ଶିଶୁ ସମ୍ପଦ

ଉଇକିପିଡ଼ିଆ ରୁ
Jump to navigation Jump to search

ଶିଶୁ ସମ୍ପଦ ଏକ ମାସିକ ଶିଶୁ ବିଜ୍ଞାନ ପତ୍ରିକା ।

ଇତିହାସ[ସମ୍ପାଦନା]

"୧୯୫୪ ମସିହାରେ "ଚଳନ୍ତା ରାଇଜର ଅମୁହାଁ ନଈ" ବହିର ପ୍ରକାଶନ ପରେ ମନହେଲା ପିଲାଙ୍କ ପାଇଁ ସବୁ ବିଷୟରେ -ବିଶେଷ କରି ବିଜ୍ଞାନ ଉପରେ - ବହୁସଂଖ୍ୟକ ଲେଖା ପ୍ରକାଶ କରି ଲୋକେ ସେଗୁଡ଼ିକୁ କେମିତି ଗ୍ରହଣ କରୁଛନ୍ତି ଜାଣିବା ପାଇଁ । ତାହାର ଏକମାତ୍ର ଉପାୟ ହେଉଛି, ଗୋଟିଏ ମାସିକ ଶିଶୁ ପତ୍ରିକା ବାହାର କରିବା । ""ଶିଶୁ ସଂପଦ"" ନାମ ଦେଇ ୧୯୫୪ରେ ହିଁ ସେଭଳି ଗୋଟିଏ ପତ୍ରିକା ବାହାର କଲି । . . .ବହୁ ସଂଖ୍ୟକ ଚିତ୍ର ଦିଆଯିବ।" -ବିନୋଦ କାନୁନଗୋ

ବିନୋଦ କାନୁନଗୋଙ୍କ ନିଜ ଭାଷାରେ ଏହା ଥିଲା ଶିଶୁ ସଂପଦର ଜନ୍ମ କାହାଣୀ । ଓଡ଼ିଆ ଭାଷାରେ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ପତ୍ରିକାର ପ୍ରକାଶନ ଆରମ୍ଭ ହୋଇଥିଲା ୧୯୦୯ ମସିହାରେ, ରେବା ରାୟଙ୍କର "ପ୍ରଭାତ" ପତ୍ରିକା ସହିତ । "ପଞ୍ଚାମୃତ" (୧୯୨୦), "ଜହ୍ନମାମୁଁ" (୧୯୩୨) ଓ "ସଂସାର" (୧୯୫୧) ପରେ ପ୍ରକାଶିତ "ଶିଶୁ ସଂପଦ" ଓଡ଼ିଆ ପିଲାଙ୍କୁ "ଜ୍ଞାନ-ଖାଦ୍ୟ" ଯୋଗାଇବାର ଲକ୍ଷ୍ୟ ରଖିଥିଲା ।

ଏହାର ପ୍ରଥମ ସମ୍ପାଦକୀୟରେ ବିନୋଦବାବୁ ଲେଖିଥିଲେ, "ଆମେ ସାତ ବର୍ଷ ହେଲା ସ୍ୱାଧୀନ ହେଲୁଣି । ଦେଶଟିକୁ ନୂଆ ଛାଞ୍ଚରେ ପକାଇ ଗଢ଼ିବା ପାଇଁ କେତେ ବିଚାର ଚାଲିଛି । କିନ୍ତୁ ଦୁଃଖର କଥା ଯେ ଛୋଟ ଛୋଟ ପିଲାଙ୍କର ପ୍ରକୃତ ଜ୍ଞାନ ବଢ଼ାଇବା ପାଇଁ ଆମ ଓଡ଼ିଶାରେ ଏପର୍ଯ୍ୟନ୍ତ ବିଶେଷ କିଛି ଉଦ୍ୟମ ହୋଇ ନାହିଁ ।. . . ସବୁଠାରୁ ବଡ଼ ସଂପଦ "ଶିଶୁ"ର ଉନ୍ନତି ପାଇଁ ଆମେ କରୁଛୁ କ'ଣ?. . . ତାକୁ ଆମେ ପ୍ରକୃତ ଅର୍ଥରେ ଭୋକିଲା ରଖୁଛୁ ।. . . ତା'ର ମନର ଭୋକ ସେହିଭଳି ରହିଛି କହିଲେ ଚଳେ । ଓଡ଼ିଆ ଶିଶୁର ମନର ଭୋକ ମଣ୍ଟେିବା ପାଇଁ "ଜ୍ଞାନ-ଖାଦ୍ୟ" ଦରକାର । ସେ ଖାଦ୍ୟ ଯୋଗାଇବା ପାଇଁ "ଶିଶୁ ସଂପଦ" ଉଦ୍ୟମ କରିବ।"[୧]

ଆରମ୍ଭ ସମୟର ଲେଖାର କିଛି ଅଂଶ [୨][ସମ୍ପାଦନା]

ସଚିତ୍ର ବିଜ୍ଞାନ ଲେଖା ଉପରେ ଶିଶୁ ସଂପଦ ଗୁରୁତ୍ୱ ଦେବ ବୋଲି ଘୋଷଣା କରା ଯାଇଥିଲା । ଏଥିରେ ତାହା କେତେ ଦୂର ସଫ ଳ ହୋଇ ପାରିଥିଲା ତାହା ଦେଖିବା ପାଇଁ ତଳେ ଆରମ୍ଭ ସମୟର ଲେଖାର କିଛି ଅଂଶ ଦିଆଯାଉଛି। ବିନୋଦ ବାବୁଙ୍କ ପ୍ରାଥମିକ ଉଦ୍ୟମ ସହିତ ମଧ୍ୟ ପାଠକମାନଙ୍କୁ ଏହା ପରିଚିତ କରାଇ ପାରିବ।

ହାଡ଼ ତିଆରି ଘର[୩][ସମ୍ପାଦନା]

  • ଆମ ଦେହକୁ ଅନେକ ଲୋକ "ତିନି ମହଲା" କୋଠାଟିଏ ବୋଲି କହିଥାନ୍ତି । ଉପର ମହଲାଟା ହେଲା ମୁଣ୍ଡ, ମଝି ମହଲାଟି ଛାତି ଓ ତଳ ମହଲାଟି ପେଟ । "ଜଙ୍ଘ ମୂଳଦୁଆ" ଉପରେ ମଣିଷ ଦେହ ଘରଟି ତିଆରି ହୋଇଛି । ଖୁଣ୍ଟ, ଶେଣୀ, ରୁଅ, ଛୁକରେ ଆମ ରହିବା ଘର ତିଆରି ହୋଇଛି । ମଣିଷ ଦେହଟି ସେମିତି ନାନା ଆକାରର ହାଡ଼ରେ ତିଆରି । ଉପରୁ ଦେଖିଲେ ଆମେ ଜାଣିପାରୁ ନାହିଁ ଏତେ ଗୁଡ଼ାଏ ହାଡ଼ ଆମ ଦେହରେ ଅଛି ବୋଲି - କିନ୍ତୁ ପ୍ରକୃତରେ ଅଛି ଦୁଇଶହ ଛଅ ଖଣ୍ଡ।
  • . . . ଆମର ପାପୁଲିଟିକୁ ଦେଖୁନା । କେତେ ଖଣ୍ଡ ହାଡ଼ ଖଞ୍ଜ। ଯାଇଚି । କଚଟିଟିକୁ ଦେଖିଲେ ଉପରୁ ଜଣା ପଡୁଛି ସତେ ଯେପରିକି ଖଣ୍ଡେ ବା ଦିଖଣ୍ଡ ହାଡ଼ । କିନ୍ତୁ ପ୍ରକୃତରେ ଆଠ ଖଣ୍ଡ ।. . . କଚଟି, ପାପୁଲି ଓ ଅଙ୍ଗୁ ଳି ଗୁଡ଼ିକ ଏପରି ଖଞ୍ଜ। ଯାଇଛି ଯେ ମନୁଷ୍ୟ ତା' ହାତରେ ଲେଖୁଛି, ଚିତ୍ର କରୁଛି, ବାଜା ବଜାଉଛି, ଚିମୁଟୁଛି. . .
  • . . . ସେମିତି ବେକଠାରୁ ପିଚାଯାଏ ପିଠି ମଝିରେ ଯେଉଁ ମରେୁଦଣ୍ଡ ଅଛି ସେଇଟି କେତେ ଖଣ୍ଡ ହାଡ଼ ଯୋଡ଼ି ବିଛାଭଳି ତିଆରି ହୋଇଛି ଦେଖ (ଚିତ୍ର)। ତା ନ ହୋଇ ଖଣ୍ଡିଏ ହାଡ଼ରେ ଗଢ଼ା ହୋଇଥିଲେ ଆମ ବେକ, ମୁଣ୍ଡ, ପିଠି, ଅଣ୍ଟା ଏତେ ଢଙ୍ଗରେ ବାଙ୍କୁ ଥାନ୍ତା କିପରି ?
  • ମୁଣ୍ଡଟା କେଡେ଼ ଛୋଟ । କିନ୍ତୁ ତାକୁ ତିଆରି କରିବାକୁ ଦରକାର ହୋଇଛି ବାଇଶି ଖଣ୍ଡ ହାଡ଼ - ତାର ମୁଣ୍ଡଟା ହେଲା ପରା ଚାରି ମହଲା କୋଠା । କେଉଁ ମହଲାରେ କି କାମ ହେଉଛି ଦେଖ । ଉପର ମହଲାରେ ମସ୍ତିଷ୍କ ରହିଛି । ସେଇଟି ହେଉଛି ବୁଦ୍ଧିର ଘର । ସେଠି କାମ ଭଲ ଭାବରେ ନ ଚାଲିଲେ ମଣିଷ ନିର୍ବୁଦ୍ଧିଆ ହୋଇଥାଏ ।
  • . . . କଦଳୀ ବାହୁଙ୍ଗା କାଟିଦେଲେ ତା' ଭିତରଟା ଯେମିତି ଦେଖାଯାଏ ହାଡ଼ ଭିତର ଠିକ ସେମିତି । ସେ ଖୋପ ଗୁଡ଼ିକ ଗୋଟିଏ ଗୋଟିଏ ଘର । ସେହି ଘରେ ପରା ରକ୍ତ ତିଆରି ହୁଏ।
  • ସ୍କୁଲରେ ଗୁରୁଜୀ ପଚାରିଲେ - ତୁମକୁ ଗୋଟିଏ ସହଜ ମାନସାଙ୍କ ପଚାରିବି। ଗୋଟିଏ ପିଲା ଜନ୍ମ ବେଳେ ତାର ଲମ୍ବ ଥିଲା ଅଠର ଇଞ୍ଚ । ସେତେବେଳେ ତାର ମୁଣ୍ଡର ଲମ୍ବ ୪ ଇଞ୍ଚ, ହାତ ୭ ଇଞ୍ଚ ଓ ଗୋଡ଼ ୬ ଇଞ୍ଚ । ତାକୁ ଯେତେବେଳେ ୨୫ ବର୍ଷ ହେଲା ସେ ୭୨ ଇଞ୍ଚ ଉଚ୍ଚ ହୋଇଗଲାଣି । ତାଙ୍କ ବଂଶରେ ସବୁ ଭାଇଙ୍କ ଭିତରେ ସେ ଥିଲା ଡେଙ୍ଗା। ତାକୁ ସବୁ ଥଟ୍ଟା କରନ୍ତି - "ଏଇଟା ବାଉଁଶ ଗଜା ଭଳି ବଢ଼ିଯାଉଛି।" ସେ ୭୨ ଇଞ୍ଚ ଲମ୍ବ ହେଲା ବେଳକୁ ତା'ର ହାତ, ଗୋଡ଼ ଓ ମୁଣ୍ଡ କେତେ କେତେ ଲମ୍ବ ହୋଇଥିବ କହିଲ ?
. . . ବାବୁଲା ଉଠି କହିଲା - ଏ ଉତ୍ତର କ'ଣ କଷ୍ଟ? ଅଠର ଇଞ୍ଚର ପିଲା ଯେତେବେଳେ ବଡ଼ ହେଲାବେଳକୁ ବାସ୍ତରୀ ଇଞ୍ଚ ହେଲାଣି, ତା ମୁଣ୍ଡ ହୋଇଥିବ ୧୬ ଇଞ୍ଚ, ଗୋଡ଼ଟିମାନ ୨୪ ଇଞ୍ଚ ଓ ହାତଟିମାନ ୨୮ ଇଞ୍ଚ ହୋଇଥିବ।
  • ଗୁରୁଜୀ ପୁଣି ପଚାରିଲେ - ଆଚ୍ଛା, ଛୋଟ ପିଲାଟିର ଗଣ୍ଡିଟା ଯଦି ଥିଲା ୮ ଇଞ୍ଚ ସେ ୭୨ ଇଞ୍ଚ ଉଚ୍ଚ ହେଲାବେଳକୁ ତାର ଗଣ୍ଡିର ଲମ୍ବ କେତେ ହୋଇଥିବ ? ହରିଶ କହିଦେଲା -୩୨ ଇଞ୍ଚ । ଗୁରୁଜୀଙ୍କର ଏତେବେଳେ ହସିବାର ପାଳି ପଡ଼ିଲା । ସେ ଚକଖଡ଼ି ଆଣି ବ୍ଲାକବୋର୍ଡରେ ପିଲା ଯେଉଁ ଉତ୍ତର ଦେଇଥିଲେ ସେଇ ଭାଗମାପରେ ଗୋଟିଏ ମଣିଷ ଚିତ୍ର କରିଦେଲେ । ଦେଖିଲା ବେଳକୁ ଗୋଟାଏ ବେଢଙ୍ଗିଆ ମଣିଷର ଚିତ୍ର ‽
ଗୁରୁଜୀ କହିଲେ - ସମସ୍ତଙ୍କ ଚେହେରା ଯଦି ଏହିଭଳି ହୋଇଥାନ୍ତା କେମିତି ଦେଖା ଯାଉଥାନ୍ତା ?
ପିଲାଏ ହସିଲେ ଓ କାବା ହୋଇ ତାଙ୍କ ମୁହଁକୁ ଚାହିଁଲେ । ଗୁରୁଜୀ ଏହି ଚିତ୍ରଟି ଆଣି ସେମାନଙ୍କୁ ଦେଖାଇ କହିଲେ - ଏକା ତୁମେ କାହିଁକି ଅନେକ ପଢ଼ାଶୁଣା ବୟସ୍କ ଲୋକେ ହୁଏତ ଠିକ ତୁମରି ଭଳି ଉତ୍ତର ଦେବେ । ପିଲାଟିର ଉଚ୍ଚତା ଯେତେବେଳେ ଚାରିଗୁଣ ବଢ଼ିଗଲା ଅନେକ ଭାବିଥିବେ ଯେ ମୁଣ୍ଡ, ହାତ, ଗୋଡ଼, ଗଣ୍ଡି ସବୁ ଚାରିଗୁଣ ଲେଖାଁ ବଢ଼ିଯିବା କଥା। କିନ୍ତୁ ପ୍ରକୃତରେ ତାହା ହୁଏ ନାହିଁ । ସେହି ମଜା ଚିତ୍ରଟି ଦେଖ । ଛୋଟ ଶିଶୁଟି ବଡ଼ ହୋଇ ଯାଇଛି । ତାର ମୁଣ୍ଡ ଦୁଇଗୁଣ ବଢ଼ିଲା ବେଳକୁ ଗଣ୍ଡି ବଢ଼ିଛି ତିନି ଗୁଣ । ହାତ ବଢ଼ିଛି ଚାରିଗୁଣ - ଗୋଡ଼ ବଢିଛି ପାଞ୍ଚଗୁଣ । ତା ନ ହୋଇ ସବୁ ସମାନ ଭାବରେ ବଢୁଥିଲେ ଆମେ କେତେ ଅସୁନ୍ଦର ଦେଖା ଯାଆନ୍ତେ ଦେଖିଲ ତ ?
. . . ଛବିରେ ଯାହା ପାଖରେ "କ' ଲେଖା ଯାଇଛି ତାକୁ ଦେଖ - ଗୋଟାଏ ଅସୁର ଛୁଆ ଭଳି ଦେଖାଯାଉଚି । ତା ମଝିରେ ଗାର ଟଣାଯାଇଛି - ମୁଣ୍ଡ ଯେଡ଼ିକି ଦେହର ବାକି ଅଂଶତକ ସେଡ଼ିକି । ସେଇଟି ପ୍ରକୃତରେ ଅସୁର ଛୁଆ ନୁହେଁ - ମଣିଷ ଛୁଆ । ମା ପେଟରେ ଅଛି, ଜନ୍ମ ହୋଇନାହିଁ । ମା ପେଟରେ ତାର ବୟସ ମୋଟେ ଦିମାସ ବା ଷାଠିଏ ଦିନ । ସେତେବେଳେ ତାର ମୁଣ୍ଡଟି ଯେଡ଼ିକି, ଗଣ୍ଡିଟି ସେଡ଼ିକି । ଯାହା ପାଖରେ "ଖ" ବୋଲି ଲେଖାଯାଇଛି ସେଇଟି ହେଉଛି ପିଲା ଜନ୍ମ ହୋଇପଡ଼ିଲା ବେଳର ଚେହେରା । ତା ମଝିରେ ଗାରଟିଏ ଟାଣିଦେଲାରୁ ନାହି ଉପରେ ପଡ଼ିଚି । ନାହିଠାରୁ ମାପିଦେଲେ ଉପରକୁ ଯେତିକି, ତଳକୁ ସେତିକି । ତା ପାଖ ଚିତ୍ର. . . "ଗ" ପିଲାର ବୟସ ହେଉଛି ଛଅ । ତା ମଝିରେ ଗାର ଟାଣି ଦେଖାଗଲା ଯେ - ନାହି ତଳକୁ ଗାରଟି ପଡ଼ିଛି । ଶେଷ ଚିତ୍ରଟି ହେଲା ବଡ଼ମଣିଷର ଚେହେରା । ତା ଦେହର ମଝିଟା କେତେ ତଳେ । ବର୍ତ୍ତମାନ ତୁମେ ବୁଝିଗଲ ଯେ ମା ପେଟରେ ରହିଲାଠାରୁ ପଚିଶ ବର୍ଷ ପର୍ଯ୍ୟନ୍ତ ମନୁଷ୍ୟ ଦେହର ଭାଗମାପ କି ଭଳି ବଦଳି ଯାଉଥାଏ ।. . .

ଆମ ଦେହର ଇଞ୍ଜି ନ[୪][ସମ୍ପାଦନା]

ସତରେ କଣ ଆମ ଦେହରେ ଇଞ୍ଜି ନ ଲାଗିଛି ? ହଁ -ସେହି ଇଞ୍ଜିନ ଗୁଡ଼ିକ ମାଂସରେ ତିଆରି । ମାଂସରେ ତିଆରି ଇଞ୍ଜିନ ଗୁଡ଼ିକୁ ମାଂସପେଶୀ ନାମ ଦିଆ ଯାଇଛି ।
. . . ଦେହଟିକୁ ଚଳାଇବାକୁ ଶହ ଶହ ମାଂସପେଶୀ ଇଞ୍ଜିନ ଖଞ୍ଜାଯାଇଛି । ମଣିଷ ଦେହରେ ସିନା ୨୦୬ ଖଣ୍ଡ ହାଡ଼ - କିନ୍ତୁ ସେହି ୨୦୬ ଖଣ୍ଡ ହାଡ଼କୁ ଚଳାଇବା ପାଇଁ ଛ' ଶହରୁ ଅଧିକ ମାଂସପେଶୀ ଇଞ୍ଜିନ ଖଞ୍ଜିବା ଦରକାର ହୋଇଛି ।
. . . ଏହି ଇଞ୍ଜିନମାନେ କାମ ନ କଲେ ଦେହ ଚଳି ପାରିବ ନାହିଁ ।
. . . ମୁଣ୍ଡ ହାଡ଼ଗୁଡ଼ିକୁ ସିଧା ଭାବରେ ରଖିବାପାଇଁ ବେକ ଓ ଗାଲରେ କେତେଗୁଡ଼ିଏ ମାଂସପେଶୀ ଖଞ୍ଜା ଯାଇଛି। ସେ ମାଂସପେଶୀ ଇଞ୍ଜିନ ଚାଲିଥିଲା ପର୍ଯ୍ୟନ୍ତ - କାମ କରୁଥିଲା ପର୍ଯ୍ୟନ୍ତ ମୁଣ୍ଡଟା "ଚେଇଁଛି" । ଆଖିପତା ପାଖ ମାଂସପେଶୀ କାମ କଲାରୁ ଆଖି "ଅନେଇଛି"।
. . . ଗୁଡ଼ାଏ ମଣିଷ ବେକ, ଗାଲ ଓ ଆଖିପତା ମାଂସପେଶୀକୁ ସତେ ଯେମିତି ଟାଣି ଧରିଛନ୍ତି । ସେମାନେ ତ ସବୁବେଳେ କାମ କରି ପାରିବେ ନାହିଁ । . . . ଅତି ଲୋଭ କରି ରାତିରେ ଖାଇସାରି ବହି ପଢ଼ି ବସିଲୁ । . . . ସେହି "ଲୋକଗୁଡ଼ାକ" ଥକା ହୋଇ ଇଞ୍ଜିନ ଦେହରୁ ହାତ ଖସାଇ ଦେଲେ। ଫଳ ହେଲା କଣ ? ମୁଣ୍ଡ ଆଉ ସିଧା ହୋଇ ରହି ପାରିଲା ନାହିଁ - ଆଖି ଅନାଇ ପାରିଲା ନାହିଁ । ମୁଣ୍ଡ ତଳକୁ ଝୁଙ୍କି ପଡ଼ିଛି - ଆଖି ବୁଜିହୋଇ ଗଲା । . . .

ଆଧାର[ସମ୍ପାଦନା]

  1. (ଶିଶୁ ସଂପଦ, ପ୍ରଥମ ବର୍ଷ, ପ୍ରଥମ ସଂଖ୍ୟା, ସେପଟେମ୍ବର ୧୯୫୪)
  2. http://www.orissabigyanacademy.nic.in/pdf/June-2012-SH.pdf Monthly Odia magazine "Bigyan Diganta"(June,2012 )
  3. (ଶିଶୁ ସଂପଦ, ପ୍ରଥମ ବର୍ଷ, ଦ୍ୱିତୀୟ ସଂଖ୍ୟା, ଅକ୍ଟୋବର ୧୯୫୪)
  4. (ଶିଶୁ ସଂପଦ, ପ୍ରଥମ ବର୍ଷ, ଅଷ୍ଟମ ସଂଖ୍ୟା, ମଇ ୧୯୫୫)