Jump to content

ବୃନ୍ଦାବତୀ ଦାସୀ

ଉଇକିପିଡ଼ିଆ‌ରୁ
ବୃନ୍ଦାବତୀ ଦାସୀ
ବୃତ୍ତିକବି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସମୟସପ୍ତଦଶ ଶତାବ୍ଦୀ
ବିଷୟରାଧାକୃଷ୍ଣ ପ୍ରେମ
ସାହିତ୍ୟ କୃତିପୂର୍ଣ୍ଣତମ ଚନ୍ଦ୍ରୋଦୟ
ଜୀବନସାଥୀଚନ୍ଦ୍ରଶେଖର ଦାସ (ମହାପାତ୍ର)
ସନ୍ତାନଭୀମଦାସ

ବୃନ୍ଦାବତୀ ଦାସୀ ସପ୍ତଦଶ ଶତାବ୍ଦୀର ଜଣେ ଓଡ଼ିଆ କବି ଥିଲେ । ସେ ମଳିପଡ଼ା ଗ୍ରାମରେ ରହୁଥିଲେ । ତାଙ୍କ ସ୍ୱାମୀଙ୍କ ନାମ ଚନ୍ଦ୍ରଶେଖର ଦାସ (ମୂଳତଃ ମହାପାତ୍ର) ଓ ପୁତ୍ରଙ୍କ ନାମ ଭୀମ ଦାସ ଥିଲା ।[] ତାଙ୍କର ଲିଖିତ କାବ୍ୟ 'ପୂର୍ଣ୍ଣତମ ଚନ୍ଦ୍ରୋଦୟ' ତତ୍କାଳୀନ ସମାଜରେ ନାରୀମାନେ ଉଚ୍ଚଶିକ୍ଷିତ ଥିଲେ ଏହାର ଏକ ନିଦର୍ଶନ ।

ବୃନ୍ଦାବତୀଙ୍କ ଘର ପୁରୀ ଜିଲ୍ଲା ଅନ୍ତର୍ଗତ ମଳିପଡ଼ା ଗ୍ରାମରେ ଥିଲା । ସେ କରଣକୁଳରେ ଜନ୍ମଗ୍ରହଣ କରିଥିଲେ । କବି ନିଜର ପରିଚୟ ତାଙ୍କ ରଚିତ ପୂର୍ଣ୍ଣତମ ଚନ୍ଦ୍ରୋଦୟ ଗ୍ରନ୍ଥର ୧ମ, ୨ୟ ଓ ୨୦ଶ ଅଧ୍ୟାୟରେ ଦେଇଛନ୍ତି । ସେ ନିଜକୁ 'ବୃନ୍ଦାବତୀ ଦାସୀ' ନାମରେ ଚିହ୍ନିତ କରାଇଛନ୍ତି ।[]

କହଇ ଦାସୀ ବୃନ୍ଦାବତୀ । ଚିନ୍ତା କରିଣ ରାଧାପତି ।

— ୧-୬୨, ପୂର୍ଣ୍ଣତମ ଚନ୍ଦ୍ରୋଦୟ

ପୂର୍ଣ୍ଣତମ ଚନ୍ଦ୍ରୋଦୟରେ ଆତ୍ମପରିଚୟ

[ସମ୍ପାଦନା]

ବୃନ୍ଦାବତୀଙ୍କ ସ୍ୱାମୀ ଚନ୍ଦ୍ରଶେଖରଙ୍କ କୁଟୁମାବର ସମସ୍ତେ ବ୍ରଜ ବୈଷ୍ଣବ ଓ ସମସ୍ତେ ଗୋଟିଏ ଗୋଟିଏ ବ୍ରଜବୈଷ୍ଣବ ତତ୍ତ୍ୱ ପ୍ରତିପାଦନ କରି କାବ୍ୟ ପ୍ରଣୟନ କରିଛନ୍ତି । ଚନ୍ଦ୍ରଶେଖର ଦାସ ପୁରୀଜିଲ୍ଲା ଅନ୍ତଃପାତି ପୁରୁଷୋତ୍ତମ କ୍ଷେତ୍ରର ୮ କୋଶ ଦୂରରେ ଅବସ୍ଥିତ ମଳିପଡ଼ା ଗ୍ରାମରେ ପିତୃପିତାମହକ୍ରମେ ବାସ କରୁଥିଲେ । ବୃନ୍ଦାବତୀ ନିଜ ଗ୍ରନ୍ଥରେ ଲେଖିଛନ୍ତି ଯେ ତାଙ୍କ ସ୍ୱାମୀ, ଶ୍ୱଶୁର, ପୁତ୍ର ଓ ନାତି ସମସ୍ତେ କବି ଥିଲେ ଓ ସଭିଏଁ କୃଷ୍ଣଲୀଳାତ୍ମକ କାବ୍ୟ ପ୍ରଣୟନ କରିଥିଲେ । ତାଙ୍କ ସ୍ୱାମୀ ଚନ୍ଦ୍ରଶେଖର ମହାପାତ୍ର ଶ୍ରୀକୃଷ୍ଣତତ୍ତ୍ୱ ଚନ୍ଦ୍ରୋଦୟ, ପୁତ୍ର ଭୀମଦାସ (ହରି)ଭକ୍ତି ଚନ୍ଦ୍ରୋଦୟ ଓ ନାତି କୃପାସିନ୍ଧୁ ଦାସ ଉପାସନା ଚନ୍ଦ୍ରୋଦୟ ଲେଖିଥିଲେ ।[] ଶ୍ୱଶୁରଙ୍କ ନାମ ଜଗନ୍ନାଥ ଦାସ ଏହା ଉଲ୍ଲେଖ କରାଯାଇଛି କିନ୍ତୁ ଜଗନ୍ନାଥଙ୍କ ରଚିତ ପୁସ୍ତକର ନାମ ଦିଆଯାଇନାହିଁ ।

ଆହୁରି ଶୁଣିମା ସୁଜନେ । ମୋ କୁଳ ପରମ୍ପରାକ୍ରମେ ।
ଶ୍ୱଶୁର ପତି ପୁତ୍ର ନାତି । ଆଦିରେ ଯେତେକ ଅଛନ୍ତି ।
ସେ ପିତା ପିତାମହକ୍ରମେ । କୃଷ୍ଣ ସେବକ କୁଳଧର୍ମେ ।
ସମସ୍ତେ ଅଟନ୍ତି ସେ କବି । କୃଷ୍ଣ ଚରଣପଦ୍ମ ସେବି ।
ପ୍ରଭୁଙ୍କ ତାତ ଜଗନ୍ନାଥଦାସ ନାମେ ମହୀରେ ଖ୍ୟାତ ।
ଯେ କୃଷ୍ଣ ଯଶ ଗୁଣମାନ । ଗୀତେ କରିଛନ୍ତି ରଚନ ।
ପ୍ରଭୁ ଚନ୍ଦ୍ରଶେଖର ଦାସ । ମହୀରେ କଲେ ଯେ ପ୍ରକାଶ ।
ଶ୍ରୀକୃଷ୍ଣ ତତ୍ତ୍ୱ ଚନ୍ଦ୍ରୋଦୟ । ନାମେଣ ଗୀତ ସୁଧାମୟ ।
ପୁତ୍ର ମୋହର ଭୀମଦାସ । ଯେ କୃଷ୍ଣପଦ ଭକ୍ତିରସ ।
ଗୀତରେ କଲେକ ଉଦୟ । ନାମେଣ ଭକ୍ତି ଚନ୍ଦ୍ରୋଦୟ
ଏ ଆଦି ଅନେକ ଯେ ଗ୍ରନ୍ଥ । ମହୀରେ ହୋଇଛି ଯା ଖ୍ୟାତ ।
ନାତି ମୋହର କୃପାସିନ୍ଧୁ । ଯେ ଭୀମଦାସ ନିଜ ବନ୍ଧୁ ।
ଜନନିବାସ ଶ୍ଳୋକ ଅର୍ଥ । ବ୍ୟାଖ୍ୟାନ କରି ଯେ ଯଥାର୍ଥ ।
ଏକଇ ଶ୍ଳୋକ ଅର୍ଥଗୀତ । ପଚିଶ ଅଧ୍ୟାୟ ଯୁଗତ ।
ସେ ଉପାସନା ଚନ୍ଦ୍ରୋଦୟ । ନାମେ ଅଟନ୍ତି ସୁଧାମୟ ।
ଏଭାବେ ପତି ପୁତ୍ର ନାତି । ସମସ୍ତେ କୃଷ୍ଣ ପାଦେ ଭକ୍ତି ।

— ୨୦ଶ ଅଧ୍ୟାୟ, ପୂର୍ଣ୍ଣତମ ଚନ୍ଦ୍ରୋଦୟ

ଭୀମଦାସଙ୍କ ଭକ୍ତିରତ୍ନାବଳୀ

[ସମ୍ପାଦନା]

ବୃନ୍ଦାବତୀଙ୍କ ପୁଅ ଭୀମଦାସଙ୍କ ଅନ୍ୟ କୃତି ଭକ୍ତିରତ୍ନାବଳୀର ଶେଷ ଅଂଶରେ କବି ନିଜର ଆତ୍ମପରିଚୟ ଦେଇଛନ୍ତି । ପ୍ରାଚୀ ସମିତିଦ୍ୱାରା ପ୍ରକାଶିତ ପୂର୍ଣ୍ଣତମ ଚନ୍ଦ୍ରୋଦୟ ପୁସ୍ତକର ସମ୍ପାଦକ କୈଳାସଚନ୍ଦ୍ର ମହାପାତ୍ର ମୁଖବନ୍ଧରେ ରାୟ ବାହାଦୁର ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଘରେ ଉକ୍ତ ଭକ୍ତିରତ୍ନାବଳୀର ପୋଥି ଥିବା କଥା ଉଲ୍ଲେଖ କରିଛନ୍ତି । ଏହି ପୋଥିର ଶେଷ ଅଂଶରେ ଥିବା ଭୀମ ଦାସଙ୍କ ଆତ୍ମପରିଚୟ ବୃନ୍ଦାବତୀ ଦେଇଥିବା ପରିଚୟ ସଙ୍ଗେ ସୁନ୍ଦର ଭାବେ ମେଳ ହେଉଥିବା କୈଳାସଚନ୍ଦ୍ର ଲକ୍ଷ୍ୟ କରିଛନ୍ତି ।[]

କରଣ କୁଳେ ଉତପନ । ତାତ ମୋ ବିଷ୍ଣୁଭକ୍ତ ଜନ ।
ଚନ୍ଦ୍ରଶେଖର ମହାପାତ୍ର । ନାମ ଅବନୀ ତଳେ ଖ୍ୟାତ ।
ଗୃହ ତାଙ୍କର ମଳିପଡ଼ା । କ୍ଷେତ୍ରକୁ ବେନି ଯୁଣ ଛଡ଼ା ।
ଥାଇଣ ଗୃହସ୍ଥା ଧର୍ମରେ । କୃଷ୍ଣ ଚରଣେ ଭକ୍ତି କରେ ।
ସେ ପିତୃପିତାମହକ୍ରମେ । ବିଷ୍ଣୁ ସେବକ କୁଳଧର୍ମେ ।
ମୁଁ ତାଙ୍କ କନିଷ୍ଠ ନନ୍ଦନ । ତାଙ୍କ କରୁଣା ବଶୁଁ ଜାଣ ।
ଆବର କୃଷ୍ଣ କୃପାବଶେ । ଏ ଜାତ ହେଲା ମୋ ମାନସେ ।
ଶୁଣିଲି ଭକ୍ତିରତ୍ନାବଳୀ । ଗୀତ କରିବି ସ୍ପୃହା କଲି ।
ଶକାବ୍ଦ ଷଡ଼ଦଶ ଶତ । ଚଉଦ ବରଷ ଯୁଗତ ।
ବୈଶାଖମାସ ଶୁକ୍ଳ ପକ୍ଷେ । ତୃତୀୟା ତିଥି ଦ୍ୱିଜା ଋକ୍ଷେ ।
ଥାଇଣ ମଳିପଡ଼ା ପୁରୀ । ବିଷ୍ଣୁ ମଣ୍ଡପେ ବସି କରି ।
ରଚନା କଲି ଏହୁ ଗୀତ । କୃଷ୍ଣ ଚରଣେ ଦେଇ ଚିତ୍ତ ।
ଶ୍ରୀକୃଷ୍ଣ ଚରଣେ ମାନସ । ଦେଇ କହଇ ଭୀମଦାସ ।

— ଭକ୍ତିରତ୍ନାବଳୀ, ଭୀମଦାସ

ଗ୍ରନ୍ଥ ରଚନା

[ସମ୍ପାଦନା]

'ପୂର୍ଣ୍ଣତମ ଚନ୍ଦ୍ରୋଦୟ' ଗ୍ରନ୍ଥଟି ଶକାବ୍ଦ ୧୬୨୧ ବା ଖ୍ରୀଷ୍ଟାବ୍ଦ ୧୬୬୯ରେ ସମ୍ପୂର୍ଣ୍ଣ ହୋଇଥିଲା ଏହା କବିଙ୍କ ରଚନାରୁ ଜଣାପଡ଼େ ।[]

ଶକ ଅବଦ ଛଡ଼ଦଶ । ଶତ ଏକବିଂଶ ବରଷ ।।
ଦିବ୍ୟସିଂହ ଦେବ ରାଜନ । ତ୍ରିଦଶ ଅଙ୍କେ ଏ ରଚନ ।।
ବୈଶାଖ ମାସେ ଶୁକ୍ଳପକ୍ଷେ । ପଞ୍ଚମୀ ମୃଗଶିରା ରୁକ୍ଷେ ।।
ଶୁଭ ହୋଇଲା ଗ୍ରନ୍ଥ ଶେଷ । ଶୁଣି ସକଳ ପାପ ନାଶ ।।

— ପୂର୍ଣ୍ଣତମ ଚନ୍ଦ୍ରୋଦୟ

ବୃନ୍ଦାବତୀ ଦାସୀ ବୃଦ୍ଧାବସ୍ଥାରେ ପୂର୍ଣ୍ଣତମ ଚନ୍ଦ୍ରୋଦୟ ଲେଖିଥିବା ଅନୁମାନ କରାଯାଏ ।[] ଏଣୁ ତାଙ୍କ ରଚନାରେ ତାଙ୍କ ଶ୍ୱଶୁର, ପତି, ପୁତ୍ର, ନାତି ସମସ୍ତଙ୍କ ରଚିତ ଗ୍ରନ୍ଥର ସ୍ପଷ୍ଟ ଉଲ୍ଲେଖ ରହିଛି । ତାଙ୍କ ପୁତ୍ର ଭୀମଦାସ ନିଜ ରଚିତ ଭକ୍ତି ଚନ୍ଦ୍ରୋଦୟରେ ଯେଉଁ ସମୟ ଦେଇଛନ୍ତି ତାହା ଏହା ସହିତ ମେଳ ହେଉଛି ।[]

'ଚନ୍ଦ୍ରୋଦୟ' ନାମଟି ବୃନ୍ଦାବତୀଙ୍କ ପରିବାରରେ ଥିବା କବିମାନେ ବାରମ୍ବାର ବ୍ୟବହାର କରିଛନ୍ତି । ତାଙ୍କ ସ୍ୱାମୀ ଚନ୍ଦ୍ରଶେଖର ମହାପାତ୍ର ଶ୍ରୀକୃଷ୍ଣତତ୍ତ୍ୱ ଚନ୍ଦ୍ରୋଦୟ, ପୁତ୍ର ଭୀମ ଦାସ ଭକ୍ତି ଚନ୍ଦ୍ରୋଦୟ ଓ ନାତି କୃପାସିନ୍ଧୁ ଦାସ ଉପାସନା ଚନ୍ଦ୍ରୋଦୟ ଲେଖିଥିଲେ ।

ପ୍ରକାଶନ

[ସମ୍ପାଦନା]

ପ୍ରାଚୀ ସମିତିଦ୍ୱାରା ୧୯୨୭ ମସିହାରେ ପୂର୍ଣ୍ଣତମ ଚନ୍ଦ୍ରୋଦୟ ଗ୍ରନ୍ଥ ଟୀକା ଓ ମୁଖବନ୍ଧ ସଙ୍ଗେ ପ୍ରକାଶିତ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ ଉକ୍ତ ପୁସ୍ତକ ରାୟ ବାହାଦୁର ଆର୍ତ୍ତବଲ୍ଲଭ ମହାନ୍ତିଙ୍କଦ୍ୱାରା ସମ୍ପାଦିତ ନଥିଲା, ଏହାର ସମ୍ପାଦକ ଓ ଟୀକାକାର ଥିଲେ କୈଳାସଚନ୍ଦ୍ର ମହାପାତ୍ର । କଟକର ରାଧାନାଥ କୋଅପରେଟିଭ ପ୍ରେସରେ ଏହାର ମୁଦ୍ରଣକାର୍ଯ୍ୟ ହୋଇଥିଲା ।