ଦେବଦୁର୍ଲ୍ଲଭ ଦାସ

ଉଇକିପିଡ଼ିଆ ରୁ
Jump to navigation Jump to search
ଦେବଦୁର୍ଲ୍ଲଭ ଦାସ
ଜନ୍ମ ଓ ଜନ୍ମସ୍ଥାନ ୧୬ଶ ଶତାବ୍ଦୀ
ଘର ପୁରୀ, ଓଡ଼ିଶା
ଅଲଗା ନାଆଁ ଦେବଦୁର୍ଲଭ ଦାସ
ଜୀବିକା ପୁରାତନ କବି
ଜଣାଶୁଣା କାମ
ରହସ୍ୟମଞ୍ଜରୀ

ଦେବଦୁର୍ଲ୍ଲଭ ଦାସ ପ୍ରାଚୀନ ଓଡ଼ିଆ କବି ମାନଙ୍କ ମଧ୍ୟରେ ଅନ୍ୟତମ | ତାଙ୍କ ରଚିତ କାବ୍ୟ ରହସ୍ୟମଞ୍ଜରୀ ପ୍ରାଚୀ ସମିତିଦ୍ୱାରା ପ୍ରକାଶିତ | କବିଙ୍କ ଜନ୍ମ ସମୟ ଠିକ୍ ଭାବରେ ନିରୂପଣ କରଯାଇ ନାହିଁ | ତେବେ ତାଙ୍କ ରଚନାରୁ ଜଣାଯାଏ ଯେ ସେ ଜଗନ୍ନାଥ ଦାସଙ୍କ ସମସାମୟିକ |[୧]

ଜୀବନ[ସମ୍ପାଦନା]

ରଚନାରୁ ସଙ୍କେତ[ସମ୍ପାଦନା]

କବି ଦେବଦୁର୍ଲ୍ଲଭ ଦାସ ନିଜ କାବ୍ୟର କୌଣସି ସ୍ଥାନରେ ନିଜର ପରିଚୟ ପ୍ରକାଶ କରିନାହାନ୍ତି । ଏହା ବୈଷ୍ଣବର ସୁଲକ୍ଷଣ ଭାବେ ଗୃହୀତ । ନିଜ ବିଷୟରେ କିଛି ନ ଲେଖିବା ନିରହଙ୍କାରର ଚିହ୍ନ ଭାବେ ଦେଖାଯାଉଥିବାରୁ କବି ଏପରି କରିଥିବା ବୋଧ ହୁଏ । ତାଙ୍କର ଜନ୍ମସ୍ଥାନ ଓ ସମୟ ଅଜ୍ଞାତ ।

ନାମକରଣ[ସମ୍ପାଦନା]

ରହସ୍ୟମଞ୍ଜରୀର କେତେକ ଛାନ୍ଦର ଶେଷରେ କବି ନିଜ ପୂର୍ଣ୍ଣ ନାମ 'ଦେବଦୁର୍ଲ୍ଲଭ ଦାସ' ଭାବେ ଉଲ୍ଲେଖ କରିଛନ୍ତି ।

ଶରଣ ମାଗଇ ଦେବ ଦୁର୍ଲ୍ଲଭ ଯେ ଦାସ । (୧୦ଶ ଛାନ୍ଦ)
ନିରନ୍ତରେ ଚିନ୍ତେ ଦେବଦୁର୍ଲ୍ଲଭ ଦାସ । (୨୩ଶ ଛାନ୍ଦ)

ବାସସ୍ଥଳୀ[ସମ୍ପାଦନା]

କବିଙ୍କ ରଚିତ ଶ୍ରୀକ୍ଷେତ୍ରର ତୀକ୍ଷ୍ଣ ବର୍ଣ୍ଣନା ଓ ମିଷ୍ଟାନ୍ନାଦିର ଉଲ୍ଲେଖ ଯୋଗୁଁ ଡକ୍ଟର ଦେବେନ୍ଦ୍ର ମହାନ୍ତି ସେ ପୁରୀବାସୀ ହୋଇପାରନ୍ତି ବୋଲି ଉଲ୍ଲେଖ କରିଛନ୍ତି ।[୨]

ସମୟ[ସମ୍ପାଦନା]

ପ୍ରାଚୀ ସମିତିଦ୍ୱାରା ପ୍ରକାଶିତ ରହସ୍ୟମଞ୍ଜରୀ ପୁସ୍ତକର ମୁଖବନ୍ଧରେ ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତି ଦେବଦୁର୍ଲ୍ଲଭ ଦାସଙ୍କ ସମୟର ବିଚାର କରିଛନ୍ତି ।[୩]

ପୋଥି ପୁଷ୍ପାଞ୍ଜଳି[ସମ୍ପାଦନା]

ପ୍ରଥମତଃ ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତି ପାଇଥିବା ପାଞ୍ଚଗୋଟି ତାଳପତ୍ର ପୋଥି ମଧ୍ୟରୁ (କ) ଓ (ଚ) ଚିହ୍ନିତ ପୋଥିରେ କେବଳ ଗ୍ରନ୍ଥ ଲେଖନ ସମାପ୍ତି ଦିବସର ଉଲ୍ଲେଖ ଥିଲା । (କ) ପୋଥିର ''ଲେଖନକାର ଦୈବଜ୍ଞ ଭଗବାନ ନାୟକ, ଲେମ୍ବାଇ ବିଶେ ବଡ଼ପଦ ଗ୍ରାମରେ ରହଣି''- ପୋଥିର ଲେଖା ସମାପ୍ତିଦିନ ବୀର କିଶୋର ଦେବ ମହାରାଜାଙ୍କ ବିଜେ ଶୁଭରାଜ୍ୟେ ସମସ୍ତ ୪୭ ଅଙ୍କ କୁମ୍ଭ ୨୨ ଦିନ ଅର୍ଥାତ୍ ୧୭୭୪ ଖ୍ରୀଷ୍ଟାବ୍ଦର କଥା । ତେଣୁ ଦେବଦୁର୍ଲ୍ଲଭଙ୍କ ସ୍ୱକୃତ ରହସ୍ୟମଞ୍ଜରୀ ଗ୍ରନ୍ଥ ନିଶ୍ଚୟ ୧୭୭୪ଠାରୁ ପୂର୍ବବର୍ତ୍ତୂ ରଚନା । (ଚ) ପୋଥିର ଲେଖନକାର କୃଷ୍ଣ କୁଣ୍ଡା ମୁକୁନ୍ଦଦେବଙ୍କ ୨ୟ ଅଙ୍କ ୧୨୦୬ ସାଲ ମକର ୧୨ ଦିନ ପୋଥିଲେଖା ଶେଷ କରିଥିଲେ । ଅଭିମନ୍ୟୁ ତାଙ୍କର ରସବତୀ କାବ୍ୟ ବୀର କିଶୋର ଦେବଙ୍କ ୬୯ ଅଙ୍କରେ ସମାପ୍ତ କରିଥିଲେ । ଅର୍ଥାତ୍ ରହସ୍ୟମଞ୍ଜରୀର (କ) ପୋଥିର ଲେଖନକାର ରସବତୀର ୧୮ ବର୍ଷ ପୂର୍ବେ ତାଙ୍କ ଲେଖା ସମାପ୍ତ କରିଥିଲେ । ଏଥିରୁ ନିଃସନ୍ଦେହରେ ଏତିକି ମାତ୍ର ସିଦ୍ଧାନ୍ତ ରୂପେ ଗ୍ରହଣ କରାଯାଇପାରେ ଯେ ରହସ୍ୟମଞ୍ଜରୀର କବି ଦେବଦୁର୍ଲ୍ଲଭ ଅଭିମନ୍ୟୁ ସାମନ୍ତସିଂହାରଙ୍କ ପୂର୍ବବର୍ତ୍ତୀ ।[୨][୩]

ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଆଲୋଚନାକୁ ନେଇ ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ ଗ୍ରନ୍ଥଟିକୁ ୧୭୭୪ ପୂର୍ବର ଲେଖା ବୋଲି ସମ୍ମତି ଦେଇଛନ୍ତି ।[୧]

ଭାଷାତାତ୍ତ୍ୱିକ ଦିଗ[ସମ୍ପାଦନା]

ଦ୍ୱିତୀୟରେ ରହସ୍ୟମଞ୍ଜରୀର ଭାଷା ଓ ପ୍ରାଚୀନ ଶବ୍ଦର ପ୍ରୟୋଗ, ଅପ୍ରାକୃତିକ ଶବ୍ଦାଳଙ୍କାର ଓ ପୌରାଣିକ ଅଳଙ୍କାର ରୀତି ଅନୁଧ୍ୟାନ କଲେ ବୋଧ ହୁଏ ଯେ ଏହା ଏକ ପ୍ରାଚୀନ କାବ୍ୟ । ବ୍ୟବହୃତ ପ୍ରାଚୀନ ଶବ୍ଦ ମଧ୍ୟରୁ କିଛି ହେଲେ - 'ଶ୍ରୋଣାହା', 'ବିଘଂସିଲେ', 'ମେହୁ', 'ସାରିଷ', 'ପିରୋଘ', 'କେହୁଣି' ଇତ୍ୟାଦି । ସାରଳା ଦାସଙ୍କ ମହାଭାରତରେ ଏସବୁ ଶବ୍ଦ ବ୍ୟବହୃତ ଓ ବର୍ତ୍ତମାନ ଏହି ସମସ୍ତ ଶବ୍ଦ ଅବ୍ୟବହୃତ । ଆର୍ତ୍ତବଲ୍ଲଭଙ୍କ ମତରେ 'ଶ୍ରୋଣେହା' ଶବ୍ଦ ସାରଳା ଦାସଙ୍କ ଛଡ଼ା ଅନ୍ୟ କେହି ବ୍ୟବହାର କରିଥିବା ଜଣାଯାଏ ନାହିଁ ।[୩]

ସାଙ୍ଗୀତିକ ଅନୁଧ୍ୟାନ[ସମ୍ପାଦନା]

ଗ୍ରନ୍ଥର ବିଭିନ୍ନ ଛାନ୍ଦରେ ଥିବା ରାଗନିର୍ଦ୍ଦେଶରେ କେତେକ ପ୍ରାଚୀନ 'ବାଣୀ'ର ଉଲ୍ଲେଖ ଦେଖାଯାଏ । ଦ୍ୱିତୀୟ ଓ ଚତୁର୍ଥ ଛାନ୍ଦ କଳସା ବାଣୀରେ, ଷଷ୍ଠ ଛାନ୍ଦ 'ରାମବିଭା ପ୍ରଥମଛାନ୍ଦ ବାଣୀରେ', ସପ୍ତମ ଛାନ୍ଦ ସପନଚେତିଆ ବାଣୀରେ ଓ ଦଶମ ଛାନ୍ଦ ତୁଳାଭିଣା ବାଣୀରେ ଗାଇବାକୁ ନିର୍ଦ୍ଦେଶ ରହିଛି । କଳସା ବାଣୀ ବତ୍ସା ଦାସଙ୍କ କଳସା ଚଉତିଶାରୁ ଆସିଅଛି । ରାମବିଭା କାବ୍ୟ କବି ଅର୍ଜ୍ଜୁନ ଦାସଙ୍କ ରଚିତ । ତୁଳାଭିଣା ଅତିବଡ଼ି ଜଗନ୍ନାଥ ଦାସଙ୍କ ରଚିତ ଏକ ଗ୍ରନ୍ଥ । ଏସବୁରୁ ଅନୁମିତ ଯେ ଦେବଦୁର୍ଲ୍ଲଭ ଦାସ ବତ୍ସା ଦାସ, ଅର୍ଜ୍ଜୁନ ଦାସ ଓ ଜଗନ୍ନାଥ ଦାସଙ୍କ ପରବର୍ତ୍ତୀ କବି । ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କ ମତରେ କବି ଷୋଡ଼ଶ ଶତାବ୍ଦୀ ପରର କୌଣସି ଗ୍ରନ୍ଥରୁ ରାଗ ଗ୍ରହଣ କରିନଥିବାରୁ ସେ ଜଗନ୍ନାଥ ଦାସଙ୍କ ଅଳ୍ପ ସମୟ ପରେ କିମ୍ବା ତାଙ୍କ ସମୟରେ ଜୀବିତ ଥିବା ଅନୁମାନ କରାଯାଇପାରେ ।[୧] ଏଣୁ ସେ ଷୋଡ଼ଶ ଶତାବ୍ଦୀର ପ୍ରଥମାର୍ଦ୍ଧର ପରବର୍ତ୍ତୀ ଅର୍ଥାତ୍ ଷୋଡ଼ଶ ଶତାବ୍ଦୀର ଶେଷାର୍ଦ୍ଧ ଓ ସପ୍ତଦଶ ଶତାବ୍ଦୀର ପ୍ରଥମାର୍ଦ୍ଧର କବି ବୋଲି କହିବା ଅସମୀଚୀନ ହେବ ନାହିଁ ।

କବି ଉକ୍ତି[ସମ୍ପାଦନା]

କବି ରହସ୍ୟମଞ୍ଜରୀରେ ଲେଖିଅଛନ୍ତି ଯେ ତାଙ୍କ ପୂର୍ବରୁ ଏହି ବିଷୟକୁ ନେଇ କୌଣସି କାବ୍ୟ ରଚିତ ହୋଇନାହିଁ । ଅଚ୍ୟୁତାନନ୍ଦ ଦାସଙ୍କ ଶୂନ୍ୟସଂହିତାରେ ଏହି କଥାବସ୍ତୁ ସାମାନ୍ୟ ଭିନ୍ନରୂପେ ସମାବେଶିତ ହୋଇଅଛି । ଚାନ୍ଦ ଦାସଙ୍କ ଗୋପୀଚନ୍ଦନରେ ଓ ଦୀନକୃଷ୍ଣ ଦାସଙ୍କ ନାମରତ୍ନ ଗୀତାରେ ମଧ୍ୟ ଅଲଗା ଭଙ୍ଗୀରେ ଏହି ବିଷୟ ପ୍ରସ୍ତୁତ କରାଯାଇଛି ।[୨]

ସମକାଳୀନ ବାତାବରଣ[ସମ୍ପାଦନା]

କବିଙ୍କ ସମୟରେ ଉତ୍କଳ ଅନ୍ତର୍ବିବାଦ ଓ ଯୁଦ୍ଧରେ ଅଶାନ୍ତ ଥିବା ପରି ମନେ ହୁଏ । କବି ନିଜ ଗ୍ରନ୍ଥରେ ଏପରି ଅନର୍ଥ ହିଂସାକୁ ନିନ୍ଦା କରିଛନ୍ତି ।

ସବୁଙ୍କର ସନ୍ଥ ବୁଦ୍ଧି ଯେବେ ସେ ହୁଅନ୍ତା
ଖଡ଼ଗ କମାଣ ବାଣ କିପାଁଇ ବିହନ୍ତା
ଏକକୁ ଆରେକ ନ ଚିହ୍ନନ୍ତି ମତ୍ତଭୋଳେ
ତେଣୁ ମରାମରି ହୋଇ ମରନ୍ତି ସକଳେ ।

—ଚତୁର୍ବିଂଶ ଛାନ୍ଦ, ରହସ୍ୟମଞ୍ଜରୀ

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ଓଡ଼ିଆ ସାହିତ୍ୟର ଇତିହାସ, ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ
  2. ୨.୦ ୨.୧ ୨.୨ କବି ଦେବଦୁର୍ଲ୍ଲଭ ଦାସ ଓ ରହସ୍ୟମଞ୍ଜରୀ, ଦେବଦୁର୍ଲ୍ଲଭ ଦାସ (କବି), ପ୍ରାଧ୍ୟାପକ ଡକ୍ଟର ଦେବେନ୍ଦ୍ର ମହାନ୍ତି (ସମ୍ପାଦକ) । ୨ୟ ସଂସ୍କରଣ, ୧୯୯୨ । ପ୍ରକାଶକ : ସହଦେବ ପ୍ରଧାନ, ଫ୍ରେଣ୍ଡ୍‌ସ୍ ପବ୍ଲିଶର୍ସ, ବିନୋଦବିହାରୀ, କଟକ - ୭୫୩୦୦୨ । ଜଗାବଳିଆ ପ୍ରିଣ୍ଟର, ଜଗନ୍ନାଥ ବଲ୍ଲଭ, କଟକ-୧ ।
  3. ୩.୦ ୩.୧ ୩.୨ ରହସ୍ୟମଞ୍ଜରୀ, ଦେବଦୁର୍ଲ୍ଲଭ ଦାସ (କବି), ରାୟ ବାହାଦୁର ଆର୍ତ୍ତବଲ୍ଲଭ ମହାନ୍ତି (ସମ୍ପାଦକ) । ପ୍ରାଚୀ ସମିତି ।