ଭଗବତୀ ଚରଣ ପାଣିଗ୍ରାହୀ
ଭଗବତୀ ଚରଣ ପାଣିଗ୍ରାହୀ | |
---|---|
![]() ଭଗବତୀ ଚରଣ ପାଣିଗ୍ରାହୀ | |
ଜନ୍ମ |
| ୧ ଫେବୃଆରୀ ୧୯୦୮
ମୃତ୍ୟୁ | ୨୩ ଅକ୍ଟୋବର ୧୯୪୩ | (ବୟସ ୩୫)
ନାଗରିକତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର (ଅର୍ଥନୀତି),ଆଇନ |
ପୁରାତନ ଛାତ୍ର | ପୁରୀ ଜିଲ୍ଲ୍ଲା ସ୍କୁଲ, ସତ୍ୟବାଦୀ ବନ ବିଦ୍ୟାଳୟ, ରେଭେନ୍ସା ମହାବିଦ୍ୟାଳୟ, ପାଟଣା ବିଶ୍ୱ ବିଦ୍ୟାଳୟ |
ବୃତ୍ତି(s) | ଲେଖକ,ଜନନାୟକ |
Years active | ୧୯୩୦-୧୯୪୩ |
Organization | ନବଯୁଗ ମଣ୍ଡଳ |
Notable work | ଶିକାର, ହାତୁଡି଼ ଓ ଦା |
Parent | ସ୍ୱପ୍ନେଶ୍ୱର ପାଣିଗ୍ରାହୀ |
ସମ୍ପର୍କୀୟ | ଦିବ୍ୟସିଂହ ପାଣିଗ୍ରାହୀ, କାଳିନ୍ଦୀ ଚରଣ ପାଣିଗ୍ରାହୀ(ଭାଇ) ନନ୍ଦିନୀ ଶତପଥୀ(ଝିଆରୀ)[୧] |
ଭଗବତୀ ଚରଣ ପାଣିଗ୍ରାହୀ (୧ ଫେବୃଆରୀ ୧୯୦୮- ୨୩ ଅକ୍ଟୋବର, ୧୯୪୩[୨]) ପୁରୀ ଜିଲ୍ଲାର ବିଶ୍ୱନାଥପୁରଠାରେ ଜନ୍ମିତ ପ୍ରଗତିଯୁଗର ଜଣେ ଲେଖକ ଥିଲେ ।
ଜନ୍ମ ଓ ଶିକ୍ଷା[ସମ୍ପାଦନା]
ଭଗବତୀ ଚରଣ ୧୯୦୮ ମସିହା ଫେବୃଆରୀ ୧ ତାରିଖରେ ଅଭିଭକ୍ତ ପୁରୀ ଜିଲ୍ଲାର ବାଲିପାଟଣା ଥାନା ଅନ୍ତର୍ଗତ ବିଶ୍ୱନାଥପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତା ସ୍ୱପ୍ନେଶ୍ୱର ପାଣିଗ୍ରାହୀଙ୍କ ୩ ପୁତ୍ର ଓ ୨ କନ୍ୟାଙ୍କ ମଧ୍ୟରୁ ସେ ଥିଲେ କନିଷ୍ଠ ପୁତ୍ର ।[୩] ଦିବ୍ୟସିଂହ ପାଣିଗ୍ରାହୀ ଓ କାଳିନ୍ଦୀ ଚରଣ ପାଣିଗ୍ରାହୀ(ଔପନ୍ୟାସିକ) ତାଙ୍କର ଅନ୍ୟ ଦୁଇ ଭାଇ ଥିଲେ । ଭଗବତୀ ଚରଣ ନିଜର ପ୍ରାଥମିକ ଶିକ୍ଷା ପୁରୀ ଜିଲ୍ଲା ସ୍କୁଲ ଓ ସତ୍ୟବାଦୀ ବନ ବିଦ୍ୟାଳୟରୁ ସମାପ୍ତ କରି, ରେଭେନ୍ସା ମହାବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକ ଓ ପାଟଣା ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ । ପରବର୍ତ୍ତୀ ସମୟରେ ରେଭେନ୍ସା ମହାବିଦ୍ୟାଳୟରୁ ଆଇନ ଶିକ୍ଷା ମଧ୍ୟ ଲାଭକରିଥିଲେ । ପାଟଣା ବିଶ୍ୱବିଦ୍ୟାଳୟରେ ପାଠ ପଢ଼ା ସମୟରେ, ସେ ଅଧ୍ୟାପକ ଜ୍ଞାନଚାନ୍ଦଙ୍କଦ୍ୱାରା ବହୁଳ ଭାବରେ ପ୍ରଭାବିତ ହୋଇଥିଲେ । ଏହି ସମୟରେ ସେ ହରବର୍ଟ ଜର୍ଜ ୱଲ୍ସ(୧୮୬୬-୧୯୪୬), ହ୍ୟାରି ସିନକ୍ଳେୟାର(୧୮୮୫-୧୯୫୧), ବର୍ନାଡ଼ଶ(୧୮୫୬-୧୯୫୦) ଆଦିଙ୍କ ଲେଖାଗୁଡିକ ପଢ଼ି ଗଭିର ଭାବରେ ଅନୁପ୍ରାଣିତ ହୋଇଥିଲେ ।
କର୍ମ ଜୀବନ[ସମ୍ପାଦନା]
ଭଗବତୀ ଚରଣ ପ୍ରାରମ୍ଭରୁ ଗାନ୍ଧୀବାଦି ଥିଲେ । ପରବର୍ତ୍ତୀ ସମୟରେ କଂଗ୍ରେସ ସୋସିଆଲିଷ୍ଟ ପାର୍ଟି ସହିତ ଜଡ଼ିତ ରହିଥିଲେ । [୪] ୧୯୩୫ ମସିହାରେ, କଲିକତାରେ ଅବସ୍ଥାନ ସମୟରେ ସେ କମ୍ୟୁନିଷ୍ଟ ପାର୍ଟିର ସଭ୍ୟ ହୋଇଥିଲେ । ୧୯୩୬ ମସିହାରେ, ସେ ପ୍ରାଣନାଥ ଓ ଗୁରୁଚରଣଙ୍କୁ ନେଇ, ଓଡ଼ିଶାରେ ଏକ କମ୍ୟୁନିଷ୍ଟ ସେଲ ଗଠନ କରିଥିଲେ । [୫] ସେ ଥିଲେ ଏହି କମ୍ୟୁନିଷ୍ଟ ଦଳର ପ୍ରଥମ ସମ୍ପାଦକ । ଏହି ଦଳ ପ୍ରତି ଛାତ୍ର, ଯୁବକ ଓ ବୁଦ୍ଧିଜୀବିମାନେ ଆକୃଷ୍ଟ ହେବା ଦେଖି ଇଂରେଜ ସରକାର ଏହା ବିରୁଦ୍ଧରେ ମକଦ୍ଦମା ଆରମ୍ଭ କରିଥିଲେ । ଏହି ମକଦ୍ଦମାରେ ନିଜେ ଭଗବତୀ ଚରଣ, ଗୁରୁଚରଣ ପଟ୍ଟନାୟକ, ଅନନ୍ତ ପଟ୍ଟନାୟକ, ଦୁର୍ଗାଚରଣ ମହାନ୍ତି, ରାମଚନ୍ଦ୍ର ମିଶ୍ର, ବୈଦ୍ୟନାଥ ରଥ, ବନମାଳୀ ଦାସ, ବିଜୟ ଚନ୍ଦ୍ର ଦାସ ଓ ଶରତ ପଟ୍ଟନାୟକ ଅଭିଯୁକ୍ତ ହୋଇଥିଲେ ।
ସାହିତ୍ୟ ସର୍ଜନା[ସମ୍ପାଦନା]
ଓଡ଼ିଆ ସାହିତ୍ୟରେ ସାମ୍ୟବାଦୀ ଚେତନାର ଅୟଆରମ୍ଭର ଶ୍ରେୟ ଭଗବତୀ ଚରଣଙ୍କୁ ଯାଏ । ସେ 'ନବଯୁଗ ସାହିତ୍ୟ ସଂସଦ' ନାମରେ ଏକ ସାଂସ୍କୃତିକ ଅନୁଷ୍ଠାନ ଗଢ଼ି ଓ ଏହି ଅନୁଷ୍ଠାନର ମୂଖପତ୍ର ରୂପେ 'ଆଧୁନିକ' ନାମକ ଏକ ମାସିକ ପତ୍ରିକା ପ୍ରକାଶ କରି ଓଡ଼ିଶାରେ ସାମ୍ୟବାଦୀ ଚିନ୍ତାଧାରାର ଏକ ନବୀନ ଲେଖକଗୋଷ୍ଠୀ ସୃଷ୍ଠି କରିଥିଲେ । [୬] ଏହି ପତ୍ରିକାର ପ୍ରଥମ ସଂଖ୍ୟାରେ, ଏହାର ଆଭିମୁଖ୍ୟ ଜଣାଇବାକୁ ଭଗବତୀ ଲେଖିଥିଲେ ଯେ "ଆରାମ ଚୌକିରେ ବସି ପଢ଼ିବା ଯୋଗ୍ୟ ସୂକ୍ଷ୍ମ ସୌଖୀନ ସାହିତ୍ୟ ପାଇଁ ଏଥିରେ ସ୍ଥାନ ନାହିଁ ।" ଭଗବତୀ ଚରଣ, ନିଜ ସ୍ୱଳ୍ପ ଜୀବନକାଳ ମଧ୍ୟରେ, ଅନେକ କ୍ଷୁଦ୍ର ଗଳ୍ପ ରଚନା କରିଯାଇଛନ୍ତି । 'ଶିକାର'[୭] ଗଳ୍ପଟିକୁ ତାଙ୍କର ଅନ୍ୟତମ ଶ୍ରେଷ୍ଠ ରଚନା ଭାବରେ ବିବେଚନା କରାଯାଏ । ଏହି ଗପଟିର ମୁଖ୍ୟ ଚରିତ୍ର, ନିରିହ କୃଷକ ଘିନୁଆ, ଅତ୍ୟାଚାରି ଜମିଦାରର ମୁଣ୍ଡ କାଟି ତାର ସବୁ ନିର୍ଯାତନାର ପ୍ରତିଶୋଧ ନେଇଛି ଓ ପୁରସ୍କାର ଆଶାରେ ସେହି କଟା ମୁଣ୍ଡ ସହ ପୁଲିସ ନିକଟକୁ ଯାଇଛି ।[୮] ଏହି ଗଳ୍ପକୁ 'ମୃଗୟା' ନାମକ ସଫଳ ଚଳଚ୍ଚିତ୍ରରେ ରୂପାୟିତ କରିଛନ୍ତି, ବିଖ୍ୟାତ ନିର୍ଦ୍ଦେଶକ ମୃଣାଳ ସେନ ।[୯] ଶିକାର ପ୍ରଭୃତି ୧୨ଟି ଗଳ୍ପକୁ ନେଇ 'ଭଗବତୀ ଚରଣ ଗଳ୍ପମାଳା' ନାମରେ ଏକ ଗଳ୍ପ ସଂକଳନ ମଧ୍ୟ ପ୍ରକାଶ ପାଇଛି । [୧୦][୧୧]
ସାହିତ୍ୟ କୃତି[ସମ୍ପାଦନା]
- ଶିକାର
- ହାତୁଡି଼ ଓ ଦା
- ସ୍ୱୀକାରୋକ୍ତି ଜଙ୍ଗଲି
- ବଞ୍ଚିତା
- ଜୀବନର ସମାଧୀ
- ଝଡ଼
- ମୃତ୍ୟୁର ବିବେଚନା
- ମୀମାଂସା
- ଆରମ୍ଭ ଓ ଶେଷ[୧୨]
୧୯୪୩ ମସିହାରେ, ୩୪ ବର୍ଷ ବୟସରେ ଭଗବତୀଙ୍କର ତିରୋଧାନ ଘଟିଥିଲା ।[୧୩]
ଆଧାର[ସମ୍ପାଦନା]
- ↑ http://snsmt.org/Smt.htm
- ↑ "History of CPI(M) Odisha". cpimodisha.org. Retrieved 1 February 2017.
- ↑ ଧରିତ୍ରୀ ଇ-ପେପର. "ନବଯୁଗର ବାର୍ତ୍ତାବହ ଭଗବତୀ". Retrieved 1 February 2014.
- ↑ http://www.mainstreamweekly.net/article1443.html
- ↑ http://books.google.co.in/books?id=uJtnQN3KueEC&pg=PA89&lpg=PA89&dq=bhagabati+charan+panigrahi&source=bl&ots=SExKTxaTGf&sig=NgKj8MNvN9MAIwmkJHsk5JoQL5w&hl=en&sa=X&ei=G8mKUO2NHYX5rQfJxYCwBQ&ved=0CE4Q6AEwCw#v=onepage&q=bhagabati%20charan%20panigrahi&f=false
- ↑ ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ, ପୃଷ୍ଠା:୨୫୦
- ↑ http://www.odiasahitya.com/smaraniyalekha/shikara/
- ↑ http://www.hindu.com/2009/11/26/stories/2009112651200300.htm
- ↑ http://mrinalsen.org/mrigaya.htm
- ↑ http://www.telegraphindia.com/1080321/jsp/nation/story_9041823.jsp
- ↑ http://www.academia.edu/1792601/Social_Injustice_and_Suffering
- ↑ ଧରିତ୍ରୀ ୦୧/୦୨/୨୦୧୪ ପୃଷ୍ଠା ୬ରେ ବିଭୁପ୍ରସାଦ ମହାପାତ୍ରଙ୍କ ଲେଖା 'ନବଯୁଗର ବାର୍ତ୍ତାବହ ଭଗବତୀ'
- ↑ "ଓଡ଼ିଶାର ଲେନିନ୍". ସମ୍ବାଦ ୦୧/୦୨/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. Retrieved 1 February 2016.