କହ୍ନେଇଲାଲ ଦାସ

ଉଇକିପିଡ଼ିଆ‌ରୁ
କହ୍ନେଇଲାଲ ଦାସ
Born(1947-06-27)୨୭ ଜୁନ ୧୯୪୭
Died୨୭ ଜୁଲାଇ ୧୯୭୫(1975-07-27) (ବୟସ ୨୮)
Alma materମହାରାଜ କୃଷ୍ଣଚନ୍ଦ୍ର ଉଚ୍ଚବିଦ୍ୟାଳୟ, ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ
Parent(s)କ୍ଷେତ୍ରମୋହନ ଦାସ, ଅନିଲାବାଲା ମାଇତି

କହ୍ନେଇଲାଲ ଦାସ, କନହେଇଲାଲ ଦାସ ନାମରେ ମଧ୍ୟ ଜଣା, (୨୭ ଜୁନ ୧୯୪୭ - ୨୭ ଜୁଲାଇ ୧୯୭୫), ଜଣେ ଓଡ଼ିଆ ଗାଳ୍ପିକ ଥିଲେ ।[୧] ୨୮ ବର୍ଷର ସ୍ୱଳ୍ପ ଜୀବନକାଳ ମଧ୍ୟରେ ସେ ଅନେକ ଗଳ୍ପ ରଚନା କରିଥିଲେ ।[୨]

ବାଲ୍ୟ ଜୀବନ ଓ ଶିକ୍ଷା[ସମ୍ପାଦନା]

କହ୍ନେଇଲାଲ, ୧୯୪୭ ମସିହାରେ ପଶ୍ଚିମବଙ୍ଗର କଲିକତାଠାରେ ଜନ୍ମ ଲାଭ କରିଥିଲେ । ପିତା କ୍ଷେତ୍ରମୋହନ ଦାସ ଓ ମାତା ଅନିଲାବାଲା ମାଇତିଙ୍କର ସେ ଜ୍ୟେଷ୍ଠ ପୁତ୍ର ଥିଲେ । କହ୍ନେଇଲାଲଙ୍କ ଆଉ ଚାରି ଜଣ ଭାଇଭଉଣୀ ଥିଲେ । ପିତା କ୍ଷେତ୍ରମୋହନ, କଲିକତାର ଏକ କାର୍ଯ୍ୟାଳୟରେ 'ରେକର୍ଡ଼ କିପର' ଭାବରେ କାର୍ଯ୍ୟ କରୁଥିଲେ । ଭାନୁ ଓ କୁନା ତାଙ୍କ ଡାକ ନାମ ଥିଲା । ପିଲାଟି ଦିନରୁ ସେ ଦାରିଦ୍ର୍ୟ ଭିତରେ ବଢ଼ିଥିଲେ । କମର୍ଦ୍ଦାରେ ପ୍ରାଥମିକ ସ୍କୁଲ ଶିକ୍ଷା ସମାପ୍ତକରି, ସେ ବାରିପଦାର ମହାରାଜ କୃଷ୍ଣଚନ୍ଦ୍ର ଉଚ୍ଚବିଦ୍ୟାଳୟରୁ ପ୍ରଥମ ଶ୍ରେଣୀରେ ମାଟ୍ରିକ ପାସ କରିଥିଲେ । ସ୍କୁଲ ସମୟରେ ସାହିତ୍ୟପ୍ରତି ଥିବା ଭଲପାଇବା ଯୋଗୁ, ସେ ଶୁଭ୍ରାବରଣୀ ପାଠାଗାର ଗଢିଥିଲେ । ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟରୁ, ସେ କଲେଜ ଶିକ୍ଷାଗ୍ରହଣ କରିଥିଲେ । ଏହି ସମୟରୁ ସେ ଟିଉସନ କରି ପାଠ ଖର୍ଚ୍ଚ ଭରଣା କରୁଥିଲେ ।

ବୃତ୍ତିଗତ ଜୀବନ[ସମ୍ପାଦନା]

ବାଲେଶ୍ୱରରୁ ନିଜ ଶିକ୍ଷା ସମାପ୍ତକରି, କହ୍ନେଇଲାଲ ପଶ୍ଚିମବଙ୍ଗର ପାନ୍ନାଗଡ଼ଠାରେ ପ୍ରତିରକ୍ଷା ବିଭାଗରେ ଚାକିରି ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ଏ.ଜି. ଅଫିସରେ ଚାକିରି ପାଇ ଭୁବନେଶ୍ୱର ଚାଲିଆସିଥିଲେ । ବାଲେଶ୍ୱରରେ ପାଠ ପଢ଼ିବା ସମୟରୁ, ତାଙ୍କ ସାହିତ୍ୟ ଜୀବନ ବିକଶିତ ହୋଇଥିଲା ଓ ବିଭିନ୍ନ ପତ୍ରପତ୍ରିକାରେ ତାଙ୍କ ଲେଖା ପ୍ରକାଶ ପାଇବା ଆରମ୍ଭ ହୋଇଥିଲା । ୨୭ ଜୁନ ୧୯୭୫ ମସିହାରେ, ୨୮ ବର୍ଷ ବୟସରେ ଭୁବନେଶ୍ୱରଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।[୩]

ସାହିତ୍ୟ ସର୍ଜନା[ସମ୍ପାଦନା]

କଲେଜ ପଢୁଥିବା ବେଳେ, ପ୍ରଥମକରି ସେ ଚକ୍କର ନାମରେ ଏକ ରମ୍ୟରଚନା ଲେଖିଥିଲେ । ତାଙ୍କର ପ୍ରଥମ ଗପ ବିବର୍ତ୍ତନବାଦ ୧୯୬୮ରେ ଓ ଶେଷ ଗପ ଧୃତରାଷ୍ଟ୍ରର ଆଖି ୧୯୭୫ରେ ପ୍ରକାଶ ପାଇଥିଲା ।[୪] ଜୀବକାଳ ମଧ୍ୟରେ ତାଙ୍କର କୌଣସି ପୁସ୍ତକ ଛପାଯାଇ ପାରିନଥିଲା । ମୃତ୍ୟୁ ପରେ, ଦୁଇଖଣ୍ଡ ପୁସ୍ତକ ପ୍ରକାଶିତ ହୋଇଥିଲା ।

  • ଜୀବନ ଯନ୍ତ୍ରଣା ଓ ଯାହା ଯେମିତି ହୁଏ
  • କହ୍ନେଇ କଥାଘର[୫]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

କହ୍ନେଇଲାଲଙ୍କ ମୃତ୍ୟ ପରେ ତାଙ୍କ ପ୍ରତି ନିବେଦନ କରାଯାଇଥିବା ସନ୍ଦେଶଗୁଡ଼ିକୁ ନେଇ, ନାଟ୍ୟକାର ରତି ରଞ୍ଜନ ମିଶ୍ର, କନହେଇଲାଲ ଦାସଙ୍କୁ ଅନ୍ତରଙ୍ଗ ସ୍ମୃତିର ଆଲେଖ୍ୟ ପ୍ରକାଶ କରିଛନ୍ତି ।[୬] କହ୍ନେଇ କଥା ସଂସଦ ତରଫରୁ ତାଙ୍କ ଜନ୍ମବାର୍ଷିକୀରେ ପ୍ରତିବର୍ଷ କହ୍ନେଇ କଥା ପୁରସ୍କାର ପ୍ରଦାନ କରାଯାଏ ।[୭]

ଆଧାର[ସମ୍ପାଦନା]

  1. Malayalam Literary Survey. Kerala Sahitya Akademi. 1993.
  2. Jagannātha Prasāda Dāsa (1983). Oriya Short Stories. Vikas. ISBN 978-0-7069-2289-9.
  3. Prachi: A Literary Digest of East Indian Languages. Sahitya Akademi. 1990.
  4. "ଆଜି ଜନ୍ମଦିନ". No. ସମ୍ବାଦ ୨୭/୦୬/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. ଇଷ୍ଟର୍ଣ୍ଣ ମିଡିଆ. Retrieved 27 June 2019.[permanent dead link]
  5. Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 786–. ISBN 978-81-260-0873-5.
  6. ଧରିତ୍ରି ଛୁଟିଦିନ ୨୭ ଜୁଲାଇ- ୨ ଅଗଷ୍ଟ ୨୦୧୪ ପୃଷ୍ଟା ୬
  7. "Writer Biswal to get Kanhei Katha Puraskar". www.dailypioneer.com. The Pioneer. Retrieved 27 June 2019.