କବିସୂର୍ଯ୍ୟ ବଳଦେବ ରଥ
କବିସୂର୍ଯ୍ୟ ରାୟଗୁରୁ ମହାପାତ୍ର ବଳଦେବ ରଥ | |
|---|---|
ରଘୁନାଥ ପୃଷ୍ଟିଙ୍କ ଅଙ୍କିତ ବଳଦେବ ରଥଙ୍କ ପୋଥିଚିତ୍ର | |
| ଜନ୍ମ | ୧୭୭୯ |
| ମୃତ୍ୟୁ | ୧୮୪୫ |
| ମୃତ୍ୟୁର କାରଣ | ବସନ୍ତ ରୋଗ |
| ଜାତୀୟତା | ଭାରତୀୟ |
| ବୃତ୍ତି(ସମୂହ) | କବି, ସଙ୍ଗୀତକାର |
| ଉଲ୍ଲେଖନୀୟ କୃତି | |
| ଶୈଳୀ | ରୀତି ସାହିତ୍ୟ |
| ବୈବାହିକ-ସାଥୀ | ରତ୍ନମଣି ଦେବୀ |
| ପିତାମାତା | କବିରାଜ ବ୍ରହ୍ମା ଉଜ୍ଜ୍ୱଳ ରଥ |
| ସମ୍ପର୍କୀୟ | ତ୍ରିପୁରାରୀ ଓତା |
କବିସୂର୍ଯ୍ୟ ବଳଦେବ ରଥ (୧୭୭୯ - ୧୮୪୫) ଜଣେ ରୀତିଯୁଗୀୟ ଓଡ଼ିଆ କବି ଏବଂ ଓଡ଼ିଶୀ ସଙ୍ଗୀତଜ୍ଞ ଥିଲେ । ଓଡ଼ିଶାରେ ବିଶେଷ ଆଦୃତ କିଶୋରଚନ୍ଦ୍ରାନନ୍ଦ ଚମ୍ପୂ କବିସୂର୍ଯ୍ୟଙ୍କ ଶ୍ରେଷ୍ଠତମ ସାହିତ୍ୟିକ ଓ ସାଙ୍ଗୀତିକ ରଚନା । କବିସୂର୍ଯ୍ୟଙ୍କ ରଚିତ ଓ ପାରମ୍ପରିକ ଉତ୍କଳୀୟ ରାଗରାଗିଣୀରେ ସ୍ୱର ସଂଯୋଜିତ ଶତାଧିକ ଓଡ଼ିଶୀ ଗୀତ, ଚମ୍ପୂ, ଛାନ୍ଦ ଆଦି ଅଦ୍ୟାବଧି ଓଡ଼ିଶାରେ ଅତ୍ୟନ୍ତ ଜନପ୍ରିୟ । ସେ ଢୁମ୍ପା ସଙ୍ଗୀତର ପ୍ରତିଷ୍ଠାତା ଏବଂ ନିଜେ ମଧ୍ୟ ଅନେକ ଢୁମ୍ପା ଗୀତ ରଚନା କରିଛନ୍ତି । ସେ ୧୭୭୯ ମସିହାରେ ଗଞ୍ଜାମ ଜିଲ୍ଲା ଆଠଗଡ଼(ଅଷ୍ଟଦୁର୍ଗ) ରାଜ୍ୟର ତ୍ରିପୁରାରୀ ଓତାଙ୍କ ଘରେ ଜନ୍ମଗ୍ରହଣ କରିଥିଲେ ଓ ୧୮୪୫ ମସିହାରେ[୧] ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ୫୬ ବର୍ଷ ବୟସରେ ବ୍ରହ୍ମପୁର ଗଉଡ ସାହିରେ ପ୍ରାଣତ୍ୟାଗ କରିଥିଲେ ।
ଜୀବନୀ
[ସମ୍ପାଦନା]ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ବଳଦେବଙ୍କ ପିତା ଉଜ୍ଜ୍ୱଳ ରଥ ପୁରୀ ଜିଲ୍ଲାର ମଣିପୁର ଶାସନରୁ ଆସି ବଡ଼ଖେମୁଣ୍ଡି ଗଡ଼ରେ ବସବାସ କରିଥିଲେ । ଉଜ୍ଜ୍ବଳ ରଥଙ୍କ ବିବାହ ଅଷ୍ଟଦୁର୍ଗ ରାଜ୍ଯର ତ୍ରିପୁରାରୀ ଓତାଙ୍କ କନ୍ଯାଙ୍କ ସହିତ ହୋଇଥିଲା। ବଳଦେବ ରଥ ୧୭୭୯ ଶ୍ରୀପଞ୍ଚମୀ ତଥିରେ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଆଠଗଡ଼ପାଟଣା ଠାରେ ଜନ୍ମ ଗ୍ରହଣ କରିଥିଲେ ।[୨][୩] ସାନବେଳେ ପିତାଙ୍କଠାରୁ ସେ ସଂସ୍କୃତ ଶିକ୍ଷା କରୁଥିଲେ । ଲୋକକଥା ଅନୁଯାୟୀ ତାଙ୍କୁ ମାତ୍ର ୧୦ ବର୍ଷ ହୋଇଥିବା ବେଳେ ତାଙ୍କ ମା'ଙ୍କ ଦେହାନ୍ତ ହୋଇଥିଲା । ମା'ଙ୍କ ଦେହାନ୍ତ ଖବର ଶୁଣି ଯେତେବେଳେ ଏକାକୀ ଅନୁଭବ କରୁଥୁଲେ ତାଙ୍କ ଅଜା ତ୍ରୀପୁରାରି ହୋତା (ଓତା) ତାଙ୍କର ସବୁ ଲାଳନପାଳନର ଦାୟିତ୍ୱ ନେଇଥିଲେ ।
ବଂଶାବଳୀ
[ସମ୍ପାଦନା]| ଶ୍ରୀନିବାସ ରଥ | |||||||||||||||||||||||||||||||||||||
| ଉଜ୍ଜ୍ୱଳ ରଥ | |||||||||||||||||||||||||||||||||||||
| ସୁଲକ୍ଷଣା | ହରିହର | ବଳଦେବ ରଥ | ରତ୍ନମଣି ଦେବୀ | ||||||||||||||||||||||||||||||||||
| ବିଶ୍ୱନାଥ | |||||||||||||||||||||||||||||||||||||
| ଲୋକନାଥ | |||||||||||||||||||||||||||||||||||||
| ଗଣେଶ୍ୱର | |||||||||||||||||||||||||||||||||||||
କବିସୂର୍ଯ୍ୟ ଉପାଧି
[ସମ୍ପାଦନା]ଶ୍ରୀଜଗନ୍ନାଥଙ୍କ ଦର୍ଶନ ଉଦ୍ଦେଶ୍ୟରେ ପୁରୀ ଯାଇଥିବା ବେଳେ ପୁରୀର ଗଜପତି ରାଜା ମୁକୁନ୍ଦଦେବ ତାଙ୍କ କବିପ୍ରତିଭା ଲାଗି ତାଙ୍କୁ "କବିସୂର୍ଯ୍ୟ ରାୟଗୁରୁ ମହାପାତ୍ର" ଉପାଧି ଦେଇଥିଲେ ।[୪] ଜଳନ୍ତରର ରାଜା ରାମଚନ୍ଦ୍ର ଛୋଟରାୟ ବଳଦେବ ରଥଙ୍କ ଅସାଧାରଣ ପାଣ୍ଡିତ୍ୟ ଓ ଶକ୍ତିମତାରେ ମୁଗ୍ଧ ହୋଇ ତାଙ୍କୁ କବିସୂର୍ଯ୍ୟ ଉପାଧି ପ୍ରଦାନ କରିଥଲେ ।[୫]
କିମ୍ବଦନ୍ତୀ
[ସମ୍ପାଦନା]ସେ ଠାକୁରାଣୀ ଭୁବନେଶ୍ୱରୀଙ୍କ କ୍ଷୀର ପାନ କରିବା ବିଷୟରେ ଏକ କିମ୍ବଦନ୍ତୀ ରହିଛି । ଏହି କିମ୍ବଦନ୍ତୀ ଅନୁସାରେ ସେ ଭୁବନେଶ୍ୱରୀଙ୍କ କ୍ଷୀର ପାନ କରି ଅଲୌକିକ ଜ୍ଞାନ ଓ ଅସାଧାରଣ ପାଣ୍ଡିତ୍ୟ ପାଇଥିଲେ । ଅନ୍ୟ ଏକ କିମ୍ବଦନ୍ତୀ ଅନୁସାରେ ସେ କବିତା ରଚନା କରି ବନଜଙ୍ଗଲର ପଶୁପକ୍ଷୀଙ୍କୁ ମଧ୍ୟ ନିଜ ଆଡ଼କୁ ଆକର୍ଷିତ କରିପାରୁଥିଲେ ।[୬]
ରଚନାର ଭାଷା
[ସମ୍ପାଦନା]ତାଙ୍କ ରଚନାରେ ଦେଶଜ ଓଡ଼ିଆ ଶବ୍ଦ ସହ ବୈଦେଶିକ ଶବ୍ଦର ପ୍ରୟୋଗ ଦେଖାଯାଏ ।[୭] ଦେଶଜ ଭାଷା ମଧ୍ୟରେ ଗୋଳିଆ, ଚିନାଏ, ଚିରାମରା, ଟାକର, ଟାକିଛି, ଠୋକରି, ଠଣାଠୁଙ୍କି, ଲସାଇ, ସୁସାର, ଆଡ଼ରୁଷା, ନିକୁଞ୍ଜ ଦଉଡ଼, ପାଦ ଫାଟିଯିବା ଇତ୍ୟାଦି ବ୍ଯବହୃତ ହୋଇଛି । ଅପର ପକ୍ଷରେ ତାଙ୍କ ରଚନାରେ ଦରଦ, ମରଜି, ଦିବାଲା, ଧମକାଇଲା, ଫତୁରିଖୋର, ଆଖର, ଫୁକାରା, ଫତୁଆ, ଫରିଆଦ, ଫଜିତ, ଫରମାସ ଇତ୍ୟାଦି ବୈଦେଶିକ ଓ ଯାବନିକ ଶବ୍ଦ ମଧ୍ୟ ରହିଛି ।
ରଚନାବଳୀ
[ସମ୍ପାଦନା]
ଜଣାଣ ଓ କ୍ଷୁଦ୍ରଗୀତି
[ସମ୍ପାଦନା]- କାହାକୁ କହିବା
- ଗୋ ରସନାଟି
- ସର୍ପ ଜଣାଣ (ବାଧିଲା ଜାଣି କ୍ଷମା)
- କ୍ଷୀରମୟସିନ୍ଧୁ ଜେମା ଜୀବବନ୍ଧୁ
- ଜଗନ୍ନାଥ ଜଣାଣ
କାବ୍ୟ
[ସମ୍ପାଦନା]- ଚନ୍ଦ୍ରକଳା (ଅସମ୍ପୂର୍ଣ୍ଣ)
- ଜଗତେ କେବଳ
ଚମ୍ପୂ
[ସମ୍ପାଦନା]- ରତ୍ନାକର ଚମ୍ପୂ
- କିଶୋରଚନ୍ଦ୍ରାନନ୍ଦ ଚମ୍ପୂ
- ପ୍ରେମୋଦୟ ଚମ୍ପୂ
ଗଦ୍ୟ ରଚନା
[ସମ୍ପାଦନା]- ହାସ୍ୟକଲ୍ଲୋଳ
ଆଧାର
[ସମ୍ପାଦନା]ଅଷ୍ଟଦୁର୍ଗ ଇଷ୍ଟଦୁର୍ଗା ସତ ମା ଆଠଗଡ଼ ପିଲାଙ୍କ ଦୀପାବଳୀ ଖେଳ ଶେଷ ହେଲା । ସେଠୁ ବଳଦେବ ଅଜାଙ୍କ ପାଖକୁ ଫେରିଆସି କହିଲେ - ଅଜା, ତୁମେ ବଢ଼ିଆ ମନ୍ତ୍ରଟିଏ ଜପ କଲ, ନୁହେଁ ? ମୁଁ ସେଇ ମନ୍ତ୍ର ଶିଖିବି ମୋତେ ତାହା ବତାଇଦିଅ । ଅଜା ବୁଝିଥିଲେ, ତାହା ତନ୍ତ୍ରବିଦ୍ୟା । ତାହା ସାଧନ କରିବା ଲୋକର ପୁଅ ହୁଏନି, ହେଲେ ବି ବଞ୍ଚେନି । ସେଇ କାରଣରୁ ତାଙ୍କର ପୁଅ ନ ଥିଲା । ପ୍ରାଣଠାରୁ ଅଧିକ ପିୟ ବଳଦେବକୁ ସେ ମନ୍ତ୍ର ଶିଖାଇବେ କେମିତି ? ସେ ଅପୁତ୍ରିକ ହେବ । ସେଥିପାଇଁ ଏଣୁତେଣୁ କହି ସେ ବଳଦେବଙ୍କ ମନ ଭୁଲାଇବାକୁ ଚେଷ୍ଟା କଲେ । କିନ୍ତୁ ବଳଦେବ ମନ୍ତ୍ର ଶିଖିବା ପାଇଁ ଜିଦ୍ ଧରି ବସିଲେ । ଓତାଏ ଆଉ କରିବେ କଣ ? କିଛି ଗୋଟାଏ ନ କଲେ ନାତିର ମନ ବୁଝିବନି । ସେ ଦିନ ତାଙ୍କ ଦେହ ଭଲ ଲାଗୁ ନ ଥାଏ । ରାତିରେ କିଛି ନ ଖାଇବାକୁ ଠିକ୍ କଲେ । ଗିନାଏ ଦୁଧ ପିଇଦେଲେ ଚଳିଯିବ । ଦୁଗ୍ଧ ଗିନାଏ ମଗାଇଲେ । ସେଠୁ ସେ ନାତିକୁ କହିଲେ - ଆରେ ବଳି, ୟାକୁ ନେଇ ମା ପାଖକୁ ଯା” । ଠାକୁରାଣୀଙ୍କ ମୁହଁ ପାଖରେ ଦୁଗ୍ଧଗିନା ଟେକିଧରି କହିବୁ, “ଅଜା କହିଲେ, ତୁ କ୍ଷୀର ପି'ବଳଦେବ ସେମିତି କଲେ । ଆଶ୍ଚର୍ଯ୍ୟ କଥା ! ବଳଦେବ ଦେଖିଲେ ଗିନାରେ ଦୁରାଧ ନାହିଁ । ସେ ଖାଲି ଗିନା ନେଇ ଅଜାଙ୍କ ପାଖକୁ ଦୌଡ଼ିଆସିଲେ । କହିଲେ - ଅଜା, ଠାକୁରାଣୀ ଗିନାକ ଦୁଗ୍ଧ ପିଇଦେଲା ଅଜା କହିଲେ - ତୁ ପୁଣି ଯା' । ଠାକୁରାଣୀଙ୍କୁ କହିବୁ, “ତୁ ତ ସବୁତକ କ୍ଷୀର ପିଇଦେଲୁ । ଅଜା ଆଜି ରାତିରେ କଣ ପିଇବେ ?” ବଳଦେବ ଖାଲି ଗିନା ନେଇ ପୁଣି ଠାକୁରାଣୀଙ୍କ ପାଖରେ ଠିଆ ହୋଇ କହିଲେ - ତୁ ତ ସବୁତକ କ୍ଷୀର ପିଇଦେଲୁ । ଅଜା ରାତିରେ କଣ ପିଇବେ ? ସେତେବେଳର କଥା ଶୁଣିଲେ ଲୋମ ଟାଙ୍କୁରି ଉଠିବ । ହଠାତ୍ ଘରଟି ଆଲୋକରେ ଝଲସି ଉଠିଲା । ଦୁର୍ଗାମୂର୍ତ୍ତଙ୍କ ଦେହରେ ଜୀବନ ସଞ୍ଚରି ଗଲା । ମୂର୍ତ୍ତର ଡାହାଣ ହାତ ଆପେ ଉଠିଯାଇ ବଳଦେବଙ୍କୁ ଠାରି ଜଣାଇଲା - ମୋ ସ୍ତନ ପାଖକୁ ଗିନାଟି ନେଇ ଆ' ¦ବଳଦେବ ଦୂର୍ଗାଙ୍କ କଥା ମାନି ସେମିତି କଲେ । କି ଆଶ୍ଚର୍ଯ୍ୟ ! ଦୁର୍ଗାଙ୍କ ସ୍ତନରୁ କ୍ଷୀରର ଧାର ଛୁଟି ଆସିଲା । ଚାହୁଁ ଚାହୁଁ ଗିନା ଦୁଗ୍ଧରେ ଭରି ହୋଇଗଲା । ସେଠୁ ବଳଦେବ ଅଜାଙ୍କ ପାଖକୁ ଆସି କହିଲେ - ଅଜା, ଠାକୁରାଣୀ ଦୁଗ୍ଧ ଦେଲା । ହେଲେ ଏ ଗାଇଦୁଗ୍ଧ ନୁହେଁ, ତା ନିଜ ଦୁଗ୍ଧ ଏବେ ଓତାଏ ବୁଝିଗଲେ, ମା” ଦୁର୍ଗା ତାଙ୍କ ନାତିକୁ ଦେଖା ଦେଇଛନ୍ତି । ତାକୁ ଆଶୀର୍ବାହ କରିଛନ୍ତି । ମା”ପୁଅକୁ ଦୁଗ୍ଧ ଦେଲା ଭଳି ନିଜ ସ୍ତନରୁ ଦୁଗ୍ଧ ଦେଇଛନ୍ତି । ଏ ମା'ଙ୍କର ପ୍ରସାଦ । ଏହି ପ୍ରସାଦ ପାଇଲେ ମଣିଷ ଦେବତା ଭଳି ବଡ଼ ହୋଇପାରିବ । ସେ ଚାହୁଁଥିଲେ, ତାଙ୍କ ନାତି ଦେବତା ପରି ମଣିଷଟିଏ ହେଉ । କାଳ କାଳ ପାଇଁ ନାଁ ରଖୁ । ତେଣୁ ସେ ନାତିକୁ କହିଲେ - ବଳି, ଦୁଧତକ ତୁ ପିଇଦେ । ମୋର କାହିଁକି ପିଇବାକୁ ମନ ହେଉନି । ଗିନାରେ ପାଟି ଲଗାଇ ବଳଦେବ ଦୁଧତକ ପିଇଦେଲେ । ପିଉ ପିଉ କି ଗୋଟାଏ ଶକ୍ତି ତାଙ୍କ ଦେହରେ ବିଜୁଳି ପରି ଖେଳିଗଲା । ଏମିତି କାହିଁକି ହେଲା, ବାଳକ ବଳଦେବ ବୃଝି ପାରିଲେ ନାହିଁ । ହେଲେ, ତାଙ୍କ ଅଜା କଥାଟା ବେଶ୍ ବୁଝିଥିଲେ । ସତ ମା” ହିଁ ନିଜ ଛୁଆକୁ କ୍ଷୀର ଖୁଆଏ । ବଳଦେବଙ୍କ ନିଜେ ଦୁର୍ଗା ହେଲେ ସତ ମା’ । ଜଗତର ମା' ଦୁର୍ଗାଙ୍କୁ ନିଜ ମାଆ ପରି ପାଇବ କିଏ ? ପୁଣି, ଭାଗ୍ୟରେ ଥିଲେ ହିଁ ମିଳେ । କୋଟିଏରେ ଗୋଟିଏକୁ ବି ମିଳେ ନାହିଁ ।
ଧନ୍ୟ ବଳଦେବ ! ଧନ୍ୟ ତୁମ ଜୀବନ !!
ଧରଣୀଧର ବେହେରା, (ଆମ ମାଟି ଆମ ଇତିହାସ) ଅଷ୍ଟଦୁର୍ଗ ରାଜମାଳା ବିଧି,ଆଠଗଡ଼ପାଟଣା
- ↑ Gaṅgā Rām Garg (1992). Encyclopaedia of the Hindu World. Concept Publishing Company. pp. 78–. ISBN 978-81-7022-374-0.
- ↑ "ଜିଲ୍ଲା ସମ୍ବନ୍ଧରେ". ganjam.nic.in. Retrieved 13 August 2018.
- ↑ "Kabi Surya Baladeba Rath". Archived from the original on 2011-10-25. Retrieved 2011-11-05.
- ↑ ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ, ପୃଷ୍ଠା: ୧୭୯
- ↑ ମହାରଣା, ସୁରେନ୍ଦ୍ର କୁମାର. ଓଡ଼ିଆ ସାହତ୍ୟର ଇତିହାସ. pp. ୩୨୩.
- ↑ ଡାକୁଆ, ରାମକୃଷ୍ଣ. "ଅଷ୍ଟଦୁର୍ଗ ଐତିହର ସୁରକ୍ଷା ଚିନ୍ତା". ଆମେ ଓଡ଼ିଆ - ମାସିକ ପତ୍ରିକା. Retrieved 11 October 2015.
- ↑ ପଟ୍ଟନାୟକ, କବିଚନ୍ଦ୍ର କାଳୀଚରଣ : ଆମର ସଙ୍ଗୀତଧାରା