ଓଡ଼ିଆ ନାଟକ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ଇତିହାସ[ସମ୍ପାଦନା]

ଓଡ଼ିଆ ନାଟକର ଅତୀତ ଖୁବ ସୁଦୀର୍ଘ । ଗଣନାଟ୍ୟ ଓ ଯାତ୍ରାର ପତନ ପରେ ଓଡ଼ିଶାର ନାଟ୍ୟ ଆନ୍ଦୋଳନରେ ଦେଖାଦେଇଥିଲା ଏକ ବିରାଟ ଅଭ୍ୟୁଦୟ । ରାସଦଳ ଛାଡି ଏହି ପରିବର୍ତ୍ତନ ଧାରାରେ ପୁରୋଧା ସାଜିଥିଲେ କାଳୀଚରଣ ପଟ୍ଟନାୟକ[୧] ଗଢା ହେଲା ଓଡ଼ିଶା ଥିଏଟର୍ସ । ନିଜ ଦଳ ଲାଗି ୩ ପ୍ରକାର ନାଟକ ପ୍ରସ୍ତୁତ କଲେ କାଳୀବାବୁ । ତାହା ହେଲା -ପୌରାଣିକ ,ଐତିହାସିକ ଓ ସାମାଜିକ ନାଟକ । ପାଶ୍ଚାତ୍ୟ ଦେଶ ଗୁଡିକରେ ବାସ୍ତବବାଦର ପତନ ଘଟିସାରିଥିବା ବେଳେ କାଳୀଚରଣଙ୍କ ସାମାଜିକ ନାଟକରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଥିଲା । ୧୯୪୪ ମସିହା । ଓଡ଼ିଆ ନାଟକ ଲାଗି ଥିଲା ବିତର୍କର ବର୍ଷ । କାଳୀବାବୁଙ୍କ ଭାତ ନାଟକର ପ୍ରତିଦ୍ୱନ୍ଦ୍ୱୀ ହୋଇ ଠିଆ ହେଲା ମନୋରଞ୍ଜନ ଦାସଙ୍କ ନାଟକ ‘ଯୌବନ’ । [୨]ପରେ ପରେ ଗୋପାଳ ଛୋଟରାୟଙ୍କ ‘ଫେରିଆ’, ଭଞ୍ଜ କିଶୋର ପଟ୍ଟନାୟକଙ୍କ ‘ବେନାମୀ’[୩] ଓ ରାମଚନ୍ଦ୍ର ମିଶ୍ରଙ୍କ ‘ମୂଲିଆ’ ପରିବେଶିତ ହେଲା । ତେବେ ମନୋରଞ୍ଜନ ଦାସ ଏହି ଧାରାରୁ ହଟି ନୂଆ କିଛି ଚିନ୍ତା କରୁଥିଲେ । ଏହି ସମୟରେ ଗଢାହେଲା ୟୁନାଇଟେଡ ଆର୍ଟିଷ୍ଟ ସଂସ୍ଥା । ଗୋବିନ୍ଦ ତେଜ,ଶାରଦା ପ୍ରସନ୍ନ ରାୟ ଓ ନିତାଇ ପାଲିତଙ୍କ ଭଳି ବହୁ ଉଚ୍ଚ ଶିକ୍ଷିତ କଳାକାର ଏଥିରେ ସାମିଲ ହେଲେ । ମନୋରଞ୍ଜନ ବାସ୍ତବବାଦୀ ନାଟକରେ ବୌଦ୍ଧିକତା ଆଣିଥିବା ବେଳେ,ଅନ୍ୟପଟେ ସାମାଜିକ ନାଟକରୁ ଦୃଷ୍ଟି ଏଡାଇବାକୁ ଯାଇ ଲୋକଙ୍କ ରୁଚି ବଦଳାଇବାର ଚେଷ୍ଟା କରିଥିଲେ କାଳୀଚରଣ । ୧୯୪୪ରେ ସେ ପ୍ରସ୍ତୁତ କରିଥିଲେ ନାଟକ-‘ଚକ୍ରୀ’। ୧୯୫୦ ମସିହା ସୁଦ୍ଧା ନବନାଟ୍ୟ ଆନ୍ଦୋଳନର ଧାରା ଖୁବ ଜୋରଦାର ହୋଇଥିଲା । ତେବେ ମନୋରଞ୍ଜନ ଦାସଙ୍କ ଅରଣ୍ୟ ଫସଲର ସଫଳତା ପରେ ଏକ ଭିନ୍ନ ଧରଣ ନାଟକର ଅବିର୍ଭାବ ଘଟିଥିଲା । ତାହା ହେଲା ଆବସର୍ଡ ଡ୍ରାମା ବା ଉଦ୍ଭଟ ନାଟକ । ଏହା ଦୂରେଇ ଯାଇଥିଲା ବାସ୍ତବବାଦ ଠାରୁ । ଆଧୁନିକତାର ଏକ ସ୍ପଷ୍ଟ ଲକ୍ଷଣ ପରିଲକ୍ଷିତ ହୋଇଥିଲା ଏଥିରେ । ଏହା ପରେ ଅନେକ ସୋପାନ । ଗୋଟିଏ ପରେ ଗୋଟିଏ ଅତିକ୍ରମ କରିଛି ଓଡ଼ିଆ ନାଟକ । ଷାଠିଏ ଓ ସତୁରୀ ଦଶକ ଥିଲା ଓଡ଼ିଆ ନାଟକ ପାଇଁ ସୁବର୍ଣ୍ଣଯୁଗ । ଏହି ସମୟରେ ଓଡ଼ିଆ ଥିଏଟର୍ସ, ଜନତା ରଙ୍ଗମଞ୍ଚ, ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ଓ ଏକାମ୍ର ଥିଏଟର୍ସ ପ୍ରଭୃତି ନିୟମିତ ନାଟକ ଦେଖିବାର ମଞ୍ଚ ଥିଲା । ମାତ୍ର ପରବର୍ତ୍ତୀ ସମୟରେ ପରିଚାଳନାଗତ ତ୍ରୁଟି ଓ ସିନେମାର ପ୍ରଭାବ ରଂଗମଞ୍ଚର ଭିତ୍ତି ଦୋହଲାଇ ଦେଲା । ୧୯୭୫ ପରେ ଗ୍ରୁପ ଥିଏଟର ସବୁ ଗଢି ଉଠିଲା । ପୁଣି ସଙ୍ଗୀତ ମହାବିଦ୍ୟାଳୟ ପ୍ରତିଷ୍ଠା ହେଲାପରେ ସେଥିରୁ ତିଆରି ଓଡ଼ିଆ କଳାକାର ବହୁ ସାମାଜିକ ବାର୍ତ୍ତା ନେଇ ଲୋକଙ୍କ ପାଖରେ ପହଞ୍ଚିଲେ । ସୁତରାଂ ଏଇଠୁ ଆରମ୍ଭ ହୋଇଥିଲା ଅଙ୍ଗୀକାରବଦ୍ଧ ନାଟ୍ୟସଂସ୍ଥା । ଯଦିଓ ନାଟକ ପାଇଁ ଦୁର୍ଦ୍ଦିନର ସମୟ ଥିଲା ଅଶି ଦଶକ, ଏହି ସମୟରେ ନାଟକକୁ ନେଇ ବହୁ ପରୀକ୍ଷା ନୀରିକ୍ଷା ଚାଲିଥିଲା । ତେଣୁ ଏହା ଦୁର୍ବୋଧ୍ୟ ହୋଇପଡିଥିଲା ସାଧାରଣ ଲୋକଙ୍କ ପାଇଁ । ମାତ୍ର ପରବର୍ତ୍ତୀ ସମୟରେ ପରିସ୍ଥିତି ସୁଧୁରିଛି । ଓଡ଼ିଆ ନାଟକର ଆଙ୍ଗିକ ଅଭିବୃଦ୍ଧି ଘଟିଛି । ଏହାର ସଂଗୀତ, ନୃତ୍ୟ, ଲେଖା, ପରିବେଶ, ପରିଚ୍ଛଦ, ଆଲୋକ, ମଞ୍ଚସଜା ଓ ଦୃଶ୍ୟସଜ୍ଜା ସବୁଥିରେ ପରୀକ୍ଷା ନୀରିକ୍ଷା ଜାରି ରହିଛି । ନାଟକ ବଦଳାଇଛି ତାହାର ଚେହେରା । ସାମିଲ ହୋଇଛି ସମସାମୟିକ ଧାରାରେ । ନୂତନତ୍ୱର ଖୋଜ ପାଇଁ ପ୍ରଚେଷ୍ଟା ଚଳାଇଛି ଓଡ଼ିଆ ନାଟକ ।[୪]

ଆଧାର[ସମ୍ପାଦନା]