Jump to content

ରାଧାନାଥ ରାୟ

ଉଇକିପିଡ଼ିଆ‌ରୁ
କବିବର ରାଧାନାଥ ରାୟ
କବିବର ରାଧାନାଥ ରାୟ
କବିବର ରାଧାନାଥ ରାୟ
ଜନ୍ମ ଓ ଜନ୍ମସ୍ଥାନ(1848-09-28)୨୮ ସେପ୍ଟେମ୍ବର ୧୮୪୮
କେଦାରପୁର, ସୋର, ବାଲେଶ୍ୱର
ମୃତ୍ୟୁ୧୭ ଅପ୍ରେଲ ୧୯୦୮(1908-04-17) (ବୟସ ୫୯)
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶିକ୍ଷାଏଫ. ଏ
ଶିକ୍ଷାନୁଷ୍ଠାନପ୍ରେସିଡେନ୍ସି କଲେଜ, କଲିକତା
ସମୟଆଧୁନିକ ଯୁଗ
ସାହିତ୍ୟ କୃତିଚିଲିକା ଖଣ୍ଡକାବ୍ୟ
ଜୀବନସାଥୀପରଶମଣୀ
ସନ୍ତାନଶଶି ଭୂଷଣ, ରଜନୀ ଭୂଷଣ

ରାଧାନାଥ ରାୟ (୧୮୪୮-୧୯୦୮) ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗର ସ୍ରଷ୍ଟା ଭାବରେ ସମ୍ମାନିତ । ସେ ତାଙ୍କର କାବ୍ୟକବିତା ରଚନା ନିମନ୍ତେ କବିବର ଉପାଧିରେ ଭୂଷିତ ।[୧]

ଜୀବନ କାଳ[ସମ୍ପାଦନା]

ଓଡ଼ିଶାର ବାଲେଶ୍ବର ଜିଲ୍ଲାର ସୋର ଅନ୍ତର୍ଗତ କେଦାରପୁର ଗ୍ରାମରେ ୨୮ ସେପ୍ଟେମ୍ବର ୧୮୪୮ (ଆଶ୍ୱିନ ପନ୍ଦରଦିନ, ୧୭୭୧ ଶକାବ୍ଦ) ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ ସୁନ୍ଦରନାରାୟଣ ରାୟ ଓ ତାରିଣୀ ଦାସୀଙ୍କର ଜ୍ୟେଷ୍ଠ ସନ୍ତାନ ଥିଲେ । ସୁନ୍ଦରନାରାୟଣ ଥିଲେ ଦକ୍ଷିଣ ଭାରତୀୟ କାୟସ୍ଥ ଓ ତାଙ୍କ ପୂର୍ବପୁରୁଷ ମେଦିନୀପୁର ଅନ୍ତର୍ଗତ ରାଧାନଗର ଗ୍ରାମରୁ ଆସିଥିଲେ । ତାଙ୍କର ବଂଶଗତ ଉପାଧି ଥିଲା 'ଦେ' । ସୁନ୍ଦରନାରାୟଣ ବାଲେଶ୍ୱର କଲେକ୍ଟୋରେଟ୍‌ରେ ସଦର କାନୁନଗୋ ଥିଲେ। ଅତି ଶୈଶବରୁ ତାଙ୍କର ମାତୃବିୟୋଗ ଘଟିଥିଲା । ସେ ଶୈଶବରୁ ଅତ୍ୟନ୍ତ ରୋଗପ୍ରବଣ ଥିଲେ, ତେଣୁ ପଠଦ୍ଦଶାରେ ତାଙ୍କର ବହୁ ସମୟ ରୋଗରେ ନଷ୍ଟ ହୋଇଥିଲା । ସେ ବାଲେଶ୍ୱର ଜିଲ୍ଲାସ୍କୁଲରୁ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ, ସେସମୟରେ କଟକର ଉଚ୍ଚତର ଶିକ୍ଷା ନିମନ୍ତେ କଲେଜ୍ ନଥିବାରୁ, କଲିକତାକୁ ଏଫ୍. ଏ. ପଢ଼ିବାକୁ ଗଲେ । ସେଠାରେ ସ୍ୱାସ୍ଥ୍ୟହାନି ଘଟିବାରୁ ଉଚ୍ଚଶିକ୍ଷାକୁ ଜଳାଞ୍ଜଳି ଦେଇ ତାଙ୍କୁ ଶୀଘ୍ର ସେଠାରୁ ଫେରିଆସିବାକୁ ହେଲା । କିଛିଦିନ ପରେ ସେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ମାସିକ ୩ ଟଙ୍କା ବେତନରେ ତୃତୀୟ ଶିକ୍ଷକ ପଦରେ ନିୟୁକ୍ତ ହେଲେ । କଲେଜରେ ପଢ଼ିବା ସୁବିଧା ଆଉ ନଘଟିବାରୁ ସେ ନିଜ ଯତ୍ନରେ ଘରେ ପାଠ ପଢ଼ି ଏଫ୍.ଏ. ପାସ୍ କରିଥିଲେ ଓ ବି.ଏ. ପରୀକ୍ଷାରେ ସମସ୍ତ ପାଠ୍ୟ ନିଜ ଉଦ୍ୟମରେ ଘରେ ପଢ଼ିଥିଲେ । ତତ୍କାଳୀନ ବିଖ୍ୟାତ ପଣ୍ଡିତ ସଦାଶିବ ନନ୍ଦଙ୍କ ପାଖରେ ରାଧାନାଥ, ଫକୀରମୋହନଙ୍କ ସହିତ ସଂସ୍କୃତ କାବ୍ୟ ନାଟକାଦି ଅଧ୍ୟୟନ କରି ସେଥିରେ ପାଣ୍ଡିତ୍ୟ ଅର୍ଜ୍ଜନ କରିଥିଲେ । ବାଲେଶ୍ୱର ଜିଲ୍ଲା ସ୍କୁଲରେ ରାଧାନାଥ ୫ ବର୍ଷକାଳ ଚାକିରୀ କରିଥିଲେ ଓ ଏହି ସମୟରେ ରେମୁଣା ଗ୍ରାମର ଆଦିତ୍ୟ ବଂଶର ଚନ୍ଦ୍ରମୋହନ ଆଦିତ୍ୟଙ୍କ କନ୍ୟା ପରଶମଣିଙ୍କ ସହିତ ରାଧାନାଥଙ୍କ ବିବାହ ସମ୍ପନ୍ନ ହୋଇଥିଲା । ଏହା ପରେ ସେ ଦ୍ୱିତୀୟ ଶିକ୍ଷକ ପଦରେ ପୁରୀଜିଲ୍ଲା ସ୍କୁଲକୁ ବଦଳି ହେଲେ ଓ ସେଠାରେ ଭକ୍ତକବି ମଧୁସୂଦନ ରାଓ ତାଙ୍କର ଛାତ୍ର ଥିଲେ । ପୁରୀରୁ ସେବାଙ୍କୁଡ଼ାକୁ ବଦଳି ହେଲେ ଓ ସେଠାରୁ ୧୮୭୬ରେ ସ୍କୁଲ ବିଭାଗୀୟ ଡ଼େପୁଟି ଇନ୍ସପେକ୍ଟର୍ ପଦରେ ବାଲେଶ୍ୱର ଜିଲ୍ଲାକୁ ଫେରି ଆସିଲେ । ରାଧାନାଥ ତାଙ୍କ ସାହିତ୍ୟସେବାର ଓ ଉତ୍କଳର ଶିକ୍ଷା ବିସ୍ତାର ପ୍ରତି ସ୍ପୃହାର ପୁରସ୍କାରସ୍ୱରୂପ ଗଭର୍ଣ୍ଣମେଣ୍ଟ୍ ତାଙ୍କୁ ରାୟ ବାହାଦୁର ଉପାଧିରେ ଭୂଷିତ କରିଥିଲେ । ଗଡ଼ଜାତ ଭ୍ରମଣରୁ ଫେରି ଜ୍ୱର ରୋଗରେ ଆକ୍ରାନ୍ତ ହୋଇ ସେ ୧୯୦୮ ସାଲ ଅପ୍ରେଲ ମାସ ୧୭ ତାରିଖରେ ମୃତ୍ୟୁ ବରଣ କରିଥିଲେ ।

ରଚନାବଳୀ[ସମ୍ପାଦନା]

ରାଧାନାଥ ଉତ୍କଳକୁ ଜନ୍ମଭୂମି ଓ ଓଡ଼ିଆଭାଷାକୁ ମାତୃଭାଷା ମଣୁ ଥିଲେ । ସେ ଓଡ଼ିଆ ଭାଷାରେ ଲେଖିବା ପୂର୍ବରୁ ବଙ୍ଗଳା ଭାଷାରେ କବିତା ଲେଖୁଥିଲେ । ବଙ୍ଗଳା ସାହିତ୍ୟିକ ଭୂଦେବ ମୁଖପାଧ୍ୟାୟଙ୍କ ପ୍ରରୋଚନାରେ ସେ ଓଡ଼ିଆ ଭାଷାରେ ଲେଖିବା ଆରମ୍ଭ କରିଥିଲେ । ସେ ସର୍ବଦା ମସିଣାରେ ବସି ଏକ ବାକ୍ସ ଉପରେ ଲେଖୁଥିଲେ । ଉତ୍କଳର ଦର୍ଶନୀୟ ହ୍ରଦ, ପୁଷ୍କରିଣୀ, ପର୍ବତ, ନିର୍ଝର, ନଦୀ, ବନ, ଗ୍ରାମ. ଉଦ୍ୟାନ, ବୃକ୍ଷ, ଲତା, ଆଦି ପ୍ରାକୃତିକ ଦୃଶ୍ୟ ଓ ଐତିହାସିକ ବିଷୟକୁ ସେ ଲିପିବଦ୍ଧ କରି ଯାଇଅଛନ୍ତି ।[୨] ତାଙ୍କର ଖଣ୍ଡିଏ ଗଦ୍ୟ ଉପନ୍ୟାସ (ଇତାଲୀୟ ଯୁବା) ଓ ବିବେକୀ ନାମକ ପ୍ରବନ୍ଧ ଏବଂ କେତେଗୁଡ଼ିଏ ପାଠ୍ୟ ପୁସ୍ତକ ଛଡ଼ା ଆଉ ସବୁ ରଚନା ପଦ୍ୟ । ୧୮୭୩ରେ ପ୍ରକାଶିତ ବିବେକୀ ତାଙ୍କର ପ୍ରଥମ ଓଡ଼ିଆ ସୃଷ୍ଟି ।[୩]

କାବ୍ୟ[ସମ୍ପାଦନା]

  • କେଦାରଗୌରୀ (୧୮୮୫)
  • ଚନ୍ଦ୍ରଭାଗା (୧୮୮୬)
  • ନନ୍ଦିକେଶ୍ୱରୀ (୧୮୮୭)
  • ଉଷା (୧୮୮୮)
  • ପାର୍ବତୀ (୧୮୯୦)
  • ଚିଲିକା (୧୮୯୨)
  • ମହାଯାତ୍ରା (୧୮୯୩)
  • ଦରବାର (୧୮୯୭)

କବିତା[ସମ୍ପାଦନା]

  • ତୁଳସୀ ସ୍ତବକ (୧୮୯୪)
  • ଯଯାତିକେଶରୀ (୧୮୯୪)
  • ଉର୍ବଶୀ (୧୮୯୫)
  • ଦଶରଥ ବିୟୋଗ (୧୯୦୧)
  • ଭାରତ ଗୀତିକା (୧୯୦୩)
  • ଧବଳେଶ୍ୱର ସ୍ତୋତ୍ରମ(୧୯୦୩)
  • ସାବିତ୍ରୀ ଚରିତ୍ର (୧୯୦୬)
  • ତିନିବନ୍ଧୁ (୧୮୯୮)
  • ବନ୍ଦନା (୧୯୧୧)
  • ନିବେଦନ (୧୯୧୧)
  • ପ୍ରତାପରୁଦ୍ର (୧୯୧୧)
  • ଶ୍ମଶାନ ଦୃଶ୍ୟ (୧୯୦୪)
  • ଏକାଗ୍ରତା। (୧୯୦୪)
  • ଦୁର୍ଯ୍ୟେଧନର ରକ୍ତନଦୀ ସନ୍ତରଣ(୧୯୦୫)
  • ଚିଲିକାରେ ସାୟନ୍ତନ ଦୃଶ୍ୟ

ରାଧାନାଥ ରାୟଙ୍କ ରଚନା ବଳୀର ପରିଚୟ[ସମ୍ପାଦନା]

ବିବେକୀ[ସମ୍ପାଦନା]

ଓଡ଼ିଆ ଭାଷାରେ ଲିଖିତ ପ୍ରଥମ ପ୍ରବନ୍ଧଟି ହେଉଛି ବିବେକୀ। ଏହା ରାଧାନାଥ ରାୟଙ୍କ ଏକ ଦୀର୍ଘ ପ୍ରବନ୍ଧ କୃତି । ରାଧାନାଥଙ୍କ ପ୍ରକୃଷ୍ଟ ଗଦ୍ୟ ରଚନାର ଶକ୍ତିଶାଳୀ ଉଦାହରଣ ହୋଉଛି "ବିବେକୀ"।କବିଙ୍କର ମୌଳିକ ଭାବ ଓ ଦାର୍ଶନିକ ଚିନ୍ତାଧାରା ଏହି ପ୍ରବନ୍ଧରେ ପ୍ରକାଶ ପାଇଛି।ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ଏହା ଏକ ଗୌରବମୟ ସୃଷ୍ଟି ଭାବରେ ପରିଚିତ । ରାଧାନାଥ ରାୟଙ୍କ ବ୍ୟକ୍ତିତ୍ୱର ସମ୍ପର୍କରେ ଏହା ଧାରଣାପ୍ରଦାନ କରେ।

ଇତାଲୀୟଯୁବା[ସମ୍ପାଦନା]

କବିଙ୍କର 'ଇତାଲୀୟଯୁବା' ହେଉଛି ଏକ ବିଦେଶୀ ଗଳ୍ପର ରୂପାନ୍ତର । ରାଧାନାଥ ରାୟଙ୍କ ଗଦ୍ୟ ରଚନା କ୍ଷେତ୍ରରେ ଏହା ଏକ ଅମଳିନ ସୃଷ୍ଟି ।ଏହା ୧୮୭୩ ମସିହାରେ ପ୍ରଥମେ 'ଉତ୍କଳଦର୍ପଣ' ପତ୍ରିକାରେ ପ୍ରକାଶ ପାଇଥିଲା। ଓଡ଼ିଆ ଗଦ୍ୟ ସାହିତ୍ୟର ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ସୃଷ୍ଟି ହୋଇଥିଲା। ଏହା ଏକ ପ୍ରେମ ମୂଳକ ଗଳ୍ପ। ଏଥିରେ ଏକ ପାଶ୍ଚାତ୍ୟ ପ୍ରଣୟ କାହାଣୀ ରୂପ ପାଇଛି। ରାଧାନାଥ ରାୟ ପାଶ୍ଚାତ୍ୟ ସାହିତ୍ୟଦ୍ୱାରା ଅନୁପ୍ରାଣିତ ହୋଇ ଏହା ରଚନା କରିଥିଲେ ।ତାଙ୍କର ପାଶ୍ଚାତ୍ୟ ସାହିତ୍ୟ ପ୍ରୀତି ଏଥିରେ ସୁସ୍ପଷ୍ଟ ।

କେଦାରଗୌରୀ[ସମ୍ପାଦନା]

ରାଧାନାଥ ପ୍ରାଚ୍ୟ-ପାଶ୍ଚାତ୍ୟ ସମନ୍ୱୟମୂଳକ ଯେଉଁ ଛଅଗୋଟିକାବ୍ୟ ରଚନା କରିଥିଲେ, ତନ୍ମଧ୍ୟରୁ କେଦାରଗୌରୀ ହେଉଛି ଅନ୍ୟତମ ।ପ୍ରାଚ୍ୟ-ପାଶ୍ଚାତ୍ୟ ସାହିତ୍ୟର କଳାଗତ ସୁଷମାର ଏହା ମହିମାମଣ୍ଡିତ ହୋଇଛି । ରାଧାନାଥ ରାୟ ଗ୍ରୀକ କବି ଓଭିଡ଼ଙ୍କର ମେଟାମରଫସିସ୍ କାବ୍ୟର ଗୋଟିଏ ଗଳ୍ପ "The Legend Of Thisbe Of Babylon" ଅବଲମ୍ବନରେ ରଚିତ ସେକ୍ସପିଅରଙ୍କ"Mid Summer Night's Dream"ନାଟକ "Pvramus And

Thisbe" ଅବଲମ୍ବନରେ ଏହା ରଚନା କରିଛନ୍ତି । ପାଶ୍ଚାତ୍ୟର କଥା ବସ୍ତୁକୁ ସେ ଓଡ଼ିଶାର କେଦାର ଗୌରୀଚରିତ୍ର ସହିତ ସାମିଲ କରି କାବ୍ୟକ ସୌନ୍ଦର୍ଯ୍ୟ ପ୍ରତିପାଦନ କରିପାରିଛନ୍ତି । ଭୁବନେଶ୍ୱରର କେଦାରଗୌରୀ ଉପାଖ୍ୟାନ ଏଥିରେ ପ୍ରକାଶ ପାଇଛି । ଏହା ଏକ ଛୋଟକାବ୍ୟ ହେଲେ ମଧ୍ୟ ଏଥିରୁ ରାଧାନାଥ ରାୟଙ୍କ କବି ପ୍ରତିଭ।ର ଯଥାର୍ଥ ପରିଚୟ ମିଳିଥାଏ ।

  "ଧନ୍ୟ ସେ ପ୍ରୀତିକି ମରଣ ଭୀତିକି
       ପ୍ରୀତି ଯେ ପାରଇ ଜିଣି,
  ଶିରୀଷ ମୃଦୁଳା ଲବଣୀ ପିତୁଳା
       ପ୍ରୀତି କଲା ସାହସିନୀ "

ଚିଲିକା[ସମ୍ପାଦନା]

୧୮୯୨ ମସିହାରେ ଚିଲିକା ଖଣ୍ଡକାବ୍ୟ 'ଉତ୍କଳ ପ୍ରଭା'ରେ ପ୍ରକାଶ ପାଇଥିଲା । ଏହାର ରଚନା କାଳ ହେଉଛି ୧୮୯୧ ମସିହା । ଏହି ଦୀର୍ଘ ଖଣ୍ଡ କାବ୍ୟଟି ଉତ୍କଳ ସାହିତ୍ୟକୁ ରୁଦ୍ଧିମନ୍ତ କରିଛି। ଓଡ଼ିଆ ସାହତ୍ୟରେ ଦୀର୍ଘ ସମୟ ଧରି ପୌରାଣିକ ଆଖ୍ୟାନକୁ ପାଥେୟ କରି ଅଗ୍ରସର ହେଉଥିବା ବେଳେ ରାଧାନାଥ ରାୟ ସଂସ୍କୃତ ସାହିତ୍ୟକୁ ଏକ ଆହ୍ବାନ ଦେଇ ଉତ୍କଳୀୟ ସାହିତ୍ୟରେ ପ୍ରଥମ କରି ଏଭଳି ଖଣ୍ଡକାବ୍ୟ ସୃଷ୍ଟି କରାଇଲେ। ଏହା ହେଉଛି ଏକ ଏପରି କାବ୍ୟ ଯାହା ପରବର୍ତ୍ତୀ ସମୟରେ ଉତ୍କଳର କବି ମାନଙ୍କୁ ପ୍ରାକୃତିକ କାବ୍ୟ ରଚନା କରିବାକୁ ଏକ ଅପୂର୍ବ ସାହାସ ଯୋଗାଇ ଥିଲା । ଏଥିରେ ଚିଲିକା ସର୍ବୋତ୍କୃଷ୍ଟ ଦେଖାଇବା ପାଇଁ ସେ ଚିଲିକାକୁ ଲକ୍ଷ୍ମୀଙ୍କ ସହ ମଧ୍ୟ ତୁଳନା କରିଛନ୍ତି।

ଉତ୍କଳ କମଳା ବିଳାସ ଦୀର୍ଘିକା,
ମରାଳ ମାଳିନୀ ନୀଳାମ୍ବୁ ଚିଲିକା।

ଏପରି କି ସେ ଉତ୍କଳରେ ସାହିତ୍ୟକୁ ଆଗେଇ ନେବା ପାଇଁ ମା ସରସ୍ୱତୀଙ୍କୁ ନିବେଦନ କରିଛନ୍ତି। ତେଣୁ ଚିଲିକା ଖଣ୍ଡ କାବ୍ୟ ସଦା ସର୍ବଦା ଉତ୍କଳୀୟ ମାନଙ୍କ ସ୍ମୃତି ପଟଳରେ ଉଜ୍ଜୀବିତ ହୋଇ ରହିବ।

ପାହିଲାଣି ଘୋର ତାମସୀ ଯାମିନୀ
ଫୁଟିବ ଉତ୍କଳ ଭାଷା କମଳିନୀ।

ରଚିତ ଗ୍ରନ୍ଥମାନ[ସମ୍ପାଦନା]

  • ସଂସ୍କୃତ ମେଘଦୂତର ପଦ୍ଯାନୁବାଦ
  • ସ୍କୁଲ ପାଠ୍ଯ କବିତାବଳୀ
  • ପାର୍ବତୀ (ଅସମ୍ପୂର୍ଣ୍ଣ)
  • ମହାଯାତ୍ରା
  • ଦରବାର
  • ଚିଲିକା
  • ଚନ୍ଦ୍ରଭାଗା
  • ଉଷା
  • ନନ୍ଦିକେଶ୍ୱରୀ



ଉତ୍କଳର ପ୍ରାକୃତିକ ଦୃଶ୍ୟ ବର୍ଣ୍ଣନା ତାଙ୍କୁ ଅମର କରିବ ତାଙ୍କ ରଚନାର ମାଧୁର୍ଯ୍ୟ, ପଦଲାଳିତ୍ୟ, ସାରଲ୍ୟ ଓ ସୁରୁଚି ପାଠକମାନକୁ ମୁଗ୍ଧ କରେ ଚରିତ୍ରଚିତ୍ରଣରେ ସେ କୃତିତ୍ୱ ଲାଭ କରି ଥିଲେ । ସଂସ୍କୃତ ଓ ଇଂରାଜୀ ସାହିତ୍ୟରେ ତାଙ୍କର ପାଣ୍ଡିତ୍ୟ ଥିଲା ତାଙ୍କ ପୁତ୍ର ଶ୍ରୀ ଶଶି ଭୂଷଣ ପିତାଙ୍କ ଗ୍ରନ୍ଥାବଳୀ ପ୍ରକାଶ କରିଅଛନ୍ତି ଓ ତାଙ୍କ ମଧ୍ୟମ ଜାମାତା ଶ୍ରୀ ଦୁର୍ଗାଚରଣ ରାୟ ତାଙ୍କ ଜୀବନୀ ସଂକଳିତ କରି ଶୀଘ୍ର ତାହା ମୁଦ୍ରିତ ହେବା କଳ୍ପନା କରୁଅଛନ୍ତି ।

କାଳାନୁକ୍ରମିକ ସଂକ୍ଷିପ୍ତ ଜୀବନପଞ୍ଜି [୪][ସମ୍ପାଦନା]

  • ୧୮୪୮ - ଜନ୍ମ
  • ୧୮୫୨ - ଭାଇ ଯଦୁନାଥଙ୍କ ଜନ୍ମ ; ଯଦୁନାଥ, ରାଧାନାଥଙ୍କ ଏକ ମାତ୍ର ସହୋଦର ଥିଲେ
  • ୧୮୫୩ - ମାତା ତାରିଣୀ ଦାସୀଙ୍କ ପରଲୋକ
  • ୧୮୫୪ - ସୁନ୍ଦରନାରାୟଣଙ୍କ ରୂପଦାସୀଙ୍କୁ ଦ୍ୱିତୀୟ ବିବାହ
  • ୧୮୫୬ - ସୋରଠାରେ ନୂଆକରି ତିଆରି ହୋଇଥିବା ଭର୍ଣ୍ଣାକୁଲାର ବିଦ୍ୟାଳୟରେ ରାଧାନାଥଙ୍କ ପ୍ରବେଶ
  • ୧୮୫୭ - ରାଧାନାଥ କାଶରୋଗରେ ଆକ୍ରାନ୍ତ ; ଚିକିତ୍ସା ପାଇଁ ସୁନ୍ଦରନାରାୟଣ ତାଙ୍କୁ ବାଲେଶ୍ୱର ନେଇଆସିଲେ
  • ୧୮୫୮ - ରାଧାନାଥଙ୍କ ବାଲେଶ୍ୱର ହାଇସ୍କୁଲରେ (ଫେବୃଆରୀ) ଷଷ୍ଠ ଶ୍ରେଣୀର ଛାତ୍ର ଭାବେ ଯୋଗଦାନ; ଜଣେ ମୁସଲମାନ ଆଖୁଁଜିଙ୍କଠାରୁ ପାର୍ସି ଓ ଉର୍ଦ୍ଦୁ ଶିକ୍ଷା; ଏହି ବର୍ଷ ସ୍ୱଳ୍ପକାଳ ପାଇଁ ଗୌରୀଶଙ୍କର ରାୟ ତାଙ୍କ ଶିକ୍ଷକ ଥିଲେ
  • ୧୮୬୪ - କଲିକତା ବିଶ୍ୱବିଦ୍ୟାଳୟରୁ ପ୍ରଥମ ଶ୍ରେଣୀରେ ଏଣ୍ଟ୍ରାନ୍ସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଚଉଦ ଟଙ୍କା ସରକାରୀ ବୃତ୍ତି ଲାଭ (ଜାନୁଆରୀ); ପ୍ରେସିଡେନ୍ସି କଲେଜରେ ଅଧ୍ୟୟନ ଲାଗି କଲିକତା ଗଲେ କିନ୍ତୁ ଅର୍ଥାଭାବ, ରୋଗଜନିତ ପୀଡ଼ା ଓ ଅନ୍ୟାନ୍ୟ କାରଣରୁ ଫେରିଆସିଲେ; ୧-ମଇରେ, ବାଲେଶ୍ୱର ଜିଲ୍ଲା ସ୍କୁଲରେ ତୃତୀୟ ଶିକ୍ଷକ ରୂପେ ୩୦ ଟଙ୍କା ବେତନରେ ଯୋଗଦାନ ଓ ୨୬-ଜୁନରେ ସେହି ପଦବୀରେ ସ୍ଥାୟୀ ହେଲେ
  • ୧୮୬୫-୬୬ - ସେ ସମୟରେ ଫକୀରମୋହନ ବାଲେଶ୍ୱର ମିଶନ ସ୍କୁଲର ହେଡ଼ମାଷ୍ଟର ଥିଲେ ; ମଧୁସୂଦନ ଦାସ, ରାଧାନାଥଙ୍କ ସହକର୍ମୀ ଥିଲେ ; ତେଣୁ ସେ ଉଭୟଙ୍କ ସହ ଘନିଷ୍ଟ ସଂସ୍ପର୍ଶରେ ଆସିଥିଲେ
  • ୧୮୬୬ - ଉତ୍କଳ ଦୀପିକା ସାପ୍ତାହିକ ସମ୍ବାଦ ପତ୍ରର ପ୍ରକାଶ; ନଅଙ୍କ ଦୁର୍ଭିକ୍ଷ
  • ୧୮୬୮ - ବୋଧଦାୟିନୀବାଲେଶ୍ୱର ସମ୍ବାଦବାହିକାର ପ୍ରକାଶ; ରାଧାନାଥଙ୍କ ମେଘଦୂତର କେତେକାଂଶ ବୋଧଦାୟିନୀରେ ପ୍ରକାଶିତ
  • ୧୮୬୯ - ଓଡ଼ିଶାର ବିଦ୍ୟାଳୟ ଗୁଡିକରେ ଓଡ଼ିଆ ଭାଷା ଓ ସାହିତ୍ୟ ପଢ଼ା ହେବା ପାଇଁ ସରକାରୀ ଆଦେଶ; ଘୋରାଇ ପରୀକ୍ଷାର୍ଥୀ ଭାବରେ ରାଧାନାଥ ଏଲ.ଏ. (ଏଫ୍.ଏ) ପରୀକ୍ଷାରେ ଉତ୍ତୀର୍ଣ୍ଣ[୫] ପଦୋନ୍ନତି ପାଇ ଦ୍ୱିତୀୟ ଶିକ୍ଷକ ଭାବେ ପୁରୀ ଜିଲ୍ଲା ସ୍କୁଲରେ ଯୋଗଦାନ (ଜାନୁଆରୀ); ସେତେବେଳେ ସେଠାରେ ମଧୁସୂଦନ ରାଓ ପ୍ରଥମ ଶ୍ରେଣୀ (ଏକାଦଶ ବର୍ଷ ଶ୍ରେଣୀ)ର ଛାତ୍ର
  • ୧୮୭୦ - ପରଶମଣିଙ୍କ ସହ ରାଧାନାଥଙ୍କ ବିବାହ (ରାଧାନାଥଙ୍କ ଶ୍ୱଶୁର ଚନ୍ଦ୍ରମୋହନ ଆଦିତ୍ୟ ରେମୁଣା ନିବାସୀ ଥିଲେ)
  • ୧୮୭୨ - ପୁରୀ ଜିଲ୍ଲା ସ୍କୁଲରୁ ବଦଳି ହୋଇ ବାଙ୍କୁଡା ସ୍କୁଲରେ ଦ୍ୱିତୀୟ ଶିକ୍ଷକ ରୂପେ ଯୋଗଦାନ (ଜାନୁଆରୀ ୧୦); ପଦୋନ୍ନତି ଲାଭକରି ତୃତୀୟ ଶ୍ରେଣୀର ଡେପୁଟି ଇନ୍‌ସ୍‌ପେକ୍ଟର ଭାବେ ଯୋଗଦାନ (ଜୁନ ୨୬); ନିଜ ପୁରୁଣା ଛାତ୍ର ମଧୁସୂଦନ ରାଓ ସେତେବେଳେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ଶିକ୍ଷକ ଥିବାରୁ ପୁଣି ଘନିଷ୍ଠତା ବଢିଲା
  • ୧୮୭୩ - କୁମାର ବୈକୁଣ୍ଠନାଥ ଦେଙ୍କଦ୍ୱାରା 'ଉତ୍କଳ-ଦର୍ପଣ' ପତ୍ରିକାର ପ୍ରକାଶ (ଜାନୁୟାରୀ)[୬] ରାଧାନାଥଙ୍କ ପିତା ସୁନ୍ଦରନାରାୟଣଙ୍କ ବିସୂଚିକା ରୋଗରେ ଦେହାନ୍ତ (ଜୁଲାଇ ୨୧)
  • ୧୮୭୬ - ଜ୍ୟେଷ୍ଠପୁତ୍ର ଶଶିଭୂଷଣଙ୍କ ଜନ୍ମ
  • ୧୮୭୭ - ରାଧାନାଥ, ଜଏଣ୍ଟ ଇନ୍‌ସ୍‌ପେକ୍ଟର ପଦବୀକୁ ଉନ୍ନୀତ
  • ୧୮୭୮ - କନିଷ୍ଠପୁତ୍ର ରଜନୀଭୂଷଣଙ୍କ ଜନ୍ମ
  • ୧୮୮୦ - ରାଧାନାଥଙ୍କ ଏକ ମାତ୍ର ଭଗିନୀ ସ୍ୱର୍ଣ୍ଣମୟୀଙ୍କର କଉପୁରର ଜମିଦାର ଗୋବିନ୍ଦବଲ୍ଲଭ ରାୟଙ୍କ ସହ ବିବାହ
  • ୧୯୦୮: ମୃତ୍ୟୁ

ଆଧାର[ସମ୍ପାଦନା]

  1. https://web.archive.org/web/20091028063820/http://www.geocities.com/varnamala/editorial.html , accessed 25 December 2007
  2. "ଭୂଇଁରେ ଲୁଟୁଛି କବିବରଙ୍କ ଜନ୍ମ‌ପୀଠ". ସମାଜ. 17 September 2017. Retrieved 17 September 2017.[permanent dead link]
  3. "ଆଜି ଜନ୍ମଦିନ". ସମ୍ବାଦ ୨୮/୦୯/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. Archived from the original on 1 October 2016. Retrieved 28 September 2016.
  4. ରାଧାନାଥ ଗ୍ରନ୍ଥାବଳୀ (୧୯୯୮), ପୃ ୪୪୨-୪୬୫
  5. ଉତ୍କଳ ଦୀପିକା, ୪|୨; ୯|୧|୧୮୬୯
  6. ଉତ୍କଳ ଦୀପିକା, ୮|୩; ୧୮|୧|୧୮୭୩

ବାହାର ଆଧାର[ସମ୍ପାଦନା]

  • ରାଧାନାଥ ଗ୍ରନ୍ଥାବଳୀ (ପରିବର୍ଦ୍ଧିତ ନୂତନ ସଂସ୍କରଣ-୧୯୯୮ ed.). ଗ୍ରନ୍ଥମନ୍ଦିର. ୧୯୦୨. {{cite book}}: |access-date= requires |url= (help)