ମୋହନ ସୁନ୍ଦର ଦେବ ଗୋସ୍ୱାମୀ

ଉଇକିପିଡ଼ିଆ ରୁ
Jump to navigation Jump to search
ମୋହନ ସୁନ୍ଦର ଦେବ ଗୋସ୍ୱାମୀ
ଜନ୍ମ ଓ ଜନ୍ମସ୍ଥାନ
ଶ୍ୟାମ ସୁନ୍ଦର ଦେବ ଗୋସ୍ୱାମୀ

୮ ଅଗଷ୍ଟ ୧୮୯୨(1892-08-08)[୧]
ମୃତ୍ୟୁ୧୧ ଜାନୁଆରୀ ୧୯୪୮(1948-01-11) (ବୟସ ୫୫)
ଅଲଗା ନାଆଁ"ମୋହନ ଗୋସାଇଁ"
ନାଗରିକତା ଭାରତୀୟ
ଜୀବିକାକବି, ଗାୟକ, ପ୍ରଯୋଜକ, ନିର୍ଦ୍ଦେଶକ
ଜଣାଶୁଣା କାମ
ସୀତା ବିବାହ
ଶୈଳୀଓଡ଼ିଶୀ ସଙ୍ଗୀତ, ଓଡ଼ିଶୀ କୀର୍ତ୍ତନ
ପୈତୃକ ବାସସ୍ଥାନମରିଚିକୋଟ ଲେନ, ପୁରୀ
ଜୀବନସାଥିମୁକୁଳମାଳା
ବାପା ବୋଉ
  • ହରିଦେବ ଗୋସ୍ୱାମୀ (ପିତା)
  • ସୁଲକ୍ଷଣା ଦେବୀ (ମାତା)
ସମ୍ପର୍କୀୟ
  • କବିରାଜ ଦେବ ଗୋସ୍ୱାମୀ (ନାତି)
  • ବଟରାଜ ଦେବ ଗୋସ୍ୱାମୀ

ମୋହନ ସୁନ୍ଦର ଦେବ ଗୋସ୍ୱାମୀ (୧୮୯୨-୧୯୪୮) ଜଣେ ଓଡ଼ିଆ କବି, ଗାୟକ, ନାଟ୍ୟକାର, କଥାଚିତ୍ର ଅଭିନେତା ଓ ନିର୍ଦ୍ଦେଶକ ଥିଲେ । ବିଂଶ ଶତାବ୍ଦୀରେ ଉତ୍କଳୀୟ ରାହାସର ସେ ଜଣେ ପ୍ରଧାନ ପ୍ରବର୍ତ୍ତକ ଓ ପ୍ରଚାରକ ଥିଲେ । ନିଜ କବିତ୍ୱ, ମଧୁର କଣ୍ଠ, ଅଭିନୟ ଓ ଶିକ୍ଷାଦ୍ୱାରା ସେ ରାସଦଳ ଗଢ଼ି ରାଧାକୃଷ୍ଣଙ୍କ ଲୀଳା ଅଭିନୀତ କରାଉଥିଲେ । ସେହି ସମୟରେ ଓଡ଼ିଶାର ଗ୍ରାମେ ଗ୍ରାମେ 'ମୋହନ ଗୋସେଇଁ' ନାମରେ ସୁପରିଚିତ ଥିଲେ ।

ଏହା ଛଡ଼ା ତାଙ୍କୁ 'ଓଡ଼ିଆ ଚଳଚ୍ଚିତ୍ରର ଜନକ' ବୋଲି ଅଭିହିତ କରାଯାଏ । ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ସୀତା ବିବାହ ତାଙ୍କର ଉଦ୍ୟମରେ ହିଁ ଗଠିତ ହୋଇପାରିଥିଲା ।

ସେ ଓଡ଼ିଶୀ ସଙ୍ଗୀତ ଗାୟନରେ ପ୍ରବୀଣ ଥିଲେ ଓ ତାଙ୍କର ଅନେକ ଗ୍ରାମ୍ଫୋନ ରେକର୍ଡ଼ରେ ସେ ନାନାବିଧ ପ୍ରାଚୀନ ଓଡ଼ିଶୀ ଗୀତ ଗାଇଛନ୍ତି । ଗୋସ୍ୱାମୀ ପୁରୀରେ ରହିଲେ ସୁଦ୍ଧା ତାଙ୍କର ଓଡ଼ିଶା ଓ ବଙ୍ଗାଳ ଉଭୟ ରାଜ୍ୟରେ ଅନେକ ଯଜମାନ ଥିଲେ । ସେ ନିତ୍ୟାନନ୍ଦ ଚୈତନ୍ୟଙ୍କ ସେବାଲୀଳା ଓ କୀର୍ତ୍ତନ ପ୍ରଚାର କରୁଥିଲେ । ତାଙ୍କର ବଂଶଧରମାନଙ୍କ ମଧ୍ୟରୁ ତାଙ୍କ ନାତି ବଟରାଜ ଦେବ ଗୋସ୍ୱାମୀ ଅନ୍ୟତମ ।[୨]

ଜୀବନୀ[ସମ୍ପାଦନା]

୧୮୯୨ ମସିହା ଅଗଷ୍ଟ ୮ ତାରିଖରେ[୩] ପିତା ହରିଶ୍ଚନ୍ଦ୍ର ଦେବ ଗୋସ୍ୱାମୀ[୨] ଓ ମା ସୁଲକ୍ଷଣା ଦେବୀଙ୍କ କନିଷ୍ଠ ପୁତ୍ର ଭାବେ ମୋହନସୁନ୍ଦର ପୁରୀରେ ଜନ୍ମଗ୍ରହଣ କରିଥିଲେ ।[୪] ଗୋସ୍ୱାମୀ ପରିବାର ପୁରୀର ମରିଚିକୋଟ ଗଳିରେ ବସବାସ କରୁଥିଲେ ।[୨]

ରାହାସ[ସମ୍ପାଦନା]

ଚଳଚ୍ଚିତ୍ର ନିର୍ମାଣରେ ପାଦଦେବା ଆଗରୁ ସେ ରାସ ମାଧ୍ୟମରେ ଓଡ଼ିଆ ଭାଷା, ସାହିତ୍ୟ ଓ କଳା ସଂସ୍କୃତିକୁ ପ୍ରଚାର ପ୍ରସାର କରିଥିଲେ । ମୋହନ ଗୋସେଇଁ ବିଂଶ ଶତାବ୍ଦୀ ଓଡ଼ିଶାରେ ରାସର ପ୍ରଧାନ ପ୍ରବର୍ତ୍ତକ ଅଟନ୍ତି । ଏହାଙ୍କ ପୂର୍ବରୁ ତରଳା ରାଜପରିବାରର ଗୋବିନ୍ଦ ଚନ୍ଦ୍ର ଶୂରଦେଓ ରାସର ପ୍ରଚାର ପ୍ରସାର କରିଥିଲେ । ମୋହନ ଗୋସ୍ୱାମୀ ମଧ୍ୟ ଶୂରଦେଓଙ୍କ ଭଳି ଏକ ଭ୍ରାମ୍ୟମାଣ ରାସ ଦଳ ଗଠନ କରିଥିଲେ ।[୫] ମୋହନ ଗୋସ୍ୱାମୀଙ୍କ ରାସଦଳ ଓଡ଼ିଶାରେ ସର୍ବତ୍ର ଜଣାଶୁଣା ଥିଲା । ଏହି ରାସରେ ପ୍ରାଚୀନ କବିମାନଙ୍କ କୃତ ଚଉପଦୀ, ଛାନ୍ଦ, ଜଣାଣ ଇତ୍ୟାଦି ସଙ୍ଗେ ସଙ୍ଗେ ପାରମ୍ପରିକ ଢଙ୍ଗରେ ଲିଖିତ ଆଧୁନିକ ରଚନା ମଧ୍ୟ ପ୍ରୟୋଗ ହେଉଥିଲା । ନିଜେ ମଧ୍ୟ ଅନେକ ଛୋଟ ଛୋଟ ଗୀତ ଲେଖି ଉପଯୁକ୍ତ ସ୍ଥାନଗୁଡ଼ିକରେ ଖଞ୍ଜି ପରିବେଷଣକୁ ଅଧିକ ରସାଳ କରିପାରିଥିଲେ । ସବୁଠାରୁ ଆକର୍ଷଣୀୟ ଥିଲା ରାସ ଆରମ୍ଭ ପୂର୍ବରୁ ମଞ୍ଚ ଉପରେ ଗୋସାଇଁଙ୍କର ରାସତତ୍ତ୍ୱ ପର୍ଯ୍ୟାଲୋଚନା ଏବଂ ଆରମ୍ଭରେ ଅଭିନେତା ବାଳକ ବାଳିକାମାନଙ୍କର ବୃନ୍ଦାବତୀ ଗହଣରେ କୀର୍ତ୍ତନ । ବାବାଜୀ ବେଣୁଧର ଦାସ ମଧ୍ୟ ଗୋସାଇଁଙ୍କର ଶିଷ୍ୟ ଥିଲେ । ସରଳ ଭାଷା, ସୁନ୍ଦର ଉପସ୍ଥାପନା ଶୈଳୀ ଏବଂ ନିଚ୍ଛକ ପାରମ୍ପରିକ ସଙ୍ଗୀତ ପ୍ରୟୋଗ ଯୋଗୁଁ ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ରାସ ଓଡ଼ିଶାବାସୀଙ୍କର ବେଶ ଆଦରର ପାତ୍ର ହୋଇପାରିଥିଲା ।

ରଚନାବଳୀ ଓ ସଙ୍ଗୀତ[ସମ୍ପାଦନା]

ମାନଭଞ୍ଜନ, ଶ୍ରୀ ଶ୍ରୀ ବ୍ରଜମାଧୁରୀ, ଶ୍ରୀ ଶ୍ରୀ ବୃନ୍ଦାବନ, ଶ୍ରୀ ଶ୍ରୀ ଗୋବିନ୍ଦ ଲୀଳାମୃତ, ମୋ କାଳିଆ ହାତୀ ପ୍ରଭୃତି ଅନେକ ରାସଗ୍ରନ୍ଥ ରଚନା କରିଥିଲେ । ଏ ସମସ୍ତ ଗ୍ରନ୍ଥ ମଧ୍ୟରେ ମାନଭଞ୍ଜନ ଅଧିକ ଲୋକପ୍ରିୟତା ଲାଭ କରିଥିଲା । ଗୋସାଇଁଙ୍କର ଉଲ୍ଲିଖିତ ରାସଗ୍ରନ୍ଥଗୁଡ଼ିକ ଥିଲା ସଙ୍ଗୀତମୁଖର । ସରଳ, ସର୍ବବୋଧଗମ୍ୟ ଓ ସୁନ୍ଦର ପାରମ୍ପରିକ ଓଡ଼ିଶୀ ରାଗତାଳ ମଣ୍ଡିତ ସଙ୍ଗୀତମାନଙ୍କ ମାଧ୍ୟମରେ ସେ ଦର୍ଶକମାନଙ୍କୁ ମୁଗ୍ଧ କରିପାରୁଥିଲେ ।

ମୋହନ ଗୋସ୍ୱାମୀ ସୁମଧୁର କଣ୍ଠରେ ଗାଇବା ସହ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଇବାରେ ପାରଙ୍ଗମ ଥିଲେ । ସେ ନିଜେ ଭାରି ସଙ୍ଗୀତପ୍ରିୟ ଥିଲେ ଓ ନାଟକ ଆଦିରେ ଅଭିନୟ କରୁଥିଲେ । ତାଙ୍କ ଉଦାତ୍ତ କଣ୍ଠସ୍ୱର ଲୋକଙ୍କ ମଧ୍ୟରେ ଭାରି ପରିଚିତ ଥିଲା । ମୋହନ ସୁନ୍ଦର ଦେବ ଗୋସ୍ୱାମୀ ଓଡ଼ିଶୀ ସଙ୍ଗୀତ ଗାୟନରେ ପ୍ରବୀଣ ଥିଲେ ଓ ତାଙ୍କର ଅନେକ ଗ୍ରାମ୍ଫୋନ ରେକର୍ଡ଼ରେ ସେ ନାନାବିଧ ଓଡ଼ିଶୀ ଗୀତଗୁଡ଼ିକ ଗାଇଛନ୍ତି ।

ରେକର୍ଡ଼ କରିଥିବା ଗୀତ[ସମ୍ପାଦନା]

ମୋହନ ଗୋସାଇଁଙ୍କ କଣ୍ଠରେ ରେକର୍ଡ଼ କରାଯାଇଥିବା ଅଧିକାଂଶ ଗୀତ ଗୋପାଳକୃଷ୍ଣ, ଗୌରଚରଣ, ବନମାଳୀ ଆଦି ପୁରାତନ କବିଙ୍କ ରଚିତ ଓଡ଼ିଶୀ ସଙ୍ଗୀତ । ଏଥିରେ ଚଉପଦୀ, ଛାନ୍ଦ, ଭଜନ ଓ ପୁରାତନ ସ୍ୱରରେ ରଚିତ ସମକାଳୀନ ରଚନା ସନ୍ନିବିଷ୍ଟ । ମୋହନ ଗୋସେଇଁଙ୍କ ଗୀତଗୁଡ଼ିକରେ ଅନେକ ବାର ଆକାଶବାଣୀ କଲିକତାରୁ ପ୍ରସାରିତ ହେଉଥିଲା ।

କ୍ରମଗୀତକବିସମୟ
1."ଦେଖ ବନେ ବନେ ଫୁଲ ଫୁଟିଛି"  
2."ବନମାଳିଆ ବରଜଧୂଳିଆ ଘନକାଳିଆ"ଗୋପାଳକୃଷ୍ଣ ପଟ୍ଟନାୟକ 
3."ମନେ ପଡ଼ୁଛି ମା ସେହି ଚନ୍ଦ୍ରମୁଖ"ଗୋପାଳକୃଷ୍ଣ ପଟ୍ଟନାୟକ 
4."ଦେଲି ସହି କୂଳକୁ ଟେକି ଜଳାଞ୍ଜଳି"ଗୋପାଳକୃଷ୍ଣ ପଟ୍ଟନାୟକ 
5."ମଝି ଘର କୋଣେ"  
6."ବ୍ରଜରସିୟା ଆଜି"ଧରାକୋଟ ନରେଶ 
7."ବେଠି ଖଟି ଖଟି"  
8."ଚାହାଁରେ କୁଳପତି ମତିହରା"  
9."ଆଜନମ ସୁଖୀ ପଙ୍କଜମୁଖୀରେ"ଗୌରଚରଣ ଅଧିକାରୀ 
10."ମଳୟଗିରିର ଚନ୍ଦନ ସୁଗନ୍ଧ ପରାୟେ ୟେ ଘର ବାସୁଛି"  
11."ବନଫୁଲହାରେ ବନବିହାରୀଙ୍କି ବନବେଶେ ସାଜିଦିଅ ଗୋ"  
12."ଉଠିଲୁ ଏଡ଼େ ବେଗି କାହିଁକିରେ ଦୁଃଖୀଧନ"ଗୋପାଳକୃଷ୍ଣ ପଟ୍ଟନାୟକ 
13."ସହି ଅଣ୍ଟିଲା ନାହିଁ କି"ଗୋପାଳକୃଷ୍ଣ ପଟ୍ଟନାୟକ 


କଥାଚିତ୍ରରେ ଭୂମିକା[ସମ୍ପାଦନା]

ପ୍ରଥମ ଓଡ଼ିଆ କଥାଚିତ୍ର ସୀତା ବିବାହର ସେ ପ୍ରଯୋଜନା ଓ ନିର୍ଦ୍ଦେଶନା[୬] ସହ ବିଶ୍ୱାମିତ୍ର ଚରିତ୍ରରେ ଅଭିନୟ କରିଥିଲେ ।[୭] ଏଥିରେ ଥିବା ୧୪ଟି ଗୀତ ମଧ୍ୟରୁ ୧୨ଟି ସେ ନିଜେ ରଚନା କରିଥିଲେ ।

ଆଧାର[ସମ୍ପାଦନା]

  1. "Activities of the Academy". Odisha Sangeet Natak Akademi. Retrieved 7 August 2015.
  2. ୨.୦ ୨.୧ ୨.୨ ଓଡ଼ିଆ ଚଳଚ୍ଚିତ୍ରର ଇତିହାସ, କାର୍ତ୍ତିକ କୁମାର ଘୋଷ । ଓଡ଼ିଶା ବୁକ ଷ୍ଟୋର, ୧୯୮୪ ।
  3. Palit, Ashok. "Mohan Sundar Dev Goswami – Doyen of Odia film industry". Bizodisha. Retrieved 7 August 2015.
  4. ସିନେ ସମ୍ବାଦ, ଅଗଷ୍ଟ ୧୯୯୭, ପୃଷ୍ଠା-୧୨
  5. K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 64–. ISBN 978-1-136-77284-9.
  6. "Sita Bibaha Film". incredibleorissa.com. 2012. Retrieved 17 October 2012. producer and director Mohan Sunder Deb Goswami who made Sita Bibaha
  7. Pattanayak, Saswat (2012). "Sita Bibaha, The First Cinema". orissacinema.com. Retrieved 17 October 2012. acting talents of Mohan Gosein (in role of Biswamitra)

ଅଧିକ ତଥ୍ୟ[ସମ୍ପାଦନା]