ସାରଳା ଦାସ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଶୂଦ୍ରମୁନି
ସାରଳା ଦାସ
ଜନ୍ମ ଓ ଜନ୍ମସ୍ଥାନ ସିଦ୍ଧେଶ୍ଵର ପରିଡ଼ା
୧୫ଶ ଶତାବ୍ଦୀ
ତେନ୍ତୁଳିପଦା, ଜଗତସିଂହପୁର
ତିରୋଧାନ ମାଘ ଶୁକ୍ଳ ସପ୍ତମୀ
ଜୀବିକା ପୌରାଣିକ କବି
ଜଣାଶୁଣା କାମସବୁ ଓଡ଼ିଆ ମହାଭାରତ

ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ କବି ଥିଲେ । ୧୫ଶ ଶତାବ୍ଦୀରେ ସେ ଥିଲେ ପ୍ରଥମ ଓଡ଼ିଆ ଯେ ଓଡ଼ିଆ ଭାଷାରେ ସାହିତ୍ୟ ରଚନା କରିଥିଲେ । ସେ ଆଦିକବି ଭାବେ ମଧ୍ୟ ପରିଚିତ । ସେ ପୁରୀ ଜଗନ୍ନାଥଙ୍କ ଦେଉଳ ବେଢା ମଧ୍ୟସ୍ଥ କଳ୍ପବଟ ମୂଳେ ବସି ତାଙ୍କ ମହାଭାରତ ରଚନା କରିଥିଲେ । ପୁରୀ ମୁକ୍ତିମଣ୍ଡପର ପଣ୍ଡିତମାନେ ସନ୍ତୁଷ୍ଟ ହୋଇ ତାଙ୍କୁ 'ଶୂଦ୍ରମୁନି' ଉପାଧି ଦେଇଥିଲେ ।[୧]

ସେ ଏକ ଚଷା ପରିବାରରେ[୨] ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା" ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ଵର ପରିଡ଼ା", ପରେ ସେ ସାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।

ସାରଳା ଦାସ ପ୍ରଥମେ ମୂର୍ଖ ଥିଲେ; ପରେ ସାରଳା ଠାକୁରାଣୀଙ୍କଠରେ ଅଧ୍ୟା ପଡ଼ି ଠାକୁରାଣୀଙ୍କ ଠାରୁ ବର ପାଇ, ସାରଳା ଠାକୁରାଣୀଙ୍କ ମନ୍ଦିରରେ ପ୍ରତି ଦିନ ପଢ଼ା ଯାଉଥିବା ସଂସ୍କୃତ ମହାଭାରତ ଶୁଣି ଓଡ଼ିଆରେ ମହାଭାରତ ରଚନା କରିଥିଲେ କିନ୍ତୁ ମୂଳ ସଂସ୍କୃତ ମହାଭାରତ ସଙ୍ଗେ ଉକ୍ତ ମହାଭାରତ ଅବିକଳ ମେଳ ନାହିଁ । ଏ ମହାଭାରତରେ କବି ଅନେକ ମୌଳିକ କଥା ଛାଡ଼ି ଯାଇଅଛନ୍ତି ଓ କେତେକ କାଳ୍ପନିକ ଆଖ୍ୟାନ ମଧ୍ୟ ଯୋଗ କରିଅଛନ୍ତି । ସାରଳା ଦାସ ମୂଳ ମହାଭାରତର ଭାବ ସମାନ ରଖିଥିଲେ ହେଁ ନିଜ ଜାଣତରୁ ଏଥିରେ ଅନେକ ପୌରାଣିକ ଘଟଣା ଓ କାହାଣୀମାନ ମିଶାଇ ଏହାକୁ ଅତି ସମୃଦ୍ଧ ଓ ମୌଳିକ କରି ଲେଖିଥିଲେ ।[୩]

ତତ୍କାଳୀନ ରାଜା 'କପିଳେନ୍ଦ୍ର ଦେବ'[୪] ତାଙ୍କ କବିତ୍ଵରେ ସନ୍ତୁଷ୍ଟ ହୋଇ ତାଙ୍କୁ 'ପରିଡ଼ା' ଉପାଧି ଦେଇଥିଲେ ତାଙ୍କୁ ବଂଶଧର ମାନେ ସେହି 'ପରିଡ଼ା' ଉପାଧିକୁ 'ପରିଜା' ବୋଲି ଏବେ ବ୍ୟବହାର କରୁଅଛନ୍ତି । ତାଙ୍କ ନାମ ଅନୁସାରେ ଝଙ୍କଡ଼ର ଉତ୍ତର-ପଶ୍ଚିମରେ 'ସାରଳା' ନାମରେ ଗୋଟିଏ ଗ୍ରାମ ବସିଥିଲା, ସେ ଗ୍ରାମକୁ ବର୍ତ୍ତମାନ 'ବଡ଼ ସାରୋଳ' ବୋଲାଯାଏ ।

ମହାଭାରତ ଲେଖି ସାରି ସେ ବୁଢ଼ାନଦୀ କୂଳରେ ଗୋଟିଏ ମଠ ସ୍ଥାପନ କରି ସେହିଠାରେ ଶେଷ ଜୀବନ କଟାଇଲେ । ତାଙ୍କୁ ଲୋକେ 'ମୁନିଗୋସାଇଁ' ବୋଲି ଡାକୁଥିଲେ ଓ ଏବେ ମଧ୍ୟ ସେହି ଆଶ୍ରମକୁ ସ୍ଥାନୀୟ ଲୋକେ ମୁନି ଗୋସାଈଁ ମଠ କହନ୍ତି ମାଘ ଶୁକ୍ଳ ସପ୍ତମୀ ଦିନ ସେ ମୃତ୍ୟୁଲାଭ କରିଥିଲେ ।

ସାହିତ୍ୟ ସର୍ଜନା[ସମ୍ପାଦନା]

ଆଦିକବି ଶାରଳା ଦାସ ନିଜ ଗ୍ରନ୍ଥ ମାନଙ୍କରେ ନିଜକୁ ମୁର୍ଖ, ଅଜ୍ଞାନ ତଥା କେବଳ ମା ଶାରଳାଙ୍କ ଆଶୀର୍ବାଦ ଯୋଗୁ କାବ୍ୟ ଲେଖିଛନ୍ତି ବୋଲି ବର୍ଣ୍ଣନା କରିଛନ୍ତି । ସେ ସାଧାରଣ ଲୋକମାନେ ବୁଝିବା ଭଳି ଭାବ ଭାଷାରେ ସେ ଓଡିଆରେ କେଖୁଥିଲେ । ତାଙ୍କର ପ୍ରମୁଖ ଗ୍ରନ୍ଥଗୁଡ଼ିକ ମଧ୍ୟରେ "ବିଲଙ୍କା ରାମାୟଣ", "ମହାଭାରତ", "ଚଣ୍ଡି ପୁରାଣ" ଏବଂ "ଲକ୍ଷ୍ମୀନାରାୟଣ ବଚନିକା ନାମକ ଏକ କ୍ଷୁଦ୍ର ଗ୍ରନ୍ଥ ରଚନା ଅନ୍ତର୍ଭୁକ୍ତ । ଆଉରି ଅନେକ ଗ୍ରନ୍ଥ ଶାରଳାଙ୍କ ଦ୍ଵାରା ରଚିତ ବୋଲି ଲେଖାଥିଲେ ମଧ୍ୟ ତାହା ପ୍ରକୃତରେ ଆଦିକବିଙ୍କ ଦ୍ଵାରା ଲେଖା ଯାଇଛି କି ନାହିଁ ପ୍ରମାଣ ହୋଇପାରି ନାହିଁ.

ବିଲଙ୍କା ରାମାୟଣ[ସମ୍ପାଦନା]

ରାବଣକୁ ବଧକରି ପ୍ରଭୁ ରାମଚନ୍ଦ୍ର ପତ୍ନୀ ସୀତା ଓ ଭାଇ ଲକ୍ଷ୍ମଣଙ୍କ ସହ ଅଯୋଧ୍ୟା ଫେରି ଆସିଥାନ୍ତି । ରାମଙ୍କର ରାଜ୍ୟାଭିଷେକର ଆୟୋଜନରେ ସାରା ଅଯୋଧ୍ୟା ଉତ୍ସଵ ମୁଖର ହୋଇ ଉଠିଥାଏ । କିନ୍ତୁ ବିଧିର ବିଚିତ୍ର ବିଧାନ! ଅଭିଷେକ ହୋଇଗଲେ ରାମଚନ୍ଦ୍ର ରାଜକାର୍ଯ୍ୟରେ ବ୍ୟସ୍ତଯିବେ, ତେଣୁ ବିଲଙ୍କାସୁରକୁ ବଧ କରି ଦେବତାମାନଙ୍କୁ କିପରି ଉଦ୍ଧାର କରିବେ ବୋଲି ବ୍ରହ୍ମାଙ୍କୁ ଯମ ପଚାରିଛନ୍ତି । ନିଜ ଶକ୍ତିର ପ୍ରମାଣ ଦେବାକୁ ରାମ ଏକାକୀ ବିଲଙ୍କାସୁରକୁ ବଧ କରିବାକୁ ଯାଇଛନ୍ତି, ହେଲେ ସେଥିରେ ସଫଳ ହୋଇ ପାରି ନାହାନ୍ତି । ପରେ ହନୁମାନ ରାମଙ୍କ ସାହାଯ୍ୟ ସତ୍ତ୍ଵେ ମଧ୍ୟ ବଧ କରି ପାରି ନାହାନ୍ତି । ସେପଟେ କିପରି ରାମଙ୍କର ମୃତ୍ୟୁ ହେବ ବୋଲି ବିଲଙ୍କାସୁର ଗ୍ରାମଦେଵତୀଙ୍କୁ ପୂଜା ଓ ଯଜ୍ଞ କରିଛି । ମାତ୍ର ହନୁମାନ ଓ ରାମଚନ୍ଦ୍ର ତାଙ୍କ ଯଜ୍ଞ ସମ୍ପୂର୍ଣ୍ଣ କରାଇ ଦେଇ ନାହାନ୍ତି । ବିଲଙ୍କାସୁରକୁ ଵଧ କରିବାକୁ ସୀତାଙ୍କର ଆବଶ୍ୟକତା ଅଛି ବୋଲି ଦେଵତାମାନେ କହିବାରୁ ହନୁମାନ ଯାଇ ସୀତା ଓ ଲକ୍ଷ୍ମଣଙ୍କୁ ବିଲଙ୍କା ଆଣିଛନ୍ତି । ରାମ, ଲକ୍ଷ୍ମଣ, ହନୁମାନ ମିଳିତଭାବରେ ଯୁଦ୍ଧ କରି ବିଲଙ୍କାସୁରକୁ ମାରି ପାରି ନାହାନ୍ତି । ଶେଷରେ ଦେବଗଣ ସୀତାଙ୍କୁ ପ୍ରାର୍ଥନା କରି ରାକ୍ଷସକୁ ବଧ କରିବାକୁ ନିବେଦନ କରିବାରୁ ସୀତା ଚିତ୍ରସେନ ରଥରେ ବସି ଯୁଦ୍ଧଭୁମିକୁ ଆସିଛନ୍ତି । ଯୁଦ୍ଧକରି ଶେଷରେ ବିବସ୍ତ୍ର ହେବାରୁ ବିଲଙ୍କାସୁର ସୀତାଙ୍କୁ ହରଣ କରି ନେବାକୁ ସ୍ଥିର କରିଥିବା ବେଳେ ରାମ, ଲକ୍ଷ୍ମଣଙ୍କ ମିଳିତ ଅସ୍ତ୍ରରେ ରାକ୍ଷସର ମୃତ୍ୟୁହୋଇଛି । ପରେ ରାମଙ୍କ ରାଜ୍ୟ ଅଭିଷେକ ଉତ୍ସଵ ମହାସମାରୋହରେ ପାଳିତ ହୋଇଛି ।

ମହାଭାରତ[ସମ୍ପାଦନା]

ବ୍ୟାସଦେବଙ୍କ ଲିଖିତ ସଂସ୍କୃତ ମହାଭାରତର କଥାବସ୍ତୁକୁ ନେଇ ଆଦିକଵି ସାରଳା ଦାସ ଓଡିଆରେ ମହାଭାରତ ଲେଖିଛନ୍ତି. ସଂସ୍କୃତରୁ ସିଧା ସିଧା ଅନୁବାଦ ନ କରି କଵି ତାଙ୍କର ଦୃଷ୍ଟିଭଙ୍ଗୀ ଓ ମୌଳିକ ଵିଚାରବୋଧର ପ୍ରକାଶ କରିଛନ୍ତି. ଓଡିଆ ଘରର ଚାଲିଚଳଣୀ, ରୀତିନୀତି, ଖାଦ୍ୟପେୟ,ଵେଶଭୁଷା, ପୁଣ୍ୟପର୍ବ, ଯାନିଯାତ୍ରା, କଥାବାର୍ତ୍ତା ସବୁକିଛି ତାଙ୍କ ମହାଭାରତରେ ଫୁଟି ଉଠିଛି. କେତେକ ସ୍ଥାନରେ ସେ ମୂଳ ସଂସ୍କୃତ ମହାଭାରତର ଘଟଣାକୁ ସଂକ୍ଷିପ୍ତ କରିଛନ୍ତି ତ କେଉଠି ଛୋଟ ଘଟଣାକୁ ବଡ କରି ବର୍ଣନା କରିଛନ୍ତି. ସେହିପରି ମୂଳ ମହାଭାରତର କେତେକ ଘଟଣାକୁ ସେ ସମ୍ପୁର୍ଣ ଛାଡ଼ି ଦେବାବେଳେ କିଛି ଘଟଣା ସେ ନିଜ ମନରୁ ଵର୍ଣନା କରିଛନ୍ତି । ମହାଭାରତରେ ସେ ୧୮ଟି ପର୍ବର ବର୍ଣ୍ଣନା କରିଛନ୍ତି ।

  1. ଆଦିପର୍ବ
  2. ସଭାପର୍ବ
  3. ବନପର୍ବ
  4. ବିରାଟ ପର୍ବ
  5. ଉଦୟ ପର୍ବ
  6. ଭୀଷ୍ମ ପର୍ବ
  7. ଦ୍ରୋଣ ପର୍ବ
  8. କନ୍ନ ପର୍ବ
  9. ଲୟ ପର୍ବ`
  10. ଶୁର୍ତ୍ତିକା ପର୍ବ
  11. ସ୍ତ୍ରୀ ପର୍ବ
  12. ଶାନ୍ତି ପର୍ବ
  13. ଅନୁଶାସନିକ ପର୍ବ
  14. ଆଶ୍ରମବାସିକା ପ୍ରବ
  15. ମହାପ୍ରସ୍ଥାନିକ ପର୍ବ
  16. ଅଶ୍ଵମେଧ ପର୍ବ
  17. ମୌସଳ ପର୍ବ
  18. ସ୍ଵର୍ଗାରୋହଣ ପର୍ବ

କବି ଶାହାଡ଼ାଗଛର ମାହାତ୍ମ୍ୟ, ଶାନ୍ତନୁଙ୍କ ସହ ଗଙ୍ଗାଙ୍କ ବିବାହ, ସିନ୍ଧିଚୋର କଥା, ସତ୍ୟ ଆମ୍ବ କଥା, ବାବନାଭୁତ କଥା, ଗାନ୍ଧାରିଙ୍କ ସନ୍ତାନଲାଭ କଥା, ଧୃତରାଷ୍ଟ୍ରଙ୍କ ଶହେ ପୁଅଙ୍କ ନାମକରଣ, ଅଳସୁଆ କାହାଣୀ, ସିଂହ-ଶୃଗାଳ କଥା, ସିଂହ-ମଶା କଥା, ତୁଳସୀବଣ ବାଘ ଓ ତୁଳାମୁହାଁଙ୍କ ଗଳ୍ପ, କଳି ଅବତରଣ ପ୍ରସଙ୍ଗ ଓ ସୁହାଣୀ କନ୍ୟା ସହ ଯୁଧିଷ୍ଠିରଙ୍କ ବିବାହ କଥା - ଏମିତି କେତେସବୁ ଗପ ନିଜ ମନରୁ ସୃଷ୍ଟି କରିଛନ୍ତି ।

ଶାହଡ଼ାଗଛର ମାହାତ୍ମ୍ୟ[ସମ୍ପାଦନା]

ଥରେ ଭଗବାନ ମହାଦେବ ବୃଷଭ ପିଠିରେ ବସି ବୁଲି ଯାଉଥିଲେ । ବାଟରେ ଯାଉ ଯାଉ ଗୋଟିଏ ଶାହଡା ଗଛ ଦେଖି ବୃଷଭ ଖୁସିହେଲା, ଗଛ ନିକଟକୁ ଯାଇ ପତ୍ରଟିଏ ଆଣି ନିଜ ମୁଣ୍ଡରେ ରଖିଲା । ମହାଦେବ ଏହାର ରହସ୍ୟ କଣ ପଚାରିବାରୁ ବୃଷଭ ଉତ୍ତରଦେଲା "ଶାହାଡ଼ା ଗଛର ପତ୍ରକୁ ମୁଣ୍ଡରେ ରଖିଲେ ସେଦିନ ଅମୃତ ସଦୃଶ ଖାଦ୍ୟ ପଦାର୍ଥ ମିଳେ" । ଏକଥା ଶୁଣି ଶିବ ଆଶ୍ଚର୍ଯ୍ୟ ହେଲେ ଓ ଘଟଣାର ସତ୍ୟତା ପରୀକ୍ଷା କରିବାକୁ ସ୍ଥିର କଲେ । ବୃଷଭକୁ ନେଇ ବିଭିନ୍ନ ସ୍ଥାନ ବୁଲିବା ପରେ କ୍ଳାନ୍ତ ହୋଇ ସୁର୍ଯ଼୍ୟାସ୍ତ ସମୟକୁ ଶିବ କୈଳାସ ଫେରି ଆସିଲେ । ଏଣେ ପତିଙ୍କ ଆସିବାରେ ବିଳମ୍ବ ଦେଖି ପାର୍ବତୀ ଅମୃତତୁଲ୍ୟ ଭୋଜନ ବାଢ଼ି କେବଳ ପଞ୍ଚଗ୍ରାସୀ କରୁଥାନ୍ତି, ଠିକ୍ ସେତିକି ବେଳେ ଶିବଙ୍କର ଡମ୍ବରୁ ଶବ୍ଦ ଶୁଣାଗଲା । ଦେବୀ ଖାଦ୍ୟ ଥାଳି ତରତରରେ ନେଇ ବୃଷଭ କୁଣ୍ଡରେ ପକାଇ ଦେଇ ସ୍ଵାମୀଙ୍କୁ ବନ୍ଦାପନା କରି ପ୍ରାସାଦକୁ ନେଇ ଆସିଛନ୍ତି । ବୃଷଭକୁ କିଛି ଖାଦ୍ୟ ନ ଦେବାକୁ କଡା ଆଦେଶ ଦେଇ ଶିଵ ଶୋଇଯାଇଛନ୍ତି ।

ସେପଟେ ବିଚରା ବୃଷଭ ସାରାଦିନ ବୁଲି ବୁଲି ଘରକୁ ଫେରିଲା ପରେ ପ୍ରଭୁଙ୍କ ନିଷ୍ଠୁର ଆଦେଶ ଶୁଣି ମନଦୁଃଖ କରିଛି. ବାସିନଡା ଖାଇବାକୁ ପଡ଼ିବ ବୋଲି ଭାବି ଦେଖିଲା ବେଳକୁ ଭଳିକି ଭଳି ଖାଦ୍ୟପଦାର୍ଥରେ ତା କୁଣ୍ଡ ପରିପୁର୍ଣ. ବୃଷଭ ଶାହଡ଼ା ଗଛ ଦେଖିବା ଓ ତା ପତ୍ରମୁଣ୍ଡରେ ରଖିବା ହେତୁ ଅପୁର୍ବ ଖାଦ୍ୟ ମିଳିଛି ଜାଣି ଖୁସି ମନରେ ସବୁ ଖାଇ ଆନନ୍ଦରେ ଶୋଇ ପଡ଼ିଛି ।

ତା ପରଦିନ ସକାଳୁ ଶିବ ବୃଷଭଠାରୁ ସବୁ କଥା ଶୁଣି ଶାହାଡ଼ାଗଛର ମାହାତ୍ମ୍ୟ ଜାଣିଛନ୍ତି.

ଆଉରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ପ୍ରହରାଜ, ଗୋପାଳ ଚନ୍ଦ୍ର. "ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ". dsal.uchicago.edu. http://dsal.uchicago.edu/cgi-bin/philologic/getobject.pl?c.40:8749.praharaj. Retrieved 11 April 2013. "ପୁରୀ ମୁକ୍ତିମଣ୍ଡପର ପଣ୍ଡିତମାନେ ସନ୍ତୁଷ୍ଟ ହୋଇ ତାଙ୍କୁ 'ଶୂଦ୍ରମୁନି' ଉପାଧି ଦେଇଥିଲେ" 
  2. Nagendra (1988). Indian Literature. Prabhat Prakashan. pp. 446–. 
  3. This contribution is a nearly verbatim reproduction of "Sarala Dasa, the Originator of the Oriya Literature" by Debendra Nath Bhoi and Priyadarshini Bakshi in the Orissa Review of October 2004
  4. Amaresh Datta (1987). Encyclopaedia of Indian Literature: A-Devo. Sahitya Akademi. pp. 879–. ISBN 978-81-260-1803-1. 
  5. "SARALA DAS". orissadiary.com. http://www.orissadiary.com/personality/poet/SARALA_DAS%20.asp. Retrieved 11 April 2013. "In a clear statement the poet declares the Vilanka Ramayana, the Mahabharat and the Chandi Purana to be respectively the first, second and third of his compositions"