ମଧୁସୂଦନ ରାଓ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଭକ୍ତକବି ମଧୁସୂଦନ ରାଓ
Madhusudan-rao.jpg
ଜନ୍ମ ୧୯ ଜାନୁଆରୀ ୧୮୫୩(1853-01-19)[୧]
ପୁରୀ, ଓଡ଼ିଶା
ମୃତ୍ୟୁ ୨୮ ଡିସେମ୍ବର, ୧୯୧୨ (୫୯ ବର୍ଷ)
ବୃତ୍ତି କବି, ଦାର୍ଶନିକ, ସ୍ଵାଧୀନତା ସଂଗ୍ରାମୀ
ଭାଷା ଓଡ଼ିଆ
ଜାତୀୟତା ଭାରତୀୟ
ଆଞ୍ଚଳିକତା ଓଡ଼ିଆ
ନାଗରିକତା ଭାରତୀୟ
ସାହିତ୍ୟର ଆନ୍ଦୋଳନ ଓଡ଼ିଆ ଭାଷା ଆନ୍ଦୋଳନ
ସାହିତ୍ୟ କୃତିs ମଧୁ ବର୍ଣ୍ଣବୋଧ, ଶିଶୁବୋଧ
ବାଳବୋଧ, ସାହିତ୍ୟ କୁସୁମ,
କବିତାବଳୀ, ଛନ୍ଦମାଳା ଭାଗ
ଜ୍ଞାତି କୁଟୁମ୍ବ ରେବା ରାୟ (ଝିଆରୀ)
ଭାନୁଜୀ ରାଓ (ନାତି)

ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।

ମଧୁସୂଦନ ରାଓଙ୍କ ପୂର୍ବ ପୁରୁଷ ମହାରାଷ୍ଟ୍ରର ନାଗପୁରସ୍ଥ ଭୋନ୍ସଲା ରାଜପରିବାର ଥିଲେ । [୨] ଓଡ଼ିଶା ମରହଟ୍ଟାମାନଙ୍କର ଶାସନ ଅଧିନରେ ୧୭୫୧ରୁ ୧୮୦୩ ମସିହା ପର୍ଯ୍ୟନ୍ତ ରହିଥିଲା । ଏହି ସମୟରେ ଅନେକ ଲୋକ ମହାରାଷ୍ଟ୍ରରୁ ଚାଲିଆସି ଓଡ଼ିଶାରେ ବସବାସ କରିବାରେ ଲାଗିଲେ । କିନ୍ତୁ ମରହଟ୍ଟାମାନଙ୍କୁ ୧୮୦୩ ମସିହାରେ ବ୍ରିଟିଶମାନେ ବିତାଡ଼ିତ କରି ଓଡ଼ିଶା ଶାସନ ଭାର ହାତକୁ ନେଲେ । ଫଳରେ ଅନେକ ମରହଟ୍ଟା ପରିବାର ସ୍ଵଦେଶ ପ୍ରତ୍ୟାବର୍ତ୍ତନ କଲେ ।

ଜୀବନ[ସମ୍ପାଦନା]

ପାରିବାରିକ ଜୀବନ[ସମ୍ପାଦନା]

ମଧୁସୂଦନ ରାଓ ଙ୍କର ପୁତ୍ର ଓ କନ୍ୟା ହୋଇ ସାତଟି ସନ୍ତାନ । ସେମାନେ ହେଲେ ବାସନ୍ତି ଦେବୀ, ଡାକ୍ତର ଜୟନ୍ତୀ ରାଓ, ଅବନ୍ତୀ ଦେବୀ, ଶାନ୍ତି ଦେବୀ, ପ୍ରଶାନ୍ତ ରାଓ , ସାନ୍ତ୍ଵନା, ଓ ସୁକାନ୍ତ ରାଓ । ଜ୍ୟୋଷ୍ଠ କନ୍ୟା ବାସନ୍ତୀ ଦେବୀ ହେଉଛନ୍ତି ବଙ୍ଗଳାର ବିଶିଷ୍ଟ ଲେଖକ ତଥା ଓଡ଼ିଶାରେ ବିଶେଷ ସୁପରିଚିତ ବିଜୟ ଚନ୍ଦ୍ର ମଜୁମଦାରଙ୍କ ସ୍ତ୍ରୀ । ନାରୀ କବି ରେବା ରାୟ ହେଉଛନ୍ତି ମଧୁସୂଦନ ରାଓଙ୍କ କନିଷ୍ଠ ଭ୍ରାତା ଜଗନ୍ନାଥ ରାଓଙ୍କ କନ୍ୟା । ରେବାରାୟ ଯାଜପୁର କତରାପୁରର ସାଧୁଚରଣ ରାୟଙ୍କୁ ବିବାହ କରିଥିଲେ ।[୩]

କଟକରେ ଅଧ୍ୟୟନ କାଳରେ ମଧୁସୂଦନ ବ୍ରାହ୍ମଧର୍ମ ଗ୍ରହଣ କରିଥିଲେ । ହରିନାଥ ଭଟ୍ଟାଚାର୍ଯ୍ୟ ସେତେବେଳେ କଟକ କଲେଜରେ ଅଧ୍ୟାପକ ଥିଲେ । ତାଙ୍କରି ପ୍ରେରଣାରେ ସେ ବ୍ରାହ୍ମଧର୍ମ ପ୍ରତି ଆକୃଷ୍ଟ ହୋଇଥିବା ଜଣାଯାଏ । ପିଆରୀମୋହନ ଆଚାର୍ଯ୍ୟ ମଧ୍ୟ ବ୍ରାହ୍ମଧର୍ମ ଗ୍ରହଣ କରିଥିଲେ । ମଧୁସୂଦନ ଓ ପିଆରୀମୋହନ ଦୁହେଁ ଥିଲେ ପରମବନ୍ଧୁ । ଦୁହିଁଙ୍କର ଜୀବନାଦର୍ଶ ଏକ ପ୍ରକାର । ମଧୁସୂଦନ ଶିକ୍ଷାବିଭାଗର ବିଭିନ୍ନ ପଦବୀରେ କାର୍ଯ୍ୟ କରି ଶେଷରେ ମାସିକ ପାଞ୍ଚଶହ ବେତନରେ ଇନ୍ସପେକ୍ଟର ପଦବୀରୁ ଅବସର ଗ୍ରହଣ କରିଥିଲେ । ସେ ଭାରତୀୟ ଶିକ୍ଷାବିଭାଗରେ (Indian Service) ସ୍ଥାନ ପାଇଥିଲେ ।

ନ'ଅଙ୍କ ଦୁର୍ଭିକ୍ଷରେ ସ୍ଵେଚ୍ଛାସେବୀ[ସମ୍ପାଦନା]

୧୮୬୬ ମସିହାରେ ପଡ଼ିଥିଲା ନ’ଅଙ୍କ ଦୁର୍ଭିକ୍ଷ । ସେହି ସମୟରେ ମଧୁସୂଦନ ପୁରୀ ଜିଲ୍ଲାସ୍କୁଲର ଛାତ୍ର । ଶହଶହ ଶବ ଓ ନରକଙ୍କାଳ ଦେଖି ବାଳକ ମଧୁସୂଦନଙ୍କ ତରଳପ୍ରାଣ ଛଟପଟ ହୋଇଥିଲା । ସେ ସମୟର ପୁରୀର ମହନ୍ତ ନାରାୟଣ ଦାସଙ୍କ ଅନୁରୋଧ କ୍ରମେ ପୁରୀର ମାଜିଷ୍ଟ୍ରେଟ ବକସଉଏଲ ସାହେବ ଦରିଦ୍ର ତଥା ଦୁର୍ଭିକ୍ଷ ପ୍ରପୀଡିତ ଲୋକମାନଙ୍କର ସେବା କରିବା ଏବଂ ସେମାନଙ୍କୁ ଚାଉଳ ବାଣ୍ଟିବା ପାଇଁ ମଧୁସୂଦନଙ୍କ ଉପରେ ଦାୟିତ୍ଵ ଦେଇଥିଲେ । ବାଳକ ମଧୁସୂଦନ ଆନନ୍ଦର ସହିତ ଏହି ଗୁରୁଦାୟିତ୍ଵ ବହନ କରି ସଂଚାଳନ କଲେ । ଜିବେଦୟା ଭାବ ତାଙ୍କ ମନରେ ଉଦ୍ରେକ ହେଲା । ଏହି ସମୟରୁ ସେ ସାରାଜୀବନ ମତ୍ସ୍ୟ ଭକ୍ଷଣ ତ୍ୟାଗ କଲେ ।

ଶିକ୍ଷକ ଜୀବନ[ସମ୍ପାଦନା]

ମଧୁସୂଦନ ପ୍ରଥମେ ପୁରୀ ଜିଲ୍ଲାସ୍କୁଲରେ ଏକ ଅସ୍ଥାୟୀ ତୃତୀୟ ଶିକ୍ଷକ ଭାବରେ ନିଯୁକ୍ତି ପାଇଲେ । କିନ୍ତୁ ସେ ଏହି ପଦବୀରେ ଯୋଗଦାନ କରିବା ପୂର୍ବରୁ ଅନ୍ୟଜଣେ ବଙ୍ଗୀୟ ବ୍ୟକ୍ତି ତତ୍ କାଳୀନ ଇନ୍ସପେକ୍ଟର ମାର୍ଟିନ ସାହେବଙ୍କଦ୍ଵାରା ନିଯୁକ୍ତି ପାଇ ସେହି ପଦବୀରେ ଯୋଗଦେଲେ । ଫଳରେ ମାର୍ଟିନ ସାହେବ କଟକ ହାଇସ୍କୁଲରେ ମଧୁସୂଦନଙ୍କୁ ମାସିକ ଦରମା ୭୫ ଟଙ୍କାରେ ନିଯୁକ୍ତି ପ୍ରଦାନ କଲେ । ହେଲେ ସେ ଯୋଗଦାନ କରିବାର କିଛିଦିନ ପରେ ତାଙ୍କ ପଦବୀଟି ଉଚ୍ଛେଦ ହେଇଗଲା । ଫଳରେ ମାର୍ଟିନ ସାହେବ ବାଧ୍ୟହୋଇ ଯାଜପୁର ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଖାଲି ପଡ଼ିଥିବା ପ୍ରଧାନଶିକ୍ଷକ ପଦବୀରେ ନିଯୁକ୍ତି ପ୍ରଦାନ କଲେ । ଏଠାରେ ଦେଢ଼ବର୍ଷ କାର୍ଯ୍ୟ କରିବା ପରେ ବାଲେଶ୍ଵର ଜିଲ୍ଲାସ୍କୁଲରେ ଦ୍ଵିତୀୟ ଶିକ୍ଷକ ପଦବୀରେ ଯୋଗଦେଲେ ।

ବାଲେଶ୍ଵରରେ ମଧୁସୂଦନ, ଫକୀର ମୋହନରାଧାନାଥଙ୍କ ସାନ୍ନିଧ୍ୟ ଲାଭ କଲେ । ସାହିତ୍ୟ ଚର୍ଚ୍ଚା ଆରମ୍ଭ ହେଲା । ଏମାନେ ଓଡ଼ିଆ ଭାଷାରେ ପାଠ୍ୟପୁସ୍ତକ ରଚନା କଲେ । ବାଲେଶ୍ଵର ରାଜକୁମାର ବୈକୁଣ୍ଠ ନାଥ ଦେ ଏମାନଙ୍କୁ ପ୍ରୋତ୍ସାହିତ କଲେ । ଜଣେ ସୁଲେଖକ ଭାବେ ମଧୁସୂଦନ ଏଠାରେ ପ୍ରସିଦ୍ଧି ଲାଭ କଲେ ।

ସ୍କୃତି[ସମ୍ପାଦନା]

ଓଡ଼ିଆ ବର୍ଣ୍ଣମାଳା ପାଇଁ ଉଦ୍ଦିଷ୍ଟ ପ୍ରାଥମିକ ପୁସ୍ତକ ବର୍ଣ୍ଣବୋଧ ପ୍ରତ୍ୟେକ ଓଡ଼ିଆର ଚିର ପରିଚିତ । ସେ ସାକ୍ଷର ହେଉ କି ନିରକ୍ଷର ହେଉ, ସେ ଓଡ଼ିଶାର ବାସିନ୍ଦା ହେଉ କି ଉପାନ୍ତ ଅଞ୍ଚଳର ବାସିନ୍ଦାହେଉ, ସଂସ୍କୃତି ପୀଠ କଟକ ମହାନଗରୀର ମଧ୍ୟ ଭାଗରେ ଅବସ୍ତିତ ଉତ୍କଳ ସାହିତ୍ୟ ସମାଜ ଓଡ଼ିଶାର ସାରସ୍ଵତ ସାଧକମାନଙ୍କର ଏକ ତୀର୍ଥକ୍ଷେତ୍ର କହିଲେ ଅତ୍ୟୁକ୍ତି ହେବନାହିଁ । କଟକ ମହାନଗରୀରେ ଅବସ୍ତିତ ଭିକ୍ଟୋରିଆ ସ୍କୁଲ (ଭକ୍ତ ମଧୁ ବିଦ୍ୟାପୀଠ) ମଧ୍ୟ ଓଡ଼ିଶାର ଅନ୍ୟତମ ଆଦର୍ଶ ଶିକ୍ଷାନୁଷ୍ଠାନ ଭାବରେ ପରିଚିତ । ମଧୁସୂଦନ ବର୍ଣ୍ଣବୋଧର ଲେଖକ ତଥା ଏହି ସାହିତ୍ୟ ଓ ଶିକ୍ଷାନୁଷ୍ଠାନ ଦ୍ଵୟର ପ୍ରାଣପ୍ରତିଷ୍ଠାତା । [୩]

କୃତି[ସମ୍ପାଦନା]

ମଧୁସୂଦନ ରାଓଙ୍କ ରଚନା ଖୁବ ସରଳ ଓ ସୁବୋଧ୍ୟ ଓଡ଼ିଆରେ ଲେଖା । ସେ ଓଡ଼ିଆ ଭାଷାରେ ପ୍ରଥମ ବର୍ଣ୍ଣବୋଧ ରଚନା କରିଥିଲେ ଯାହା ମଧୁ ବର୍ଣ୍ଣବୋଧ ନାମରେ ଜଣା । ତାଙ୍କ ରଚିତ ମଧୁ ବର୍ଣ୍ଣବୋଧ ଏକ ଉପାଦେୟ ବହି ଯାହା କାଳ କାଳ ଧରି ଶିଶୁମାନଙ୍କର ପଠନଯୋଗ୍ୟ ହୋଇ ରହିଅଛି । ତାଙ୍କର ମଧୁର ରଚନା ଲାଗି ତାଙ୍କୁ ଭକ୍ତକବି ବୋଲି ଡକାଯାଇଥାଏ । ମଧୁସୂଦନ ଓ ଫକୀର ମୋହନ ସେନାପତିଙ୍କ ଠାରୁ ଓଡ଼ିଆ ଭାଷାର ଆଧୁନିକ ଯୁଗର ଆରମ୍ଭ ହୋଇଛି ବୋଲି କୁହାଯାଏ ।[୪] ବସନ୍ତ ଗାଥା, ଉତ୍କଳ ଗାଥା, ଛାନ୍ଦମାଳା କୁସୁମାଞ୍ଜଳୀ, ପ୍ରବନ୍ଧମାଳା, କବିତାବଳୀ ଓ ସୁଖବୋଧ ଅଭିଧାନ ପ୍ରଭୃତିର ସେ ହେଉଛନ୍ତି ରଚୟିତା । ଓଡ଼ିଆ ଭାଷାରେ ପ୍ରାୟ ସମସ୍ତ ପାଠ୍ୟ ପୁସ୍ତକ ରଚନା କରିଥିଲେ । ତାଙ୍କର ଏକ କବିତା ହେଲା -

ରେ ଆତ୍ମନ !!!!!!.. ନିଦ୍ରା ପରିହରି, ଫେଡ଼ି ଚିନ୍ତାର ଲୋଚନ କର କର ନିରୀକ୍ଷଣ ନିଃଶବ୍ଦେ ଜୀବନ ସ୍ରୋତ ଧାଉଁଛି କିପରି ଭେଟିବାକୁ ମୃତ୍ୟୁ ସିନ୍ଧୁ କରାଳ ଲହରୀ । - ଜୀବନ ଚିନ୍ତା

ତାଙ୍କର ବାକି ରଚନାସବୁ ହେଲା:

  • ଅବଧାନ ବନ୍ଧୁ
  • ଶିଶୁବୋଧ
  • ବାଳବୋଧ
  • ସାହିତ୍ୟ କୁସୁମ[୫]
  • କବିତାବଳୀ ଭାଗ-୧, ୨
  • ଛନ୍ଦମାଳା ଭାଗ-୧, ୨
  • ଜୀବନ ଚିନ୍ତା
  • ଆକାଶପ୍ରତି

ପ୍ରବନ୍ଧ[ସମ୍ପାଦନା]

  • ପ୍ରବନ୍ଧମାଳା

କବିତା[ସମ୍ପାଦନା]

  • ସୌରଭ
  • ପଦ୍ମ

ଅଭିଧାନ[ସମ୍ପାଦନା]

  • ସୁଖ-ବୋଧ ଅଭିଧାନ

ଉପାଧି[ସମ୍ପାଦନା]

  • ରାୟବାହାଦୂର(ଇଂରେଜ ସରକାର)
  • ଭକ୍ତକବି(ଉତ୍କଳୀୟ ଶିକ୍ଷିତ ସମାଜ)[୬]

ମୃତ୍ୟୁ[ସମ୍ପାଦନା]

ମୃତ୍ୟୁ ପୂର୍ବରୁ ସେ ନିଜର ମୃତ୍ୟୁ ସମୟ ପରିବାରର ଲୋକଙ୍କୁ ଜଣାଇଦେଇଥିଲେ । ୧୯୧୨ ମସିହା ଡିସେମ୍ବର ୨୮ ତାରିଖରେ ସକାଳ ନ' ଘଣ୍ଟା ସମୟରେ ମଧୁସୂଦନ ରାଓ ଇହଲୀଳା ସମ୍ବରଣ କଲେ । ମଧୁସୂଦନଙ୍କର ପରମବନ୍ଧୁ ପିଆରୀମୋହନ ଆଚାର୍ଯ୍ୟ ମଧ୍ୟ ୧୮୮୧ ମସିହାର ଏହି ୨୮ ତାରିଖରେ ଇହଲୀଳା ତ୍ୟାଗ କରିଥିଲେ ।

ଆଧାର[ସମ୍ପାଦନା]

  1. http://odisha.gov.in/e-magazine/Orissareview/2012/oct/engpdf/40-43.pdf
  2. "Eminent Persons -123orissa.com". 123orissa.com. Retrieved 28 December 2012. His ancestors were from the Maharashtriyan royal family of the Bhonslas from Nagpur. 
  3. ୩.୦ ୩.୧ various. Eng Mahabharata Revisited ୧. Sahitya Akademi. pp. ୧୩–. ISBN ୯୭୮-୮୧-୨୬୦-୨୧୨୩-୯. Retrieved ୨୬ September ୨୦୧୨. 
  4. http://www.museindia.com/viewarticle.asp?myr=2011&issid=36&id=2546
  5. "Odia Poets & their creations | Destination Odisha". destinationodisha.com. Retrieved 28 December 2012. Bhaktakabi Madhusudhan Rao (1853-1912): Barnabodha, Kusumanjali, Sahitya Kusuma. 
  6. "ଭକ୍ତକବି ମଧୁସୂଦନ". ସମ୍ବାଦ ୨୯/୦୧/୨୦୧୬ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୬. http://sambadepaper.com/Details.aspx?id=227672&boxid=21242888. Retrieved 29 January 2016. 

ଅଧିକ ତଥ୍ୟ[ସମ୍ପାଦନା]