ଓଡ଼ିଶାର ଐତିହ୍ୟ

ଉଇକିପିଡ଼ିଆ ରୁ
Jump to navigation Jump to search

ଓଡ଼ିଶାର ଐତିହ୍ୟ[ସମ୍ପାଦନା]

ପ୍ରାକ୍-ଐତିହାସିକ ଯୁଗରୁ ଓଡ଼ିଶାର ସଭ୍ୟତାର କ୍ରମବିକାଶ ଘଟିଥିବାର ପ୍ରମାଣ ମିଳେ। ଖ୍ରୀ.ପୂ ପ୍ରଥମ ସହସ୍ରାଦ୍ଧରେ ଓଡ଼ିଶାର କଳିଙ୍ଗ ରାଜ୍ୟ ଭାରତରେ ଏକ ଦୁର୍ଦ୍ଦଶ ରାଜଶକ୍ତି ରୂପେ ପରିଚିତ ଥିଲା ଓ ନୌବାଣିଜ୍ୟଦ୍ୱାରା ନିଜର ଆର୍ଥିକ ସ୍ଥିତି ଦୃଢ଼ କରିପାରିଥିଲା। ପ୍ରାଚୀନକାଳରୁ ଓଡ଼ିଶାରେ ଗଢିଉଠିଥିବା ସଭ୍ୟତା ଓ ସଂସ୍କୃତି ଆଞ୍ଚଳିକ ସ୍ୱତନ୍ତ୍ରର ମର୍ଯ୍ୟାଦା ବହନ କରି କାଳକ୍ରମେ ପରିପ୍ରକାଶ ଲାଭ କରିଛି।ତନ୍ମଧ୍ୟରୁ କଳା-ସ୍ଥାପତ୍ୟ,ଧର୍ମ-ସାହିତ୍ୟ,ଚିତ୍ରକଳା, ନୃତ୍ୟ-ସଙ୍ଗୀତ ଇତ୍ୟାଦି ଐତିହ ଶ୍ରେଣୀଭୁକ୍ତ।

କଳାସ୍ଥାପତ୍ୟ[ସମ୍ପାଦନା]

ଧଉଳୀ ପାହାଡ଼ରେ ଥିବା ଅଶୋକଙ୍କ ସ୍ୱତନ୍ତ୍ର କଳିଙ୍ଗ ଅନୁଶାସନ ନିକଟରେ ପ୍ରସ୍ତରଗାତ୍ରରେ ଖୋଦିତ ହସ୍ତୀର ସମ୍ମୁଖ ଭାଗ ଓଡ଼ିଶାର ସର୍ବପ୍ରାଚୀନ ପ୍ରସ୍ତର କାକୃତି । ଏହି ହସ୍ତୀଟି ମୌର୍ଯ୍ୟଯୁଗୀୟ ହୋଇଥିଲେ ହେଁ କଳିଙ୍ଗ ପ୍ରସ୍ତର କଳା ଚାତୁରୀର ସ୍ୱାକ୍ଷର ବହ୍ଗନ କରେ । ଧଉଳିର ପାଞ୍ଚ କି.ମି ଦୂର ଦକ୍ଷିଣରେ ଅଶୋକଙ୍କ ସମୟର ଏକ ଭଗ୍ନ ସ୍ତୁପ ଅରାଗଡ଼ଠାରେ ଆବିଷୃତ ହୋଇଛି । [୧]

ଉଦୟଗିରି ଓ ଖଣ୍ଡଗିରିଠାରେ ଥିବା ଜୈନ ଗୁମ୍ଫା ସମୁହ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କୀର୍ତ୍ତି । ଉଦୟଗିରିର ହାତୀଗୁମ୍ଫାରେ ଖାରବେଳଙ୍କ ରାଜତ୍ୱର ବିଶିଷ୍ଟ ଘଟଣାବଳୀ କ୍ରମାନ୍ୱୟରେ ପ୍ରସ୍ତର ଗାତ୍ରରେ ଖୋଦିତ ହୋଇଛି । ଏହା ହାତୀଗୁମ୍ଫା ଅଭିଲେଖ ନାମରେ ଖ୍ୟାତ । ଏଠାରେ ଅନ୍ୟାନ୍ୟ ଗୁମ୍ଫାଗୁଡିକ ମଧରୁ ଦ୍ୱିତଳ ବିଶିଷ୍ଟ ରାଣୀଗୁମ୍ଫା ଓ ସ୍ୱର୍ଣ୍ଣପୁରୀ-ମଞ୍ଜପୁରୀ କଳାତ୍ମକ ଦୃଷ୍ଟିରୁ ପ୍ରଧାନ । ଏହି ଉଭୟ ଗୁମ୍ଫା ଖାରବେଳଙ୍କ ସମୟରେ ଖୋଦିତ ହୋଇଥିବା ପ୍ରମାଣ ମିଳେ । ଖଣ୍ଡଗିରିର ଗୁମ୍ଫା ଗୁଡିକ ମଧ୍ୟରୁ ଅନନ୍ତଗୁମ୍ଫା, ନବମୂନି ଗୁମ୍ଫା, ବାରଭୂଜି ଗୁମ୍ଫା ଓ ଲଲାଟେନ୍ଦୁକେଶରୀ ଗୁମ୍ଫା ଦଶମ-ଏକାଦଶ ଶତାବ୍ଦୀରେ ଖୋଦିତ ହୋଇଥିବା ପ୍ରମାଣ ମିଳେ । ଏହି ଗୁମ୍ଫାଗୁଡିକର ଅଭ୍ୟନ୍ତରରେ ଜୈନ ତୀର୍ଥଙ୍କରମାନଙ୍କ ମୂର୍ତ୍ତି ଦେଖିବାକୁ ମିଳେ । ଉଦୟଗିରି ଓ ଖଣ୍ଡଗିରି ପ୍ରାଚୀନ କାଳରେ କୁମାରୀ ଓ କୁମାର ପର୍ବତ ରୂପେ ଯଥାକ୍ରମେ ପରିଚିତ ଥିବା ହାତୀଗୁମ୍ଫା ଅଭିଲେଖରୁ ଜଣାଯାଏ । [୧]

ଓଡ଼ିଶାରେ ବୌଦ୍ଧ ଧର୍ମର ଅଭ୍ୟୁତଥାନ ସହିତ ତାଳ ଦେଇ ଅନେକ ବୌଦ୍ଧ ବିହାର ଓ ଉପାସନା ଗୃହ ଗଢି ଉଠିଥିଲା । ଏଗୁଡିକ ପଞ୍ଚମ ଶତାବ୍ଦୀଠାରୁ ଅଷ୍ଟମ ଶତାବ୍ଦୀ ମଧ୍ୟରେ ନିର୍ମିତ ହୋଇଥିବା ପ୍ରମାଣ ମିଳେ । ତନ୍ମଧ୍ୟରୁ ବରଗଡ଼ ଜିଲ୍ଲାର ଗଣିଆପାଲିଠାରେ ଥିବା ମୁଚଳିନ୍ଦ ବୌଦ୍ଧ ବିହାର ସର୍ବପ୍ରାଚୀନ ବୋଲି ଅନୁମାନ କରାଯାଏ। ସେଥିପରି ଗଞ୍ଜାମ ଜିଲ୍ଲାର ବୁଦ୍ଧଖୋଲ ଅନ୍ୟତମ ପ୍ରାଚୀନ ବୌଦ୍ଧକୀର୍ତ୍ତି ରୂପେ ପରିଚିତ । ରତ୍ନଗିରି, ଲଲିତଗିରି,ଉଦୟଗିରି, ଲାଙ୍ଗୁଡି ପାହାଡ଼, କାଏମା,ବଜ୍ରଗିରି, ରମେଶ୍ୱର, ସୋଲପୁର, ଖଡିପଦାରୁ ଆବିଷୃତ ବିହାର,ସ୍ତୂପ,ଚୈତ୍ୟଗୃହ,ଉପାସନା ଗୃହ ଓ ଆବାସସ୍ଥଳୀ ତଥା ବୌଦ୍ଧମୂର୍ତ୍ତି ଆଦି ଏହି ଅଞ୍ଚଳରେ ବୌଦ୍ଧଧର୍ମର ପ୍ରାଧାନ୍ୟ ଓ ଲୋକପ୍ରିୟତାର ପ୍ରମାଣ ଦିଏ । ଏହି ବୌଦ୍ଧମୂର୍ତ୍ତିଗୁଡିକର ଗଠନ ଓ ଲାଳିତ୍ୟ ଉତ୍କର୍ଷ ମୂର୍ତ୍ତିକଳାର ନିଦର୍ଶନ ଦିଏ । ବୌଦ୍ଧରୁ ପ୍ରାପ୍ତ ଏକ ପୂର୍ଣ୍ଣାବୟବ ମୂର୍ତ୍ତି ଏହି ଶ୍ରେଣୀଭୁକ୍ତ ।[୨]

ଓଡ଼ିଶା ମନ୍ଦିର ମାଳିନୀ ରାଜ୍ୟ ରୂପେ ସର୍ବତ୍ର ବିତିଦ । ଓଡ଼ିଶାରେ ଥିବା ବିଭିନ୍ନ ମନ୍ଦିରଗୁଡିକର ସଂଖ୍ୟା ଭାରତର ଅନ୍ୟତ୍ର ଥିବା ମନ୍ଦିରଗୁଡିକଠାରୁ ଯଥେଷ୍ଟ ଅଧିକ ବୋଲି କୁହାଯାଏ । ଏହା ମନ୍ଦିର ଗୁଡିକର ଗଠନ ଶୈଳୀ ସ୍ୱତନ୍ତ୍ର ଓ କଳିଙ୍ଗ ଶୈଳୀ ନାମରେ ଖ୍ୟାତ । କଳିଙ୍ଗ ଶୈଳୀରେ ନିର୍ମିତ ଏହି ମନ୍ଦିରଗୁଡିକ ସ୍ଥାପତ୍ୟ ଦୃଷ୍ଟିରୁ ତିନି ପ୍ରକାର । ସେଗୁଡିକ ହେଲା : (୧) ରେଖା ଦେଉଳ, (୨) ପିଢା ଦେଉଳ, (୩) ଖାଖରା ଦେଉଳ । ମନ୍ଦିରର ଶିଖର ଓ ଶୀର୍ଷ ଭାଗର ଗଠନ ଶୈଳୀକୁ ଭିତ୍ତି କରି ଏଭଳି ବିଭକ୍ତି କରଣ କରାଯାଇଛି । କଳିଙ୍ଗ ଶୈଳୀର ମନ୍ଦିର ଗୁଡିକ ସପ୍ତମ ଶତାବ୍ଦୀ ଠାରୁ ପଞ୍ଚଦଶ-ଷୋଡ଼ଷ ଶତାବ୍ଦୀ ମଧ୍ୟରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ନିର୍ମିତ ହୋଇଥିଲା । [୩][୪][୫] ବିଶେଷକରି ଶୈଳୋଦ୍ଭବ, ଭୌମକର, ସୋମବଂଶୀ , ଗଙ୍ଗବଂଶୀ ଓ ସୂର୍ଯ୍ୟବଂଶୀ ରାଜାମାନଙ୍କ ପୃଷ୍ଠପୋଷକତାରେ ଏହି ମନ୍ଦିର ଗୁଡିକ ନିର୍ମିତ ହୋଇଥିଲା । ଏ ଗୁଡିକ ଓଡ଼ିଶାର ମନ୍ଦିରନଗରୀ ତଥା ରାଜଧାନୀ ଏକାମ୍ରକ୍ଷେତ୍ର ଭୁବନେଶ୍ୱର ଶଙ୍ଖକ୍ଷେତ୍ର ପୁରୀ, ଅର୍କକ୍ଷେତ୍ର କୋଣାର୍କ, ବିରଜାକ୍ଷେତ୍ର ଯାଜପୁର,ଖିଂଚି, ବଉଦ, ଗନ୍ଧରାଡି, ସୋମନାଥତୀର୍ଥ ରାଣୀପୁର ଝରିଆଲ, ନୃସିଂହନାଥ, କୂଆଳ,ବରଗାଁ,ଚଉରାଶି, ନିଆଳି ଏବଂ ପାପଡାହାଣ୍ଡିଠାରେ ଦେଖିବାକୁ ମିଳେ । ତନ୍ମଧୟରୁ ଭୁବନେଶ୍ୱରର ମୁକ୍ତେଶ୍ୱର,ରାଜରାଣୀଲିଙ୍ଗରାଜ ମନ୍ଦିର, ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଓ କୋଣାର୍କର ବିଶ୍ୱବିଖ୍ୟାତ ସୂର୍ଯ୍ୟମନ୍ଦିର ପ୍ରସିଦ୍ଧ । ଏତଦବ୍ୟତିତ ଓଡ଼ିଶାର ପଶ୍ଚିମାଞ୍ଚଳରେ ପୋଡାଇଟାରେ ନିର୍ମିତ ଅନେକ ସୁନ୍ଦର ମନ୍ଦିର ଦେଖିବାକୁ ମିଳେ । ତନ୍ମଧ୍ୟରୁ ବୁଦ୍ଧିକୋମା, କୋମନା ଓ ଇନ୍ଦ୍ରଲାଧ (ରାଣିପୁର ଝରିଆଲ) ମନ୍ଦିର ଉଲ୍ଲେଖଯୋଗ୍ୟ । ଏହି ମନ୍ଦିର ଗୁଡିକର କଳା ଭାସ୍କର୍ଯ୍ୟ ଶୀଳ୍ପୀମାନସର ଚରମ ଅଭିବ୍ୟକ୍ତିର ଏକ ନିଖୁଣ ଚିତ୍ର ପ୍ରଦାନ କରେ ।

ଓଡ଼ିଶାର ଚିତ୍ରକାଳା ମଧ୍ୟରେ କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ସିତାବିଂଝୀର ରାବଣାଛାୟା ପ୍ରସିଦ୍ଧ ଓ ପ୍ରାଚୀନ । ମଧୟ୍ଯୁଗୀୟ ଚିତ୍ରକଳା ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ବିମଳା ମନ୍ଦିର ଓ ଲକ୍ଷ୍ମୀ ମନ୍ଦିର ତଥା ଗଞ୍ଜାମଜିଲ୍ଲା ଅନ୍ତର୍ଗତ ବୁଗୁଡାର ବିରଞ୍ଚି ନାରାୟଣ ମନ୍ଦିରର ଅଭ୍ୟନ୍ତରରେ ଦେଖିବାକୁମିଳେ । ଏସବୁ ଚିତ୍ର କଳାଗୁଡିକ ସ୍ୱକୀୟ ପରମ୍ପରା ସ୍ୱାକ୍ଷର ବହନ କରେ ।

ଆମ ରାଜ୍ୟର ମଧ୍ୟ ଯୁଗୀୟ ପୁରାକୀର୍ତ୍ତି ଗୁଡିକ ମଧ୍ୟରୁ କଟକର ଦେୱାନ ବଜାର ମସଜିଦ, ବାଲୁବଜାର ମସଜିଦ,କଦମ ରସୁଲ, କାଳିଆବୋଦା ଗୁରୁଦ୍ୱାର ଏବଂ ପୁରୀର ବାଉଳି ମଠ ଅନ୍ୟତମ । ଏହା ଛଡା ଚୌହାନ ରାଜାମାନଙ୍କଦ୍ୱାରା ନିର୍ମିତ ମନ୍ଦିର ଗୁଡିକ ଏହି ସମୟର ଅନ୍ୟତମ ପ୍ରସିଦ୍ଧ ପୁରାକିର୍ତ୍ତି ଯାହା ପାଟଣାଗଡ଼, ସୋନପୁରସମ୍ବଲପୁରଠାରେ ଦେଖିବାକୁ ମିଳେ ।

ପ୍ରଥମ ଭାଗ[ସମ୍ପାଦନା]

ଓଡ଼ିଶାର ବୌଦ୍ଧ ଧର୍ମର ଅଭ୍ୟୁଧାନ ସହିତ ତାଳ ଦେଇ ଅନେକ ବୌଦ୍ଧବିହାର ଓ ଉପାସନା ଗୃହ ଗଢି ଉଠିଥିଲା।ଏଗୁଡିକ ପଞ୍ଚମ ଶତାବ୍ଦୀ ମଧ୍ୟରେ ନିର୍ମିତ ହୋଇଥିବାର ପ୍ରମାଣ ମିଳେ।

ଦ୍ୱିତୀୟ ଭାଗ[ସମ୍ପାଦନା]

ଧଉଳି ପାହାଡରେ ଥିବା ଅଶୋକଙ୍କ ସ୍ୱତନ୍ତ୍ର କଳିଙ୍ଗ ଅନୁଶାସନ ନିକଟରେ ପ୍ରସ୍ତର ଗାତ୍ରରେ ଖୋଦିତ ହସ୍ତୀର ସମ୍ମୁଖ ଭାଗରେ ଓଡ଼ିଶାର ସର୍ବପ୍ରାଚୀନ କକୃତି।ଏହି ହସ୍ତୀ ମୋର୍ଯ ଯୁଗୀୟ ହୋଇଥିଲେ ହେ କଳିଙ୍ଗ ପ୍ରସ୍ତର କଲା ଚତୁରୀର ସ୍ସ୍ସ୍ୱାକ୍ଷର ବହ୍ୱନ କରେ।

ଧର୍ମ[ସମ୍ପାଦନା]

ପ୍ରାଚୀନ କାଳରୁ ଓଡ଼ିଶାରେ ଜୈନ ଧର୍ମ ପ୍ରସାର ଲାଭ କରିଥିବା ଜଣାଯାଏ । ଜୈନ ଧର୍ମର ଶେଷ ଦୁଇଜଣ ତୀର୍ଥଙ୍କର ପାର୍ଶ୍ୱନାଥମହାବୀର ଓଡ଼ିଶାର କଳିଙ୍ଗ ରାଜ୍ୟରେ ଏହି ଧରମର ଅଭ୍ୟୁଦୟ ଘଟାଇବାରେ ସହାୟ ହୋଇଥିଲେ । ଖ୍ରୀ.ପୂ ପ୍ରଥମ ଶତାବ୍ଦୀରେ କଳିଙ୍ଗ ରାଜା ଖାରବେଳ ଜୈନ ଧର୍ମର ପୃଷ୍ଠପୋଷକତା କରିବା ସହିତ ଏହାର ପ୍ରସାର ଘଟାଇଥିଲେ । ପରବର୍ତ୍ତୀ ସମୟରେ ଶୈଳୋଦ୍ଭବ ବଂଶୀୟ ରାଜା ଧର୍ମରାଜ ଓ ସୋମବଂଶୀ ରାଜା ଉଦ୍ୟୋତକେଶରୀ ଓଡ଼ିଶାରେ ଜୈନ ଧର୍ମର ପୃଷ୍ଠପୋଷକା କରିଥିବା ଜଣାଯାଏ । ଭୁବନେଶ୍ୱର ନିକଟସ୍ଥ ଖଣ୍ଦଗିରି ଓ ଉଦୟଗିରି ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ଜୈନ ଗୁମ୍ଫା ଓ ମନ୍ଦିର ଦେଖିବାକୁ ମିଳେ ।

ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରୁ ଓଡ଼ିଶାରେ ବୌଦ୍ଧ ଧର୍ମର ଅଭ୍ୟୁଦୟ ଘଟିଥିବା ଜଣାଯାଏ । ଖ୍ରୀ.ପୂ. ତୃତୀୟ ଶତାବ୍ଦୀରେ ସମ୍ରାଟ ଅଶୋକ କଳିଙ୍ଗ ଯୁଦ୍ଧରେ ଜୟଲାଭ କରି ବୌଦ୍ଧ ଧର୍ମ ପ୍ରତି ଆକୃଷ୍ଟ ହୋଇ ପଡ଼ିଲେ ଓ କଳିଙ୍ଗରେ ବୌଦ୍ଧ ଧର୍ମର ପ୍ରଚାର ପାଇଁ ମୋଗଲିପୁତ୍ତଟିସ୍ପ, ଉପଗୁପ୍ତ ଓ ମହାଦେବ ପ୍ରଭୃତି ବୌଦ୍ଧଭିକ୍ଷୁମାନଙ୍କୁ ପ୍ରେରଣ କରିଥିଲେ । ଏହା ଫଳରେ ଓଡ଼ିଶାରେ ବୌଦ୍ଧ ଧର୍ମର ଲୋକପ୍ରିୟତା ବୃଦ୍ଧି ପାଇଥିଲା । ପରବର୍ତ୍ତି ସମୟରେ କଳିଙ୍ଗରାଜ ଗୁହଶିବ ବୁଦ୍ଧଙ୍କ ପବିତ୍ର ଦନ୍ତଭସ୍ମ ଅଣାଇ ଦନ୍ତପୁରଠାରେ ଏକ ପବିତ୍ର ସ୍ତୂପ ନିର୍ମାଣ କରାଇଥିଲେ । ଅଷ୍ଟମ ଶତାବ୍ଦୀରେ ଭୌମକର ବଂଶୀୟ କେତେକ ରାଜା ବୌଦ୍ଧଧର୍ମର ପୃଷ୍ଠପୋଷକତା କରି ବିହାର ଓ ଚୈତ୍ୟଗୃହ ନିର୍ମାଣ କରାଇ ଥିଲେ । ଏହି ବଂଶର ରାଜା ଶିବକର ଦେବ ଉନ୍ମଟ୍ଟ ସିଂହ ଗଣ୍ଡବ୍ୟୁହ ନାମକ ଏକ ବୌଦ୍ଧ ଧର୍ମଗ୍ରନ୍ଥ ଚୀନ ଦେଶର ସମ୍ରାଟ ତେ-ସଙ୍ଗ୍ଙ୍କ ନିକଟକୁ ପ୍ରେରଣ କରିଥିଲେ । ପରେ ପରେ ଓଡ଼ିଶାରେ ବୌଦ୍ଧଧର୍ମର ପ୍ରାଧାନ୍ୟ କ୍ଷୁଣ୍ଣ ହେଲା ।

ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀଠାରୁ ଓଡ଼ିଶାରେ ବ୍ରାହ୍ମଣ୍ୟ ଧର୍ମର ବିକାଶ ଘଟି ବିଭିନ୍ନ ମତବାଦର ପାଇଲା । ଶୈବ,ଶାକ୍ତ,ବୈଷ୍ଣବ ମତବାଦର କ୍ରମଶ ବିକାଶ ସହିତ ଓଡ଼ିଶାରେ ଅନେକଗୁଡିଏ ମନ୍ଦିର ନିର୍ମାଣ ହେଲା । ଶିବ,ଦୁର୍ଗା,ବିଷ୍ଣୁ, ଗଣେଶ, କାର୍ତ୍ତିକେୟ,ବରାହ, ନୃସିଂହବାମନ ପ୍ରଭୃତି ଦେବାଦେବୀମାନେ ଏହି ମନ୍ଦିର ଗୁଡିକର ଅଭ୍ୟନ୍ତରରେ ତଥା ପାର୍ଶ୍ୱରେ ପୂଜା ପାଇଲେ । ମହାନଦୀକୂଳରେ ଓ ପ୍ରାଚୀ ନଦୀ ଉପତ୍ୟକାରେ ମାଧବ ଉପାସନା ଲୋକପ୍ରିୟ ହୋଇପଡ଼ିଲା । ଅଷ୍ଟମ ଶତାବ୍ଦୀ ବେଳକୁ ପୁରୀରେ ପୁରୁଷୋତ୍ତମ ନିଳମାଧବ ପ୍ରସିଦ୍ଧି ଲାଭ କଲେ । ନୀଳ କନ୍ଦରରେ ଶବର ରାଜା ବିଶ୍ୱାବସୁଙ୍କ ପୂଜିତ ନୀଳମାଧବ ପୁରୁଷୋତ୍ତମ ରୂପେ ପରିଚିତ ହୋଇ ଆଚାର୍ଯ୍ୟ ଶଙ୍କରଙ୍କଦ୍ୱାରା ସର୍ବଶ୍ରେଷ୍ଠ ଦେବତା ରୂପେ ଘୋଷିତ ହେଲେ । କାଳକ୍ରମେ ଶିବ-ଦୁର୍ଗା-ବିଷ୍ଣୁ (ପୁରୁଷୋତ୍ତମ)ଙ୍କ ସମନ୍ୱୟ ଘଟି ଶ୍ରୀକ୍ଷେତ୍ର ନୀଳାଚଳରେ ଏହି ତିନି ଦେବତା ଜଗନ୍ନାଥ, ବଳଭଦ୍ରସୁଭଦ୍ରା ରୂପରେ ଦାରୁ ବିଗ୍ରହରେ ପୂଜା ପାଇଲେ । ଜଗନ୍ନାଥ ଧର୍ମ ମଧ୍ୟରେ ବିଭିନ୍ନ ଧର୍ମ ଓ ମତବାଦର ସମନ୍ୱୟ ଘଟିଲା । ସାଧୁ ସନ୍ଥ ମାନେ ଜଗନ୍ନାଥ ଧାମରେ ନିଜ ନିଜ ସଂପ୍ରଦାୟର ମଠ ଓ ଉପାସନା ମନ୍ଦିର ସ୍ଥାପନା କଲେ । ତନ୍ମଧ୍ୟରୁ ଶଙ୍କର, ରାମାନୁଜ, ନିମ୍ବାର୍କ, ମାଧ୍ୱାଚାର୍ଯ୍ୟ,ବଲ୍ଲଭଚାର୍ଯ୍ୟ,କବୀର, ଗୁରୁ ନାନକ, ଚୈତନ୍ୟ ପ୍ରଧାନ ।

ଷୋଡ଼ଶ ଶତାବ୍ଦୀରେ ଓଡ଼ିଶାରେ ଇସଲାମ ଧର୍ମାବଲମ୍ବୀ ପ୍ରବେଶ କରି ବସବାସ କଲେ । କାଳକ୍ରମେ ଜଳେଶ୍ୱର,ଭଦ୍ରକ, କଟକ, ପିପିଲି ଅଞ୍ଚଳରେ ମୁସଲମାନ ବୃଦ୍ଧି ପାଇଲା । ହିନ୍ଦୁମୁସଲମାନମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ଘଟି ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି ହେଲା । ମୁସଲମାନ ଫକୀର ଓ ସୁଫି ସନ୍ଥମାନଙ୍କ ଦରଘା ବା ସମାଧୀପୀଠକୁ ଉଭୟ ସଂପ୍ରଦାୟର ଲୋକମାନେ ଭକ୍ତି ପ୍ରଦର୍ଶନ କଲେ । ଏହି ସଦ୍ଭାବର ପ୍ରଭାବ ମୋଗଲ ତାମସା ଅଭିନୟରେ ଦେଖିବାକୁ ମିଳିଥାଏ ।

ଅଷ୍ଟାଦଶ ଶତାବ୍ଦୀଠାରୁ ଓଡ଼ିଶାରେ ଖ୍ରୀଷ୍ଟିଆନ ଧର୍ମଯାଜକମାନଙ୍କ ଆଗମନ ଘଟି ରୋମାନ କ୍ୟାଥଲିକ, ପ୍ରୋଟେଷ୍ଟାଣ୍ଟ ଓ ବାପଟିଷ୍ଟ୍ ପ୍ରଭୃତି ଖ୍ରୀଷ୍ଟିଆନ ସଂପ୍ରଦାୟ ସୃଷ୍ଟି ହେଲା । ଧର୍ମଯାଜକ ମାନେ ସ୍କୁଲ, ଡାକ୍ତରଖାନା ଇତ୍ୟାଦି ସ୍ଥାପନ କରି ଲୋକହିତକର କାମରେ ନିଜକୁ ନିୟୋଯିତ କଲେ । ଏମାଙ୍କଦ୍ୱାରା ସ୍ଥାପିତ କଟକର ମିଶନ ପ୍ରେସ ଓଡ଼ିଶାର ସର୍ବପୁରାତନ ମୁଦ୍ରଣଶାଳା ।

ଉନ୍ନବିଂଶ ଶତାବ୍ଦୀରେ ମହିମା ଗୋସାଇଁଙ୍କଦ୍ୱାରା ପ୍ରଚାରିତ ଅଲେଖ ମହିମା ଧର୍ମ କେନ୍ଦ୍ର ଓ ପଶ୍ଚିମ ଓଡ଼ିଶାର କୃଷକ ସଂପ୍ରଦାୟରେ ବିଶେଷ ଆଦୃତ ହୋଇଥିଲା । ଭୀମ ଭୋଇଙ୍କଦ୍ୱାରା ରଚିତ ଭଜନମାଳା ଓଡ଼ିଶା ଓ ଓଡ଼ିଶା ବାହାରେ ମହିମା ଧର୍ମର ପ୍ରସାର ପାଇଁ ସହାୟକ ହୋଇଥିଲା ।

ସାହିତ୍ୟ[ସମ୍ପାଦନା]

ସଂସ୍କୃତ ସାହିତ୍ୟକୁ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ତନ୍ମଧ୍ୟରୁ କୃଷ୍ଣ ମିଶ୍ରଙ୍କ ପ୍ରବୋଧ ଚନ୍ଦ୍ରୋଦୟ, ଶତାନନ୍ଦଙ୍କ ଭାସ୍ୱତୀ, ଜୟଦେବଙ୍କ ଗୀତଗୋବିନ୍ଦ, ବିଦ୍ୟାଧରଙ୍କ ଏକାବଳୀବିଶ୍ୱାନାଥ କବିରାଜଙ୍କ ସାହିତ୍ୟ ଦର୍ପଣ ଉଲ୍ଲେଖଯୋଗ୍ୟ ।

ପଞ୍ଚଦଶ ଶତାବ୍ଦୀର ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବଙ୍କ ସମସାମୟିକ ଶାରଳା ଦାସ ଓଡ଼ିଆ ସାହିତ୍ୟର ଆଦିକବି ରୂପେ ସ୍ୱୀକୃତ । ତାଙ୍କ ରଚିତ ଓଡ଼ିଆ ମହାଭାରତ,ବିଲଙ୍କା ରାମାୟଣ,ଚଣ୍ଡୀପୁରାଣ ଆଦି ଗ୍ରନ୍ଥ ମୂଳ ବିଷୟବସ୍ତୁ ବ୍ୟାଖ୍ୟା କରିବା ସହିତ ସେ ସମୟର ସାମାଜିକ ଓ ଐତିହାସିକ ଚିତ୍ର ପ୍ରଦାନ କରନ୍ତି । ଷୋଡ଼ଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ପ୍ରତାପରୁଦ୍ର ଦେବଙ୍କ ସମୟର ପଞ୍ଚସଖା: ବଳରାମ ଦାସ, ଜଗନ୍ନାଥ ଦାସ,ଅଚ୍ୟୁତାନନ୍ଦ ଦାସ,ଯଶୋବନ୍ତ ଦାସଅନନ୍ତ ଦାସ ଭକ୍ତିରସାତ୍ମକ କାବ୍ୟ ରଚନା କରି ଓଡ଼ିଆ ସହିତ୍ୟରେ ଅମର ହୋଇରହିଛନ୍ତି । ସେମାଙ୍କ କୃତି ମଧ୍ୟରୁ ବଳରାମ ଦାସଙ୍କ ଦାଣ୍ଡି ବା ଜଗମୋହନ ରାମାୟଣ, ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ, ଓ ଅଚ୍ୟୁତାନନ୍ଦ ଦାସଙ୍କ ଶୁନ୍ୟସଂହିତା ଓଡ଼ିଶାର ଘରେ ଘରେ ଆଦୃତ ।[୬] ପରବର୍ତ୍ତୀ ସମୟ ରୀତି ଯୁଗୀୟ ସାହିତ୍ୟିକମାନଙ୍କ ମଧ୍ୟରୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥ, ଭକ୍ତ କବି ଗୋପାଳକୃଷ୍ଣ ପଟ୍ଟନାୟକ, ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର, ଦୀନକୃଷ୍ଣ ଦାସ, ବ୍ରଜନାଥ ବଡ଼ଜେନା,ଗଙ୍ଗାଧର ଗୁରୁ ପ୍ରଭୃତି ପ୍ରସିଦ୍ଧ । ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସ, ଲାବନ୍ୟବତୀ, ପ୍ରେମ ସୁଧାନିଧି, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀରସିକ ହାରାବଳୀ, ବଳଦେବ ରଥଙ୍କ କିଶୋର ଚନ୍ଦ୍ରାନନ ଚମ୍ପୂ, ସଙ୍ଗୀତ କଳ୍ପଲତା ଓ ଚନ୍ଦ୍ରକଳା, ଗୋପାଳକୃଷ୍ଣଙ୍କ ପଦ୍ୟାବଳୀ, ଅଭିମନ୍ୟୁଙ୍କ ବିଦଗ୍ଧ ଚିନ୍ତାମଣି, ଦିନକୃଷ୍ଣ ଦାସଙ୍କ ରସକଲ୍ଲୋଳ,ବ୍ରଜନାଥ ବଡ଼ଜେନାଙ୍କ ସମର ତରଙ୍ଗ,ଗଙ୍ଗାଧର ଗୁରୁଙ୍କ କୋଶଳାନନ୍ଦ କାବ୍ୟ ଗୋଟିଏ ଗୋଟିଏ ଅମୂଲ୍ୟ ସମ୍ପଦ ।

ଉନ୍ନବିଂଶ ଶତାବ୍ଦୀର ଓଡ଼ିଆ ନବ ଜାଗରଣ ଏବଂ ପରେ ପରେ ବିଂଶ ଶତାବ୍ଦୀର ସ୍ୱାଧୀନତା ସଂଗ୍ରାମ ଓ ଓଡ଼ିଆ ଆନ୍ଦୋଳନର ପ୍ରଭାବ ସ୍ୱରୂପ ଓଡ଼ିଶାରେ ନୂତନ ସ୍ୱାଦର ସାହିତ୍ୟ ସୃଷ୍ଟି ହୋଇଥିଲା । ଏହି ସାହିତ୍ୟିକମାନଙ୍କ ମଧ୍ୟରୁ ମଧୁସୂଦନ ରାଓ, ରାଧାନାଥ ରାୟ, ଫକୀର ମୋହନ ସେନାପତି, ନନ୍ଦକିଶୋର ବଳ,ଗଙ୍ଗାଧର ମେହେର ଏବଂ ସଦ୍ୟବାଦୀ ଯୁଗର ପଞ୍ଚସଖା ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, କୃପାସିନ୍ଧୁ ମିଶ୍ରଆଚାରଯ୍ୟ ହରିହର ଦାସ ଅଗ୍ରଗଣ୍ୟ । ଏତଦବ୍ୟତୀତ ଜଗବନ୍ଧୁ ସିଂହ, ଗୌରୀଶଙ୍କର ରାୟ,ନୀଳମଣି ବିଦ୍ୟାରତ୍ନ, ବିଶ୍ୱନାଥ କର ପ୍ରଭୃତି ସାହିତ୍ୟିକ ଗଦ୍ୟ,ପ୍ରବନ୍ଧ, ଉପନ୍ୟାସ,କବିତା,ନାଟକ ଓ ସମ୍ବାଦ ମାଧ୍ୟମରେ ଆଧୁନିକ ଯୁଗରେ ନିଜ ନିଜ ପ୍ରତିଭାର ପରିଚୟ ପ୍ରଦାନ କରିଛନ୍ତି ଓ ଓଡ଼ିଆ ସାହିତ୍ୟର ଶ୍ରୀବୃଦ୍ଧି ଘଟାଇଛନ୍ତି । ଏହା ଫଳରେ ଓଡ଼ିଆ ସାହିତ୍ୟ ଭାରତରେ ଏକ ସମୃଦ୍ଧ ସାହିତ୍ୟ ରୂପେ ସ୍ୱୀକୃତି ଲାଭ କରିଛି ।

ନୃତ୍ୟ ଓ ସଙ୍ଗୀତ[ସମ୍ପାଦନା]

ଭାରତରେ ପ୍ରଚଳିତ ଶାସ୍ତ୍ରୀୟ ନୃତ୍ୟମାନଙ୍କ ମଧ୍ୟରୁ ଓଡ଼ିଶୀ ନୃତ୍ୟ ଅନ୍ୟତମ । ଏହାର ପରମ୍ପରା ଅତି ପ୍ରାଚୀନ । ଖାରବେଳଙ୍କ ସମୟରେ ଖୋତିତ ରାଣୀଗୁମ୍ଫା,ସ୍ୱର୍ଗପୁରୀ ଓ ମଞ୍ଚପୁରୀ ଗୁମ୍ଫାର ଗାତ୍ରରେ ଦେଖିବାକୁ ମିଳୁଥିବା ନର୍ତ୍ତକୀମାନଙ୍କର ପ୍ରତିମା ତଥା ହାତୀଗୁମ୍ଫା ଅଭିଲେଖରେ ବର୍ଣ୍ଣିତ ନୃତ୍ୟ ଓଡ଼ିଶୀନୃତ୍ୟର ପ୍ରାଚୀନତା ପ୍ରତିପାଦନ କରେ । ଭରତଙ୍କ ନାଟ୍ୟଶାସ୍ତ୍ରରେ ଉଲ୍ଲିଖିତ କଳିଙ୍ଗ ନୃତ୍ୟ ଶୈଳୀ ଓଡ଼ିଶୀ ନୃତ୍ୟର ସ୍ୱାତନ୍ତ୍ରତା ପ୍ରମାଣିତ କରେ । ଭୁବନେଶ୍ୱରର ପର୍ଶୁରାମେଶ୍ୱର ମନ୍ଦିର,ବୈତାଳ ମନ୍ଦିର,ଶିଶିରେଶ୍ୱର ମନ୍ଦିର, ମାର୍କଣ୍ଡେଶ୍ୱର ମନ୍ଦିର,ମୁକ୍ତେଶ୍ୱର ମନ୍ଦିର, ରାଜରାଣୀ ମନ୍ଦିର,ଲିଙ୍ଗରାଜ ମନ୍ଦିର, ମେଘେଶ୍ୱର ମନ୍ଦିର ପ୍ରଭୃତି, ପୁରୀର ଜଗନ୍ନାଥ ମନ୍ଦିର ଏବଂ କୋଣାର୍କ ସୂର୍ଯ୍ୟମନ୍ଦିରର ବର୍ହିଭାଗରେ ଖୋଦିତ ନର୍ତ୍ତକୀ ଓ ନାୟିକାମାନଙ୍କର ଅଙ୍ଗଭଙ୍ଗୀ ଓ ମୁଦ୍ରାରୁ ଓଡ଼ିଶୀ ନୃତ୍ୟର ପରମ୍ପରା ସମୃଦ୍ଧ ହୋଇଥିବା ଜଣାଯାଏ । ପରବର୍ତ୍ତୀ କାଳରେ ଏହି ନୃତ୍ୟ ଦେବଦାସୀ ନୃତ୍ୟ (ମାହାରୀ) ଓ ଗୋଟିପୁଅମାନଙ୍କଦ୍ୱାରା ପରିବେଷିତ ହୋଇ ଆସୁଥିଲା । ଆମଦେଶ ସ୍ୱାଧୀନ ହେବା ପରେ ଏହି ନୃତ୍ୟ ପରମ୍ପରାର ପୁନରୁଦ୍ଧାର କରାଯାଇ ଓଡ଼ିଶୀ ନାମରେ ନାମିତ କରାଗଲା ଓ ଏହା ଶାସ୍ତ୍ରୀୟ ନୃତ୍ୟର ମର୍ଯ୍ୟାଦା ଲାଭ କଲା । ଏହି ଉଦ୍ୟମରେ ସାର୍ଥକତା ଲାଭକରିଥିବା ବ୍ୟକ୍ତିମାନକ ମଧ୍ୟରୁ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ, ନୃତ୍ୟଗୁରୁ ପଙ୍କଜଚରଣ ଦାସ, ଦେବପ୍ରସାଦ ଦାସକେଳୁଚରଣ ମହାପାତ୍ର ଅନ୍ୟତମ । ଓଡ଼ିଶୀ ନୃତ୍ୟର ବୈଶିଷ୍ଟ ହେଲା ଅଙ୍ଗଭଙ୍ଗୀ ଓ ଲାଳିତ୍ୟ ଓ ଏହାର ପାଞ୍ଚଗୋଟି ପର୍ଯ୍ୟାୟ ହେଲା : ମଙ୍ଗଳାଚରଣ,ବଟୁ,ପଲ୍ଲବୀ,ଅଭିନୟ ଓ ମୋକ୍ଷ । ନୃତ୍ୟ ଆରମ୍ଭରେ ନର୍ତ୍ତକୀ ଶ୍ରୀଜଗନ୍ନାଥଙ୍କୁ ପୁଷ୍ପାଞ୍ଜଳୀଦ୍ୱାରା ପ୍ରଣାମ ନିବେଦନ କରେ ଓ ଶେଷରେ ମୋକ୍ଷ ଲାଭ କାମନା କରି ପ୍ରଣତି ଜଣାଏ । ଏହି ନୃତ୍ୟରେ ପଖଉଜ,ବେହେଲା,ଗିନି,ଝାଞ୍ଜ,ବଂଶୀ ଇତ୍ୟାଦି ବାଦ୍ୟଯନ୍ତ୍ର ବ୍ୟବହାର କରାଯାଏ । ଆଜି ଓଡ଼ିଶୀ ନୃତ୍ୟ ସମଗ୍ର ଭାରତ ବର୍ଷ ଓ ପୃଥିବୀରେ ବିଶେଷଭାବେ ଆଦୃତ ହୋଇପାରିଛି ।

ଓଡ଼ିଶାରେ ଯେପରି ଶାସ୍ତ୍ରୀୟ ନୃତ୍ୟର ସୁମହାନତା ପରମ୍ପରା ରହିଛି, ସେହିପରି ଲୋକନୃତ୍ୟର ମଧ୍ୟ ସମୃଦ୍ଧ ଅତୀତ ରହିଛି । ଆଞ୍ଚଳିକତା-ଭିତ୍ତିରେ ଓଡ଼ିଶାର ପ୍ରସିଦ୍ଧ ଲୋକନୃତ୍ୟଗୁଡିକ ହେଲା, ଦଣ୍ଡନାଟ,ପାଟୁଆଯାତ୍ରା,ଚଇତି ଘୋଡ଼ା ନାଚ,ପଶ୍ଚିମ-ଓଡ଼ିଶାର ଡାଲଖାଇ ନାଚ,କଳହାଣ୍ଡିର ଘୁମୁରା ନାଚ, ପୁରୀର ସାହିଯାତ,ମୟୂରଭଞ୍ଜର ଛଉନାଚ ଏବଂ ଆଦିବାସୀ ଅଧ୍ୟିଷିତ ଅଞ୍ଚଳର ଶବର-ଶବରୁଣୀ,ଚଢ଼େଇଆ ନାଚ ଆଦି ମଧ୍ୟ ଏହି ଲୋକନୃତ୍ୟ ଗୁଡିକ ଓଡ଼ିଶାରେ ବିଭିନ୍ନ ପର୍ବପର୍ବାଣୀ ଓ ମେଳା ମହୋତ୍ସବମାନଙ୍କରେ ପରିବେଷିତ ହୋଇ ଲୋକଙ୍କର ମନୋରଞ୍ଜନ କରିଥାନ୍ତି । ଓଡ଼ିଶୀ ନୃତ୍ୟ ଭଳି ଓଡ଼ିଶୀ ସଙ୍ଗୀତ ମଧ୍ୟ ଏକ ଶାସ୍ତ୍ରୀୟ ସଙ୍ଗୀତ । ଶ୍ରୀଜଗନ୍ନାଥ ଓ ରାଧା-କୃଷ୍ଣଙ୍କର ଉପରେ ଆଧାରିତ ପାରମ୍ପାରିକ ଭକ୍ତିସଙ୍ଗୀତ ଓଡ଼ିଶୀ ସଙ୍ଗୀତ ମାଧ୍ୟମରେ ଏକ ସ୍ୱତନ୍ତ୍ର ରାଗ, ତାଳ ଓ ଗାୟନଶୈଳୀ ମାଧ୍ୟମରେ ପରିବେଷିତ ହୁଏ ।

ପର୍ବପର୍ବାଣୀ[ସମ୍ପାଦନା]

ଓଡ଼ିଶାର ବର୍ଷର ବିଭିନ୍ନ ସମୟରେ ନାନା ପ୍ରକାର ଯାନିଯାତ୍ରା ଓ ପର୍ବପର୍ବାଣି ଅନୁଷ୍ଠିତ ହୋଇଥାଏ। ଯାତ୍ରା ଗୁଡିକ ମୂଖ୍ୟତଃ ଜଗନ୍ନାଥଙ୍କୁ କେନ୍ଦ୍ର କରି ଅନୁଷ୍ଠିତ ହୋଇଥାଏ ଓ ଏହା ବାର ମାସରେ ତେର ଯାତ ଉକ୍ତିକୁ ପ୍ରତିପାତିତ କରିଥାଏ । ଯେପରି ବୈଶାଖରେ ଅକ୍ଷୟ ତୃତୀୟାଠାରୁ ଏକୋଇଶ ଦିନ ବ୍ୟାପି ଚନ୍ଦନଯାତ୍ରା, ଜ୍ୟୋଷ୍ଠ ପୂର୍ଣ୍ଣିମାଦିନ ସ୍ନାନଯାତ୍ରା,ଆଷାଢ଼ ଶୁକ୍ଳ ଦ୍ୱିତୀୟାଠାରୁ ନଅଦିନ ଧରି ରଥଯାତ୍ରା ଓ ବାହୁଡା ଯାତ୍ରା, ଶ୍ରାବଣ ଶୁକ୍ଳ ଦଶମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଝୁଲଣ ଯାତ୍ରା,ଫାଲଗୁନ ପୂର୍ଣ୍ଣିମାରେ ଦୋଳଯାତ୍ରା ଇତ୍ୟାଦି । ଏହା ଛଡା ଭାଦ୍ରବରେ ଗଣେଶ ପୂଜାବିଶ୍ୱକର୍ମା ପୂଜା, ଆଶ୍ୱିନରେ ଷୋହଳ ଦିନ ବ୍ୟାପି ଦେବୀ ପୀଠମାନଙ୍କରେ ଦୁର୍ଗା ପୂଜା ଓ ଶୁକ୍ଳ ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ସାର୍ବଜନିକ ଦୁର୍ଗା ମେଢ଼ ପୂଜା, କାର୍ତ୍ତିକରେ ଲକ୍ଷ୍ମୀ, କାଳୀ ପୂଜାକାର୍ତ୍ତିକେୟ ମେଢ଼ ପୂଜା ଓ ବାଲିଯାତ୍ରା, ମାର୍ଗଶୀରରେ ଲକ୍ଷ୍ମୀ ପୂଜା ବା ମାଣବସା ଗୁରୁବାର, ମାଘରେ ସରସ୍ୱତୀ ପୂଜା, ଫାଲଗୁନରେ ଜାଗର ଯାତ୍ରାଚୈତ୍ରରେ ଝାମୁ ଯାତ୍ରା ଇତ୍ୟାଦି ସମାରୋହରେ ପାଳିତ ହୁଏ । ଏତଦବ୍ୟତିତ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ନୂଆଖାଇ, ଶୀତଳଷଷ୍ଠୀ, ଧନୁଯାତ୍ରା, ଠାକୁରାଣୀ ଯାତ୍ରା, ଶୁଲିଆ ଯାତ୍ରା, ଗଜଲକ୍ଷ୍ମୀ ଯାତ୍ରା ଆଦି ଯାନିଯାତ୍ରା ଜାକଜମକରେ ପାଳିତ ହୋଇଥାଏ ।

ଯାନିଯାତ୍ରା ଭଳି ଓଡ଼ିଶାରେ ବର୍ଷର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପର୍ବାଣି ପାଳିତ ହୋଇଥାଏ । ତନ୍ମଧ୍ୟରୁ ଚଇତି ପର୍ବ, ଗହ୍ମାପର୍ବ, ଦଶହରା ପର୍ବ, ମକର ପର୍ବ,ହୋଲିପର୍ବ, ଟୁସୁ ପର୍ବ ଇତ୍ୟାଦି ପ୍ରଧାନ । ବିଭିନ୍ନ ଓଷା ମଧ୍ୟରେ ଷଷ୍ଠୀ ଓଷା, ଫୁଲେରା ଓଷା, କାଞ୍ଜିଅଁଳା ଓଷା, ଖୁଦୁରୁକୁଣୀ ଓଷା, ବୁଧେଇ ଓଷା, ଦ୍ୱିତୀୟା ଓଷାବଡ଼ ଓଷା ଏବଂ ବ୍ରତ ମଧ୍ୟରେ ସୁଦଶା ବ୍ରତ, ସୋମନାଥ ବ୍ରତ, ଗୌରୀ ବା ବାଲି ତୃତୀୟା ବ୍ରତ, ଅନନ୍ତ ବ୍ରତ, ସାବିତ୍ରୀ ବ୍ରତ, କେଦାର ବ୍ରତ ଇତ୍ୟାଦି ଉଲ୍ଲେଖଯୋଗ୍ୟ । ଏହି ସବୁ ପର୍ବପର୍ବାଣି ଓ ଓଷା ବ୍ରତ ଜନଜୀବନରେ ଧର୍ମୀୟ ଚେତନା ଦୃଢିଭୂତ କରିବାରେ ସହାୟକ ହୋଇଥାଏ।

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]