ଫକୀର ମୋହନ ସେନାପତି

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ବ୍ୟାସକବି ଫକୀରମୋହନ ସେନାପତି
Fakir Mohan Senapati.jpg
ଜନ୍ମ ୧୩ ଜାନୁଆରୀ ୧୮୪୩(1843-01-13)
ବାଲେଶ୍ୱର , ଭାରତ
ମୃତ୍ୟୁ ୧୪ ଜୁନ, ୧୯୧୮ (୭୫ ବର୍ଷ)
ବୃତ୍ତି ଗାଳ୍ପିକ, ଲେଖକ, କବି, ସାହିତ୍ୟିକ
ଜାତୀୟତା ଭାରତୀୟ
ସମୟ ଊନବିଂଶ ଶତାବ୍ଦୀ


ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ୧୩ ଜାନୁଆରୀ ୧୮୪୩ ରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ମଲ୍ଲିକାଶପୁର ଗାଆଁର ଲକ୍ଷ୍ମଣ ଚରଣ ସେନାପତି ଓ ତୁଳସୀ ଦେବୀ ସେନାପତିଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।[୧]

ଫକିର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭବରେ ପରିଚିତ ।

ଜୀବନ କାଳ[ସମ୍ପାଦନା]

ପିଲାବେଳ[ସମ୍ପାଦନା]

୧୪ ଜାନୁଆରୀ ୧୮୪୩ ରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ମଲ୍ଲିକାଶପୁର ଗ୍ରାମର ଏକ ଖଣ୍ଡାୟତ ପରିବାରରେ ଫକୀରମୋହନଙ୍କ ଜନ୍ମ । ତାଙ୍କୁ ଏକ ବର୍ଷ ପାଞ୍ଚ ମାସ ବୟସ ବେଳେ ତାଙ୍କ ପିତା ଲକ୍ଷ୍ମଣ ଚରଣ ସେନାପତିଙ୍କର ମୃତ୍ୟୁ ଘଟିଲା । ଏହାର ମାତ୍ର ୧୪ ମାସ ପରେ ତାଙ୍କ ମାତା ତୁଳସୀ ଦେବୀ ସେନାପତି ମଧ୍ୟ ଈହଧାମ ତ୍ୟାଗ କରିଥିଲେ । ବାଲ୍ୟକାଳରୁ ତାଙ୍କର ଲାଳନପାଳନ ଭାର ତାଙ୍କର ଜେଜେମା ସମ୍ଭାଳିଥିଲେ ।[୧]

ଫକୀରମୋହନଙ୍କ ପ୍ରକୃତ ନାମ ଥିଲା ବ୍ରଜମୋହନ । ବାଲ୍ୟକାଳରେ ସେ ପ୍ରାୟତଃ ଅସୁସ୍ଥ ରହୁଥିବାରୁ ତାଙ୍କ ଜେଜେ ତାଙ୍କୁ ଫକୀରମାନଙ୍କ ପାଖକୁ ନେଇଯାଉଥିଲେ । ସେହି ଫକୀରମାନଙ୍କ ସମ୍ମାନାର୍ଥେ ତାଙ୍କ ଜେଜେମା’ ତାଙ୍କ ନାଁ ବଦଳାଇ କରିଦେଲେ ଫକୀରମୋହନ ।

ଫକୀରମୋହନଙ୍କର ଦାଦା ପୁରୁଷୋତ୍ତମ ସେନାପତି ଅତ୍ୟନ୍ତ ଇର୍ଷାପରାୟଣୀ ବ୍ୟକ୍ତି ଥିଲେ । ସେ ଫକୀରମୋହନଙ୍କୁ ପାଠ ପଢ଼ିବାର ଅନୁମତି ଦେଉ ନ ଥିଲେ । ଫକୀରମୋହନ ବାଲ୍ୟକାଳରେ ସବୁବେଳେ ଅସୁସ୍ଥ ରହୁଥିବାରୁ, ସେ ୯ବର୍ଷ ବୟସରେ ଫଳା ଶିଖିବା ଆରମ୍ଭ କରିଥିଲେ । ପାଠ ପଢ଼ି ପଇସା ଦେବାର କ୍ଷମତା ନ ଥିବାରୁ ସେ ଶିକ୍ଷକଙ୍କ ଘରେ କାମ କରି ପାଢ଼ୁଥିଲେ । ବିଦ୍ୟା ଆହରାଣ କରିବାରେ ସେ କେବେ ସନ୍ତୁଷ୍ଟ ନ ଥିଲେ । ଯେତେ ବିଦ୍ୟା ଅଧ୍ୟୟନ କଲେ ବି ସେ ଆହୁରି ଆଧିକ ଜ୍ଞାନ ପ୍ରାପ୍ତ କରିବାରେ ଲାଗୁଥିଲେ । ନିଜ ମାତୃଭାଷାରେ ଜ୍ଞାନ‌କୋଷ ଭରିବା ସ‌ହିତ ସେ ପ୍ୟାରିସ ଭାଷା ମଧ୍ୟ ଶିକ୍ଷା କରିଥିଲେ । ପିଲାଦିନେ ସେ ଶ୍ରମିକ ଭାବରେ ବାଲେଶ୍ୱରରେ ଥିବା ବନ୍ଦରରେ ମଧ୍ୟ କାର୍ଯ୍ୟ କରୁଥିଲେ ଏବଂ ସେଠାରେ ସେ ବଙ୍ଗାଳୀ ଓ ସଂସ୍କୃତ ଭାଷା ମଧ୍ୟ ଶିକ୍ଷା କରିଥିଲେ ।[୧]

ମା‍ଇନର ପାଶ୍ କଲା ପରେ ସେ ବାଲେଶ୍ୱରର ବାରବାଟୀ ସ୍କୁଲରେ ବିଦ୍ୟାଧ୍ୟୟନ ଜାରି ରଖିଥିଲେ । ସେଠାରେ ସେ ଇତିହାସ, ଭୂଗୋଳ ଏବଂ ଗଣିତ ଶିକ୍ଷା କରୁଥିଲେ । ସେ ନିଜର ପାରଦର୍ଶିତା ଯୋଗୁଁ ଶିକ୍ଷକ ମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଆର୍ଥିକ ଦୁରବସ୍ଥା ଯୋଗୁଁ ବିଦ୍ୟାଳୟର ମାସିକ ଖର୍ଚ୍ଚ ୨୫ ପଇସା ଦେଇ ନ ପାରି ତାଙ୍କୁ ପାଠପଢ଼ା ତ୍ୟାଗ କରିବାକୁ ପଡ଼ିଥିଲା ଏବଂ ସେହି ବାରବାଟୀ ସ୍କୁଲରେ ତାଙ୍କୁ ମାସିକ ୨.୫୦ ଟଙ୍କା ଦରମାରେ ଶିକ୍ଷକ ଚାକିରୀ କରିବାକୁ ହୋ‍ଇଥିଲା ।[୧] ସେଠାରେ ସେ ଇତିହାସ, ଭୂଗୋଳ ଏବଂ ଗଣିତରେ ଶିକ୍ଷାଦାନ ଆରମ୍ଭ କରିଦେଲେ । ଏହି ସବୁ ବିଷୟରେ ସେ ନିଜେ ନିଜର ଜ୍ଞାନ‌କୁ ପ୍ରଗାଢ଼ କରିପାରିଥିଲେ । ବାଲେଶ୍ୱର କଲେକ୍ଟରେଟ୍‌ରେ କିଛି କାଳ ପାଇଁ ସେ କିରାଣୀ ଚାକିରି କରିଥିଲେ । ପରବର୍ତ୍ତୀ କାଳରେ ସେ ବାଲେଶ୍ୱର ମିଶନ ସ୍କୁଲରେ ୧୮୭୧ ଯାଏଁ ଶିକ୍ଷକତା କରିଥିଲେ ।

ଫକୀରମୋହନ ନିଜ ପରିଶ୍ରମ ବଳରେ ଇଂରାଜୀ ଶିକ୍ଷା କରିଥିଲେ । ଆରବିଆନ ନାଇଟସ୍, ରବିନସନ କୃଷେ, ଇଂରାଜୀ ବାଇବେଳ ଭଳି କିଛି ଇଂରାଜୀ ବ‌ହି ପଢ଼ିବା ବେଳେ ସେ ଇଂରାଜୀ ଅଭିଧାନର ସାହାଯ୍ୟ ନେଇଥିଲେ । ଯଦିଓ ଫକୀରମୋହନ ୨୩ ବର୍ଷ ବୟସରେ ଇଂରାଜୀ ଶିକ୍ଷା ଆରମ୍ଭ କରିଥିଲେ, କିନ୍ତୁ ତାଙ୍କର ପ୍ରକୃତିଦତ୍ତ ଦକ୍ଷତା ପାଇଁ ସେ ବିଦେଶୀମାନଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରିପାରିଥିଲେ ।[୧]

ଉତ୍ତର ଜୀବନ[ସମ୍ପାଦନା]

ଶିକ୍ଷକତା କରିବା ସଙ୍ଗେ ସଙ୍ଗେ ସେ ଓଡ଼ିଆ, ଇଂରାଜୀ, ସଂସ୍କୃତ ଓ ବଙ୍ଗାଳୀ ଆଦି ଭାଷାରେ ଦକ୍ଷତା ହାସଲ କରିଥିଲେ ଓ ବିଭିନ୍ନ ଆଲୋଚନାମାନଙ୍କରେ ଭାଗ ନେଇ ବାଲେଶ୍ୱରର ବୁଦ୍ଧିଜୀବି ମହଲରେ ନିଜର ସ୍ୱତନ୍ତ୍ର ସ୍ଥାନ ପ୍ରତିଷ୍ଠା କରିଥିଲେ ।

ବାରବାଟୀ ସ୍କୁଲରୁ ନିଜର ଶିକ୍ଷକତା ଜୀବନ ଆରମ୍ଭ କରିଥିବା ଫକୀରମୋହନ ପରବର୍ତ୍ତୀ ସମୟରେ ଖ୍ରୀଷ୍ଟୀଆନ ମିଶନ ସ୍କୁଲର ପ୍ରଧାନଶିକ୍ଷକ ରୂପେ ନିଜୁକ୍ତି ପାଇଥିଲେ । ସେହି ସମୟରେ ଓଡ଼ିଆ ଛାତ୍ରମାନେ ସମସ୍ତ ପାଠ ବଙ୍ଗଳାରେ ପଢ଼ୁଥିଲେ, ତେଣୁ ସେ ଓଡ଼ିଆରେ ବିଭିନ୍ନ ବିଷୟରେ ପାଠ୍ୟପୁସ୍ତକମାନ ରଚନା କରଥିଲେ । ଜଣେ ଗର୍ବିତ ଓଡ଼ିଆ ଭାବରେ ସେ ଓଡ଼ିଆରେ ପାଠ୍ୟପୁସ୍ତକ ସବୁକୁ ଅନୁବାଦ କରି ଓଡ଼ିଶାର ଏବଂ ଓଡ଼ିଆ ଭାଷାର ସମ୍ମାନ ବ‌ହୁତ ଉପରକୁ କରିଦେଇଥିଲେ ।[୧] ଖ୍ରୀଷ୍ଟୀଆନ ମିଶନ ସ୍କୁଲରେ ସେ ୧୮୭୧ ଯାଏ କାର୍ଯ୍ୟ କରିଆସିଥିଲେ ।[୨]

ଏହି ସୂତ୍ରରେ ତାଙ୍କର ପରିଚୟ ହୁଏ ବାଲେଶ୍ୱରର ତତ୍କାଳୀନ କଲେକ୍ଟର ଜନ୍ ବିମ୍ସଙ୍କ ସହ । ’ସୁନା ଚିହ୍ନେ ବଣିଆ, ଗୁଣ ଚିହ୍ନେ ଗୁଣିଆ’ ପରି ବିମ୍ସ ସାହେବ ଯିଏ ନିଜେ ଜଣେ ପଣ୍ଡିତ ଥିଲେ, ଫକୀରମୋହନଙ୍କ ଅନ୍ତର୍ନିହିତ ପାଣ୍ଡିତ୍ୟକୁ ଚିହ୍ନିପାରିଥିଲେ । ଏହି କାଳରେ ବିମ୍ସ ସାହେବ ବିଭିନ୍ନ ଭାରତୀୟ ଭାଷାର ତୁଳନାତ୍ମକ ବ୍ୟାକରଣ ଉପରେ ଗୋଟିଏ ପୁସ୍ତକ ରଚନା କରୁଥିଲେ । ସେ ଫକୀରମୋହନଙ୍କଠାରୁ ଏଥିଲାଗି ଓଡ଼ିଆ ଶିକ୍ଷା କରିଥିଲେ । ଫକୀରମୋହନଙ୍କ ପାଣ୍ଡିତ୍ୟରେ ପ୍ରଭାବିତ ବିମ୍ସ ସାହେବ ତାଙ୍କୁ ନୀଳଗିରିର ଦିୱାନ ପଦ ଗ୍ରହଣ କରିବା ଲାଗି ଆଗ୍ରହ କଲେ । ଫକୀରମୋହନ ମଧ୍ୟ ଏହି ପ୍ରସ୍ତାବ ଗ୍ରହଣ କଲେ । ତାଙ୍କର ମାସିକ ଦରମା ରହିଲା ୧୦୦୦ ଟଙ୍କା । ଏହା ପରେ ସେ ଓଡ଼ିଶାର ବିଭିନ୍ନ ସ୍ଥାନମାନଙ୍କରେ ଦିୱାନ ଦାୟିତ୍ୱ ତୁଲାଇଥିଲେ । ୧୮୭୧ ରୁ ୧୮୭୫ ଯାଏଁ ନୀଳଗିରିରେ, ୧୮୭୬-୭୭ ଯାଏଁ ଡମପଡାରେ, ୧୮୭୭-୮୩ ଯାଏଁ ଢେଙ୍କାନାଳରେ, ୧୮୮୪-୮୬ ଯାଏଁ ଦଶପଲ୍ଲାରେ, ୧୮୮୬-୮୭ ଯାଏଁ ପାଲଲହଡ଼ାରେ, ୧୮୮୭-୯୨ ଯାଏଁ କେଉଁଝରରେ ଓ ୧୮୮୪-୮୬ ଯାଏଁ ପୁନର୍ବାର ଡମପଡାରେ ସେ ଏହି ଦାୟିତ୍ୱ ତୁଲାଇଥିଲେ । [୩]

୧୮୯୬ ରୁ ୧୯୦୫ ଯାଏଁ ସେ କଟକରେ ଅବସ୍ଥାନ କରିଥିଲେ ଓ ବିଭିନ୍ନ ସାହିତ୍ୟିକ ଅନୁଷ୍ଠାନମାନଙ୍କରେ ଅଂଶଗ୍ରହଣ କରିଥିଲେ । ଏତଦ୍ପରେ ସେ ମୃତ୍ୟୁ ପର୍ଯ୍ୟନ୍ତ ବାଲେଶ୍ୱରରେ ଅବସ୍ଥାନ କରିଥିଲେ ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଫକୀରମୋହନ ୧୮୫୬ ରେ ବିବାହ କରିଥିଲେ । ତେବେ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ସେ ୧୮୭୧ରେ ପୁନର୍ବାର ବିବାହ କରିଥିଲେ । ତାଙ୍କର ପ୍ରଥମ ପୁତ୍ରର ୧୮୭୭ରେ ଛ’ ବର୍ଷ ବୟସରେ ଅକାଳ ମୃତ୍ୟୁ ଘଟିଲା । ୧୮୮୧ରେ ତାଙ୍କର ଦ୍ଵିତୀୟ ସ୍ତ୍ରୀଙ୍କ ଔରସରୁ ଦ୍ୱିତୀୟ ପୁତ୍ର ଜନ୍ମଗ୍ରହଣ କରିଥିଲା । ତାଙ୍କର ଦ୍ୱିତୀୟ ସ୍ତ୍ରୀ ମଧ୍ୟ ୧୮୯୪ରେ ହ‌ଇଜାରେ ପରଲୋକଗାମୀ ହୋ‍ଇଥିଲେ । ପରବର୍ତ୍ତୀ କାଳରେ ନିଜ ପୁତ୍ର ସହ ମଧ୍ୟ ତାଙ୍କର ମନାନ୍ତର ଘଟିଥିଲା । ଏହିପରି ତାଙ୍କର ପାରିବାରିକ ଜୀବନ ନିତାନ୍ତ କଷ୍ଟଦାୟକ ଓ ଦୁର୍ଘଟଣାପୂର୍ଣ୍ଣ ଥିଲା ।

ସାହିତ୍ୟ ସର୍ଜନା[ସମ୍ପାଦନା]

ଉପନ୍ୟାସ[ସମ୍ପାଦନା]

ସାହିତ୍ୟର ବିଭିନ୍ନ ବିଭାଗ ଯଥା ଅନୁବାଦ ସାହିତ୍ୟ (ସଂସ୍କୃତରୁ), କାବ୍ୟ-କବିତା ଇତ୍ୟାଦିରେ ସେ ସାହିତ୍ୟ ସୃଜନ କରିଥିଲେ ହେଁ ସେ ମୁଖ୍ୟତଃ ଓଡ଼ିଆ ଉପନ୍ୟାସ ସାହିତ୍ୟର ସୃଷ୍ଟିକର୍ତ୍ତା ରୂପେ ସୁପରିଚିତ । ୧୮୯୭ ରୁ ୧୯୧୫ ମଧ୍ୟରେ ରଚିତ ତାଙ୍କର ଚାରୋଟି ଉପନ୍ୟାସ - ’ଛ’ ମାଣ ଆଠ ଗୁଣ୍ଠ’, ’ମାମୁଁ’, ’ପ୍ରାୟଶ୍ଚିତ’ ଓ ’ଲଛମା’ ତତ୍କାଳୀନ ଅଷ୍ଟାଦଶ ଓ ଊନବିଂଶ ଶତାବ୍ଦୀର ଓଡ଼ିଶାର ସାମାଜିକ ଅବସ୍ଥାର ନିଚ୍ଛକ ଦର୍ପଣ । ଛ’ ମାଣ ଆଠ ଗୁଣ୍ଠ ଉପନ୍ୟାସରେ ଜମିଦାରମାନଙ୍କ ଦେଇ ଗରିବ ଚାଷୀମାନଙ୍କର ଶୋଷଣର କାହାଣୀ ବର୍ଣ୍ଣିତ ହୋ‍ଇଛି । ଓଡ଼ିଆର ପ୍ରଥମ ଆତ୍ମଜୀବନୀର ମଧ୍ୟ ସେ ଥିଲେ ରଚୟିତା । ଏହାର ନାମ ଥିଲା ’ଆତ୍ମ ଜୀବନ ଚରିତ’ ।

କ୍ଷୁଦ୍ରଗଳ୍ପ[ସମ୍ପାଦନା]

୧୮୬୦ରେ ଫକୀରମୋହନଙ୍କ ରଚିତ କ୍ଷୁଦ୍ରଗଳ୍ପ ’ଲଛମନିଆ’, ତାଙ୍କରି ଦ୍ୱାରା ସମ୍ପାଦିତ ଓ ବାଲେଶ୍ୱରରୁ ପ୍ରକାଶିତ ବୋଧଦାୟିନୀ ପତ୍ରିକାରେ ପ୍ରକାଶିତ ହୋ‍ଇଥିଲା । ତେବେ ଦୁର୍ଭାଗ୍ୟବଶତଃ ତାଙ୍କର ଆତ୍ମଜୀବନୀରେ ଏହା ବିଷୟରେ ସାମନ୍ୟ ଟିକିଏ ବର୍ଣ୍ଣନା ବ୍ୟତୀତ ଏହି ଗଳ୍ପର ସ୍ରୋତ ସମ୍ୱନ୍ଧରେ ଅନ୍ୟ କୌଣସି ଖିଅ ମିଳେନାହିଁ, ନଚେତ୍ ସମଗ୍ର ଭାରତବର୍ଷରେ ଏହି ସାହିତ୍ୟିକ ବିଭାଗର ସ୍ରଷ୍ଟା ରୂପେ ସେ ବିବେଚିତ ହୋ‍ଇଥା’ନ୍ତେ । ୧୮୯୮ ରେ ତାଙ୍କ ରଚିତ ’ରେବତୀ’ ପ୍ରଥମ ଓଡ଼ିଆ ଗଳ୍ପର ମାନ୍ୟତା ପାଏ । ’ରେବତୀ’ ଗଳ୍ପଟିରେ ଗୋଟିଏ ଛୋଟ ଝିଅର ପାଠ ପଢିବାର ଉତ୍ସାହ ଓ ଏଥିରେ ତା’ର ଅନ୍ତରାୟ ସାଜୁଥିବା ପାରମ୍ପରିକ ଅନ୍ଧବିଶ୍ୱାସପୂର୍ଣ୍ଣ ଗ୍ରାମୀଣ ସମାଜର ଚିତ୍ରଣ କରାଯାଇଛି । ପରେ ଯେବେ ଗାଁରେ ମହାମାରୀ ବ୍ୟାପିଛି ଏଥିପାଇଁ ତା’ର ଅଧ୍ୟୟନକୁ ଦାୟୀ କରାଯାଇଛି । ଫକୀରମୋହନଙ୍କ ଅନ୍ୟାନ୍ୟ କ୍ଷୁଦ୍ରଗଳ୍ପଗୁଡ଼ିକ ହେଉଛି ’ପେଟେଣ୍ଟ ମେଡ଼ିସିନ’, ’ଡ଼ାକମୁନସି’, ’ଅଧର୍ମ ବିତ୍ତ’, ’ରାଣ୍ଡି ପୁଅ ଅନନ୍ତା’; 'ସଭ୍ଯ ଜମିଦାର ' ଇତ୍ୟାଦି ।

କବିତା[ସମ୍ପାଦନା]

ଫକୀରମୋହନଙ୍କ ପ୍ରଥମ କବିତା ସଙ୍କଳନ ’ଉତ୍କଳ ଭ୍ରମଣ’ ପ୍ରକାଶ ପାଏ ୧୮୯୨ରେ । ତାଙ୍କର ଅନ୍ୟାନ୍ୟ ପଦ୍ୟ କୃତିମାନଙ୍କ ମଧ୍ୟରେ ’ପୁଷ୍ପମାଳା’, ’ଉପହାର’, ’ପୂଜା ଫୁଲ’, ’ପ୍ରାର୍ଥନା’ ଓ ’ଧୂଳି’ ପ୍ରଧାନ । ନିଜସ୍ୱ କୃତି ବ୍ୟତୀତ ସେ ମଧ୍ୟ ସଂସ୍କୃତ ’ମହାଭାରତ’ ଓ ’ରାମାୟଣ’ କୁ ଓଡ଼ିଆରେ ଅନୁବାଦ କରିଥିଲେ । ଏ ଦୁଇଟିଯାକ ଆକ୍ଷରିକ ଅନୁବାଦ ନୁହେଁ ବରଂ ଭାବାନୁବାଦ । ତାଙ୍କର ପ୍ରଥମ ସ୍ତ୍ରୀ ରୋଗଶଯ୍ୟାରେ ଥିବାବେଳେ ରାମାୟଣ ଓ ମହାଭାରତକୁ ଓଡ଼ିଆରେ ଶୁଣିବାକୁ ଇଚ୍ଛା କରିବାରୁ ସେ ଏହି ଅନୁବାଦ ଦ୍ୱୟ କରିଥିଲେ । ତେବେ ତାଙ୍କର ଏହି ରଚନା ଦ୍ୱୟ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଥିବାରୁ ତାଙ୍କର ଏହି ମହତ ପ୍ରଚେଷ୍ଟା ଲାଗି ତାଙ୍କୁ ବ୍ୟାସକବିର ଆଖ୍ୟା ଦିଆଯା‍ଇଛି । ତତ୍କାଳୀନ ବାମରାର ରାଜାଙ୍କ ଦ୍ୱାରା ସେ ମଧ୍ୟ "ସରସ୍ୱତୀ" ଉପାଧିରେ ଭୂଷିତ ହୋ‍ଇଥିଲେ ।

ପତ୍ରପତ୍ରିକା ଓ ସଙ୍ଗଠନ[ସମ୍ପାଦନା]

୧୮୬୮ରେ ନିଜସ୍ୱ ପ୍ରଚେଷ୍ଟା ବଳରେ ସେ ବାଲେଶ୍ୱରରେ ’ଉତ୍କଳ ପ୍ରେସ’ ନାମରେ ଏକ ଛାପାଖାନା ପ୍ରତିଷ୍ଠା କଲେ, ଯାହା ହେଉଛି ଓଡ଼ିଶାର ଦ୍ୱିତୀୟ ଛାପାଖାନା । ଏହିଠାରୁ ସେ ଓଡ଼ିଆରେ ବିଭିନ୍ନ ପତ୍ରିକା ଓ ସମ୍ବାଦପତ୍ରମାନ ସମ୍ପାଦନା ଓ ପ୍ରକାଶନ କଲେ । ଏଥିମଧ୍ୟରୁ "ବୋଧଦାୟିନୀ", "ନବସମ୍ବାଦ" ଓ "ସମ୍ବାଦ ବାହିକା" ଆଦି ପ୍ରଧାନ । ପ୍ରଥମାବସ୍ଥାରେ ସେ ପ୍ରକାଶକ, ଲେଖକ, ସମ୍ପାଦକ, ମୁଦ୍ରଣକାରୀ, ବଣ୍ଟନ‌କାରୀ ଏବଂ ମାଲିକ ଥିଲେ । ପରବର୍ତ୍ତୀ ସମୟରେ ସେ ରାଧାନାଥ ରାୟ ଏବଂ ମଧୁସୂଦନ ରାଓଙ୍କୁ ନିଜର ସ‌ହକର୍ମୀ ଭାବରରେ ନେଇଥିଲେ ଏବଂ ସେମାନେ ବୋଧଦାୟିନୀ ପାଇଁ ଗଳ୍ପ ଲେଖୁଥିଲେ ।[୧]

ଓଡ଼ିଆ ଭାଷାର ଉନ୍ନତି ଓ ପ୍ରଚାର ନିମନ୍ତେ ସେ ୧୮୬୭ରେ "ଉତ୍କଳ ଭାଷା ଉନ୍ନତି ବିଧାନି ସଭା" ନାମକ ଏକ ସଙ୍ଗଠନ ଗଢ଼ିଥିଲେ । ’ଉତ୍କଳ ସାହିତ୍ୟ ସମାଜର’ ୧୯୧୨ ଓ ୧୯୧୭ର ବାର୍ଷିକ ସଭାରେ ସେ ସଭାପତି ଦାୟିତ୍ୱ ତୁଲାଇଥିଲେ । [୨] ୧୯୧୫ ମସିହାରେ ଫକୀରମୋହନ ସତ୍ୟବାଦୀ ବିଦ୍ୟାଳୟକୁ ପରିଭ୍ରମଣରେ ଯାଇଥିଲେ ଏବଂ ସେଠାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର କାର୍ଯ୍ୟ ଦେଖି ଅତ୍ୟନ୍ତ ଖୁସି ହୋଇଥିଲେ ।

ଆଧାର[ସମ୍ପାଦନା]