ସାଧୁ ମେହେର
ସାଧୁ ମେହେର (ଜନ୍ମ ୧ ଜାନୁଆରୀ ୧୯୪୦–୨ ଫେବୃଆରୀ ୨୦୨୪) ଜଣେ ପଦ୍ମଶ୍ରୀ ସମ୍ମାନିତ ଅଭିନେତା, ନିର୍ଦ୍ଦେଶକ, ଲେଖକ ଓ ପ୍ରଯୋଜକ ଥିଲେ । ସେ ୩୮ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିବା ସଙ୍ଗେ ଅଭିମନ୍ୟୁ (୧୯୭୭), ତ ଆଦି ପାଞ୍ଚଟି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଥିଲେ । ୨୦୧୭ ମସିହାରେ ସେ ଚଳଚ୍ଚିତ୍ରକୁ ତାଙ୍କର ଜୀବନବ୍ୟାପୀ ଅବଦାନ ପାଇଁ ୨୦୧୭ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ । ତାହା ବ୍ୟତୀତ ସେ ଜୟଦେବ ସମ୍ମାନ, ଜାତୀୟ ପୁରସ୍କାର ଆଦି ସମ୍ମାନରେ ପୁରସ୍କୃତ ହୋଇଥିଲେ ।
୨୦୨୪ ମସିହା ଫେବୃଆରୀ ୨ ତାରିଖରେ ତାଙ୍କ ମୁମ୍ବାଇସ୍ଥିତ ବାସଭବନରେ ୮୪ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।[୧][୨][୩]
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
[ସମ୍ପାଦନା]ସାଧୁ ମେହେର ୧୯୪୦ ମସିହା ଜାନୁଆରୀ ପହିଲା ତାରିଖରେ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଗୁଡଭେଲି ପଦର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୪] ତାଙ୍କ ପିତା ରାଧାମୋହନ ମେହେର ଜଣେ ବୁଣାକାର ଥିଲେ ଓ ତାଙ୍କ ମାତାଙ୍କ ନାମ ଥିଲା ଦୀପ୍ତି ମେହେର । ଗାଁ ସ୍କୁଲରେ ତୃତୀୟ ଶ୍ରେଣୀ ଯାଏ ପଢ଼ିବା ପରେ ମାମୁଁ ଘର ସୁବର୍ଣ୍ଣପୁର ଜିଲ୍ଲା ତରଭାରେ ସପ୍ତମ ଶ୍ରେଣୀ ଏବଂ ପରେ ସୋନପୁରର ମହାରାଜା ହାଇସ୍କୁଲରେ ଅଷ୍ଟମ ଶ୍ରେଣୀରେ ସେ ପଢ଼ିଲେ । ପରେ ବଲାଙ୍ଗୀର ପି.ଆର. ହାଇସ୍କୁଲରୁ ମ୍ୟାଟ୍ରିକ ପାସ କରି ସମ୍ବଲପୁର ଗଂଗାଧର ମେହେର ମହାବିଦ୍ୟାଳୟରୁ କଳାରେ ସ୍ନାତକ (ବି.ଏ.) ପଢ଼ିଥିଲେ । ପିଲାଦିନରୁ ସେ ଅଭିନୟ ପ୍ରତି ଆକର୍ଷିତ ଥିଲେ । ମଞ୍ଚରେ ଅଭିନୟ କରୁଥିବା ସମୟରେ ତାଙ୍କୁ ପିତାଙ୍କ ମୃତ୍ୟୁଖବର ମିଳିଥିଲା । ସ୍ନାତକ ଶିକ୍ଷାପରେ ସେ ଅଭିନୟରେ ଡିପ୍ଲୋମା କରିବା ପାଇଁ କଲିକତାର ରବୀନ୍ଦ୍ର ଭାରତୀ ଯାଇଥିଲେ । ସେଠାରେ ସେ ପ୍ରଥମ ଓଡ଼ିଆ ଛାତ୍ର ଭାବରେ ମଞ୍ଚ ଓ ସିନେମା ଶିକ୍ଷାଗ୍ରହଣ କରିଥିଲେ । ସେ ପୁଣେର ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଯାଇ ଅଭିନୟରେ ଡିପ୍ଲୋମା ହାସଲ କରିଥିଲେ ।[୫]
ବୃତ୍ତିଗତ ଜୀବନ
[ସମ୍ପାଦନା]୧୯୬୬–୧୯୭୩: ପ୍ରାରମ୍ଭିକ କାର୍ଯ୍ୟ
[ସମ୍ପାଦନା]ପୁଣେରେ ଶିକ୍ଷାଗ୍ରହଣ ପରେ ପରେ ୧୯୬୬ରେ ବମ୍ବେ ଯାଇ ସେଠାରେ ସିନେମାରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେଠାରେ ଛଅ ବର୍ଷ ଧରି ଭଲ ଅଭିନୟ ପାଇଁ ସୁଯୋଗ ପାଇବାରେ ସଂଘର୍ଷ କରିବାକୁ ପଡ଼ିଥିଲା । ତା'ପରେ ସେ ମଞ୍ଚ ଅଭିନୟ ଆରମ୍ଭ କରି ସତ୍ୟଦେବ ଦୁବେଙ୍କ ନିର୍ଦ୍ଦେଶନାରେ ଅନେକ ନାଟକରେ ଅଭିନୟ କରିଥିଲେ । ସେ ହିନ୍ଦୀ ଥିଏଟର ୟୁନିଟରେ ଯୋଗଦେଇ ଅମରୀଶ ପୁରୀ, ନସିରୁଦ୍ଦିନ ଶାହା, ଶବାନା ଆଜମୀ, ସ୍ମିତା ପାଟିଲ, ଅମୋଲ ପାଲେକର, ଚିତ୍ର ପାଲେକର, ସୁଲଭ ଦେଶପାଣ୍ଡେ, ଆର୍.ବି. ଦେଶପାଣ୍ଡେ ଆଦି ଅଭିନେତାଙ୍କ ସହ କାମକରିଥିଲେ । ୧୯୬୯ ମସିହାରେ ସେ ଭୁବନ ସୋମ କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିଲେ । ଏଥିରେ ସେ ଏକ ମୂକ ପକ୍ଷୀଧରାଳୀ ଚରିତ୍ରରେ ଅଭିନୟ କରିଥିଲେ । ସେ ଇଚ୍ଛାପୂରଣ ନାମକ ଆଉ ଏକ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ ।[୫]
୧୯୭୪: ପ୍ରଥମ ସଫଳତା ଓ ଦେଶବ୍ୟାପୀ ସ୍ୱୀକୃତି
[ସମ୍ପାଦନା]ସେ ହିନ୍ଦୀ ଥିଏଟର ୟୁନିଟରେ ଅଭିନୟ କରିଥିବା ସମୟରେ ନିର୍ଦ୍ଦେଶକ ଶ୍ୟାମ ବେନଗଲ ଏକଦା ନାଟକ ଦେଖିବାକୁ ଆସିଥିବାବେଳେ ମେହେରଙ୍କ ଅଭିନୟରେ ଦେଖି ତାଙ୍କୁ ଅଙ୍କୁର ଫିଲ୍ମରେ ସୁଯୋଗ ଦେଇଥିଲେ । ଏହି ଚଳଚ୍ଚିତ୍ରରେ ଅଭିନୟ ପାଇଁ ୧୯୭୪ରେ ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବର୍ଗରେ ଶ୍ରେଷ୍ଠ ଅଭିନେତା ଭାବରେ ରଜତ କମଳ ପୁରସ୍କାର ପାଇଥିଲେ । ଏହି ପୁରସ୍କାର ପାଇବାରେ ସେ ଥିଲେ ଏକ ମାତ୍ର ଓଡ଼ିଆ ଅଭିନେତା ।[୫]
୧୯୭୭–୨୦୦୭: ଚଳଚ୍ଚିତ୍ର ନିର୍ଦ୍ଦେଶନା ଓ ଅଭିନୟ
[ସମ୍ପାଦନା]ଅଭିମନ୍ୟୁ (୧୯୭୭) ମାଧ୍ୟମରେ ସେ ପ୍ରଥମ କରି ଓଡ଼ିଆ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଆରମ୍ଭ ଆରମ୍ଭ କରିଥିଲେ । ଏଥିରେ ସେ ଉତ୍ତମ ମହାନ୍ତି, ଅଜିତ ଦାସ, ଅପରାଜିତାଙ୍କ ଭଳି ଅଭିନେତା ଏବଂ ସଂଗୀତ ନିର୍ଦ୍ଦେଶକ ରାଧାକୃଷ୍ଣ ଭଞ୍ଜଙ୍କୁ ପ୍ରଥମେ ସୁଯୋଗ ଦେଇଥିଲେ । ତାଙ୍କ ନିର୍ଦ୍ଦେଶିତ ଅନ୍ୟାନ୍ୟ ଓଡ଼ିଆ ଚଳଚ୍ଚିତ୍ର ମଧ୍ୟରେ ଅଭିଳାଷ, ଅପରିଚିତା, ଗୋପରେ ବଢୁଚି କଳାକହ୍ନେଇ ଆଦି ଅନ୍ୟତମ । ସେ ୩୮ରୁ ଅଧିକ ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ସେଥିମଧ୍ୟରୁ ଇଛା ପୂରଣ, ୨୭ ଡାଉନ୍, ମନ୍ଥନ, ଦେବଶିଶୁ, ନିଶାନ୍ତ, ସଫେଦ ହାତୀ, ମୃଗୟା, ଚରାଚର, ଉତ୍ତରଣ ଆଦି ହିନ୍ଦୀ ଚଳଚ୍ଚିତ୍ର ଅନ୍ୟତମ । ତାଙ୍କ ଅଭିନୀତ ଓଡ଼ିଆ ଓ ସମ୍ବଲପୁରୀ ଚଳଚ୍ଚିତ୍ର ମଧ୍ୟରେ ଶୀତ ରାତି, ଭୁଖା, ଜୟ ଜଗନ୍ନାଥ ଆଦି ଅନ୍ୟତମ । ୨୦୦୭ରେ ମୁକ୍ତିଲାଭ କରିଥିବା ଜୟ ଜଗନ୍ନାଥ ଥିଲା ତାଙ୍କ ଅଭିନୀତ ଶେଷ ଓଡ଼ିଆ ଚଳଚ୍ଚିତ୍ର ।[୫]
ଅଭିନୀତ ଓଡ଼ିଆ କଥାଚିତ୍ର
[ସମ୍ପାଦନା]କଥାଚିତ୍ର | ମୁକ୍ତିଲାଭ ବର୍ଷ | ନିର୍ଦ୍ଦେଶକ |
---|---|---|
ଜୟ ଜଗନ୍ନାଥ | ୨୦୦୭ | ସବ୍ୟସାଚୀ ମହାପାତ୍ର |
ବାବୁଲା | ୧୯୮୫ | ସାଧୁ ମେହେର |
କସ୍ତୁରୀ | ୧୯୮୭ | ଜେ. ଏଚ. ସତ୍ତାର |
ଅପରିଚିତା | ୧୯୮୦ | ସାଧୁ ମେହେର |
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ପଦ୍ମଶ୍ରୀ, ୨୦୧୭[୬]
- ସର୍ବଶ୍ରେଷ୍ଠ ଅଭିନୟ ନିମନ୍ତେ ଜାତୀୟ ପୁରସ୍କାର, ୧୯୭୪[୭]
- ଜୟଦେବ ସମ୍ମାନ[୮]
- ଭାରତୀୟ ପାନୋରମା ତଥା ଜାତୀୟ ପୁରସ୍କାର ଚୟନ ସମିତିରେ ଅନେକ ଥର ଜୁରୀ
ଆଧାର
[ସମ୍ପାଦନା]- ↑ Mohapatra, Rajendra Prasad. "Eminent Odia actor Sadhu Meher passes away". Eminent Odia actor Sadhu Meher passes away (in ଇଂରାଜୀ). Retrieved 2024-02-02.
- ↑ Sethy, Itishree (2024-02-02). "Padma Shri Awardee Veteran Odia Actor Sadhu Meher Passes Away". Pragativadi (in ଆମେରିକୀୟ ଇଂରାଜୀ). Retrieved 2024-02-02.
- ↑ Bureau, O. B. (2024-02-02). "Veteran Odia Actor-Director Sadhu Meher Passes Away At Mumbai Residence". odishabytes (in ଆମେରିକୀୟ ଇଂରାଜୀ). Retrieved 2024-02-02.
- ↑ "ସାଧୁ ମେହେରଙ୍କ ବିଷୟରେ କେତୋଟି କଥା". ଓଡ଼ିଶା ଡଟ୍ କମ୍. Retrieved 26 June 2016.
- ↑ ୫.୦ ୫.୧ ୫.୨ ୫.୩ "ଗୁଡ଼ଭେଲିପଦରରୁ ମାୟାନଗରୀ". ସମ୍ବାଦ. Archived from the original on 2024-02-06. Retrieved 2024-02-06.
- ↑ "Padma Awards 2017 announced". PIB, Govt. of India, MHA. Retrieved 25 January 2017.
- ↑ "22nd National Film Festival (1975)" (PDF). dff.nic.in. Directorate of Film Festivals. p. 14. Retrieved 30 July 2011.
- ↑ "Starry Nite marks state film awards- Orissa- IBNLive". ibnlive.in.com. 2011. Retrieved 16 January 2013.
In the absence of veteran film actor-director Sadhu Meher, the Jaydev Award-2008 for Lifetime Achievement was received by his friend
[permanent dead link]
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସାଧୁ ମେହେର