ଦୀନକୃଷ୍ଣ ଦାସ

ଭକ୍ତ କବି ଦୀନକୃଷ୍ଣ ଦାସ | |
---|---|
ଜନ୍ମ | କୃଷ୍ଣ ଦାସ ୧୬୫୦[୧][୨] |
ମୃତ୍ୟୁ | ୧୭୧୦ |
ମୃତ୍ୟର କାରଣ | କୁଷ୍ଠ ରୋଗ |
ଅନ୍ୟ ନାମ | ଭାରତ |
ବୃତ୍ତି | ରୀତି ଓ ଭକ୍ତି କବି |
କାଳ | ରୀତି ଯୁଗ |
ଉଲ୍ଲେଖନୀୟ କାମ | ରସକଲ୍ଲୋଳ, ଆର୍ତ୍ତତ୍ରାଣ ଚଉତିଶା |
ପିତାମାତା | ମଧୁସୂଦନ ଦାସ |
ଦୀନକୃଷ୍ଣ ଦାସ ସପ୍ତଦଶ ଶତାବ୍ଦୀର ଜଣେ ଓଡ଼ିଶୀ ସଙ୍ଗୀତକାର, ରୀତି ଓ ଭକ୍ତି କବି । ସେ ରସକଲ୍ଲୋଳ ନାମକ କୃଷ୍ଣଲୀଳା ସମ୍ବଳିତ ଛାନ୍ଦକାବ୍ୟ ପାଇଁ ଜନାଦୃତ ।
ଜୀବନ[ସମ୍ପାଦନା]
ଭକ୍ତକବି ଦୀନକୃଷ୍ଣ ଦାସ ଓଡ଼ିଶାର ବାଲେଶ୍ୱର ଜିଲା ଅନ୍ତର୍ଗତ ଜଳେଶ୍ୱରଠାରେ ଜନ୍ମ ହୋଇଥିଲେ । ସେ ବାଲ୍ୟକାଳରୁ ଶ୍ରୀକ୍ଷେତ୍ରକୁ ଚାଲିଯାଇଥିଲେ । ବ୍ରାହ୍ମଣୀ ନଦୀର କୂଳରେ ଢେଙ୍କାନାଳ ଜିଲ୍ଲାର ଏକଘରିଆ ଗ୍ରାମରେ ରହି ସେ ଭକ୍ତିସାହିତ୍ୟ ଅଧ୍ୟୟନ କରୁଥିଲେତ। ାଙ୍କ ଜୀବନର ଅନେକ ଭାଗ ପୁରୀଠାରେ ଜଗନ୍ନାଥ ମନ୍ଦିର ଓ ଅନ୍ୟାନ୍ୟ ମଠମାନଙ୍କରେ କଟିଥିଲା ।[୩]
ଦୀନକୃଷ୍ଣଙ୍କ ସ୍ୱାଭିମାନ[ସମ୍ପାଦନା]
ରୀତି ଯୁଗୀୟ ଅନ୍ୟ କବିଙ୍କ ପରି ନିଜର ସୃଷ୍ଟିକୁ ରାଜାଙ୍କୁ ଭଣିତା କରୁ ନଥିଲେ, ତେଣୁ ରାଜାଙ୍କ କୋପର ଶରବ୍ୟ ହୋଇଥିଲେ। କୌଣସି ଉପାଧି ବା ରାଜାଙ୍କଠାରୁ କୌଣସି ଆର୍ଥିକ ସାହାଯ୍ୟ ସେ ଚାହୁଁ ନଥିଲେ। ସେ କେବଳ ନିଜର କୃତି ଗୁଡିକୁ ଶ୍ରେଷ୍ଠତା ପ୍ରଧାନ କରିବାକୁ ଚେଷ୍ଟା କରିଛନ୍ତି।
ଦାର୍ଢ଼୍ୟତାଭକ୍ତି ରସାମୃତ[ସମ୍ପାଦନା]
ଅଷ୍ଟାଦଶ ଶତାବ୍ଦୀର ଜୀବନୀ ଲେଖକ ରାମଦାସ ତାଙ୍କ ପ୍ରଣୀତ ଗ୍ରନ୍ଥ ଦାର୍ଢ଼୍ୟତାଭକ୍ତି ରସାମୃତରେ ଦୀନକୃଷ୍ଣଙ୍କ ବିଷୟରେ ଲେଖିଛନ୍ତି । ତାଙ୍କର ବିବୃତି ଅନୁସାରେ ପୁରୀର ତତ୍କାଳୀନ ଗଜପତି ରାଜା କବି ଦୀନକୃଷ୍ଣଙ୍କ କବିତ୍ୱରେ ମୁଗ୍ଧ ହୋଇ ତାଙ୍କୁ ରାଜାଙ୍କ ନାମରେ ଗୀତଗୁଡ଼ିକ ଭଣି ପ୍ରଚୁର ଧନରାଶି ଲୋଭ ଦେଖାଇଥିଲେ ।[୨]
ଶୁଣ ହେ କବି କୃଷ୍ଣ ଦାସ । ହୋଇଣ ଥିବ ଦିବ୍ୟ ବେଶ ।।
ସୁନ୍ଦର ମଧୁର କଠିନ । ଗୀତ କରି ମୋ ନାମେ ଭଣ ।।
ମୋ ନାମେ ଭଣିଲେ ଅବଶ୍ୟ । ଅନେକ ଦେବି ଗ୍ରାମ ଦେଶ ।।
ମୋ ରାଜ୍ୟେ ଦେବି ଅଧିକାର । ଦେଖ ମୁଁ ଜଗତ ଈଶ୍ୱର ।।
ନୋହିଲେ ମରିବୁ ଅବଶ୍ୟ । ଛାଡ଼ ତୋ ଜୀବନର ଆଶ ।।—ଦାର୍ଢ଼୍ୟତାଭକ୍ତି ରସାମୃତ, ରାମ ଦାସ
କିନ୍ତୁ ଦୀନକୃଷ୍ଣ ନିଜର ଦରିଦ୍ର ଓ ରୁଗ୍ଣ ଅବସ୍ଥା ଥାଇ ମଧ୍ୟ ନିଜ ସ୍ୱାଭିମାନ ଯୋଗୁଁ ଏହା କରିବାକୁ ମନା କରିଥିଲେ । ଦୀନକୃଷ୍ଣ କେବଳ ଜଗନ୍ନାଥଙ୍କ ପାଇଁ ଗୀତ ଲେଖନ୍ତି ବୋଲି କହି ରାଜାଙ୍କ ନାମରେ ଗୀତ ଲେଖିବାକୁ ମନା କରିଥିଲେ ।
ଦାସେ ବୋଇଲେ ତାହା ଶୁଣି । ଶୁଣ ହେ ନୃପଚୂଡ଼ାମଣି ।।
ତୁମ୍ଭଙ୍କୁ ମୋର ନାହିଁ ଡର । ମୋ ପ୍ରଭୁ ବଳେ ବଳୀୟାର ।।
ଜଗତ ସୃଷ୍ଟି ଆନ ହେଲେ । ଏ ଗୀତ ଆନକୁ ନ ବୋଲେ ।।—ଦାର୍ଢ଼୍ୟତାଭକ୍ତି ରସାମୃତ, ରାମ ଦାସ
ଏହା ଯୋଗୁଁ ତାଙ୍କ ବିରୁଦ୍ଧରେ ସଭାର ପଣ୍ଡିତମାନେ ଅନେକ ଚକ୍ରାନ୍ତ ରଚି ଦୀନକୃଷ୍ଣଙ୍କୁ କାରାଗାରରେ ବନ୍ଦୀ କରାଇଥିଲେ । ଏହା ଯୋଗୁଁ ଭୋକଶୋଷରେ ତାଙ୍କ ଜୀବନ ସଙ୍କଟାପନ୍ନ ହୋଇଥିଲା । ଏହି ସମୟରେ ଜଗନ୍ନାଥ ନିଜେ ମିଷ୍ଟାନ୍ନ ଆଣି ତାଙ୍କୁ ଦେଇଥିଲେ ଓ ରାଜାଙ୍କୁ ସ୍ୱପ୍ନାଦେଶ ଦେଇ କବିଙ୍କୁ ମୁକ୍ତ କରାଇଥିଲେ ବୋଲି ଲିଖିତ ହୋଇଛି ।
କବିଙ୍କ ନିଜ ରଚନା[ସମ୍ପାଦନା]
କବିଙ୍କ ନିଜ ରଚନାଗୁଡ଼ିକରେ ଏହି ଘଟଣାର କୌଣସି ବର୍ଣ୍ଣନା ନ ଥିଲେ ମଧ୍ୟ ପରୋକ୍ଷରେ ସେ ବହୁ ସ୍ଥାନରେ କବି ହୋଇ ନିଜ ସ୍ୱାଭିମାନ ନ ହରାଇବାକୁ ଚେତାବନୀ ଦେଇଛନ୍ତି । ଏହା ସଙ୍ଗେ ସେ ଧନ ଲୋଭରେ ମୂର୍ଖମାନଙ୍କୁ ଉପାସନା କରିବା ନିଜ ଛାତିରେ କାତି ମାରିଲା ଭଳି ଦଶା ବୋଲି କହିଛନ୍ତି ।
କବି ଯା କରେ ମୂର୍ଖକୁ ସ୍ତୁତି
ଏଥିରୁ ବଡ଼ ନାହିଁ ବିପତ୍ତି
ଏଥିକି ପ୍ରତି ଛାତିରେ କାତି ମାରିବା ଭଲ ହେ ।—ରସକଲ୍ଲୋଳ, ଦୀନକୃଷ୍ଣ ଦାସ
ସାହିତ୍ୟିକ କୃତି[ସମ୍ପାଦନା]
ରସକଲ୍ଲୋଳ ତାଙ୍କର ଏକ ପ୍ରସିଦ୍ଧ ସାହିତ୍ୟ କୃତି ଯେଉଁଥିରେ ହରି ଓ ରାଧାଙ୍କର ପ୍ରେମ କାହାଣୀ ବର୍ଣିତ । ଓଡ଼ିଆ ସାହିତ୍ୟର ମଧ୍ୟଯୁଗରେ ତାହାଙ୍କର ରଚନାବଳୀ ପୁରାଣ, ଶାସ୍ତ୍ରୀୟ ପରମ୍ପରା ଓ ନାନାଦି ଭକ୍ତି ଭାବ ଭରା ଲେଖାରେ ଭରା ।
ଯେତେବେଳେ ଓଡ଼ିଶାରୁ ଓଡ଼ିଆ ଭାଷା ଉଠାଇ ଦେଇ ସ୍କୁଲମାନଙ୍କରେ ବଙ୍ଗଳାଭାଷା ପ୍ରବର୍ତ୍ତନ କରାଇ ଶେଷରେ ଓଡ଼ିଶାକୁ ବଙ୍ଗାଳରେ ସାମିଲ କରାଇ ନେବାର ଅପଚେଷ୍ଟା କରାଯାଉଥିଲା, ସେତେବେଳେ ଉତ୍କଳ ଦୀପିକା ଜନମତ ଜାଗ୍ରତ କରାଇ ପ୍ରତିରୋଧ କରିଥିଲା । ସେହି ସମୟରେ ବଙ୍ଗଳା କାବ୍ୟ ବିଦ୍ୟାସୁନ୍ଦର ଓ ଓଡ଼ିଆ କାବ୍ୟ ରସକଲ୍ଲୋଳ ସମ୍ବନ୍ଧରେ ଏକ ତୁଳନାତ୍ମକ ବିଚାର କରାଯାଇଥିଲା । ଏହି ତୁଳନାତ୍ମକ ଲେଖରେ ବଙ୍ଗଳା କବି ଭରତଚନ୍ଦ୍ରଙ୍କ ଅପେକ୍ଷା ଦୀନକୃଷ୍ଣଙ୍କ ସାହିତ୍ୟ କେତେ ଉନ୍ନତ ଏହା ବିଷୟରେ ଲେଖାଯାଇ ଓଡ଼ିଆ ଭାଷା ଓ ସାହିତ୍ୟ କେତେ ଉତ୍ତମ ଏହା ଦର୍ଶାଯାଇଥିଲା । ୧୮୬୬ ମସିହାରେ ପତ୍ରିକାର ପୃ-୪୬-୪୭ରେ ଛପାଯାଇଥିଲା[୪]-
ବିଦ୍ୟାସୁନ୍ଦର ରଚନାର ଅନେକବର୍ଷ ପୂର୍ବରେ ଦୀନକୃଷ୍ଣ ଦାସ ଯେ ରସକଲ୍ଲୋଳ ନାମକ ପୁସ୍ତକ ରଚନା କରନ୍ତି ତାହାର ସହିତ ତୁଳନା କରି ଦେଖିଲେ ବିଦ୍ୟାସୁନ୍ଦର ଅପକୃଷ୍ଟ ବୋଧ ହୁଏ । କି ରଚନା ଚାତୁର୍ଯ୍ୟ କି ସ୍ୱଭାବ ବର୍ଣ୍ଣନା କି ଶ୍ଳେଷ ଓ ଯମକ ରଚନା ସମସ୍ତ ବିଷୟରେ ଦୀନକୃଷ୍ଣ ଭରତଚନ୍ଦ୍ରଙ୍କଠାରୁ ଅଧିକ ପରାକାଷ୍ଠା ଲାଭ କରି ଅଛନ୍ତି ।
ଆଧାର[ସମ୍ପାଦନା]
- ↑ Nagendra Kr Singh; A. P. Mishra (2005). Encyclopaedia of Oriental Philosophy and Religion: A Continuing Series--. Global Vision Publishing House. pp. 184–. ISBN 978-81-8220-072-2. Retrieved 29 October 2012.
- ↑ ୨.୦ ୨.୧ Lua error in ମଡ୍ୟୁଲ:Citation/CS1/Date_validation at line 335: attempt to compare nil with number. ଆଧାର ଭୁଲ: Invalid
<ref>
tag; name "ଓସାଏ" defined multiple times with different content - ↑ କବି ଦୀନକୃଷ୍ଣ ଦାସ - http://baleswar.nic.in/Kabi%20Dinakrushna%20Das.htm
- ↑ ଉତ୍କଳ ଦୀପିକା ୧୮୬୬, ପୃ ୪୬-୪୭