ଅପର୍ଣ୍ଣା ପାଣିଗ୍ରାହୀ
ଗାୟକ ଶିରୋମଣି ଅପର୍ଣ୍ଣା ପାଣିଗ୍ରାହୀ 'ଉତ୍କଳର ସୁରଦାସ' | |
---|---|
![]() | |
ଜନ୍ମ ଓ ଜନ୍ମସ୍ଥାନ | ଅପର୍ଣ୍ଣା ପାଣିଗ୍ରାହୀ ୧୮୯୩ ମାର୍ଗଶିର ଶୁକ୍ଳ ଗୁରୁବାର |
ମୃତ୍ୟୁ | ୧୯୩୬ ପାରଳାଖେମୁଣ୍ଡି |
କରଣ ସାହି, ପାରଳାଖେମୁଣ୍ଡି | |
ଜାତୀୟତା | ![]() |
ଅଲଗା ନାଆଁ | ଆପନ୍ନା ପାଣିଗ୍ରାହୀ, ଅନ୍ଧ ଆପନ୍ନା |
ଜୀବିକା | କଣ୍ଠଶିଳ୍ପୀ ଓ ସଙ୍ଗୀତବିଦ |
Notable work |
|
ଶୈଳୀ | ଓଡ଼ିଶୀ ସଙ୍ଗୀତ |
ଶୀର୍ଷକ | ଉତ୍କଳର ସୁରଦାସ, ଅନ୍ଧ ଆପନ୍ନା |
ବାପା ବୋଉ | ଗୋପାଳ କୃଷ୍ଣ ପାଣିଗ୍ରାହୀ (ପିତା) ରୂପମଞ୍ଜରୀ (ମାତା) |
Notes | |
ପାରଳାଖେମୁଣ୍ଡିରେ ଅପର୍ଣ୍ଣା/ଆପନ୍ନା ଏକ ପୁରୁଷ ନାମ |
ଅପର୍ଣ୍ଣା ପାଣିଗ୍ରାହୀ (୧୮୯୩-୧୯୩୬) ଜଣେ ସୁପ୍ରସିଦ୍ଧ ପୁରାତନ ଓଡ଼ିଶୀ ସଙ୍ଗୀତଜ୍ଞ, ଗାୟକ ଓ ଓଡ଼ିଶୀ ପରମ୍ପରାର ବୀଣାକାର । ସେ ଜଣେ ବିଶିଷ୍ଟ ଗ୍ରାମ୍ଫୋନ କଳାକାର ଥିଲେ । ଅଳ୍ପ ବୟସରୁ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ସେ ଅନ୍ଧ ହୋଇଯାଇଥିଲେ । ଏଥିପାଇଁ ଲୋକେ ତାଙ୍କୁ 'ଅନ୍ଧ ଆପନ୍ନା' ଓ 'ଉତ୍କଳର ସୁରଦାସ' ବୋଲି ଡାକୁଥିଲେ । ସେହି ସମୟରେ ସମଗ୍ର ଓଡ଼ିଶାର ସର୍ବଶ୍ରେଷ୍ଠ ବୀଣାକାର ଭାବେ ତାଙ୍କର ଖ୍ୟାତି ଥିଲା ।[୧] ଓଡ଼ିଶୀ ସଙ୍ଗୀତର ଦକ୍ଷିଣ ଓଡ଼ିଶା ଶୈଳୀର ଜଣେ ପ୍ରମୁଖ କଳାକାର ଥିଲେ ଅପର୍ଣ୍ଣା ।
ଜୀବନ[ସମ୍ପାଦନା]
ଅପର୍ଣ୍ଣାଙ୍କ ଘର ପାରଳାଖେମୁଣ୍ଡିର କରଣ ସାହିରେ । ସେ ଜଣେ ନୈଷ୍ଠିକ ବୈଷ୍ଣବ କରଣ ଥିଲେ । ନଅ-ଦଶ ବର୍ଷ ବେଳକୁ ଅପର୍ଣ୍ଣାଙ୍କ ଚକ୍ଷୁ ଯିବାକୁ ବସିଲାଣି । ବସନ୍ତ ରୋଗ ଯୋଗୁଁ ତାଙ୍କର ଆଖି ଫୁଟିଯାଇଥିଲା । ଅପର୍ଣ୍ଣା ପାରଳାଖେମୁଣ୍ଡି ରାଜଦରବାରର ସଙ୍ଗୀତଜ୍ଞ, ଗାୟକ ଓ ବାଦକ ଭାବେ ରହିଥିଲେ । ବିଜୟନଗରର ସୂର୍ଯ୍ୟନାରାୟଣ ଓସ୍ତାଦଙ୍କ ଛଅ ସାତ ବର୍ଷ ପାରଳାଖେମୁଣ୍ଡି ରହଣି କାଳରେ ଅପର୍ଣ୍ଣା ତାଙ୍କଠାରୁ ବୀଣାବାଦନ ଶିକ୍ଷା କରିଥିଲେ ।[୧]
ସେ ନିଜ ବୁଢ଼ୀମା, ଧର୍ମପତ୍ନୀ ଓ ଦୁଇଗୋଟି ଝିଅଙ୍କ ସଙ୍ଗେ ରହୁଥିଲେ ।
ସଙ୍ଗୀତ[ସମ୍ପାଦନା]
ତାଙ୍କ କଣ୍ଠ ଅତି ମଧୁର ଥିବା ସଙ୍ଗେ ସଙ୍ଗେ ଅତ୍ୟନ୍ତ ସୂକ୍ଷ୍ମ କାମ କରିବାରେ ନିପୁଣ ଥିଲା । ଏହା ସଙ୍ଗେ ତାଙ୍କ ବୀଣାବାଦନ ଅତି ଉଚ୍ଚକୋଟିର ଥିବାରୁ ସେ ଜଣେ ଅତିପ୍ରସିଦ୍ଧ କଳାକାର ହୋଇପାରିଥିଲେ ।
ଗ୍ରାମ୍ଫୋନ ରେକର୍ଡ଼[ସମ୍ପାଦନା]
ଅପର୍ଣ୍ଣା ପାଖାପାଖି ଆଠଗୋଟି ଗୀତ କଲିକତାର ଗ୍ରାମ୍ଫୋନ କମ୍ପାନୀ ପାଇଁ ରେକର୍ଡ଼ କରିଥିବା ଜଣାଯାଏ । ଏହି ମଧ୍ୟରୁ ତାଙ୍କର 'ରାଧାଧର ସୁମଧୁରା' ଗୀତଟି ସେହି ସମୟର ଓଡ଼ିଶାର ପୁରପଲ୍ଲୀରେ ପ୍ରସିଦ୍ଧ ଥିଲା । ଅପର୍ଣ୍ଣା ପାରଳାଖେମୁଣ୍ଡିର ତତ୍କାଳୀନ ଓ ପୂର୍ବବର୍ତ୍ତୀ ଗଜପତି ରାଜାମାନଙ୍କ ରଚିତ ଅନେକ ଓଡ଼ିଶୀ ଗୀତ ଗାଇଛନ୍ତି । ପୂର୍ବୋକ୍ତ ଗ୍ରାମ୍ଫୋନ ରେକର୍ଡ଼ ମଧ୍ୟରୁ ଉପଲବ୍ଧ ଗୀତର ସୂଚୀ ତଳେ ଦିଆଗଲା ।
କ୍ରମ | ଗୀତ | କବି | ସମୟ |
---|---|---|---|
1. | "ମୋ ନିଦ କେଣେ ଦେଲୁ ଭାଙ୍ଗି" | ଗୋପାଳକୃଷ୍ଣ ପଟ୍ଟନାୟକ | ୨:୫୬ |
2. | "ବ୍ରଜରାଜ ତନୟ ଗୁଣ ଗାଆରେ" | ଗୌରଚନ୍ଦ୍ର ଗଜପତି ନାରାୟଣ ଦେବ | ୨:୫୭ |
3. | "ରାଧାଧର ସୁମଧୁରା" | ବୃନ୍ଦାବନ ଚନ୍ଦ୍ର ପାଣିଗ୍ରାହୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ନାମରେ ଭଣିତ | ୨:୫୬ |
4. | "ମନୁ ଯାଉ ନାହିଁ ମା" | କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ | ୨:୫୫ |
5. | "କୁଞ୍ଜକୁ ଯିବୁ ପରା" | ଗୌରହରି ପରିଚ୍ଛା | ୨:୫୫ |
6. | "ରାଧା ଧରି ସଖୀ କର" | ଅଭିମନ୍ୟୁ ସାମନ୍ତସିଂହାର | ୨:୫୫ |
7. | "ମୋହନ ମାଧୁରୀ ଦେଖିଥିଲା ନାରୀ" | ଗୋପାଳକୃଷ୍ଣ ପଟ୍ଟନାୟକ | ୨:୫୮ |
8. | "ପ୍ରଣୟରେ ଦୁଃଖୀ ହୋଇ ପକ୍ଷ୍ମଳାକ୍ଷୀ" | ଅଭିମନ୍ୟୁ ସାମନ୍ତସିଂହାର | ୨:୪୭ |
କିମ୍ବଦନ୍ତୀ[ସମ୍ପାଦନା]
ଅପର୍ଣ୍ଣାଙ୍କ ସମ୍ପର୍କିତ ଏକ ରୋଚକ କିମ୍ବଦନ୍ତୀ ଏଯାବତ୍ ରହିଛି । ପୂର୍ବକାଳରେ ଏକ ଭ୍ରାନ୍ତ ଧାରଣା ଥିଲା ଯେ ଗ୍ରାମ୍ଫୋନରେ କଣ୍ଠ ରେକର୍ଡ଼ କରାଗଲେ ଗାୟକଙ୍କ କଣ୍ଠସ୍ୱର ଆଉ ରହିବ ନାହିଁ । ଦେଶରେ ନୂଆ ନୂଆ ଗ୍ରାମ୍ଫୋନ ଆସିଥିବାରୁ ଲୋକଙ୍କ ମଧ୍ୟରେ ଏହି ଅମୂଳକ ଭୟ ସୃଷ୍ଟି ହୋଇଥିଲା । ଅପର୍ଣ୍ଣାଙ୍କ ବିଷୟରେ କୁହାଯାଏ ଯେ ସେ ଏହି କାରଣରୁ ଗ୍ରାମ୍ଫୋନ ରେକର୍ଡ଼ କରିବାରୁ ବିମୁଖ ଥିଲେ । ସେ ଅନ୍ଧ ଥିବାରୁ ଥରେ ରାଜଦରବାରରେ ତାଙ୍କ ଗାୟନ ବେଳେ ଜଣେ ଭବିଷ୍ୟତ ସଂରକ୍ଷଣ ଦୃଷ୍ଟିରୁ ତାଙ୍କର ଆଠଗୋଟି ଗୀତ ରେକର୍ଡ଼ କରିଦେଇଥିଲେ । ନିଜ କଣ୍ଠକୁ ଗ୍ରାମ୍ଫୋନରେ ଶୁଣି ଅତିଦୁଃଖିତ ହୋଇ ଅପର୍ଣ୍ଣାଙ୍କ ସ୍ୱର୍ଗବାସ ହୋଇଥିଲା ବୋଲି କୁହାଯାଏ ।[ଆଧାର ଲୋଡ଼ା]
ଏହି କିମ୍ବଦନ୍ତୀ ସମ୍ପୂର୍ଣ୍ଣ ଅମୂଳକ ମନେ ହୁଏ ଓ ଏହାର କୌଣସି ଆଧାର ଥିବା ଜଣାଯାଏ ନାହିଁ । ଅପର୍ଣ୍ଣାଙ୍କ ଇଚ୍ଛା ବିରୁଦ୍ଧରେ ରେକର୍ଡ଼ କରାଯାଇଥିଲେ ସମସ୍ତ ଗୀତ ଗ୍ରାମ୍ଫୋନର ସମୟ ସୀମା ଯାଏଁ ରେକର୍ଡ଼ ହୋଇଥିବା ଅତ୍ୟନ୍ତ ଅସମ୍ଭବ । ପୁଣି ରେକର୍ଡ଼ ନିମନ୍ତେ କଲିକତା ଯିବା ଆବଶ୍ୟକ ଥିଲା । ପାରଳାଖେମୁଣ୍ଡିର ରାଜଦରବାରରେ ରେକର୍ଡ଼ିଂ ପାଇଁ ଆବଶ୍ୟକ ଯନ୍ତ୍ରପାତି ଆସିବା କଥା ମଧ୍ୟ ଅସମ୍ଭବ ମନେ ହୁଏ ।
ଗୋପାଳକୃଷ୍ଣଙ୍କ ରଚନା[ସମ୍ପାଦନା]
କବିକଳହଂସ ଗୋପାଳକୃଷ୍ଣ ପଟ୍ଟନାୟକ ପାରଳାଖେମୁଣ୍ଡିର ଜଣେ ପୁରାତନ କବି । ସେ ସହସ୍ରାଧିକ ଓଡ଼ିଶୀ ଚଉପଦୀ, ଛାନ୍ଦ, ଜଣାଣ ଆଦି ରଚନା କରିଥିଲେ । ଅପର୍ଣ୍ଣା ଗୋପାଳକୃଷ୍ଣ ଅନେକ ଗୀତକୁ ଗାୟନ କରି ପ୍ରସିଦ୍ଧି ଲାଭ କରିଥିଲେ । ୧୯୧୯ ମସିହାରେ ଅପର୍ଣ୍ଣାଙ୍କ କଣ୍ଠରେ ଗୋପାଳକୃଷ୍ଣଙ୍କ ଏକ ଓଡ଼ିଶୀ ଗୀତ ଶୁଣି ଉତ୍କଳମଣି ଗୋପବନ୍ଧୁ ଦାସ ଅପର୍ଣ୍ଣାଙ୍କୁ ପାରଳାଖେମୁଣ୍ଡିରୁ ସାକ୍ଷୀଗୋପାଳକୁ ଆଣିଥିଲେ । ଅପର୍ଣ୍ଣା ତିନି ମାସ ଧରି ସାକ୍ଷୀଗୋପାଳର ବନବିଦ୍ୟାଳୟଠାରେ ଛାତ୍ରମାନଙ୍କୁ ଓଡ଼ିଶୀ ସଙ୍ଗୀତ ଶିକ୍ଷା ପ୍ରଦାନ କରିଥିଲେ । ଗୋପାଳକୃଷ୍ଣଙ୍କ ରଚନା ମାଧ୍ୟମରେ ଅପର୍ଣ୍ଣା ଗାୟନ, ବୀଣା ବାଦନ, ବୋଲି ଓ ଭଙ୍ଗୀ କବିତାର ଶୈଳୀ ଦର୍ଶାଇ ଓଡ଼ିଶୀ ସଙ୍ଗୀତ ଶିଖାଇଥିଲେ ।[୨]
ନିଖିଳ ଭାରତୀୟ ସଙ୍ଗୀତ ସମ୍ମିଳନୀ[ସମ୍ପାଦନା]
କଟକର ଉତ୍କଳ ସଙ୍ଗୀତ ସମାଜ ଲକ୍ଷ୍ମୀକାନ୍ତ ଚୌଧୁରୀଙ୍କ ପ୍ରଚେଷ୍ଟାରେ ସ୍ଥାପିତ ହୋଇଥିଲା । ଏହି ସଂସ୍ଥା ତରଫରୁ ଅପର୍ଣ୍ଣା ନିଖିଳ ଭାରତୀୟ ସଙ୍ଗୀତ ସମ୍ମିଳନୀକୁ ଯାଇଥିଲେ । ଏଠାରେ ଅପର୍ଣ୍ଣାଙ୍କ ବୀଣାବାଦନ ଓ ଗାୟନ ଶୁଣି ସମସ୍ତେ ତଟସ୍ଥ ହୋଇ ତାଙ୍କର ଅନେକ ପ୍ରଶଂସା କରିଥିଲେ ।[୧]
ପୁରୀ ଓ କଟକ[ସମ୍ପାଦନା]
ଅପର୍ଣ୍ଣା ଅନେକ ଥର ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ପୁରୀ ଯାଇ ସେଠାରେ ମାସମାସ ଧରି ରହୁଥିଲେ । ଏହି ରହଣିଗୁଡ଼ିକ ସମୟରେ ଆଦିଗୁରୁ ସିଂହାରୀ ଶ୍ୟାମସୁନ୍ଦର କର ଅପର୍ଣ୍ଣାଙ୍କଠାରୁ ଅଳ୍ପକାଳ ଧରି ସଙ୍ଗୀତ ଶିକ୍ଷା କରିଥିଲେ । କଟକର ସନ୍ଧ୍ୟାବେଳ ସଙ୍ଗୀତ ଆସରଗୁଡ଼ିକରେ ମଧ୍ୟ ଅପର୍ଣ୍ଣା ଭାଗ ନେଉଥିଲେ ।
ଓଡ଼ିଶାରେ ଅପର୍ଣ୍ଣାଙ୍କ ଗୁଣଗ୍ରାହୀଙ୍କ ସଂଖ୍ୟା ଯଥୋଚିତ ନଥିଲା ବୋଲି ଅପର୍ଣ୍ଣାଙ୍କ ଜୀବନୀ ଆଲେଖ୍ୟର ରଚକ ପଣ୍ଡିତ ଲକ୍ଷ୍ମୀନାରାୟଣ ସାହୁ ମତ ସ୍ଥାପନ କରିଛନ୍ତି ।[୧]
“ | ଅପର୍ଣ୍ଣାଙ୍କ ଏପରି ଗୁଣ ଥିଲା ସତ୍ୟ; କିନ୍ତୁ ଓଡ଼ିଶାରେ ଅପର୍ଣ୍ଣାଙ୍କ ଗୁଣଗ୍ରାହୀ ଲୋକ ଖୁବ୍ କମ୍ ଥିଲେ । | ” |
ପରଲୋକ[ସମ୍ପାଦନା]
କଲିକତାରେ ଗ୍ରାମ୍ଫୋନ ରେକର୍ଡ଼ ଦେଇ ଫେରୁଥିବାବେଳେ ଗାଡ଼ିରେ ତାଙ୍କୁ ଜ୍ୱର ହେଲା । ଘରେ ପହଞ୍ଚିଲା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ କୌଣସି ପ୍ରକାର ଭୂସମ୍ପତ୍ତି ରଖିନଥିବାରୁ ତାଙ୍କ ବୁଢ଼ୀମା ଓ ଧର୍ମପତ୍ନୀ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଜୀବନଯାପନ କରିଥିଲେ ।[୧]
ସଂରକ୍ଷଣ[ସମ୍ପାଦନା]
କଟକର ପ୍ରସିଦ୍ଧ ଗ୍ରାମ୍ଫୋନ ରେକର୍ଡ଼ ସଙ୍ଗ୍ରାହକ ଇନ୍ଦ୍ରମଣି ସାହୁ ୧୯୪୯ରେ ଅପର୍ଣ୍ଣାଙ୍କ ଗୀତ ଶୁଣିବା ପରେ ରେକର୍ଡ଼ ସଙ୍ଗ୍ରହ କରିବା କଥା ବିଚାରିଥିଲେ । ସେତେବେଳକୁ ଅପର୍ଣ୍ଣାଙ୍କ ପରଲୋକ ହୋଇସାରି ତେର ବର୍ଷ ଗଲାଣି । ଗ୍ରାମ୍ଫୋନ ଯୋଗୁଁ ଅପର୍ଣ୍ଣାଙ୍କ ଭଳି କଣ୍ଠସ୍ୱର ଭବିଷ୍ୟତ ପାଇଁ ସୁରକ୍ଷିତ ହୋଇ ରହିବା ସେ ଅନୁଭବ କଲେ । ଏହି ଭାବନାଦ୍ୱାରା ଅଭିଭୂତ ହୋଇ ଇନ୍ଦ୍ରମଣି ରେକର୍ଡ଼ ସଙ୍ଗ୍ରହ କରିଚାଲିଲେ । ଇନ୍ଦ୍ରମଣିଙ୍କ ସଙ୍ଗ୍ରହରେ ଅଧୁନା ୪୫୦୦ରୁ ଅଧିକ ରେକର୍ଡ଼ ଅଛି ।[୩]
ପୂର୍ବକଥିତ ଅପର୍ଣ୍ଣାଙ୍କ ଆଠଗୋଟି ରେକର୍ଡ଼ ମଧ୍ୟରୁ ଚାରିଗୋଟି ଅଧୁନା ପୁନରୁଦ୍ଧାର ହୋଇ ୟୁଟ୍ୟୁବରେ ଉପଲବ୍ଧ ଅଛି । ଏହା ଓଡ଼ିଆମେଲୋଡ଼ି ନାମକ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ କରାଯାଇଛି ।
ଅଧିକ ପଠନ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ ୧.୦ ୧.୧ ୧.୨ ୧.୩ ୧.୪ ଅପର୍ଣ୍ଣା ପାଣିଗ୍ରାହୀ । ପୃଷ୍ଠା ୧୭୦, ଲକ୍ଷ୍ମୀନାରାୟଣ ଗ୍ରନ୍ଥାବଳୀ, ପ୍ରଥମ ଭାଗ । ଲକ୍ଷ୍ମୀନାରାୟଣ ସାହୁ (ଲେଖକ), ସୁରେନ୍ଦ୍ର ମହାନ୍ତି ଓ ଗୋପୀନାଥ ଦାଶ (ସମ୍ପାଦନା) । ୧୯୭୧, ଜାନୁୟାରୀ ୧୮, ଲକ୍ଷ୍ମୀନାରାୟଣ ସାହୁ ସ୍ମୃତିରକ୍ଷା ସମିତି, କଟକ ।
- ↑ ମେକର୍ସ ଅଫ ଇଣ୍ଡିଆନ ଲିଟରେଚର : ଭକ୍ତକବି ଗୋପାଳକୃଷ୍ଣ, ଫକୀରମୋହନ ଦାସ, ପୃଷ୍ଠା ୧୭ । ସାହିତ୍ୟ ଏକାଡେମୀ, ରବୀନ୍ଦ୍ର ଭବନ, ନୂଆ ଦିଲ୍ଲୀ ୧୧୦୦୦୧ । ପ୍ରକାଶନ ବର୍ଷ - ୨୦୦୨, ପ୍ରଥମ ସଂସ୍କରଣ । ISBN 81-260-1201-3
- ↑ INDRAMANI SAHU,THE RECORD-MAN OF ODISHA– କଟକ, ତରଣୀସେନ ପଟ୍ଟନାୟକ । ଅକ୍ଟୋବର ୨୧ ୨୦୧୩, ଇଓଡ଼ିଶା ।