ଗୋପବନ୍ଧୁ ଚୌଧୁରୀ

ଉଇକିପିଡ଼ିଆ‌ରୁ
ଗୋପବନ୍ଧୁ ଚୌଧୁରୀ
Born(1895-05-08)୮ ମଇ ୧୮୯୫
କଟକ
Died୨୯ ଅପ୍ରେଲ ୧୯୫୮(1958-04-29) (ବୟସ ୬୨)
Nationalityଭାରତୀୟ
Citizenshipଭାରତୀୟ
Educationସ୍ନାତକୋତ୍ତର
Alma materରେଭେନ୍‌ସା କଲିଜିଏଟ ସ୍କୁଲ,
ରେଭେନ୍ସା ମହାବିଦ୍ୟାଳୟ
Occupationସ୍ୱାଧୀନତା ସଂଗ୍ରାମୀ
Movementଭୂଦାନ ଆନ୍ଦୋଳନ
Spouseରମାଦେବୀ ଚୌଧୁରୀ
Childrenମନମୋହନ ଚୌଧୁରୀ,
ଅନ୍ନପୂର୍ଣ୍ଣା ଚୌଧୁରୀ
Parentଗୋକୁଳାନନ୍ଦ ଚୌଧୁରୀ (ବାପା)
Relativesନବକୃଷ୍ଣ ଚୌଧୁରୀ (ସାନ ଭାଇ)

ଗୋପବନ୍ଧୁ ଚୌଧୁରୀ ( ୮ ମଇ ୧୮୯୫ - ୨୯ ଅପ୍ରେଲ ୧୯୫୮ ) ଜଣେ ସ୍ୱାଧୀନତା ସଂଗ୍ରାମୀ ଓ ଗାନ୍ଧୀବାଦୀ ନେତା ଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଗୋପବନ୍ଧୁ କଟକରେ ୮ ମଇ ୧୮୯୫ ମସିହାରେ ଜନ୍ମଗ୍ରହଣ କରିଥିଲେ । ପିତା ଗୋକୁଳାନନ୍ଦ ଚୌଧୁରୀ କଟକରେ ଓକିଲାତି କରୁଥିଲେ । ଗୋପବନ୍ଧୁ ଯେଉଁ ଘରେ ଜନ୍ମଗ୍ରହଣ କରିଥିଲେ, ସେ ଘର ପରବର୍ତ୍ତୀ ସମୟରେ "ସ୍ୱରାଜ ଆଶ୍ରମରେ" ପରିଣତ ହୋଇଥିଲା । ପୈତୃକ ଗ୍ରାମ ଜଗତସିଂହପୁର ଜିଲ୍ଲାର ଖେରସରେ ଶିକ୍ଷାରମ୍ଭ କରି, ସେ କଟକର ରେଭେନ୍‌ସା କଲିଜିଏଟ ସ୍କୁଲରେଭେନ୍ସା ମହାବିଦ୍ୟାଳୟ ହୋଇ କଲିକତାର ପ୍ରେସିଡେନ୍ସି କଲେଜରୁ କୃତିତ୍ୱର ସହ ସ୍ନାତକ ଓ ସ୍ନାତକୋତ୍ତର ଉପାଧୀ ହାସଲ କରିଥିଲେ । କଲିକତାରେ ଆଇନ ପରୀକ୍ଷାରେ ସେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।

ସାମାଜିକ ଜୀବନ[ସମ୍ପାଦନା]

୧୯୧୭ ମସିହାରେ ଗୋପବନ୍ଧୁ କଟକର ଡେପୁଟି ମାଜିଷ୍ଟ୍ରେଟ ରୂପେ ଅବସ୍ଥାପିତ ହୋଇଥିଲେ । ୧୯୨୦ ମସିହାର ଭୀଷଣ ନଇବଢ଼ି ସମୟରେ ଗୋପବନ୍ଧୁ ଯାଜପୁରରେ ଡେପୁଟି ମାଜିଷ୍ଟ୍ରେଟ ହିସାବରେ କାର୍ଯ୍ୟ କରୁଥିଲେ । ବନ୍ୟାବିଧ୍ୱସ୍ତ ଜେନାପୁର ଓ ଅନ୍ୟ ଗ୍ରାମମାନଙ୍କୁ ଦେଖି ସରକାରଙ୍କ ସାହାଯ୍ୟ ଯଥେଷ୍ଟ ନୁହେଁ ବୋଲି ଅଧିକ ସାହଯ୍ୟ ନିମନ୍ତେ ଦାବି ଜଣାଇଥିଲେ । ବ୍ରିଟିଶ ସରକାର ତାଙ୍କ ଦାବି ଅଗ୍ରାହ୍ୟ କରିଦେବାରୁ ସେ ସରକାରୀ ଚାକିରୀରୁ ଇସ୍ତଫା ପ୍ରଦାନ କରିଥିଲେ । ତାପରେ ସତ୍ୟବାଦୀ ଯାଇ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶିଷ୍ୟତ୍ୱ ଗ୍ରହଣ କରିଥିଲେ । କଂଗ୍ରେସରେ ଯୋଗଦାନ, ଗାନ୍ଧୀ ନୀତି ଅନୁସରଣ, ଖଦଡ଼ ଲୁଗା ପିନ୍ଧିବା, ଆଶ୍ରମ ଓ ଦରିଦ୍ରନାରାୟଣଙ୍କ ସେବା ଆଦି କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ୧୯୨୧ ମସିହାରେ ଅଳକା ନଦୀ କୁଳରେ ପ୍ରଥମେ ଏକ ଶିକ୍ଷାନୁଷ୍ଠାନ ଓ ପରେ "ଅଳକାଶ୍ରମ" ପ୍ରତିଷ୍ଠା କରିଥିଲେ । ୧୯୩୪ ମସିହାରେ ଗାନ୍ଧୀଜୀଙ୍କ ନିର୍ଦ୍ଦେଶରେ ସେ ବରୀକୁ ନିଜର କର୍ମକ୍ଷେତ୍ର ରୂପେ ବାଛି ଗ୍ରାମ ସଫେଇ, ନିଶା ନିବାରଣ, ପ୍ରୌଢ଼ଶିକ୍ଷା, ହରିଜନ ସେବା, ମୌଳିକ ଶିକ୍ଷା ସହ ଗ୍ରାମ୍ୟ ଅର୍ଥନୀତିର ଉନ୍ନତି ପାଇଁ ଉଦ୍ୟମ କରିଥିଲେ । ସେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ କନିଷ୍ଠ ଭ୍ରାତା ଗୋପାଳବଲ୍ଲଭଙ୍କ କନ୍ୟା ରମାଦେବୀଙ୍କୁ ବିବାହ କରିଥିଲେ ।[୧] ତାଙ୍କର ସମାଜସେବା କାର୍ଯ୍ୟରେ ପତ୍ନୀ ରମାଦେବୀ, ପୁତ୍ର ମନମୋହନ ଓ ଝିଅ ଅନ୍ନପୂର୍ଣ୍ଣା ତାଙ୍କୁ ପୂର୍ଣ୍ଣ ସହଯୋଗ ପ୍ରଦାନ କରୁଥିଲେ । ସ୍ୱାଧୀନତା ଆନ୍ଦୋଳନର ବିଭିନ୍ନ ପର୍ଯ୍ୟାୟରେ ଲବଣ ସତ୍ୟାଗ୍ରହ, ଅଗଷ୍ଟ ବିପ୍ଳବ ଓ ଭାରତଛାଡ଼ ଆନ୍ଦୋଳନରେ ସାମିଲ ହୋଇ ସେ କାରାବରଣ କରିଥିଲେ ।[୨] ୧୯୩୦ର ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ଓ ୧୯୪୨ର ଭାରତ ଛାଡ଼ ଆନ୍ଦୋଳନ ସତ୍ୟାଗ୍ରହ ବେଳେ ପୁଲିସ ଲାଠିଚାଳନାରେ ଆହତ ହୋଇ କଟକ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ । ସ୍ୱାଧୀନତା ପରେ ସନ୍ଥ ବିନୋବା ଭାବେଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭୂଦାନ ଆନ୍ଦୋଳନରେ ସାମିଲ ହୋଇଥିଲେ ।

ଗୋପବନ୍ଧୁ ଚୌଧୁରୀଙ୍କ ଶେଷ ଜୀବନ କଟିଥିଲା କଟକର ଥୋରିଆ ସାହିରେ ଥିବା "ଭୂଦାନ ଆଶ୍ରମ"ରେ । ୨୯ ଅପ୍ରେଲ ୧୯୫୮ ମସିହାରେ ସେ ମୃତ୍ୟୁବରଣ କରିଥିଲେ । ତାଙ୍କ ନାମରେ ବରୀ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁରରେ ଏକ ମହାବିଦ୍ୟାଳୟ ରହିଛି [୩]

ଆଧାର[ସମ୍ପାଦନା]

  1. "Rama Devi Chowdhury , Indian Women Activist". indianetzone.com. 2012. Retrieved 21 May 2012. Rama Devi was married to Gopabandhu Chowdhury,
  2. Jhabbu, R (2012). "Essay on Civil Disobedience Movement and Orissa". preservearticles.com. Archived from the original on 5 March 2016. Retrieved 21 May 2012. On 8 April 1930, Gopabandhu Chaudhury was arrested
  3. ସମ୍ବାଦ ୨୯/୦୪/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪