Jump to content

କବିସୂର୍ଯ୍ୟ ବଳଦେବ ରଥ

ଉଇକିପିଡ଼ିଆ‌ରୁ
(କବିସୂର୍ଯ୍ଯରୁ ଲେଉଟି ଆସିଛି)
କବିସୂର୍ଯ୍ୟ ରାୟଗୁରୁ ମହାପାତ୍ର

ବଳଦେବ ରଥ
ରଘୁନାଥ ପୃଷ୍ଟିଙ୍କ ଅଙ୍କିତ ବଳଦେବ ରଥଙ୍କ ପୋଥିଚିତ୍ର
ଜନ୍ମ୧୭୭୯
ମୃତ୍ୟୁ୧୮୪୫
ମୃତ୍ୟୁର କାରଣବସନ୍ତ ରୋଗ
ଜାତୀୟତାଭାରତୀୟ
ବୃତ୍ତି(ସମୂହ)କବି, ସଙ୍ଗୀତକାର
ଉଲ୍ଲେଖନୀୟ କୃତି
ଶୈଳୀରୀତି ସାହିତ୍ୟ
ବୈବାହିକ-ସାଥୀରତ୍ନମଣି ଦେବୀ
ପିତାମାତାକବିରାଜ ବ୍ରହ୍ମା ଉଜ୍ଜ୍ୱଳ ରଥ
ସମ୍ପର୍କୀୟତ୍ରିପୁରାରୀ ଓତା

କବିସୂର୍ଯ୍ୟ ବଳଦେବ ରଥ (୧୭୭୯ - ୧୮୪୫) ଜଣେ ରୀତିଯୁଗୀୟ ଓଡ଼ିଆ କବି ଏବଂ ଓଡ଼ିଶୀ ସଙ୍ଗୀତଜ୍ଞ ଥିଲେ । ଓଡ଼ିଶାରେ ବିଶେଷ ଆଦୃତ କିଶୋରଚନ୍ଦ୍ରାନନ୍ଦ ଚମ୍ପୂ କବିସୂର୍ଯ୍ୟଙ୍କ ଶ୍ରେଷ୍ଠତମ ସାହିତ୍ୟିକ ଓ ସାଙ୍ଗୀତିକ ରଚନା । କବିସୂର୍ଯ୍ୟଙ୍କ ରଚିତ ଓ ପାରମ୍ପରିକ ଉତ୍କଳୀୟ ରାଗରାଗିଣୀରେ ସ୍ୱର ସଂଯୋଜିତ ଶତାଧିକ ଓଡ଼ିଶୀ ଗୀତ, ଚମ୍ପୂ, ଛାନ୍ଦ ଆଦି ଅଦ୍ୟାବଧି ଓଡ଼ିଶାରେ ଅତ୍ୟନ୍ତ ଜନପ୍ରିୟ । ସେ ଢୁମ୍ପା ସଙ୍ଗୀତର ପ୍ରତିଷ୍ଠାତା ଏବଂ ନିଜେ ମଧ୍ୟ ଅନେକ ଢୁମ୍ପା ଗୀତ ରଚନା କରିଛନ୍ତି । ସେ ୧୭୭୯ ମସିହାରେ ଗଞ୍ଜାମ ଜିଲ୍ଲା ଆଠଗଡ଼(ଅଷ୍ଟଦୁର୍ଗ) ରାଜ୍ୟର ତ୍ରିପୁରାରୀ ଓତାଙ୍କ ଘରେ ଜନ୍ମଗ୍ରହଣ କରିଥିଲେ ଓ ୧୮୪୫ ମସିହାରେ[] ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ୫୬ ବର୍ଷ ବୟସରେ ବ୍ରହ୍ମପୁର ଗଉଡ ସାହିରେ ପ୍ରାଣତ୍ୟାଗ କରିଥିଲେ ।

ଜଣେ ବ୍ୟକ୍ତିଙ୍କଦ୍ୱାରା କବିସୂର୍ଯ୍ୟ ବଳଦେବ ରଥଙ୍କ "କେହି ସରିକି ପ୍ରଭୁପଣେ ନୀଳାଦ୍ରି କେଶରୀକି" ଜଣାଣ ଗାନ

ଜୀବନୀ

[ସମ୍ପାଦନା]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ବଳଦେବଙ୍କ ପିତା ଉଜ୍ଜ୍ୱଳ ରଥ ପୁରୀ ଜିଲ୍ଲାର ମଣିପୁର ଶାସନରୁ ଆସି ବଡ଼ଖେମୁଣ୍ଡି ଗଡ଼ରେ ବସବାସ କରିଥିଲେ । ଉଜ୍ଜ୍ବଳ ରଥଙ୍କ ବିବାହ ଅଷ୍ଟଦୁର୍ଗ ରାଜ୍ଯର ତ୍ରିପୁରାରୀ ଓତାଙ୍କ କନ୍ଯାଙ୍କ ସହିତ ହୋଇଥିଲା। ବଳଦେବ ରଥ ୧୭୭୯ ଶ୍ରୀପଞ୍ଚମୀ ତଥିରେ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଆଠଗଡ଼ପାଟଣା ଠାରେ ଜନ୍ମ ଗ୍ରହଣ କରିଥିଲେ ।[][] ସାନବେଳେ ପିତାଙ୍କଠାରୁ ସେ ସଂସ୍କୃତ ଶିକ୍ଷା କରୁଥିଲେ । ଲୋକକଥା ଅନୁଯାୟୀ ତାଙ୍କୁ ମାତ୍ର ୧୦ ବର୍ଷ ହୋଇଥିବା ବେଳେ ତାଙ୍କ ମା'ଙ୍କ ଦେହାନ୍ତ ହୋଇଥିଲା । ମା'ଙ୍କ ଦେହାନ୍ତ ଖବର ଶୁଣି ଯେତେବେଳେ ଏକାକୀ ଅନୁଭବ କରୁଥୁଲେ ତାଙ୍କ ଅଜା ତ୍ରୀପୁରାରି ହୋତା (ଓତା) ତାଙ୍କର ସବୁ ଲାଳନପାଳନର ଦାୟିତ୍ୱ ନେଇଥିଲେ ।

ବଂଶାବଳୀ

[ସମ୍ପାଦନା]
ଶ୍ରୀନିବାସ ରଥ
ଉଜ୍ଜ୍ୱଳ ରଥ
ସୁଲକ୍ଷଣାହରିହରବଳଦେବ ରଥରତ୍ନମଣି ଦେବୀ
ବିଶ୍ୱନାଥ
ଲୋକନାଥ
ଗଣେଶ୍ୱର

କବିସୂର୍ଯ୍ୟ ଉପାଧି

[ସମ୍ପାଦନା]

ଶ୍ରୀଜଗନ୍ନାଥଙ୍କ ଦର୍ଶନ ଉଦ୍ଦେଶ୍ୟରେ ପୁରୀ ଯାଇଥିବା ବେଳେ ପୁରୀର ଗଜପତି ରାଜା ମୁକୁନ୍ଦଦେବ ତାଙ୍କ କବିପ୍ରତିଭା ଲାଗି ତାଙ୍କୁ "କବିସୂର୍ଯ୍ୟ ରାୟଗୁରୁ ମହାପାତ୍ର" ଉପାଧି ଦେଇଥିଲେ ।[] ଜଳନ୍ତରର ରାଜା ରାମଚନ୍ଦ୍ର ଛୋଟରାୟ ବଳଦେବ ରଥଙ୍କ ଅସାଧାରଣ ପାଣ୍ଡିତ୍ୟ ଓ ଶକ୍ତିମତାରେ ମୁଗ୍ଧ ହୋଇ ତାଙ୍କୁ କବିସୂର୍ଯ୍ୟ ଉପାଧି ପ୍ରଦାନ କରିଥଲେ ।[]

କିମ୍ବଦନ୍ତୀ

[ସମ୍ପାଦନା]

ସେ ଠାକୁରାଣୀ ଭୁବନେଶ୍ୱରୀଙ୍କ କ୍ଷୀର ପାନ କରିବା ବିଷୟରେ ଏକ କିମ୍ବଦନ୍ତୀ ରହିଛି । ଏହି କିମ୍ବଦନ୍ତୀ ଅନୁସାରେ ସେ ଭୁବନେଶ୍ୱରୀଙ୍କ କ୍ଷୀର ପାନ କରି ଅଲୌକିକ ଜ୍ଞାନ ଓ ଅସାଧାରଣ ପାଣ୍ଡିତ୍ୟ ପାଇଥିଲେ । ଅନ୍ୟ ଏକ କିମ୍ବଦନ୍ତୀ ଅନୁସାରେ ସେ କବିତା ରଚନା କରି ବନଜଙ୍ଗଲର ପଶୁପକ୍ଷୀଙ୍କୁ ମଧ୍ୟ ନିଜ ଆଡ଼କୁ ଆକର୍ଷିତ କରିପାରୁଥିଲେ ।[]

ରଚନାର ଭାଷା

[ସମ୍ପାଦନା]

ତାଙ୍କ ରଚନାରେ ଦେଶଜ ଓଡ଼ିଆ ଶବ୍ଦ ସହ ବୈଦେଶିକ ଶବ୍ଦର ପ୍ରୟୋଗ ଦେଖାଯାଏ ।[] ଦେଶଜ ଭାଷା ମଧ୍ୟରେ ଗୋଳିଆ, ଚିନାଏ, ଚିରାମରା, ଟାକର, ଟାକିଛି, ଠୋକରି, ଠଣାଠୁଙ୍କି, ଲସାଇ, ସୁସାର, ଆଡ଼ରୁଷା, ନିକୁଞ୍ଜ ଦଉଡ଼, ପାଦ ଫାଟିଯିବା ଇତ୍ୟାଦି ବ୍ଯବହୃତ ହୋଇଛି । ଅପର ପକ୍ଷରେ ତାଙ୍କ ରଚନାରେ ଦରଦ, ମରଜି, ଦିବାଲା, ଧମକାଇଲା, ଫତୁରିଖୋର, ଆଖର, ଫୁକାରା, ଫତୁଆ, ଫରିଆଦ, ଫଜିତ, ଫରମାସ ଇତ୍ୟାଦି ବୈଦେଶିକ ଓ ଯାବନିକ ଶବ୍ଦ ମଧ୍ୟ ରହିଛି ।

ରଚନାବଳୀ

[ସମ୍ପାଦନା]
ଗଞ୍ଜାମ ଆଠଗଡ଼ପାଟଣାରେସ୍ଥିତ କବିସୂର୍ଯ୍ୟଙ୍କ ଆଧୁନିକ ପ୍ରତିମା

ଜଣାଣ ଓ କ୍ଷୁଦ୍ରଗୀତି

[ସମ୍ପାଦନା]
  • କାହାକୁ କହିବା
  • ଗୋ ରସନାଟି
  • ସର୍ପ ଜଣାଣ (ବାଧିଲା ଜାଣି କ୍ଷମା)
  • କ୍ଷୀରମୟସିନ୍ଧୁ ଜେମା ଜୀବବନ୍ଧୁ
  • ଜଗନ୍ନାଥ ଜଣାଣ

କାବ୍ୟ

[ସମ୍ପାଦନା]
  • ଚନ୍ଦ୍ରକଳା (ଅସମ୍ପୂର୍ଣ୍ଣ)
  • ଜଗତେ କେବଳ

ଚମ୍ପୂ

[ସମ୍ପାଦନା]

ଗଦ୍ୟ ରଚନା

[ସମ୍ପାଦନା]
  • ହାସ୍ୟକଲ୍ଲୋଳ

ଅଷ୍ଟଦୁର୍ଗ ଇଷ୍ଟଦୁର୍ଗା ସତ ମା ଆଠଗଡ଼ ପିଲାଙ୍କ ଦୀପାବଳୀ ଖେଳ ଶେଷ ହେଲା । ସେଠୁ ବଳଦେବ ଅଜାଙ୍କ ପାଖକୁ ଫେରିଆସି କହିଲେ - ଅଜା, ତୁମେ ବଢ଼ିଆ ମନ୍ତ୍ରଟିଏ ଜପ କଲ, ନୁହେଁ ? ମୁଁ ସେଇ ମନ୍ତ୍ର ଶିଖିବି ମୋତେ ତାହା ବତାଇଦିଅ । ଅଜା ବୁଝିଥିଲେ, ତାହା ତନ୍ତ୍ରବିଦ୍ୟା । ତାହା ସାଧନ କରିବା ଲୋକର ପୁଅ ହୁଏନି, ହେଲେ ବି ବଞ୍ଚେନି । ସେଇ କାରଣରୁ ତାଙ୍କର ପୁଅ ନ ଥିଲା । ପ୍ରାଣଠାରୁ ଅଧିକ ପିୟ ବଳଦେବକୁ ସେ ମନ୍ତ୍ର ଶିଖାଇବେ କେମିତି ? ସେ ଅପୁତ୍ରିକ ହେବ । ସେଥିପାଇଁ ଏଣୁତେଣୁ କହି ସେ ବଳଦେବଙ୍କ ମନ ଭୁଲାଇବାକୁ ଚେଷ୍ଟା କଲେ । କିନ୍ତୁ ବଳଦେବ ମନ୍ତ୍ର ଶିଖିବା ପାଇଁ ଜିଦ୍‌ ଧରି ବସିଲେ । ଓତାଏ ଆଉ କରିବେ କଣ ? କିଛି ଗୋଟାଏ ନ କଲେ ନାତିର ମନ ବୁଝିବନି । ସେ ଦିନ ତାଙ୍କ ଦେହ ଭଲ ଲାଗୁ ନ ଥାଏ । ରାତିରେ କିଛି ନ ଖାଇବାକୁ ଠିକ୍‌ କଲେ । ଗିନାଏ ଦୁଧ ପିଇଦେଲେ ଚଳିଯିବ । ଦୁଗ୍ଧ ଗିନାଏ ମଗାଇଲେ । ସେଠୁ ସେ ନାତିକୁ କହିଲେ - ଆରେ ବଳି, ୟାକୁ ନେଇ ମା ପାଖକୁ ଯା” । ଠାକୁରାଣୀଙ୍କ ମୁହଁ ପାଖରେ ଦୁଗ୍ଧଗିନା ଟେକିଧରି କହିବୁ, “ଅଜା କହିଲେ, ତୁ କ୍ଷୀର ପି'ବଳଦେବ ସେମିତି କଲେ । ଆଶ୍ଚର୍ଯ୍ୟ କଥା ! ବଳଦେବ ଦେଖିଲେ ଗିନାରେ ଦୁରାଧ ନାହିଁ । ସେ ଖାଲି ଗିନା ନେଇ ଅଜାଙ୍କ ପାଖକୁ ଦୌଡ଼ିଆସିଲେ । କହିଲେ - ଅଜା, ଠାକୁରାଣୀ ଗିନାକ ଦୁଗ୍ଧ ପିଇଦେଲା ଅଜା କହିଲେ - ତୁ ପୁଣି ଯା' । ଠାକୁରାଣୀଙ୍କୁ କହିବୁ, “ତୁ ତ ସବୁତକ କ୍ଷୀର ପିଇଦେଲୁ । ଅଜା ଆଜି ରାତିରେ କଣ ପିଇବେ ?” ବଳଦେବ ଖାଲି ଗିନା ନେଇ ପୁଣି ଠାକୁରାଣୀଙ୍କ ପାଖରେ ଠିଆ ହୋଇ କହିଲେ - ତୁ ତ ସବୁତକ କ୍ଷୀର ପିଇଦେଲୁ । ଅଜା ରାତିରେ କଣ ପିଇବେ ? ସେତେବେଳର କଥା ଶୁଣିଲେ ଲୋମ ଟାଙ୍କୁରି ଉଠିବ । ହଠାତ୍ ଘରଟି ଆଲୋକରେ ଝଲସି ଉଠିଲା । ଦୁର୍ଗାମୂର୍ତ୍ତଙ୍କ ଦେହରେ ଜୀବନ ସଞ୍ଚରି ଗଲା । ମୂର୍ତ୍ତର ଡାହାଣ ହାତ ଆପେ ଉଠିଯାଇ ବଳଦେବଙ୍କୁ ଠାରି ଜଣାଇଲା - ମୋ ସ୍ତନ ପାଖକୁ ଗିନାଟି ନେଇ ଆ' ¦ବଳଦେବ ଦୂର୍ଗାଙ୍କ କଥା ମାନି ସେମିତି କଲେ । କି ଆଶ୍ଚର୍ଯ୍ୟ ! ଦୁର୍ଗାଙ୍କ ସ୍ତନରୁ କ୍ଷୀରର ଧାର ଛୁଟି ଆସିଲା । ଚାହୁଁ ଚାହୁଁ ଗିନା ଦୁଗ୍ଧରେ ଭରି ହୋଇଗଲା । ସେଠୁ ବଳଦେବ ଅଜାଙ୍କ ପାଖକୁ ଆସି କହିଲେ - ଅଜା, ଠାକୁରାଣୀ ଦୁଗ୍ଧ ଦେଲା । ହେଲେ ଏ ଗାଇଦୁଗ୍ଧ ନୁହେଁ, ତା ନିଜ ଦୁଗ୍ଧ ଏବେ ଓତାଏ ବୁଝିଗଲେ, ମା” ଦୁର୍ଗା ତାଙ୍କ ନାତିକୁ ଦେଖା ଦେଇଛନ୍ତି । ତାକୁ ଆଶୀର୍ବାହ କରିଛନ୍ତି । ମା”ପୁଅକୁ ଦୁଗ୍ଧ ଦେଲା ଭଳି ନିଜ ସ୍ତନରୁ ଦୁଗ୍ଧ ଦେଇଛନ୍ତି । ଏ ମା'ଙ୍କର ପ୍ରସାଦ । ଏହି ପ୍ରସାଦ ପାଇଲେ ମଣିଷ ଦେବତା ଭଳି ବଡ଼ ହୋଇପାରିବ । ସେ ଚାହୁଁଥିଲେ, ତାଙ୍କ ନାତି ଦେବତା ପରି ମଣିଷଟିଏ ହେଉ । କାଳ କାଳ ପାଇଁ ନାଁ ରଖୁ । ତେଣୁ ସେ ନାତିକୁ କହିଲେ - ବଳି, ଦୁଧତକ ତୁ ପିଇଦେ । ମୋର କାହିଁକି ପିଇବାକୁ ମନ ହେଉନି । ଗିନାରେ ପାଟି ଲଗାଇ ବଳଦେବ ଦୁଧତକ ପିଇଦେଲେ । ପିଉ ପିଉ କି ଗୋଟାଏ ଶକ୍ତି ତାଙ୍କ ଦେହରେ ବିଜୁଳି ପରି ଖେଳିଗଲା । ଏମିତି କାହିଁକି ହେଲା, ବାଳକ ବଳଦେବ ବୃଝି ପାରିଲେ ନାହିଁ । ହେଲେ, ତାଙ୍କ ଅଜା କଥାଟା ବେଶ୍‌ ବୁଝିଥିଲେ । ସତ ମା” ହିଁ ନିଜ ଛୁଆକୁ କ୍ଷୀର ଖୁଆଏ । ବଳଦେବଙ୍କ ନିଜେ ଦୁର୍ଗା ହେଲେ ସତ ମା’ । ଜଗତର ମା' ଦୁର୍ଗାଙ୍କୁ ନିଜ ମାଆ ପରି ପାଇବ କିଏ ? ପୁଣି, ଭାଗ୍ୟରେ ଥିଲେ ହିଁ ମିଳେ । କୋଟିଏରେ ଗୋଟିଏକୁ ବି ମିଳେ ନାହିଁ ।

                                        ଧନ୍ୟ ବଳଦେବ ! ଧନ୍ୟ ତୁମ ଜୀବନ !!

ଧରଣୀଧର ବେହେରା, (ଆମ ମାଟି ଆମ ଇତିହାସ) ଅଷ୍ଟଦୁର୍ଗ ରାଜମାଳା ବିଧି,ଆଠଗଡ଼ପାଟଣା

  1. Gaṅgā Rām Garg (1992). Encyclopaedia of the Hindu World. Concept Publishing Company. pp. 78–. ISBN 978-81-7022-374-0.
  2. "ଜିଲ୍ଲା ସମ୍ବନ୍ଧରେ". ganjam.nic.in. Retrieved 13 August 2018.
  3. "Kabi Surya Baladeba Rath". Archived from the original on 2011-10-25. Retrieved 2011-11-05.
  4. ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ, ପୃଷ୍ଠା: ୧୭୯
  5. ମହାରଣା, ସୁରେନ୍ଦ୍ର କୁମାର. ଓଡ଼ିଆ ସାହତ୍ୟର ଇତିହାସ. pp. ୩୨୩.
  6. ଡାକୁଆ, ରାମକୃଷ୍ଣ. "ଅଷ୍ଟଦୁର୍ଗ ଐତିହର ସୁରକ୍ଷା ଚିନ୍ତା". ଆମେ ଓଡ଼ିଆ - ମାସିକ ପତ୍ରିକା. Retrieved 11 October 2015.
  7. ପଟ୍ଟନାୟକ, କବିଚନ୍ଦ୍ର କାଳୀଚରଣ : ଆମର ସଙ୍ଗୀତଧାରା