ଭୀମ ଭୋଇ
ଭୀମ ଭୋଇ | |
---|---|
ଭୀମ ଭୋଇ | |
ଧର୍ମ | ମହିମା ଧର୍ମ |
ବ୍ୟକ୍ତିଗତ | |
ଜନ୍ମ | ୧୮୫୦ ସମ୍ବଲପୁର, ଓଡ଼ିଶା |
ମୃତ୍ୟୁ | ୧୮୯୫ ସୁବର୍ଣ୍ଣପୁର, ଓଡ଼ିଶା |
ଧାର୍ମିକ ବୃତ୍ତି | |
ଶିକ୍ଷକ | ଗୁରୁ ମହିମା ସ୍ୱାମୀ |
ସନ୍ଥକବି ଭୀମ ଭୋଇ (୧୮୫୦ମଧୁପୁର -୧୮୯୫ ଖଲିଆପାଲି ) ଜଣେ ପୁରାତନ ଓଡ଼ିଆ କବି ଓ ସମାଜ ସଂସ୍କାରକ ଥିଲେ ।[୧] ସେ ନିଜ ରଚନାରେ ମାନବତା, ଦର୍ଶନ, ଜୀବନ ଓ କାର୍ଯ୍ୟ ଧାରାକୁ ଖୁବ ସରଳ ଓ ସାବଲୀଳ ଭାବରେ ବର୍ଣ୍ଣନା କରିଛନ୍ତି । ସେ ମହିମା ଧର୍ମକୁ ଜନାଦୃତ କରିବାରେ ନେତୃତ୍ୱ ନେଇଥିଲେ ଓ ତାଙ୍କ ରଚନାରେ ମହିମା ଦର୍ଶନ ପ୍ରତିଫଳିତ ହୋଇଥିବାରୁ ସେ "ସନ୍ଥ କବି" ଭାବରେ ପରିଚିତ ଥିଲେ । ତାଙ୍କର ଖ୍ୟାତନାମା କବିତା ମଧ୍ୟରେ "ମୋ ଜୀବନ ପଛେ ନର୍କେ ପଡ଼ିଥାଉ" ଅନ୍ୟତମ । ତାଙ୍କ ସମସାମୟିକମାନେ କବିତାରେ ତରୁଣ ପ୍ରଣୟ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧଚର୍ଚ୍ଚା ଆଦି ବର୍ଣ୍ଣା କରିଥିବା ବେଳେ ସେ ତତ୍କାଳୀନ ସମଜରେ ପ୍ରଚଳିତ ଜାତିପ୍ରଥା, ଉଚ୍ଚନୀଚ ଓ ଛୁଆଁଅଛୁଆଁ ଭେଦଭାବ ଏବଂ ଅନ୍ୟାନ୍ୟ ଧର୍ମାନ୍ଧ କୁସଂସ୍କାରର ବିରୋଧରେ ଏବଂ ସାମାଜିକ ସମତା ସ୍ଥାପନା ନିମନ୍ତେ ଛାନ୍ଦ, ଚଉପଦୀ ଓ ଚଉତିଶାମାନ ରଚନା କରିଥିଲେ । ତାଙ୍କଦ୍ୱାରା ରଚିତ ପୋଥିଗୁଡ଼ିକ ମଧ୍ୟରେ ସ୍ତୁତିଚିନ୍ତାମଣି, ହଳିଆ ଗୀତ, ଡାଲଖାଈ, ରସରକେଲି, ଯାଇଫୁଲ, ବ୍ରହ୍ମ ନିରୂପଣ ଗୀତା, ଆଦିଅନ୍ତ ଗୀତା, ଅଷ୍ଟକ ବିହାରୀ ଗୀତା, ନିର୍ବେଦ ସାଧନା, ଶ୍ରୁତିନିଷେଧ ଗୀତା, ମନୁସଭାମଣ୍ଡଳ, ଗୃହଧର୍ମ ଓ ମହିମାବିନୋଦ ଆଦି ଅନ୍ୟତମ । ତାଙ୍କର ରଚନାସମୂହ ଲୋକମୁଖରେ ଓ ପୋଥି ରୂପରେ ମଧ୍ୟ ଗାଦିରେ ରଖାଯାଇଛି । ତାଙ୍କ ରଚିତ ପାଣ୍ଡୁଲିପିସବୁ ବିଂଶ ଶତାବ୍ଦୀରେ ଛପାଯାଇଥିଲା । ସାମାଜିକ ପ୍ରତିଷ୍ଠା ହେତୁ ତାଙ୍କ ରଚିତ ଗୀତକୁ ସ୍ଥାନୀୟ ଲୋକେ ସାପକାମୁଡ଼ା, ଡାଆଣୀ ବା ଭୂତପ୍ରେତ ଗ୍ରାସରୁ ଆରୋଗ୍ୟ ଲାଗି ମନ୍ତ୍ର ଭାବରେ ମଧ୍ୟ ପ୍ରୟୋଗ କରିବା ମଧ୍ୟ ପ୍ରଚଳିତ ଥିଲା ।[୨]
ଜୀବନୀ
[ସମ୍ପାଦନା]ପ୍ରାରମ୍ଭିକ ଜୀବନ
[ସମ୍ପାଦନା]୧୮୫୦ ମସିହାରେ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲର ମଧୁପୁର ଗ୍ରାମରେରେ ଏକ କନ୍ଧ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସେ ନିଜ ଜନ୍ମ ସମ୍ବନ୍ଧରେ ସମ୍ପୂର୍ଣ୍ଣ ବିବରଣୀ ସ୍ତୁତି ଚିନ୍ତାମଣିରେ ଲେଖିଛନ୍ତି:
ଜନନୀ ଉଦର ଗୋପ ମଧୁପୁର ପାଶୋରି ନ ଯାଏ ଚିତ୍ତୁ
ମାତୃଗର୍ଭେଗତେ ପାଠ ପଢ଼ୁଥିଲି ଟିକେ ଟିକେ ଅଛି ହେତୁ ।।— ଭୀମ ଭୋଇ, ସ୍ତୁତି ଚିନ୍ତାମଣି, ୨୨ତମ ବୋଲି
ଜନଶ୍ରୁତିରେ ସେ ବାଲ୍ୟାବସ୍ଥାରେ ଜନ୍ମାନ୍ଧ ଓ ବସନ୍ତ ରୋଗ ହେତୁ ନିଜର ଦୃଷ୍ଟିଶକ୍ତି ହରାଇଥିଲେ ବୋଲି ଉଲ୍ଲିଖିତ । ତେବେ ସେ ନିଜ ରଚନାରେ ନିଜକୁ ଅନ୍ଧ ବୋଲି ଘୋଷଣା କରିନାହାନ୍ତି । ସେ ସମ୍ପୂର୍ଣ୍ଣ ନିରକ୍ଷର ଥିଲେ । ତାଙ୍କ ଦୁଇ ଭାଇଙ୍କ ନାମ ମିଲ୍ଲ ଭୋଇ ଓ ଏକାଦୋଷୀ ଭୋଇ ।
ପରିବାର
[ସମ୍ପାଦନା]ସେ ସୁମେଧା ନାମ୍ନୀ ଜଣେ ମହିଳାଙ୍କୁ ବିବାହ କରିଥିଲେ ବୋଲି କେତେକ ରଚନାରେ ବର୍ଣ୍ଣିତ । ସୁମେଧା ଥିଲେ ମଢ଼ି ଗ୍ରାମର ଅନ୍ନପୂର୍ଣ୍ଣା ଏବଂ ଗୌନ୍ତିଆ ମୋହନ ଦାସଙ୍କ ଝିଅ । ୧୮୯୨ ମସିହାରେ ଏହି ଦମ୍ପତ୍ତିଙ୍କର ଏକ ଝିଅ ଓ ପୁଅ ଜନ୍ମ ହୋଇଥିଲେ । ଭୀମ ଭୋଇ ସ୍ଥାନୀୟା ମୋହିନୀ, ସରସ୍ୱତୀ ଓ ସୁବର୍ଣ୍ଣାଙ୍କୁ ମଧ୍ୟ ବିବାହ କରିଥିଲେ ବୋଲି ଉଲ୍ଲେଖ ରହିଛି ।[୨] ତତ୍କାଳୀନ ରେଢ଼ାଖୋଲ ରାଜ୍ୟର ରାଜା ଗୌରଚନ୍ଦ୍ର ଭୀମ ଭୋଇଙ୍କର ପ୍ରଚଳିତ ଜାତି ଭେଦ ଓ ବ୍ରାହ୍ମଣମାନଙ୍କର ଦଳିତ ଓ ଆଦିବାସୀମାନଙ୍କ ପ୍ରତି କଠୋର ଭେଦଭାବ ବିରୋଧରେ ଲଢ଼ାଇ ଦେଖି ତାଙ୍କ ପରିବାରକୁ ଦେଶାନ୍ତର କରିବା ପାଇଁ ଆଦେଶ ଦେଇଥିଲେ । ତାଙ୍କ ପରିବାର ଘରଲୋକେ ଦେଶାନ୍ତର ହେବା ଭୟରେ ନିଜକୁ ଗୋପନ ରଖିଥିଲେ ।[୩][୪][୧] ମଧୁପୁର ଗ୍ରାମରେ ସେ ୧୦ ବର୍ଷ ଅତିବାହିତ କରିଥିଲେ । ପରେ ଅନ୍ୟ ଗ୍ରାମକୁ ଯାଇ ଭିକ୍ଷା ବୃତ୍ତି ଓ ଗୋରୁଗାଈମାନଙ୍କୁ ସେବା କରି ନିଜ ପେଟ ପୋଷୁଥିଲେ ।
କିମ୍ବଦନ୍ତୀ
[ସମ୍ପାଦନା]ଜନଶ୍ରୁତି ଅନୁସାରେ ଭୀମ ଭୋଇ ପିଲା ବେଳେ କାକଣପଡ଼ାର ଚୈତନ୍ୟ ପ୍ରଧାନ ନାମକ ଜଣକ ଘରେ ଗାଈ ଜଗୁଥିଲେ । ଗାଈ ଚରାଉ ଥିବା ବେଳେ ଦିନେ ଅଜାଣତରେ କନ୍ଦରା ଗାଁରେ ଥିବା ଏକ ପରିତ୍ୟକ୍ତ କୂଅରେ ଖସିପଡ଼ିଥିଲେ । ସେଠାରୁ ଉଦ୍ଧାର କରିବାପାଇଁ ସେ ଡାକ ପକାଇଥିଲେ ଓ ଲୋକେ ପହଞ୍ଚିଥିଲେ । ତେବେ ତାଙ୍କୁ ଯିଏ କୂଅରେ ପକାଇଛି ସେ ନିଜେ ଆସି ନ ଉଠାଇଲେ ଆଉ କାହା ସାହାଯ୍ୟ ନେଇ ଉଠିବେ ନାହିଁ ବୋଲି କହିଥିଲେ । ଶେଷରେ ଜଣେ ମହିମା ଗୋସାଇଁ ସେଠାରେ ପହଞ୍ଚି ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ତାଙ୍କ ବିଚାରକୁ ଜନସାଧାରଣରେ ପ୍ରଚାର କରିବେ । ସେ ବାଳକ ଭୀମଭୋଇଙ୍କୁ କବିତ୍ୱ-ଶକ୍ତି ମଧ୍ୟ ପ୍ରଦାନ କରିଥିଲେ ।[୨]
ମହିମା ଧର୍ମ
[ସମ୍ପାଦନା]ତାଙ୍କର ଭଜନ, ଜଣାଣ ଓ ଗୀତ ମାଧ୍ୟମରେ ସେ ମହିମା ଧର୍ମର ପ୍ରଚାର କରିଥିଲେ । ସମକାଳରେ ମହିମାଧର୍ମ ସଂକ୍ରାନ୍ତରେ କୌଣସି ପ୍ରାମାଣିକ ଗ୍ରନ୍ଥ ନଥିଲା । ତାଙ୍କ ନିଜ ରଚନା ଅନୁଯାୟୀ ଜଣେ ଅଲେଖ ମହିମା ଗୋସାଇଁ ତାଙ୍କୁ ମହିମା ଧର୍ମ ବା ଅଲେଖ ଧର୍ମର ପ୍ରଚାର କରିବାପାଇଁ ଆଦେଶ ଦେଇଥିଲେ । ମହିମା ଗୋସାଇଁଙ୍କଦ୍ୱାରା ଅନୁପ୍ରାଣିତ ହୋଇ ସେ କଳାହାଣ୍ଡି ଜିଲ୍ଲାସ୍ଥିତ ଖଲିଆପାଲିଠାରେ ସତ୍ୟ ମହିମା ଧର୍ମର ବିକାଶରେ ମୁଖ୍ୟ ଭୂମିକା ନିଭାଇଥିଲେ । କେତେକ ଗବେଷକଙ୍କ ମତରେ ସେ ପ୍ରଥମେ ଏକ କୂଅରେ ପଡ଼ିଯାଇଥିବା ବେଳେ ମହିମା ଗୋସାଇଁଙ୍କ ବାବଦରେ ଅବଗତ ହୋଇଥିଲେ । ଅନ୍ୟ କେତେକଙ୍କ ମତରେ ତରୁଣ ବୟସରେ ସେ କୌଣସି ସୂତ୍ରରୁ ମହିମା ଗୋସାଇଁଙ୍କ ବାବଦରେ ଅବଗତ ହୋଇ ମାଳବିହାରପୁର ଅଥବା ଖୁଣ୍ଟୁଣିରେ ତାଙ୍କୁ ସାକ୍ଷାତ କରିଥିଲେ । ତାହାରେ ତାଙ୍କଠାରୁ ଦୀକ୍ଷିତ ହୋଇ ନିଜ ଅଞ୍ଚଳକୁ ଫେରିଥିଲେ । ସେ ନିଜ କବି ପ୍ରତିଭାକୁ ମହିମା ଗୋସାଇଁଙ୍କ ବ୍ୟକ୍ତିତ୍ୱ ଓ ବିଚାର ପ୍ରଚାର ଓ ପ୍ରସାର କରିଥିଲେ । ସିଦ୍ଧିଲାଭ ପରେ ୧୮୬୬ ମସିହା ବେଳକୁ ସେ ମହିମା ଗୋସାଇଁଙ୍କ ବିଚାର ପ୍ରଚାର ପାଇଁ ଜନପଦରୁ ଜନପଦ ଯାତ୍ରା ଆରମ୍ଭକରିଥିଲେ । ତାଙ୍କ ସାଙ୍ଗଠନିକ ଶକ୍ତି ପ୍ରଥମେ ରେଢ଼ାଖୋଲର ରାଜା ଗୌରଚନ୍ଦ୍ରଙ୍କ ଅହଂକାରର ସମ୍ମୁଖୀନ ହୋଇଥିଲା । ଜଣେ କନ୍ଧ ବ୍ୟକ୍ତି ସମାଜରେ ଆଦର ଓ ସମ୍ମାନ ପାଇବା ଦେଖି ରାଜା ତାଙ୍କୁ ବନ୍ଦୀ କରିଥିଲେ । ବ୍ରାହ୍ମଣ ଓ କ୍ଷତ୍ରିୟମାନଙ୍କ ପ୍ରରୋଚନାରେ ରାଜା ତାଙ୍କୁ ରାଜ୍ୟ ତ୍ୟାଗ କରିବାକୁ ମଧ୍ୟ ଆଦେଶ ଦେଇଥିଲେ । ସେ ରେଢ଼ାଖୋଲ ତ୍ୟାଗ କରି ଗୁଲୁଣ୍ଡା ଓ ଭୁର୍ଷାପାଲିରେ କିଛି ବର୍ଷର ରହଣି ପରେ ପ୍ରାୟ ୧୮୭୭ ବେଳକୁ ସୋନପୁର ରାଜ୍ୟର ଖଲିଆପାଲିରେ ଆଶ୍ରମ ପ୍ରତିଷ୍ଠା କରିଥିଲେ । ଏହି କାର୍ଯ୍ୟରେ ତାଙ୍କୁ ସୋନପୁରର ତତ୍କାଳୀନ ରାଜା, ଗୌନ୍ତିଆ ତଥା ଅନ୍ୟମାନେ ସାହାଯ୍ୟ କରିଥିଲେ । ଦାନ ସୂତ୍ରରେ ଆଶ୍ରମକୁ ପ୍ରାୟ ୬୦ ଏକର ଜମି ମଧ୍ୟ ମିଳିଥିଲା । ସୋନପୁରର ରାଜା ନୀଳଧର ସିଂହଦେଓ ତାଙ୍କ ଲୋକପ୍ରିୟତା ଓ ସାମାଜିକ ପ୍ରତିପତ୍ତି ଦେଖି ପ୍ରତିକ୍ରିୟାଶୀଳ ହୋଇ ପବିତ୍ରତା ପରୀକ୍ଷା ପାଇଁ ଭୀମଭୋଇଙ୍କୁ ଅଗ୍ନି-ପ୍ରବେଶ ପରି ଅମାନବୀୟ ଆଦେଶ ଦେଇଥିବା ଉଲ୍ଲେଖ ରହିଛି । ତେବେ ଲୋକଶ୍ରୁତି ଅନୁସାରେ ଅଗ୍ନିପରୀକ୍ଷାର ପୂର୍ବ ଦିନ ଏକ କୀଟ-ଦଂଶନଜନିତ ଜ୍ୱରରେ ରାଜାଙ୍କର ମୃତ୍ୟୁ ଘଟିଥିଲା ।[୨]
ରଚନାବଳୀ
[ସମ୍ପାଦନା]ଭୀମ ଭୋଇ ନିଜ ରଚନାରେ ସମାଜରେ ଉଚ୍ଚନୀଚ ଭେଦଭାବ, ଦଳିତ ଓ ଆଦିବାସୀମାନଙ୍କ ଉପରେ ତଥାକଥିତ ଉଚ୍ଚ ଜାତିର ଲୋକଙ୍କ ପ୍ରତାଡ଼ନା ତଥା ବିଭିନ୍ନ କୁସଂସ୍କାର ବିରୋଧରେ ତଥା ମହିମା ଧର୍ମର ବିଚାରକୁ ପ୍ରଚାର କରିଛନ୍ତି । ସେ ସମ୍ପୂର୍ଣ୍ଣ ନିରକ୍ଷର ଥିବା ଯୋଗୁଁ ଅନ୍ୟାନ୍ୟ କବିମାନଙ୍କ ରଚନା ତାଙ୍କୁ ପ୍ରଭାବିତ କରିପାରିନଥିଲା ।[୨]
- ସ୍ତୁତିଚିନ୍ତାମଣି
- ହଲିଆ ଗୀତ
- ଡାଲଖାଈ
- ରସରକେଲି
- ଜାଇଫୁଲ
- ବ୍ରହ୍ମ ନିରୂପଣ ଗୀତା
- ଆଦିଅନ୍ତ ଗୀତା
- ଅଷ୍ଟକ ବିହାରୀ ଗୀତା
- ନିର୍ବେଦ ସାଧନା
- ଶ୍ରୁତିନିଷେଧ ଗୀତା
- ମନୁସଭାମଣ୍ଡଳ
- ଗୃହଧର୍ମ
- ମହିମାବିନୋଦ
ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ,
ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ।।— ଭୀମ ଭୋଇ
ଟୀକା
[ସମ୍ପାଦନା]- ↑ ୧.୦ ୧.୧ Orissa Review May 2005
- ↑ ୨.୦ ୨.୧ ୨.୨ ୨.୩ ୨.୪ "ଭୀମ ଭୋଇ". ova.gov.in. Archived from the original on 2022-08-16. Retrieved 2022-08-16.
- ↑ The Telegraph, July 21 , 2008
- ↑ Eminent Personaltites of Sambalpur District - 3. Bhima Bhoi
ଅଧିକ ପଠନ
[ସମ୍ପାଦନା]- Bannerjee, Ishita and Johannes Beltz 2008 (eds.), Popular Religion and Ascetic Practices. New studies on Mahima Dharma, New Delhi: Manohar Publishers.
- Bäumer, Bettina and Johannes Beltz 2010 (eds.), Verses from the Void: Mystic poetry of an Oriya saint, New Delhi: Manohar Publishers.
- Beltz, Johannes. 2003. “Bhima Bhoi: The making of a modern saint”, A. Copley (ed.) Hindu Nationalism and Religious Reform Movements, New Delhi: OUP, pp. 230–253.
- Bhima Bhoi. 1992. Bhaktakavi Bhimabhoi Granthavali. Edited by Karunakar Sahu and published by Vidhyadhar Sahu. Cuttack: Dharmagrantha Store.
- Mahapatra, Sitakant. 1983. Bhima Bhoi. New Delhi: Sahitya Akademi (Makers of Indian Literature).