Jump to content

ଗୋପବନ୍ଧୁ ଦାସ

ଉଇକିପିଡ଼ିଆ‌ରୁ
ଉତ୍କଳମଣି ପଣ୍ଡିତ

ଗୋପବନ୍ଧୁ ଦାସ
ଗୋପବନ୍ଧୁଙ୍କ ଛବି ଥାଇ ପ୍ରକାଶିତ ୧୯୬୪ମସିହାର ଡାକ ଟିକଟ
ଜନ୍ମ(1877-10-09)୯ ଅକ୍ଟୋବର ୧୮୭୭
ସୁଆଣ୍ଡୋ, ପୁରୀ
ମୃତ୍ୟୁ୧୭ ଜୁନ ୧୯୨୮(1928-06-17) (ବୟସ ୫୦)
ସତ୍ୟବାଦୀ
ଜାତୀୟତା ଭାରତୀୟ
ଅନ୍ୟ ନାମସ୍ୱଦେଶହିତୈଷୀ, ପଣ୍ତିତ ଗୋପବନ୍ଧୁ [୧]
ଶିକ୍ଷାବି.ଏଲ.
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ପ୍ରସିଦ୍ଧିସ୍ୱାଧୀନତା ସଂଗ୍ରାମୀ, କବି,
'ସମାଜ'ର ପ୍ରତିଷ୍ଠାତା
ବୈବାହିକ-ସାଥୀଅପତୀ ଦେବୀ
ପିତାମାତା(s)ଦୈତାରି ଦାସ
ସ୍ୱର୍ଣ୍ଣମୟୀ ଦେବୀ

ଉତ୍କଳମଣି ଗୋପବନ୍ଧୁ ଦାସ (୯ ଅକ୍ଟୋବର ୧୮୭୭ - ୧୭ ଜୁନ ୧୯୨୮) ଓଡ଼ିଶାର ଜଣେ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, କବି ଓ ଲେଖକ ଥିଲେ । ସେ ଦୈନିକ ଓଡ଼ିଆ ଖବର କାଗଜ ସମାଜସତ୍ୟବାଦୀ ପତ୍ରିକାର ପ୍ରତିଷ୍ଠାତା ଥିଲେ ।[୨]

ଜୀବନୀ[ସମ୍ପାଦନା]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଗୋପବନ୍ଧୁ ଦାସ ୧୮୭୭ ମସିହା ଅକ୍ଟୋବର ମାସ ୯ ତାରିଖରେ ପିତା ଦୈତାରି ଦାସ ଓ ମାତା ସ୍ୱର୍ଣ୍ଣମୟୀ ଦେବୀଙ୍କ ସନ୍ତାନ ଭାବେ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କୁ ଖୁବ ଅଳ୍ପ ବୟସ ହୋଇଥିବା ବେଳେ ତାଙ୍କ ମାତାଙ୍କର ମୃତ୍ୟୁ ହୋଇଯାଇଥିଲା । ସେ ତାଙ୍କର ବାଲ୍ୟ ବିଧବା ପିଉସୀ କମାଳଦେବୀଙ୍କଦ୍ୱାରା ଲାଳିତପାଳିତ ହୋଇଥିଲେ ।

ସ୍କୁଲ[ସମ୍ପାଦନା]

ମାତାଙ୍କ ମୃତ୍ୟୁ ପରେ ସେ ୧୮୯୩ ମସିହାରେ ପୁରୀ ଜିଲ୍ଲା ସ୍କୁଲରେ ନାମ ଲେଖାଇଲେ । ସେଠାରେ ତାଙ୍କର ଗୁରୁ ମୁକ୍ତିଆର ରାମଚନ୍ଦ୍ର ଦାସଙ୍କ ସହିତ ପରିଚୟ ହୋଇଥିଲା ଓ ତାଙ୍କଠାରୁ ପରେ ସେ ଦେଶସେବା ବାବଦରେ ଶିକ୍ଷା ପାଇଥିଲେ । ୧୨ ବର୍ଷ ବୟସରେ ବିବାହ କରି ତାହା ପରେ ମଧ୍ୟ ସେ ପାଠପଢ଼ା ଜାରିରଖିଥିଲେ । ପୁରୀରୁ ମାଟ୍ରିକ ପାସ କରି, ସେ କଟକର ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କଲେ ।

ସମାଜସେବା[ସମ୍ପାଦନା]

ଗୋପବନ୍ଧୁ ଦାସ ପୁରୀରେ ହଇଜା ରୋଗରେ ପୀଡ଼ିତ ଲୋକମାନଙ୍କର ସେବା ପାଇଁ ପୁରୀ ସେବା ସମିତି ପ୍ରତିଷ୍ଠା କରିଥିଲେ । ଏହି ସଂଗଠନର ସାଥୀମାନଙ୍କ ସହ ସେ ରୋଗୀସେବା, ପରିବେଶ ପରିଚ୍ଛନ୍ନ ଓ ଶବସଂସ୍କାର ଇତ୍ୟାଦି କାମ କରୁଥିଲେ ।[୩]

ସତ୍ୟବାଦୀ ବନ ବିଦ୍ୟାଳୟ[ସମ୍ପାଦନା]

ଗୋପବନ୍ଧୁ ଦାସ ଆଧୁନିକ ଯୁଗର ପଞ୍ଚସଖାମାନଙ୍କ ମଧ୍ୟରୁ ଅନ୍ୟତମ । ମଧୁସୂଦନ ରାଓଙ୍କ ନିଷ୍ପତି କ୍ରମେ ତାଙ୍କ ନେତୃତ୍ୱରେ ପଞ୍ଚସଖାମାନେ ମିଶି ସାକ୍ଷୀଗୋପାଳର ବକୁଳ ଓ ଛୁରିଆନା କୁଞ୍ଜ ତଳେ 1909 ମସିହା କୁମାରପୂର୍ଣ୍ଣିମା ତିଥିରେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ।ଏହା ପ୍ରଥମେ 19ଟି ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିଲା। ଏହି ବିଦ୍ୟାଳୟରୁ ସେତେବେଳେ ଜାତୀୟ ସ୍ୱାଧୀନତା ଆନ୍ଦୋଳନ ପରିଚାଳିତ ହେଉଥିଲା ।[୪] ୧୯୧୮ରୁ ୧୯୨୦ ମଧ୍ୟରେ ଓଡ଼ିଶାରେ ସଂଘଟିତ ବନ୍ୟା, ମରୁଡ଼ି, ଦୁର୍ଭିକ୍ଷ ଓ ଅନାବୃଷ୍ଟି ତାଙ୍କୁ ମର୍ମାହତ କରିଥିଲା । ସେ ଚୁଡ଼ା, ଚାଉଳ ଧରି ପ୍ରପୀଡ଼ିତ ଅଞ୍ଚଳରେ ବାଣ୍ଟିଥିଲେ ।

ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି

ଓଡ଼ିଆ ଭାଷା ଆନ୍ଦୋଳନ[ସମ୍ପାଦନା]

କଟକରେ ଅଧ୍ୟୟନ ସମୟରେ ଓଡ଼ିଆ ଭାଷାର ବିଲୋପ ଚକ୍ରାନ୍ତ ବିରୋଧରେ ଗୋପବନ୍ଧୁଙ୍କ ସମେତ ଅନେକ ଓଡ଼ିଆ ନେତା ଆନ୍ଦୋଳନ ଆରମ୍ଭ କରିଥିଲେ । ସେ କର୍ତ୍ତବ୍ୟ ବୋଧିନୀ ସମିତି ଗଠନ କରି ଓଡ଼ିଆ ଭାଷା ବିଲୋପର ତୀବ୍ର ପ୍ରତିବାଦ କରିଥିଲେ । ତାଙ୍କର ଆହ୍ୱାନ ଥିଲା "ପ୍ରତ୍ୟେକ ବ୍ୟକ୍ତି ଓ ଜାତିର ପରିଚୟ ହେଉଛି ତାହାର ଭାଷା । ଭାଷାହିଁ ଜାତିର ପ୍ରାଣସ୍ପନ୍ଦନ" । ସେ ଓ ରାମଚନ୍ଦ୍ର ଦାଶ ରମ୍ଭାଠାରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ପରିଚାଳନା କରିଥିଲେ । ସେ ୧୯୦୩ରେ ମଧୁସୂଦନ ଦାସଙ୍କଦ୍ୱାରା ଆହୂତ ଉତ୍କଳ ସମ୍ମିଳନୀରେ ସକ୍ରିୟ ଭାବେ ଭାଗନେଇଥିଲେ । ଏହି ଆନ୍ଦୋଳନ କ୍ରମେ ତୀବ୍ର ହୋଇ ୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦିଗକୁ ମୁହାଁଇଥିଲା ।

କଲେଜ[ସମ୍ପାଦନା]

ସେ ୧୯୦୪ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ବିଏ ପାସ କଲେ ଓ ତାହାପରେ କଲିକତାରେ ବିଏଲ ପଢ଼ିଲେ । କଲିକତାରୁ ଫେରି ଗୋପବନ୍ଧୁ ଦାସ ବାଲେଶ୍ୱର ଜିଲ୍ଲାର ନୀଳଗିରିଠାରେ ଶିକ୍ଷକ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ।[୫]

କଲିକତାରେ ଶ୍ରମିକ ପାଇଁ କାର୍ଯ୍ୟ[ସମ୍ପାଦନା]

କଲିକତାରେ ବିଏଲ ପଢ଼ିବା ସମୟରେ ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କ ସହାୟତା ନିମନ୍ତେ ସେ "ଓଡ଼ିଆ ଶ୍ରମିକ ସଂଘ" ଓ "ସାନ୍ଧ୍ୟ ବିଦ୍ୟାଳୟ" ପ୍ରତିଷ୍ଠା କରିଥିଲେ ।

ପରିବାର[ସମ୍ପାଦନା]

ମାତ୍ର ୧୨ ବର୍ଷ ବୟସରେ ସେ ଅପତୀ ଦେବୀଙ୍କୁ ବିବାହ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରେ ପଢ଼ୁଥିବା ସମୟରେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା । ୧୯୦୩ରେ ଉତ୍କଳ ସମ୍ମିଳନୀରେ ସକ୍ରିୟ ଭାବେ ଭାଗ ନେଇ ଓଡ଼ିଆ ଭାଷା ଆନ୍ଦୋଳନରେ ଯୋଗଦାନ ସମୟରେ ତାଙ୍କର ପ୍ରଥମ ପୁତ୍ରଙ୍କର ମୃତ୍ୟୁ ଘଟିଥିଲା । କଲିକତାରେ ବିଏଲ ପଢ଼ୁଥିବା ବେଳେ ତାଙ୍କର ଦ୍ୱିତୀୟ ପୁତ୍ରଟିର ମଧ୍ୟ ମୃତ୍ୟୁ ଘଟିଥିଲା । ଏହା ପରେପରେ ସେ ବିଏଲ ପାସ କରିବା ଖବର ପାଇବା ଦିନ ତାଙ୍କ ପତ୍ନୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।

ସମାଜ ସମ୍ବାଦପତ୍ର[ସମ୍ପାଦନା]

ଓଡ଼ିଶା ଲୋକଙ୍କର ଦୁର୍ଦ୍ଦଶା, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ଅହିଂସା ଆନ୍ଦୋଳନ, ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ଓ ଭାରତୀୟ ଜାତୀୟ କଂଗ୍ରେସର ଆଭିମୁଖ୍ୟ ପ୍ରଚାର ତଥା ଜନସାଧାରଣଙ୍କୁ ଅବଗତ କରାଇବା ନିମନ୍ତେ ସେ ୧୯୧୯ ଅକ୍ଟୋବର ମାସ ୪ ତାରିଖ ଦଶହରା ତିଥିରେ ସାପ୍ତାହିକ "ସମାଜ" ଖବରକାଗଜ ପ୍ରକାଶ କରିଥିଲେ ।[୬] ପ୍ରଥମେ ଏହା ୧୯୧୯ ମସିହାରେ ସତ୍ୟବାଦୀରୁ, ୧୯୨୪ ମସିହାରେ ପୁରୀରୁ ଓ ଶେଷରେ ୧୯୨୭ ମସିହାରେ କଟକରୁ ପ୍ରକାଶିତ ହେଉଥିଲା । ସମାଜର ପ୍ରଥମ ସମ୍ପାଦକୀୟରେ ସେ ସମାଜର ସକଳ ଶ୍ରେଣୀ ମାନବଙ୍କର ସ୍ନେହ, ପ୍ରୀତି ଓ ସଦିଚ୍ଛା କାମନାକରିଥିଲେ । ୧୯୩୦ରେ "ସମାଜ" 'ସାପ୍ତାହିକରୁ ଦୈନିକ ଖବରକାଗଜରେ ପରିଣତ ହୋଇଥିଲା । ଲୋକମାନଙ୍କ ଉପରେ ପୁଲିସର ମାତ୍ରାଧିକ ବଳପ୍ରୟୋଗ ଓ ଇଂରେଜ ସରକାରଙ୍କ ଅବିଚାର ସମ୍ପର୍କରେ ସମାଜରେ ସମ୍ବାଦ ପ୍ରକାଶ କରିବା ପରେ ଇଂରେଜ ସରକାର ତାଙ୍କୁ ୧୯୨୨ ମସିହାରେ କାରାବଦ୍ଧ କରିଥିଲେ ।

ସାହିତ୍ୟ ରଚନା[ସମ୍ପାଦନା]

କାରାଗାରରେ ଥିବା ବେଳେ ସେ "କାରାକବିତା" ଓ "ବନ୍ଦୀର ଆତ୍ମକଥା" ନାମରେ ଦୁଇଟି କାବ୍ୟଗ୍ରନ୍ଥ ରଚନା କରିଥିଲେ । ୧୯୨୪ରେ ଜେଲରୁ ଖଲାସ ହେବାପରେ କଟକଠାରେ ଅନୁଷ୍ଠିତ ଏକ ବିଶାଳ ସମ୍ବର୍ଦ୍ଧନା ସଭାରେ ବୈଜ୍ଞାନିକ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ ତାଙ୍କୁ "ଉତ୍କଳମଣି" ବୋଲି ସମ୍ବୋଧନ କରିଥିଲେ ।[୭] ସେଠାରେ ଉପସ୍ଥିତ ଜନତା କରତାଳି ମାଧ୍ୟମରେ ଏହି ଉପାଧୀକୁ ସ୍ୱୀକୃତି ଦେଇଥିଲେ ।

ଲୋକସେବକ ମଣ୍ଡଳରେ ସଦସ୍ୟତା[ସମ୍ପାଦନା]

ଗୋପବନ୍ଧୁ ଦାସଙ୍କ ଦେଶସେବାରେ ଅବଦାନ ପାଇଁ ଲାଲା ଲାଜପତ ରାୟ ତାଙ୍କୁ ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ରୂପେ ଗ୍ରହଣକରିଥିଲେ । ପରେ ସେ ଏହି ଅନୁଷ୍ଠାନର ଉପାଧ୍ୟକ୍ଷ ଭାବରେ ମନୋନୀତ ହୋଇଥିଲେ ।

ରାଜନୀତିରେ ଅଂଶଗ୍ରହଣ[ସମ୍ପାଦନା]

ମଧୁସୂଦନ ଦାସଙ୍କ ପ୍ରେରଣାରୁ ସେ ୧୯୧୭ରୁ ୧୯୨୧ ପର୍ଯ୍ୟନ୍ତ ବିହାର-ଓଡ଼ିଶା ବିଧାନ ସଭାର ସଦସ୍ୟ ରୂପେ ନିର୍ବାଚିତ ହୋଇଥିଲେ । ୧୯୨୧ ମସିହାରେ ସେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ।

ମୃତ୍ୟୁ[ସମ୍ପାଦନା]

୧୯୨୮ ମସିହାରେ ଲୋକସେବକ ମଣ୍ଡଳର ବୈଠକରେ ଯୋଗଦାନ କରିବା ପାଇଁ ଲାହୋର ଯିବା ବାଟରେ ସେ କଲିକତାଠାରେ ଆନ୍ତ୍ରିକ ଜ୍ୱରରେ ଆକ୍ରାନ୍ତ ହୋଇ ସତ୍ୟବାଦୀ ଫେରିଆସିଥିଲେ । ଏହାପରେ ଧୀରେଧୀରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଥିଲା । ୧୯୨୮ ମସିହା ଜୁନ ୧୭ ତାରିଖ ରବିବାର ସନ୍ଧ୍ୟା ୭ଟା ୨୫ମିନିଟରେ ତାଙ୍କର ମୃତ୍ୟୁ ହୋଇଥିଲା ।[୮][୯] ମୃତ୍ୟୁର ଦୁଇ ଘଣ୍ଟା ଆଗରୁ ସେ ନିଜ ଇଚ୍ଛାପତ୍ରରେ ସମାଜ ଓ ସତ୍ୟବାଦୀ ପ୍ରେସର ପରିଚାଳନା ଭାର ଲୋକସେବକ ମଣ୍ଡଳକୁ ଅର୍ପଣ କରିଥିଲେ ।

ରଚନାବଳୀ[ସମ୍ପାଦନା]

  • ଅବକାଶ ଚିନ୍ତା (୧୮୯୯)
  • କାରାକବିତା
  • ବନ୍ଦୀର ଆତ୍ମକଥା
  • ଧର୍ମପଦ
  • ବ୍ରହ୍ମତତ୍ତ୍ବ ବା ନଚିକେତା ଉପାଖ୍ୟାନ
  • ଗୋମାହାତ୍ମ୍ୟ
  • ଓଡ଼ିଆର ଜାତୀୟତା (ପ୍ରବନ୍ଧ)

ଆଧାର[ସମ୍ପାଦନା]

  1. ପ୍ରହରାଜ, ଗୋପାଳ ଚନ୍ଦ୍ର. "ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ". dsal.uchicago.edu. Retrieved 14 April 2013. ସ୍ୱଦେଶହିତୈଷୀ ପଣ୍ତିତ ଗୋପବନ୍ଧୁ ଏହି ନାମରେ ପରିଚିତ ହୋଇଥିଲେ[permanent dead link]
  2. "ଆର୍କାଇଭ୍ କପି". Archived from the original on 2014-03-27. Retrieved 2012-10-09. {{cite web}}: Cite has empty unknown parameter: |1= (help)
  3. "ଓଡ଼ିଶାର କେତେକ ରଚନାତ୍ମକ ଅନୁଷ୍ଠାନ". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 31 March 2020. Archived from the original on 27 September 2020. Retrieved 27 September 2020.{{cite news}}: CS1 maint: unrecognized language (link)
  4. "An experiment in nationalist education: Satyavadi school in Orissa(1909-1926) (Krishan Shri) - Academia.edu". academia.edu. 2012. Retrieved 20 June 2012. Satyavadi was a uniqueexperimental school in the history of modern Orissa. Establishedby Gopabandhu Das (1877-1928),
  5. "UTKALAMANI PUNDIT GOPABANDHU DAS". 123orissa.com. Archived from the original on 3 October 2012. Retrieved 9 October 2012. He passed his B.A from Revenshaw College in 1904 and later passed B.L. from Calcutta University in 1906.
  6. "Biography of Utkalmani Gopabandhu Das | Biography | Knowledge Hub". publishyourarticles.org. 2012. Retrieved 23 May 2012. He started the newspaper Samaja[permanent dead link]
  7. Biswal, Chandra Sekhar. "UTKALAMANI PANDIT GOPABANDHU DAS". talentodisha.com. Retrieved 9 October 2012. Acharya Prafulla Chandra Ray on 28.6.1924 the veteran scientist and patriot of Bengal assigned the title of Utkalamani, (Jewel of Utakala) to his name.[permanent dead link]
  8. "Utkalmani Gopabandhu Das". odisha360.com. 2009. Retrieved 23 May 2012. He died on 17th June, 1928
  9. ଦୈନିକ ସମାଜ ୦୯/୧୦/୨୦୧୨ରେ ପ୍ରକାଶିତ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ଲେଖା

ଅଧିକ ତଥ୍ୟ[ସମ୍ପାଦନା]

  • Gopabandhu in Orissa Review * September - October - 2006 e-magazine published by Govt. of Orissa
  • Online version of 'The Samaja' Originally Founded by Utkalamani Gopabandhu Das in the year 1919
  • Utkalamani Pundit Gopabandhu Das- a life history Archived 2011-08-29 at the Wayback Machine.