ଲୁଇପା

ଉଇକିପିଡ଼ିଆ ରୁ
Jump to navigation Jump to search
ମହାସିଦ୍ଧ
ଲୁଇପା
ଲୁଇପାଦ
ଜନ୍ମ ଓ ଜନ୍ମସ୍ଥାନ କାମରୂପ
ଜାତୀୟତା ଭାରତୀୟ
ଅଲଗା ନାଆଁ ଲୌହିତ୍ୟପାଦ
ଜୀବିକା ମହାସିଦ୍ଧ, କବି
ପ୍ରସିଦ୍ଧି ଚରିଯାଗୀତି, ଆଶ୍ଚର୍ଯ୍ୟଚର୍ଯ୍ୟାଚୟ ବା ଚର୍ଯ୍ୟାପଦ
ଜଣାଶୁଣା କାମ ଚର୍ଯ୍ୟା ୧ ଓ ୨୯
ବାପା ବୋଉ
  • ରାଜା ଲଳିତପାଦ, ଓଡ଼ିଆଣ (ବ୍ୟୁଟନ ରିଞ୍ଚେନ ଡ୍ରବ - History of Buddhism) (father)
Notes
ପ୍ରାଚୀନ ସ୍ରୋତଗୁଡ଼ିକରେ ପାର୍ଥକ୍ୟ ଥିବାରୁ ସ୍ଥାନେ ସ୍ଥାନେ ଏକାଧିକ ନାମ ଦିଆଯାଇଛି

ଲୁଇପା ବା ଲୁଇପାଦ (ଅସମୀୟା: লুইপা, ବଙ୍ଗାଳୀ: লুইপা c. ୧୦ମ ଶତାବ୍ଦୀ) ପୂର୍ବ ଭାରତର ଜଣେ ମହାସିଦ୍ଧ ବା ସିଦ୍ଧାଚାର୍ଯ୍ୟ ଥିଲେ । ସେ ଅନେକ ବୌଦ୍ଧ ଧର୍ମୀୟ ରଚନାର କବି । 

ନାମ[ସମ୍ପାଦନା]

ତିବ୍ବତୀୟ ଭାଷାରେ ଲୁଇ ଶବ୍ଦର ଅର୍ଥ ମତ୍ସ୍ୟ-ଅନ୍ତ୍ର-ଭକ୍ଷକ, ମାନେ ଯେ ମାଛର ଅନ୍ତଃପୁଟୁଳିକୁ ଭକ୍ଷଣ କରେ ବା ଖାଏ । କିନ୍ତୁ ଏହି ଶବ୍ଦର ମୂଳ ପ୍ରାଚୀନ ଓଡ଼ିଆ-ବଙ୍ଗାଳୀ ଶବ୍ଦ ଲୋହିତରୁ ଆସିଥିବା ପରି ଅଧିକ ମନେ ହୁଏ । ଲୋହିତ ରୋହୁ ମାଛର ଅନ୍ୟନାମ । ମଧ୍ୟଯୁଗୀୟ ଧର୍ମମଙ୍ଗଳ ରଚନାରେ ଲୁଇଧର, ଲୁଇଚନ୍ଦ୍ର ଓ ଲୁଇୟା ଭଳି ନାମ ଦେଖିବାକୁ ମିଳେ । ଏହି ସମସ୍ତ ସେହି ଏକା ମୂଳରୁ ଆସିଥିବା ଭଳି ପ୍ରତୀତ ହୁଏ ।  [୧]

ଆୟପ୍ପାପାଣିକର ଓ ଏକାଡେମୀ (୧୯୯୭: ପୃ-୫୯୯) 'ଲୁଇପା' ନାମକୁ ବ୍ରହ୍ମପୁତ୍ର ନଦୀ ସଙ୍ଗେ ସମ୍ବନ୍ଧିତ ବୋଲି ଯୁକ୍ତି ବାଢ଼ି ପୂର୍ବ ଯୁକ୍ତିକୁ ଦୃଢ଼ୀଭୂତ କରନ୍ତି : 

କେ ଏଲ ବାରୁଆ ଓ ଡିମ୍ବେସ୍ୱର ନିଓଗଙ୍କ ଭଳି ଅନେକ ଗବେଷକଙ୍କ ମତରେ ତାଙ୍କର (ଲୁଇପାଙ୍କର) କାବ୍ୟିକ ନାଆଁ ବ୍ରହ୍ମପୁତ୍ର ନଦୀ କୂଳରେ ତାଙ୍କ ରହଣିର ସୂଚକ ବୋଲି ବିଚାର କରନ୍ତି । ବ୍ରହ୍ମପୁତ୍ର ନଦୀ ଲୁଇଟ ଭାବେ ଜଣାଥିଲା । ଏହା ଛଡ଼ା ତାଙ୍କର ଶବ୍ଦଚୟନ ଓ ବାକ୍ୟଶୈଳୀ ସ୍ପଷ୍ଟଭାବେ ପୁରାତନ ଆସାମୀ ।

କିମ୍ବଦନ୍ତୀ ସାହିତ୍ୟ[ସମ୍ପାଦନା]

ଚତୁରଶୀତିସିଦ୍ଧପ୍ରବୃତ୍ତି ନାମକ ପୁସ୍ତକରେ ବୌଦ୍ଧଧର୍ମର ବଜ୍ରଯାନ ଶାଖାର ସ୍ରଷ୍ଟା ଚଉରାଶି ମହାସିଦ୍ଧଙ୍କ ଜୀବନୀ ଚରିତ ଆଦି ପ୍ରଦତ୍ତ ହୋଇଛି । ତିବ୍ବତୀୟ ସାଧୁ ମଣ୍ଡୁପ ଶେରାବ ଚମ୍ପାରଣ ଗ୍ରାମର ଅଭୟଦତ୍ତଶ୍ରୀଙ୍କଠାରୁ (୧୨ଶ ଶତାବ୍ଦୀ) ଏହା ଶୁଣିଥିଲେ । ସେ ଯାହା ଶୁଣିଥିଲେ ତାହା ଅନୁସାରେ ତିବ୍ବତୀୟ ଭାଷାରେ ସମବିଷୟୀ ଗ୍ରନ୍ଥଟେ ରଚନା କରିଥିଲେ । ଏହା ଚତୁରଶୀତିସିଦ୍ଧପ୍ରବୃତ୍ତିର ଅନୁବାଦ ଭଳି ପ୍ରତୀତ ହୁଏ ।  

ଚତୁରଶୀତିସିଦ୍ଧପ୍ରବୃତ୍ତି ଗ୍ରନ୍ଥ ଅନୁସାରେ ଲୁଇପା ସିଂହଳଦ୍ୱୀପର ଏକ ଧନବାନ ରଜାଙ୍କର ଦ୍ୱିତୀୟ ପୁତ୍ର ଥିଲେ । ସିଂହଳଦ୍ୱୀପ ନାମରେ ଅନେକ ସ୍ଥାନ ଚିହ୍ନିତ କରାଯାଏ । ଶ୍ରୀଲଙ୍କାକୁ ସିଂହଳ କୁହାଯାଉଥିଲେ ମଧ୍ୟ ଅନ୍ୟ ସ୍ରୋତରେ ଓଡ଼ିଆଣ ଅଞ୍ଚଳରେ ତାଙ୍କ ଜନ୍ମ ବର୍ଣ୍ଣିତ ହୋଇଥିବାରୁ ଉକ୍ତ ସିଂହଳ ଯେ ଓଡ଼ିଶା ଏହା ବେଶୀ ଯୁକ୍ତିଯୁକ୍ତ । ଓଡ଼ିଆଣ କେଉଁ ଯାଗାକୁ ବୁଝାଏ ଏହାକୁ ନେଇ ମଧ୍ୟ ବିବାଦ ରହିଛି, କିନ୍ତୁ ଓଡ଼ିଶାକୁ ଓଡ଼ିଆଣ ଏବଂ ସିଂହଳ ଉଭୟ ନାମରେ ଅଭିହିତ କରାଯାଉଥିବାରୁ ଏହି ସ୍ଥାନକୁ ଓଡ଼ିଶାରେ ଚିହ୍ନଟ କରାଯିବା ହିଁ ଯୁକ୍ତିଯୁକ୍ତ । [୨]

ଦ୍ୱିତୀୟ ପୁତ୍ର ଥିଲେ ମଧ୍ୟ ଲୁଇପାଙ୍କ ବାପା ତାଙ୍କୁ ରାଜ୍ୟଭାର ପ୍ରଦାନ କରିବା ଇଚ୍ଛା କରୁଥିଲେ । ଏହା ସତ୍ତ୍ୱେ ସେ ବୋଧି ବା ମୁକ୍ତି ଆଶରେ ରାଜ୍ୟ ତେଜି ରାମେଶ୍ୱରକୁ ଯାଇଥିଲେ । ଏହା ପରେ ସେ ବଜ୍ରାସନ (ବୋଧଗୟାର ପ୍ରାଚୀନ ନାମ) ଗଲେ । ବଜ୍ରାସନରେ ଡାକିନୀଙ୍କଠାରୁ ସେ ନିଜ ପ୍ରଥମ ଶିକ୍ଷା ଲାଭ କରିଥିଲେ । ପରବର୍ତ୍ତୀ ସମୟରେ ଯେତେବେଳେ ସେ ଶାଳୀପୁତ୍ର ବା ମଗଧକୁ ଗମନ କଲେ, ଗୋଟିଏ ଲୋକ-ଡାକିନୀ ତାଙ୍କୁ ରାଜକୁଳର ସମସ୍ତ ଗର୍ବ ପରିତ୍ୟାଗ କରିବାକୁ ଉପଦେଶ ଦେଇଥିଲେ । ଗର୍ବ ତ୍ୟାଗ କରି ଶୁଦ୍ଧାଶୁଦ୍ଧ ଭେଦଭାବ ଭାଜିଲେ ଯାଇ ତାଙ୍କ ଲକ୍ଷ୍ୟ ସାଧିତ ହୋଇପାରିବ । ସେହି ଉପଦେଶ କ୍ରମେ ଲୁଇପା ବାର ବର୍ଷ କାଳ ଗଙ୍ଗାକୂଳରେ ରହି କେବଳ ମାଛର ଅନ୍ତ୍ର ଭକ୍ଷଣ କଲେ । ଏହି ଅଭ୍ୟାସ ଯୋଗୁଁ ଲୋକେ ତାଙ୍କୁ 'ଲୁଇ' ଅର୍ଥାତ୍ ମତ୍ସ୍ୟ-ଅନ୍ତ୍ର-ଭକ୍ଷକ ଡାକିଲେ ।[ଆଧାର ଲୋଡ଼ା]

ଚତୁରଶୀତିସିଦ୍ଧପ୍ରବୃତ୍ତିରେ ଲୁଇପା ପୁଣି ମଗଧର ରାଜା ଇନ୍ଦ୍ରପାଳ ଓ ତାଙ୍କ ବ୍ରାହ୍ମଣ ମନ୍ତ୍ରୀଙ୍କୁ ଭେଟନ୍ତି । ଉଭୟ ତାଙ୍କ ଚେଲା ହୋଇ ଦାରିକପା ଓ ଡେଙ୍ଗିପା ନାମରେ ପ୍ରସିଦ୍ଧ ହେଲେ । ଲୁଇପା ସେମାନଙ୍କୁ ଚକ୍ରସମ୍ଭାର ମଣ୍ଡଳରେ ଦୀକ୍ଷା ଦେଲେ ।

ବ୍ୟୁଟନ ରିଞ୍ଚେନ ଡ୍ରବଙ୍କ History of Buddhism (ବୌଦ୍ଧଧର୍ମର ଇତିହାସ) ପୁସ୍ତକରେ ଲୁଇପା ଓଡ଼ିଆଣର ରାଜା ଲଳିତଚନ୍ଦ୍ରଙ୍କ ପୁତ୍ର କୁହାଯାଇଛି । ରାଜକୁମାର ଲୁଇପା ସରହପାଙ୍କ ଚେଲା ଶବରପାଙ୍କୁ ଭେଟି ତାଙ୍କ ଚରିତରେ ମୋହିତ ହୁଅନ୍ତି ଓ ଦୀକ୍ଷା ମିଳିବା ପାଇଁ ଅତି ଆଗ୍ରହ ପ୍ରକାଶ କରନ୍ତି । ଏହାଙ୍କଠାରୁ ଚକ୍ରସମ୍ଭାର ତନ୍ତ୍ରରେ ଦୀକ୍ଷିତ ହୋଇ ସେ ନିଜ ତପରର ପ୍ରଥମ ସ୍ତର ସମ୍ପନ୍ନ କରନ୍ତି । ଏଥିରେ ସେ ଶ୍ମଶାନ ଭୂମିରେ ଚବିଶଗୋଟି ଡାକ-ଡାକିନୀଙ୍କ ସଙ୍ଗେ ମିଶି ଗଣଚକ୍ରେ ନୃତ୍ୟ କରନ୍ତି ଓ ଅନ୍ତରେ ଜଣେ ସନ୍ଥଙ୍କ ଶବକୁ ମିଳିମିଶି ଭୁଞ୍ଜନ୍ତି । ଗୁରୁଙ୍କଠାରୁ ଅନ୍ତିମ ଅନୁମତି ଗ୍ରହଣ କରି ସେ ଓଡ଼ିଆଣ ଛାଡ଼ି ବୁଲିବୁଲି ଭିକ୍ଷୁକ-ସାଧୁ ରୂପେ ଜୀବନ ଯାପନ କରନ୍ତି । ପରେ ପରେ ସ୍ଥିର ହୋଇ ଗୋଟିଏ ସ୍ଥାନରେ ତପ କରିବାର ଆବଶ୍ୟକତା ଉପୁଜିବାରୁ ସେ ବଙ୍ଗଦେଶରେ ଗଙ୍ଗାକୂଳରେ ମାଛର ଅନ୍ତରାଳ ଗଦାଟିଏ ପାଖରେ ବସିକରି ତପ କରନ୍ତି । ବଜ୍ରଯାନ ମାର୍ଗର ସର୍ବୋଚ୍ଚ ସ୍ଥିତି ମହାମୁଦ୍ରା-ସିଦ୍ଧି ପ୍ରାପ୍ତ ହେଲାଯାକେ ସେ ତପ କରନ୍ତି ।

ତିବ୍ବତୀୟ ବୌଦ୍ଧଧର୍ମର ଶାକ୍ୟ ଶାଖା ମତରେ ଲୁଇପା ଜାତିରେ କାୟସ୍ଥ ବା କରଣ ଥିଲେ । ଏହି ମତାନୁସାରେ ସେ ଉତ୍ତର-ବଙ୍ଗ ରାଜା ଧର୍ମପାଳଙ୍କ ସଭାରେ କରଣ ଦାୟିତ୍ୱ ନିର୍ଭା କରୁଥିଲେ । ଧର୍ମପାଳଙ୍କ ନବରରେ ଭିକ୍ଷା ମାଗିଲାବେଳେ ଶବରୀପା ଲୁଇପାଙ୍କୁ ଦେଖି ସମ୍ଭାର ଦୀକ୍ଷା ନିମନ୍ତେ ଲୁଇପା କରଣଙ୍କୁ ଉପଯୁକ୍ତ ପ୍ରାର୍ଥୀ ମନେ କଲେ । ରଜାରାଜୁଡ଼ାଙ୍କ ଲାଗି ଲୁଇପା ଲେଖୁଥିବା ଛନ୍ଦୋବଦ୍ଧ ପତ୍ର ରଚନା ନିମନ୍ତେ ଯେଉଁ ଏକାଗ୍ରଚିତ୍ତ ଆବଶ୍ୟକ ତାହା ତାଙ୍କ ପାଖରେ ଥିଲା [୨]

ତିବ୍ବତୀୟ ବୌଦ୍ଧଧର୍ମର ଜୋନାଙ୍ଗ ଶାଖାର ପଣ୍ଡିତ ତାରାନାଥଙ୍କ ଲେଖାରେ ବ୍ୟୁଟନଙ୍କ କଥାଠୁ ବହୁତ ପାର୍ଥକ୍ୟ ରହିଛି । ତାଙ୍କ ଲେଖାରେ ଲୁଇପା ଓଡ଼ିଆଣ ରାଜାଙ୍କ କରଣ ଥିଲେ ଏବଂ ବଜ୍ରବରାହୀ ମଣ୍ଡଳରେ ଦୀକ୍ଷାଗ୍ରହଣ କରିଥିଲେ ।

କବିତ୍ୱ[ସମ୍ପାଦନା]

ଚରିଯାଗୀତି ବା ଚର୍ଯ୍ୟାପଦ ବା ଆଶ୍ଚର୍ଯ୍ୟଚର୍ଯ୍ୟାଚୟ ନାମକ କବିତାସଙ୍ଗ୍ରହରେ ଚଉରାଶି ମହାସିଦ୍ଧଙ୍କ ରଚିତ ଅନେକ କବିତା ବା ଚରିଯା ବା ଚର୍ଯ୍ୟା ସଙ୍ଗୃହୀତ । ପ୍ରଥମ ଚରିଯା ଲୁଇପାଙ୍କ ରଚନା ଓ ଅତ୍ୟନ୍ତ ପ୍ରସିଦ୍ଧ । ଏଥିରେ ଦୁଇଥର ମହାସିଦ୍ଧ ଲୁଇଙ୍କର ଭଣିତା ରହିଅଛି ।

କାଆ ତରୁବର ପଞ୍ଚ ବି ଡାଳ
ଚଞ୍ଚଳ ଚୀଏ ପଇଠୋ କାଳ ।
ଦିଟ କରିଅ ମହାସୁହ ପରିମାଣ
ଲୁଇ ଭଣଇ ଗୁରୁ ପୁଚ୍ଛିଅ ଜାଣ ।
ସଅଳ ସ[ମା]ହିଅ କାହି କରିଅଇ
ସୁଖ ଦୁଃଖେତେ ନିଚିତ ମରିଆଇ ।
ଏଡ଼ି ଏଉ ଛାନ୍ଦକ ବାନ୍ଧ କରଣକ ପାଟେର ଆସ
ସୁନୁପାଖ ଭିତି ଲାହୁ ରେ ପାସ ।
ଭଣଇ ଲୁଇ ଆମ୍ହେ ସାଣେ ଦିଠା
ଧମଣ ଚମଣ ବେଣି ପାଣ୍ଡି ବଇଣ ।

ମୀନପା ବା ମତ୍ସ୍ୟେନ୍ଦ୍ରନାଥଙ୍କ ସଙ୍ଗେ ଏକତ୍ୱ[ସମ୍ପାଦନା]

ଏକାଧିକ ଆଧୁନିକ ଗବେଷକମାନେ ନାଥ ସମ୍ପ୍ରଦାୟର ସ୍ରଷ୍ଟା ଓ ଆଦିଗୁରୁ ମତ୍ସ୍ୟେନ୍ଦ୍ରନାଥଙ୍କ ସଙ୍ଗେ ଲୁଇପାଙ୍କୁ ଏକ ଓ ଅଭିନ୍ନ ଭାବେ ପ୍ରମାଣ କରିବା ପାଇଁ ଚେଷ୍ଟା କରିଛନ୍ତି ।[୩] ଉଭୟଙ୍କ ମଧ୍ୟରେ ଅନେକ ସାମଞ୍ଜସ୍ୟ ଦେଖାଯାଏ । ଲୁଇ ଓ ମୀନ ଉଭୟଙ୍କ ନାମ ମାଛ ସମ୍ବନ୍ଧୀୟ । ଉଭୟ କେଉଟ ଜାତିର ଥିଲେ ବୋଲି କେତେକ ସ୍ଥାନରେ କଥିତ । ଶ୍ରୀଲଙ୍କା ଓ ପୂର୍ବ ଭାରତ ସଙ୍ଗେ ଉଭୟଙ୍କ ସମ୍ପର୍କ ରହିଛି । ଯୋଗିନୀତନ୍ତ୍ର ଧାରାଗୁଡ଼ିକର ଉଭୟ ସ୍ରଷ୍ଟା । ଲୁଇପା ସମ୍ଭାର ଓ ମୀନପା ଯୋଗିନୀ-କୌଳ ଆରମ୍ଭ କରିଥିଲେ । ଲୁଇପାଙ୍କୁ ଆଦିସିଦ୍ଧ କୁହାଯାଏ ଓ ମତ୍ସ୍ୟେନ୍ଦ୍ରନାଥଙ୍କୁ ଆଦିଗୁରୁ କୁହାଯାଏ । କିନ୍ତୁ ଯଦି ଲୁଇପା ଅଷ୍ଟମ ଶତାବ୍ଦୀର ତାହେଲେ ମତ୍ସ୍ୟେନ୍ଦ୍ରଙ୍କ ସହ ସେ ସମାନ ହୋଇପାରିବେ ନାହିଁ, ଯେହେତୁ ମତ୍ସ୍ୟେନ୍ଦ୍ରନାଥ ନବମରୁଦଶମ ଶତାବ୍ଦୀର ଚରିତ୍ର ବୋଲି ସୁପ୍ରମାଣିତ ।

ସାହିତ୍ୟ[ସମ୍ପାଦନା]

ବସ୍ତାଙ୍ଗ୍ୟୁର ଅନୁସାରେ ଲୁଇପାଙ୍କ ରଚିତ ଗ୍ରନ୍ଥସୂଚୀ ଏହା : 

  • ଶ୍ରୀମଦ୍ଭାଗବତ ଅଭିସମୟ
  • ବଜ୍ରସତ୍ତ୍ୱ ସାଧନା
  • ତତ୍ତ୍ୱସ୍ୱଭାବ ଦୋହାକୋଷ ଗୀତିକିଆ ଦୃଷ୍ଟିନାମ
  • ଲୁହିପାଦ ଗୀତିକା
  • ଶ୍ରୀଚକ୍ରସମ୍ଭାର ଅଭିସମୟ ଟୀକା
  • ବୁଦ୍ଧୋଦୟ
    ସୁପ୍ରସିଦ୍ଧ ପଣ୍ଡିତ ଅତୀଶଙ୍କ ଅଭିସମୟ ବିଭଙ୍ଗର ଉପକବି ଭାବରେ ମଧ୍ୟ ସେ ନାମିତ । ଚରିଯାଗୀତି ବା ଚର୍ଯ୍ୟାଗୀତିକା ବା ଆଶ୍ଚର୍ଯ୍ୟଚର୍ଯ୍ୟାଚୟର ୧ମ ଓ ୨୯ମ ପଦରେ ଲୁଇପାଙ୍କ ଭଣିତା ରହିଛି ।[୪]

ଅଧିକ ପଠନ[ସମ୍ପାଦନା]

  1. Sen, Sukumar (2002). Charyageeti Padabali (in Bengali), Ananda Publishers, Kolkata, ISBN 81-7215-458-5, pp.20-1
  2. ୨.୦ ୨.୧ "Luipa by Keith Dowmen". Retrieved 2007-06-15.  ଆଧାର ଭୁଲ: Invalid <ref> tag; name "Luipa" defined multiple times with different content
  3. Dasgupta, Shashibhusan (1995). Obscure Religious Cults, Firma KLM, Calcutta, ISBN 81-7102-020-8, p.384ff, 385
  4. Shastri, H. (1916, reprint 2006). Hajar Bacharer Purano Bangala Bhashay Bauddhagan O Doha (in Bengali), Kolkata:Bangiya Sahitya Parishad, p.xxi

ଆଧାର[ସମ୍ପାଦନା]

  1. Chattopadhyaya, Alaka (1998). Churashi Siddhar Kahini (in Bengali), Kolkata: Anushtup, ISBN 81-85479-68-2

ବାହ୍ୟ ଲିଙ୍କ[ସମ୍ପାଦନା]