ଗୌରହରି ପରିଚ୍ଛା
ସାଧକ କବି ଗୌରହରି ପରିଚ୍ଛା | |
---|---|
ଜନ୍ମ | ମାଘ ମାସ ତିଳ ସପ୍ତମୀ ୧୭୯୪ ପାରଳାଖେମୁଣ୍ଡି,ଗୋପିନୀ ସାହି, ଗଞ୍ଜାମ ଜିଲ୍ଲା,ବର୍ତ୍ତମାନର ଗଜପତି ଜିଲ୍ଲା ,ଓଡ଼ିଶା |
ମୃତ୍ୟୁ | ବୈଶାଖ ମାସ ଦଶମୀ ୧୮୮୪ ପାରଳାଖେମୁଣ୍ଡି |
ଜାତୀୟତା | ଭାରତୀୟ |
ବୃତ୍ତି | କବି |
ଉଲ୍ଲେଖନୀୟ କୃତି | |
ସନ୍ତାନ | ଦାମୋଦର, ଦୟାନିଧି,ରାମଚନ୍ଦ୍ର |
ପିତାମାତା(s) | ରାମକୃଷ୍ଣ ପରିଚ୍ଛା ,ଡାଳିମ୍ବ ପରିଚ୍ଛା |
ଗୌରହରି ପରିଚ୍ଛା (୧୭୯୪-୧୮୯୩[୧][୨], ମତାନ୍ତରରେ ୧୭୯୪-୧୮୮୪[୩], ୧୭୯୮-୧୮୯୭[୪] ଓ ପ୍ରମାଦପୂର୍ଣ୍ଣ ୧୮୨୯-୧୯୨୭[୫]) ଓଡ଼ିଶାର ଜଣେ ପୁରାତନ କବି । ପାରଳାଖେମୁଣ୍ଡିରେ ଜନ୍ମିତ । ସେ ରାଧାକୃଷ୍ଣ ସମ୍ବନ୍ଧିତ ଅନେକ ଚଉପଦୀ, ଛାନ୍ଦ ଓ କାବ୍ୟ ଲେଖି ଓଡ଼ିଶୀ ସଙ୍ଗୀତ ଓ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ଗୌରହରି କବିକଳହଂସ ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ସମସାମୟିକ ଥିଲେ ।[୫] ନିଜ କବିତ୍ୱ ଛଡ଼ା ସେ ନିଜ ବୀଣାବାଦନ ନିମନ୍ତେ ମଧ୍ୟ ପ୍ରସିଦ୍ଧି ଲାଭ କରିଥିଲେ ।[୬]
ଜୀବନ
[ସମ୍ପାଦନା]ସାଧକ କବି ଗୌରହରି ପରିଚ୍ଛା ପାରଳାଖେମୁଣ୍ଡିର ଗୋପିନୀ ସାହିରେ ଜନ୍ମଗ୍ରହଣ କରିଥିଲେ । ଗୌରହରି ପାରଳାଖେମୁଣ୍ଡିର ପ୍ରସିଦ୍ଧ 'ପରିଚ୍ଛା' ବଂଶରେ ଜନ୍ମଗ୍ରହଣ କରିଥିଲେ । ଗୌରହରିଙ୍କ ସମସାମୟିକ ରଘୁନାଥ ପରିଚ୍ଛା ଗୋପୀନାଥ ବଲ୍ଲଭ ନାଟକ ରଚନା କରିଥିଲେ । ଏହି ଗୋପୀନାଥ ବଲ୍ଲଭ ନାଟକର ପ୍ରଭାବ ଗୌରହରିଙ୍କ ରଚିତ ପ୍ରହ୍ଲାଦ ନାଟକରେ ଲକ୍ଷ୍ୟ କରାଯାଏ । ଜୀବନର ପ୍ରାୟ ୫୦ ବର୍ଷ ସେ ମଞ୍ଜୁଷାରେ କଟାଇଥିଲେ । ସେଠାରେ ସେ ବ୍ରହ୍ମ ଉତ୍ସବ ବେଳେ ସଂଗୀତ ସମାରୋହର ଆୟୋଜନ ପ୍ରଥମେ କରିଥିଲେ । ପରବର୍ତ୍ତୀ କାଳରେ ରାମାନନ୍ଦୀ ମତବାଦର ପ୍ରାବଲ୍ୟ ଘଟିବାରୁ ମଞ୍ଜୁଷା ଛାଡ଼ି ପାରଳା ଫେରି ଆସିଥିଲେ, ସେଠାରେ ରହି ସେ ମଞ୍ଜୁଷା ରାଜା ଜଗନ୍ନାଥ ରାଜମଣିଙ୍କ ନାମରେ ଅନେକ ଗୀତ ଭଣିତା କରିଛନ୍ତି ।[୭][୩]
ସମୟ
[ସମ୍ପାଦନା]ଗୌରହରିଙ୍କ ସମୟକୁ ନେଇ ଏକାଧିକ ଗବେଷକଙ୍କ ଏକାଧିକ ମତ ଦେଖାଯାଏ । ଏହାକୁ ନେଇ ଅଧିକ ଗବେଷଣାର ଆବଶ୍ୟକତା ରହିଛି ।
ଗବେଷକ ଡଃ ସୁଧାଂଶୁ ରଥ ଗୌରହରିଙ୍କୁ ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ସମସାମୟିକ ବୋଲି କୁହନ୍ତି । ଡଃ ରଥ ପାରଳାଖେମୁଣ୍ଡିର କିଛି ବୟସ୍କ ବ୍ୟକ୍ତିମାନଙ୍କ ମତାମତ ନେଇ ଗୌରହରିଙ୍କ ସମୟସୀମାକୁ ୧୭୯୪ ଖ୍ରୀଷ୍ଟାବ୍ଦ ଓ ୧୮୪୪ ଖ୍ରୀଷ୍ଟାବ୍ଦ ବୋଲି ତାଙ୍କର ଗବେଷଣା ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି ।[୭]
ଗୌରଚରଣଙ୍କ ସହିତ ଭ୍ରମ
[ସମ୍ପାଦନା]ଉଲ୍ଲେଖଯୋଗ୍ୟ ଯେ ଏକାଧିକ ଲେଖକ ପାରଳାର ଗୌରହରି ପରିଚ୍ଛାଙ୍କୁ ପୁରୀ ଜିଲ୍ଲାର କବି ଗୌରଚରଣ ଅଧିକାରୀଙ୍କ ସଙ୍ଗେ ସମାନ ବିଚାରିଛନ୍ତି । ଗୌରଚରଣଙ୍କ ଗ୍ରନ୍ଥାବଳୀଗୁଡ଼ିକରେ ଗୌରହରିଙ୍କ ଗୋଟି ଗୋଟି କବିତା ରହିଯାଇ ଥିବାରୁ ଏହା ଭ୍ରମ ସୃଷ୍ଟି କରୁଛି । ସ୍ଥାନେ ସ୍ଥାନେ ଉଭୟ କବି କେବଳ 'ଗୌର' ଶବ୍ଦଟି ଭଣିତାରେ ପ୍ରୟୋଗ କରିଥିବାରୁ ସେହି କବିତାଗୁଡ଼ିକରେ ପ୍ରମାଦ ରହୁଛି ।
ରଚନା
[ସମ୍ପାଦନା]ଗୌରହରିଙ୍କ ଅଧିକାଂଶ ଗ୍ରନ୍ଥ ଓଡ଼ିଆ ଭାଷାରେ ରଚିତ । ଏହି ଗ୍ରନ୍ଥଗୁଡ଼ିକ ହେଲା- ବସ୍ତ୍ରାପହରଣ, ପ୍ରହ୍ଲାଦ ନାଟକ ଓ ଗୀତ ଗୋବିନ୍ଦ ଅନୁବାଦ ।[୫] ଏହାଙ୍କ ଅଧିକାଂଶ ରଚନାର ଭଣିତାରେ ସେ ନିଜକୁ 'ଦ୍ୱିଜ ଗୌରହରି' ଭାବେ ଉଲ୍ଲେଖ କରିଛନ୍ତି ।
ପ୍ରହ୍ଲାଦ ନାଟକ
[ସମ୍ପାଦନା]ଗୌରହରି ପ୍ରହ୍ଲାଦ ନାଟକଟି ଜଳନ୍ତରର ରାଜା ରାମକୃଷ୍ଣ ଛୋଟରାୟଙ୍କ ଉଦ୍ଦେଶ୍ୟରେ ରଚନା କରି ତାଙ୍କ ନାମରେ ତାହାକୁ ଭଣିଥିଲେ । ଏହା ପ୍ରହ୍ଲାଦ ନାଟକର ପ୍ରଥମ ଲିଖିତ ନାଟକ । ଏହାର ଅନୁସରଣରେ ପରବର୍ତ୍ତୀ ରାଜାମାନେ (ଯଥା ପଦ୍ମନାଭ ନାରାୟଣ ଦେବ) ନିଜ ନିଜ ଶୈଳୀରେ ପ୍ରହ୍ଲାଦ ନାଟକ ରଚନା କରିଛନ୍ତି ।
ମଧ୍ୟଯୁଗରେ ରାଜାମାନଙ୍କ ନାମରେ କବିମାନେ ଭଣତି କରି ଗୀତ ରଚନା କରିବା ଲୋକସମ୍ମତ ପ୍ରଥା ଥିଲା । ଗୌରହରି ସେହି ପ୍ରଥା ଅନୁସାରେ ରାମକୃଷ୍ଣଙ୍କ ନାମରେ ଭଣତି କରିଥିବା ଅସମ୍ଭବ ମନେ ହୁଏ ନାହିଁ ।[୭]
ଗୀତଗୋବିନ୍ଦ ଅନୁବାଦ
[ସମ୍ପାଦନା]କବି ଗୀତଗୋବିନ୍ଦକୁ ସମ୍ପୂର୍ଣ୍ଣ ଭାବେ ଓଡ଼ିଆରେ ଅନୁବାଦ କରିଥିଲେ । ଏହି ଅନୁବାଦଟି ଲୋକପ୍ରିୟ ଛନ୍ଦଗୁଡ଼ିକରେ ରଚିତ । ଏହି ଅନୁବାଦ ଗ୍ରନ୍ଥକୁ ଗୌରହରି ଭାଷା ସଙ୍ଗୀତ ବିନୋଦ ନାମରେ ନାମିତ କରିଥିଲେ ।[୬]
ଅନ୍ୟାନ୍ୟ
[ସମ୍ପାଦନା]ଅଷ୍ଟକାଲ ସେବା
[ସମ୍ପାଦନା]ଏହା ଛଡ଼ା ସେ ଗୋଟିଏ ଗ୍ରନ୍ଥ ବଙ୍ଗଳା ଭାଷାରେ ଓଡ଼ିଆ ଲିପିରେ ରଚନା କରିଥିବା ଜଣାଯାଏ । ଏହି ଗ୍ରନ୍ଥଟିର ନାମ ଅଷ୍ଟକାଲ ସେବା ।[୫]
ଲକ୍ଷଣ ଚନ୍ଦ୍ରୋଦୟ
[ସମ୍ପାଦନା]କବିଙ୍କର ଅନ୍ୟ ଏକ କୃତି ହେଲା ଲକ୍ଷଣ ଚନ୍ଦ୍ରୋଦୟ ଗ୍ରନ୍ଥ ।[୫] ଏହି ଗ୍ରନ୍ଥରେ କାବ୍ୟ ଓ ସଙ୍ଗୀତର ସୂକ୍ଷ୍ମ ଲକ୍ଷଣଗୁଡ଼ିକ ବର୍ଣ୍ଣିତ ।
ଲକ୍ଷଣ ଚନ୍ଦ୍ରୋଦୟ ନାମକ ଏକ ଗ୍ରନ୍ଥ କବିଚନ୍ଦ୍ର ରଘୁନାଥ ପରିଚ୍ଛାଙ୍କ ଲିଖିତ ଓ ସୁପ୍ରସିଦ୍ଧ । ତେବେ ଗୌରହରିଙ୍କ ଲକ୍ଷଣଚନ୍ଦ୍ରୋଦୟ ଲେଖିଥିବା ତଥ୍ୟ ପ୍ରମାଦପୂର୍ଣ୍ଣ ନା ଏହା ଅନ୍ୟ ଏକ କୃତି ଏଥିଲାଗି ଅଧିକ ଗବେଷଣା ହୋଇନାହିଁ ।
ସଙ୍ଗୀତ
[ସମ୍ପାଦନା]ଗୌରହରିଙ୍କ ରଚିତ ସମସ୍ତ ଗୀତିକବିତାଗୁଡ଼ିକ ଗଞ୍ଜାମ, ରାୟଗଡା ଅଞ୍ଚଳ ଓ ବିଶେଷତଃ ପାରଳାଖେମୁଣ୍ଡିରେ ସୁପ୍ରଚଳିତ । ପାରଳାଖେମୁଣ୍ଡିର ଅତିପ୍ରସିଦ୍ଧ ଗାୟକ 'ଅନ୍ଧ ଆପନ୍ନା' ଅପର୍ଣ୍ଣା ପାଣିଗ୍ରାହୀଙ୍କ କଣ୍ଠରେ ଗୌରହରିଙ୍କ 'କୁଞ୍ଜକୁ ଯିବୁ ପରା' ଅତି ଲୋକପ୍ରିୟ ହୋଇଥିଲା । ଏହା ପରେ ପରେ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ତରୁଣ ବୟସରେ ରେକର୍ଡ଼ କରାଯାଇଥିବା ଗୌରହରିଙ୍କ ସଂକୀର୍ତ୍ତନ 'ଜୟ ଗୋକୁଳ ମଙ୍ଗଳ ମଧୁହାରି' ଓ ଓଡ଼ିଶୀ ଚଉପଦୀ 'ଆସିବେଟି ଶ୍ରୀହରି ବରନାଗରୀ' ଉଲ୍ଲେଖଯୋଗ୍ୟ ।
ସମ୍ପୂର୍ଣ୍ଣ ସୂଚୀ
[ସମ୍ପାଦନା]ବିରଳତା ଦୃଷ୍ଟିରୁ ଗୌରହରି ଗ୍ରନ୍ଥାବଳୀର ପୁରାତନ ସଂସ୍କରଣରେ ପ୍ରକାଶିତ ହୋଇଥିବା ସମସ୍ତ ଚଉପଦୀ କବିତାଗୁଡ଼ିକର ସୂଚୀ ତଳେ ପ୍ରଦାନ କରାଯାଇଛି । ଏହି ସଂସ୍କରଣ
ଗୀତ | ରାଗ | ତାଳ | ବିଷୟ | ବୈଶିଷ୍ଟ୍ୟ |
---|---|---|---|---|
ପରାଣ ମିତ ଜାଣିଲି ତୋର ଚିତ୍ତ | ରାଧା ପ୍ରତି ସଖୀ | |||
ଶୁଣ ଶୁଣ ମୋର ବଚନ ଆହେ ଘନଶ୍ୟାମ | ଭୈରବୀ | କୃଷ୍ଣ ପ୍ରତି ସଖୀ | ||
ଗଲି କି ଯୋଗରେ ପଡ଼ିଗଲି ତା ଆଗରେ ମା | ସଖୀ ପ୍ରତି ରାଧା | |||
କାହିଁରେ କହିବି ମରମ ଦୁଃଖକୁ | ସଖୀ ପ୍ରତି ରାଧା | |||
କରି ଥାଇ ଯେ ଯାହା ସଙ୍ଗେ ପ୍ରୀତିକି | ସାବେରୀ | ରାଧା ପ୍ରତି ସଖୀ | ||
ରସରଙ୍ଗି ତୋ ଇଙ୍ଗିତ ବଚନେ | ଶ୍ରୀ | ରାଧା ପ୍ରତି ସଖୀ | ପାରଳା ମହାରାଜଙ୍କ ନାମରେ ଭଣିତ । | |
କି କହିବି ସେ ଘନଜଘନୀ ବେଦନା | ଜୁଝାବତୀ | କୃଷ୍ଣ ପ୍ରତି ସଝୀ | ଶ୍ରୀନିବାସ ରାଜମଣିଙ୍କ ନାମରେ ଭଣିତ । | |
ସାରିଦେଲାଣି ଶମ୍ବରାରିରେ କିଶୋରି | ଭୈରବୀ | ରାଧା ପ୍ରତି ସଖୀ | ||
କରୁଣାବତୀ କରୁଣା ଊଣା କଲିକୁ ବିଚାରି | ବେହାଗ | ବିଦେଶଚିନ୍ତା | ||
ପ୍ରସଙ୍ଗକୁ ସିନା କହିଲିରେ ନବୀନା | ମୁଖାରୀ | ତ୍ରିପୁଟା | ରାଧା ପ୍ରତି ସଖୀ | |
ଶୁଣ ହେ ଶ୍ରୀହରି ତୁମ୍ଭଙ୍କୁ କିଶୋରୀ | କୃଷ୍ଣ ପ୍ରତି ସଖୀ | |||
କେ ଜାଣି ଥିଲା ଏ କଥାରେ ସୁକେଶୀ | ଆନନ୍ଦଭୈରବୀ | ତ୍ରିପୁଟା | ରାଧା ପ୍ରତି ସଖୀ | |
ହୋଇଥାରେ ବେଶ କୁଞ୍ଜକୁ ଯିବୁ ପରା | ଭୈରବୀ | ରୂପକ | ରାଧା ପ୍ରତି ସଖୀ | |
କହିବା କଥା ସେ ନୁହଇ ଆରେ ସହି | ଧନାଶ୍ରୀ | ସଖୀ ପ୍ରତି ରାଧା | ||
ସରି ଏତିକି ହେ ଶ୍ୟାମ ତୁମ୍ଭ ସ୍ନେହ | କାମୋଦୀ | ତ୍ରିପୁଟା | କୃଷ୍ଣ ପ୍ରତି ରାଧା | |
ଆସିବେ ଆଉକି କାନ୍ତ ମୋର ପାଶକୁ | କେଦାରଗୌଡ଼ା | ସଖୀ ପ୍ରତି ରାଧା | ଜଗନ୍ନାଥ ରାଜଙ୍କ ନାମରେ ଭଣିତ । | |
ଜନେ ହସାଇବା ଯୁକତିକି ଏହା | କାମୋଦୀ | କୃଷ୍ଣ ପ୍ରତି ସଖୀ |
ଆଧାର
[ସମ୍ପାଦନା]- ↑ ପାରଳାଖେମୁଣ୍ଡି ସଙ୍ଗ୍ରହାଳୟରେ ଥିବା କବିଙ୍କ ଚିତ୍ର ଓ ବିବରଣୀ ଅନୁସାରେ ।
- ↑ "ସେ ପ୍ରାୟ ଊନଶତ ବର୍ଷ ଜୀବିତ ଥିଲେ ।" ଗୌରହରି ଗ୍ରନ୍ଥାବଳୀ, ୧୯୨୬ । ପ୍ରଥମ ସଂସ୍କରଣ, ଶ୍ରୀ ଆପନ୍ନା ପଣ୍ଡାଙ୍କଦ୍ୱାରା ସଂଶୋଧିତ, ପାରଳାଧୀଶ୍ୱର ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ମହାରାଜାଙ୍କଦ୍ୱାରା ପ୍ରକାଶିତ ।
- ↑ ୩.୦ ୩.୧ Orissan history, culture, and archaeology: in felicitation of Prof. P.K. Mishra, Sadasiba Pradhan, D.K. Printworld, 01-Jan-1999 - History - 477 pages.
- ↑ Rare art form finds few takers - 150-year-old traditional dance languishes in neglect, SUNIL PATNAIK, The Telegraph Wednesday , December 29 , 2010.
- ↑ ୫.୦ ୫.୧ ୫.୨ ୫.୩ ୫.୪ ଓଡ଼ିଆ ଲେଖକ ପରିଚୟ (୧୪୫୦-୧୮୫୦), ଡଃ କୃଷ୍ଣଚରଣ ସାହୁ (ସଂକଳକ) । ୧୯୮୧, ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର - ୭୫୧୦୧୪ ।
- ↑ ୬.୦ ୬.୧ A Dictionary of Indian Literature: Beginnings-1850, Sujit Mukherjee Orient Blackswan, 1998 - Literary Criticism - 434 pages.
- ↑ ୭.୦ ୭.୧ ୭.୨ ରାଜା ରାମକୃଷ୍ଣ ଛୋଟରାୟ ବିରଚିତ ପ୍ରହ୍ଲାଦ ନାଟକ, ସୁରେଶ ବଳବନ୍ତରାୟ (ସମ୍ପା) । ପ୍ରଥମ ସଂସ୍କରଣ, ୨୦୦୬, ଊର୍ମିଳା ବଳବନ୍ତରାୟମ ବହିପତ୍ର ପ୍ରକାଶନ, ସୁନ୍ଦରପଡ଼ା, ଭୁବନେଶ୍ଢ଼ର - ୭୫୧୦୦୨ ।