ଚତୁର ବିନୋଦ

ଉଇକିପିଡ଼ିଆ ରୁ
Jump to navigation Jump to search

ଚତୁର ବିନୋଦ, ବ୍ରଜନାଥ ବଡ଼ଜେନାଙ୍କ[୧] [୨] ରଚିତ ଓଡ଼ିଆ ଭାଷାର ପ୍ରଥମ ଗଦ୍ୟ ସାହିତ୍ୟ ।

କଥାବସ୍ତୁ[ସମ୍ପାଦନା]

ଚତୁର ବିନୋଦର କଥାବସ୍ତୁ ଏହିପରି । ଥରେ ରସାଳକାଞ୍ଚନ ନାମକ ଏକ ନଗରରେ ବାସ କରୁଥିବା ଏକ ବୈଶ୍ୟକନ୍ୟା ଚଞ୍ଚଳାକ୍ଷୀ ନିଜ ସଖି ସୁହାଗୀ ସହିତ ସ୍ନାନ କରିବା ନିମନ୍ତେ ଗଲା । ସେତିକିବେଳେ ତାକୁ ସେହି ନଗରର ରାଜପୁତ୍ର ମୋହନାଙ୍ଗ ଦେଖି ପକାଇ ତାପ୍ରତି ଆକର୍ଷିତ ହୋଇପଡ଼ିଲା ଏବଂ ସୁଯୋଗ ଦେଖି ଚଞ୍ଚଳାକ୍ଷୀକୁ ଭେଟି ତା ଆଗରେ ନିଜର ମନକଥା ପ୍ରକାଶ କଲା । ଏହା ଶୁଣି, ଚଞ୍ଚଳାକ୍ଷୀର ଅନୁରୋଧରେ ସଖି ସୁହାଗୀ ରାଜପୁତ୍ରକୁ ସନ୍ଧ୍ୟା ସମୟରେ ଘରକୁ ଆସିବାପାଇଁ ଅନୁରୋଧ କଲା । ସନ୍ଧ୍ୟା ସମୟରେ ମୋହନାଙ୍ଗ ଚଞ୍ଚଳାକ୍ଷୀ ସହିତ ପ୍ରଣୟ କରିବା ଉଦ୍ଦେଶ୍ୟରେ ଆସି ତାକୁ ଗୋପନରେ ସାକ୍ଷାତ କଲା । ମୋହନାଙ୍ଗକୁ ନିଜ ଗୃହରେ ଉପସ୍ଥିତ ଦେଖି ଚଞ୍ଚଳକ୍ଷୀ ତାକୁ ସ୍ୱାଗତ କରି କହିଲା ତା ସହିତ ଅଙ୍ଗସଙ୍ଗ କରିବାପାଇଁ ସେ ସମ୍ମତା । କିନ୍ତୁ ଗଉରୀ ବ୍ରତ କରୁଥିବାଯୋଗୁଁ ସେ ସେଦିନ ରାତ୍ରି ଉଜାଗର ରହିବ । ତା ପରଦିନ ସେ ନିଜକୁ ସମର୍ପଣ କରିପାରିବ । ଚଞ୍ଚଳାକ୍ଷୀର ଅନୁରୋଧରେ ମୋହନାଙ୍ଗ ତା ସହିତ ରାତ୍ରି ଉଜାଗର ରହି ତାର ମନୋରଞ୍ଜନ ନିମନ୍ତେ ``ହାସ ବିନୋଦ, ରସ ବିନୋଦ, ନୀତି ବିନୋଦ ଓ ପ୍ରୀତି ବିନୋଦ" ନାମକ ଚାରୋଟି ଗଳ୍ପ କହିଲା ।

ପ୍ରକାଶନ ଓ ସଂସ୍କରଣ[ସମ୍ପାଦନା]

ସ୍ୱର୍ଗତ ଦାମୋଦର ପଟ୍ଟନାୟକଙ୍କ ସୁପୁତ୍ର ଶ୍ରୀ ସୂର୍ଯ୍ୟନାରାୟଣ ପଟ୍ଟନାୟକ ୧୯୨୨ ସାଲରେ କଟକ ପ୍ରିଣ୍ଟିଂ କୋମ୍ପାନୀ ଯନ୍ତ୍ରାଳୟରେ ଚତୁର ବିନୋଦ ପ୍ରଥମେ ପ୍ରକାଶ କରିଥିଲେ । କିନ୍ତୁ ଏହି ପୁସ୍ତକଟି ଅନେକ ଲୋକଙ୍କ ଦୃଷ୍ଟିଗୋଚର ହୋଇପାରିଲାନି । ଏହି ସଂସ୍କରଣରେ କିଛିମାତ୍ର ମୁଦ୍ରଣ ପରିପାଟୀ ନ ଥିଲା ।

ଏହି ମୁଦ୍ରଣର ବାଇଶି ବର୍ଷ ପରେ ରାୟ ବାହାଦୁର ଶ୍ରୀ ଚିନ୍ତାମଣି ଆଚାର୍ଯ୍ୟ ୧୯୪୪ ସାଲରେ ଚତୁର ବିନୋଦର ନୂତନ ସଂସ୍କରଣ ପ୍ରକାଶ କରିଥିଏ । ପ୍ରାଚୀ ସମିତଦ୍ୱାରା ପ୍ରକାଶିତ ଚତୁର ବିନୋଦର ମୁଖବନ୍ଧରେ ତୁଳନା କରି ଏହି ସଂସ୍କରଣଟି ପ୍ରଥମ ସଂସ୍କରଣର ପ୍ରାୟତଃ ଆକ୍ଷରିକ ନକଲ ବୋଲି କୁହାଯାଇଛି ।

ଏହାର ଦୁଇ ବର୍ଷ ପରେ ୧୯୪୬ ସାଲରେ ରାୟ ବାହାଦୁର ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ପ୍ରତିଷ୍ଠିର ପ୍ରାଚୀ ସମିତିର ଗ୍ରନ୍ଥମାଳାର ୫୨ ଖଣ୍ଡ ଓ ବ୍ରଜନାଥ ଗ୍ରନ୍ଥାବଳୀର ପ୍ରଥମ ଭାଗ ଭାବେ ଛପାଯାଇଥିଲା । ଏହା ଶ୍ରୀ ସୁଧାକର ପଟ୍ଟନାୟକଙ୍କଦ୍ୱାରା ସଙ୍କଳିତ ଓ ସମ୍ପାଦିତ ହୋଇଥିଲା । ପୁସ୍ତକଟିର ମୂଲ୍ୟ ଏକଟଙ୍କା ଚାରିଅଣା ଥିଲା ଓ ପ୍ରାଚୀ ସମିତି ପକ୍ଷରୁ ଷ୍ଟୁଡେଣ୍ଟସ୍ ଷ୍ଟୋର୍ଦ୍ୱାରା ପ୍ରକାଶିତ ହୋଇଥିଲା । ଏହି ପୁସ୍ତକର ମୁଖବନ୍ଧରେ ସମ୍ପାଦକ ପୂର୍ବ ସଂସ୍କରଣଗୁଡ଼ିକରେ ଥିବା ତ୍ରୁଟି ଦେଖାଇ ସଂସ୍କରଣର ବୈଶିଷ୍ଟ୍ୟ ଦର୍ଶାଇ ବିସ୍ତାରରେ ଲେଖିଅଛନ୍ତି ।[୩]

ଏହି ଗ୍ରନ୍ଥ ଖଣ୍ଡି ପ୍ରାୟ ଦୁଇଶତ ବର୍ଷ ପୂର୍ବର ଲେଖା । ସୁତରାଂ, ଓଡ଼ିଆ ଗଦ୍ୟ ସାହିତ୍ୟର କ୍ରମବିକାଶର ପ୍ରଧାନ ନିଦର୍ଶନ ସ୍ୱରୂପ ଚତୁର ବିନୋଦର ସ୍ଥାନ ସାହିତ୍ୟ କ୍ଷେତ୍ରରେ ଅତି ଉଚ୍ଚ । ଏଣୁ ସେ କାଳର କବିଙ୍କ ଭାଷା ଉପରେ ହସ୍ତକ୍ଷେପ କରିବା ଆମ୍ଭମାନଙ୍କର ଆଦୌ ଅଧିକାର ନାହିଁ ଏବଂ ତାହା କରିବା ଉଚିତ ମଧ୍ୟ ନୁହେଁ । ଯଦି କରାଯାଏ ତାହା ଅକ୍ଷମଣୀୟ । ଏହିଭାବରେ ଦେଖିଲେ ଶ୍ରୀମାନ୍ ସୂର୍ଯ୍ୟନାରାୟଣ ପଟ୍ଟନାୟକ ଚତୁର ବିନୋଦକୁ ସର୍ବପ୍ରଥମେ ଉତ୍କଳର ପାଠକ ସାଧାରଣଙ୍କ ଦୃଷ୍ଟିକୁ ଆଣିଥିବା ଯୋଗୁଁ ଧନ୍ୟବାଦାର୍ହ ହେଲେ ମଧ୍ୟ ପ୍ରାଚୀନ କବିଙ୍କ ଲେଖା ଉପରେ ତଥାକଥିତ ଅଶ୍ଳୀଳତା ବର୍ଜ୍ଜନ ନାମରେ ଅଯଥାଭାବରେ ଯଥେଚ୍ଛା କଲମ ଚଳାଇ ଅନ୍ୟାୟ କରିଅଛନ୍ତି ।

ଦୁଃଖର ବିଷୟ ଶ୍ରଦ୍ଧେୟ ରାୟ ବାହାଦୁର ତାଙ୍କ ସଂସ୍କରଣରେ ଶ୍ରୀମାନ ସୂର୍ଯ୍ୟନାରାୟଣଙ୍କ ସଂସ୍କରଣର ଆକ୍ଷରିକ ଙ୍କଲ ଗ୍ରହଣ କରିଅଛନ୍ତି । ତାଙ୍କ ଭଳି ଜଣେ ସାହିତ୍ୟିକ ପୋଥି ଖଣ୍ଡିଏ ସଂଗ୍ରହ କରି ତାହା ସଙ୍ଗେ ତୁଳନା କରି ନୂତନ ସଂସ୍କରଣଟିଏ ପ୍ରକାଶ କରିଥିଲେ ଉତ୍କଳ ସାହିତ୍ୟର ବିଶେଷ ଉପକାର ହୋଇଥାନ୍ତା । ଉତ୍କଳ ସାହିତ୍ୟ ତଥା ଉତ୍କଳଭାଷାର ଇତିହାସ ଆଲୋଚନା ବେଳେ ଉପରୋକ୍ତ କାରଣତୁ ଏ ଉଭୟ ସଂସ୍କରଣର ମୂଲ୍ୟ ନ୍ୟୂନ ବୋଲି ଧରିବାକୁ ହେବ । ଏଣୁ ମୋତେ ପୁଣି କବିଙ୍କ ଭାଷାକୁ ବଜାୟ ରଖି ଯଥାସମ୍ଭବ ଶୁଦ୍ଧଭାବରେ ଏ ସଂସ୍କରଣଟି ସମ୍ପାଦନ କରିବାକୁ ପଡ଼ିଲା ।

ଆଧାର[ସମ୍ପାଦନା]

  1. Brajanātha Baḍajenā; Debendra Mahānti (1978). Chatur binod. Friends.
  2. http://www.orissadiary.com/personality/poet/BRAJANATH%20BADAJENA%20.asp
  3. ଚତୁର ବିନୋଦ - କବିବର ବ୍ରଜନାଥ ବଡ଼ଜେନା (ବ୍ରଜନାଥ ଗ୍ରନ୍ଥାବଳୀ - ୧ମ ଖଣ୍ଡ, ପ୍ରାଚୀ ଗ୍ରନ୍ଥମାଳା, ୫୨ ଖଣ୍ଡ) । ପାଠାନ୍ତର, ଟୀକା ଓ ବିସ୍ତୃତ ମୁଖବନ୍ଧ ସହ ଶ୍ରୀ ସୁଧାକର ପଟ୍ଟନାୟକ, ବିଏଙ୍କଦ୍ୱାରା ସଂକଳିତ ଓ ସମ୍ପାଦିତ । ପ୍ରାଚୀ ସମିତି ପକ୍ଷରୁ ଷ୍ଟୁଡେଣ୍ଟସ୍ ଷ୍ଟୋର୍ଦ୍ୱାରା ପ୍ରକାଶିତ, ୧୯୪୬ ।