗ୍ରାମୀଣ ଭାଷାରେ ଏହି ପାହାଚ ଥିବା ମଞ୍ଚକୁ ମଞ୍ଚା କୁହାଯାଏ । ମଞ୍ଚା ସମ୍ମୁଖ ଭୂଇଁକୁ ନୃତ୍ୟ ଓ ଅଭିନୟ ପାଇଁ ବ୍ୟବହାର କରାଯାଏ । କୁହାଯାଏ ଯେ ହିରଣ୍ୟକଶିପୁର ସପ୍ତଲୋକ ଆଧିପତ୍ୟ ମଞ୍ଚାର ସାତପାହାଚଦ୍ୱାରା ଦର୍ଶାଯାଏ । ମଞ୍ଚାକୁ ମୁଖ୍ୟତଃ ହିରଣ୍ୟକଶିପୁର ଦରବାର ଭାବରେ କଳ୍ପନା କରାଯାଏ । ପାତ୍ରମନ୍ତ୍ରୀ, ରାଣୀ ଇତ୍ୟାଦି ହିରଣ୍ୟକଶିପୁର ଦୁଇ ପାର୍ଶ୍ୱରେ ମଞ୍ଚର ଉପରିଭାଗରେ ବସିଥାନ୍ତି । ବାଦ୍ୟବୃନ୍ଦ ଓ ପାଳିଆମାନେ ମଞ୍ଚାର ତଳେ ଦୁଇ ପଟେ ବସିଥାନ୍ତି ।[୨]

ବାଦ୍ୟ ଯନ୍ତ୍ର[ସମ୍ପାଦନା]

ପ୍ରହ୍ଲାଦ ନାଟକରେ ମୁଖ୍ୟ ସ୍ୱର ଯନ୍ତ୍ର ହେଉଛି ମୁଖବୀଣା ଏବଂ ମୁଖ୍ୟ ତାଳବାଦ୍ୟ ହେଉଛି ମର୍ଦ୍ଦଳ । ଏହା ଏକ ପ୍ରକାର ବାୟୁଚାଳିତ ସଙ୍ଗୀତ ଯନ୍ତ୍ର ବା ଶୁଷୀର ବାଦ୍ୟ । ମୁଖବୀଣା ଗୀତକୁ ଏକ ପ୍ରାରମ୍ଭିକ ଗତି ପ୍ରଦାନ କରେ । ଏହା ସଙ୍ଗେ ମର୍ଦ୍ଦଳ, ଗିନି, ଝାଞ୍ଜ ଓ ଆଜିକାଲି ହାରମୋନିଅମର ପ୍ରୟୋଗ ଦେଖାଯାଏ ।[୧] ପ୍ରାୟତଃ ଦୁଇଜଣ ମର୍ଦ୍ଦଳ ବାଦକ ଓ କେତେଜଣ ଗିନି ଓ ଝାଞ୍ଜ ବାଦକ ଯୋଗଦାନ କରନ୍ତି । ମୁଖ୍ୟ ଗାୟକ ହାରମୋନିଅମ ବାଦନ କରି ଅଧିକାଂଶ ଗୀତ ଗାୟନ କରନ୍ତି ଓ ପାଳିଆ ମାନେ ତାଙ୍କୁ ଗାୟନରେ ସହଯୋଗ କରିଥାନ୍ତି ।[୨]

ସଙ୍ଗୀତ[ସମ୍ପାଦନା]

ରାଜା ରାମକୃଷ୍ଣ ଛୋଟରାୟଙ୍କ ଲିଖିତ ପ୍ରହ୍ଲାଦ ନାଟକରେ ଅନେକ ଗୀତ ସଂଯୋଜିତ ହୋଇଛି । ପ୍ରତ୍ୟେକ ଗୀତର ରାଗ ଓ ତାଳ ନିର୍ଦ୍ଦେଶ କରାଯାଇଛି । ସଙ୍ଗୀତ ପଦ୍ଧତି ପୂରାପୂରି ଶାସ୍ତ୍ର ଆଧାରିତ ଉତ୍କଳୀୟ ବା ଓଡ଼ିଶୀ ସଙ୍ଗୀତ । ପ୍ରହ୍ଲାଦ ନାଟକର ସମସ୍ତ ସଙ୍ଗୀତ ଲୋକସଙ୍ଗୀତ ପର୍ଯ୍ୟାୟଭୁକ୍ତ ନୁହେଁ । ଓଡ଼ିଶୀ ସଙ୍ଗୀତର ଶାସ୍ତ୍ରୀୟତାର ଉତ୍କୃଷ୍ଟ ପ୍ରମାଣ ହେଉଛି ଏହି ପ୍ରହ୍ଲାଦ ନାଟକର ଗୀତ । ବ୍ୟବହୃତ ରାଗଗୁଡ଼ିକ ହେଲା - ଆନନ୍ଦଭୈରବୀ, କେଦାରଗୌଡ଼ା, ମୁଖାରୀ, ମାରୁଆ, ଶୋକବରାଡ଼ି, ପୁନ୍ନାଗ, ଆହାରୀ, ପୁନ୍ନାଗ ମାରୁଆ, ତୋଡ଼ି ପୁନ୍ନାଗ, ଦେଶୀ, ଘଣ୍ଟାରବ, ତୋଡ଼ି, ଭୈରବୀ, ଶ୍ରୀ, କଲ୍ୟାଣୀ, ସାବେରୀ, ନାଟ, ଆଶାବରୀ, ଖମ୍ବାଜ, ଝିଞ୍ଜୋଟି, ଶଙ୍କରାଭରଣ, ପ୍ରାନ୍ତବରାଡ଼ି, ତୋଡ଼ି, ଘଣ୍ଟାରବ, କାମୋଦୀ, ଶ୍ରୋଟ (ସୁରଟ), ରେଗୁପ୍ତ, ସିନ୍ଧୁଖମାଞ୍ଚ, ଆରଭୀ, ବେହାଗ, ଦେଶୀ ଖମ୍ବାଜ ଇତ୍ୟାଦି । ବ୍ୟବହୃତ ତାଳଗୁଡ଼ିକ ହେଲା - ଆଠତାଳି, ଏକତାଳି, ଆଦିତାଳ, ରୂପକ, ଝୁଲା, ତ୍ରିପଟା, ଯତି, ଝମ୍ପା, ସିଂହନନ୍ଦନ ଇତ୍ୟାଦି ।[୩] ଏହି ରାଗ ଓ ତାଳ ସବୁ ଓଡ଼ିଶୀ ସଙ୍ଗୀତର ସ୍ୱତନ୍ତ୍ର ସମ୍ପଦ ଅଟନ୍ତି ।[୨]

ନୃତ୍ୟ[ସମ୍ପାଦନା]

ପ୍ରହ୍ଲାଦ ନାଟକର ନୃତ୍ୟ ଭଙ୍ଗିମା ମୁଖ୍ୟତଃ ତାଣ୍ଡବଧର୍ମୀ । ଲାସ୍ୟ ନୃତ୍ୟ ସ୍ୱଳ୍ପ । ହିରଣ୍ୟକଶିପୁର ମଞ୍ଚା ଉପରେ ଆଗପଛ ହୋଇ ଦୋହଲିବା ନୃତ୍ୟ ବିଶେଷ ପ୍ରସିଦ୍ଧ । ପ୍ରହ୍ଲାଦ ମଧ୍ୟ ଏହି ନାଟକରେ ଦ୍ରୁତ ପାଦଚାଳନା ସଙ୍ଗେ ନୃତ୍ୟ କରି ଶୂନ୍ୟରେ ଚକ୍ରଗତି ଦେଖାଇଥାଏ । ଚଣ୍ଡମାର୍କ ଓ ଶବର ଶବରୁଣୀ ଆଦି ଲୋକନୃତ୍ୟ ଶୈଳୀ ମଧ୍ୟ ଏଥିରେ ଅଂଶ ହୋଇଛି ।[୨]

କଳାକାର[ସମ୍ପାଦନା]

ବରିଷ୍ଠ ଗୁରୁ ସିମାଞ୍ଚଳ ପାତ୍ର ସଙ୍ଗୀତ ଓ ଅଭିନୟରେ ଦକ୍ଷତା ନିମନ୍ତେ ସୁପରିଚିତ । ପ୍ରହ୍ଲାଦ ନାଟକ ପ୍ରତି ତାଙ୍କ ଅବଦାନକୁ ସମ୍ମାନ ଜଣାଇ ୧୯୯୦ ମସିହାରେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ତାଙ୍କୁ ପୁରସ୍କୃତ କରିଥିଲା ।

ପ୍ରହଲ୍ଲାଦ ନାଟକର ଧାରା ସାଧବ କବି ଗୌରହରି ପରିଚ୍ଛାଙ୍କଠାରୁ ଆରମ୍ଭ ହୋଇଛି । ଗୌରହରି ଓଡ଼ିଶୀ ସଙ୍ଗୀତ ରଚନାରେ ପାରଙ୍ଗମ ଥିଲେ ଏବଂ ବିଶେଷ କବିତ୍ୱ ଶକ୍ତି ସମ୍ପନ୍ନ ଥିଲେ । ନାନା ରାଗ ରାଗିଣୀ ରଚନା କରି ପ୍ରଥମେ ରାମକୃଷ୍ଣ ଛୋଟରାୟ ଓ ସହଚରମାନଙ୍କୁ ଗୌରହରି ଶିକ୍ଷା ଦେଇଥିଲେ । ପ୍ରଥମେ ରାଜା ନିଜେ ସପରିବାର ନାଟକ ଅଭିନୟ କରୁଥିଲେ । ଏହାଙ୍କ ପରେ ସର୍ବପ୍ରଥମ ଗୁରୁ ଭାବେ ଇଚ୍ଛାପୁରର ଦୁର୍ଗା ଦାସର ବଂଶଜମାନେ ସମ୍ମାନିତ । ତାଙ୍କ ପରେ ଗୁରୁ ଘନଶ୍ୟାମ ବାଡ଼ତ୍ୟା, ଗୁରୁ ଲକ୍ଷ୍ମଣ ଶତପଥୀ, ଗୁରୁ ବାଙ୍କିନି ଶତପଥୀ, ଗୁରୁ ରଘୁନାଥ ଶତପଥୀ, ଗୁରୁ ତ୍ରିନାଥ ପ୍ରଧାନ, ଗୁରୁ ଗଙ୍ଗା ଦୋରା, ଗୁରୁ ସିମାଞ୍ଚଳ ପାତ୍ର, ଗୁରୁ କାଳିଆ କାମ୍ପ, ଗୁରୁ କୃଷ୍ଣଚନ୍ଦ୍ର କଂସାରି, ଗୁରୁ ରାମ ବାଡ଼ତ୍ୟା, ଗୁରୁ ମହେଶ୍ୱର ରଣା ଆଦିଙ୍କ ନାମ ଉଲ୍ଲେଖନୀୟ । ଗୁରୁ ଖଲି ବେହେରା, ଗୁରୁ ସିମାଞ୍ଚଳ ପାତ୍ର ହିରଣ୍ୟକଶ୍ୟପ ଚରିତ୍ର ନିମନ୍ତେ ଜଣାଶୁଣା ଅଟନ୍ତି ।[୧] ବର୍ତ୍ତମାନ ପିଢ଼ିରେ ଗୁରୁ ଗୋକୁଳାନନ୍ଦ ପ୍ରଧାନ, ଗୁରୁ ବୃନ୍ଦାବନ ଜେନା, ଗୁରୁ ରାଜେନ୍ଦ୍ର ପାତ୍ର, ଗୁରୁ ସନ୍ତୋଷ ରଣା, ଗୁରୁ ଗଙ୍ଗା ବିଶୋୟୀ ଆଦି ପ୍ରସିଦ୍ଧ । ଗଞ୍ଜାମର କୁକୁଡ଼ାଖଣ୍ଡି, କୁଲାଡ଼, କବିସୂର୍ଯ୍ୟନଗର, ଭଞ୍ଜନଗର, ପଦ୍ମନାଭପୁର ଆଦି ଅଞ୍ଚଳରେ ଏବେ ମଧ୍ୟ ପ୍ରାୟ ଚାଳିଶ ଗୋଟି ରଜାନାଟକ ଦଳ ବା ପୁଞ୍ଜା ରହିଛନ୍ତି ।

ପରିବର୍ତ୍ତନ[ସମ୍ପାଦନା]

ପ୍ରହ୍ଲାଦ ନାଟକର ଅଭିନୟ ବେଳେ ନୃସିଂହଙ୍କ ପୂଜିତ ମୁଖା ଧାରଣ କରି ନୃତ୍ୟ ଅନୁଷ୍ଠିତ ହେଲା ବେଳେ କେବେକେବେ ନୃସିଂହ ଅଭିନେତାଙ୍କ ଦେହରେ କାଳିଶି ଲାଗିଯାଏ । କାଳିଶି ଲାଗିଲେ ଅଭିନେତାଙ୍କ ଦେହରେ ଅପୂର୍ବ ଶକ୍ତି ସଞ୍ଚାର ହୁଏ ଓ ତାଙ୍କୁ ଧରି ରଖିବା ପାଇଁ ଦଶରୁ କୋଡ଼ିଏ ବ୍ୟକ୍ତି ଆବଶ୍ୟକ ହୁଅନ୍ତି । ଏହା ନ କରାଗଲେ ସେ ନୃସିଂହଙ୍କ ପରି କ୍ରୋଧରେ ବିଧ୍ୱଂସକାରୀ ପାଲଟିଯାଆନ୍ତି । ଏପରି ହୋଇ କେତେଥର ହିରଣ୍ୟକଶିପୁ ଭାବରେ ଅଭିନୟ କରୁଥିବା ଲୋକଙ୍କୁ ନୃସିଂହ ଅଭିନେତା ପ୍ରକୃତରେ ବିଦାରି ଦେଇଥିବା କଥା ଲୋକେ କୁହନ୍ତି । ଏହିପରି ଅଘଟଣ ହେଲା ପରଠୁଁ ଆଉ ପ୍ରହ୍ଲାଦ ନାଟକରେ ଲୌହ ବା କାଂସ୍ୟ ନଖ ବ୍ୟବହାର କରାଯାଉନାହିଁ ।[୧]

ଆଗରୁ ପ୍ରହ୍ଲାଦଙ୍କ ଷୋଡ଼ଶ ଦଣ୍ଡ ଭିତରୁ ଅଧିକାଂଶ ପ୍ରକୃତରେ ଅନୁଷ୍ଠିତ ହେଉଥିଲେ । ପ୍ରହ୍ଲାଦ ଚରିତ୍ରର ଅଭିନେତା ଏହି ସବୁ କଳାରେ ପାରଙ୍ଗମ ହୋଇ ସେଗୁଡ଼ିକ କରି ଦେଖାଉଥିଲେ । ଉଦାହରଣ ସ୍ୱରୂପ ସର୍ପଦଣ୍ଡରେ ପ୍ରକୃତ ବିଷଧର ସାପ ବ୍ୟବହାର ହେଉଥିଲେ । ଆଧୁନିକ ଯୁଗରେ ସେହି ପ୍ରଥାକୁ ବନ୍ଦ କରାଯାଇଛି ।[୧]

ସଂରକ୍ଷଣ[ସମ୍ପାଦନା]

ଏକଦା ଗଞ୍ଜାମ ଜିଲ୍ଲାରେ ପ୍ରହ୍ଲାଦ ନାଟକର ୧୫୦ରୁ ଅଧିକ ଦଳ ଥିଲେ । ଲୋକରୁଚିର ଅଭାବ ଓ ଆର୍ଥିକ ଅସୁବିଧା ଯୋଗୁଁ ଏହି ସଂଖ୍ୟା କମି କମି ଏବେ ସମ୍ପୂର୍ଣ୍ଣ ଦକ୍ଷିଣ ଓଡ଼ିଶାରେ ମାତ୍ର ୨୦ ଗୋଟି ଦଳ ରହିଛନ୍ତି ।[୧]

ପ୍ରହ୍ଲାଦ ନାଟକ ଉପରେ ଡଃ ସୁରେଶ ବଳବନ୍ତରାୟ ଓ ଆମେରିକାର ଡଃ ଜନ ଏମି ପ୍ରମୁଖ ଗବେଷକ ଅଟନ୍ତି । ଆମେରିକାର ବ୍ରାଉନ ବିଶ୍ୱବିଦ୍ୟାଳୟର ଡଃ ଏମି ୧୯୮୦-୧୯୮୨ ମସିହା ମଧ୍ୟରେ ପ୍ରହ୍ଲାଦ ନାଟକ ଉପରେ ଗବେଷଣା କରି ଏହା ବିଷୟରେ ଅନେକ ଅଜଣା ତଥ୍ୟ ଲୋକଲୋଚନକୁ ଆଣିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ Rare art form finds few takers - 150-year-old traditional dance languishes in neglect, SUNIL PATNAIK. Wednesday , December 29 , 2010.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ରାଜା ରାମକୃଷ୍ଣ ଛୋଟରାୟ ବିରଚିତ ପ୍ରହ୍ଲାଦ ନାଟକ । ସମ୍ପାଦକ - ସୁରେଶ ବଳବନ୍ତରାୟ । ପ୍ରକାଶକ - ବହିପତ୍ର, ୨୦୦୬ ।
  3. ଗଞ୍ଜାମର ପାରମ୍ପରିକ ଲୋକନାଟକ, ତାରିଣୀ ଚରଣ ପାତ୍ର