ସିକନ୍ଦର ଆଲାମ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ସିକନ୍ଦର ଆଲାମ
ଜନ୍ମ ଓ ଜନ୍ମସ୍ଥାନ ମହମ୍ମଦ ସିକନ୍ଦର ଆଲାମ
୨୭ ଜୁଲାଇ ୧୯୩୯(1939-07-27)
ବୟାଳିଶି ମୌଜା, କଟକ, ଓଡ଼ିଶା
ମୃତ୍ୟୁ ୮ ଅଗଷ୍ଟ, ୨୦୧୦ (୭୧ ବର୍ଷ)
ଭୁବନେଶ୍ୱର
ଘର ଭୁବନେଶ୍ୱର
ଜାତୀୟତା  ଭାରତୀୟ
ଅଲଗା ନାଆଁ ଆଧୁନିକ ଓଡ଼ିଶାର ସାଲବେଗ
ଶିକ୍ଷା ସଂଗୀତ ବିଶାରଦ
ଶିକ୍ଷାନୁଷ୍ଠାନ ଖ୍ରୀଷ୍ଟ କଲେଜିଏଟ ସ୍କୁଲ, ଗନ୍ଧର୍ବ ମହାବିଦ୍ୟାଳୟ
ପ୍ରସିଦ୍ଧି ଓଡ଼ିଆ ଗାୟକ ଓ ସଙ୍ଗୀତକାର
ଇସଲାମ ଧର୍ମ
ଜୀବନସାଥି ନାଇମା ଆଲାମ

ସିକନ୍ଦର ଆଲାମ, ଓଡ଼ିଆ କଥାଚିତ୍ର ଜଗତର ଜଣେ ପ୍ରଖ୍ୟାତ ପ୍ରଛଦପଟ ଗାୟକ ।[୧][୨] ତାଙ୍କର ଜଗନ୍ନାଥ ଭଜନ ଓ ଜଣାଣ ପାଇଁ, ସେ ଓଡ଼ିଶାର ଘରେ ଘରେ ପରିଚିତ ।[୩] ତାଙ୍କୁ ଆଧୁନିକ ଓଡ଼ିଶାର ସାଲବେଗ ମଧ୍ୟ କହାଯାଏ ।

ବାଲ୍ୟ ଜୀବନ ଓ ଶିକ୍ଷା[ସମ୍ପାଦନା]

ସିକନ୍ଦର ଆଲାମ, ୧୯୩୯ ମସିହା ଜୁଲାଇ ମାସ ୨୭ ତାରିଖରେ, କଟକ ଜିଲ୍ଲା ବୟାଳିଶି ମୌଜା ବ୍ଳକର ରାଉତରାପୁରଠାରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟ ଜୀବନ ନିଜ ଗାଁରେ ହିଁ କଟିଥିଲା । ପରବର୍ତୀ ସମୟରେ ସେ ନିଜ ପିତାମାତାଙ୍କ ସହ କଟକକୁ ଚାଲିଆସିଥିଲେ । କଟକର ଖ୍ରୀଷ୍ଟ କଲେଜିଏଟ ସ୍କୁଲରୁ ମାଟ୍ରିକ ଓ ଷ୍ଟିୱାର୍ଟ କଲେଜରୁ ବିଜ୍ଞାନରେ ଇଣ୍ଟରମିଡିଏଟ ପାସ କରିଥିଲେ । ତା ପରେ ନିଜ ପିତା ଓ ବଡ଼ ଭାଇଙ୍କ ଠାରୁ ପ୍ରେରଣା ପାଇ[୪] ସଂଗୀତ ଶିକ୍ଷା କରିବା ପାଇଁ ସେ ପ୍ରସିଦ୍ଧ ଗନ୍ଧର୍ବ ମହାବିଦ୍ୟାଳୟରେ ଯୋଗଦାନ କରିଥିଲେ । ଏହି ଅନୁଷ୍ଠାନରୁ ହିଁ ସେ ଗୁରୁ ଗୋବିନ୍ଦ ଚନ୍ଦ୍ର ପାଲୁଶକର ଏବଂ ଉସ୍ତାଦ କୁନ୍ଦଳ ଆଦୀନାରାୟଣ ରାଓଙ୍କ ଅଧିନରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତରେ କୃତିତ୍ଵର ସହ ସଂଗୀତ ବିଶାରଦ ହାସଲ କରିଥିଲେ । [୫]

ପରିବାର[ସମ୍ପାଦନା]

ସିକନ୍ଦର ଆଲାମ ୧୫ ଜୁନ ୧୯୬୫ ମସିହାରେ ବିବାହ କରିଥିଲେ । ତାଙ୍କ ପତ୍ନୀ ନାଇମା ଆଲାମ ମଧ୍ୟ ଜଣେ ସୁଗାୟିକା ତଥା ଆକାଶବାଣୀର ଜଣେ ସ୍ଵୀକୃତିପ୍ରାପ୍ତ କଳାକାର । ଦୁଇ କନ୍ୟାଙ୍କ ମଧ୍ୟରୁ ବଡ଼ ସୋଫିଆ ଆଲାମ ଜଣେ ଅଭିନେତ୍ରୀ ଓ ସାନ ନାଜିଆ ଆଲାମ ଜଣେ ସୁନାମଧନ୍ୟା କଣ୍ଠଶିଳ୍ପୀ ।[୬]

କର୍ମଜୀବନ[ସମ୍ପାଦନା]

ସିକନ୍ଦର ଆଲାମ, ୧୯୫୭ ମସିହାରେ ମାତ୍ର ୧୮ ବର୍ଷ ବୟସରୁ ଆକାଶବାଣୀ କଟକରେ ଗୀତ ଗାଇବା ଆରମ୍ଭ କରିଥିଲେ ।[୭] ଭଜନ, ଜଣାଣ, ଗଜଲ, ଆଧୁନିକ ଇତ୍ୟାଦି ସଂଗୀତର ସବୁ ଦିଗରେ ସେ ନିଜର ଦକ୍ଷତା ପ୍ରତିପାଦନ କରି ଖୁବ କମ ସମୟରେ ବହୁ ଲୋକପ୍ରିୟତା ଅର୍ଜନ କରିଥିଲେ ।[୮] ୧୯୬୨ମସିହାରେ ନିର୍ମିତ ଚଳଚ୍ଚିତ୍ର ଲକ୍ଷ୍ମୀରେ ସଂଗୀତ ସୁଧାକରବାଳକୃଷ୍ଣ ଦାସଙ୍କ ନିର୍ଦ୍ଦେଶନାରେ କଣ୍ଠଦାନ କରିସେ ପ୍ରଥମ ଥର ପାଇଁ ଓଡ଼ିଆ ଚଳଚିତ୍ର ଜଗତକୁ ପ୍ରବେଶ କରିଥିଲେ।[୯] ଏହି ଚଳଚିତ୍ରରେ ସେ କଣ୍ଠଦାନ କରିଥିବା ଗୀତଟି , 'ଆରତ ଶୁଣ ବାରେ', ବହୁ ଲୋକପ୍ରିୟତା ଅର୍ଜନ କରିଥିଲା। ପରବର୍ତୀ ସମୟରେ ସେ ବହୁ ଓଡ଼ିଆ ଚଳଚିତ୍ର ପାଇଁ କଣ୍ଠଦାନ କରିଥିଲେ । ସେ ମଧ୍ୟରୁ ଅମଡ଼ା ବାଟ, ଅଦିନ ମେଘ,ମାଣିକ ଯୋଡ଼ି, ମମତା, ସୂର୍ଯ୍ୟମୁଖୀ, ପୂଜା ପ୍ରଭୃତି ଅନ୍ୟତମ ।[୧୦] ଏତଦ ବ୍ୟତିତ, ସେ ବହୁ ଆଲବମ ପାଇଁ ମଧ୍ୟ କଣ୍ଠଦାନ କରିଥିଲେ । ନିଜ ପତ୍ନୀ ନାଇମା ଓ କନ୍ୟା ନାଜିଆ ଆଲାମଙ୍କ ସହ ମିଶି ସେ 'ଆଲ୍ଲା କେ ହୁଜୁର' ନାମରେ ଏକ ଆଲବମ ମଧ୍ୟ କରିଥିଲେ । ଦେଶ, ବିଦେଶରେ ସେ ବହୁବାର ନିମନ୍ତ୍ରିତ ହୋଇ ସଂଗୀତ ପରିବେଷଣ କରିଥିଲେ ।

ସିକନ୍ଦର ଆଲାମ, ରାଜ୍ୟ କୃଷି ବିଭାଗରେ ଜଣେ ଅଧିକାରୀ ଭାବରେ କାମ କରିଥିଲେ । ଏତଦ ବ୍ୟତିତ, ସେ ଓଡ଼ିଶା ରାଜ୍ୟ 'ସଂଗୀତ ନାଟକ ଏକାଡେମୀ'ର ଉପସଭାପତି ଓ ସଂଗୀତ ସୁଧାକର ବାଳକୃଷ୍ଣ ଦାସ ଫାଉଣ୍ଡେସନର ସଭାପତି ପଦବି ମଧ୍ୟ ଅଳଙ୍କୃତ କରିଥିଲେ । [୧୧]

୮ ଅଗଷ୍ଟ ୨୦୧୦ ମସିହାରେ ତାଙ୍କର ତିରୋଧାନ ଘଟିଥିଲା ।[୧୨]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଜୀବନ ବ୍ୟାପି ସଂଗୀତ ସାଧନା ଓ କର୍ମଚଞ୍ଚଳତା ତାଙ୍କୁ ଅନେକ ପୁରସ୍କାର ଓ ସମ୍ମାନ ଆଣିଦେଇଛି ।

  • ୧୯୬୯ - ଚିତ୍ରପୁରୀ ସମ୍ମାନ
  • ୧୯୮୦ - ସୁର ସାଗର (ଶ୍ରୀକ୍ଷେତ୍ର କଳା ପ୍ରକାଶନୀ)
  • ୧୯୮୧- ଧରିତ୍ରୀ ସମ୍ମାନ
  • ୧୯୮୩- ଓଡ଼ିଶା ସୋସାଇଟି ଅଫ ଆମେରିକା
  • ୧୯୯୧- ସନ୍ତୋକ ସିଂଗଃ ସମ୍ମାନ
  • ୧୯୯୦ - ଓଡ଼ିଶା ରାଜ୍ୟ ଚଳଚିତ୍ର ସମ୍ମାନ
  • ୧୯୯୧- ଶ୍ରେଷ୍ଠ ପ୍ରଛଦପଟ ଗାୟକ( ସିନେ କ୍ରିଟିକ ଆସୋସିଏସନ)
  • ୧୯୯୫ - ସାଲବେଗ ସମ୍ମାନ(ସାଲବେଗ ସାଂସ୍କୃତିକ ପରିଷଦ, ପୁରୀ)
  • ୧୯୯୯- ଚିନ୍ତା ଓ ଚେତନା ସମ୍ମାନ
  • ୨୦୦୦- ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସମ୍ମାନ
  • ୨୦୦୦- ଶରଣକୁଳ ଆର୍ଟ୍ କଲେଜ ଓ ମ୍ୟୁଜିକ ସମ୍ମାନ
  • ୨୦୦୦ - ସରସ୍ଵତୀ ସମ୍ମାନ( ବାଳକୃଷ୍ଣ ଦାସ ଫାଉଣ୍ଡେସନ)
  • ୨୦୦୦- ଚଳଚିତ୍ର ସହସ୍ରବାଦୀ ସମ୍ମାନ
  • ୨୦୦୧- ଆକାଶବାଣୀ ଅବସର ବିନୋଦନ କେନ୍ଦ୍ର ସମ୍ମାନ
  • ୨୦୦୧- ସୁର ତରଙ୍ଗ ସମ୍ମାନ ସମ୍ମାନ
  • ୨୦୦୨- ନେହେରୁ ଯୁବ କେନ୍ଦ୍ର
  • ୨୦୦୩- ସଂଗୀତଶ୍ରୀ (ପଶ୍ଚିମବଙ୍ଗ ସରକାର)
  • ୨୦୦୩- ରାଜୀବ ଗାନ୍ଧୀ ସମ୍ମାନ
  • ୨୦୦୪- ବାଣୀଚିତ୍ର ସମ୍ମାନ
  • ୨୦୦୩ - ରାଉରକେଲା ଷ୍ଟିଲ ପ୍ଲାଣ୍ଟ ସମ୍ମାନ
  • ୨୦୦୩ - 'କଳାକାର' ବୋଇତ ବନ୍ଦାଣ ସମ୍ମାନ
  • ୨୦୦୩ - ଲାୟନସ କ୍ଳବ ସମ୍ମାନ
  • ୨୦୦୫ - ଶାନ୍ତିଦେବୀ ପୁରସ୍କାର, ଭଦ୍ରକ[୧୩]

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]