ଆକାଶବାଣୀ କଟକ

ଉଇକିପିଡ଼ିଆ ରୁ
Jump to navigation Jump to search


ଆକାଶବାଣୀ କଟକ

ଆକାଶବାଣୀ କଟକ କେନ୍ଦ୍ର ୧୯୪୮ ଜାନୁଆରୀ ୨୮ତାରିଖରେ[୧] କଟକର ମିଶନରୋଡ଼ସ୍ଥିତ ମଧୁପୁରକୋଠିଠାରେ ପ୍ରତିଷ୍ଠିତ ହୋଇଥିଲା । ସେହି ଦିନ ଠାରୁ ଆକାଶବାଣୀ କଟକ, ଓଡ଼ିଶା ତଥା ଓଡ଼ିଶା ବାହାର ଲୋକଙ୍କୁ ସୂଚନା[୨], ଶିକ୍ଷା ଏବଂ ମନୋରଞ୍ଜନ ପ୍ରଦାନ କରିଆସିଛି । ଓଡ଼ିଶାରେ ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠା କରିବାରେ, ଡକ୍ଟର ହରେକୃଷ୍ଣ ମହତାବ[୩], ଲକ୍ଷ୍ମୀନାରାୟଣ ସାହୁ, ଭୁବନାନନ୍ଦ ଦାସ, ଆର୍ତ୍ତବଲ୍ଲଭ ମହାନ୍ତି, କାଳିଚରଣ ପଟ୍ଟନାୟକ ଆଦି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଇତିହାସ[ସମ୍ପାଦନା]

  1. ୧୯୪୮ ଜାନୁଆରୀ ୨୮ତାରିଖରେ ଆକାଶବାଣୀର କାର୍ଯ୍ୟକ୍ରମ ପ୍ରସାରଣ ପ୍ରଥମେ ଏକ କିଲୋୱାଟ ଶକ୍ତି ସମ୍ପର୍ନ୍ନ ଟ୍ରାନ୍ସମିଟରଦ୍ୱାରା କିଲ୍ଲାପଡ଼ିଆରୁ ଆରମ୍ଭ କରାଯାଇଥିଲା ।
  2. ୧୯୫୮ ମସିହା ମେ ମାସରେ ଫକୀରପଡାଠାରେ ୨୦ କିଲୋୱାଟ ଟ୍ରାନ୍ସମିଟରଦ୍ୱାରା କାର୍ଯ୍ଯକ୍ରମ ସମ୍ପାଦନ କରାଯାଇଥିଲା ।
  3. ୧୯୬୨ ମସିହା ଅଗଷ୍ଟ ୧୯ ତାରିଖରୁ କିଲ୍ଲାପୋର୍ଟରେ ଥିବା ଏକ କିଲୋୱାଟ ଟ୍ରାନ୍ସମିଟରରୁ 'ବିବିଧ ଭାରତୀ' କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।
  4. ୧୯୭୫ ମସିହା ମଇ ମାସ ୧ ତାରିଖରୁ 'ବିଜ୍ଞାପନ ପ୍ରସାରଣ ସେବା' ଆରମ୍ଭ ହୋଇଥିଲା ।
  5. ୧୯୭୪ ମସିହା ନଭେମ୍ବର ୧୯ତାରିଖରେ ୧୦୦ କିଲୋୱାଟ ଶକ୍ତି ସମ୍ପର୍ଣ୍ଣ ଟ୍ରାନ୍ସମିଟର ସ୍ଥାପନା କରାଗଲା ଓ ଆକାଶବାଣୀର କାର୍ଯ୍ୟକ୍ରମ ବାଲେଶ୍ୱରଠାରୁ ବ୍ରହ୍ମପୁର ପର୍ଯ୍ୟନ୍ତ ଶ୍ରୋତାଙ୍କ ପାଖରେ ପହଞ୍ଚି ପାରିଲା ।
  6. ୧୯୭୬ ମସିହା ଜାନୁଆରୀ ୨୭ ତାରିଖରେ ଭୁବନେଶ୍ୱରରେ ପ୍ରତିଷ୍ଠା କରାଗଲା ଏକ ସହାୟକ ଷ୍ଟୁଡିଓ ।
  7. ୧୯୭୭ ମସିହା ଡିସେମ୍ବର ୨୫ ତାରିଖରେ, ଆକାଶବାଣୀ କଟକର ନିଜସ୍ୱ ଟାଇପ-୪ ଷ୍ଟୁଡିଓକୁ କଟକର ୩, କାଣ୍ଟନମେଣ୍ଟ ରୋଡ଼ଠାରେ କାର୍ଯ୍ୟକ୍ଷମ କରାଗଲା । ଏବେ ସେହି, ଷ୍ଟୁଡିଓରୁ ଆକାଶବାଣୀ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି ।
  8. ୧୯୯୬ ମସିହା ମାର୍ଚ୍ଚ ମାସ ତିନି ତାରିଖରୁ ଆକାଶବାଣୀର ଏଫ୍.ଏମ୍ ପ୍ରସାରଣ ସେବା ଆରମ୍ଭ କରାଗଲା ।
  9. ୨୦୦୩ ମସିହା ଜାନୁଆରୀ ୧୩ ତାରିଖରେ ଆକାଶବାଣୀ କଟକ କେନ୍ଦ୍ରରେ ସ୍ଥାପନ କରାଗଲା ଫ୍ରାନ୍ସରୁ ଆସିଥିବା ୩୦୦ କିଲୋୱାଟ ମିଡିୟମ ୱେଭ ଟ୍ରାନସମିଟର । ଏହି ଟ୍ରାନ୍ସମିଟରର ଗୁଣାତ୍ମକମାନ ସର୍ବାଧିକ ହୋଇଥିବାରୁ, ଆମ ରାଜ୍ୟର ସମସ୍ତ ଅଞ୍ଚଳର ଶ୍ରୋତା ଏହା ମାଧ୍ୟମରେ ଆକାଶବାଣୀର କାର୍ଯ୍ୟକ୍ରମ ଶୁଣି ପାରୁଛନ୍ତି ।
  10. ୨୦୦୬ ମସିହା ଅକ୍ଟୋବର ମାସ ୨ ତାରିଖରୁ ଆରମ୍ଭ ହୋଇଛି, ଉପଗ୍ରହ ମାଧ୍ୟମରେ ଡି.ଟି.ଏଚ୍. ସେବା । ଏହା ଡିଜିଟାଲ୍ ହୋଇଥିବାରୁ, ଏହାର ଗୁଣାତ୍ମକମାନ ସର୍ବାଧିକ ଉଚ୍ଚକୋଟୀର ଏବଂ ଏହି ବ୍ୟବସ୍ଥାଦ୍ୱାରା ବିଶ୍ୱର ଯେକୌଣସି ସ୍ଥାନରେ ଥିବା ବ୍ୟକ୍ତିବିଶେଷ ଆକାଶବାଣୀର କାର୍ଯ୍ୟକ୍ରମ ଶୁଣିବାରେ ସକ୍ଷମ ହୋଇପାରୁଛନ୍ତି ।

ବିବିଧ କାର୍ଯ୍ୟକ୍ରମ[ସମ୍ପାଦନା]

'ବହୁଜନ ହିତାୟ ଓ ବହୁଜନ ସୁଖାୟ' ମନ୍ତ୍ରରେ ଅଭିମନ୍ତ୍ରିତ ଆକାଶବାଣୀ କଟକ କେନ୍ଦ୍ର ଓଡ଼ିଶାର ପ୍ରାଚୀନ ଐତିହ୍ୟ, ସଂସ୍କୃତି, ଶିକ୍ଷା, ସ୍ୱାସ୍ଥ୍ୟସୂଚନା, ସମ୍ବାଦ, ଭାଷା, ସାହିତ୍ୟ, କଳା, ସ୍ଥାପତ୍ୟ, ଧର୍ମ, ଜୀବନଧାରା, ଦର୍ଶନ, କୃଷି, ଅର୍ଥନୀତି, ଆଇନ, ଶିଳ୍ପବିକାଶ, ରାଜନୈତିକ ଓ ଐତିହାସିକ କାର୍ଯ୍ୟକ୍ରମଗୁଡ଼ିକ ଆବହମାନ କାଳରୁ ପ୍ରସାରଣ କରିଆସୁଛି । ଏହି କେନ୍ଦ୍ରରୁ ପ୍ରସାରିତ ବନ୍ଦନା, ଅନୁଚିନ୍ତା, କୃଷି ପ୍ରସଙ୍ଗ, ପାଣିପାଗ, ଆଞ୍ଚଳିକ ସମ୍ବାଦ, ଆଜିର ପ୍ରସଙ୍ଗ, ଜନଜୀବନ ସମ୍ବାଦ, ଜିଲ୍ଲା ହାଲଚାଲ, ସମାଚାର ଦର୍ପଣ, ବିଶେଷ ସମାଚାର, ପ୍ରଭାତ ପରିକ୍ରମା, ଲୋକଗୀତ, ଯଥା- ପାଲା, ଦାସକାଠିଆ, ଏକତାରା, ଖଞ୍ଜଣି ଭଜନ, ଚଇତିଘୋଡା ନୃତ୍ୟ, ଘୁମୁରା ଗୀତ, କେଳାକେଲୁଣୀ, ଧୁଡୁକୀ, କେନ୍ଦରା, ଯାତ୍ରାଗୀତ, ପାଟୁଆଗୀତ, ଗୋପାଳଙ୍କ ଓଗାଳ, ଲୋକବାଦ୍ୟ ଯଥା- ମୃଦଙ୍ଗ, ତେଲିଙ୍ଗି ବାଦ୍ୟ, ଯୋଡିନାଗରା, ଶଙ୍ଖବାଦ୍ୟ, ସଙ୍ଗୀତ ନାଟକ, ରୂପକ, ବେତାର ବିବରଣୀ, ଯୁବବାଣୀ,ଶିକ୍ଷା, ନାରୀମହଲ, ବିଜ୍ଞାନ ପ୍ରଭା, ଶିଶୁ ସଂସାର, କ୍ରୀଡା ଧାରାବିବରଣୀ, ରଥଯାତ୍ରା ଧାରାବିବରଣୀଠାରୁ ଆରମ୍ଭ କରି ଭାଗବତ ଓ ରାମାୟଣ ପର୍ଯ୍ୟନ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପ୍ରସାରିତ ହୋଇଥାଏ ।

ଆକାଶବାଣୀରେ, ଦିନର ଆରମ୍ଭ ହୁଏ 'ବନ୍ଦେ ମାତରମ୍' ଉଚ୍ଚାରଣରୁ । ଏହି କାର୍ଯ୍ୟକ୍ରମ ଶ୍ରୋତାମାନଙ୍କ ମଧ୍ୟରେ ଦିନର ଆରମ୍ଭରୁ ହିଁ ଦେଶପ୍ରୀତିର ଭାବନା ଜାଗ୍ରତ କରାଇଥାଏ । ତା'ପରେ ଦେଶବିଦେଶର ଖବର ପ୍ରସାରଣ କରାଯିବା ପରେ, 'ବନ୍ଦନା' କାର୍ଯ୍ୟକ୍ରମ ଜରିଆରେ ଭଗବାନଙ୍କ ସ୍ତୁତିଗାନ କରାଯାଏ । ବାଣୀକଣ୍ଠ ନିମାଇଁ ହରିଚନ୍ଦନ, ସିଂହାରୀ ଶ୍ୟାମ ସୁନ୍ଦର କର, ବାଳକୃଷ୍ଣ ଦାସ, ଭୁବନେଶ୍ୱର ମିଶ୍ର,ସୁମତି ଦେବୀ,ସୁନନ୍ଦା ପଟ୍ଟନାୟକ[୪], ଭିକାରୀ ବଳ, ପ୍ରଫୁଲ୍ଲ କର, ଅରବିନ୍ଦ ମୁଦୁଲି, ଅର୍ଜୁନ ଚରଣ ସାମଲଙ୍କ ଠାରୁ ଆରମ୍ଭ କରି ଆଜିର ନୂତନ ପିଢିର କଳାକାରମାନେ ବନ୍ଦନା କାର୍ଯ୍ୟକ୍ରମରେ କଣ୍ଠଦାନ କରି ଏହାକୁ ଲୋକପ୍ରିୟତାର ଶିଖରରେ ପହଞ୍ଚାଇ ପାରିଛନ୍ତି । 'ଅନୁଚିନ୍ତା' କାର୍ଯ୍ୟକ୍ରମ ମାଧ୍ୟମରେ ଈଶ୍ୱରଙ୍କ ବାଣୀ ପ୍ରଚାର ସହ ତାଙ୍କ ବିଷୟରେ ସଦାସର୍ବଦା ଚିନ୍ତାକରିବାର ବାର୍ତ୍ତା ଦିଆଯାଇଥାଏ। ଏହି କାର୍ଯକ୍ରମ ଉପସ୍ଥାପକ ଶଙ୍କର୍ଷଣ ମଙ୍ଗରାଜ, ନିଜର ବଳିଷ୍ଠ ବେତାର ଉପସ୍ଥାପନା ପାଇଁ ଓଡ଼ିଶାର ଘରେ ଘରେ ପରିଚିତ ।

କୃଷିଭିତ୍ତିକ କାର୍ଯ୍ୟକ୍ରମ, ଆକାଶବାଣୀର ଅନ୍ୟତମ ଲୋକାଭିମୁଖୀ କାର୍ଯ୍ୟକ୍ରମ ଅଟେ । ଏହାର ଉପସ୍ଥାପକମଣ୍ଡଳି କିଣୁ ପ୍ରଧାନ, ସାମଲ ପୁଅ, ବରାଳ ପୁଅ, ସନାଭାଇ, ପାର ଅପା ଆଦି ନାମରେ ଖୁବ ପରିଚିତ । ନୟନ କିଶୋର ମହାନ୍ତି, ରବୀନ୍ଦ୍ର ନାଥ ମହାନ୍ତି ଏବଂ ବିଜୟ କେତନ ମଙ୍ଗରାଜ ପ୍ରମୁଖ ଏହି କାର୍ଯ୍ୟକ୍ରମ ସହିତ ବହୁ ଦିନରୁ ଜଡ଼ିତ ରହିଆସିଛନ୍ତି । 'ସମ୍ବାଦ', ଆକାଶବାଣୀର ଅନ୍ୟତମ ବୃହତ ଶ୍ରୋତା ସୃଷ୍ଟିକାରୀ କାର୍ଯ୍ୟକ୍ରମ ଅଟେ । ଅନ୍ୟାନ୍ୟ ଗଣମାଧ୍ୟମଠାରୁ ଶୀଘ୍ର ଓ ସଠିକ ଖବର ପ୍ରସାରଣ କରି, ସମ୍ବାଦ ଶ୍ରୋତାମାନଙ୍କର ଖୁବ ବିଶ୍ୱାସଭାଜନ ହୋଇପାରିଛି । ମନୋରଞ୍ଜନ ଦାସ[୫], ଯତୀନ ଦାସ ଏବଂ ଉପେନ୍ଦ୍ର ପାହାଡ଼ସିଂ ନିଜର ବଳିଷ୍ଠ ସମ୍ବାଦ ପାଠନ ଶୈଳି ପାଇଁ ଓଡ଼ିଶାର ଘରେ ଘରେ ପରିଚିତ ।

ଆକାଶବାଣୀର ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟରେ 'ନାଟକ'ର ସ୍ଥାନ ସ୍ୱତନ୍ତ୍ର । ଏଥିରେ ଧ୍ୱନିକୁ ଛବିରେ ରୂପାନ୍ତରିତ କରି ଅନୁଭବ କରାଯାଏ । କଟକ ଆକାଶବାଣୀରୁ ଦୁର୍ଗାପୂଜା ସମୟରେ ମା'ଦୁର୍ଗାଙ୍କୁ ନେଇ ସ୍ୱତନ୍ତ୍ର ନାଟକ, ଖୁଦୁରୁକୁଣି ବେଳେ ତଅପୋଇ ନାଟକ, ଜନ୍ମାଷ୍ଟମୀ ଦିନ, ଶ୍ରୀକୃଷ୍ଣ ଜନ୍ମ ବୃତ୍ତାନ୍ତ ଓ ଲୀଳାକୁ ନେଇ ନାଟକ ପରିବେଷଣ କରାଯାଇଥାଏ । ସେହିପରି ସ୍ୱାଧୀନତା ଦିବସ ଭଳି ଗୁରୁତ୍ୱପୂର୍ଣ ଦିବସରେ ଦେଶାତ୍ମବୋଧକ ନାଟକ ପରିବେଷଣ କରାଯାଇଥାଏ । ବିଜ୍ଞାନ ଭିତ୍ତିକ ନାଟକଓ ଅନ୍ୟ ଭାଷାର ଅନୁବାଦ କରାଯାଇଥିବା ନାଟକ ମଧ୍ୟ ଆକାଶବାଣୀରେ ପରିବେଷଣ କରାଯାଏ । ଆକାଶବାଣୀ ମାଧ୍ୟମରେ ଗୋପାଳ ଛୋଟରାୟ,[୬][୭],ବିଜୟ ମିଶ୍ର, ରତି ରଞ୍ଜନ ମିଶ୍ର ପ୍ରମୁଖ ନାଟ୍ୟକାରମାନେ ଖୁବ ଲୋକପ୍ରିୟତା ଅର୍ଜନ କରିପାରିଛନ୍ତି ।

ଆକାଶବାଣୀରେ ସଙ୍ଗୀତ କାର୍ଯ୍ୟକ୍ରମର ଚାହିଦା ଅନେକ । ପ୍ରତି ଗାୟକ ଓ ଗାୟିକାଙ୍କର ଆକାଶବାଣୀର ସ୍ୱୀକୃତିପ୍ରାପ୍ତ କଳାକାର ହେବାଲାଗି ସ୍ୱପ୍ନ ରହିଥାଏ । ଓଡ଼ିଶାର ବହୁ ପ୍ରତିଷ୍ଠିତ ଗାୟକ ଓ ସଙ୍ଗୀତଜ୍ଞ ଆକାଶବାଣୀ ମାଧ୍ୟମରେ ଛାନ୍ଦ, ଭଜନ, ଜଣାଣ, ଦେଶବନ୍ଦନା, ଚମ୍ପୂ, ଓଡ଼ିଶୀ, ପଲ୍ଲୀଗୀତ ଏବଂ ଆଧୁନିକ ଗୀତ ପରିବେଷଣ କରି ଓଡ଼ିଶାର ସଙ୍ଗୀତ ପରମ୍ପରାକୁ ଲୋକପ୍ରିୟ କରାଇବାରେ ସମର୍ଥ ହୋଇଛନ୍ତି । ଭଜନରେ ସିଂହାରୀ ଶ୍ୟାମ ସୁନ୍ଦର କର, ରଘୁନାଥ ପାଣିଗ୍ରାହୀ[୮] ଓଡ଼ିଶୀ ସଙ୍ଗୀତରେ, ଅକ୍ଷୟ ମହାନ୍ତି, ପ୍ରଣବ ପଟ୍ଟନାୟକ, ଚିତ୍ତ ଜେନା, ସିକନ୍ଦର ଆଲାମ[୯] ଆଦି ଆଧୁନିକ ସଙ୍ଗୀତ ପରିବେଷଣ କରି ଖୁବ ଲୋକପ୍ରିୟ ହୋଇପାରିଛନ୍ତି । ହରିପ୍ରସାଦ ଚୌରାଶିଆଙ୍କ ବଂଶୀବାଦନର ମୂଳଦୁଆ ଆକାଶବାଣୀ କଟକରେ ହିଁ ପଡ଼ିଥିଲା[୧୦][୧୧] । ସମ୍ବଲପୁରୀ ଲୋକଗୀତ ରଙ୍ଗବତୀ ରଙ୍ଗବତୀ କନକଲତା ଆକାଶବାଣୀ ମାଧ୍ୟମରେ ୧୯୭୮ ମସିହାରେ ଲୋକଲୋଚନକୁ ଆସିପାରିଥିଲା । ଜିତେନ୍ଦ୍ର ହରିପାଲ[୧୨]ଙ୍କ କଣ୍ଠସ୍ୱର କଟକ ଓ ସମ୍ବଲପୁର ଆକାଶବାଣୀ ଡେଇଁ ଦେଶର ଅନ୍ୟାନ୍ୟ କେନ୍ଦ୍ର ଏବଂ ପରେ ବିବିସିରେ ମଧ୍ୟ ପ୍ରସାରିତ ହୋଇଥିଲା ।

ଅନ୍ୟାନ୍ୟ କାର୍ଯ୍ୟକ୍ରମ ଗୁଡିକ ମଧ୍ୟରେ, ପିଲାଙ୍କ ପାଇଁ 'ଶିଶୁ ସଂସାର','ଗାନ୍ଧୀ ଚର୍ଚା', ଯୁବଗୋଷ୍ଠିଙ୍କ ପାଇଁ 'ଯୁବବାଣୀ, ନାରୀମାନଙ୍କ ପାଇଁ 'ନାରୀମହଲ',ବୟସ୍କମାନଙ୍କ ପାଇଁ 'ମାନନୀୟେଷୁ', ସାହିତ୍ୟ ଭିତ୍ତିକ 'ସାହିତ୍ୟ ପତ୍ରିକା', ବିଜ୍ଞାନ ଭିତ୍ତିକ 'ବିଜ୍ଞାନ ପ୍ରଭା',କ୍ରିଡା,ଶିଳ୍ପ,ସାକ୍ଷାତକାର, ଚିଠିପତ୍ର, ଫୋନ ଇନ ଇତ୍ୟାଦି କାର୍ଯ୍ୟକ୍ରମ ଆକାଶବାଣୀର ଲୋକପ୍ରିୟତା ବୃଦ୍ଧିରେ ବିଶେଷ ସହାୟତା କରିଛନ୍ତି ।

ଓଡ଼ିଶାରେ ଆକାଶବାଣୀର ଲୋକପ୍ରିୟତା ଓ ପ୍ରୟୋଜନିତା, ଏହି ଛୋଟ କଥାଟିରୁ ସହଜରେ ଅନୁମେୟ କରାଯାଇପାରେ ଯେ, ଆଜି ବି ଅନେକ ଲୋକ ନିଜର ଘଣ୍ଟାକୁ ଆକାଶବାଣୀର ସମୟ ସହିତ ମେଳାଇ ନିଅନ୍ତି।[୧୩]

ଆଧାର[ସମ୍ପାଦନା]

  1. http://orissa.gov.in/e-magazine/orissaannualreference/ORA-2004/pdf/all_india_radio.pdf
  2. http://orissasoochanacommission.nic.in/IEC%20Activities%202006-07_01.html
  3. http://www.odisha.gov.in/portal/LIWPL/event_archive/Events_Archives/119Harekrushna_Mahatab.pdf
  4. http://www.telegraphindia.com/1120817/jsp/saltlake/story_15860794.jsp#.UQZYjfKN6So
  5. http://www.srjan.com/moreaward.aspx?awardid=37&events=4
  6. Amaresh Datta (1987). Encyclopaedia of Indian Literature: A-Devo. Sahitya Akademi. pp. 742–. ISBN 978-81-260-1803-1. Retrieved 28 January 2013.
  7. http://www.loc.gov/acq/ovop/delhi/salrp/chhotray.html
  8. http://hindu.com/2002/12/27/stories/2002122702440900.htm
  9. http://www.hindu.com/2010/08/10/stories/2010081054490200.htm
  10. http://www.iitkgp.ac.in/top-awardees/causa1.php?Sl=86
  11. http://spicmacay.com/news/flute-maestro-chaurasia-pays-musical-tribute-to-late-sikandar-alam
  12. http://www.hindu.com/2001/05/27/stories/13270782.htm
  13. ୨୦୧୨ ଅକ୍ଟୋବର ମାସର କାଦମ୍ବିନୀରେ ପ୍ରକାଶିତ, ଜିତେନ୍ଦ୍ର କୁମାର ନାୟକଙ୍କ ଲିଖିତ ପ୍ରସଙ୍ଗ 'ଆଶାର ବାଣୀ ଆକାଶବାଣୀ"

ବାହାର ଆଧାର[ସମ୍ପାଦନା]